ଭୁବନେଶ୍ୱର: INS ଚିଲିକାରେ ୨୦୨୦ ଏମଆର୍ ବ୍ୟାଚର ପାସିଙ୍ଗ ଆଉଟ୍ ପରେଡ୍ ଅନୁଷ୍ଠିତ ହୋଇଛି । ଚିଲିକାରେ ଏକ ବର୍ଷର ପ୍ରଶିକ୍ଷଣ ନେଇ କୃତକାର୍ଯ୍ୟ ହୋଇଛନ୍ତି ପ୍ରଶିକ୍ଷାର୍ଥୀ । ପାସିଂ ଆଉଟ୍ ଅବସରରେ ଆକର୍ଷୀଣୀୟ ପରେଡ ପ୍ରଦର୍ଶନ କରାଯାଇଥିଲା । ନୌସେନାର ବରିଷ୍ଠ ଅଧିକାରୀମାନେ ମେଧାବୀ ପ୍ରଶିକ୍ଷାର୍ଥୀଙ୍କୁ ପଦକ ଓ ଟ୍ରଫି ପ୍ରଦାନ କରିଥିଲେ । ପରିକ୍ଷାର୍ଥୀଙ୍କ ଦ୍ୱାରା ପ୍ରଦର୍ଶିତ ସ୍ମାର୍ଟ ଡ୍ରିଲ୍ ଓ ଗତିବିଧିକୁ ଅଧିକାରୀମାନେ ପ୍ରଶଂସା କରିଛନ୍ତି । କୋଭିଡ୍ ନିୟମ ଭିତରେ ସମସ୍ତ ପ୍ରକାର ପ୍ରଶିକ୍ଷଣ ସରିଥିବାରୁ ସମସ୍ତ କର୍ମକର୍ତ୍ତାଙ୍କୁ ପ୍ରଶଂସା କରାଯାଇଛି । ଏହି ଅବସରରେ ଅଲଭିନ୍ କେ ଓ ଅକ୍ଷୟ କୁମାରଙ୍କୁ ଅଲଗା ବର୍ଗରେ ଶ୍ରେଷ୍ଠ ପରୀକ୍ଷାର୍ଥୀ ଭାବେ ବିବେଚନ କରାଯାଇଛି ।
ଦେଶରେ ୧୦ ଦିନ ଭିତରେ ଟିକାକରଣ ଆରମ୍ଭ
ନୂଆଦିଲ୍ଲୀ: ୧୦ ଦିନ ଭିତରେ ଦେଶରେ ଟିକାକରଣ ଆରମ୍ଭ ହେବାକୁ ଯାଉଛି । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ।
ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ଏକ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଚିବ ରାଜେଶ ଭୂଷଣଙ୍କ ପକ୍ଷରୁ କୁହାଯାଇଛି ଯେ, ଦେଶରେ ଲଗାତାର ୩୯ ଦିନ ହେବ କରୋନା ସଂକ୍ରମିତଙ୍କ ତୁଳନାରେ ଅଧିକ ସଂଖ୍ୟକ ସୁସ୍ଥ ହେଉଛନ୍ତି । ନିକଟରେ ଡିସିଜିଆଇ ୨ଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିଲେ ।
ପରେ ଦେଶର ହୋଇଥିବା ଟିକାର ଡ୍ରାଏ ରନ୍ ମଧ୍ୟ ସଫଳ ହୋଇଛି । ଯେଉଁଥିପାଇଁ ସରକାର ଜାନୁଆରି ୧୩ ତାରିଖରେ କରୋନା ଟିକାର ପ୍ରଥମ ଡୋଜ୍ ଦେଶବାସୀଙ୍କୁ ମିଳିବା ନେଇ ସଙ୍କେତ ଦେଇଛନ୍ତି ।
ପ୍ରାରମ୍ଭିକ ଭାବେ ୩ କୋଟି କରୋନା ଯୋଦ୍ଧାଙ୍କୁ ଭ୍ୟାକ୍ସିନର ପ୍ରଥମ ଡୋଜ ପ୍ରଦାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି ।
We are prepared to roll out vaccine within 10 days of emergency use authorisation approvals. The final call will be taken by the government: Union Health Secretary Rajesh Bhushan
DGCI gave approval to two vaccines on January 3 pic.twitter.com/g6sWMsX4cG
