spot_img
Home Blog Page 6395

ରାଜ୍ୟରେ ତଳମୁହାଁ କରୋନାଗ୍ରାଫ୍… ଦିନକରେ ୭୫୭ ପଜିଟିଭ, ୧୬ ମୃତ

ଭୁବନେଶ୍ୱର: ଦେଶରେ କରୋନାର କାୟା ବଢୁଥିବା ବେଳେ, ରାଜ୍ୟରେ ଖସୁଛି କରୋନାଗ୍ରାଫ । ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭୫୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମଧ୍ୟରେ କ୍ୱାରେଣ୍ଟାଇନରୁ ୪୩୬ ଆକ୍ରାନ୍ତ ଥିବା ବେଳେ, ୩୨୧ ଲୋକାଲ କେସ ରହିଛି । ଅନଗୁଳରୁ ସର୍ବାଧିକ ୭୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୭୦, କଟକରୁ ୬୭, ମୟୂରଭଞ୍ଜରୁ ୪୩ ଓ ଜଗତସିଂହପୁରରୁ ୪୨ ଓ କଳାହାଣ୍ଡିରୁ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ମହାମାରୀ ନେଇଛି ଆଉ ୧୬ ଜୀବନ । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୫୪୫ଛୁଇଁଥିବା ବେଳେ, ୩ଲକ୍ଷ ୨ ହଜାର ୭୬୯ ଆକ୍ରାନ୍ତ ସୁସ୍ଥ ହେଲେଣି । ଏବେବି ରାଜ୍ୟରେ ୮ ହଜାର ୮୮ ସକ୍ରିୟ ମାମଲା ରହିଛି ।

ଅନୁଗୁଳ: ୭୫, ବାଲେଶ୍ୱର: ୩୪, ବରଗଡ: ୧୨, ଭଦ୍ରକ: ୧୯, ବଲାଙ୍ଗୀର: ୩୫, କଟକ: ୬୭, ଦେବଗଡ଼: ୧8. ଢେଙ୍କାନାଳ: ୯, ଗଜପତି: ୧, ଗଞ୍ଜାମ: ୧୩, ଜଗତସିଂହପୁର: ୪୨, ଯାଜପୁର: ୨୭, ଝାରସୁଗୁଡ଼ା: ୨୫, କଳାହାଣ୍ଡି: ୩୭, କନ୍ଧମାଳ: ୪, କେନ୍ଦ୍ରାପଡା: ୨, କେନ୍ଦୁଝର: ୨୬, ଖୋର୍ଦ୍ଧା: ୭୦, କୋରାପୁଟ: ୮, ମାଲକାନଗିରି: ୮, ମୟୂରଭଞ୍ଜ: ୪୩, ନବରଙ୍ଗପୁର: ୧୦,  ନୟାଗଡ଼: ୬, ନୁଆପଡା: ୪୧, ପୁରୀ: ୯, ରାୟଗଡା: ୪, ସମ୍ବଲପୁର: ୩୫, ସୋନପୁର: ୧, ସୁନ୍ଦରଗଡ: ୫୨, ରାଜ୍ୟ ପୁଲ୍: ୧୪ ।

 

କରୋନା ଟିକା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସଙ୍କ ପ୍ରତିକ୍ରିୟା: ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: କରୋନା ଭ୍ୟାକସିନ୍ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ । କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ପ୍ରସ୍ତୁତ ହୋଇଛି ଡାଟାବେସ । ସ୍ବାସ୍ଥ୍ୟକର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା କରି ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ଟିକା ଆଗ କାହାକୁ ମିଳିବ, ସେନେଇ ଗତ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିଛନ୍ତି ।

ଟିକା ଆସିଲେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ । ଏଥି ସହିତ ଗର୍ଭବତୀ ମହିଳା ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମଧ୍ୟ ପ୍ରଥମେ ଟିକା ମିଳିବ। କରୋନାର ମୁକାବିଲା ପାଇଁ ବିଭିନ୍ନ ଟୀକାର ପରୀକ୍ଷା ନିରୀକ୍ଷା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଏବଂ ଟିକା ମିଳିବାର ଆଶା ଉଜ୍ଜଳ ହୋଇଛି । ଟିକା ପ୍ରଦାନ ସମୟରେ ସ୍ବାସ୍ଥ୍ୟକର୍ମୀଙ୍କ ସମେତ ଗର୍ଭବତୀ ମହିଳା ଓ ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତିଙ୍କୁ ଟିକା ପ୍ରଦାନରେ ପ୍ରାଥମିକତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏକ୍ଷେତ୍ରରେ ଗୁରୁତର ରୋଗ ଭୋଗୁଥିବା ରୋଗୀଙ୍କର ଡାଟାବେସ୍‌ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ସମାଜର ବିପଦସଂକୁଳ ବର୍ଗର ବ୍ୟକ୍ତି ମାନଙ୍କୁ ଟିକା ପ୍ରଦାନ ସମୟରେ ବୃତ୍ତିଗତ, ବୈଜ୍ଞାନିକ, ସଂପୂର୍ଣ୍ଣ ଫଳପ୍ରଦ ଯୋଜନା ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଥିଲେ ।

