spot_img
Home Blog Page 6222

ଶୁଭେନ୍ଦୁଙ୍କ ଗଳାରେ ଶାହାଙ୍କ ମାଳ, ଦିଦିଙ୍କୁ ଟିଏମସି ଟେନସନ

କୋଲକାତା: ଦିଦିଙ୍କୁ ଘାରିଛି ଟିଏମସି ଟେନସନ । କାରଣ ଖୋଦ ମମତାଙ୍କ ଗଡରେ ଏବେ ପାଦ ରଖିଛନ୍ତି ବିଜେପିର ଚାଣକ୍ୟ କୁହାଯାଉଥିବା ଗୃହମନ୍ତ୍ରୀ ଅମିତ ଶାହ । ବିଶାଳ ଚାଷୀ ସମାବେଶରେ ଯୋଗଦେବା ସହ ଟିଏମସି ଛାଡିଥିବା ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳରେ ସାମିଲ କରିଛନ୍ତି । ସେହିପରି ଟିଏମସିର ସାଂସଦ ଏବଂ ବିଧାୟକଙ୍କୁ ମଧ୍ୟ ବିଜେପିରେ ସାମିଲ କରିଛନ୍ତି ଅମିତ ଶାହା ।

ପଶ୍ଚିମବଙ୍ଗରେ ପହଁଚିବା ପରେ ପ୍ରଥମେ ରାମକୃଷ୍ଣ ମିଶନ ଯାଇ ସ୍ୱାମୀ ବିବେକାନନ୍ଦଙ୍କୁ ପୂଜା କରିଥିଲେ ଶାହା । ପରେ ଜଣେ କୃଷକଙ୍କ ଘରକୁ ଯାଇ ଭୋଜନ କରିଥିଲେ ଗୃହମନ୍ତ୍ରୀ । ଆଉ ପରେ ମଞ୍ଚରେ ଅଭିବାଦନ ଦେଇ ଦିଦିଙ୍କ ଉପରେ ଗର୍ଜିଛନ୍ତି  । ପଶ୍ଚିମବଙ୍ଗର ନିର୍ବାଚନକୁ ହାତରେ ଆଉ କେତେ ମାସ ବାକି ରହିଥିବାବେଳେ ରାଜନୀତିର ରଙ୍ଗରେ ବର୍ତ୍ତମାନ ରଙ୍ଗାୟିତ ହୋଇଛି ବଙ୍ଗଲା।

ସୋନାର ବଙ୍ଗଲାର ଭାଷଣ ଦେଉଥିବା ଦିଦି, ଏବେ ସମଗ୍ର ରାଜ୍ୟରେ ଅରାଜକତା ସୃଷ୍ଟି କରିବାରେ ସଫଳ ହୋଇଛନ୍ତି  । ପଶ୍ଚିମବଙ୍ଗକୁ କେବଳ ସୁନା କରିବାର ସାମାର୍ଥ୍ୟ ବିଜେପିର ରହିଛି  । ଆଗାମୀ ଦିନରେ ଟିଏମସିରେ କେବଳ ଦିଦି ହିଁ ଏକା ଥିବେ, ଅନ୍ୟ ସମସ୍ତ ନେତା ବିଜେପିରେ ରହିଥିବା ବୋଲି କହିଛନ୍ତି ଅମିତ ଶାହା  । ସେହିପରି ଦଳ ଛାଡି ବିଜେପିରେ ସାମିଲ ହୋଇଥିବା ଶୁଭେନ୍ଦୁ ଅଧିକାରୀ ମଧ୍ୟ ତୃଣମୂଳ କଂଗ୍ରେସକୁ ଭର୍ତ୍ସନା କରିଛନ୍ତି  । ହିଂସା, ସନ୍ଦେହ ଏବଂ ବିଶ୍ୱାସଘାତକତାରେ ମମତା ବାନାର୍ଜୀ ବୁଡି ରହିଥିବା ସେ କହିଛନ୍ତି  ।

ମମତା ବାନାର୍ଜୀଙ୍କ ଡାହାଣ ହାତ କୁହାଯାଉଥିବା ତଥା ଟିଏମସିର ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀ ଦଳ ଛାଡିବା ପରେ ଜୋର ଧରିଥିଲା ରାଜନୀତି । ସେପଟେ ଶୁଭେନ୍ଦୁଙ୍କ ଇସ୍ତଫା ପରେ ଲଗାତର ଅନେକ ବିଧାୟକ, କାଉନସିଲର, ଜିଲ୍ଲାପରିଷଦ ଅଧ୍ୟକ୍ଷ ଏବଂ ଅନେକ ସରପଞ୍ଚ ଟିଏମସିରୁ ଇସ୍ତଫା ଦେଇଥିଲେ । ଶେଷେର ଆଜି ଗୃହମନ୍ତ୍ରୀଙ୍କ ଉପସ୍ଥିତିରେ ୯ ବିଧାୟକ ଏବଂ ଅନ୍ୟାନ ନେତା ବିଜେପିରେ ସାମିଲ ହୋଇଛନ୍ତି । ମିଶନ ୨୦୦ ନାରାକୁ ଦୋହରାଇବା ସହ ଟିଏମସିକୁ ଓପାଡି ଫୋପାଡି ଦିବାକୁ କର୍ତକର୍ତ୍ତାଙ୍କୁ କହିଛନ୍ତି ଅମିତ ଶାହା  ।