— ANI (@ANI) January 5, 2021
ଉଲ୍ଲେଖଯୋଗ୍ୟ, କରୋନା ବିରୋଧରେ ସାରା ଦେଶ ଲଢେଇ କରୁଥିବା ବେଳେ ଭାରତରେ ଦୁଇଟି ଟିକାକୁ ଅନୁମୋଦନ ମିଳିଛି । DCGI ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କୋଭିଶିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ ମଞ୍ଜୁରୀ ଦେଇଥିଲେ ।
ନୂଆବର୍ଷରେ ପ୍ରଥମେ କୋଭିସିଲ୍ଡକୁ ଅନୁମତି ମିଳିଥିଲା ବେଳେ ଦ୍ୱିତୀୟ ଟିକା ଭାବେ କୋଭାକ୍ସିନକୁ ଅନୁମତି ଦିଆଯାଇଥିଲା । ସରକାରଙ୍କ ପକ୍ଷରୁ ଗଠନ ହୋଇଥିବା ପ୍ୟାନେଲ କୋଭାକ୍ସିନର କେବଳ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଥିଲେ ।
ଟିକା ବ୍ୟବହାର ନେଇ ଅନୁମୋଦନ ମିଳିବା ପରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କୋଭିଶିଲ୍ଡ ଅନୁମୋଦନ ପାଇବା ପରେ ଖୁସି ବ୍ୟକ୍ତ କରିଥିଲେ। କରୋନା ବିରାେଧରେ ଦେଶବାସୀ ଲଢେଇ ଜାରି ରଖିଥିବା ବେଳେ ଦୁଇଟି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପରେ ଜନସାଧାରଣ ଆଶ୍ୱସ୍ତୀ ଅନୁଭବ କରିଛନ୍ତି ।
ସେହିପରି ୨ ଟିକାର ବ୍ୟବହାରକୁ ଅନୁମତି ଦେବା ପରେ ଡିସିଜିଆଇ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ଟିକା ୧୧୦% ସୁରକ୍ଷିତ । କିଛି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯିବା ସ୍ୱାଭାବିକ । ଜର ହେବା, ଆଲର୍ଜି ଓ ଦରଜ କରିବା ଏଭଳି ପାର୍ଶ୍ୱ ପ୍ରତିକ୍ରିୟା ପ୍ରାୟ ସମସ୍ତ ଭ୍ୟାକ୍ସିନରେ ଦେଖାଯାଇଥାଏ । ଲୋକଙ୍କୁ ଆଶ୍ୱସ୍ତ କରିବାକୁ ଯାଇ ଡିସିଜିଆଇ କହିଛନ୍ତି ଯେ, ସୁରକ୍ଷା ଦୃଷ୍ଟିରୁ କୌଣସି ପ୍ରକାର ବି ଅସୁବିଧା ଥିଲେ ଟିକାକୁ ଅନୁମତି ଦିଆଯିବ ନାହିଁ ।
ଋଷିଆ ସହ ଭାରତର ଏସ-୪୦୦ ଡିଲ୍, ବାଧା ଦେଇପାରେ ଆମରିକା
ନୂଆଦିଲ୍ଲୀ: ଋଷିଆଠୁ ଏସ ୪୦୦ ବା ବାୟୁ ରକ୍ଷା ପ୍ରଣାଳି ମିସାଇଲ ସିଷ୍ଟମ ଭାରତ କିଣିବା ନେଇ ଆମେରିକା ସମସ୍ୟା ସୃଷ୍ଟି କରିପାରେ ବୋଲି ଚର୍ଚ୍ଚା ହେଉଛି।
ଆମେରିକାର ସଂସଦ କଂଗ୍ରେସର ରିପୋର୍ଟ ଅନୁଯାୟୀ ଭାରତ ସହ ଋଷର ବ୍ୟବସାୟୀକ ଚୁକ୍ତି ଉପରେ କିଛି କଟକଣା ଲଗା ଯାଇପାରେ । ଆମେରିକା ନିଜ ଶତ୍ରୁ ଉପରେ ଲଗାଉଥିବା କିଛି ଆଇନର ଦ୍ବାହି ଦେଇ ଏହି ଚୁକ୍ତିକୁ ଭଣ୍ଡୁର କରିବାକୁ ଯୋଜନା କରିଛି । ୨୦୧୮ ଆମେରିକା ସରକାରଙ୍କ ଚେତାବନୀ ସତ୍ବେ ଭାରତ ସରକାର ଋଷ ସହ ଏସ ୪୦୦ କିଣିବା ପାଇଁ ଚୁକ୍ତି କରିଥିଲେ ।