ସେହିପରି ଆସନ୍ତାବର୍ଷ ଫେବ୍ରୁଆରୀ ସୁଦ୍ଧା ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଅକ୍ସଫୋର୍ଡ କୋଭିଡ୍ ଭ୍ୟାକ୍‌ସିନ୍ । ଟିକା ପ୍ରସ୍ତୁତକାରୀ ସଂସ୍ଥା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁନେୱାଲା ଏନେଇ ସୂଚନା ଦେଇଛନ୍ତି । ସାଧାରଣ ଲୋକଙ୍କ ପାଇଁ ଅକ୍ସଫୋର୍ଡ ଟିକା ଏପ୍ରିଲ ସୁଦ୍ଧା ଉପଲବ୍ଧ ହେବ । ଟିକାର ମୂଲ୍ୟ ସର୍ବାଧିକ ହଜାରେ ଟଙ୍କା ରହିବ । ତେବେ ଏହା ଟେଷ୍ଟର ଅନ୍ତିମ ଫଳାଫଳ ଓ ନିୟାମକ ମଂଜୁରୀ ଉପରେ ନିର୍ଭର କରେ ।

୨୦୨୪ ସୁଦ୍ଧା ଦେଶରେ ସମସ୍ତଙ୍କୁ ଭ୍ୟାକସିନ୍ ମିଳିବ ବୋଲି ପୁନେୱାଲା କହିଛନ୍ତି । ସେପଟେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ୍ ହରିୟାଣାର ରୋହତକରୁ ଆଜିଠୁ ଆରମ୍ଭ ହେଉଛି । ଦୁଇଟି ପର୍ଯ୍ୟାୟରେ ୨ଶହ ସ୍ୱେଚ୍ଛାସେବୀଙ୍କୁ ଟିକାର ଡୋଜ୍ ଦିଆଯିବ । ସେମାନଙ୍କଠାରେ ଆଣ୍ଟିବଡିର ସ୍ଥିତି ନେଇ ଅନୁଧ୍ୟାନ କରାଯିବ । ପ୍ରଥମ ଦୁଇଟି ପର୍ଯ୍ୟାୟରେ ଟିକା ପରୀକ୍ଷଣ ସଫଳ ହୋଇଛି । ଦେଶରେ ମୋଟ୍ ୨୫ହଜାରରୁ ଅଧିକ ଲୋକଙ୍କଠାରେ କୋଭାକ୍ସିନ୍ ଟ୍ରାଏଲ୍ ହେବ ।

ଜି-୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ଫେରାଇନେଲା ଭାରତର ଭୁଲ ମାନଚିତ୍ର ଥିବା ନୋଟ୍

ଜି ୨୦ ସମ୍ମିଳନୀ ପୂର୍ବରୁ ସାଉଦି ଆରବ ରିୟାଦ ନୋଟ ଉପରେ ମୁଦ୍ରିତ ହୋଇଥିବା ଭାରତ ଭୁଲ ମାନଚିତ୍ରକୁ ଫେରାଇ ନେଇଛି । ୨୦ ରିୟଲ ବ୍ୟାଙ୍କ ନୋଟ ଉପରେ ଭାରତର ଭୁଲ ମାନଚିତ୍ରକୁ ମୁଦ୍ରିତ ହୋଇଥିଲା । ଯେଉଁଥିରେ ଅବିଭାଜିତ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ପୃଥକ ଭାବେ ମୁଦ୍ରିତ କରାଯାଇଥିଲା । ଏହାକୁ ନେଇ ଭାରତ ବିରୋଧ କରିଥିଲା ଯାହା ପରେ ନୋଟ ଗୁଡ଼ିକୁ ପ୍ରାତ୍ୟାହାର କରିଦିଆଯାଇଛି ।

