ନନ୍ଦିଘୋଷ ବ୍ୟୁରୋ: ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି। ଆରମ୍ଭ ହୋଇଛି ୩ ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା। ଗତକାଲି ପ୍ରଥମେ ରଥରେ ବ୍ରେକ ଓ ଦଉଡି ସଂଯୋଗ କରାଯାଇ ଦର୍ପଦଳନ ରଥକୁ ଦକ୍ଷିଣମୋଡ କରାଯାଇଥିଲା । ପରେ ତାଳଧ୍ବଜ ଟଣାଯାଇ ନାକଚଣା ଦ୍ବାର ନିକଟକୁ ଅଣାଯାଇଛି। ତେବେ ରାତି ଓ ବର୍ଷା ହୋଇଯିବାରୁ ମହାପ୍ରଭୁ ନନ୍ଦିଘୋଷ ରଥ ଦକ୍ଷିଣମୋଡ଼ କରାଯାଇ ନ ଥିଲା। ଆଜି ନନ୍ଦିଘୋଷ ରଥର ହେବ ଦକ୍ଷିଣ ମୋଡ। ସକାଳ ୯ଟା ବେଳେ ନନ୍ଦିଘୋଷ ରଥକୁ ଦକ୍ଷିଣ ମୋଡ଼ କରାଯିବ । ଆସନ୍ତାକାଲି ଶୁକ୍ରବାର ମହାପ୍ରଭୁଙ୍କ ସନ୍ଧ୍ୟାଦର୍ଶନ । ବାହୁଡା଼ ନୀତି ଶୃଙ୍ଖଳିତ କରିବାପାଇଁ ସନ୍ଧ୍ୟା ଦର୍ଶନ ସମୟ ସଂକୁଚିତ କରାଯାଇଛି । ସେହି ଦିନ ସନ୍ଧ୍ୟା ୭ ଟାରୁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ଆସନ୍ତା ୦୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା
ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୦୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା । ଦକ୍ଷିଣ ଝାଡ଼ଖଣ୍ଡ ଏବଂ ପଡ଼ୋଶୀ ଉପରେ ଘୂର୍ଣ୍ଣିବଳୟ ଜାରି ରହିଛି । ଏବେ ଏହା ସମୁଦ୍ର ପତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ଦକ୍ଷିଣ ଆଡକୁ ଘୂର୍ଣ୍ଣିବଳୟ ରହିଥିବା ବେଳେ ଏହି ଟ୍ରପ ଲାଇନ ଏବେ ଦକ୍ଷିଣ-ପୂର୍ବ ରାଜସ୍ଥାନରୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଦେଇ କେନ୍ଦ୍ରୀୟ ମଧ୍ୟପ୍ରଦେଶ, ଉତ୍ତର ଛତିଶଗଡ଼ ଦେଇ ଗତି କରୁଛି । ଆଜି ରାଜ୍ୟର ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, କୋରାପୁଟ, ସୋନପୁର, ବରଗଡ ଏବଂ କଳାହାଣ୍ଡି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନ ସହ ବର୍ଷା ସମ୍ଭାବନା ରହିଛି ।