ଏହାଦ୍ବାରା ଭାରତ ଓ ଆମେରିକା ମଧ୍ୟରେ ଥିବା ସମ୍ପର୍କ କ୍ଷୁର୍ଣ୍ଣ ହେବ ବୋଲି ମଧ୍ୟ ପୂର୍ବରୁ ଟ୍ରମ୍ପ ପ୍ରଶାସନ ଏକପ୍ରକାର ଚେତାବନୀ ଦେଇଥିଲେ । ହେଲେ ଏହି ଡିଲ୍ ଲାଗି ଭାରତ ସରକାର ୨୦୧୯ରେ ଋଷ ସରକାରକୁ ୮୦ କୋଟି ଟଙ୍କା ପଇଠ ମଧ୍ୟ କରିସାରିଛନ୍ତି ।
ତେବେ ଏସ ୪୦୦ ଋଷର ସବୁଠୁ ଉନ୍ନତ ମାନର ମିସାଇଲ ବୋଲି କୁହାଯାଉଛି । ଏହି ମିସାଇଲ ଆକାଶରୁ ଆକାଶ ମାର୍ଗକୁ ଉତ୍ତକ୍ଷେପଣ କରିବାର କ୍ଷମତା ରଖିଛି । ଭାରତୀୟ ସେନାରେ ଏହା ସାମିଲ ହେଲେ ସେନା ଆହୁରି ଶକ୍ତିଶାଳୀ ହେବ।
ଅସୁସ୍ଥ ପୂର୍ବତନ କର୍ମଚାରୀଙ୍କୁ ଭେଟିବା ପାଇଁ ପୁଣେ ପହଞ୍ଚିଲେ ରତନ ଟାଟା, ସମସ୍ତେ ଚକିତ
ପୁଣେ: ୮୩ ବର୍ଷ ବୟସ୍କ ଜଣାଶୁଣା ଶିଳ୍ପପତି ରତନ ଟାଟାଙ୍କୁ କିଏବା ନଜାଣେ । ସେ ଜଣେ ସଫଳ ବ୍ୟବସାୟୀ ହେବା ସହ ଅନେକ ସମୟରେ ମାନବିକତା ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି । ଏହି ପରିପ୍ରେକ୍ଷୀରେ ତାଙ୍କର ଜଣେ ପୂର୍ବତନ କର୍ମଚାରୀ ଅସୁସ୍ଥ ଥିବା ଖବର ପାଇବା ପରେ ତାଙ୍କୁ ଦେଖିବା ଲାଗି ପୁଣେରେ ପହଞ୍ଚିଯାଇଥିଲେ ରତନ ।
ନିକଟ ଅତୀତରେ ସେ ପୁଣେ ଯାଇ ସେହି କର୍ମଚାରୀଙ୍କୁ ଘରେ ଭେଟିଥିଲେ । ଅଚାନକ ରତନ ଟାଟାଙ୍କୁ ଘରେ ଦେଖି ଚକିତ ହୋଇ ପଡିଥିଲେ ସମ୍ପୃକ୍ତ କର୍ମଚାରୀ । ଯାହା ପରେ ତାଙ୍କ ଆଖିରୁ ଧାର ଧାର ଲୁହ ବୋହିବାରେ ଲାଗିଥିଲା ।
ରତନ ଏହି ପୂର୍ବତନ କର୍ମଚାରୀଙ୍କ ଘରେ ପହଞ୍ଚି ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେ ଜାଣିବାକୁ ପାଇଥିଲେ ଯେ କର୍ମଚାରୀ ଜଣକ ବିଗତ ୨ ବର୍ଷ ହେବ ରୋଗରେ ପିଡିତ ।
ସୂଚନା ଅନୁଯାୟୀ ଗତ ରବିବାର ୩ଟା ସମୟରେ ରତନ ଟାଟା କୋଥରୁଡର ଗାନ୍ଧୀ ଭବନ ନିକଟସ୍ଥ ବୁଡଲେଣ୍ଡ ସୋସାଇଟିରେବିନା କୌଣସି ସୁରକ୍ଷାରେ ପହଞ୍ଚିଥିଲେ । ସେଠାରେ ସେ ପାଖାପାଖି ଅଧଘଣ୍ଟା ଯାଏଁ ରହିବା ସହ ଇମାନଦାର ଙ୍କ ସହ ଆଲୋଚନା କରିଥିଲେ । ଏପରିକି ସେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ ।
