spot_img
Home Blog Page 6183

ପୁଣି ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ

0

ନୂଆଦିଲ୍ଲୀ:  ସରକାରଙ୍କୁ ଆଲୋଚନା ପ୍ରସ୍ତାବ ଦେବାର ଗୋଟିଏ ଦିନ ପରେ ଆନ୍ଦୋଳନକୁ ଦେଶବ୍ୟାପୀ କରିବା ନିଷ୍ପତି ନେଇଛନ୍ତି ଚାଷୀ । ନୂଆବର୍ଷରେ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଦେଶବ୍ୟାପୀ ବିକ୍ଷୋଭ ଆହ୍ବାନ ଦିଆଯାଇଛି  । ତେବେ ଚାଷୀ ସଂଗଠନ AIKSCC (ଅଲ୍‌ ଇଣ୍ଡିଆ କିଶାନ ସଂଘର୍ଷ କୋଡିନେସନ କମିଟି) ପକ୍ଷରୁ ଡିସେମ୍ବର ୨୯ରେ  ବିହାରର  ପାଟନା, ଥାନାଜୁର, ଡିସେମ୍ବର ୩୦ରେ ମଣିପୁର ଓ ହାଇଦ୍ରାବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯିବା କାର୍ଯ୍ୟକ୍ରମ ରହିଛି  ।

ସେପଟେ ଚାଷୀ ସଂଗଠନ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ଆଲୋଚନା ପ୍ରସ୍ତାବ ନେଇ କିଛି ଉତ୍ତର ମିଳିନାହିଁ  । ତେଣୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କ୍ରାନ୍ତିକାରୀ କୃଷକ ୟୁନିଅନ ସଭାପତି ଦର୍ଶନ ପାଲ କହିଛନ୍ତି  । ନୂଆ କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ଆଜିକୁ ୩୩ ଦିନରେ ପହଞ୍ଚିଛି  । କିନ୍ତୁ ସରକାର ଏବଂ ଚାଷୀଙ୍କ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ପର୍ଯ୍ୟନ୍ତ ନିଷ୍କର୍ସ ବାହାରି ପାରୁନାହିଁ ।

ପ୍ରବଳ ଶୀତରେ ରାଜଧାନୀ ଦିଲ୍ଲୀ ଥରୁଥିବା ବେଳେ ରାସ୍ତାରେ ବସି ରହିଛନ୍ତି ହଜାର ହଜାର ଚାଷୀ । କୃଷି ଆଇନ ପ୍ରତ୍ୟାହାର ଜିଦ୍‌ରେ ଚାଷୀ ସଂଗଠନ ଆନ୍ଦୋଳନ ଜାରି ରଖିଛି  । ପୂର୍ବରୁ ଅନେକ ବାର ସରକାର ଚାଷୀଙ୍କ ସହ ଆଲୋଟଚନା କରିଥିଲେ ମଧ୍ୟ ଏହାର କୌଣସି ସୁଫଳ ମିଳିପାରି ନଥିଲା  । ତେବେ ଆଗକୁ ଏଦିଗରେ ସରକାର ଏବଂ ଚାଷୀଙ୍କ ମଧ୍ୟରେ ବିବାଦ ତୁଟୁଛି ନା ବଢୁଛି ତାହା ସମୟକୁ ଅପେକ୍ଷା  ।

ଅମାନବିକାତର ସୀମା ଡେଇଁଲେ ଶାଶୂଘର ଲୋକ, ବିବାହର ୮ ମାସ ପରେ କଲେ ଏମିତି…

ଆସିକା: ନିର୍ଯାତନାର ନିର୍ଦ୍ଦୟ କାହାଣୀ । ନିଷ୍ଠୁର ହେଲେ ଶାଶୂ, ଶ୍ୱଶୁର । ମାଡ଼ ମାରିଲେ, ବୋହୂର ହାତଗୋଡ଼ ବାନ୍ଧି ଡୋଲିରେ ଫିଙ୍ଗିଦେଲେ । ରାତି ସାରା ରକ୍ତାକ୍ତ ବୋହୂ ଡୋଲି ଭିତରେ ପାଇଲା ଅସହ୍ୟ କଷ୍ଟ । ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ମଙ୍ଗରାଜପୁର ଡାଙ୍ଗିସାହିରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଭଳି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଥିବା ବେଳେ ଶାଶୂଘର ଲୋକଙ୍କ ଉପରେ ଉଠିଛି ଅସମାହିତ ପ୍ରଶ୍ନ ।

Woman Tortured By In Laws In Ganjam

ନିଜ ଝିଅ ହୋଇଥିଲେ କଣ ଏମିତି କରିଥାନ୍ତେ ଶାଶୂ । ନା ଜନ୍ମକଲା ଝିଅକୁ ମାଡ଼ମାରି ହାତଗୋଡ଼ ବାନ୍ଧିବା ପରେ ଡୋଲିରେ ଏମିତି ରକ୍ତାକ୍ତ ଅବସ୍ଥାରେ ଫିଙ୍ଗି ଦେଇଥାନ୍ତେ ଶ୍ୱଶୁର । ଶାଶୂଘର ଲୋକ କେତେ ଯେ ନିର୍ଦ୍ଦୟ ହୋଇପାରନ୍ତି, ତା’ର ପ୍ରମାଣ ଦେଇଛନ୍ତି ମଙ୍ଗରାଜପୁର ଡାଙ୍ଗିସାହିର ଏହି ପରିବାର । ମାତ୍ର ଆଠ ମାସ ତଳେ ବୋହୂ କରି ଆଣିଥିଲେ ପରିବାର ଲୋକ । ବିବାହ ପରଠୁ ନବବଧୂଙ୍କୁ ଶାଶୂଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ ।

Woman Tortured By In Laws In Ganjam

ରବିବାର ବିଳମ୍ବିତ ରାତିରେ ଶାଶୂଘର ଲୋକ ଦେଖାଇଥିଲେ ଅସଲ ରୂପ । ବୋହୂକୁ ମାଡ଼ ମାରି ଲହୁଲୁହାଣ କରିବା ପରେ ମନ ସେତିକିରେ ବୁଝିନଥିଲା । ବୋହୂର ହାତ ଗୋଡ଼ ବାନ୍ଧି ଡୋଲିରେ ପକାଇ ଦେଇଥିଲେ ଶାଶୂଘର ଲୋକ । ରାତି ତମାମ ନବବଧୂ ଡୋଲିରେ ରକ୍ତାକ୍ତ ଅବସ୍ଥାରେ ଛଟପଟ ହୋଇଥିଲେ । ସକାଳୁ ବାପଘର ଲୋକ ଓ ଗ୍ରାମବାସୀ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ପୋଲିସ ଶାଶୂଘରର ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

୨୦୨୦ର ସେହି ୧୦ ଜଣ : କିଏ ଲକଡାଉନର ମସିହା ଥିଲା ତ କିଏ କରୋନା ଟିକା ପାଇଁ ଭିଡିଥିଲେ ଅଣ୍ଟା

ଆରମ୍ଭରୁ ସବୁ କିଛି ଠିକ ଥିଲା। ଥଣ୍ଡା କୁହୁଡ଼ିର ଆଢ଼ୁଆଳରେ ନୂଆବର୍ଷର ସେଲିବ୍ରେସନ ଖୁବ ଭଲରେ କଟିଲା। ୨୦୨୦ ଏହି ଡିଜିଟାଲ ସିମେଟ୍ରି ବା ଶବ୍ଦ ସଜା ଦେଖି ପୁରା ବିଶ୍ୱକୁ ଲାଗିଲା ଏଇ ଅଙ୍କ ଭଳି ନୂଆ ବର୍ଷ ବହୁତ ଭଲରେ ବିତିବ ଏବଂ ଶୁଭଙ୍କର ହେବ। କିନ୍ତୁ ସମସ୍ତଙ୍କ ଭାବନାର ବିପରୀତରେ ଭୟଙ୍କର ରୂପ ଧାରଣ କଲା ୨୦୨୦। ନୂଆ ବର୍ଷର ଅଲେଖା ଧଳା ଫର୍ଦ୍ଦରେ ଆଙ୍କି ହୋଇଥିଲା ଅଦୃଶ୍ୟ କରୋନା ରାକ୍ଷସର କରାଳ ଚିତ୍ର। ଗୋଟିଏ ବର୍ଷ ୪ କାନ୍ଥ ମଧ୍ୟରେ ବିତିଗଲା। ତେବେ ୨୦୨୦ର କଳା ବର୍ଷକୁ ପାସୋରି ଦେଇ ଆମେ ଏବେ ନୂଆ ଏକ ବର୍ଷ ୨୦୨୧କୁ ସ୍ୱାଗତ କରିବାକୁ ଯାଉଛେ ।

