spot_img
Home Blog Page 6392

ହାଜତ ମୃତ୍ୟୁ ଘଟଣାରେ ବୀରମିତ୍ରପୁର ଆଇଆଇସି ନିଲମ୍ବିତ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ଘଟଣା । ନିଲମ୍ବନ ହେଲେ ବୀରମିତ୍ରପୁର ଥାନା ଅଧିକାରୀ । ବୀରମିତ୍ରପୁର ଥାନା ଅଧିକାରୀ ସ୍ମୃତିପ୍ରଭା ପ୍ରଧାନ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଓ ଦୁର୍ବ୍ୟବହାର ଅଭିଯୋଗରେ ନିଲମ୍ବନ । ନିଲମ୍ବନ କଲେ ପୋଲିସ ଡିଜି ଅଭୟ ।  NHRC ଗାଇଡଲାଇନ ଅନୁସାରେ ଜଣେ ଡିଏସ୍‌ପି ପାହ୍ୟାର ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ତଦନ୍ତ ପରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁନ୍ଦରଗଡ଼ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନାରେ ପୋଲିସ ହେପାଜତରେ ଯୁବକଙ୍କ ମୃତ୍ୟୁ ନେଇ ଗତକାଲି ଉତ୍ତେଜନା ଦେଖାଦେଇଥିଲା। ମୃତ ଯୁବକ ଵୀରମିତ୍ରପୁର ଅଞ୍ଚଳର ମହମ୍ମଦ ତାରିକ୍‌ । କ୍ରାଇମ ସ୍ପଟ୍‌ ତଦନ୍ତ ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ ତାରିକ । ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ କୁଆଁରମୁଣ୍ଡା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୁନ୍ଦରଗଡ଼ ଏସ୍‌ପି କହିଥିଲେ ।

ହାଜତ ମୃତ୍ୟୁ ମାମଲାରେ ବଦଳିଲେ ପୁରୀ ଏସ୍‌ପି…

ପୁରୀ: ପୁରୀ ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ ମାମଲା । ବଦଳିଲେ ପୁରୀ ଏସ୍‌ପି ଅଖିଳେଶ୍ୱର ସିଂ । ପୋଲିସ ମୁଖ୍ୟାଳୟକୁ ଅଖିଳେଶ୍ୱର ସିଂଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ସମ୍ବଲପୁର ଏସ୍‌ପି କେ. ବିଶାଲ ସିଂଙ୍କୁ ମିଳିଲା ପୁରୀ ଦାୟିତ୍ୱ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏସପିଙ୍କ ସମେତ ବାସେଳିସାହି ଥାନାର ୩ କର୍ମଚାରୀ । ଜଣେ ଏସ୍‌ଆଇଙ୍କ ସମେତ ୨ ପୋଲିସ କର୍ମଚାରୀ ନିଲମ୍ବିତ । ବାସେଳିସାହି ଏସ୍‌ଆଇ ବିପ୍ଳବ ପ୍ରଧାନ, କନଷ୍ଟବଳ ବାବୁଲି ପ୍ରଧାନ ଏବଂ ଜଗନ୍ନାଥ ସ୍ୱାଇଁ ନିଲମ୍ବିତ ।

ସେପଟେ ମୃତକ କେ. ରମେଶଙ୍କ ଘରେ ଜାତୀୟ ମାନବାଧିକାର କମିଶନଙ୍କ ତଦନ୍ତ ଆରମ୍ଭ ହୋଇଛି । କ’ଣ ପାଇଁ ଏଭଳି ଘଟଣା ଘଟିଲା, ଘଟଣା ପଛର ପ୍ରକୃତ କାରଣ କ’ଣ, ସେ ନେଇ କମିଶନ ତଦନ୍ତ ଆରମ୍ଭ କିରଛି  । NHRCର ତିନି ଜଣିଆ ଦଳ ଆଜି ମୃତକଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା କରିଛନ୍ତି । ଖୁବ୍‌ଶୀଘ୍ର ନ୍ୟାୟ ମିଳିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ମାନବାଧିକାର ଆବାହାକ ପ୍ରାନ୍ତସିନୀ ଜେନା । ଗତକାଲି ମଧ୍ୟ ଆଇଜି ଇନଚାର୍ଜ ପ୍ରବୀଣ କୁମାର ତଦନ୍ତ କରିଥିଲେ ।