ସୂଚନା ଅନୁଯାୟୀ କେବଳ ନୋଟ୍ ପ୍ରତ୍ୟାହାର କରାଯାଇ ନାହିଁ, ଏହାର ମୁଦ୍ରଣ ମଧ୍ୟ ବନ୍ଦ କରାଯାଇଛି । ଅକ୍ଟୋବର ୨୮ରେ ସାଉଦି ଆରବ ସମ୍ମୁଖରେ ରିୟାଦରେ ଭାରତୀୟ ରାଷ୍ଟ୍ରଦୂତ ଆୟୁଷ ସଈଦ ଏହି ପ୍ରସଙ୍ଗ ଉଠାଇଥିଲେ । ୨୦ ରିୟଲ୍ ନୋଟରେ ତିଆରି ହୋଇଥିବା ବିଶ୍ୱ ମାନଚିତ୍ରରେ ଜାମ୍ମୁ କାଶ୍ମୀର ଏବଂ ଲଦାଖକୁ ଭାରତଠାରୁ ପୃଥକ ଭାବରେ ଦର୍ଶାଯାଇଛି ।

ବିବାଦୀୟ ନୋଟରେ ଗୋଟିଏ ପଟେ ରାଜା ସଲମାନ ଏବଂ ଜି -20 ସାଉଦି ସମ୍ମିଳନୀର ଲୋଗୋ ଥିବା ବେଳେ ଅନ୍ୟପଟେ ଜି -20 ଦେଶର ବିଶ୍ୱ ମାନଚିତ୍ର ଥିଲା। ମାନଚିତ୍ରରେ ପାକିସ୍ତାନ ଅଧିକୃତ କାଶ୍ମୀର , ଗିଲଗିତ-ବାଲିଟସ୍ତାନ ସହ ସମେତ ଜାମ୍ମୁ କାଶ୍ମୀରକୁ ପୃଥକ ଦେଶ ଭାବରେ ଦର୍ଶାଯାଇଥିଲା ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଗୁରୁବାର ଦିନ କହିଛନ୍ତି ଯେ, ‘ଆମେ ସାଉଦି କର୍ତ୍ତୃପକ୍ଷଙ୍କ ସହ ଭାରତୀୟ ମାନଚିତ୍ରକୁ ଭୁଲ ଉପସ୍ଥାପନ କରିବା ନେଇ ଆଲୋଚନା କରିଛୁ । ନୂଆଦିଲ୍ଲୀରେ ସାଉଦି ଅଧିକାରୀଙ୍କ ସହ ଆଲୋଚନା ହୋଇଥିଲା। ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ଯେ ସେମାନେ ଏହି ପ୍ରସଙ୍ଗ ଉପରେ କାର୍ଯ୍ୟ କରିବେ ।

ସୂଚନା ଅନୁସାରେ, ଏହି ମାମଲା ନିୟନ୍ତ୍ରିତ କରାଯାଇଛି ଏବଂ ଯେଉଁ ମୁଦ୍ରା “ସ୍ମରଣିକା ଏବଂ ସଂଚାଳନ ପାଇଁ ଉଦ୍ଦିଷ୍ଟ ନଥିଲା, ସେହି ମୁଦ୍ରାକୁ ପ୍ରତ୍ୟାହାର କରାଯାଇଛି। ସୂଚନା ଯୋଗ୍ୟ ଯେ, ୧୫ ତମ ଜି -୨୦ ଶିଖର ସମ୍ମିଳନୀରେ ଅଧ୍ୟକ୍ଷତା ସାଉଦି ଆରବର ରାଜା କରିବେ । ଏଥର ଜି୨୦ ସମ୍ମିଳନୀ ଭର୍ଚୁଆଲ୍ ହେବ ।

କଟକ IIFLରୁ ଲୁଟ ଘଟଣା, ବ୍ୟାଙ୍କ ପକ୍ଷରୁ ଥାନାରେ ଦିଆଗଲା ଏତଲା

କଟକ: କଟକ ନୟାସଡକ ଆଇଆଇଏଫଏଲ ଫାଇନାନ୍ସରୁ ଲୁଟ ଘଟଣା। ବ୍ୟାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ପୋଲିସ ତଦନ୍ତକୁ ବ୍ୟାଙ୍କ ପକ୍ଷରୁ ସହଯୋଗ ଦିଆଯାଇଛି । ବ୍ୟାଙ୍କ ରେ ଘରୋଇ ସୁରକ୍ଷା ବଢାଯାଇଛି ଏହାସହ ଖୁବ୍ ଶୀଘ୍ର ଅପରାଧୀ ମାନେ ଧରାପଡିବେ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି । ଗତକାଲି ସକାଳେ ଘରୋଇ ସୁନା ଲୋନ ପ୍ରଦାନକାରୀ ବ୍ୟାଙ୍କ IIFLକୁ ପଶିଥିଲେ ୪ ଡକାୟତ । ବନ୍ଧୁକ ମୁନରେ ସମସ୍ତ ବ୍ୟାଙ୍କ କମର୍ଚାରୀକୁ ଭୟଭୀତ କରିବା ସହ ଆକ୍ରମଣ କରିଥିଲେ ।