ଫାଇଜର ପରେ ମୋଡେର୍ଣ୍ଣା ଟିକାକୁ ଅନୁମତି ଦେଲା ଆମେରିକା

ଓ୍ୱାସିଂଟନ୍‌: କରୋନା ଭାଇରସ୍‌ ସହ ଲଢ଼େଇରେ ଆମେରିକା ଜୋରଦାର ପ୍ରସ୍ତୁତି କରୁଛି । ଗୋଟିଏ ପରେ ଗୋଟିଏ ପାଦ ଆଗେଇ ଚାଲିଛି । ପୂର୍ବରୁ ଫାଇଜର ଭ୍ୟାକ୍ସିନ୍‌କୁ ଜରୁରୀକାଳିନ ପରିସ୍ଥିତିରେ ବ୍ୟବହାର ପାଇଁ ଅନୁମତି ମିଳିସାରିଥିବା ବେଳେ ଏବେ ଆଉ ଏକ କରୋନା ଭ୍ୟାକ୍ସିନ୍‌କୁ ଅନୁମତି ମିଳିସାରିଛି । ଶୁକ୍ରବାର ମୋଡେର୍ଣ୍ଣା ଭ୍ୟାକ୍ସିନକୁ ମଧ୍ୟ ଆମେରିକା ଜରୁରୀକାଳୀନ ବ୍ୟବହାର କରିବାକୁ ଅନୁମତି ଦେଇଛି । ଏବେ ଉଭୟ ଭ୍ୟାକ୍ସିନ୍‌ର ଫଳାଫଳ ଆସିବାକୁ ବାକି ଅଛି ।  କିନ୍ତୁ ଏବେ ସୁଦ୍ଧା ମିଳିଥିବା ରିପୋର୍ଟ ଅନୁଯାୟୀ ଉଭୟ ଟିକା ନିରାପଦ ମନେ ହେଉଛି । କରୋନା ମହାମାରୀ ଦ୍ୱାରା ଆମେରିକା ବିଶ୍ୱରେ ସର୍ବାଧିକ ପ୍ରଭାବିତ ହୋଇଥିବା ଦେଶ ।

ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନର ଅନୁମୋଦନ ପରେ ସୋମବାରଠାରୁ ମୋଡେର୍ଣ୍ଣା ଟିକା ଆରମ୍ଭ ହୋଇପାରେ । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ସହଯୋଗରେ ମୋର୍ଡେନା ଏହି ଟିକା ପ୍ରସ୍ତୁତ କରିଛି । ବିଶେଷ କଥା ହେଉଛି ଏହି ମୋର୍ଡେନା ଟିକା, ଫାଇଜର ଏବଂ ବାୟୋଏନ୍‌ଟେକ୍ ଟିକା ସହିତ ପ୍ରାୟ ସମାନ ।

ମିଳିଥିବା ସୂଚନା ଅନୁଯାୟୀ, ମୋଡେର୍ଣ୍ଣା ଟିକା ଅତ୍ୟଧିକ ଥଣ୍ଡା ତାପମାତ୍ରା ଆବଶ୍ୟକ କରେ ନାହିଁ । ଏହି କାରଣରୁ ଏହାକୁ ପରିଚାଳନା କରିବା ଫାଇଜର୍‌ ତୁଳନାରେ ସହଜ ହୋଇପାରେ । ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏଫଡିଏ ଜାଣିବାକୁ ପାଇଛି ଯେ, ମୋଡେର୍ଣ୍ଣା କୋଭିଡ-୧୯ ଟିକା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ସମସ୍ତ ବୈଧାନିକ ମାନଦଣ୍ଡ ପୂରଣ କରିଛି । ଏକ ଗଣମାଧ୍ୟମ ସଂସ୍ଥାକୁ NIH ନିର୍ଦ୍ଦେଶକ ଡକ୍ଟର ଫ୍ରାନ୍ସିସ୍ କଲିନ୍ସ କହିଛନ୍ତି ଯେ, ଉଭୟ ଟିକା ଆଶାଠାରୁ ଅଧିକ ଭଲ କାମ କରୁଛି ।

 

‘ଅବଢ଼ା’ ଯୋଜନାରେ ନିର୍ମାଣ ହେବ ଧର୍ମଶାଳା: ସ୍ୱଳ୍ପ ଖର୍ଚ୍ଚରେ ଭକ୍ତଙ୍କ ପାଇଁ ରହଣୀ ଓ ଖାଦ୍ୟ ବ୍ୟବସ୍ଥା