ଗରିବଙ୍କ ଗୁହାରି ଶୁଣିବା ପାଇଁ ଅପହଞ୍ଚ ଇଲାକାର ୩ କି:ମି ପାହାଡ଼ ଚଢିଲେ ଉପ-ଜିଲ୍ଲାପାଳ

ରାୟଗଡ଼ା: ଅନ୍ଧାରି ମୁଲକରେ ଭୋକର ଭୂଗୋଳ ପଢ଼ିବାକୁ ପହଞ୍ଚିଥିଲେ ଉପ-ଜିଲ୍ଲାପାଳ । ନା ପାଖରେ ଥିଲା ସରକାରୀ ଗାଡ଼ି ନା ଥିଲା ମୋଟର ସାଇକେଲ । ଜଙ୍ଗଲୀ ଖାଲଖମା ରାସ୍ତା ଦେଇ ପହଞ୍ଚିଥିଲେ ଅପହଞ୍ଚ ଇଲାକାରେ । ନିରୀହ ଆଦିବାସୀଙ୍କ ମନର କଥାକୁ ପଚାରି ବୁଝିଥିଲେ ଉପଜିଲ୍ଲାପାଳ ।

ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ଅଧିନସ୍ଥ ଦୁର୍ଗମ ଆଦିବାସୀ ଅଧୁସିତ ଅଞ୍ଚଳ ରଘୁବାରି ଘାଟିର ଡ଼ିମିରିଗୁଡା ପଞ୍ଚାୟତର ଅପହଞ୍ଚ ଚାରିଟି ଗାଁ । କେସୁର ଓ ଉଚେପାରୁ, ପାଟଣା, ପୋଏଲଝରନ ଗାଁର ସମସ୍ୟା ବୁଝିବା ପାଇଁ ତିନି କିଲୋମିଟର ପାହାଡ଼ ପର୍ବତ ଘେରା ଅଙ୍କା ବଙ୍କା ରାସ୍ତାରେ ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚିଲେ ଗୁଣୁପୁର ଉପ-ଜିଲ୍ଲାପାଳ ସୋନାଲ ଜେନା ।

ତାଙ୍କ ସାଥିରେ ଥିଲେ ମୁନିଗୁଡ଼ା ବ୍ଲକର ବିଡ଼ିଓ ଦିଲ୍ଲୀପ କୁମାର ବେହେରା, ମୁନିଗୁଡ଼ା ତହସିଲଦାର ଦେବାଶିଷ ଗୌଡ଼, ମୁନିଗୁଡ଼ା ବନଖଣ୍ଡ ଅଧିକାରୀ ପ୍ରସନ୍ନ କୁମାର ମିଶ୍ର, ବ୍ଲକର ସମସ୍ତ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । ଦୁଇଟି ଗାଁରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ମୌଳିକ ସମସ୍ୟା ପଚାରି ବୁଝିଥିଲେ ।

ମୁଖ୍ୟ ସମସ୍ୟା ଗମନା ଗମନ ପାଇଁ ରାସ୍ତା ଖଣ୍ଡିଏ ନଥିବା ଯୋଗୁଁ ଅନେକ ସମସ୍ୟାର ସମ୍ମୁଖୀନ ହେବାସହ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ପରି ମୌଳିକ ଅଧିକାରରୁ ବଞ୍ଚିତ ହେଉଥିବା ବିଷୟ ଉପ- ଜିଲ୍ଲାପାଳ ଜେନାଙ୍କୁ ଗ୍ରାମବାସୀ ଅବଗତ କରାଇଥିଲେ ।

ଉପ-ଜିଲ୍ଲାପାଳ ଗାଁରେ ଲାଗିରହିଥିବା ପାନୀୟ ଜଳ ସମସ୍ୟାକୁ ପ୍ରାଥମିକତା ଦେଇ କିପରି ସେମାନଙ୍କୁ ସୁଦ୍ଧ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ହେବ ସେନେଇ RWSSର ଯନ୍ତ୍ରୀକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଦିନ ଗୁଡ଼ିକରେ ଗ୍ରାମବାସୀଙ୍କ ସମସ୍ତ ସମସ୍ୟାର ସମାଧାନ ପାଇଁ ସମସ୍ତ ପଦକ୍ଷେପ ନିଆଯିବ ବୋଲି ଉପ-ଜିଲ୍ଲାପାଳ ଗ୍ରାମବାସୀଙ୍କୁ ଆଶ୍ୱାସନା ଦେଇଥିଲେ ।

ରାଜ୍ୟରେ ବନ୍ଦ ହୋଇପାରେ ପ୍ରାୟ ୧୪ ହଜାର ସରକାରୀ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ ବନ୍ଦ ହୋଇପାରେ ପ୍ରାୟ ୧୪ ହଜାର ସରକାରୀ ବିଦ୍ୟାଳୟ । ୪୦ରୁ କମ୍ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡ଼ିକ ବନ୍ଦ କରିବା ଉପରେ ବିଚାର କରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ଏଭଳି ନିଷ୍ପତ୍ତିକୁ ବିରୋଧ କରି ରାଜ୍ୟ ଅଭିଭାବକ ମହାସଂଘର ସର୍ବଦଳୀୟ ବୈଠକ ବସିଥିଲା । ଯେଉଁଥିରେ ତିନି ଦଳର ବିଧାୟକମାନେ ଉପସ୍ଥିତ ରହି ଏହା ଉପରେ ଆଲୋଚନା କରିଥିଲେ ।

