spot_img
Home Blog Page 6110

ଉହାନରେ WHO ଟିମ୍, କରିବେ କରୋନାର ଉତ୍ପତ୍ତି ନେଇ ସନ୍ଧାନ

ନୂଆଦିଲ୍ଲୀ: କରୋନା ମହାମାରୀର ଉତ୍ପତ୍ତି ନେଇ ସନ୍ଧାନ କରିବାକୁ ଚୀନର ଉହାନରେ ପହଞ୍ଚିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁ୍ୟଏଚଓ)ର ବିଶେଷଜ୍ଞ ଟିମ୍ । ବିଶ୍ବବ୍ୟାପୀ ମହାମାରୀ ରୂପ ନେଇଥିବା କରୋନା ଭାଇରସ୍‌ର ଉତ୍ପତ୍ତି ସ୍ଥଳ ସମ୍ପର୍କରେ ଏହି ଟିମ୍ ଗବେଷଣା କରିବେ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ୧୦ ଜଣିଆ ବିଶେଷଜ୍ଞ ଟିମ୍ ଉହାନରେ ପହଞ୍ଚିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଛି । ୨ ସପ୍ତାହ ପାଇଁ ବିଶେଷଜ୍ଞ ଟିମ୍‌ କ୍ବାରେଣ୍ଟାଇନରେ ରହିବେ ବୋଳି ସୂଚନା ମିଳିଛି।

ତେବେ ଗତ ମଙ୍ଗଳବାର ଦିନ ଚୀନ୍ ପକ୍ଷରୁ ସୂଚନା ଦିଆଯାଇଥିଲା ଯେ WHOର ବିଶେଷଜ୍ଞ ଟିମ୍ କରୋନା ଭାଇରସର ଉତ୍ପତ୍ତି ସମ୍ପର୍କରେ ଯାଞ୍ଚ କରିବା ଲାଗି ଉହାନ ଗସ୍ତ କରିବେ ।

ଚୀନ ବିଦେଶ ମନ୍ତ୍ରଣାଳୟର ପ୍ରବକ୍ତା ଝାଓୋ ଲିଜିଆନ୍ କହିଥିଲେ ଯେ ଗୁରୁବାର ଦିନ  WHO ବିଶେଷଜ୍ଞ ଟିମ୍ ଉହାନରେ ପହଞ୍ଚିବେ । ତେବେ ଏନେଇ ଅଧିକ ସୂଚନା ଦିଆଯାଇନଥିଲା ।

୨୦୧୯ ମସିହା ଡିସେମ୍ବର ମାସରେ ଚୀନର ଉହାନ ସହରରେ ପ୍ରଥମେ କରୋନା ରୋଗୀ ଚିହ୍ନଟ ହୋଇଥିଲେ । ପରେ ଏହି ସଂକ୍ରମଣ ସାରା ବିଶ୍ବକୁ ବ୍ୟାପିଥିଲା । ଏବେ ସୁଦ୍ଧା ବିଶ୍ବରେ ପ୍ରାୟ ୧୦ କୋଟି ଲୋକ କରୋନା ସଂକ୍ରମିତ ହୋଇଥିବା ବେଳେ ୨୦ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ଯାଇଛି।

ଶାଶୂ ସହ ମିଶି ଇଞ୍ଜିନିୟର ବୋହୂ ଘରେ ତିଆରି କରିଥିଲା ମଦ କାରଖାନା

ଭଦ୍ରକ: ମଦ ବିରୋଧରେ ରାଜ୍ୟର ଅନେକ ସ୍ଥାନରେ ଆନ୍ଦୋଳନ ହେଉଛି । ଆନ୍ଦୋଳନର ମୂଖ୍ୟ ପୁରୋଧା ହେଉଛନ୍ତି ମହିଳା । ଅଧିକାଂଶ ସ୍ଥାନରେ ମଦକୁ ବିରୋଧ କରି ମହିଳାମାନେ ରାସ୍ତାକୁ ଓହ୍ଲାଉଛନ୍ତି । କେଉଁଠି ମଦ ଦୋକାନ ଜାଳି ଦେଉଛନ୍ତି ତ ଆଉ କେଉଁଠି ଭାଙ୍ଗୁଛନ୍ତି । ସବୁଠି ମଦକୁ ମହିଳା ବିରୋଧ କରୁଥିବା ବେଳେ ଭଦ୍ରକରୁ ଆସିଛି ଆଶ୍ଚର୍ଯ୍ୟଜନକ ଖବର । ମଦ ବେପାର କରୁଥିବା ଇଞ୍ଜିନିୟର ବୋହୂ ସହ ଶାଶୂଙ୍କୁ ଗିରଫ କରିଛି ପୋଲିସ ।

Bhadrak Police Arrested Daughter In Law And Mother In Law For Illegal Liquor Business

ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଲା ପଞ୍ଚାୟତର ଘୁଷୁରୀ ପୋଖରୀ ଗାଁରେ ପୋଲିସ୍ ରେଡ୍ କରିଥିଲା । ରେଡ୍ ବେଳେ ମଦ ତିଆରି ସରଞ୍ଜାମ ଜବତ କରିଛି ପୋଲିସ । ସିଭିଲ୍ ଇଞ୍ଜିନିୟର ବୋହୂ ସହ ଶାଶୂ ଦେଶୀ ମଦ କାରଖାନା ଚଳାଇଥିଲେ । ସେଠାରୁ ପୋଲିସ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ, ନଗଦ ଏକ ଲକ୍ଷ ଟଙ୍କା ସହ ୨ଟି ଗାଡ଼ିକୁ ମଧ୍ୟ ଜବତ କରିଛି । ମଦ ବେପାର କରୁଥିବା ଶାଶୂ, ବୋହୂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।

Bhadrak Police Arrested Daughter In Law And Mother In Law For Illegal Liquor Business

ଶାଶୂ, ବୋହୂ କାହା ସହାୟତାରେ ଦେଶୀ ମଦ କାରଖାନା ଖୋଲି ବ୍ୟବସାୟ କରୁଥିଲେ ତାର ଖୋଳତାଡ଼ କରୁଛି ପୋଲିସ । ଦୈନିକ ଏଠାରେ ଲକ୍ଷାଧିକ ଟଙ୍କାର ମଦ ବିକ୍ରି ହେଉଥିବା ଜଣାପଡ଼ିଛି । ଶିକ୍ଷିତ ବୋହୂର ମଦ ବେପାର ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।

ସୁପ୍ରିମକୋର୍ଟ କମିଟିରୁ ଓହରିଲେ BKU ନେତା ଭୁପିନ୍ଦର ସିଂହ ମାନ, କହିଲେ ପଞ୍ଜାବ ଓ ଚାଷୀଙ୍କ ସହ ଅଛି…

ନୂଆଦିଲ୍ଲୀ: କୃଷକ ଆନ୍ଦୋଳନକୁ ନେଇ ଗଠିତ ହୋଇଥିବା ସୁପ୍ରିମକୋର୍ଟଙ୍କ ୪ ଜଣିଆ କମିଟିରୁ ଓହରିଛନ୍ତି ଭାରତୀୟ କିସାନ ୟୁନିଅନ୍ (ବିକେୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ଅଖିଳ ଭାରତୀୟ କିସାନ ସମନ୍ୱୟ ସମିତି ଅଧ୍ୟକ୍ଷ ଭୁପିନ୍ଦର ସିଂହ ମାନ ।

ଏହା ପୂର୍ବରୁ କୃଷକ ମାନେ ଅଭିଯୋଗ କରିଥିଲେ ଯେ ଭୁପିନ୍ଦର ଆଗରୁ ହିଁ ୩ କୃଷି ଆଇନକୁ ସମର୍ଥନ କରିସାରିଛନ୍ତି ।

କମିଟିରେ ସାମିଲ ହେବା ପରେ ସେ କୋର୍ଟଙ୍କୁ ଧନ୍ୟବାଦ ଜଣାଇଥିଲେ । ଏପରିକି ମୁଁ କୃଷକ ଓ ପଞ୍ଜାବ ପ୍ରତି ବିଶ୍ୱସ୍ତ ବୋଲି କହିଥିଲେ । ମୁଁ ଏମାନଙ୍କ ହିତ ପାଇଁ କିଛି ବି କରିପାରେ ଯଦି ଦରକାର ପଡେ ବଡ ପଦବୀ କିମ୍ବା ସମ୍ମାନକୁ ମଧ୍ୟ ପରିତ୍ୟାଗ କରିଦେବି ।

ହେଲେ ପରେ ପଞ୍ଜାବର ଖନ୍ନାରେ ଏକ ପ୍ରେସ୍ କନଫ୍ରେନ୍ସ କରି ଭାରତୀୟ କିସାନ୍ ୟୁନିଅନ୍ ଭୁପିନ୍ଦରଙ୍କୁ ନିଜ ସଙ୍ଗଠନରୁ ଅଲଗା କରିବା ପାଇଁ ଘୋଷଣା କରିଥିଲେ । ଏହା ପୂର୍ବରୁ ସେ ସୁପ୍ରିମକୋର୍ଟ କମିଟିରୁ ଓହରୁଥିବା ନେଇ ପ୍ରକାଶ କରିଛନ୍ତି।

କିଏ ଏହି ଭୁପିନ୍ଦର ସିଂହ ମାନ-

ସୁପ୍ରିମକୋର୍ଟଙ୍କ ପକ୍ଷରୁ କୃଷକ ଓ ସରକାରଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ଲାଗି ୪ ସଦସ୍ୟ ବିଶିଷ୍ଟ କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଅଲ୍ ଇଣ୍ଡିଆ କିସାନ୍ କୋର୍ଡିନେସନ୍ କମିଟିର ପ୍ରମୁଖ ଓ ପୂର୍ବତନ ରାଜ୍ୟସଭା ସଦସ୍ୟ ଭୁପିନ୍ଦର ସିଂହ ମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା । ତାଙ୍କ ସଙ୍ଗଠନ ଅଧିନରେ ଅନେକ କୃଷକ ସଙ୍ଗଠନ ରହିଛି । ଏଭଳି ସ୍ଥଳେ କୃଷକ ମାନଙ୍କ ଉପରେ ତାଙ୍କର ଭଲ ପ୍ରଭାବ ରହିଛି ।