୨୦୨୦ ଯଦି କରୋନା ଓ ଆହୁରି ଅନେକ ଅଘଟଣ ପାଇଁ ମନେ ରହିବ ତେବେ ଏହା ମଧ୍ୟ କିଛି ଏମିତି ବ୍ୟକ୍ତିଙ୍କ ପାଇଁ ମନେ ରହିବ ଯେଉଁମାନେ ନିଜ କଥା ଭୁଲି ଅନ୍ୟମାନଙ୍କ କଥା ଭାବିଥିଲେ । କିଏ ଲକଡାଉନ କାଳରେ ପ୍ରବାସୀ ଶ୍ରମିକଙ୍କୁ ଘରେ ପହଂଚାଇବା ନିଜ ଲକ୍ଷ୍ୟ କରିଥିଲା ତ’ କିଏ ଭାରତକୁ କରୋନା ଭ୍ୟାକ୍ସିନ୍ ଦେବା ମିଶନରେ ସାମିଲ ହୋଇଥିଲେ ।

ନବୀନ ପଟ୍ଟନାୟକ

୨୦ ବର୍ଷ ଧରି ଓଡ଼ିଶାର ମଙ୍ଗ ଧରିଥିବା ନବୀନ ପଟ୍ଟନାୟକ ଓଡ଼ିଶାବାସୀଙ୍କ ଆଶା ବିଶ୍ୱାସକୁ ବାନ୍ଧି ରଖିଛନ୍ତି। ଯେଉଁଥିପାଇଁ ବାରମ୍ବାର ଏକ ନମ୍ବର ମୁଖ୍ୟମନ୍ତ୍ରୀ ଭାବେ ଉଭା ହୋଇଛନ୍ତି ନବୀନ ପଟ୍ଟନାୟକ। ସି-ଭୋଟର ଦ୍ୱାରା କରାଯାଇଥିବ ସର୍ଭେରୁ ଏହି ତଥ୍ୟ ସାମ୍ନାକୁ ଆସିଥିଲା। ୨୦୨୦ରେ ସବୁଠାରୁ ଚର୍ଚ୍ଚାରେ ରହିଛି ନବୀନଙ୍କ ମହାମାରୀ କରୋନା ସହ ଲଢ଼େଇ। ପଞ୍ଚମ ପାଳିର ପ୍ରଥମ ବର୍ଷରେ ସବୁଠାରୁ ଚ୍ୟାଲେଞ୍ଜ ଥିଲା ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ମହାମାରୀକୁ ଦୃଢ଼ତାର ସହ ମୁକାବିଲା କରିବା। ଏ ଦୁଇ ବିପର୍ଯ୍ୟୟକୁ ସଫଳତାର ସହ ଲଢ଼ି ଏବେ ନବୀନଙ୍କ ନେତୃତ୍ୱ ପୁଣି ସାଉଁଣ୍ଟିଛି ପ୍ରଶଂସା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜାତୀୟ ଗଣମାଧ୍ୟମ, ପୂରା ଦେଶ ପାଇଁ ନବୀନ ସାଜିଛନ୍ତି ରୋଲ୍‌ ମଡେଲ୍‌। ପ୍ରଥମ ଆର୍ଥିକ ବର୍ଷ ଆରମ୍ଭ ହେଉ ହେଉ ମାଡ଼ି ଆସିଲା ମହାମାରୀ କରୋନା। ଅର୍ଥନୀତି ନୁହେଁ, ଜୀବନ ବଡ଼ ସ୍ଲୋଗାନ ଦେଇ ରାଜ୍ୟ ସରକାର ଆରମ୍ଭ କଲେ କରୋନା ବିରୋଧୀ ଯୁଦ୍ଧ। ସଂକ୍ରମଣ ସାଂଘାତିକ ହେବା ପୂର୍ବରୁ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରି ଦେଶ ପାଇଁ ଉଦାହରଣ ସାଜିଲେ ନବୀନ। ବିଦେଶ ଫେରନ୍ତା ପ୍ରବାସୀଙ୍କ ପାଇଁ କ୍ୱାରେଣ୍ଟାଇନ୍‌ ସେଣ୍ଟର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଟେଷ୍ଟିଂ ବ୍ୟବସ୍ଥା କରିବା। ମହାମାରୀ ବିରୋଧରେ ରାଜ୍ୟ ସରକାରଙ୍କ ଯୁଦ୍ଧଂ ଦେହି ଡାକରା ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଲା। ଏପରିକି ଅନ୍ୟ ରାଜ୍ୟ ତୁଳନାରେ ମଧ୍ୟ ମୃତ୍ୟୁର ତାଲିକା ସୀମିତ ରହିଲା।

ସୋନୁ ସୁଦ୍

କରୋନା ପାଇଁ ସାରା ଦେଶରେ ଲକଡାଉନ୍ ହୋଇଥିଲା। ସେହି ସମୟରେ ଦେଶର ବିଭିନ୍ନ ରାଜ୍ୟରେ ଅନେକ ଯୁବକ ଯୁବତୀ ଫସି ରହିଥିଲେ। ତେବେ ବାହାରେ ଫସି ରହିଥିବା ପ୍ରାବାସୀ ମାନଙ୍କୁ ସାହାଯ୍ୟ କରିବା ପାଇଁ କରୋନା ସମୟରେ ଭୂତାଣୁକୁ ଭୟ ନକରି ଘରୁ ଗୋଡ଼ କାଢ଼ିଥିଲେ ବଲିଉଡ ଅଭିନେତା ସୋନୁ ସୁଦ। ଲକ୍‌ଡାଉନ୍‌ ସମୟରେ ବିଭିନ୍ନ ରାଜ୍ୟରେ ଫସିରହିଥିବା ବିଭିନ୍ନ ରାଜ୍ୟର ଲୋକଙ୍କୁ ଘରକୁ ଫେରିବାରେ ସହଯୋଗ କରିଥିଲେ ସୋନୁ। ସେହିଭଳି କେରଳରେ କିଟେକ୍ସ ଗାର୍ମେଣ୍ଟସରେ ଫସିରହିଥିବା କେନ୍ଦ୍ରାପଡ଼ାର ୧୭୦ ଯୁବତୀଙ୍କୁ ମଧ୍ୟ ସହାୟତାର ସେ ହାତ ବଢ଼ାଇଥିଲେ। ଯୁବତୀମାନେ କାମ କରୁଥିବା କମ୍ପାନୀର ମାଲିକ ସେମାନଙ୍କୁ ଖାଇବା ପିଇବାକୁ ଦେଉନଥିବା ନେଇ ବାରମ୍ୱାର ସୋସିଆଲ୍ ମିଡିଆରେ ଅଭିଯୋଗ କରିଆସୁଥିଲେ। ଏ ନେଇ ଅଭିନେତା ସୋନୁ ଅବଗତ ହେବା ପରେ ସୁରକ୍ଷିତ ଭାବେ ଘରକୁ ଫେରିବା ପାଇଁ ବ୍ୟବସ୍ଥା କରିଥିଲେ। ସୋନୁଙ୍କ ଏହି ସହଯୋଗ ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଥିଲା। ଏଭଳି କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ସବ୍ୟସାଚୀ ମିଶ୍ର

ସଚେତନତାଠାରୁ ଆରମ୍ଭକରି ସାହାଯ୍ୟ। ମୁମ୍ବାଇରେ ସୋନୁଙ୍କ ଭଳି ଓଡ଼ିଶାରେ କରୋନା ସମୟରେ ଲୋକଙ୍କୁ ସାହାଯ୍ୟ ପାଇଁ ଧାଇଁ ଆସିଥିଲେ ଓଡ଼ିଆ ଫିଲ୍ମ ଅଭିନେତା ସବ୍ୟସାଚୀ ମିଶ୍ର। ଲକ୍‌ଡାଉନ୍‌ ଯୋଗୁ ବେଙ୍ଗାଲୁରୁରେ ଫସିରହିଥିବା ବଲାଙ୍ଗୀର ଟିକରପଡ଼ାର ଏକ ଶ୍ରମିକ ପରିବାରକୁ ସହଯୋଗର ହାତ ବଢାଇଥିଲେ ଅଭିନେତା ସବ୍ୟସାଚୀ। କାମ କରିବାକୁ ଯାଇ ପରିବାର ସହିତ ଦୁଇମାସ ହେଲା ବେଙ୍ଗାଲୁରୁରେ ଫସି ରହିଥିଲେ ପ୍ରଦୀପ ତାଣ୍ଡି ଓ ତାଙ୍କ ପରିବାର। ଏହି ଖବର ସେଠାକାର ଜଣେ ସାମ୍ବାଦିକଙ୍କ ମାଧ୍ୟମରେ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଏହି ଭାଇରାଲ ଭିଡିଓ ସବ୍ୟସାଚୀଙ୍କ ନଜରରେ ପଡିବା ପରେ ସଙ୍ଗେସଙ୍ଗେ ସେ ଏହି ପରିବାରକୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଆରମ୍ଭ କରିଦେଇଥିଲେ। ପରେ ପୁରା ପରିବାରକୁ ଏକ ଫ୍ଲାଇଟ୍‌ରେ ଓଡ଼ିଶାକୁ ଫେରାଇ ଆଣିଥିଲେ ସବ୍ୟସାଚୀ। ଖାଲି ସେତିକି ନୁହେଁ ୩ ଜଣ ଫୁଟବଲ ଖେଳାଳି କୋରାପୁଟରୁ ଭୁବନେଶ୍ୱର ଫୁଟ ବଲ ମ୍ୟାଚ ଖେଳିବାକୁ ଆସି ଭୁବନେଶ୍ୱରରେ ଫସି ରହିଥିଲେ। ଅଭିନେତା ସବ୍ୟସାଚି ଏକଥା ଜାଣିବା ପରେ ସେମାନଙ୍କୁ କରୋନ କଟକଣା ଭିତରେ କୋରାପୁଟରେ ପହଞ୍ଚାଇଥିଲେ। ସବ୍ୟଙ୍କର ଏଭଳି କାରଯ୍ୟ ପାଇଁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛଟିଥିଲା।