ସରକାରୀ ସ୍କୁଲ ଗୁଡ଼ିକ ନିକଟରେ ଥିବା ବେଆଇନ ବେସରକାରୀ ବିଦ୍ୟାଳୟକୁ ବନ୍ଦ କରିବା ପରିବର୍ତେ ସରକାରୀ ବିଦ୍ୟାଳୟକୁ ବନ୍ଦ କରିବା ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ନିଷ୍ପତ୍ତି ପ୍ରତ୍ୟାହାର ନହେଲେ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛି ସଂଘ । ତେବେ ଆବଶ୍ୟକ ପଡ଼ିଲେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ାଯିବ ବୋଲି କହିଛନ୍ତି ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର ।

ବଢି ଚାଲିଛି ଜୟ-ଜଗିଙ୍କ ଅଡୁଆ, ତଦନ୍ତକାରୀ ସଂସ୍ଥା ଯେବେ ଚାହିଁବେ, ସେବେ କରିପାରିବେ ଗିରଫ

ଭୁବନେଶ୍ୱର   କଣ୍ଟ ପୂରି ଆସୁଛି  । ପାପର ପେଡି ଖୋଲି ଚାଲିଛି । ଆଇନ ଆଖିରୁ ଆଉ ଖସି ହେବନି । ପୂରା ଫସିବେ ଜଗି ଓ ଜୟ ପଣ୍ଡା । ହଟିଲା ହାଇକୋର୍ଟ କବଚ । ସାରୁଅ ଜମି କେଳେଙ୍କାରୀ ମାମଲାରେ ଓଡ଼ିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡରର ମାଲିକ ଓ ମାଲିକାଣୀଙ୍କୁ ସୁରକ୍ଷା ଦେବାକୁ ହାଇକୋର୍ଟ ରୋକଠୋକ୍ ମନା କରିଦେଇଛନ୍ତି । ଫଳରେ ମୁଖ୍ୟ ଅଭିଯୁକ୍ତ ପଣ୍ଡା ଦମ୍ପତ୍ତିଙ୍କ ଗିରଫ ପାଇଁ ବାଟ ଫିଟିଛି  । କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ସେମାନଙ୍କୁ ଚାହିଁଲେ ଏବେ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରିବେ । ମାମଲାକୁ ରଦ୍ଦ କରିବା ଏବଂ ଅନ୍ତରୀଣ ସୁରକ୍ଷା ସମୟ ବଢ଼ାଇବାକୁ ଜଗି ଓ ଜୟଙ୍କ ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି ।

ଯେ କୌଣସି ମୁହୂର୍ତ୍ତରେ ବନ୍ଧା ହୋଇପାରନ୍ତି ବୈଜୟନ୍ତ ଓ ଜଗି ମଙ୍ଗତ ପଣ୍ଡା  । ଜେଲ ହାଜତ ଭିତରେ କଟିପାରେ ଦିନ  । ସାରୁଅ ଜମି ଜାଲିଆତି ମାମଲା ରଦ୍ଦ କରିବା ଆବେଦନ ଖାରଜ ପରେ ସୃଷ୍ଟି ହୋଇଛି ଏପରି ଆଶଙ୍କା । ଏପରିକି ଏ ମାମଲାରେ ଅନ୍ତରୀଣ ସୁରକ୍ଷା ଦେବାକୁ ମଧ୍ୟ ମନା କରିଦେଇଛନ୍ତି କୋର୍ଟ  । ଖାରଜ କରି କୋର୍ଟ କହିଛନ୍ତି, ବର୍ତ୍ତମାନର ତଦନ୍ତ ସ୍ଥିତିରେ ମାମଲାରେ ହସ୍ତକ୍ଷେପ କରାଯାଇପାରିବନି  । ଏ ନେଇ କୋର୍ଟରେ ଅଭିଯୋଗକାରୀ ରବୀନ୍ଦ୍ର ସେଠୀଙ୍କ ଓକିଲ ଯୁକ୍ତି ବାଢିଥିଲେ ଯେ, କୋର୍ଟରୁ ଅନ୍ତରୀଣ ସୁରକ୍ଷା ନେଇ ଜଗି ଓ ଜୟ ତଦନ୍ତରେ ସହଯୋଗ କରୁନାହାଁନ୍ତି  । ତେଣୁ ତାଙ୍କ ଆଗୁଆ ଜାମିନକୁ ନାକଚ କରାଯାଉ ବୋଲି କୋର୍ଟଙ୍କୁ ଗୁହାରୀ କରିବା ପରେ କୋର୍ଟ ଅନ୍ତରୀଣ ସୁରକ୍ଷାକୁ ହଟାଇ ଦେଇଛନ୍ତି ।