 

ଇନ୍ଦ୍ରାବତୀ ମ୍ୟୁଜିଅମ୍ କହିବ କଳାହାଣ୍ଡିର ବିକାଶର କାହାଣୀ

କଳାହାଣ୍ଡି: କଳାହାଣ୍ଡି ଗରିବୀର ପରୀକ୍ଷାଗାର ନୁହେଁ, ଆଜି ବିକାଶର ମଡେଲ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଗୁରୁବାର ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କରିଥିଲେ । ଆଜି ୫୪ଟି ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ବେଳେ, ୫୨ଟି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ ।

Naveen Declares To Establish Indravati Museum Park And Temple In Kalahandi (2)

ମୁଖ୍ୟମନ୍ତ୍ରୀ କହିଛନ୍ତି- ‘କଳାହାଣ୍ଡିବାସୀ ମୋତେ ବହୁତ ଭଲ ପାଆନ୍ତି । ମୁଁ ମଧ୍ୟ କଳାହାଣ୍ଡିକୁ ବହୁତ ଭଲ ପାଏ । କଳାହାଣ୍ଡି ମାଟିରେ ମୋର ଯେତିକି ବିନ୍ଦୁ ରକ୍ତ ପଡିଛି, କଳାହାଣ୍ଡିର ବିକାଶ ପାଇଁ ମୁଁ ତାର ୧୦ ଗୁଣ ଅଧିକ ପରିଶ୍ରମ କରିବି ।’

ଏଥିସହ ପଢ଼ନ୍ତୁ- କଳାହାଣ୍ଡିରେ ବିଜୁଙ୍କୁ ହୋଇଥିଲା ପଥର ମାଡ, ନବେ ଦଶକର କଥାକୁ ମନେ ପକାଇଲେ ନବୀନ

୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ସମୟର ସ୍ମୃତି ଚାରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ- ଓଡ଼ିଶା ମା’ର ସେବା ପାଇଁ ମୁଁ ଯେତେବେଳେ ସୁଯୋଗ ପାଇଲି, ସେତେବେଳେ ବିଜୁ ବାବୁଙ୍କ କଥା ମୋ ମନକୁ ବାରମ୍ବାର ଆସୁଥିଲା ଏବଂ କଳାହାଣ୍ଡିର ବିକାଶ ପାଇଁ ମୋତେ ମାର୍ଗ ଦେଖାଉଥିଲା । ଏ ଭିତରେ  କଳାହାଣ୍ଡିର ଛବି ଉଜ୍ଜଳ ହୋଇଛି । ନୂଆ ଓଡ଼ିଶା ପାଇଁ ବାଟ ଦେଖାଇଛି ।

Naveen Declares To Establish Indravati Museum Park And Temple In Kalahandi (2)

କୃଷି କ୍ଷେତ୍ରରେ କଳାହାଣ୍ଡିର ବିକାଶର ଉଚ୍ଚ ପ୍ରଶଂସା କରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଥିଲେ- ଭୋକର ଭୂଗୋଳ କୁହାଯାଉଥିବା କଳାହାଣ୍ଡି ଏବେ ଭାତହାଣ୍ଡି ହୋଇଛି । କଳାହାଣ୍ଡି ଧାନ ଉତ୍ପାଦନରେ ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ, ଦେଶର ସାଧାରଣ ବଣ୍ଟନ ବ୍ୟବସ୍ଥାକୁ ମଧ୍ୟ ଚାଉଳ ଯୋଗାଉଛି । ୧୦ଟି ରାଜ୍ୟ କେନ୍ଦ୍ରୀୟ ଭଣ୍ଡାରକୁ ଯେତିକି ଚାଉଳ ଯୋଗାଉଛନ୍ତି, କଳାହାଣ୍ଡି ଏକାକୀ ସେତିକି ଚାଉଳ ଯୋଗାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Naveen Declares To Establish Indravati Museum Park And Temple In Kalahandi (2)

ଏ ସବୁ ସମ୍ଭବ ହୋଇପାରିଛି କଳାହାଣ୍ଡିର ଚାଷୀ ତଥା ସମସ୍ତ ଜନସାଧାରଣଙ୍କ ଦୃଢ଼ ଇଚ୍ଛା ଶକ୍ତି ଗଭୀର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ଯୋଗୁଁ । କଳାହାଣ୍ଡିର ଚାଷୀମାନଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୧୨୦୦ କୋଟି ଟଙ୍କା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଜଳସେଚନ ସୁବିଧା ୩ ଗୁଣ ବୃଦ୍ଧି ପାଇଛି । ସ୍ୱାସ୍ଥ୍ୟ ଓ ପୁଷ୍ଟି କ୍ଷେତ୍ରରେ ଭଲ କାମ ପାଇଁ କଳାହାଣ୍ଡି ସାରା ଦେଶରେ ବେଷ୍ଟ ପରଫର୍ମିଂ ଡିଷ୍ଟ୍ରିକ୍ଟ ହୋଇପାରିଛି । ମାଛ ଚାଷ କ୍ଷେତ୍ରରେ ମଧ୍ୟ ଦେଶରେ ଶ୍ରେଷ୍ଠ ଜିଲ୍ଲାର ମର୍ଯ୍ୟାଦା ଲାଭ କରିଛି ।