. କୃଷ୍ଣା ଇଲ୍ଲା

ସମଗ୍ର ବିଶ୍ୱ କରୋନା ଭୂତାଣୁ ପାଇଁ ଭୟରେ ଥରହର ହେଉଛି। ଅନେକ ଦେଶ ଏହାର ଟିକା ପ୍ରସ୍ତୁତ କରିବାରେ ବ୍ୟସ୍ତ ଅଛନ୍ତି। କେମିତି ଏହି ଭୂତାଣୁ ଠାରୁ ରକ୍ଷା ମିଳିପାରିବ ସେନେଇ ଅହରହ ଚାଲିଛି ସଂଗ୍ରାମ। ତେବେ ଟିକା ପ୍ରସ୍ତୁତ କରିବାରେ ଭାରତକୁ ପଛରେ ପକାଇ ନଥିଲେ ଚଷା ପୁଅ। ଭାରତର ଜଣେ କୃଷକଙ୍କ ପୁଅ କରୋନା ଟିକା ତିଆରିରେ ଲାଗି ପଡ଼ିଛନ୍ତି। ତାଙ୍କ ନାମ ହେଉଛି ଡକ୍ଟର କୃଷ୍ଣା ଇଲ୍ଲା। ତେବେ ଇଲ୍ଲା ତାଙ୍କର ପ୍ରଥମ ଦିନରେ ଏକ ଛୋଟ ଲ୍ୟାବ ଖୋଲିଥିଲେ। ନିଜ ଅକ୍ଳାନ୍ତ ଚେଷ୍ଟାରୁ ବର୍ତ୍ତମାନ ଏହାକୁ ସେ ଏକ ବଡ଼ କମ୍ପାନୀରେ ପରିଣତ କରିଛନ୍ତି। ହାଇଦ୍ରାବାଦ ସ୍ଥିତ କମ୍ପାନୀ ଭାରତ ବାୟୋଟେକ୍ କରୋନା ଟିକା ପ୍ରସ୍ତୁତ କରୁଛି। ଏହି କମ୍ପାନୀ ମାନବ ପରୀକ୍ଷା ପାଇଁ ଅନୁମତି ପାଇବା ପରେ ଏବେ କରୋନା ଟିକାର ମାନବ ପରୀକ୍ଷଣ କରୁଛି।  କମ୍ପାନୀର ପ୍ରତିଷ୍ଠାତା ହେଉଛନ୍ତି ନିଜେ ଡାକ୍ତର କୃଷ୍ଣା ଇଲ୍ଲା। ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଏବଂ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହାୟତାରେ ଭାରତ ବାୟୋଟେକ୍ କରୋନା ଟିକା ପ୍ରସ୍ତୁତ କରିବାରେ ଲାଗିପଡ଼ିଛନ୍ତି। ତେବେ ଡକ୍ଟର କୃଷ୍ଣା ଇଲ୍ଲା ତାଙ୍କ ଜୀବନରେ ଶହେରୁ ଅଧିକ ଜାତୀୟ ପୁରଷ୍କାରରେ ସମ୍ମାନିତ ହୋଉଛନ୍ତି। ୨୦୧୧ ଏବଂ ୨୦୦୮ରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ବେଷ୍ଟ ଟେକ୍ନିକାଲ ଆଓ୍ୱାର୍ଡ଼ ଦ୍ୱାରା ସମ୍ମାନିତ ହୋଇଥିଲେ।

ଦବଙ୍ଗ ଦାଦି

ଶାହିନ୍ ବାଗର ‘ଦାଦି’ ଭାବରେ ଜଣାଶୁଣା ୮୨ ବର୍ଷ ବୟସ୍କା ବିଲକିସଙ୍କୁ ଆମେ ଆମ ବ୍ୟକ୍ତିତ୍ୱ ତାଲିକାରେ ସ୍ଥାନ ଦେଇଛୁ। ଶାହିନ୍ ବାଗରେ ନାଗରିକତ୍ୱ ସଂଶୋଧନ ଆଇନ (CAA) ବିରୋଧରେ ଦୁଇମାସ ଧରି ଚାଲିଥିବା ବିକ୍ଷୋଭ ପ୍ରଦର୍ଶନକୁ ବିଲକିସ ବା ଶାହିନ୍ ବାଗର ‘ଦାଦି’ଙ୍କ ଦ୍ୱାରା ପରିଚାଳିତ କରାଯାଇଥିଲା। ବୟସର ଅପରାହ୍ନରେ ମଧ୍ୟ ତାଙ୍କ ଭିତରେ ଜଳିଥିଲା ପ୍ରତିରୋଧର ବହ୍ନି। ତେବେ ତାଙ୍କର ଏଭଳି ଆନ୍ଦୋଳନ ପୁରା ଦେଶର ଲୋକମାନଙ୍କର ଭୃକୁଞ୍ଚନ କରିଥିଲା। ସେ ସେହି ମହିଳାମାନଙ୍କ ମଧ୍ୟରେ ଥିଲେ ଯେଉଁମାନେ ନିଜ ଘରର ସବୁ କାମକୁ ଛାଡ଼ି ଦେଇ ପ୍ରତିଦିନ ଶାହିନ୍ ବାଗରେ ସକାଳୁ ରାତି ପର୍ଯ୍ୟନ୍ତ ବିରୋଧ କରିଥିଲେ। ଯେତେବେଳେ ପୁରା ଦେଶ ଶୀତରେ ଥରୁ ଥିଲା ସେତେବେଳେ ୮୨ ବର୍ଷିୟ ବୃଦ୍ଧା ଦାଦି ଦୃଢ଼ତାର ସହିତ ବିରୋଧ ପ୍ରଦର୍ଶନ କରିଥିଲେ। ତାଙ୍କର ଏଭଳି ପ୍ରଦର୍ଶନ ପୁରା ଯୁବ ସମାଜକୁ ଆକୃଷ୍ଠ କରିଛି ।

ଜ୍ୟୋତିରାଦିତ୍ୟ ସିନ୍ଧିଆ

ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୦୨୦ରେ ରାଜନୈତିକ ପାଣିପାଗକୁ ଅଧିକ ହଟଚମଟ କରିଥିଲେ। ୨୦୨୦ରେ ସିନ୍ଧିଆ ଦଳ ବିରୋଧରେ କରିଥିଲେ ବିଦ୍ରୋହ। ଯାହାପାଇଁ ୨୦୨୦ରେ କଂଗ୍ରେସ ମଧ୍ୟପ୍ରଦେଶରେ କ୍ଷମତା ହରାଇଥିଲା ।  ମଧ୍ୟପ୍ରଦେଶରେ ମହାବିଦ୍ରୋହର  ସୂତ୍ରଧାର ଥିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ। କମଲନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହେବା ପରେ ସିନ୍ଧିଆ ନିଜର ୨୨ ବିଧାୟକଙ୍କ ସହ ଦଳ ବିରୋଧରେ ବିଦ୍ରୋହ କରିଥିଲେ। ଦଳ ଛାଡ଼ି ୨୨ ବିଧାୟକଙ୍କ ସହ ସେ ବିଜେପିରେ ଯୋଗ ଦେଇଥିଲେ। ଫଳସ୍ୱରୂପ କଂଗ୍ରେସର ସରକାର ମାତ୍ର ୧୫ ମାସ ଭିତରେ ଭାଙ୍ଗିଯାଇଥିଲା ଏବଂ ବିଜେପି ସେଠାରେ ସରକାର ଗଠନ କରିଥିଲା।