Illegal Boundary Constructed By OTV In Sarua Demolished By Khordha Dist Administration

ଗତ ୧୩ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରଖିତ ରଖିଥିଲେ । ହାଇକୋର୍ଟଙ୍କ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ଜଗି ଓ ଜୟ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିଥିବା ହାଇକୋର୍ଟ କହିଥିଲେ । ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ପକ୍ଷରୁ ପୂର୍ବତନ ନିର୍ଦ୍ଦେଶକ ମନୋରଞ୍ଜନ ଷଡ଼ଙ୍ଗୀ ଏହି ମୂଳ ମାମଲା ଦାୟର କରିଥିବା ବେଳେ ମାମଲାକୁ ପ୍ରତ୍ୟାହାର କରି ନେବାକୁ ହାଇକୋର୍ଟରେ ସେ ଆବେଦନ କରିଥିଲେ । ଗତ ୫ ତାରିଖରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବୈଜୟନ୍ତ ଓ ଜଗିଙ୍କୁ ପ୍ରଥମେ ନଭେମ୍ବର ୧୨ ଓ ପରେ ଶୁଣାଣି କରି ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ  ଗିରଫ କରାଯାଇ ପାରିବ ନାହିଁ ବୋଲି ରବିନ୍ଦ୍ର ସେଠୀଙ୍କ ଓକିଲ ସୌମ୍ୟ ରଞ୍ଜନ ମହାନ୍ତି କହିଛନ୍ତି ।

ସେହିଭଳି ଓଆଇପିଏଲ ଅନ୍ୟତମ ନିର୍ଦ୍ଦେଶକ ନିହାର ଭୂୟାଁଙ୍କ ମୂଳ ମାମାଲାକୁ ରଦ୍ଦ କରିବା ପାଇଁ ଆବେଦନ କରିଛନ୍ତି  । ଯାହାର ଶୁଣାଣି ସୋମବାର ଦିନ ହାଇକୋର୍ଟରେ ହେବ  ।  ଗିରଫ ପରେ ଓଆଇପିଏଲରୁ ଇସ୍ତଫା ଦେଇ ଜେଲରେ ଥିବା ବରିଷ୍ଠ କାର୍ଯ୍ୟନିର୍ବାହୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ଜାମିନ ଆବେଦନ କରିଛନ୍ତି  ।

ଅପରପକ୍ଷରେ  ଓଟିଭି ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କୁ ମୋହରା କରି ଜଗି ଓ ଜୟ ପଣ୍ଡା ଦଳିତଙ୍କ ଜମିକୁ ହାତେଇଥିବା ଅଭିଯୋଗ କରିଥିଲେ ଖୋଦ ରବି ସେଠୀ  । ୨୦୧୦ ରୁ ୨୦୧୩ ମସିହା ମଧ୍ୟରେ ରବୀନ୍ଦ୍ର ସେଠୀଙ୍କ ନାଁରେ ୨୦ ଲକ୍ଷ ଟଙ୍କାର ଦଳିତଙ୍କ ଜମି କିଣାଯାଇଥିଲା । ଚାକିରି ଚାଲିଯିବାର ଧମକ ଦିଆଯାଇ ତାଙ୍କଠାରୁ କେବଳ ଦସ୍ତଖତ ନିଆଯାଇ ଜମି କିଣାଯାଇଥିଲା ବୋଲି ରବୀନ୍ଦ୍ର ସ୍ବୀକାର କରି ଗଣମାଧ୍ୟମରେ ବିସ୍ଫୋରକ ବୟାନ ଦେଇସାରିଛନ୍ତି । ସାରୁଅ ଜମି ହାତେଇବାରେ ଓଆଇପିଏଲ ପକ୍ଷରୁ ମାମଲତିକାର ସାଜିଥିଲେ ସଂସ୍ଥାର ନିର୍ଦ୍ଦେଶକ ବିଭୁ ରଥ, ମନୋରଂଜନ ଷଡ଼ଙ୍ଗୀ, ନିହାର ଭୂୟାଁ । ଶିବ ଶ୍ରୀଚନ୍ଦନଙ୍କ ଭଳି କମ୍ପାନୀର ଏଜେଣ୍ଟମାନଙ୍କ ଜରିଆରେ ଦଳିତଙ୍କ ଜମି ହାତେଇବାର ଷଡ଼ଯନ୍ତ୍ର କାର୍ଯ୍ୟକାରୀ କରାଯାଇଥିଲା । ଇତିମଧ୍ୟରେ ମନୋରଂଜନ ଷଡ଼ଙ୍ଗୀ ଗିରଫ ହୋଇ ଜାମିନ୍ ପାଇଥିଲା ବେଳେ ବିଭୁ ରଥଙ୍କୁ କ୍ରାଇବ୍ରାଞ୍ଚ ଇଓଡବ୍ଲୁ ଦୁଇ ଦୁଇ ଥର ଓ ନିହାର ଭୂୟାଙ୍କୁ ଥରେ ଜେରା କରି ସାରିଛି । ଅନ୍ୟପଟେ ସାରୁଅରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ୨୦ ଦିନରେ ପହଞ୍ଚିଥିବାବେଳେ ଓଟିଭି କର୍ତ୍ତୃପକ୍ଷ ତଥାପି ବେଖାତିର କରିଚାଲିଛନ୍ତି  ।