ପୁରୀ: ଏଣିକି ମାତ୍ର ୧୦୦ ରୁ ୧୫୦ ଟଙ୍କା ମଧ୍ୟରେ ପୁରୀରେ ରହଣୀର ସୁବିଧା ପାଇପାରିବେ ଶ୍ରଦ୍ଧାଳୁ । ଏହି ସ୍ୱଳ୍ପ ଦେୟ ମଧ୍ୟରେ ସେମାନଙ୍କ ରହଣୀ ସହ ଖାଦ୍ୟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ରାଜ୍ୟ ସରକାରଙ୍କ ‘ଅବଢ଼ା’ ଯୋଜନା ଅନୁଯାୟୀ ପୁରୀକୁ ଆସୁଥିବା ଭକ୍ତଙ୍କ ପାଇଁ ଏଭଳି ବ୍ୟବସ୍ଥା କରାଯାଉଛି । ଏ ନେଇ ୯ରୁ ୧୦ ଏକର ଜମି ମଧ୍ୟ ଚିହ୍ନଟ ହୋଇଛି, ଯେଉଁଠାରେ ଧର୍ମଶାଳାର ନିର୍ମାଣ କରାଯିବ ବୋଲି  ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର ।  ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ସୁନ୍ଦରୀକରଣ, ମଲ୍ଟିପଲ୍ ପାର୍କିଂ ବ୍ୟବସ୍ଥା, ଶ୍ରୀସେତୁ ସମେତ ଅନ୍ୟାନ୍ୟ ଉନ୍ନତୀମୂଳକ କାର୍ଯ୍ୟ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ରହଣୀର ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ମାଙ୍ଗଳିକ କାର୍ଯ୍ୟରେ କାହିଁକି ହାତରେ ବାନ୍ଧନ୍ତି ଡୋର, କେଉଁ ରାଶି ବ୍ୟକ୍ତିଙ୍କୁ ଏହା ଦେଇଥାଏ ଶୁଭଫଳ

ଜେଲ୍ ରୋଡ୍ ଓ ଜଗନ୍ନାଥ ବଲ୍ଲଭ ମଠରେ ପାର୍କିଂ କାମ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଚାରିପାଖରେ ୨୦ ମିଟର ରାସ୍ତା ନିର୍ମାଣ କରାଯିବ  । ଆସନ୍ତା ଫେବ୍ରୁଆରୀ ମାସରେ ରାସ୍ତା କାମ ଆରମ୍ଭ ହେବ  । ଅବଢ଼ା ଯୋଜନାରେ ଏହି ସବୁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି  ।

ଏଣିକି ଭୁବନେଶ୍ୱରର ରାସ୍ତାକଡ଼ରେ ରଖିପାରିବେନି ଗାଡି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରାସ୍ତାକଡ଼ରେ ଏବେ ଗାଡି ରଖିବା ମନା । ରାଜଧାନୀର ରାସ୍ତାକଡ଼ରେ ଦୁଇଚକିଆ କି ଚାରିଚକିଆ ଗାଡ଼ି ରଖିପାରିବେନି ଚାଳକ । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୂଚନା ମୁତାବକ କମିଶନରେଟ୍ ପୋଲିସ ପକ୍ଷରୁ ରାସ୍ତାକଡ଼ରେ ଗାଡ଼ି ରଖିବା ଉପରେ କଟକଣା ଲାଗୁ କରାଯାଇଛି। ଏଥିପାଇଁ ସ୍ୱତନ୍ତ୍ର ଡ୍ରାଇଭ୍‌ ମଧ୍ୟ  ଆରମ୍ଭ ହୋଇଛି । ଏସମ୍ପର୍କରେ  ଡାକବାଜି ଯନ୍ତ୍ରରେ ଲୋକଙ୍କୁ ସଚେତନ କରାଯାଉଛି।

ତେବେ ନିୟମ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାସ୍ତା କଡ଼ରେ ଥିବା ଗାଡ଼ିକୁ କ୍ରେନ୍‌ରେ ଉଠାଇ ନିଆଯିବ । ଅପରପକ୍ଷରେ ଜରିମାନା ସହ କ୍ରେନ୍‌ ବାବଦ ଖର୍ଚ୍ଚ ବି ଗାଡ଼ି ମାଲିକ ଦେବେ ବୋଲି ସୂଚନା ଦିଆଯାଇଛି ।