ସଚିନ ପାଇଲଟ

କରୋନା କାଳରେ କରୋନା ଯେତିକି ଚର୍ଚ୍ଚାରେ ଥିଲା କିଛି ଦିନ ପାଇଁ ତାଠୁ ଅଧିକ ଚର୍ଚ୍ଚାରେ ଥିଲେ ସଚିନ ପାଇଲଟ। ମଧ୍ୟପ୍ରଦେଶ ପରେ ରାଜସ୍ଥାନର ରାଜନୀତିରେ କଂଗ୍ରେସ ବିରୋଧରେ ମୁଣ୍ଡ ଟେକିଥିଲା ଆଉ ଏକ ବିଦ୍ରୋହ। ରାଜସ୍ଥାନରେ ସଚିନ ପାଇଲଟ ଗେହେଲଟ ସରକାରଙ୍କ ବିରୁଦ୍ଧରେ ବଜାଇଥିଲେ ବିଦ୍ରୋହର ବିଗୁଲ୍। ତାଙ୍କ ନେତୃତ୍ୱରେ ୧୭ ବିଧାୟକ କଂଗ୍ରେସ ବିରୋଧରେ ବିଦ୍ରୋହ କରିଥିଲେ। ଯାହାଫଳରେ ସେଠାରେ ଦଳ ଓ ସରକାର ଭାଙ୍ଗିଯିବା ଭଳି ପରିସ୍ଥିତି ଦେଖାଯାଇଥିଲା। ଅବଶ୍ୟ ପାଇଲଟଙ୍କୁ ମନାଇବାରେ କଂଗ୍ରେସ ସଫଳ ହେବା ପରେ ଦଳ ଭାଙ୍ଗିବାରୁ ବଞ୍ଚି ଯାଇଥିଲା। ଆଉ ସେହି ସମୟରେ ପାଇଲଟଙ୍କ ବ୍ୟକ୍ତିତ୍ୱ ପୁରା ରାଜନୈତିକ ମାହୋଲକୁ ଅଧିକ ପ୍ରଭାବିତ କରିଥିଲା।

ଦୂତୀ ଚାନ୍ଦ

ଖେଳ ଜଗତରେ ଅନେକ ପ୍ରସଂଶା ହାତେଇଛନ୍ତି ଓଡ଼ିଆ ଝିଅ ଦୂତୀ। ଦୌଡ଼ ରାଣୀ ଦୂତୀ ସାରା ବିଶ୍ୱରେ ଓଡ଼ିଶାର ନାଁକୁ ଗର୍ବିତ କରିଚାଲିଛନ୍ତି। ତାଙ୍କ ନାମରେ ରହିଛି ଜାତୀୟ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଅନେକ ବଡ଼ ବଡ଼ ପୁରଷ୍କାର। ତେବେ ୨୦୨୦ରେ ମଧ୍ୟ ସେ ତାଙ୍କର ଚମକ ବିଛାଡ଼ିଛନ୍ତି। ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ୨୦୨୦ରେ କମାଲ ଦେଖାଇଛନ୍ତି। ୨୦୦ ମିଟର ଦୌଡରେ ସେ ପୁଣି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଖାଲି ସେତିକି ନୁହେଁ ଦୂତୀ ତାଙ୍କ ସମଲିଙ୍ଗି ସମ୍ପର୍କକୁ ନେଇ ମଧ୍ୟ ଖୁଲାସା କରି ଚର୍ଚ୍ଚାକୁ ଆସିଛନ୍ତି। ସେପଟେ କୌନ ବନେଗା କରୋଡ଼ ପତି(କେବିସି)ର ୧୧ତମ ସଂସ୍କରଣର ହଟ୍ ସିଟରେ ବସିଥିଲେ ଦୂତୀ ଚାନ୍ଦ। ଟ୍ରାକରେ ସାଥୀ ଖେଳାଳିଙ୍କୁ ନାକେଦମ୍ କରୁଥିବା ସ୍ପ୍ରିଣ୍ଟର କ୍ୱିନ୍ ଦୂତୀ କେବିସି ହଟ୍ ସିଟରେ ବିଗ୍ ବି ଅମିତାଭ ବଚ୍ଚନଙ୍କୁ ହଇରାଣ କରିଥିଲେ। ବିଗ୍ ବି ପଚାରିଥିବା ପ୍ରତିଟି ପ୍ରଶ୍ନର ହଟ୍ ଉତ୍ତର ଦେଇ ଚମକିଥିଲେ ଦୂତୀ। ୨୦୨୦ରେ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତୀ ଚଳିତ ବର୍ଷ ଅର୍ଜୁନ ପୁରସ୍କାର ବି ପାଇଛନ୍ତି। ଭିଡିଓ କନଫରେନ୍ସି ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ।

ଅଭିଜିତ୍ ବାନାର୍ଜୀ

ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ୨୦୨୦ରେ ଏକ ଶ୍ରେଷ୍ଠ ବିକ୍ତିତ୍ୱ କହିଲେ କିଛି ଭୁଲ ହେବ ନାହିଁ। କାରଣ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ ଚଳିତ ବର୍ଷ ଅକ୍ଟୋବର ୬ ତାରିଖରେ ଦେଶକୁ ପୁଣି ଥରେ ଗର୍ବିତ କରାଇଥିଲେ। ବାନାର୍ଜୀ ତାଙ୍କର ଫରାସୀ-ଆମେରିକୀୟ ପତ୍ନୀ ଏଷ୍ଟର୍ ଡୁଫ୍ଲୋ ଏବଂ ଅନ୍ୟ ଜଣେ ଆମେରିକୀୟ ଅର୍ଥନୀତିଜ୍ଞ ମାଇକେଲ୍ କ୍ରେମରଙ୍କ ସହ ବିଶ୍ୱର ଦାରିଦ୍ର୍ୟ ଦୂରୀକରଣ ପାଇଁ ପରୀକ୍ଷାମୂଳକ ଆଭିମୁଖ୍ୟ ପାଇଁ ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ସେ କେମ୍ବ୍ରିଜ୍ର, ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଫୋର୍ଡ ଫାଉଣ୍ଡେସନ ଇଣ୍ଟରନ୍ୟାସନାଲ ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି । ଖାଲି ସେତିକି ନୁହେଁ ବିଶ୍ୱର ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟ ପାଇଁ ଭାରତୀୟ ଆମେରିକୀୟ ଅର୍ଥନୀତିଜ୍ଞ ଅଭିଜିତ୍ ବାନାର୍ଜୀ, ତାଙ୍କର ପତ୍ନୀ ଏଷ୍ଟର୍ ଡୁଫ୍ଲୋ ଏବଂ ସହକର୍ମୀ ମାଇକେଲ୍ କ୍ରେମରଙ୍କୁ ୨୦୧୯ ମସିହାରେ ଅର୍ଥନୈତିକ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା।

କମଲା ହ୍ୟାରିସ

ସେହିଭଳି ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ମଧ୍ୟ ଆମ ଶ୍ରେଷ୍ଠ ବ୍ୟକ୍ତିତ୍ୱର ତାଲିକାରେ ରହିଛନ୍ତି। ଚେନ୍ନାଇର ଏକ ଛୋଠିଆ ଗାଁ ଥୁଲାସେନ୍ଦ୍ରପୁରମରେ କମଳାଙ୍କ ପରିବାର। କିନ୍ତୁ କମଳା ଆମେରିକାରେ ଜନ୍ମ। ତେବେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ କମଲା ହ୍ୟାରିସ ଭାରତର ପ୍ରଥମ ମହିଳା ଭାବେ ଉପରାଷ୍ଟ୍ରପତି ପଦ ହାତେଇଥିଲେ। କମଳାଙ୍କ ଭୋଟ ପାଇଁ ଭାରତରେ ମଧ୍ୟ ଅନେକ ସ୍ଥାନରେ ପୂଜାର୍ଚ୍ଚନା କରାଯାଇଥିଲା।

କ୍ରାଇମବ୍ରାଞ୍ଚର ୨ ଦିନିଆ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ୱର

ଭୁବନେଶ୍ୱର: ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ମାମଲା । ରିମାଣ୍ଡରେ ଗଲେ ଗୋପାଳପୁର ବିଧାୟକ ପ୍ରଦୀପ ପ୍ରାଣିଗ୍ରାହୀଙ୍କ ସହଯୋଗୀ ସର୍ବେଶ୍ବର ରାଓ । ତାଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମ୍‌ବ୍ରାଞ୍ଚ୍‌ । ଝାରପଡ଼ା ଜେଲରୁ ସର୍ବେଶ୍ବରଙ୍କୁ କ୍ରାଇମବ୍ରାଞ୍ଚ ଟିମ୍ ରିମାଣ୍ଡରେ ନେଇଛି ।

Crime Branch Take Sarbeswar Rao In Two Days Remand On Tata Motors Fake Job Case

ପାଠକ ଓ ପାଣିଗ୍ରାହୀଙ୍କ ସହିତ ମିଶି ସର୍ବେଶ୍ବର କେମିତି ରଚୁଥିଲେ ଠକେଇ ଷଡଯନ୍ତ୍ର ? ନିଯୁକ୍ତି ନାଁରେ କେତେ ଜଣଙ୍କଠାରୁ କରିଛନ୍ତି ଲୁଟ୍ ? ଠକେଇରେ ପ୍ରଦୀପ ପାଣିଗ୍ରାହୀଙ୍କର କ’ଣ ଥିଲା ଭୂମିକା ?  କିପରି ଚାଲିଥିଲା ଜାଲ୍ ନିଯୁକ୍ତି ଓ କ୍ୟାମ୍ପସ ଚୟନ ? ଏଥିସହ ଠକେଇର ଶିକାର କେବଳ ୬୮ ଜଣ ହୋଇଛନ୍ତି ନା ଅଧିକ ହୋଇଛନ୍ତି ? ସେ ନେଇ ଖୋଳତାଡ଼ କରିବ କ୍ରାଇମ୍‌ବ୍ରାଞ୍ଚ୍‌ । କେବଳ ଏତିକି ନୁହେଁ, ଆକାଶ ପାଠକ ଓ ପ୍ରଦୀପ ପାଣିଗ୍ରାହୀ ରିମାଣ୍ଡ ସମୟରେ ଦେଇଥିବା ତଥ୍ୟକୁ ନେଇ ସର୍ବେଶ୍ବରଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ଜେରା କରିବ ।