ଆଇଏଏସ୍ ଟପ୍ପର ଟିନା ଡାବି ଏବଂ ତାଙ୍କ ସ୍ୱାମୀ ଅତହର ଆମୀରଙ୍କ ଜୟପୁରର ଫ୍ୟାମିଲି କୋର୍ଟରେ ଛାଡ଼ପତ୍ର ଆବେଦନ

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷାର ଶୀର୍ଷରେ ଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି । ଟିନା ଡାବି ତାଙ୍କ ବ୍ୟାଚର ଆଇଏଏସ୍ ଆମୀରଙ୍କୁ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଯୁବ ଆଇଏଏସ୍ ଦମ୍ପତି ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଛନ୍ତି । ଆଇଏଏସ୍ ଟପ୍ପର ଟିନା ଡାବି ଏବଂ ତାଙ୍କ ସ୍ୱାମୀ ଅତହର ଆମୀର ଜୟପୁରର ଫ୍ୟାମିଲି କୋର୍ଟ -୧ ରେ ଛାଡ଼ପତ୍ର ଆବେଦନ କରିଛନ୍ତି ।

ଆବେଦନରେ କୁହାଯାଇଛି ଯେ ସେମାନେ ଆଗକୁ ଏକାଠି ରହିପାରିବେ ନାହିଁ । ଏପରି ପରିସ୍ଥିତିରେ କୋର୍ଟ ଆମ ବିବାହକୁ ଶୂନ୍ୟ ଘୋଷଣା କରିବା ଉଚିତ୍ । ଏହା ଜଣା ଯେ ଉଭୟ ୨୦୧୬ ବ୍ୟାଚର ଆଇଏଏସ୍ ଅଧିକାରୀ । ଟିନା ଯୁଗ୍ମ ସଚିବ ଏବଂ ଆମୀର ସିଇଓ ଇଜିଏସ୍ ଭାବରେ ଅର୍ଥ ବିଭାଗରେ କାର୍ଯ୍ୟ କରୁଛନ୍ତି । ୨୦୧୮ ରେ ଏହି ଦୁଇ ଯୁବ ଆଇଏଏସ୍‌ଙ୍କ ବିବାହ ବହୁତ ଲୋକପ୍ରିୟ ଥିଲା ।

ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷା ୨୦୧୫ ର ଶୀର୍ଷରେ ଥିବା ଟିନା ଏପ୍ରିଲ ୨୦୧୮ ରେ ଅତାହରଙ୍କୁ ବିବାହ କରିଥିଲେ । କାଶ୍ମୀରର ଅତାହର ୟୁପିଏସ୍‌ସି ପରୀକ୍ଷା ୨୦୧୫ ରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଉଭୟ ଟିନା ଏବଂ ଅତାହର ରାଜସ୍ଥାନ କ୍ୟାଡରର ଅଧିକାରୀ ଅଟନ୍ତି । କୁହାଯାଏ ଯେ ଟ୍ରେନିଂ ସମୟରେ ଉଭୟଙ୍କ ମଧ୍ୟରେ ବନ୍ଧୁତା ବୃଦ୍ଧି ପାଇଥିଲା ।