ପବନର ବେଗ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ବହିବା ସହିତ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ବି ହୋଇପାରେ । ସେଥିପାଇଁ ଏହି ସବୁ ଜିଲ୍ଲା ମାନଙ୍କୁ ଅରେଞ୍ଜ ଆଲର୍ଟ ଜାରି କରିଛି ବିଭାଗ । ପୁଣି ୫ ତାରିଖ ଓ ୬ ତାରିଖ ଦିନ ବି ରାଜ୍ୟର ଝାରସୁଗୁଡା ଓ ବରଗଡ଼ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପବନର ସହିତ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ବିଭାଗ ।
ରକ୍ତର ନଦୀ ବୁହାଇବାକୁ ଧମକ ଦେଉଥିବା ବିଲାୱଲ ଭୁଟ୍ଟୋଙ୍କ ନରମିଲା ସ୍ଵର
ନନ୍ଦିଘୋଷ ବ୍ୟୁରୋ: ରକ୍ତର ନଦୀ ବୁହାଇବାକୁ ଧମକ ଦେଉଥିବା ବିଲାୱଲ ଭୁଟ୍ଟୋଙ୍କ ନରମିଲା ସ୍ଵର। ଭାରତର ସିନ୍ଧୁ ଜଳ ଚୁକ୍ତି ରଦ୍ଦ ପ୍ରସଙ୍ଗକୁ ନେଇ ନଇଁଲେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ। ଆତଙ୍କବାଦ ପ୍ରସଙ୍ଗକୁ ନେଇ ତାଲିବାନକୁ କଲେ ଟାର୍ଗେଟ। କହିଲେ ଆତଙ୍କବାଦୀଙ୍କୁ ଚୋରା ଅସ୍ତ୍ରଶସ୍ତ୍ର ଚାଲାଣ ବନ୍ଦ କରିବାକୁ ପଡିବ। ଆତଙ୍କବାଦ ବିରୋଧ ଲଢେଇରେ ଭାରତକୁ ସାମିଲ ହେବାକୁ ଆହ୍ଵାନ କରିଛନ୍ତି ବିଲାୱଲ ଭୁଟ୍ଟୋ। କହିଛନ୍ତି, ଭାରତ ଦୀର୍ଘ ସମୟ ଧରି ପାକିସ୍ତାନକୁ ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଆସୁଛି। କିନ୍ତୁ ସେ ପ୍ରତ୍ୟେକ ଥର ନିଜର ଦାୟିତ୍ୱ ଏଡାଇ ଦେଉଥିଲା।ଭାରତ ଏବଂ ପାକିସ୍ତାନ ପରସ୍ପରର ବିରୋଧୀ ନୁହଁନ୍ତି। ଇସଲାମାବାଦ ପଲିସି ରିସର୍ଚ୍ଚ ଇନଷ୍ଟିଚ୍ୟୁଟରେ ଆୟୋଜିତ ଏକ ଅନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇ ବିଲାୱାଲ ଭୁଟ୍ଟୋ ଏହା କହିଛନ୍ତି।
ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନ ଭାରତ ସହିତ ଏକ ଐତିହାସିକ ଏବଂ ଅଭୂତପୂର୍ବ ସହଭାଗିତା ଗଠନ କରିବାକୁ ପ୍ରସ୍ତୁତ। ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ଭାବରେ ରହିବା ଉଚିତ ଏବଂ ଆତଙ୍କବାଦୀଙ୍କଠାରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଆଗକୁ ଆସିବା ଉଚିତ । ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରହିବା ଯୋଗୁଁ ବିଲାୱାଲ ଭୁଟ୍ଟୋ ଅନେକ ଥର ଭାରତ ବିରୁଦ୍ଧରେ କଠୋର ଶବ୍ଦ ବ୍ୟବହାର କରିଥିଲେ। କିନ୍ତୁ ଏବେ ସେ ସମସ୍ତ ବିଚାରାଧୀନ ବିବାଦର ସମାଧାନ ପାଇଁ ଭାରତ ସମ୍ମୁଖରେ ହାତ ଯୋଡିଛନ୍ତି।