Crime Branch Take Sarbeswar Rao In Two Days Remand On Tata Motors Fake Job Case

ସୂଚନା ଯୋଗ୍ୟ, ମିଡିଲ ମ୍ୟାନ୍ ସର୍ବେଶ୍ୱର ହେଉଛନ୍ତି ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ । ଗତ ୧୭ ତାରିଖରେ ଟାଟା ମୋଟର୍ସରେ ନିଯୁକ୍ତି ନାଁରେ ଠକେଇ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଅଭିଯୋଗ ଅନୁଯାୟୀ ପ୍ରଦୀପ ଓ ପାଠକଙ୍କ ପାଇଁ ଶିକାର ଖୋଜୁଥିଲେ ସର୍ବେଶ୍ୱର । ଆଉ ଲକ୍ଷ ଲକ୍ଷ ଟଙ୍କା ଲୁଟୁଥିଲେ । ଟାଟାମୋଟର୍ସରେ ନିଯୁ୍କ୍ତି ଦେବେ କହି ଲୋକଙ୍କୁ ଲୁଟ କରୁଥିଲେ ।

ଏଥିସହ ପଢ଼ନ୍ତୁ- ଟାଟାରେ ନିଯୁକ୍ତି ନାଁରେ ଠକେଇ ମାମଲା: ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱରଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ

୨୦୨୦ର ଏମିତି କିଛି ଘଟଣା ଯାହା ଆତଙ୍କିତ କରିଦେଇଥିଲା

୨୦୨୦ ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ବର୍ଷ ଶେଷରେ ଏହା ହେଉଛି ସ୍ମୃତିକୁ ତାଜା କରିବାର ବର୍ଷ। ୨୦୨୦ ଥିଲା ଏମିତି ଗୋଟିଏ ବର୍ଷ ଯାହାକୁ ଅନେକ ଲୋକ କ୍ୟାଲେଣ୍ଡରରୁ ଅଲ୍ଟ-ଡିଲିଟ୍ ପ୍ରେସ କରି ସବୁଦିନ ପାଇଁ ଲୋପ କରିବାକୁ ଚାହିଁବେ। କିନ୍ତୁ ଏହା ସମ୍ଭବ ନୁହେଁ । ଏହି ବର୍ଷ ବର୍ତ୍ତମାନ ପିଢିର ସ୍ମୃତିରେ ଯଦି ସବୁଦିନ ପାଇଁ ଛାପ ଛାଡିବ ତେବେ ଆସୁଥିବା ପିଢ଼ି ଏହାକୁ ଇତିହାସ ପୃଷ୍ଠାରେ ଖୋଜିବ। ୨୦୨୦କୁ ମାନବ ଇତିହାସ କରୋନାର ବର୍ଷ ଭାବେ ମନେ ରଖିବ। କିନ୍ତୁ ଖାଲି କରୋନା ମଣିଷକୁ ଏହି ବର୍ଷ ଡରାଇ ନଥିଲା। ଆହୁରି ଅନେକ କିଛି ଘଟିଥିଲା ଯେଉଁଥିପାଇଁ ୨୦୨୦କୁ ଆତଙ୍କର ବର୍ଷ ବୋଲି କୁହାଯାଇ ପାରିବ….

କରୋନା ମହାମାରୀ: ଚୀନର ଉହାନରୁ ସୃଷ୍ଟି ହୋଇଥିବା ଏହି ରାକ୍ଷସ ରୂପି କରୋନା ୨୦୨୦ରେ ସମଗ୍ର ବିଶ୍ୱକୁ ଗ୍ରାସ କରି ନେଇଛି। ଯେବେ ଠାରୁ ଏହି ଭୂତାଣୁ ଚିହ୍ନଟ ହୋଇଥିଲା, ସେବେ ଠାରୁ ନେଇ ଆଜି ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକେ ଏହି ଭୂତାଣୁର ଶିକାର ହେବା ସହ ଲକ୍ଷ ଲକ୍ଷ ଜୀବନ ମଧ୍ୟ ଯାଇଛି। ତେବେ ଭୂତାଣୁ ଚିହ୍ନଟ ହେବା ପରେ ସତର୍କତା ଦୃଷ୍ଟି ଦୀର୍ଘ ୮ ମାସ ତଳେ ସଂକ୍ରମଣ ରୋକିବା ପାଇଁ ଲାଗୁ କରାଯାଇଥିଲା ଲକଡାଉନ ଓ ଶଟଡାଉନ ଭଳି କଟକଣା। ଏଥି ଯୋଗୁ ବିଭିନ୍ନ ଶିଳ୍ପ, କମ୍ପାନୀ, ଦୋକାନ ବଜାର ଆଦି ସବୁକୁ ବନ୍ଦ କରିଦିଆଯାଇଥିଲା। ଫଳରେ ବହୁଲୋକ ନିଜର ଜୀବନ ଜୀବିକା ହରାଇ ବସିଥିଲେ। ପ୍ରବାସୀମାନେ ତ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସହରରେ କାମ ଧନ୍ଧା ହରାଇ ସେମାନେ ଖାଇବାକୁ ବି ପାଇଲେ ନାହିଁ ଫଳରେ କିଏ ପାଦରେ ଚାଲି ଚାଲି କିଏ ସାଇକେଲରେ ହଜାର ହଜାର କିମି ଯାତ୍ରା କରି ଗାଁରେ ପହଞ୍ଚିଥିଲେ। ଏବେ ବି କରୋନାର ଡର ଯାଇନାହିଁ। କିଛି ଦେଶରେ ଏବେ ବି ଲକଡାଉନ ଜାରି ରହିଛି। ସମସ୍ତେ ଏହି ଆଶାରେ ଅଛନ୍ତି ଯେ କରୋନା ଟିକା ଆସିଗଲେ ଏହି ମହାମାରୀରୁ ମୁକ୍ତି ମିଳିଯିବ।
ଆଳୁ ପିଆଜ ଦର ବୃଦ୍ଧି: ୨୦୨୦-୨୧ ଆର୍ଥିକ ବର୍ଷର ବଜେଟରେ କେନ୍ଦ୍ର ସରକାର ଅତ୍ୟାବଶ୍ୟକ ଦ୍ରବ୍ୟରୁ ଆଳୁ ଓ ପିଆଜକୁ ବାଦ୍ ଦେଇଥିଲେ। ଯାହାପରେ ଆଳୁ ପିଆଜ ଦର ଆକାଶ ଛୁଆଁ ହୋଇଥିଲା। ଦିନକୁ ଦିନ ଏହାର ଦରରେ ଅହେତୁକ ବୃଦ୍ଧି ହେବା ଦେଖି ଖାଉଟି ଚିନ୍ତାରେ ପଡ଼ିଥିଲେ। ବିଶେଷ କରି ଗରିବ ଓ ମଧ୍ୟମ ଶ୍ରେଣୀର ପରିବାର ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆଳୁ ପିଆଜକୁ ଅତ୍ୟାବଶ୍ୟକ ସାମଗ୍ରୀରୁ ବାଦ ଦିଆଯିବା ଓ ଦରଦାମ ବୃଦ୍ଧି ସାଧାରଣ ଜନତାଙ୍କ ନିଦ ହଜାଇ ଦେଇଥିଲା। ଆଉ ତା’ପରେ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ଯେମିତି ବୋଝ ଉପରେ ନଳିତା ବିଡ଼ା ହୋଇଗଲା।