Ind vs Aus: ୩୬ ରନ୍‌ରେ ସୀମିତ ଭାରତ, ୮ ଓ୍ୱିକେଟରେ ମ୍ୟାଚ୍‌ ଜିତିଲା ଅଷ୍ଟ୍ରେଲିଆ

ଆଡିଲେଡ: କ୍ରିକେଟ ଇତିହାସରେ ଭାରତୀୟ ଦଳ ପାଇଁ ସବୁଠାରୁ ଲଜ୍ଜାଜନକ ଦିନ । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଦ୍ୱିତୀୟ ପାଳିରେ ମାତ୍ର ୩୬ ରନରେ ଅଲ୍ଆଉଟ୍ ହୋଇଛି ଭାରତୀୟ ଦଳ । ଟେଷ୍ଟ ମ୍ୟାଚ୍‌ରେ କୌଣସି ଦଳ ବିପକ୍ଷରେ କରାଯାଇଥିବା ସ୍କୋର ମଧ୍ୟରେ ଏହା ସବୁଠାରୁ କମ୍ । ପ୍ରଥମ ଇଂନିସରେ ଅଗ୍ରଣୀ ଥିବା ୫୩ ରନ୍ ଏବଂ ଦ୍ୱିତୀୟ ପାଳିର ୩୬ ରନ୍ ମିଶାଇଲେ ଅଷ୍ଟ୍ରେଲିଆ ଆଗରେ ବିଜୟ ଲକ୍ଷ୍ୟ ଥିଲା ୯୦ ରନ୍ । ଯାହାକୁ ଅତି ସହଜରେ ହାସଲ କରିପାରିଛି କଙ୍ଗାରୁ ଦଳ ।

ଆଡିଲେଡ୍ ଟେଷ୍ଟର ତୃତୀୟ ଦିନରେ ଟିମ୍ ଇଣ୍ଡିଆର ବ୍ୟାଟସମ୍ୟାନ୍ ଅଷ୍ଟ୍ରେଲିଆର ଘାତକ ବୋଲିଂ ଆଗରେ ଆତ୍ମସମର୍ପଣ କରିଛନ୍ତି । ଆଜି ଏମିତି ଲାଗୁଥିଲା ଯେମିତି ଭାରତୀୟ ବ୍ୟାଟସମ୍ୟାନ୍ ଜଲଦିରେ ଅଛନ୍ତି । ସେମାନେ ପ୍ୟାଭିଲିୟନରୁ ପଡିଆକୁ ଆସୁଥିଲେ ଓ ଜଣକ ପରେ ଜଣେ ପାଭିଲିୟନକୁ ଫେରି ଯାଉଥିଲେ ।  ପେଟ୍ କମିଂସ ଓ ଜୋସ ହେଜଲବୁଡ ମିଳିତ ଭାବେ ଆଜି ଟିମ୍ ଇଣ୍ଡିଆକୁ ନିଜ ବୋଲିଂରେ ନଚାଇଥିଲେ । ପ୍ରଥମ ଇନିଂସ ଆଧାରରେ ଟିମ୍ ଇଣ୍ଡିଆ ଭଲ ଲିଡ୍ ହାସଲ କରିବାକୁ ଚାହୁଁଥିଲା । ଏକ ବଡ ସ୍କୋର ଛିଡା କରି ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ପାଇଁ ସବୁ ରାସ୍ତା ବନ୍ଦ କରିବା ଲକ୍ଷ୍ୟରେ ଥିଲା ।  କିନ୍ତୁ ତୃତୀୟ ଦିନ ଖେଳ ଆରମ୍ଭ ହେବା ସହ ପେଟ୍ ଓ ହେଜଲବୁଜ୍ ଜୋଡି ଅଷ୍ଟ୍ରେଲିଆ ପାଇଁ ମୋର୍ଚ୍ଚା ସମ୍ଭାଳିଥିଲେ । ଏହା ପରେ ଜଣକ ପରେ ଜଣେ ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ । ଲାଗୁଥିଲା ଭାରତୀୟ ବ୍ୟାଟସମ୍ୟାନ୍ ଏହି ଦୁଇ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି । ଭାରତ ୯ ୱିକଟରେ ୩୬ ରନ କରି ଇନିଂସ ଡିକ୍ଲାର କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଟେଷ୍ଟ୍ କ୍ରିକେଟରେ ଭାରତର ସବୁଠାରୁ କମ ସ୍କୋରର ରେକର୍ଡ ୪୨ ରନ୍ ରହିଥିଲା । ଜୁନ୍ ୧୯୭୪ ମସିହାରେ ଭାରତ ଇଂଲଣ୍ଡ ବିରୋଧରେ ମାତ୍ର ୪୨ ରନରେ ଅଲ ଆଉଟ୍ ହୋଇଥିଲା । ସେହିଭଳି ୧୯୪୭ରେ ଭାରତ ଅଷ୍ଟ୍ରେଲିଆ ବିରୋଧରେ ପର୍ଥ ଟେଷ୍ଟରେ ୫୮ ରନରେ ଅଲ ଆଉଟ୍ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ସେମାନେ ଆସିଲେ ଓ ଗଲେ,ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ଲଜ୍ଜାଜନକ ପ୍ରଦର୍ଶନ