ଏଭଳି ଘଟଣା ଦେଖି ସୋସାଇଟିର ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ । ସୋସାଇଟିର ଜଣେ ବାସିନ୍ଦା ଅଞ୍ଜଳି ପାର୍ଡିକର୍ କହିଛନ୍ତି ଯେ ରତନ ଟାଟା ଏତେ ସାଧାରଣ ଦେଖାଯାଉଥିଲେ ଯେ ତାଙ୍କୁ ଦେଖି ହଠାତ୍ କେହି ଭାବି ପାରିବେନି ଯେ ସେ ଏତେ ବଡ ଶିଳ୍ପପତି ବୋଲି । ତାଙ୍କ ଭିତରେ ଅହଙ୍କାର ଥିବା ଭଳି ଜମା ଲାଗୁନଥିଲା ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ସୋସାଇଟି ମଧ୍ୟକୁପ୍ରଥମେ ଦୁଇଟି ଗାଡି ଆସି ପହଞ୍ଚିଲା । ଗୋଟିଏ ଗାଡିରୁ ରତନ ଟାଟା ଓହ୍ଲାଇଥିଲେ । ପରେ ସେ ଲିଫ୍ଟକୁ ଚାଲି ଯାଇଥିଲେ ।
ରତନ ଟାଟାଙ୍କ ଏଭଳି ଅପ୍ରତ୍ୟାଶିତ ଆଗମନରେ ଆମକୁ ଲାଗିଲା ଯେ ଆମେ ଯେମିତି ଭଗବାନଙ୍କୁ ସାକ୍ଷାତ କରିଲୁ । ଏଭଳି କହିଛନ୍ତି ସମ୍ପୃକ୍ତ କର୍ମଚାରୀଙ୍କ ପୁଅ । ଏପରିକି ସେ ବିନା କୗେଣସି ସଙ୍କୋଚରେ ଆମ ସହ କଥାବାର୍ତ୍ତା ହୋଇଥିଲେ ବୋଲି ପ୍ରକାଶ କରିଛନ୍ତି ।
ବାର୍ଡ ଫ୍ଲୁ ଆତଙ୍କ: କେରଳରେ ରାଜ୍ୟ ବିପର୍ଯ୍ୟୟ ଘୋଷଣା, କୁକୁଡ଼ା ଓ ଅଣ୍ଡା ଦୋକାନ ବନ୍ଦ କରିବାକୁ ନିର୍ଦ୍ଦେଶ
କେରଳ: କରୋନା ସଙ୍କଟ ମଝିରେ ଆଉ ଏକ ନୂଆ ସଙ୍କଟ ମୁଣ୍ଡ ଟେକିଛି । ଦେଶରେ ଅନେକ ରାଜ୍ୟରେ ବ୍ୟପିବାରେ ଲାଗିଛି ବାର୍ଡ ଫ୍ଲୁ । ରାଜସ୍ଥାନ, ମଧ୍ୟ ପ୍ରଦେଶ ପରେ ହିମାଚଳ ପ୍ରଦେଶ ଏବଂ କେରଳରେ ବ୍ୟାପୁଛି ବାର୍ଡ ଫ୍ଲୁର ଆତଙ୍କ । ଏହାକୁ ନଜରରେ ରଖି ବିଭିନ୍ନ ରାଜ୍ୟର ସରକାର ସତର୍କତା ଜାରି କରିଛନ୍ତି । ଏମିତିକି କେରଳ ଏହାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରିଛି ।

ମଧ୍ୟ ପ୍ରଦେଶରେ ୨୩ ଡିସେମ୍ବରରୁ ୩ ଜାନୁଆରୀ ମଧ୍ୟରେ ୩୭୬ଟି କାଉର ମୃତ୍ୟୁ ହୋଇଛି । ଏଥିରୁ ୧୪୨ଟି ମୃତ୍ୟୁ ଇନ୍ଦୋର ସହରରେ ହୋଇଛି । ଏହାବ୍ୟତୀତ ସନ୍ଦସୌରରେ ୧୦୦, ଆଗର ମାଲୱାରେ ୧୧୨, ଖରଗୋନ ଜିଲ୍ଲାରେ ୧୩, ସିହୋରରେ ୯ ଟି କାଉର ମୃତ୍ୟୁ ହୋଇଛି । ପଶୁପାଳନ ମନ୍ତ୍ରୀ ପ୍ରେମ ସିଂ ପଟେଲ ସୂଚନା ଦେଇଛନ୍ତି ଯେ, ମୃତ କାଉ ମାନଙ୍କ ସ୍ୟାମ୍ପୁଲ ଭୋପାଳର ଷ୍ଟେଟ ଡି.ଆଇ ଲ୍ୟାବ ପଠାଯାଇଛି । ଇନ୍ଦୋର ଏବଂ ସନ୍ଦସୌରକୁ ପଠାଯାଇଥିବା ସ୍ୟାମ୍ପୁଲରେ ବାର୍ଡ ଫ୍ଲୁର ଭାଇରସ ଥିବା ନିଶ୍ଚିତ କରାଯାଇଛି ।