ଏଥିସହ ପଢ଼ନ୍ତୁ- କଳାହାଣ୍ଡିକୁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଭେଟି, କହିଲେ କଳାହାଣ୍ଡି ବାଣ୍ଟୁଛି ପ୍ରଗତିର ବାର୍ତ୍ତା

ମୁଖ୍ୟମନ୍ତ୍ରୀ କହିଥିଲେ- ୨୦୦୦ ମସିହାରେ କଳାହାଣ୍ଡିରେ ଶିଶୁ ମୃତ୍ୟୁ ହାର ପ୍ରତି ହଜାରରେ ୭୬ ଥିବାବେଳେ, ମାତୃ ମୃତ୍ୟୁ ହାର ୪୩୨ଥିଲା । ରାଜ୍ୟ ସରକାରଙ୍କର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଯୋଗୁ ଆଜି ଏହି ହାର କମିଛି ଏବଂ ଆମେ ବହୁ ସଂଖ୍ୟାରେ ଶିଶୁ ଓ ମା’ ମାନଙ୍କର ଜୀବନ ରକ୍ଷା କରିପାରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Naveen Declares To Establish Indravati Museum Park And Temple In Kalahandi (2)

କଳାହାଣ୍ଡିର ଏହି ରୂପାନ୍ତରର ସବୁ ଶ୍ରେୟ ଇନ୍ଦ୍ରବତୀ ନଦୀକୁ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ- ଇନ୍ଦ୍ରବାତୀ ଆମର ମା’ ଏବଂ କଳାହାଣ୍ଡିର ଜୀବନରେଖା । ସେ ତାର ପ୍ରତିଟି ଜଳବିନ୍ଦୁ ଦେଇ କଳାହାଣ୍ଡିକୁ ସମୃଦ୍ଧ କରିଛି । କଳାହାଣ୍ଡିବାସୀଙ୍କ ଦେହରେ ତାର ପାଣି ରକ୍ତ ହୋଇ ବୋହୁଛି । ମା’ ଇନ୍ଦ୍ରାବତୀର ଏହି ଅବଦାନକୁ ସମ୍ମାନ ଜଣାଇ ଏଠାରେ ଏକ ସଂଗ୍ରହାଳୟ ଓ ଉଦ୍ୟାନ ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ମ୍ୟୁଜିଅମ୍ ସାରା ବିଶ୍ୱକୁ କଳାହାଣ୍ଡିର ରୂପାନ୍ତରର କାହାଣୀ କହିବ ।

Naveen Declares To Establish Indravati Museum Park And Temple In Kalahandi (2)

ଏହି ଉଦ୍ୟାନ ଭିତରେ ମା’ ଇନ୍ଦ୍ରାବତୀଙ୍କ ଏକ ଭବ୍ୟ ମନ୍ଦିର ନିର୍ମାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ । ଇନ୍ଦ୍ରାବତୀର ଟୋପାଏ ବି ଜଳବିନ୍ଦୁକୁ ନଷ୍ଟ ହେବାକୁ ନ ଦେଇ, କଳାହାଣ୍ଡିର ବିକାଶରେ ପୂରା ବିନିଯୋଗ କରିବା ସହିତ ଭବିଷ୍ୟତ ପିଢି ପାଇଁ ଇନ୍ଦ୍ରାବତୀର ପାଣିକୁ ସୁରକ୍ଷିତ ରଖିବାକୁ ସଂକଳ୍ପ ନେବା ପାଇଁ ମୁଖ୍ୟମନ୍ତ୍ରୀ କଳାହାଣ୍ଡିର ଚାଷୀ ଭାଇଭଉଣୀ ମାନଙ୍କୁ ଆହ୍ୱାନ ଜଣାଇଥିଲେ ।

ଏଥିସହ ପଢ଼ନ୍ତୁ- ଉପାନ୍ତରେ ଜଳିଲା ନବୀନଙ୍କ ଉର୍ଜା, କଳାହାଣ୍ଡିକୁ ୨୦୮୫ କୋଟିର ଭେଟି

ଆଜି ଉଦ୍‌ଘାଟିତ ଓ ଶିଳାନ୍ୟାସ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ମେଗା ଉଠା ଜଳସେଚନ ବ୍ୟବସ୍ଥା, ଫୁଡ୍ ପାର୍କ, ନୂଆ ବିଦ୍ୟୁତ ଫିଡର ଲାଇନ୍, ଭବାନୀପାଟଣାରେ ନୂଆ ବସ୍‌ଷ୍ଟାଣ୍ଡ, ରାସ୍ତାଘାଟ, ସେତୁ ଆଦି ବିଭିନ୍ନ ପ୍ରକଳ୍ପ ରହିଛି । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ ,ମନ୍ତ୍ରୀ ରଘୁନଦନ ଦାଶ, ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉଦବୋଧନ   ଦେଇଥିଲେ । ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଆକର୍ଷଣୀୟ ନୃତ୍ୟ ଜରିଆରେ କଳାହାଣ୍ଡିର ବିକାଶର ଧାରା ଉପସ୍ଥାପନା କରିଥିଲେ ।