ଦିନକରେ ଓଡିଶାରୁ ୩୫୬ କରୋନା ପଜିଟିଭ, ୩ ମୃତ

ଭୁବନେଶ୍ୱର: ଓଡିଶାରେ କ୍ରମାଗତ ଭାବରେ ଖସିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ମାମଲା । ୨୪ ଘଣ୍ଟାରେ ୩୫୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ କ୍ବାରେଣ୍ଟାଇନରୁ ୧୯୯ ଜଣ ଚିହ୍ନଟ ହୋଇଥିବା ବେଳେ ଓ ଲୋକାଲ କେସ ରହିଛି ୧୫୭ । ଖୋର୍ଦ୍ଧାରୁ ସର୍ବାଧିକ ୪୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ସୁନ୍ଦରଗଡ଼ରୁ ୩୫, ମୟୂରଭଞ୍ଜରୁ ୨୯, ଅନୁଗୁଳରୁ ୨୯, ବାଲେଶ୍ବରରୁ ୨୬ ଓ ସମ୍ବଲପୁରରୁ ୨୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୫ ହଜାର ୮୬୧ରେ ପହଞ୍ଚିଛି । ତନ୍ମଧ୍ୟରୁ ୩ ଲକ୍ଷ ୨୦ ହଜାର ୯୪୭ ସୁସ୍ଥ ହୋଇଥିବା ବେଳେ ସକ୍ରିୟ ମାମଲା ୩ ହଜାର ୨୯ରହିଛି।

ସେହିପରି କରୋନାରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୮୩୨ରେ ପହଞ୍ଚିଛି ।

‘ଓଡ଼ିଶା ମୋ ପରିବାର’ ଉଦ୍ୟମରେ ଦିଲ୍ଲୀରୁ ଆସିଲା ସୂର୍ଯ୍ୟକାନ୍ତଙ୍କ ପାର୍ଥିବ ଶରୀର

0

ଭୁବନେଶ୍ୱର: ‘ଓଡ଼ିଶା ମୋ ପରିବାର’ ଉଦ୍ୟମରେ ଦିଲ୍ଲୀରୁ ଜଣେ ଓଡ଼ିଆଙ୍କ ପାର୍ଥିବ ଶରୀରର ପୈତୃକ ଗ୍ରାମରେ ଆସି ପହଞ୍ଚିଛି । ଜଗତସିଂହପୁର ଜିଲ୍ଲା ମୁକୁନ୍ଦପୁର ଗ୍ରାମର ସୂର୍ଯ୍ୟକାନ୍ତ ସ୍ୱାଇଁ ହୃଦରୋଗ ରେ ପୀଡ଼ିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ହେଲେ ଗତକାଲି ତାଙ୍କର ଦେହାନ୍ତ ହୋଇଥିଲା । ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇ ଆଣିବା ଲାଗି ପରିବାର ପକ୍ଷରେ ସମ୍ଭବପର ନଥିଲା ।

ଏନେଇ ସ୍ୱର୍ଗତ ସ୍ୱାଇଁଙ୍କ ଭାଇ ଦିଲ୍ଲୀ ସ୍ଥିତ ଓଡିଆ ମହାମଞ୍ଚର ମୁଖ୍ୟ ଗୋବର୍ଦ୍ଧନ ଧଳଙ୍କୁ ଜଣାଇଥିଲେ । ଏହାପରେ ମନୋଜ ନାୟକ ଓ ଓଡ଼ିଶା ମୋ ପରିବାରର ମିଳିତ ଉଦ୍ୟମରେ ତାଙ୍କ ପାର୍ଥିବ ଶରୀରକୁ ତାଙ୍କ ନିଜ ଗ୍ରାମକୁ ଅଣାଯିବା ଲାଗି ଉଦ୍ୟମ କରାଯାଇଥିଲା ।

ଆଜି ଦିନ ୧୧ଟା ସମୟରେ ଭୁବନେଶ୍ୱର ବିମାନ ବନ୍ଦରରେ ପାର୍ଥିବ ଶରୀର ପହଞ୍ଚିବା ପରେ ‘ଓଡ଼ିଶା ମୋ ପରିବାର’ର ଆବାହକ ଅରୂପ ପଟ୍ଟନାୟକ ପହଞ୍ଚି ପାର୍ଥିବ ଶରୀରରେ ପୁଷ୍ପ ଗୁଚ୍ଛ ଦେଇ ସମ୍ମାନ ଜଣାଇଥିଲେ । ଏହା ପରେ ପାର୍ଥିବ ଶରୀରକୁ ତାଙ୍କ ଜନ୍ମମାଟିକୁ ପଠାଯାଇଛି।

ଏହି ଅବସରରେ ଅରୂପ କହିଛନ୍ତି ଯେ, ଏଭଳି ଏକ ଦୁଃଖଦ ଖବର ଆମକୁ ମିଳିବା ପରେ ଓଡିଶାମୋ ପରିବାର ତରଫରୁ ପାର୍ଥିବ ଶରୀରକୁ ଫରାଇ ଆଣିବା ଲାଗି ସେମାନଙ୍କ ସହ ଆଲୋଚନା କରାଯାଇଥିଲା ।

କୋଭିଡ୍-୧୯ ଟିକା ନେଲା ପରେ ମଦ ପିଇଲେ କ’ଣ ହେବ ?