ପରେ ବ୍ୟାଙ୍କରେ ଥିବା ୧୨କୋଟି ମୂଲ୍ୟର ସୁନା ଓ ୪ ଲକ୍ଷରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ  । ଖବର ପାଇବା ପରେ ଘଟଣା ସ୍ଥଳରେ ଟିମ ସହ ପହଞ୍ଚି ତଦନ୍ତ କରିଥିଲେ ପୋଲିସ କମିଶନର ଓ ଡିସିପି । ଅଭିଯୁକ୍ତଙ୍କୁ ଧରିବା ପାଇଁ ତିନିଟି ତଦନ୍ତକାରୀ ଟିମ୍ ଗଠନ କରାଯିବା ସହ କଟକ, କେନ୍ଦ୍ରାପଡା, ଯାଜପୁର ସୀମା ସିଲ କରାଯାଇଛି ।

ଚୌଧୁରୀ ବଜାର ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରୁ କିଭଳି ଏମିତି ବଡ଼ଧରଣର ଡକାୟତି ହେଲା ସେନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏହି ପୂରା ଘଟଣା ସକାଳ ପ୍ରାୟ ୯ଟାରୁ ୧୦ ସମୟ ମଧ୍ୟରେ ହୋଇଥିଲା । ଦୁର୍ବୃତ୍ତମାନେ ପ୍ରଥମେ ବ୍ୟାଙ୍କରେ ପଶିବା ମାତ୍ରେ ସମସ୍ତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇବା ସହ ମାରଧର କରିଥିଲେ । ସେମାନଙ୍କଠାରୁ ଚାବି ନେଇ ସେଠାରେ ଥିବା ଲକରରୁ ସମସ୍ତ ସୁନା ଲୁଟି ନେଇଥିଲେ ।

ବଡ଼ଧରଣର ଡକାୟତି: କଟକର ସମସ୍ତ ସୀମା ସିଲ୍ କଲା କମିଶନରେଟ୍ ପୋଲିସ

ଭିସିରେ ସାମିଲ ହୋଇ ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ… ଦିବଂଗତ ସଦସ୍ୟ ଓ କରୋନା ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ। ଭିଡିଓ କନଫରେନ୍‌ସିଂରେ ସାମିଲ ହୋଇ ଗୃହରେ ଶୋକ ପ୍ରସ୍ତାବ ଆଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବତନ ସଦସ୍ୟ ଓ କରୋନା ଯୋଦ୍ଧାଙ୍କ ବିୟୋଗରେ ପ୍ରସ୍ତାବ ଅଣାଯାଇଥିଲା । ୩ ପୂର୍ବତନ ସଦସ୍ୟ ଶରତ କର, ଗୁରୁପଦ ନନ୍ଦ, କାର୍ତ୍ତିକେଶ୍ୱର ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

ସେହିପରି ମୃତ କରୋନା ଯୋଦ୍ଧାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହାପରେ ଗୃହକୁ ଅପରାହ୍ନ ୩ଟା ଯାଏଁ ମୁଲତବି ରଖାଯାଇଛି । ଆଜି ଅପରାହ୍ନରେ ଗୃହରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଅତିରିକ୍ତ ବଜେଟ୍‌, ୩ଟି ଅଧ୍ୟାଦେଶ ଓ ୫ବିଲ୍‌ ଉପସ୍ଥାପନ ହେବ ।

 

ବୃହସ୍ପତି ଚଳନରେ ଏହି ୫ଟି ରାଶିର ବ୍ୟକ୍ତି ହେବେ ମାଲାମାଲ୍ ଏବଂ ଏହି ରାଶି ଉପରେ ପଡ଼ିବ ଖରାପ ପ୍ରଭାବ, ଜାଣନ୍ତୁ

ବୃହସ୍ପତି ଚଳନ ସମୟରେ ଦ୍ୱାଦଶ ରାଶିଙ୍କ ପ୍ରଭାବ

ମେଷ (୧୦ମ ବୃହସ୍ପତି)- ଦଶମ ସ୍ଥାନସ୍ଥ ବୃହଷ୍ପତି ମାନବକୁ ସ୍ଥାନେ ସ୍ଥାନେ କଳହର ସୁତ୍ରପାତ କରାଇ ଅବିଶ୍ୱାସର ବାତାବରଣ ମଧ୍ୟରେ ସ୍ଥାନଚ୍ୟୁତ୍ କରାଇଥାଏ । ସ୍ୱାସ୍ଥ୍ୟହାନୀ ଓ ଧନହାନୀ ହୋଇଥାଏ ।