ଆମାଜନରେ ନିଆଁ: ବିଶ୍ୱର ସବୁଠାରୁ ବଡ଼ ରେନ୍ଫରେଷ୍ଟ ବ୍ରାଜିଲର ‘ଆମାଜନ୍’ରେ ନିଆଁ ଲାଗିବା ଘଟଣା ବି ଲୋକମାନଙ୍କୁ ଆତଙ୍କିତ କରିଦେଇଥିଲା। ୨୦୧୯ ଅଗଷ୍ଟରୁ ଲାଗିଥିବା ଭୟଙ୍କର ନିଆଁ ୨୦୨୦ରେ ଯେଉଁଭଳି ଭାବେ ମାଡ଼ିଚାଲିଲା, ସମ୍ପୂର୍ଣ୍ଣ ଜଙ୍ଗଲ ପାଉଁଶ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଯାହା କି ବ୍ରାଜିଲ ପାଇଁ ଚିନ୍ତାର କାରଣ ପାଲଟିଥିଲା। ବିଶ୍ୱର ମୋଟ ଅମ୍ଲଜାନର ୨୦ ପ୍ରତିଶତ ଏହି ଜଙ୍ଗଲ ଯୋଗାଉଥିବାବେଳେ ଏହାର ସବୁଜିମା ନିଆଁର ପ୍ରକୋପ ଆଗରେ ହାର ମାନି ନେଇଥିଲା। ଏହାର ଜୈବ ବିବିଧତା ମଧ୍ୟ ବହୁ ପରିମାଣରେ ନଷ୍ଟ ହୋଇଗଲା। ଲକ୍ଷ ଲକ୍ଷ ଗଠ ପୋଡ଼ି ହେବା ସହ ବହୁ ବନ୍ୟ ଜନ୍ତୁ ମଧ୍ୟ ଏହି ନିଆଁରେ ଜଳିଯାଇଥିଲେ। ଏହି ଘଟଣାରେ ପ୍ରାୟ ୫.୪ ନିୟୁତ ଏକର (୨.୨ ନିୟୁତ ହେକ୍ଟର) ଜଙ୍ଗଲ ଜଳି ପୋଡ଼ି ପାଉଁଶ ହୋଇଗଲା।

ଆମ୍ଫାନ: ୨୦୨୦ରେ ଆଉ ଏକ ଭୟାବହ ଘଟଣା ଥିଲା ବାତ୍ୟା ‘ଆମ୍ଫାନ’। ଦୀର୍ଘ ବର୍ଷ ପରେ ଗତ ମେ ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ମହାବାତ୍ୟା ଅମ୍ଫାନ ଭାରତ ସମେତ ପଡ଼ୋଶୀ ବାଂଲାଦେଶରେ ବ୍ୟାପକ କ୍ଷତି ଘଟାଇଥିଲା। ଅମ୍ଫାନ ପ୍ରଭାବରେ ସର୍ବାଧିକ କ୍ଷତି ସହିଥିଲା ପଶ୍ଚିମବଙ୍ଗ। ପଶ୍ଚିମବଙ୍ଗରେ ଆମ୍ଫାନ ଏକପ୍ରକାରର ସର୍ବନାଶ କରିଦେଇଥିଲା। ହଜାର ହଜାର ଘର ଭାଙ୍ଗି ଯାଇଥିବା ବେଳେ ଲକ୍ଷାଧିକ ବିଜୁଳି ଖୁଣ୍ଟ ନଷ୍ଟ ହୋଇଥିଲା। ବଡ଼ବଡ଼ କୋଠା ଠାରୁ ଆରମ୍ଭ କରି ପାଚେରୀ ଓ ଗଛ କେହି ବି ଅମ୍ଫାନ ତାଣ୍ଡବରୁ ରକ୍ଷା ପାଇନଥିଲେ। ସବୁଠି ଅମ୍ଫାନର ଧ୍ୱଂସବିଧ୍ୱସ୍ତ ରୂପ ଦେଖିବାକୁ ମିଳିଥିଲା।

ମହାରାଷ୍ଟ୍ରରେ ନିସର୍ଗ: ପଶ୍ଚିମବଙ୍ଗରେ ଅମ୍ଫାନ୍ ପରେ ମହାରାଷ୍ଟ୍ରରେ ବାତ୍ୟା ‘ନିସର୍ଗ’ ମଧ୍ୟ ଖୁବ ତାଣ୍ଡବ ରଚିଥିଲା। କରୋନା ଭାଇରସ୍ କବଳରେ ଫସିଥିବା ମହାରାଷ୍ଟ୍ରର ଅଧିକାଂଶ ସ୍ଥାନରେ ‘ନିସର୍ଗ’ର ତାଣ୍ଡବ ଦେଖିବାକୁ ମିଳିଥିଲା।କିଛି ସ୍ଥାନରେ ପ୍ରବଳ ପବନ ସାଙ୍ଗକୁ ବର୍ଷା ମଧ୍ୟ ହୋଇଥିଲା, ଯେଉଁଥିରେ ଅନେକ ଗଛ ଭାଙ୍ଗିଯାଇଥିଲା। ଲୋକମାନେ ବହୁ ଭୟବୀତ ଓ ଆତଙ୍କିତ ଅବସ୍ଥାରେ ଥିଲେ। ବାତ୍ୟାର ପବନରେ ବିଭିନ୍ନ ବିଲ୍ଡିଂର ଛାତ ମଧ୍ୟ ଉଡ଼ିଯିବା ସହ ଏକାଧିକ ଗାଡ଼ି ମଧ୍ୟ ଚୁରମାର୍ ହୋଇଯାଇଥିଲା। ଏହି ବାତ୍ୟାର ପ୍ରଭାବ ମୁମ୍ବାଇର ବସ୍ତି ଲୋକଙ୍କ ଉପରେ ସବୁଠାରୁ ଅଧିକ ପଡ଼ିଥିଲା।
ବେରୁଟ ବିସ୍ଫୋରଣ: ଲେବାନନର ରାଜଧାନୀ ବେରୁଟର ବନ୍ଦର ଅଞ୍ଚଳରେ ଅଗଷ୍ଟ ୪ରେ ହୋଇଥିଲା ଏକ ଭୟାନକ ବିସ୍ଫୋରଣ। ଏଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ବିସ୍ଫୋରଣର ତୀବ୍ରତା ଏତେ ଥିଲା ଯେ ଏହି ଛୋଟ ଦେଶଟିର ପ୍ରାୟ ସମସ୍ତ ଅଞ୍ଚଳକୁ ଏହାର ଶବ୍ଦ ଶୁଣାଯାଇଥିଲା। ଏପରିକି ସେଠାରୁ ପ୍ରାୟ ୨୫୦ କିଲୋମିଟର ଦୂରରେ ଥିବା ସାଇପ୍ରସ୍ର ରାଜଧାନୀ ନିକୋସିଆ ପର୍ଯ୍ୟନ୍ତ ବିସ୍ଫୋରଣ ଶବ୍ଦ ଶୁଣାଯାଇଥିଲା। ଏହି ବିସ୍ଫୋରଣ ଯୋଗୁ ବନ୍ଦର ଅଞ୍ଚଳ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ, ଆଖପାଖର ଅନେକ ବଡ଼ ବଡ଼ ଅଟ୍ଟାଳିକା, ଘରଦ୍ୱାର, ଗାଡ଼ି ମୋଟର ଓ ରାସ୍ତାଘାଟ ଆଦି ନଷ୍ଟ ହୋଇଥିଲା।

ଗୁଳିମାଡ଼ କରି ଆକାଉଣ୍ଟାଣ୍ଟଙ୍କ ପାଖରୁ ୩ଲକ୍ଷ ୨୦ହଜାର ଟଙ୍କା ଲୁଟ

ବାଲେଶ୍ବର: ବାଲେଶ୍ବର ବଣପାରିଆରେ ୧୬ନଂ ଜାତୀୟ ରାଜପଥରେ ଗୁଳିମାଡ଼ କରି ଲୁଟ୍ । ଆକାଉଣ୍ଟାଣ୍ଟଙ୍କ ନିକଟରୁ ୩ଲକ୍ଷ ୨୦ହଜାର ଟଙ୍କା ଲୁଟ୍‌ ଅଭିଯୋଗ । ୩ଜଣ ଲୁଟେରା ଏକ ମୋଟରସାଇକେଲରେ ଆସି ୨ରାଉଣ୍ଡ ଗୁଳି ଚଳାଇ ଲୁଟ କରିଥିବା ଜଣାପଡ଼ିଛି । ଲୁଟେରାଙ୍କ ଗୁଳି ମାଡ଼ରେ ଆକାଉଣ୍ଟାଣ୍ଟ ଅଶୋକ କୁମାର ଜେନା ଆହତ ହୋଇଛନ୍ତି । ତାଙ୍କ ବାମପାଦରେ ଗୁଳି ବାଜିଛି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଅଶୋକଙ୍କୁ ଉଦ୍ଧାରକରି ଡ଼ାକ୍ତରଖାନାରେ ଭର୍ତ୍ତି କରିଛି । ଅଶୋକ ବଣପାରିଆରେ ଥିବା ଏକ ଜେସିବି କମ୍ପାନୀ ସୋ’ରୁମ୍‌ରେ ଆକାଉଣ୍ଟାଣ୍ଟ ଭାବେ କାମ କରନ୍ତି । ସେ ୩ଲକ୍ଷ ୨୦ହଜାର ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ । ୩ଜଣ ଦୁର୍ବୃତ୍ତ ବାଇକରେ ଆସି ତାଙ୍କୁ ଅଟକିବାକୁ କହିଥିଲେ ।