ପାଣିକୁ ଅସ୍ତ୍ର କରନାହିଁ ବୋଲି ଭାରତକୁ ନିବେଦନ କରିଛନ୍ତି ବିଲାୱଲ ଭୁଟ୍ଟୋ। ଗତ ୨୨ ଏପ୍ରିଲରେ ପହଲଗାଓଁରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିବା ସମେତ ଅନେକ ବଡ଼ ନିଷ୍ପତ୍ତି ନେଇଥିଲା। ଯାହାକୁ ନେଇ ପାକିସ୍ତାନ ସିମଲା ଚୁକ୍ତିନାମାକୁ ବାତିଲ କରିଦେଇଥିଲା । ଭାରତର କାର୍ଯ୍ୟାନୁଷ୍ଠାନ ପରେ ବିଲାୱାଲ ଭୁଟ୍ଟୋ କହିଥିଲେ ଯେ ସିନ୍ଧୁ ନଦୀରେ ପାଣି କିମ୍ବା ସେମାନଙ୍କର ରକ୍ତ ପ୍ରବାହିତ ହେବ।
ହିମାଚଳରେ ବର୍ଷାର ତାଣ୍ଡବ, ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ
ନନ୍ଦିଘୋଷ ବ୍ୟୁରୋ : ହିମାଚଳରେ ବର୍ଷାର ତାଣ୍ଡବ। ବାଦଲଫଟା ବର୍ଷାରୁ ସ୍ଥିତି ବେକାବୁ ହୋଇଛି। ଭୂସ୍ଖଳନ, କୋଠା ଭୁଶୁଡ଼ିବା ସହ ଅନେକ ଲୋକଙ୍କ ମୃତ୍ୟୁ ହେଲାଣି। ମୌସୁମୀ ପ୍ରକୋପ ସହିତ ଲଢେଇ କରୁଛନ୍ତି ହିମାଚଳ ପ୍ରଦେଶବାସୀ। କିଛି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ଯାହା ଫଳରେ ରାସ୍ତା ଅବରୋଧ, ଭୂସ୍ଖଳନ, କୋଠା ଭୁଶୁଡ଼ି ପଡ଼ିବା ଖବର ଆସିଛି। ମୌସୁମୀ ବର୍ଷାରୁ ଏବେଯାଏଁ ୫୧ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ସିମଲା ଓ ମଣ୍ଡି। ୨୦ ଜଣ ନିଖୋଜ ହୋଇଯାଇଛନ୍ତି। ବିଶେଷକରି ପାହାଡିଆ ଏବଂ ମାଟି ଧସୁଥିବା ଅଂଚଳରେ ପର୍ଯ୍ୟଟକ ଯାତ୍ରା ନକରିବାକୁ ପରାମର୍ଶ ଦିଯାଆଇଛି। ଚମ୍ବା, କୁଲୁ, ସିମଲା, କାଙ୍ଗଡ଼ା, ଉନା, ହମିରପୁର, ବିଳାସପୁର, ମଣ୍ଡି, ସୋଲନ ଏବଂ ସିରମୌର ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ରେକର୍ଡ ହୋଇଛି। ସିମଲା, ସିମୌର, ମଣ୍ଡି ଏବଂ କାଙ୍ଗଡ଼ା ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ଦ୍ବିତୀୟ ଦିନରେ କଳାବ୍ୟାଜ ପିନ୍ଧି ପ୍ରତିବାଦ
ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଦ୍ବିତୀୟ ଦିନରେ କଳାବ୍ଯାଜ ପିନ୍ଧି ପ୍ରତିବାଦ। ସମୂହ ଛୁଟିରେ ଅଧିକାରୀ ଓ କର୍ମଚାରୀ। ସୁରକ୍ଷିତ ବାତାବରଣ ନଫେରିବା ଯାଏ କାମ କରିବାକୁ ନାରାଜ କର୍ମଚାରୀ। ବିଏମସି ମେୟରଙ୍କ ଅଧ୍ୟକ୍ଷତାରେ ଆଜି ବସିଥିଲା ଗୁରୁତ୍ବପୁର୍ଣ ବୈଠକ। ଷ୍ଟାଣ୍ଡିଂ କମିଟି ଅଧ୍ଯକ୍ଷଙ୍କ ସମେତ ସ୍ମାର୍ଟସିଟି ଅଧିକାରୀ ଥିଲେ ଉପସ୍ଥିତ। ବିଏମସି ଅଫିସରେ ସିସିଟିଭି କାମ କରୁ ନଥିବା ନେଇ ହୋଇଥିଲା ଅଭିଯୋଗ। ସେହିପରି ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ସୁରକ୍ଷା ଏଜେନ୍ସିକୁ ଦୋଷ ଦେଇଛନ୍ତି ଅଧିକାରୀ ଓ କର୍ମଚାରୀ। ତେଣେ ସ୍ମାର୍ଟ ସିଟି ଅଧୀନରୁ ବିଏମସି ଅଫିସ ଭିତର ସିସିଟିଭିକୁ ନିଜ ନିୟନ୍ତ୍ରଣକୁ ନେଇଛି ବିଏମସି I ଘଟଣାର ମାଷ୍ଟର ମାଇଣ୍ଡ ସମେତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି କରିଛନ୍ତି ମେୟର। ତେଣେ ମାଡ଼ ଘଟଣା ପରେ ବଦଳିଛି ସିକୁରିଟି ବ୍ୟବସ୍ଥା। ଏଣିକି ଗନମ୍ୟାନ୍ ଜଗିବେ ବିଏମସି ଅଫିସ I
ଭୁବନେଶ୍ୱର ମହାନଗର ନିଗମରେ ୨ ଦିନ ହେଲା କାର୍ଯ୍ୟବନ୍ଦ ରହିଛି। ଚାଲିଛି କେବଳ ପରିମଳ କାମ । ବିଏମସି କମିଶନର ଓ ଅତିରିକ୍ତ କମିଶନରଙ୍କ ସହ ଆଲୋଚନା କରିଛନ୍ତି ପୋଲିସ କମିଶନର I ଘଟଣାର ତଦନ୍ତ ଚାଲିଛି। ୫ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୋଲିସ କମିଶନର। ଦୁଇଦିନ ବିତିଯାଇଥିଲେ ସୁଦ୍ଧା ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଇନାହିଁ। ଜଗନ୍ନାଥଙ୍କ ଗିରଫ ଦାବିରେ ଜୋର ଧରୁଛି ଆନ୍ଦୋଳନ।
‘ରଥଯାତ୍ରା ମହାବିଭ୍ରାଟ ନେଇ ପୁରୀକୁ ଯିବାକୁ ଡରୁଛନ୍ତି ଭକ୍ତ’
ଭୁବନେଶ୍ବର : ଘନ ଘନ ସମୀକ୍ଷା, ଜୋରଦାର ପ୍ରସ୍ତୁତି ହେଲେ ଫଳ ଶୂନ। ପୁରୀରେ ରଥ ବିଭ୍ରାଟ ପରେ ଦଳାଚକଟାରେ ଲୋକେ ମଲେ।ପ୍ରଥମବର୍ଷ ରଥଯାତ୍ରାରୁ କିଛି ଶିଖିଲେନି ବିଜେପି ସରକାର। ରଥଯାତ୍ରା ପରିଚାଳନାରେ ସଂପୂର୍ଣ୍ଣ ଫେଲ। ସରକାର କେବଳ ସମୀକ୍ଷା ବୈଠକ କରି ଫଟୋ ଉଠାଇ ନିଜର କାମ ସାରିଦେଉଛନ୍ତି। ଭିଡ ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି। ଏସବୁ ପରେ ପୁରୀ ଯିବାକୁ ଭୟ କଲେଣି ଭକ୍ତ। ରଥଯାତ୍ରାରେ ପୋଲିସକୁ ଯେପରି ସଜାଗ ରଖିବା କଥା ବିଜେପି ସରକାର ତାହା କଲେନି। ୨୪ ବର୍ଷ ଭିତରେ ନବୀନ ପଟ୍ଟନାୟକ ଶାସନରେ ଏମିତି କେବେ ଘଟିନଥିଲା। ଗୁଣ୍ଡିଚା ମନ୍ଦିର ଆଗରେ ଦଳଚକଟା ସମୟରେ ମନ୍ଦିର ପ୍ରଶାସନ ଓ ପୋଲିସ କଣ କରୁଥିଲେ ବୋଲି ପ୍ରଶ୍ନ କରିଛି ବିଜେଡି। ସେପଟେ କଂଗ୍ରେସ କହିଛି ରଥଯାତ୍ରା ବିଭ୍ରାଟ ପାଇଁ ବିଜେପି ସରକାର ଧ୍ବଂସ ହୋଇଯିବ। ଗତବର୍ଷ ବଡ ଠାକୁରଙ୍କୁ ଚାଳମାଳରେ ପକାଇଦେଲେ। ଆଉ ଏବେ ଦଳାଚକଟାରେ ଭକ୍ତଙ୍କ ଗଲା ଜୀବନ। ରଥଯାତ୍ରା ଦିନ ନନ୍ଦିଘୋଷ କିଛି ପହଣ୍ଡ ମାତ୍ର ଗଡିଲା। ଏହା କଣ ବିଜେପି ସରକାରର ଓଡିଆ ଅସ୍ମିତା ବୋଲି ପଚାରିଛି କଂଗ୍ରେସ ।
ଗୁଣ୍ଡିଚା ଯାତ୍ରାରେ ବିଶୃଙ୍ଖଳା ପରେ ବାହୁଡ଼ା ଯାତ୍ରାକୁ ସୁରୁଖୁରୁରେ ଶେଷ କରିବାକୁ ଅଣ୍ଟା ଭିଡିଛନ୍ତି ସରକାର। ଠେଲାପେଲା, ଦଳାଚକଟା କିପରି ନହେବ। ପରମ୍ପରା ଅନୁସାରେ ସବୁ କାମ କିପରି ହେବ ସେ ନେଇ ମୁଖ୍ୟମନ୍ତ୍ରୀ ପୁରୀ ଯାଇ ସମୀକ୍ଷା କରିଛନ୍ତି।ତେବେ ପରିଚାଳନାରେ ସରକାର ବିଫଳ ପରେ ବିରୋଧୀ ସରକାରଙ୍କୁ ଘନଘନ ଟାର୍ଗେଟ କରୁଛନ୍ତି। ସେପଟେ ଆଇନମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ରଥଯାତ୍ରା ସୁରୁଖୁରୁରେ ହେବ।ଜଗନ୍ନାଥଙ୍କ ଆଶୀର୍ବାଦରେ ରଥଯାତ୍ରା ଭଲରେ ଶେଷ ହେବ। ଏଥିଲାଗି ଯାହା ଆବଶ୍ୟକ ସବୁ ବ୍ୟବସ୍ଥା କରାଯାଇଛି କହିଛନ୍ତି ଆଇନମନ୍ତ୍ରୀ । ଆଗକୁ ବାହୁଡ଼ା ଯାତ୍ରା, ସୁନାବେଶ ଓ ନିଳାଦ୍ରୀବିଜେ। ଏହାକୁ ସୁରୁଖୁରୁରେ ଶେଷ କରିବାକୁ ବିରୋଧୀ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ଅନ୍ୟପଟେ ରଥଯାତ୍ରା ବିଭ୍ରାଟକୁ ନେଇ ଥମୁନି ରାଜନୈତିକ ବୟାନବାଜି।
ଭାରତୀୟ ପାଣିପାଗ ବିଭାଗର ଆକଳନକୁ ନେଇ ଚିନ୍ତାରେ ରାଜ୍ୟବାସୀ
ଭୁବନେଶ୍ବର : ଟଳୁନି ବନ୍ୟା ଆଶଙ୍କା । ମେ’ ମାସର ପ୍ରାକ୍-ମୌସୁମୀ ପରେ ମୌସୁମୀ ଓ ଦୁଇ ଦୁଇଟି ଲଘୁଚାପ ଯୋଗୁଁ ଜୁନରୁ ଜୁଲାଇ ଭିତରେ ବଢ଼ିଛି ବର୍ଷାର ପରିମାଣ। ବର୍ତ୍ତମାନ ସୁଦ୍ଧା ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିଛି। ସୁବର୍ଣ୍ଣରେଖା ନଦୀରେ ବନ୍ୟା ଯୋଗୁଁ ୪୬ଟି ପଞ୍ଚାୟତ ପ୍ରଭାବିତ ହୋଇଥିଲା । ଏବେ ପୁଣି ଜୁଲାଇରେ ପ୍ରବଳ ବର୍ଷିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି। ଜୁଲାଇରେ ରାଜ୍ୟରେ ଦେଖା ଦେଇପାରେ ବନ୍ୟା ଆଶଙ୍କା। ଜୁନ୍ ପହିଲାରୁ ଜୁଲାଇ ୧ ତାରିଖ ମଧ୍ୟରେ ମୟୂରଭଞ୍ଜରେ ୪୭୨.