ନୂଆଦିଲ୍ଲୀ:  କୋଭିଡ୍ ୧୯ ଟିକା ନେଲା ପରେ ମଦ ପିଇଲେ କ’ଣ ହେବ ? ମଦ୍ୟପାନରେ ଅଭ୍ୟସ୍ତ ବ୍ୟକ୍ତି ଟିକା ନେଲା ପରେ ମଦ ପିଇବା ଦ୍ୱାରା ଟିକାର ପ୍ରଭାବ କମିବ କି ? ଏହି ସବୁ ପ୍ରଶ୍ନ ନିଶ୍ଚିତ ଭାବେ ଆପଣଙ୍କ ମନରେ ଉଠୁଥିବ । କେବଳ ଆପଣ ନୁହଁନ୍ତି ବାକି ବିଶ୍ୱରେ ମଧ୍ୟ ମଦ୍ୟପଙ୍କ ପାଇଁ ଏହା ମିଲିୟନ ଡଲାରର ପ୍ରଶ୍ନ ହୋଇସାରିଲାଣି । ଋଷରେ ତ’ ଟିକା ନେବା ପରେ ୪୨ ଦିନ ପାଇଁ ମଦ ନପିଇବା ପାଇଁ ଉପ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ବିରୋଧ କରାଗଲାଣି । ତେବେ ଟିକା ନେବା ପରେ ମଦ ପିଇବା ଦ୍ୱାରା କ’ଣ ଟିକାର ପ୍ରଭାବ କମିଯିବ ?

ଋଷିଆ ଏବଂ ୟୁନାଇଟେଡ୍ କିଙ୍ଗ୍‌ଡମ୍‌ ଭଳି କିଛି ଦେଶରେ କରୋନା ଭୂତାଣୁ ବିରୋଧରେ ଟିକାକରଣ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି । ଏଭଳି ସ୍ଥିତିରେ ସରକାରଙ୍କ ତରଫରୁ ଦେଶବାସୀଙ୍କୁ ଖୁବ ସଚେତନ କରାଯାଉଛି । କିନ୍ତୁ କୋଭିଡ-୧୯ ସମୟରେ ମଦ୍ୟପାନ ନକରିବା ପାଇଁ ଋଷ୍ର ଉପ-ପ୍ରଧାନମନ୍ତ୍ରୀ ତାତ୍ୟାନା ଗୋଲିକୋବା ନାଗରିକଙ୍କୁ ଚେତାବନୀ ଦେଇଛନ୍ତି । ଋଷରେ ଭ୍ୟାକସିନ ସ୍ପୁଟନିକ-ଭି ଟିକା ଅଭିଯାନରେ କୌଣସି ବ୍ୟକ୍ତିକୁ ଦୁଇଟି ଇଞ୍ଜେକ୍ସନ ଦେବାପାଇଁ ୪୨ ଦିନ ସମୟ ଲାଗୁଛି । ତେଣୁ ଏହି ୪୨ ଦିନ ମଧ୍ୟରେ ଯେପରି ଉକ୍ତ ବ୍ୟକ୍ତି ମଦ୍ୟପାନ ନକରନ୍ତି ତାହାକୁ ନେଇ ସଚେତନ କରାଯାଇଛି ।

କିନ୍ତୁ ଏହାକୁ ନେଇ ବିରୋଧ କରିବା ଆରମ୍ଭ ହୋଇ ସାରିଛି । ସ୍ପୁଟନିକ ଭ୍ୟାକସିନ ଡେଭଲପର ଡାକ୍ତର ଆଲେକଜାଣ୍ଡର ବିଣ୍ଟସବର୍ଗ ଟ୍ୱିଟ କରି ଯେଉଁ ବୟାନ ଦେଇଛନ୍ତି ତାହା ବିବାଦ ସୃଷ୍ଟି କରିଛି । ଏକ ଗ୍ଲାସ ସ୍ୟାମ୍ପେନ ପିଇବାରେ କୌଣସି କ୍ଷତି ପହଞ୍ଚିବ ନାହିଁ ବୋଲି ସେ ଟ୍ୱିଟର ମାଧ୍ୟମରେ ଜଣାଇଛନ୍ତି । ଏଭଳି ବୟାନରେ ଖପା ହୋଇ ଯାଇଛନ୍ତି ଋଷ୍ର କଂଜ୍ୟୁମର ସେଫ୍ଟୀ ବ୍ରାଂଚ ମୁଖ୍ୟ ତଥା ଡେପୁଟି ପିଏମ । ଏହାକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି ।