୧୬ରେ କରୋନା ଟିକାକରଣ ଅଭିଯାନ, ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁଆରୀ ୧୬ରେ ସାରା ଦୁନିଆରେ ସର୍ବ ବୃହତ ଟୀକାକରଣ ଅଭିଯାନ ଆରମ୍ଭ ହେଉଛି। ଯାହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏସମ୍ପର୍କରେ ଗୁରୁବାର ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ।

ସୂଚନାନୁସାରେ, ଟିକା ନେବାକୁ ଥିବା କିଛି ସ୍ୱାସ୍ଥ୍ୟ କର୍ମୀଙ୍କ ସହ ଭିଡିଓ ମାଧ୍ୟମରେ ଯୋଗାଯୋଗ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଜାମ୍ମୁ କାଶ୍ମୀରରୁ କେରଳ ଏବଂ ଆସାମରୁ ଗୋଆ ଯାଏଁ ଦେଶର କୋଣ ଅଣୁକୋଣରେ  ଟିକା ପହଞ୍ଚାଇବାର କାମ ଚାଲିଛି।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ଜାନୁଆରୀ ୧୬ରେ ଟିକାକରଣ ପାଇଁ ଜରୁରୀ CO-WIN ଆପ୍ ଲଞ୍ଚ କରିବେ। ୨,୯୩୪ ଟିକାକରଣ କେନ୍ଦ୍ର ମଧ୍ୟରୁ କେତେ ଗୁଡିକୁ ସର୍ଟଲିଷ୍ଟ କରାଯାଇଛି, ଯେଉଁଠାରୁ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିପାରିବେ । ଯେଉଁଥିରେ ସାମିଲ ରହିଛି ନୂଆଦିଲ୍ଲୀର ଏମ୍ସ ଏବଂ ସଫଦରଗଞ୍ଜ ହସ୍ପିଟାଲ୍ ।

ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁଯାୟୀ, ପ୍ରଥମ ଦିନରେ ଦେଶର ୨,୯୩୪ ଟିକାକରଣ କେନ୍ଦ୍ରରେ ପ୍ରାୟ ତିନି ଲକ୍ଷ ସ୍ୱାସ୍ଥ୍ୟ କର୍ମୀଙ୍କୁ କରୋନା ଟିକା ଦିଆଯିବ। ପରେ ୫୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ୨୭ କୋଟି ଲୋକ ଏବଂ ୫୦ ବର୍ଷରୁ କମ୍ ବୟସର ଅନ୍ୟ ଲୋକଙ୍କୁ ଟିକା ଦିଆଯିବ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଗାଇଡଲାଇନ ଅନୁଯାୟୀ ୫୦ ବର୍ଷ ବୟସ୍କ ଲୋକଙ୍କୁ ଚିହ୍ନଟ ପାଇଁ ଲୋକସଭା ତଥା ରାଜ୍ୟ ବିଧାନସଭା ନିର୍ବାଚନର ଭୋଟର ତାଲିକା ବ୍ୟବହାର କରାଯିବ । ଏହାବ୍ୟତିତ ଟିକା ପାଇଁ ଭୋଟ୍ ପରିଚୟ ପତ୍ର ଭଳି ଲୋକମାନେ ସେମାନଙ୍କର ଯେ କୌଣସି ପରିଚୟ ପତ୍ର ଦେଖାଇବାକୁ ପଡିବ । ଏହି ପରିଚୟ ପତ୍ର ମଧ୍ୟରେ ଆଧାର କାର୍ଡ, ପାନ୍ କାର୍ଡ, ପାସପୋର୍ଟ ସମେତ ମନରେଗାର ଜବ୍ କାର୍ଡ ଏବଂ ବ୍ୟାଙ୍କ କିମ୍ବା ଡାକଘରର ଫଟୋ ଲଗା ପାସବୁକ୍ ରହିଛି ।

ଏଥିସହ ପଢନ୍ତୁ- ବହୁ ପ୍ରତୀକ୍ଷାର ଅନ୍ତ, ଭୁବନେଶ୍ୱରରେ ପହଞ୍ଚିଲା କରୋନା ଭ୍ୟାକ୍ସିନ୍‌ 

 

 

 

 

 

 

 

 

 

ବିଦା ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ସିନେଟ୍‌ ନିଷ୍ପତ୍ତିକୁ ଅପେକ୍ଷା