ବୃଷ- (୯ମ ବୃହସ୍ପତି)- ନବମ ସ୍ଥାନସ୍ଥ ବୃହଷ୍ପତି (ସୁତାର୍ଥ ଲାଭଂ ନବପଞ୍ଚମେଷୁ) ବ୍ୟକ୍ତିକୁ ବହୁ ଦିଗରୁ ଧନ ଲାଭ କରାଇବା ସହିତ ନୂତନ କର୍ମକ୍ଷେତ୍ର ସୃଷ୍ଟି କରାଇଥାନ୍ତି । ପୁତ୍ର ଲାଭ କରାଇଥାଏ । କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରାଇଥାଏ ।

ମିଥୁନ- (୮ମସ୍ଥ ବୃହସ୍ପତି)- ଅଷ୍ଟମସ୍ଥ ବୃହଷ୍ପତି ଅବସ୍ୟ ଆଧ୍ୟାତ୍ମିକ ଭାବନା ଧାର୍ମିକ ଚେତନାର ଅଭିବୃଦ୍ଧି ହୋଇଥାଏ । ତଥାପି ନାନାବିଧ ରୋଗର ପୀଡ଼ା ଓ କୋଟ କଚେରୀ ଭୟର ସୂଚନା ଥାଏ ।

କର୍କଟ- (୭ମ ବୃହସ୍ପତି)-ସପ୍ତମସ୍ଥ ବୃହଷ୍ପତି ବ୍ୟକ୍ତିକୁ ବୁଦ୍ଧି ତଥା ବିବେଚନା ବିଷୟରେ ନିପୁଣ, ବିଚକ୍ଷଣ କରାଇବା ସହିତ ନିଜର ସୁଲଳିତ ବଚନ ହେତୁ ସର୍ବଜନପ୍ରିୟ କରାଇଥାନ୍ତି । ଧନ ଉପାର୍ଜ୍ଜନ ହୋଇଥାଏ । ସାତ୍ୱିକ ଭୋଜନ, ଉତମା ସ୍ତ୍ରୀ ଓ ଜାନବାହାନ ପ୍ରାପ୍ତି ହୋଇଥାଏ ।

ସିଂହ- (୬ଷ୍ଠ ବୃହସ୍ପତି)-ଷଷ୍ଠସ୍ଥ ବୃହଷ୍ପତି ବ୍ୟକ୍ତିଙ୍କୁ ବହୁ ଦିଗରୁ ଅସାନ୍ତି ପ୍ରଦାନ କରାଇଥାନ୍ତି । ନିଜର ସ୍ୱଜନ ବନ୍ଧୁବାନ୍ଧବ ମିତ୍ରଗୋଷ୍ଠୀ ମାନଙ୍କର ଭାଗ୍ୟୋଦୟ ତଥା ଧନ ସଂପଦର ଅଭିବୃଦ୍ଧି ହେତୁ ଇର୍ଷା ପରାୟଣ ହୋଇ ଅସୁଖୀ କରାଏ ।

କନ୍ୟା- (୫ମ ବୃହସ୍ପତି)- ବ୍ୟକ୍ତିଙ୍କୁ ଅନେକ ସୁଖ ସମୃଦ୍ଧି ତଥା ଧନ ସଂପଦ ପ୍ରଦାନ କରାଇଥାଏ । ଗୃହରେ ପୁତ୍ର ସନ୍ତାନର ଜନ୍ମୋତ୍ସବ ପାଳିତ ହୋଇଥାଏ । ବହୁ ପ୍ରଶଂସା କରାଇଥାଏ । ଅଳଙ୍କାର, ଗୃହଲାଭ ବିବାହାଦି ମାଙ୍ଗଳିକ କାର୍ଯ୍ୟ କରାଏ ।

ତୁଳା- (୪ର୍ଥ ବୃହସ୍ପତି)- ବ୍ୟକ୍ତିକୁ ବହୁବିଧ କଷ୍ଠ ପ୍ରଦାନ କରିଥାଏ । ମାନସିକ କଷ୍ଟ ଏବଂ ବନ୍ଧୁଙ୍କ ଠାରୁ କ୍ଳେଷ ପ୍ରଦାନ କରାଇଥାଏ ।

ବିଛା- (୩ୟ ବୃହସ୍ପତି)- ତୃତୀୟ ସ୍ଥାନସ୍ଥ ବୃହଷ୍ପତି ମନୁଷ୍ୟକୁ ଧର୍ଯ୍ୟହୀନ, ଅସ୍ଥିରମନା ଓ ସ୍ଥାନଚ୍ୟୁତି କରାଇଥାନ୍ତି । କର୍ମକ୍ଷେତ୍ରରେ ସମସ୍ୟା ଉପୁଜାଏ ।