ହଙ୍ଗମା ଆରମ୍ଭ ହେବାରୁ ଡାକ୍ତର ବିଣ୍ଟସବର୍ଗ ମୁହଁ ଖୋଲିଛନ୍ତି । ଭ୍ୟାକସିନର ଦୁଇ ଇଞ୍ଜେକ୍ସନ ଦିଆଯିବାର ତିନି ଦିନ ପୂର୍ବରୁ ଏବଂ ତିନି ଦିନ ପରେ ଆଲକହଲ ନେବାରୁ ବଞ୍ଚିତ ହେବା ଉଚିତ୍ ବୋଲି ସେ କହିଛନ୍ତି। ଏହା ସହିତ ଏହାକୁ ନେଇ କୌଣସି ପ୍ରକାରର ଦ୍ୱନ୍ଦ ନରହିବା ଉଚିତ୍ ବୋଲି ସେ ବୟାନରେ ଉଲ୍ଲେଖ କରିଛନ୍ତି । ୟୁକେରେ ଫାଇଜର କମ୍ପାନୀର ଭ୍ୟାକସିନ ଲୋକଙ୍କୁ ଦେବାର କାର୍ଯ୍ୟକ୍ରମ ଆରମ୍ଭ ହୋଇ ସାରିଛି । ଯଦି ଖବରକୁ ନଜର ପକାଇବା ତେବେ ଭ୍ୟାକସିନ ନେବା ସମୟରେ ମଦ୍ୟପାନରୁ ବଞ୍ଚିତ ହେବା କଥାକୁ ନେଇ ଡେଭଲପରଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ରିପୋର୍ଟ କହୁଛି ଅକ୍ସଫୋର୍ଡ଼ ୟୁନିଭର୍ସିଟି ଏବଂ ଆଷ୍ଟ୍ରୋଜେନେକା ଯେଉଁ ଭ୍ୟାକସିନ ଡେଭଲପ କରିଛନ୍ତି, ତାହା ସହିତ ଜଡ଼ିତ ବିଶେଷଜ୍ଞ କହିଛନ୍ତିଯେ, ଭ୍ୟାକ୍ସିନେସନ ସମୟରେ ମଦ୍ୟପାନ ନକରିବାକୁ ନେଇ କୌଣସି ନିର୍ଦ୍ଦେଶ ଦିଆଯାଇନାହିଁ ।

ତେବେ କ’ଣ ଭ୍ୟାକ୍ସନେସନ ସମୟରେ ମଦ୍ୟପାନ କରିବା ଦ୍ୱାରା କୌଣସି ପ୍ରଭାବ ପଡ଼ିବ ନାହିଁ ?

ରିସର୍ଚ କହୁଛି ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି ଅନ୍ୟ ମାନଙ୍କ ଅପେକ୍ଷା କମ୍ ଥାଏ । ସ୍ୱିଡେନରେ ୨୦୧୨ରେ ହୋଇଥିବା ଏକ ଗବେଷଣାରେ କୁହାଯାଇଛିଯେ, ୩୦ ମିଲିଲିଟର ଆଲକହଲ ନେବାଦ୍ୱାରା ଶରୀରକୁ କୌଣସି ପ୍ରକାରର ପ୍ରଭାବ ପଡ଼ିନଥାଏ । କିନ୍ତୁ ନିକଟରେ ସ୍ପୁଟନିକ ଦ୍ୱାରା ହୋଇଥିବା ଟିକାକରଣରେ ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ଏହି ତଥ୍ୟ ସହିତ ଜଡ଼ିତ । ଏଥିରୁ ଜଣାପଡ଼ିଛିଯେ ଆଲକହଲ ନେଇଥିବା ୧୦ ପ୍ରତିଶତ ଲୋକଙ୍କ ଉପରେ ଭ୍ୟାକସିନର କୌଣସି ପ୍ରଭାବ ପଡ଼ିନାହିଁ । ତେଣୁ କହିପାରିବାଯେ, ଆଲକହଲ ନେବାଦ୍ୱାରା ରୋଗପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡ଼ିଥାଏ ।

ଋଷରେ ଭ୍ୟାକସିନକୁ ନେଇ ଯେପରି ଚେତାବନୀ ଦିଆଯାଇଛି, ତାହାକୁ ନେଇ ଚାଂଚଲ୍ୟ ସୃଷ୍ଟି ହୋଇଛି । ଏହାଦ୍ୱାରା ଅଧିକ ସଂଖ୍ୟାରେ ଲୋକ ନାରାଜ ଅଛନ୍ତି ।

ଭିଜିଲାନ୍ସ ଜାଲରେ ଉତ୍କଳ ବିଶ୍ୱବିଦ୍ୟାଳୟର ଡିଡିସିଇ କର୍ମଚାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଫସିଛନ୍ତି ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଡିଡିସିଇ କର୍ମଚାରୀ । ଏକକାଳୀନ ତାଙ୍କର ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ ।