ୱାସିଂଟନ: କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ବିଦା ହୋଇପାରନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସଂସଦରେ ମହାଭିଯୋଗ ପ୍ରସ୍ତାବ ଗ୍ରହଣ ହୋଇ ଶେଷ ହୋଇଛି ଭୋଟିଂ । ଏବେ କେବଳ ସିନେଟ୍‌ ନିଷ୍ପତ୍ତିକୁ ଅପେକ୍ଷା । ମହାଭିଯୋଗ ପ୍ରସ୍ତାବକୁ ସମର୍ଥନ କରି 232 ସଦସ୍ୟ ମତ ଦେଇଥିବା ବେଳେ ସେଥିରେ ରିପବ୍ଲିକାନ ପର୍ଟିର ୧୦ ସଦସ୍ୟ ମଧ୍ୟ ସାମିଲ ଅଛନ୍ତି । ତେବେ ୧୯୭ ସଦସ୍ୟ ଏହି ମହାଭିଯୋଗ ପ୍ରସ୍ତାବକୁ ବିରୋଧ କରିଥିବା ଜଣାପଡିଛି ।

ହାଉସ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ଙ୍କ ଭୋଟିଂ ପରେ ମହାଭିଯୋଗ ପ୍ରସ୍ତାବ ଉପରେ ମୋହର ଲାଗିଛି । ହେଲେ ସିନେଟ ଉପରେ ରହିଛି ସମସ୍ତଙ୍କ ନଜର । ଯଦି ସିନେଟରେ ଟ୍ରମ୍ପଙ୍କ ବିରୋଧରେ ବହୁମତ ସାବ୍ୟସ୍ତ ହୁଏ, ତାହେଲେ କାର୍ଯ୍ୟକାଳ ପୂର୍ବରୁ ହି ତାଙ୍କୁ ପଦ ଛାଡ଼ିବାକୁ ହେବ । ମୁଣ୍ଡ ଉପରେ ମହାଭିଯୋଗ ଖଣ୍ଡା ଝୁଲୁଥିବା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରି ଆଇନ ବିରୋଧୀ କାର୍ଯ୍ୟରୁ ନିବୃତ୍ତ ରହିବାକୁ କହିଛନ୍ତି ଟ୍ରମ୍ପ ।

ସେପଟେ ଟ୍ରମ୍ପ କହିଛନ୍ତି, ଯେଉଁମାନେ ସଂସଦ ଭବନରେ ହିଂସାରେ ସାମିଲ ଥିଲେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂସଦ ଭବନ ପରିସରରେ ହିଂସା ଯୋଗୁଁ ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଉସକାଇଥିବା ନେଇ ଟ୍ରମ୍ପଙ୍କୁ ମହାଭିଯୋଗର ସାମ୍ନା କରିବାକୁ ପଡ଼ିଛି । ଆଇନର ଉର୍ଦ୍ଧ୍ୱରୁ କେହି ବି ନୁହନ୍ତି ବୋଲି ସ୍ପିକର ନେନ୍ସି ପେଲୋସୀ କହିଛନ୍ତି । ସେପଟେ ସଂସଦ ଭବନ ପରିସରରେ ହିଂସାକୁ ଉସକାଇଥିବା ନେଇ ଟ୍ରମ୍ପଙ୍କୁ ଦାୟୀ କରିଛନ୍ତି ନବ ନିର୍ବାଚିତ ରାଷ୍ଟ୍ରପତି ଜୋ. ବିଡେନ୍ ।

କଳାହାଣ୍ଡିରେ ବିଜୁଙ୍କୁ ହୋଇଥିଲା ପଥର ମାଡ, ନବେ ଦଶକର କଥାକୁ ମନେ ପକାଇଲେ ନବୀନ

କଳାହାଣ୍ଡି: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମକର ସଂକ୍ରାନ୍ତିରେ କଳାହାଣ୍ଡିକୁ ଦେଇଛନ୍ତି ବିକାଶ ଭେଟି । କଳାହାଣ୍ଡିରେ ସେ ଅତୀତକୁ ମନେ ପକାଇଛନ୍ତି । କେମିତି ୯୦ ଦଶକରେ ମୁଖମନ୍ତ୍ରୀ ଭାବେ ପିତା ବିଜୁ ପଟ୍ଟନାୟକଙ୍କୁ କଳାହାଣ୍ଡି ଗସ୍ତ ବେଳେ ବିରୋଧ କରାଯାଇଥିଲା । କେମିତି ତାଙ୍କ ଉପରକୁ ସେତେବେଳେ ଟେକା ମାଡ ହୋଇଥିଲା ।  ନବେ ଦଶକର ସ୍ମୃତିକୁ ମଞ୍ଚରେ ମନେ ପକାଇଲେ ନବୀନ । ପିତାଙ୍କ ସହ ଘଟିଥିବା ଅତୀତର ସେହି ସ୍ମୃତି ଭିଜା ଘଟଣାକୁ ସତେଜ କରିଛନ୍ତି ପୁତ୍ର ।