ଧନୁ- (ଦ୍ୱିତୀୟ ବୃହସ୍ପତି)-ବ୍ୟକ୍ତିକୁ ସମସ୍ତ ଦିଗରୁ ସୁଖ ଓ ସୌଭାଗ୍ୟକୁ ଭୋଗ କରାଇଥାନ୍ତି । ଶତୃମାନଙ୍କର ବିନାଶ ହେବା ସହିତ ଧନ ଓ ଆନନ୍ଦ ପ୍ରାପ୍ତ ହୋଇଥାଏ ।

ମକର- (ଜନ୍ମ ବୃହସ୍ପତି)- ଜନ୍ମ ବୃହଷ୍ପତି ରହିଥିବା ସମୟରେ ବ୍ୟକ୍ତିର ସ୍ଥାନ ପରିବର୍ତ୍ତନ ସହିତ ବହୁ କ୍ଷେତ୍ରରେ କଳହ ହୋଇଥାଏ । କପଟତାର ଶିକାର ହୋଇଥାନ୍ତି । ଧନ ନଷ୍ଟର ସୁଚନା ଥାଏ ।

କୁମ୍ଭ- (୧୨ଶ ବୃହସ୍ପତି)- ଦ୍ୱାଦଶ ସ୍ଥାନସ୍ଥ ବୃହଷ୍ପତି କୁମାର୍ଗରେ ଗତି କରାଏ । ବହୁ ଧନ ବ୍ୟୟ ହୋଇଥାଏ । ଉକ୍ତ ସମୟ ମଧ୍ୟରେ ପୁତ୍ରକନ୍ୟାଙ୍କ ବିବାହ ଉତ୍ସୋବରେ ମାତ୍ରାଧିକ ଅର୍ଥ ବ୍ୟୟ ସହିତ ବୃଥା ଭ୍ରମଣରେ ଅର୍ଥ ନଷ୍ଟ ହୁଏ ।

ମୀନ- (୧୧ଦଶ ବୃହସ୍ପତି)- ଏକାଦଶ ବୃହଷ୍ପତି ବହୁ କ୍ଷେତ୍ରରୁ ଧନ ଲାଭ ପ୍ରଦାୟକ ହେବା ସହିତ କ୍ଷେତ୍ର ସ୍ଥାନାଦିର ଲାଭ ଏବଂ ସ୍ୱାସ୍ଥ୍ୟର ଉନ୍ନତି କରାଇଥାଏ ।

ଅଶୁଭ ନିରାକରଣ ଉପାୟ:

ବ୍ରହ୍ମଜଷ୍ଠି ମୂଳ ଧାରଣ । ପାରାକୁ ଦଧିଅନ୍ନ ବଣ୍ଟନ । ମା’ତାରାଙ୍କ ପାଖକୁ ନଡ଼ିଆ ପ୍ରେରଣ (ଖୋର୍ଦ୍ଧା ଜିଲ୍ଲାର ଭୂଷଣ୍ଡପୁରସ୍ଥ ମା-ଉଗ୍ରତାରା, ପୁରୁଷୋତମପୁରର ମା’-ତାରାତାରିଣୀ, ସମ୍ବଲପୁରର ସମଲେଶ୍ୱରୀ କିମ୍ବା ଘଟଗାଁବାସିନୀ ମା-ତାରିଣୀଙ୍କ ଉଦ୍ଦେଶ୍ୟରେ ସମର୍ପିତ) ।

ବାମନପୁରାଣ ପାଠ ଅତ୍ୟନ୍ତ ଶୁଭ । ହଳଦିଆ ବସ୍ତ୍ର, ହରିଦ୍ରା, ଲବଣ, ଗୋ-ଘୃତ, ମସୁର ଡ଼ାଲୀ, ମିଷ୍ଠାର୍ଣ୍ଣ ଗୌରବର୍ଣ୍ଣର ବ୍ରାହ୍ମଣଙ୍କୁ ଗୁରୁବାର ଦାନ ପ୍ରଦାନ କଲେ ଶୁଭ ।

ଜପ ମନ୍ତ୍ର– ଓଁ ବୃଂ ବୃହସ୍ପତେୟ ନମଃ ।

ଓଁ ଅଙ୍ଗିରସାୟ ବିଦ୍ମହେ ଦିବ୍ୟ ଦେହାୟ ଧୀମହି ତନ୍ନୋ ଜୀବଃ ପ୍ରଚୋଦୟାତ୍ ।

ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର ପରେ ଆରମ୍ଭ ହେଲା ଅଧିବେଶନ

ଭୁବନେଶ୍ୱର: ଆରମ୍ଭ ହେଲା ବିଧାନସଭା ଶୀତ ଅଧିବେଶନ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବା ପରେ ଅଧିବେଶନ ଆରମ୍ଭ ହୋଇଛି । ଅଧିବେଶନର ପ୍ରଥମ ଦିନରେ ଶୋକ ପ୍ରସ୍ତାବ ଆଗତ ହେବ । ଦିବଂଗତ ସଦସ୍ୟ ଓ ସହିଦଙ୍କୁ ଦିଆଯିବ ଶ୍ରଦ୍ଧାଞ୍ଜଳି ।