ସମ୍ପୃକ୍ତ ଅଧିକାରୀଙ୍କ ନାମ ଅଶୋକ ମିଶ୍ର ବୋଲି ଜଣାପଡିଛି ।

ସୂଚନା ମୁତାବକ ଘର ତଲାସୀ ପାଇଁ ଅନୁମତି ଦେଇଛନ୍ତି ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ । ଅଶୋକଙ୍କ ଅଫିସ ଓ ସରକାରୀ ବାସଭବନରେ ଭିଜିଲାନ୍ସ ରେଡ୍ ଚାଲିଛି। ରସୁଲଗଡ଼ ପାଣ୍ଡରା ଓ ପଟିଆ ପ୍ରଶାନ୍ତି ବିହାରରେ ଚଢ଼ାଉ ଚାଲିଥିବା ବେଳେ ପୈତୃକ ଘର ଦୁର୍ଗାପୁର ରାମେଶ୍ୱରରେ ମଧ୍ୟ ଚାଲିଛି ରେଡ୍ । ଭୁବନେଶ୍ବର ଉପକଣ୍ଠ କଳିଙ୍ଗ ବିହାରରେ ଘର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ୨୦୧୭-୧୮ରେ ଘର ନିର୍ମାଣ ହୋଇ ଭଡ଼ାରେ ଲାଗିଛି ।

ତେବେ ଚଢ଼ାଉ ବେଳେ ଭିଜିଲାନ୍ସ ଅଧିକାରୀ ମାନେ ୩ ଲକ୍ଷ ୫୫ ହଜାର ଟଙ୍କା ଜବତ କରିଥିବା ଜଣାପଡିଛି ।

ଏଣିକି ଓଡ଼ିଆରେ ହେବ ଜେଇଇ ପରୀକ୍ଷା; ଟ୍ୱିଟ୍ କରି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ଛାତ୍ରଛାତ୍ରୀଙ୍କ ଲାଗି ଓଡିଆ ଭାଷାରେ ହେବ ଜେଇଇ ପରୀକ୍ଷା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ତାଙ୍କ ଟ୍ୱିଟରେ ସେ ଉଲ୍ଲେଖ କରିଛନ୍ତି ଯେ, ଚଳିତ ବର୍ଷଠାରୁ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ବିଭିନ୍ନ ଭାରତୀୟ ଭାଷା ସମେତ ଓଡ଼ିଆ ଭାଷାରେ ମଧ୍ୟ ଉପଲବ୍ଧ ହେବ। ରାଜ୍ୟର ଛାତ୍ରଛାତ୍ରୀଙ୍କ ହିତକୁ ଅଗ୍ରାଧିକାର ଦେଇ ଜେଇଇ ପରୀକ୍ଷା ଓଡ଼ିଆ ଭାଷାରେ କରାଇବାକୁ ରାଜ୍ୟ ସରକାର କରିଥିବା ଅନୁରୋଧରେ ଡିଜି ଏନଟିଏ ସହମତି ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ଗତ ଡିସେମ୍ବର ୧୬ ତାରିଖରେ ଜେଇଇ ପରୀକ୍ଷା ଅନୁଷ୍ଠିତ ହେବା ନେଇସୂଚନା ଦେଇଥିଲେ ।  ଆସନ୍ତା ୨୩ ତାରିଖରୁ ୨୬ ତାରିଖ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଜେଇଇ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ମୋଟ ୧୩ଟି ଭାଷାରେ ଅନୁଷ୍ଠିତ ହେବ । ଏହି ଭାଷା ଗୁଡ଼ିକ ମଧ୍ୟରେ ଇଂରାଜୀ, ହିନ୍ଦୀ, ଓଡ଼ିଆ ଆସାମୀ, ବଙ୍ଗାଳୀ, ଗୁଜୁରାଟି, କନ୍ନଡ, ମରାଠୀ, ମାଲାୟଲମ୍, ପଞ୍ଜାବୀ, ତାମିଲ, ତେଲୁଗୁ ଏବଂ ଊର୍ଦ୍ଧ୍ୱୁ ଭାଷା ରହିଛି ।

ଏହା ସହିତ ଫେବ୍ରୁଆରୀ ପରେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସରେ ପର୍ଯ୍ୟାୟକ୍ରମେ ପରୀକ୍ଷା ହେବ ଓ ଛାତ୍ରଛାତ୍ରୀମାନେ ନିଜ ସୁବିଧା ଅନୁସାରେ ପରୀକ୍ଷାରେ ସାମିଲ ହୋଇ ପାରିବେ । ପ୍ରଶ୍ନପତ୍ରରେ ୯୦ ଟି ପ୍ରଶ୍ନ ରହିବ, ଯେଉଁଥିରେ  କେବଳ ୭୫ ଟି ପ୍ରଶ୍ନର ସମାଧାନ କରିବାକୁ ପଡ଼ିବ। ୧୫ଟି ବୈକଳ୍ପିକ ପ୍ରଶ୍ନ ରହିବ । ବିକଳ୍ପ ପ୍ରଶ୍ନଗୁଡ଼ିକରେ ନକାରାତ୍ମକ ମାର୍କିଂ ରହିବ ନାହିଁ । ସମସ୍ତ ଚାରିଟି ପର୍ଯ୍ୟାୟରେ ଅନୁଷ୍ଠିତ ପରୀକ୍ଷାରେ  ସର୍ବୋତ୍ତମ ସ୍କୋର ଆଧାରରେ ମେରିଟ୍ ତାଲିକା ପ୍ରସ୍ତୁତ କରାଯିବ ।