୮ ମିଲିମିଟର ବର୍ଷା ହୋଇଛି। ଯାହାକି ସ୍ବାଭାବିକ ଠାରୁ ୬୯% ଅଧିକ। ସେହିଭଳି ବାଲେଶ୍ଵରରେ ୨୮%, କେନ୍ଦୁଝରରେ ୪୦% ଓ ଭଦ୍ରକରେ ୧୬% ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ କହିଛି, ଜୁଲାଇରେ କେନ୍ଦ୍ରୀୟ ଭାରତ ଓ ସଂଲଗ୍ନ ଦକ୍ଷିଣ ଉପଦ୍ବୀପ ଅଞ୍ଚଳରେ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି। ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, ଓଡ଼ିଶା ତଥା ସଂଲଗ୍ନ ଅଞ୍ଚଳ ସମେତ ବିଦର୍ଭ, ତେଲେଙ୍ଗାନା, ଗୁଜରାଟ ଓ ମହାରାଷ୍ଟ୍ରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଇଏମଡି। ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି। ଅନ୍ୟପଟେ ସୁବର୍ଣ୍ଣରେଖାର ଜଳ ଧାରଣ କ୍ଷମତା ଓଡ଼ିଶାର ନଥିବାରୁ ଆହୁରି ବଢିଛି ବିପଦ।
ସ୍ବାଭାବିକ ଠାରୁ ଅଧିକ ବର୍ଷା କିଛି ଜିଲ୍ଲା ପାଇଁ ଶୁଭଙ୍କର ହୋଇପାରେ । ଗଜପତି, ନୂଆପଡ଼ା ଓ ଝାରସୁଗଡ଼ାରେ ସ୍ବାଭାବିକ ଠାରୁ କମ୍ ବର୍ଷା ହୋଇଛି । ଆଗକୁ ହେବାକୁ ଥିବା ଲଘୁଚାପ ବର୍ଷା ଏହାର ଭରଣା କରିପାରେ। ହେଲେ ଉତ୍ତର ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶା ପ୍ରତି ବିପଦ ରହିଛି । ଯେଉଁଥି ପାଇଁ ଚାଷ କାମକୁ ବାରଣ କରିଛି ଓୟୁଏଟି । ବର୍ଷାର ପରିମାଣ ବଢୁଥିବାରୁ ସାର ସିଞ୍ଚନ ଓ ତଳିବୁଣା କ୍ଷତି ଆଣିବାର ସମ୍ଭାବନା ରହିଛି । ଉତ୍ତର ଓଡ଼ିଶା ଉପରେ ଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରୁଛି। ଏହାର ପ୍ରଭାବରେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବା ସହ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏଥିସହ ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ ବରଗଡ଼ରେ ବି ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।
ଗୁଜରାଟ ମଡେଲରେ ଜିଲ୍ଲା ସଭାପତି ଚୟନ କରିବ ଓଡିଶା କଂଗ୍ରେସ