ଆଜି ୩ଟି ଅଧ୍ୟାଦେଶ ଓ ୫ ବିଲ ଗୃହରେ ଉପସ୍ଥାପନ ହେବ । ୨୦୨୦-୨୧ର ଅତିରିକ୍ତ ବ୍ୟୟ ତାଲିକା ଉପସ୍ଥାପନ ହେବା କାର୍ଯ୍ୟକ୍ରମ ରହିଛି । ମୌସୁମୀ ଅଧିବେଶନ ପରି ଏଥର ଅଧିବେଶନରେ ପ୍ରଶ୍ନକାଳ ରହିବ ନାହିଁ । କରୋନା କଟକଣା ଭିତରେ ମୌସୁମୀ ଅଧିବେଶନ ପରି ଶୀତ ଅଧିବେଶନ ଚାଲିବ ।

ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର: ପ୍ରଥମ ଥର ପାଇଁ ଗୀତ ଗାଇବେ ବିଧାୟକ ସୁର ରାଉତରାୟ । ତାହା ପୁଣି ରାପ । ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଆଜି କଟକର ମିଲନ ଷ୍ଟଡ଼ିଓରେ ଏହି ଗୀତ ରେକର୍ଡ କରାଯିବ । ନିଜର ବେଫିକର ଅନ୍ଦାଜ, ବିତର୍କିତ ବୟାନବାଜି, ନିଜସ୍ୱ ନିଆରା ଶୈଳୀ ସାଙ୍ଗକୁ କୌତୁକିଆ ମିଜାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହି ଆସିଥିବା ସୁର ରାଉତରାୟ ଏ ଗୀତର କିଛି ରାପ ଅଂଶ ଗାଇବେ ।

ଅରମାନ ମ୍ୟୁଜିକ ପ୍ରଯୋଜିତ ଏ ଗୀତଟିକୁ ଲେଖିଛନ୍ତି ତପୁ ନାୟକ । ସୁରଙ୍କ ସହିତ ଏହି ଗୀତରେ କଣ୍ଠଦାନ କରିବେ ଲୋପାମୁଦ୍ରା ନାୟକ ଓ ଜ୍ୟୋତିର୍ମୟୀ । ତେବେ ଜନନାୟକମାନେ ଗାୟକ ଭୂମିକାରେ ଉପନୀତ ହେବା କିଛି ନୂଆ କଥା ନୁହେଁ । ସୁରଙ୍କ ପୂର୍ବରୁ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ଗୀତ ଗାଇ ଚର୍ଚ୍ଚାରେ ରହିସାରିଛନ୍ତି ।

ଏ ଗୀତର ଶୀର୍ଷକ ‘ରଙ୍ଗବତୀ.. ‘ ରଖାଯାଇଥିଲେ ମଧ୍ୟ ପ୍ରସିଦ୍ଧ ସମ୍ବଲପୁରୀ ରଙ୍ଗବତୀ ଗୀତ ସହିତ ଏହାର କୌଣସି ସମ୍ପର୍କ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଲୋକଙ୍କ ପ୍ରିୟ ଓ ପସନ୍ଦର ସଙ୍ଗୀତ ନିର୍ଦ୍ଦେଶକ ଭାବେ ଜଣାଶୁଣା ଜାପାନୀ ଭାଇ । ତାଙ୍କର ନିଷ୍ଠାପର ସେବା, ପରୋପକାରୀ ମନୋଭାବ ଓ ଲୋକଙ୍କ ପ୍ରତି ଥିବା ଶ୍ରଦ୍ଧା ଓ ସମ୍ମାନ ପାଇଁ ଲୋକେ ତାଙ୍କୁ ଯେପରି ଭଲପାଇବା ଦେଇ ଆସିଛନ୍ତି ଏ ଗୀତକୁ ମଧ୍ୟ ସେପରି ଭଲପାଇବା ଦେବେ ବୋଲି ଆଶା । ନଭେମ୍ବର ୨୦ ତାରିଖ, ଶୁକ୍ରବାର ଅପରାହ୍ନ ୪ଟା ସମୟରେ କଟକସ୍ଥିତ (ସମ୍ରାଟ ହଲ ନିକଟସ୍ଥ ) ମିଲନ ଷ୍ଟଡ଼ିଓରେ ଏହି ଗୀତଟି ରେକର୍ଡ କରାଯିବ ।

ପାରିବାରିକ କଳହର କରୁଣ ପରିଣତି, କୁରାଢିରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ମୟୁରଭଞ୍ଜ: ପାରିବାରିକ କଳହର କରୁଣ ପରିଣତି । ମୟୁରଭଞ୍ଜ ଜିଲ୍ଲା ମାଳିହତା ଗାଁରେ କୁରାଢିରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ । ମୃତକ ହେଲେ ପାର୍ବତୀ ମହାନ୍ତ । ଘଟଣା ଅନୁସାରେ ସ୍ୱାମୀ ଶିବପ୍ରସାଦ ମହାନ୍ତ ଓ ପାର୍ବତୀ ମହାନ୍ତଙ୍କ ମଧ୍ୟରେ ଅଧିକାଂଶ ସମୟରେ ପାରିବାରିକ କଳହ ଲାଗି ରହିଥିଲା ।

ଅନେକ ସମୟରେ ଶିବପ୍ରସାଦ ନିଶାଶକ୍ତ ଅବସ୍ଥାରେ ପାର୍ବତୀକୁ ମାରପିଟ ମଧ୍ୟ କରୁଥିବାର ଅଭିଯୋଗ ହେଉଥିଲା । ତେବେ ଗତକାଲି ବିଳମ୍ବିତ ରାତିରେ ଶୋଇଥିବା ଅବସ୍ଥାରେ କୁରାଢ଼ୀରେ ଛେଚି ନୃଶଂସ ଭାବେ ସ୍ତ୍ରୀ ପାର୍ବତୀ ମହାନ୍ତକୁ ହତ୍ୟା କରିଛି ସ୍ୱାମୀ ।

ସକାଳେ ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେବା ପରେ ପୋଲିସ ମୃତ ଦେହ ଜବତ କରିବା ସହିତ ସ୍ତ୍ରୀ ହତ୍ୟାକାରୀ ଶିବପ୍ରସାଦକୁ ଅଟକ ରଖିଛି ।

ଭୁବନେଶ୍ୱରରୁ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ

ଭୁବନେଶ୍ୱର: ଭୁବନେଶ୍ବରରୁ ୩୦ ଲକ୍ଷ ଟଙ୍କା ସହ ଯୁବକ ଅଟକ । ତପୋବନ ପେଟ୍ରୋଲ ପମ୍ପ ସାମନାରୁ ଧରିଲା ଖଣ୍ଡଗିରି ପୋଲିସ । ବ୍ୟାଗରେ ଟଙ୍କା ରଖି ଗାଡିକୁ ଅପେକ୍ଷା କରିଥିବା ବେଳେ ତାଙ୍କୁ ଅଟକ ରଖିଛି ପୋଲିସ । ଅଟକ ଯୁବକ ହେଲେ ମହାବୀର ଦାସ । ସେ ଟଙ୍କା ନେଇ ପାରଳାଖେମୁଣ୍ଡିରୁ ଭୁବନେଶ୍ଵର ବସରେ ଆସିଥିଲେ ।

ତେବେ ଥାନାରେ ପହଞ୍ଚିଛନ୍ତି ଖୁସବୁ ପ୍ରଡକ୍ଟର ମାଲିକ ପ୍ରଳୟ ପାଢୀ । ଲକଡାଉନ ଯୋଗୁଁ ବକେୟା ଟଙ୍କା ଆଦାୟ ହୋଇପାରନଥିଲା । ଏଣୁ ମହାବୀର ଟଙ୍କା ଆଦାୟ ପାଇଁ ଯାଇଥିଲେ ବୋଲି ପ୍ରଳୟ କହିଛନ୍ତି । ତେବେ ଟଙ୍କା ବେଆଇନ ନୁହେଁ, ପୋଲିସ ଆଗରେ ସମସ୍ତ କାଗଜପତ୍ର ଦେଖାଇବୁ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଜବତ ଟଙ୍କା ସଂପର୍କରେ ଖଣ୍ଡଗିରି ପୋଲିସ ଆୟକର ବିଭାଗକୁ ଅବଗତ କରାଇଛି । ଆଜି ସକାଳେ ତପୋବନ ପେଟ୍ରୋଲ ପମ୍ପ ସାମନାରୁ ୩୦ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ ସହ ମହାବୀର ଦାସ ନାମକ ଜଣେ ଯୁବକଙ୍କୁ ଅଟକ ରଖିଥିଲା ପୋଲିସ । ସେ ବସ୍ ଯୋଗେ ଟଙ୍କା ନେଇ ପାରଳାଖେମୁଣ୍ଡିରୁ ଭୁବନେଶ୍ଵର ବସ ଯୋଗେ ଆସିଥିଲେ ।