ବାର୍ଡ ଫ୍ଲୁ ହୋଇଥିବା ନିଶ୍ଚିତ ହେବା ପରେ ପଶୁପାଳନ ବିଭାଗର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ଯଦିଓ କୁକୁଡ଼ା ପକ୍ଷୀମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଦେଇନାହିଁ, ତଥାପି କୁକୁଡ଼ା ଏବଂ କୁକୁଡ଼ା ଉତ୍ପାଦ ବଜାର, ଚାଷଜମି, ଜଳଭଣ୍ଡାର ଏବଂ ସ୍ଥାନାନ୍ତରିତ ପକ୍ଷୀମାନଙ୍କ ଉପରେ ବିଶେଷ ନଜର ରଖିବା ଉଚିତ୍ ।
ଥାନାବାବୁଙ୍କ ଦାଦାଗିରି; ତଦନ୍ତ ପାଇଁ ଲାଞ୍ଚ ନେଉଛନ୍ତି, ପଚାରିଲେ ରାଗି ଯାଉଛନ୍ତି
ବାଲେଶ୍ୱର: କଥାରେ ଅଛି ‘ଚୋରି ଉପର ସେ ସିନା ଜୋରି’ । ଥାନା ବାବୁ ତଦନ୍ତ ପାଇଁ ଲାଞ୍ଚ ନେଉଛନ୍ତି, ପଚାରିଲେ ପୁଣି ଗାଳିଗୁଲଜ କରୁଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ନାଁରେ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ବାଲେଶ୍ୱର ଜିଲ୍ଲା କମର୍ଦ୍ଦାରୁ ।
କମର୍ଦ୍ଦା ଥାନାରେ ଗୋପାଳ ଚନ୍ଦ୍ର ବାରିକ୍ ନାମକ ଜଣେ ବ୍ୟକ୍ତି ନିଜ ୧୪ ବର୍ଷର ଝିଅ ନିଖୋଜ ହୋଇଥିବା ନେଇ ଡିସେମ୍ବର ୨୩ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତଦନ୍ତ କରିବା ପାଇଁ ପୋଲିସ ଅଧିକାରୀ ତଥା ଥାନା ଏଏସ୍ଆଇ ଭକ୍ତହରି ପଟ୍ଟନାୟକ ଦୁଇ ହଜାର ଟଙ୍କା ଲାଞ୍ଚ ନେଇଥିବା ନାବାଳିକାର ବାପା କହିଛନ୍ତି ।
ତେବେ ଅଭିଯୋଗ କରିବାର ୧୨ ଦିନ ପରେ ମଧ୍ୟ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ତେଣୁ ଏନେଇ ଅଭିଯୋଗକାରୀ ତଥା ନିଖୋଜ ଝିଅର ପରିବାର ଲୋକ ଥାନାବାବୁଙ୍କୁ ପଚାରିବାରୁ, ଥାନା ବାବୁ ନିଖୋଜ ଝିଅ ବିଷୟରେ ସୂଚନା ଦେବା ପରିବର୍ତ୍ତେ ଓଲଟି ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିଲେ । ଖାଲି ସେତିକି ନୁହେଁ ଅଭିଯୋଗକାରୀଙ୍କୁ ବିଭିନ୍ନ ଧମକ ଚମକ ଦେବା ସହ ପେଲାଠେଲା ମଧ୍ୟ କରିଥିଲେ ।
ତେବେ ଏହି ସବୁ ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରୁଥିବା ଜଣେ ସାମ୍ବାଦିକଙ୍କୁ ମଧ୍ୟ ପୋଲିସ ବାବୁ ଛାଡ଼ିନଥିଲେ । ସାମ୍ବାଦିକଙ୍କୁ ଆକ୍ରମଣ କରିବାକୁ ଓ ତାଙ୍କ କ୍ୟାମେରା ଛଡ଼ାଇନେବାକୁ ମଧ୍ୟ ପଛାଇନଥିଲେ ।
ଅନ୍ୟପଟେ ଖାଲି ନିଖୋଜ ଝିଅକୁ ଖୋଜିବା ପାଇଁ ଲାଞ୍ଚ ନୁହେଁ ବରଂ ବିଭିନ୍ନ ଜମିବାଡ଼ି ଗଣ୍ଡଗୋଳ ମାମଲାର ସମାଧାନ କରିବା ପାଇଁ ମଧ୍ୟ ପୋଲିସ ବାବୁ ହଜାର ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି ।