ଅଶୋକ ନଅଟକିବାରୁ ତାଙ୍କ ଉପରକୁ ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ । ଅଶୋକ ତଳେ ପଡ଼ିଯାଇଥିଲେ । ତାଙ୍କ ନିକଟରେ ଥିବା ଟଙ୍କା ବ୍ୟାଗ୍‌କୁ ନେଇ ଲୁଟେରାମାନେ ଚମ୍ପଟ ମାରିଛନ୍ତି । ସଦର ଥାନାର ମାତ୍ର ଏକ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଛି ।

ଦିଲ୍ଲୀରେ ଗଡ଼ିଲା ଦେଶର ପ୍ରଥମ ଚାଳକବିହୀନ ମେଟ୍ରୋ… ପ୍ରଧାନମନ୍ତ୍ରୀ ଦେଖାଇଲେ ସବୁଜ ପତାକା

ନୂଆଦିଲ୍ଲୀ: ଦିଲ୍ଲୀରେ ଗଡ଼ିଲା ଚାଳକବିହୀନ ମେଟ୍ରୋ ଟ୍ରେନ୍ । ଦେଶର ପ୍ରଥମ ଚାଳକବିହୀନ ଟ୍ରେନ୍‌ ଚଳାଚଳକୁ ଭିଡିଓ କନ୍‌ଫରେନ୍ସିଂରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଉପସ୍ଥିତ ଥିଲେ । ଏହି ଅବସରରେ ମୋଦି କହିଛନ୍ତି, ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ୟମକ୍ରମେ ପ୍ରଥମେ ମେଟ୍ରୋ ଟ୍ରେନ ଚାଲିଥିଲା । ଏବେ ୧୮ଟି ସହରରେ ମେଟ୍ରୋ ଚଳାଚଳ କରୁଛି ।

୨୦୨୫ ସୁଦ୍ଧା ୨୫ ସହରରେ ମେଟ୍ରା ଟ୍ରେନ୍ ଚାଲିବା ଯୋଜନା ରହିଛି । ଦିଲ୍ଲୀ-ଏନ୍‌ସିଆର୍‌ରେ ଏହି ଚାଳକବିହୀନ ମେଟ୍ରୋ ଟ୍ରେନ ଗଡ଼ିବ । ଏହି ଟ୍ରେନ୍ ସମ୍ପୂର୍ଣ୍ଣ ଭାବେ ସ୍ବୟଂଚାଳିତ ହେବ ବୋଲି ପିଏମ୍‌ଓ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଜେଣ୍ଟା ଲାଇନ୍‌ରେ ପଶ୍ଚିମ ଜନକପୁରୀରୁ ନୋଏଡ଼ା ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ୩୭ କିଲୋମିଟର ଯାଏ ଏହି ଟ୍ରେନ୍ ଚଳାଚଳ କରିବ ।

ପରବର୍ତ୍ତୀ ସମୟରେ ୨୦୨୧ ମଧ୍ୟ ସୁଦ୍ଧା ଏହା ଆଉ ଅଧିକ ୫୬ କିଲୋମିଟର ପର୍ଯ୍ୟନ୍ତ ଗଡ଼ିବ ବୋଲି ସୂଚନା ଦେଇଛି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ । ୨୦୧୭ ସେପ୍ଟେମ୍ବରରୁ ପ୍ରଥମେ ଏହାର ଟ୍ରାଏଲ୍‌ ରନ୍ କରାଯାଇଥିଲା । ଏହି ଟ୍ରେନ୍ ୯୫ କିଲୋମିଟର ପ୍ରତି ଘଣ୍ଟା ହିସାବରେ ଗତି କରିବ । ଏହି ଟ୍ରେନରେ ବହୁ ଆଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।

ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିଲେ ମୁଖ୍ୟମନ୍ତ୍ରୀ ଓ ପ୍ରଣବ

ଭୁବନେଶ୍ୱର: ଅସୁସ୍ଥ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ପରିବାର ଲୋକଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବୁଝିବା ସହ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କ ଆଶୁଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କଲେ ମୁଖ୍ୟମନ୍ତ୍ର । ତାଙ୍କ ସହିତ ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ସଂଗଠନ) ପ୍ରଣବ ପ୍ରକାଶ ଦାସ ମଧ୍ୟ ନରସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଏବଂ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ସୂଚନା ଯୋଗ୍ୟ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  ସିବିଆଇ ଅଫିସ ନିକଟରେ ଭାଷଣ ଦେବା ବେଳେ ଅସୁସ୍ଥ ହୋଇପଡ଼ିଲେ । ଭାଷଣ ଦେବା ପରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ନରସିଂହ । ଏହା ପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ସେ ଏବେ ସୁସ୍ଥ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭାଷଣ ଦେବା ସମୟରେ ଅସୁସ୍ଥ ହୋଇପଡ଼ିଲେ ନରସିଂହ: ମେଡିକାଲରେ ଭର୍ତ୍ତି

୪ ରାଜ୍ୟରେ କରୋନା ଟିକାକରଣର ମକଡ୍ରିଲ୍… ଗ୍ରାଉଣ୍ଡ ଜିରୋରେ ଚ୍ୟାଲେଞ୍ଜ ନେଇ ଚାଲିଛି ସମୀକ୍ଷା

ନୂଆଦିଲ୍ଲୀ: ଦେଶରେ କେମିତି ହେବ ଟିକାକରଣ । ୪ ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଡ୍ରାଏ ରନ୍ । ଆନ୍ଧ୍ରପ୍ରଦେଶ, ଗୁଜରାଟ, ପଞ୍ଜାବ ଓ ଆସାମରେ ୪୮ ଘଣ୍ଟା ଧରି ମକ୍‌ଡ୍ରିଲ୍ ଚାଲିଛି । ୪ ରାଜ୍ୟର ୨ଟି ଲେଖାଏଁ ଜିଲ୍ଲାରେ ଚାଲିଛି ଡ୍ରାଏ ରନ୍‌ । ଏଥିରେ କାହାରିକୁ ଟିକା ଦିଆଯିବନାହିଁ । ତେବେ ଟିକାକରଣର ବାକି ପ୍ରକ୍ରିୟା କରାଯିବ । ଟିକାକରଣ ପରେ ରସିଦରେ ଆବଶ୍ୟକ ତଥ୍ୟ ରଖିବା, ସାମାଜିକ ଦୂରତା ରକ୍ଷା ଓ କୋଲ୍‌ଡ ଷ୍ଟୋରେଜ୍‌ର ପରୀକ୍ଷଣ କରାଯିବ ।

ଟିକାକରଣ ବେଳେ ଗ୍ରାଉଣ୍ଡ ଜିରୋରେ କେଉଁ ଚ୍ୟାଲେଞ୍ଜର ସାମନା କରିବାକୁ ପଡିବ, ତାହା ଡ୍ରାଏ ରନ୍‌ ବେଳେ ଜଣାପଡୁଛି । ପୂରା ଟିକାକରଣ ପ୍ଲାନ୍ ଉପରେ ମକ୍‌ ଡ୍ରିଲର ପ୍ରଭାବ ପଡିବ । ଲୋକଙ୍କ ଡାଟା ନିଆଯାଇ କୋ-ଓ୍ବିନ୍ ମୋବାଇଲ ଆପରେ ଅପ୍‌ଲୋଡ୍ କରାଯିବ । ସମସ୍ତ ରାଜ୍ୟରେ ଭ୍ୟାକସିନ୍ ଷ୍ଟୋରେଜ୍, ବିତରଣ ଓ ଟିକାକରଣ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

ସେପଟେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ଜରୁରିକାଳୀନ ବ୍ୟବହାର ପାଇ ଭାରତରେ ଖୁବ୍‌ଶୀଘ୍ର ମିଳିପାରେ ଅନୁମତି । ଆସନ୍ତା କିଛିଦିନ ମଧ୍ୟରେ ଏହାକୁ ଅନୁମତି ମିଳିବାର ସମ୍ଭାବନା ରହିଛି । ଜରୁରିକାଳୀନ ଅନୁମତି ପାଇଁ ସେରମ୍‌ ଇନ୍‌ଷ୍ଟିଚ୍ୟୁଟ୍ ଦେଇଥିବା ତଥ୍ୟ ସନ୍ତୋଷଜନକ ରହିଥିବା ସୂଚନା ମିଳିଛି । ଫାର୍ମା କମ୍ପାନୀ ପକ୍ଷରୁ ଟିକାର କ୍ଲିନିକାଲ୍ ଟ୍ରାଏଲ ରିପୋର୍ଟ ଦାଖଲ କରାଯାଇଛି । ତେବେ କମ୍ପାନୀ ଦେଇଥିବା ତଥ୍ୟ ଆଧାରରେ ଏହାକୁ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଜରୁରିକାଳୀନ ବ୍ୟବହାର ଲାଗି ଅନୁମତି ମିଳିବା ଆଶା ରହିଛି ।

ଚନ୍ଦ୍ରରେ ଚୀନ୍‌ କରିବ ପରିବା ଚାଷ?