ନବେ ଦଶକର କଥା । କଳାହାଣ୍ଡି ଗସ୍ତରେ ଥାଆନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆଗକୁ ଗଡୁଥାଏ ବିଜୁବାବୁଙ୍କ ଗାଡି । ହଠାତ ବଦଳି ଯାଇଥିଲା ପରିସ୍ଥିତି । ଶାନ୍ତ ଭାବେ ବସିଥିବା ମୁଖ୍ୟମନ୍ତ୍ରୀ ହୋଇପଡିଥିଲେ କ୍ଲାନ୍ତ । କାରଣ ଭବାନୀପାଟଣାର ଷ୍ଟାଚ୍ୟୁ ଛକରେ ଯେଉଁ ଘଟଣା ଘଟିଥିଲା ତାହା ସାଜିଥିଲା ଇତିହାସ ।

ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ କରି ରାସ୍ତା ମଝିକୁ ଚାଲି ଆସିଥିଲେ ଅନେକ ଲୋକ । ବିରୋଧ କରୁଥିବା ଲୋକେ ଫିଙ୍ଗିଥିଲେ ପଥର । ଫଳରେ ନାକ ଫାଟି ଯାଇଥିଲା ଏବଂ ରକ୍ତସ୍ରାବ ଘଟିଥିଲା । ଏହି ଘଟଣା କାହିଁକି ଏବଂ କ’ଣ ପାଇଁ ଘଟିଲା, ସେନେଇ ପିତା ବିଜୁ ପଟ୍ଟନାୟକଙ୍କୁ ପଚାରିଥିଲେ ନବୀନ । ଯାହାର ଉତ୍ତର ତାଙ୍କୁ କଳାହାଣ୍ଡିର ବିକାଶ କରିବାକୁ ବାଧ୍ୟ କରିଥିବା କହିଛନ୍ତି ନବୀନ ।

ନବୀନ କହିଛନ୍ତି ମୋର ପ୍ରଶ୍ନରେ ବିଜୁ ବାବୁ କହିଥିଲେ, କୌଣସି ପରିସ୍ଥିତ କେତେବେଳେ ମଧ୍ୟ ବଦଳିଯାଏ । କଳାହାଣ୍ଡିକୁ ମୁଁ ବହୁତ ଭଲପାଏ । କିନ୍ତୁ କଳାହାଣ୍ଡିରେ ମୋ ଶରୀରର ଯେତିକି ରକ୍ତ ଝରିଛି, କଳାହାଣ୍ଡି ପାଇଁ ମୁଁ ତାହାର ଦଶ ଗୁଣା ଅଧିକ କାମ କରିବି ବୋଲି କହିଥିଲେ ବିଜୁ ।

ଭୁବନେଶ୍ୱର ରାଜରାସ୍ତାରେ ଜଳିଗଲା କାର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରାସ୍ତାରେ ଅଚାନକ ଜଳିଗଲା କାର । ସିଆର୍‌ପି ଛକ ଓଭରବ୍ରିଜ୍‌ ଉପରେ କୗେଣସି କାରଣବଶତଃ ହୁତୁହୁତୁ ହୋଇ ଏକ କାରଟି‌ ଜଳି ଯାଇଛି ।

ହଠାତ୍‌ କାରରେ ନିଆଁ ଲାଗିଯିବାରୁ ଯାତାୟାତ ଏକପ୍ରକାର ବାଧାପ୍ରାପ୍ତ ହୋଇଥିଲା। ତେବେ କାରରେ କିଭଳି ନିଆଁ ଲାଗିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ ।

ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ବେଳେ କାର୍‌ ଡ୍ରାଇଭର ଓ ଯାତ୍ରୀଙ୍କର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି।

ପତ୍ନୀ ବାପଘରକୁ ଯାଉ ବୋଲି ଚାହୁଁନଥିଲେ ସ୍ୱାମୀ, ଖଣ୍ଡାରେ କାଟିଦେଲେ ନାକ

ଭୋପାଳ: କୁହାଯାଏ ସ୍ୱାମୀ ଓ ସ୍ତ୍ରୀଙ୍କର ସମ୍ପର୍କ ଯୁଗଯୁଗର । ହେଲେ ବେଳେ ବେଳେ ସାମାନ୍ୟ କ୍ରାେଧ ଏହି ସମ୍ପର୍କକୁ ଭାଙ୍ଗିବା ପାଇଁ ଯଥେଷ୍ଟ ହୋଇଥାଏ । ସେହିପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଆଗର ମାଲବା ଜିଲ୍ଲାରେ ।

ଆଗର ସ୍ଥିତ ମାଲବା ଜିଲ୍ଲାର ବିଦ୍ୟାନଗର ବିରଲାଗ୍ରାମ ଥାନା ଅଞ୍ଚଳରେ ଜଣେ ସ୍ୱାମୀ ଅତ୍ୟନ୍ତ ନିର୍ଦ୍ଦୟ ଭାବେ ନିଜ ପତ୍ନୀକୁ ଧାରୁଆ ଖଣ୍ଡାରେ ଆଖିବୁଜା ଆକ୍ରମଣ କରିଥିଲା । ଏହି ଆକ୍ରମଣ ଏତେ ଜୋରରେ ହୋଇଥିଲା ଯେ ସମ୍ପୃକ୍ତ ମହିଳାଙ୍କର ନାକ ଓ ସ୍ତନ କଟିଯାଇଥିଲା।