ୟୁପିଏସ୍‌ସି ପରୀକ୍ଷାରେ ଶୀର୍ଷରେ ରହିବା ପରେ ଟିନା ଡାବି କ୍ରମାଗତ ଭାବରେ କିଛି ନା କିଛି କାରଣରୁ ମିଡିଆ ହେଡଲାଇନରେ ରହିଆସିଛନ୍ତି । ବିବାହ ପରେ ଟିନା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କ ବାୟୋରେ ‘ଖାନ’ ଉପନାମ ଯୋଡି କାଶ୍ମୀର ବୋହୂର ଟ୍ୟାଗ ଯୋଡ଼ିଥିଲେ । ତେବେ କିଛି ଦିନ ପୂର୍ବରୁ ସେ ଖାନ ଶବ୍ଦକୁ ତାଙ୍କ ଉପନାମରୁ ହଟାଇ ଦେଇଛନ୍ତି ।

ହ୍ୱାଟ୍ସଆପ ୟୁଜର୍ସଙ୍କ ପାଇଁ ଏନାବଲ୍ ଫିଚର, ଜାଣନ୍ତୁ କ’ଣ ମିଳିବ ଫାଇଦା

ନୂଆଦିଲ୍ଲୀ: ସବୁ ହ୍ବାଟ୍ସଅପ ୟୁଜର୍ସଙ୍କ ପାଇଁ ଡିସାପିୟରିଂ ମେସେଜ ଫିଚର ଜାରି କରାଯାଇଛି । ଯାହାକୁ ଏନାବଲ୍ କରିଦେଲେ ଆପଣଙ୍କ ଚାର୍ଟ ୭ ଦିନ ଭିତରେ ଆପେଆପେ ଗାଏବ ହୋଇଯିବ ।

ଏହି ଫିଚର କେବଳ ଆଣ୍ଡ୍ରୋଏଡ୍ ଓ ଆଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେଉଛି । କମ୍ପାନୀର ସୂଚନା ଅନୁଯାୟୀ ଯଦିଓ ଡିସାପିୟରିଂ ମେସେଜ ଫିଚର ଅଧିନରେ ମେସେଜ ଗାଏବ ହୋଇଯିବ ତଥାପି ଯଦି କିଏ ସ୍କ୍ରିନଶର୍ଟ କିମ୍ବା ଇମେଜ୍ ଓ ଭିଡିଓକୁ ଡାଉନଲୋଡ୍ କରିଦିଅନ୍ତି, ସେଭଳି ସ୍ଥିତିରେ ତାହା ଫୋନରୁ ଗାଏବ ହେବନାହିଁ ।

ଯଦି କେହି ୟୁଜର୍ସ ଏହାକୁ ଡିସାବଲ୍ କରିବାକୁ ଚାହିଁବେ ତାହେଲେ ସେ କରିପାରିବେ । ଯଦି ଆପଣ ଏହି ଫିଚର ବ୍ୟବହାର କରୁଛନ୍ତି ତାହେଲେ ୭ ଦିନ ଭିତରେ ଆପଣଙ୍କ ଚାର୍ଟ୍ସ ଡିଲିଟ୍ ହୋଇଯିବ ।
ଏହି ଫିଚର ଆପଣଙ୍କର ସ୍ପେସ୍ ବଞ୍ଚାଇବା ସହ ପ୍ରାଇଭେସି ଦୃଷ୍ଟିରୁ ମଧ୍ୟ ଖୁବ୍ ଭଲ ଫିଚର ।

କରୋନା ପାଇଁ କେବଳ ରୀତିନୀତିରେ ରାଧାପାଦ ଦର୍ଶନ ହେବ ସମ୍ପାଦନ

ପୁରୀ: ଚଳିତ ବର୍ଷ ଅଁଳା ନବମୀ ରେ ରାଧା ପାଦ ଦର୍ଶନ ବନ୍ଦ  । କରୋନାର ଭୟାବହତା ଓ କଟକଣାକୁ ନେଇ ବନ୍ଦ କଲା ଜିଲ୍ଲା ପ୍ରଶାସନ । ସୀମିତ ସେବାୟତ ଭିତରେ କେବଳ ରୀତିନୀତିରେ ରାଧାପାଦ ଦର୍ଶନ ହେବ ସମ୍ପାଦନ । ମାତ୍ର ସର୍ବସାଧାରଣଙ୍କୁ ରାଧାପାଦ ଦର୍ଶନ ପାଇଁ ଅନୁମତି ଦିଆଯାଇନାହିଁ ।

ସେହି ଦିନ ସାକ୍ଷୀଗୋପାଳ ମନ୍ଦିର ପରିଶରରେ ଜାରି ହେବ ୧୪୪ଧାରା । ସତ୍ୟବାଦୀ ସାକ୍ଷୀଗୋପାଳ ମନ୍ଦିରରେ ବର୍ଷକୁ ଥରେ ରାଧାପାଦ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ ଜମିଥାଏ । ସମନ୍ୱୟ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକ   ରେ ସେବାୟତ, ପୁରୀ ଜିଲ୍ଲାପାଳ, ପୁରୀ ଏସପି ପ୍ରମୁଖ ଉପସ୍ଥିତ ଥିଲେ।

ଗୋଶାଳା ନିର୍ମାଣ ସମୟରେ ମାଟି ତଳୁ ବାହାରିଲା ମୋଗଲ ସାମ୍ରାଜ୍ୟର ପୁରୁଣା ମୁଦ୍ରା, ତାପରେ ଏମିତି ହେଲା ସ୍ଥିତି

ନୂଆଦିଲ୍ଲୀ: ମାଟି ତଳେ ଲୁଚି ରହିଛି ଅନେକ ଧନରତ୍ନ । ପୂର୍ବରୁ ରାଜା ରାଗୁଆଡ଼ ଅବଳରେ ସେମାନେ ସେମାନଙ୍କର ସମ୍ପତ୍ତିକୁ ମାଟି ତଳେ ଲୁଚାଇ ରଖିଥାନ୍ତି । ଏଭଳି ଅନେକ କାହାଣୀ ଆପଣମାନେ ଶୁଣିଥିଲେ । କିନ୍ତୁ ଯଦି ସତରେ ଆପଣଙ୍କର ହାତରେ ଏହି ଧନରତ୍ନ ଭଣ୍ଡାର ଲାଗିଯାଏ । ତେବେ ଆପଣ କଣ କରିବେ ? ଯଦି ଆପଣ କେଉଁଠାରେ ଲୁଚି ରହିଥିବା ସମ୍ପତ୍ତି ବିସୟରେ ଜାଣନ୍ତି, ତେବେ ତାହାକୁ ପାଇବାକୁ ଚିଶ୍ଚିତ ଚେଷ୍ଠା କରିବେ । ଏପରି ଏକ ଗୁଜବ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ମାଟିତଳେ ଲୁଚିଥିବା ସମ୍ପତ୍ତି ରହିଛି ବୋଲି ପୁରା ଗାଁ ଖୋଜିବାକୁ ଆରମ୍ଭ କରିଛି ।

ଏଭଳି ଏକ ଘଟଣା ନରସିଂହପୁର ଜିଲ୍ଲାର ଗାଡରବାରା ନିକଟ ଝାନଝର ଖେଡା ଗାଁରେ ଦେଖିବାକୁ ମିଳିଛି । ଉକ୍ତ ଗାଁରେ କୌଣସି କାର୍ଯ୍ୟ ପାଇଁ ଗାତ ଖୋଳା ଚାଲିଥିଲା । ସେହି ସମରେ ମାଟି ତଳୁ କିଛି ମୁଲ୍ୟବାନ ପୁରୁଣା ମୁଦ୍ରା ବାହାରିଥିବା ଜଣାପଡ଼ିଥିଲା । ଯାହାପରେ ପୁରା ଗାଁ ସେହି ଜାଗାକୁ ଖୋଳିବା ଆରମ୍ଭ କରିଦେଇଥିଲା ।

ସୂଚନା ଅନୁଯାୟୀ, ଗାଡରବାରା ନିକଟରେ ଥିବା ଝାନଝର ଖେଡ଼ା ଗାଁରେ ଏକ ସରକାରୀ ଗୋଶାଳା ନିର୍ମାଣ କରିବା ପାଇଁ ମାଟି ଖୋଳା ଚାଲିଥିଲା । ଜେସିବି ମେସିନରେ ମାଟି ଖୋଳିବା ସହ ଟ୍ରାକ୍ଟର ଟ୍ରଲିରେ ଅଳିଆ ଆବର୍ଜନା ଅଣାଯାଇଥିଲା । ମାଟି ଖୋଳା ଚାଲିଥିବା ବେଳେ ଏକ ପୁରୁଣା ମୁଦ୍ରା ଉପରେ ଏକ ଶ୍ରମିକର ଆଖିରେ ପଡ଼ିଥିଲା । ଯାହାପରେ ଏହି କଥା ପୁରା ଗାଁରେ ବ୍ୟାପିବାରେ ଲାଗିଥିଲା । ଗାଁ ଲୋକେ ପ୍ରଥମେ ମାଟି ଖୋଳିଲେ ଏବଂ ସେହି ମାଟିକୁ ନେଇ ପାଣିରେ ଧୋଇବାକୁ ଲାଗିଲେ କେବଳ ଧନ ପାଇବା ପାଇଁ ।