ନୂଆଦିଲ୍ଲୀ:   ଗ୍ରହ ଉପଗ୍ରହକୁ ନେଇ ଜାରି ରହିଛି ନାନା ଗବେଷଣା । ଟାର୍ଗେଟରେ କେବେ ମଙ୍ଗଳ ତ କେବେ ଚନ୍ଦ୍ର । ହେଲେ କ’ଣ ଚନ୍ଦ୍ରରେ ମଣିଷ ରହିବାର ସ୍ୱପ୍ନ ସତ ହେବ? ନା ପୁସ୍ତକରେ ପଢିଥିବା ଜହ୍ନମାମୁଁ କଥା ସବୁଦିନ ପାଇଁ କାହାଣୀ ହୋଇ ରହିଯିବ? ଏମିତି ଅନେକ ପ୍ରଶ୍ନ ମଣିଷକୁ ଦ୍ୱନ୍ଦରେ ପକାଉଥିବା ବେଳେ ଚନ୍ଦ୍ରରେ ପରିବା ଚାଷ କରିବା ପାଇଁ ଅଣ୍ଟା ଭିଡ଼ିଲାଣି ଚୀନ୍? ତେବେ ଏହା ପଛର ବାସ୍ତବ କାରଣ କ’ଣ? ସତରେ କ’ଣ ଚୀନ ଏଭଳି ପଦକ୍ଷେପ ନେଇଛି?

ଚୀନ ମୁନ ମିଶନ ଦ୍ୱାରା ଜହ୍ନରୁ ନମୁନା ଆଣିବାରେ ସଫଳ ହୋଇ ସାରିଛି । କିନ୍ତୁ କ’ଣ ତା’ର ଲକ୍ଷ୍ୟ ପୂରା ହୋଇଛି? ଚନ୍ଦ୍ରରୁ ଚୀନ ଯେଉଁ ନମୁନା ଆଣିଛି ତାହାକୁ ନେଇ ଏବେ ଆରମ୍ଭ ହେବ ଗବେଷଣା । ଏହାପରେ ଖୋଲିବ ଗୋଟିଏ ପରେ ଗୋଟିଏ ରାଜ୍ । ଚନ୍ଦ୍ରରେ ମଣିଷ ରହିବା କେତେଦୂର ସମ୍ଭାବନା ରହିଛି? ସେଠାରେ ପରିବା ଚାଷ ହୋଇପାରିବ କି ନାହିଁ? ଏଭଳି ଅନେକ ପ୍ରଶ୍ନ ।

ସଫଳତାପୂର୍ବକ ପୃଥିବୀକୁ ଫେରିଛି ଚାଙ୍ଗ୍-ଇ-୫ ମିଶନ । ଚନ୍ଦ୍ରରୁ ନମୁନା ସଂଗ୍ରହ କରିପାରିଥିବା ଦେଶ ମଧ୍ୟରେ ତୃତୀୟ ସ୍ଥାନ ନେଇଛି ଚୀନ୍ । ୪୪ ବର୍ଷ ପୂର୍ବେ ଋଷ୍ ଶେଷଥର ପାଇଁ ଏହି ସଫଳତା ହାସଲ କରିଥିଲା । ତାହା ପୂର୍ବରୁ ୧୯୬୦ରେ ଆମେରିକା ସ୍ପେଶ୍ ମିଶନ ମାଧ୍ୟମରେ ଏହି ସଫଳତା ପାଇଥିଲା । ଏବେ ପ୍ରଶ୍ନ ହେଉଛି ଏହି ନମୁନାକୁ ନେଇ କ’ଣ ରହିବ ଚୀନର ଆଗାମୀ ପଦକ୍ଷେପ ।

ପୃଥିବୀର ମାଟି ଏବଂ ଚନ୍ଦ୍ର ମାଟିରେ ଅନେକ ପାର୍ଥକ୍ୟ ରହିଛି । ଗୋଟିଏ ପକ୍ଷେ ସେଥିରେ ଜୈବିକ ପୋଷକ ତତ୍ତ୍ୱର ଅଭାବ ଥିବାବେଳେ ମାଟି ମଧ୍ୟ ଶୁଖିଲା । ରିପୋର୍ଟ କହୁଛି ଚନ୍ଦ୍ରରେ ପରିବା ଚାଷ କରିବା ଭଳି ଅନୁକୂଳ ପରିବେଶ ନାହିଁ । କିନ୍ତୁ ଯେ ଏହାର ଅନ୍ୟ କୌଣସି ଉପଯୋଗ ହୋଇପାରିବ ନାହିଁ ତାହା କହିବା ଭୁଲ ହେବ । କାରଣ ଏଥିରେ ହିଲିୟନ-ଥ୍ରି’ର ମାତ୍ରା ଅଧିକ ହୋଇଥିବାରୁ ଏହାକୁ ବ୍ୟବହାର କରି ଥର୍ମୋନ୍ୟୁକ୍ଲିୟର ଜରିଆରେ ବିଦ୍ୟୁତ ଉତ୍ପାଦନ କରାଯାଇ ପାରିବ । ସବୁଠାରୁ ମଜାଦାର କଥା ହେଉଛି ଏହା ପ୍ରଥମ ଥର ନୁହେଁ ଯେତେବେଳେ ଚୀନ ଚନ୍ଦ୍ରରେ ଚାଷ କରିବା କଥା ଭାବିଛି । ଏହା ପୂର୍ବରୁ ମଧ୍ୟ ୨୦୧୯ରେ ଚାଙ୍ଗ୍-ଇ-୪ ସ୍ପେସ୍ କ୍ରାଫ୍ଟ ଚନ୍ଦ୍ରରେ ପହଞ୍ଚିଥିଲା ଏବଂ ସାଙ୍ଗରେ ନେଇଥିଲା କପା ମଞ୍ଜି । ଏହା ସହିତ ସେ ଚନ୍ଦ୍ରରେ ପୃଥିବୀ ଭଳି ବାତାବରଣ ଖୋଜିଥିଲା । ଯାହାକୁ ନେଇ ଖୁବ ଉତ୍ସାହିତ ଥିଲେ ପୃଥିବୀ ବାସିନ୍ଦା । କିନ୍ତୁ ଗୋଟିଏ ସପ୍ତାହ ପରେ ଖବର ଆସିଲାଯେ, ଚନ୍ଦ୍ରରେ ଲଗାଯାଇଥିବା ସମସ୍ତ ମଞ୍ଜି ମରି ଯାଇଥିଲା । ଚୀନର ଏହି ପ୍ରଚେଷ୍ଟା ଇତିହାସ ଲେଖିଥିଲା । ଅନ୍ୟପଟେ ନାସା ସ୍ପେସରେ ଚାଷ କରିବାର ଶ୍ରେୟ ନେଇ ସାରିଛି । ଅବଶ୍ୟ ଚନ୍ଦ୍ର ନୁହେଁ ବରଂ ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରେ ସେ ଏହି କାରନାମା କରିଛି ।

ଇଣ୍ଟରନ୍ୟାସନାଲ ସ୍ପେସ ସେଣ୍ଟରରେ ଏହି ସିଷ୍ଟମର ନାଁ ହେଉଛି ’ବେଜି’ । ଯାହା ସ୍ପେସରେ ମାଇକ୍ରୋଗ୍ରାଭିଟି ସ୍ଥିତିରେ ମହାକାଶଚାରୀଙ୍କ ପାଇଁ ତାଜା ପରିବା ଉତ୍ପାଦନ କରିବାର ସମ୍ଭାବନାକୁ ବଢାଇବାରେ ସାହାଯ୍ୟ କରିଥାଏ । ଏହି ବେଜିର ଆକାର ଏକ ସୁଟକେସ ଭଳି । ଯେଉଁଥିରେ ଛଅଟି ଚାରା ଲଗାଯାଇଛି । ଏହି ଚାରାକୁ ବଞ୍ଚାଇ ରଖିବାକୁ ଏଥିରେ ଜଳ,ପୋଷଣ ଏବଂ ବାୟୁର ବ୍ୟବସ୍ଥା କରାଯାଇଛି ।

ରିପୋର୍ଟ କହୁଛି ଚନ୍ଦ୍ରରୁ ମିଳିଥିବା ନମୁନାକୁ ତିନି ଭାଗରେ ବିଭକ୍ତ କରାଯାଇ ଭିନ୍ନ ଭିନ୍ନ ଭାବରେ ଗବେଷଣା କରାଯିବ । ଏକ ଭାଗ ବୈଜ୍ଞାନିକ ରିସର୍ଚ ପାଇଁ ବ୍ୟବହାର ହେବ, ଆଉ ଏକ ଭାଗକୁ ଶିକ୍ଷା ପାଇଁ ମ୍ୟୁଜିୟମରେ ରଖାଯିବ । ତୃତୀୟ ଭାଗ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ଯେଉଁ ଦେଶ ଗୁଡ଼ିକ ଚୀନ ସହିତ ମିଶି ଏହା ଉପରେ ରିସର୍ଚ କରୁଛନ୍ତି ସେମାନଙ୍କୁ ଦିଆଯିବ ।