ସୂଚନା ଅନୁସାରେ ପତ୍ନୀଙ୍କର ବାପ ଘର ଯିବା କଥାକୁ ନେଇ ନାଖୁସ୍ ଥିଲେ ତାଙ୍କ ପତ୍ନୀ । ପରେ ଏହି ଘଟଣାରେ ଉତକ୍ଷିପ୍ତ ହୋଇ ଧାରୁଆ ଖଣ୍ଡାରେ ତାଙ୍କୁ ଜୋରଦାର ଆକ୍ରମଣ କରିବାକୁ ପଛାଇ ନଥିଲେ । ଖାଲି ଏତିକି ନୁହେଁ ଏହି ଆକ୍ରମଣରେ ମହିଳାଙ୍କର ମୁହଁ, ନାକ, ଜିଭ, ଛାତି ଓ ଗୁପ୍ତାଙ୍ଗରେ ମଧ୍ୟ ଆଘାତ ଲାଗିଛି।

ପରେ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ରାଧାବାଈ ନାମକ ଏହି ମହିଳାଙ୍କ ସହ ମାରପିଟ୍ ହୋଇଥିବା ନେଇ ମଧ୍ୟ ପୋଲିସ ପକ୍ଷରୁ ସୂଚନା ଦିଆ ଯାଇଛି ।

ଭିକାରୀମୁକ୍ତ ଭୁବନେଶ୍ୱର ଚାହୁଁନାହାନ୍ତି ଅପରାଜିତା, ଯୁବ ଉତ୍କଳ ଫାଉଣ୍ଡେସନର ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ‘ଅନ୍ନପୂର୍ଣ୍ଣା’ କାର୍ଯ୍ୟକ୍ରମକୁ ବିରୋଧ କରିଛି ଯୁବ ଉତ୍କଳ ଫାଉଣ୍ଡେସନ। ଏନେଇ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାଜଧାନୀର ବାସହରାଙ୍କୁ ମାଗଣାରେ ବଣ୍ଟା ଯାଉଥିବା ଖାଦ୍ୟ ଲାଗି ଏହି ଯୋଜନାରେ ୧ ଟଙ୍କା ଧାର୍ଯ୍ୟ କରାଯାଇଛି । ଫଳରେ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଆଉ ଏହି କାର୍ଯ୍ୟକ୍ରମ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ ।

ଗତ ମଙ୍ଗଳବାର ଦିନ ବିଏମସି ନିଷ୍ପତ୍ତି ଅନୁସାରେ ଭୁବନେଶ୍ୱର ରାସ୍ତା କଡ଼ରେ ରହୁଥିବା ନିରାଶ୍ରୟ ଲୋକଙ୍କୁ କେହି ଖାଦ୍ୟ ଦେଇ ପାରିବେ ନାହିଁ । ଏପରିକି ବିଏମସିର ବିନା ଅନୁମତିରେ ଯଦି କେହି ଖାଦ୍ୟ କିମ୍ବା ଅନ୍ୟ ସାମଗ୍ରୀ ବାଣ୍ଟେ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନୋଟିସ୍ ଜାରି କରାଯାଇଥିଲା ।

ଏପରି ସ୍ଥଳେ ଅପରାଜିତାଙ୍କ ଏହି ସ୍କିମ୍ ସରକାରଙ୍କ ସ୍ମାର୍ଟ୍ ସିଟି ଭୁବନେଶ୍ୱରକୁ ବାସହରା ଓ ଭିକାରୀ ମୁକ୍ତ ଯୋଜନାକୁ ସଫଳ କରାଇବାକୁ ଚାହୁଁନାହାନ୍ତି ବୋଲି ଫାଉଣ୍ଡେସନ ଦାବି କରିଛି । ତେବେ ଅପରାଜିତା ଯଦି ୧ ଟଙ୍କାରେ ଖାଦ୍ୟ ଦେବେ ତେବେ ବାସହରା ଓ ଭିକାରୀ ମାନେ ଆଉ ସରକାରଙ୍କ ଆଶ୍ରୟ ସ୍ଥଳୀକୁ ଯିବେ ନାହିଁ ବୋଲି ଅଭିଯୋଗ କରିଛି ଫାଉଣ୍ଡେସନ। ଯଦି ସାଂସଦ ପ୍ରକୃତରେ ନିରାଶ୍ରୟଙ୍କ ପ୍ରତି ସମ୍ବେଦନଶୀଳ ତେବେ ସେମାନଙ୍କ ପାଇଁ ନୂତନ ଆଶ୍ରୟ ସ୍ଥଳୀ ନିର୍ମାଣ କରିବା ଉଚିତ୍ ବୋଲି ଫାଉଣ୍ଡେସନ ପକ୍ଷରୁ ମତ ପ୍ରକାଶ କରାଯାଇଛି ।

ଏଥିସହ ପଢନ୍ତୁ- ନିରାଶ୍ରୟଙ୍କୁ ସାହାଯ୍ୟ କଲେ ନେବାକୁ ହେବ ବିଏମସିର ଅନୁମତି