ଲୋକଙ୍କ କହିବା ଅନୁଯାୟୀ ଗାଁର ଅନେକ ଲୋକ ମଧ୍ୟ ପୁରାତନ ମୁଦ୍ରା ପାଇଛନ୍ତି । ଯିଏ ପୁରାତନ ମୁଦ୍ରା ପାଇଲା ସେ ତାକୁ ନେଇ ଚାଲିଗଲେ । ଏହି ମୁଦ୍ରା ଗୁଡ଼ି ମୋଗଲ ସାମ୍ରାଜ୍ୟର ମୁଦ୍ରା ସହ ମିସୁଥିବା ଜଣାପଡ଼ିଥିଲା । ଏହି ମୁଦ୍ରାଗୁଡ଼ିକ କେତେ ପୁରୁଣା, କେଉଁ ଶାସକଙ୍କ ଯୁଗ ଏବଂ ଏହି ଅଞ୍ଚଳରୁ କିପରି ପହଞ୍ଚିଲା ତାହା ପରୀକ୍ଷା କରିବା ପରେ ଜଣା ପଡ଼ିବ ।

୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଆଗତ ହେଲା ଅତିରିକ୍ତ ବଜେଟ୍

ଭୁବନେଶ୍ୱର   ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ ଶୁକ୍ରବାର ଉପସ୍ଥାପନ କରାଯାଇଛି । ଏଥିରେ  ମୋଟ ୧୧,୨୦୦ କୋଟି ଟଙ୍କାର ବ୍ୟୟବରାଦ ରହିଛି ।  କୋଭିଡ ପରବର୍ତ୍ତୀ ସାମାଜିକ ଭିତ୍ତଭୂମି ଉନ୍ନୟନ ସହ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । କେବଳ  ସ୍ୱାସ୍ଥ୍ୟ କ୍ଷେତ୍ରରେ  ୧୭୬୮ କୋଟି ୭୭ ଲକ୍ଷ ବ୍ୟୟବରାଦ  କରାଯାଇଛି । ସେହିଭଳି ପଞ୍ଚାୟତିରାଜ ବିଭାଗକୁ ୨୦୪୬ କୋଟି ୧୧ ଲକ୍ଷ ଟଙ୍କାର ଅର୍ଥ ବରାଦ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ ଅର୍ଥ ବିଭାଗକୁ ୨୩୬୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିବଳି ଖାଦ୍ୟ ସୁରକ୍ଷା ବାବଦକୁ ୧୦୭୮ କୋଟି ୩୦ ଲକ୍ଷ ଟଙ୍କା,  ଶକ୍ତି ବିଭାଗକୁ ୯୫୬ କୋଟି ବ୍ୟୟ ବରାଦ କରାଯାଇଛି।

ଅନୁରୂପ ଭାବେ ବିପର୍ଯ୍ୟୟ ପରିଚାଳନା ପାଇଁ ୧୪୮୪ କୋଟି ୨୨ ଲକ୍ଷ ଟଙ୍କା ବରାଦ କରାଯାଉଛି ।  ସ୍ୱାସ୍ଥ୍ୟ କ୍ଷେତ୍ର ଗ୍ରାମୀଣ ରୋଜଗାର ଜୀବିକା ଖାଦ୍ୟ ନିରାପତ୍ତା ଶିକ୍ଷା କ୍ଷେତ୍ର, ମତ୍ସ୍ୟ ଓ ପଶୁସମ୍ପଦ ବିକାଶ କ୍ଷେତ୍ର, ଅଣୁ,କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପ , ହସ୍ତତନ୍ତ ବୟନଶିଳ୍ପ ଓ ହସ୍ତଶିଳ୍ପ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। କୋଭିଡ ମହାମାରୀ ପାଇଁ ଅର୍ଥ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିଛି। ଚଳିତ ଆର୍ଥିକ ବର୍ଷର ୬ ମାସ ଶେଷ ସୁଦ୍ଧା କେନ୍ଦ୍ରୀୟ ହସ୍ତାନ୍ତର ବା ସେଣ୍ଟ୍ରାଲ ଟ୍ରାନ୍ସସଫର କମିଯାଇଥିବାରୁ ରାଜସ୍ୱ ପ୍ରାପ୍ତି ୬. ୫ ପ୍ରତିଶତ କମିଛି। ଏହା ସତ୍ତ୍ୱେ ରାଜ୍ୟର ନିଜସ୍ୱ ରାଜସ୍ୱ ୧.୭ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୦ ମସିହା ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ରାଜସ୍ୱ ବଳକା ୬୭୯୦ କୋଟି ଟଙ୍କା ରହିଛି। ସମୁଦାୟ ଋଣ ଭାର ୯୭,୮୨୩ କୋଟି ଟଙ୍କା ରହିଛି। ଯାହାକି ସାମଗ୍ରିକ ରାଜ୍ୟ ଘରୋଇ ଉତ୍ପାଦର ୧୬.୪ ପ୍ରତିଶତ।