ଭୁବନେଶ୍ବର : ଓଡିଶା କଂଗ୍ରେସରେ ଗୁଜରାଟ ମଡେଲ । ‘ସଂଗଠନ ସୂର୍ୟନ’ ଚୟନ କରିବ ଜିଲ୍ଲା ସଭାପତି । ଏଆଇସିସି ଭିଡିଲା ଅଣ୍ଟା । ମାସେ ଭିତରେ ସରିବ ପ୍ରକ୍ରିୟା । ୧୧ରେ ଓଡିଶା ଆସୁଛନ୍ତି ରାହୁଲ ଓ ଖଡଗେ । ସୁପାରିସ କି ଲବି ନୁହେଁ। ଜିଲ୍ଲାସ୍ତରରୁ ଏଆଇସିସିର ଟିମ ଚୟନ କରିବେ ଜିଲ୍ଲା କଂଗ୍ରେସ ସଭାପତି। ପଡୋଶୀ ରାଜ୍ୟର କ୍ୟାବିନେଟ ଓ ପିସିସି ସ୍ତରର ଜଣେ ଜଣେ ନେତା ଜିଲ୍ଲା ଗସ୍ତରେ ଯିବେ । ସେମାନେ ଲଗାତାର କିଛି ଦିନ ଧରି ଜିଲ୍ଲାସ୍ତରୀୟ ସଂଗଠନର ତର୍ଜମା କରିବେ । ଏହାପରେ ସେହି ସଦସ୍ୟମାନେ ଜିଲ୍ଲାର ସଭାପତି ଓ କମିଟି ଗଠନ କିଭଳି ହେବ ତାହା ଚୟନ କରିବେ । ୬ ରୁ ୮ ଜଣଙ୍କୁ ନେଇ ଜିଲ୍ଲା କମିଟି ଗଠନ ହେବ । ପିସିସିର ୩୫ଟି ସାଂଗଠନିକ ଜିଲ୍ଲା ସଭାପତି ଚୟନ କରିବାକୁ ଏଆଇସିସି ଓଡିଶାରେ ଗୁଜରାଟ ମଡେଲ ଆପଣାଇଛି । ଗୁଜରାଟ ମଡେଲ ଦ୍ବାରା ଜିଲ୍ଲା ସଭାପତିଙ୍କୁ ଅଧିକ କ୍ଷମତା ଦିଆଯିବ ବୋଲି ପିସିସି ସଭାପତି କହିଛନ୍ତି । ନିର୍ବାଚନ ନୁହେଁ, ସିଲେକ୍ସନ ଭିତ୍ତିରେ କମିଟି ଗଠନ କରାଯିବ । ଏହି ପ୍ରକ୍ରିୟା ଆସନ୍ତା ମାସରେ ଆରମ୍ଭ ହୋଇ ଏକ ମାସ ମଧ୍ୟରେ ସରିବ ବୋଲି ପିସିସି ସଭାପତି କହିଛନ୍ତି । ‘ସଂଗଠନ ସୂର୍ୟନ’ ନାମରେ ଅଭିଯାନ ଆରମ୍ଭ କରାଯିବ। ମଧ୍ୟବର୍ତ୍ତୀକାଳୀନ ସଭାପତିମାନଙ୍କୁ ‘ଜିଲ୍ଲା ସଂଯୋଜକ’ ଭାବେ ନାମିତ କରାଯିବ ବୋଲି କହିଛନ୍ତି ପିସିସି ସଭାପତି ।
ଆସନ୍ତା ୧୧ ତାରିଖରେ ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ । ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ “ସମ୍ବିଧାନ ବଞ୍ଚାଓ” ସମାବେଶରେ ଯୋଗ ଦେବେ । ନାରୀ ନିର୍ଯାତନା, ଚାଷୀଙ୍କୁ ଅବହେଳା, ଯୁବକଙ୍କୁ ପ୍ରତାରଣା ଆଦି ୫ଟି ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧୀ ସମାବେଶରେ ଡବଲ ଇଞ୍ଜିନ ସରକାରକୁ ପ୍ରଶ୍ନ କରିବେ । ରାହୁଲଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ଓ ସାଧାରଣ ସମ୍ପାଦକ ଆସିବେ। ଦିନିକିଆ ଓଡିଶା ଗସ୍ତରେ ରାହୁଲ ଗାନ୍ଧୀ ସମାବେଶରେ ଯୋଗଦେଇ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେବା ସହ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିବାର କାର୍ଯକ୍ରମ ରହିଛି । ରାହୁଲଙ୍କ ଓଡିଶାଗସ୍ତ ନେଇ ଉତ୍ସାହିତ ଅଛନ୍ତି କଂଗ୍ରେସ କର୍ମୀ ଓ ନେତା । ଡବଲ ଇଞ୍ଜିନ ସରକାରଙ୍କ ବିଫଳତାକୁ ରାହୁଲ ମୁଖ୍ୟ ପ୍ରସଙ୍ଗ କରି ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ବିଜେପି ସରକାର ଓଡିଶାବାସୀଙ୍କୁ ଯେପରି ପ୍ରତାରଣ କରିଛନ୍ତି ତାହା ଲୋକଙ୍କୁ ବୁଝାଇବ ଦଳ । ରାହୁଲଙ୍କ ଓଡିଶା ଗସ୍ତକୁ ନେଇ ଚଳଚଞ୍ଚଳ କଂଗ୍ରେସ । ଦୁର୍ବଳ ସଂଗଠନକୁ ସଜାଡିବା ପଇଁ ଏଆଇସିସି ଓଡିଶାକୁ ଫୋକସ କରିଛି ।
ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ସାରା ରାଜ୍ୟରେ ସରକାରୀ ଦପ୍ତରରେ କାମ ଠପ
ନନ୍ଦିଘୋଷ ବ୍ୟୁରୋ ; ସାରା ରାଜ୍ୟରେ ସରକାରୀ ଦପ୍ତରରେ କାମ ଠପ । ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ସମୂହ ଛୁଟିରେ ଗଲେ ଓଏଏସ ଅଫିସର । ସରକାରଙ୍କ ଜିଦ ଯୋଗୁ ଲୋକେ ହନ୍ତସନ୍ତ । ସାରା ରାଜ୍ୟରେ ଜୋର ଧରିଲା ବିଜେପି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବି । ଜଗନ୍ନାଥ ପ୍ରଧାନଙ୍କ ଇଙ୍ଗିତରେ ଆକ୍ରମଣ ହୋଇଥିବାରୁ ସେ ହେଉଛନ୍ତି ମାଷ୍ଟରମାଇଣ୍ଡ । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବା ପର୍ଯ୍ୟନ୍ତ ସମୂହ ଛୁଟିରେ ରହିବାକୁ ସବୁ ଜିଲ୍ଲାରେ ଓଏଏସ ଅଫିସର ନେଇଛନ୍ତି ନିଷ୍ପତ୍ତି । ଓଏଏସ ଅଫିସରମାନେ ସମୂହ ଛୁଟିରେ ଯାଇଥିବାରୁ ଜିଲ୍ଲାରେ ପ୍ରଶାସନିକ କାମ ଠପ । ସବୁ ସରକାରୀ ଅଫିସ ଖାଁ ଖାଁ, ଚେୟାର ଟେବୁଲ ବି ଖାଲି ପଡିଛି । ନିଜ ନିଜର ସମସ୍ୟାକୁ ନେଇ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି ।
ବିଏମସିର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କ ଉପରେ ଆକ୍ରମଣ ଘଟଣାକୁ ଏ ଭିତରେ ତିନି ଦିନ ହେଲାଣି । ବାରମ୍ବାର ଦାବି ପରେ ପୋଲିସ ଗତକାଲି ସୁଦ୍ଧା ୫ଜଣଙ୍କୁ ଗିରଫ କରିଛି । ହେଲେ ମୁଖ୍ୟ କାର୍ପଟଦାର ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରାଯାଉନି । ଖୋଦ ରତ୍ନାକର ସାହୁ ତାଙ୍କ ଏଫଆଇଆରରେ ଜଗନ୍ନାଥ ପ୍ରଧାନଙ୍କ ନିର୍ଦ୍ଦେଶରେ ଆକ୍ରମଣ ହୋଇଥିବା କହିଥିବା ବେଳେ ଓଏଏସ ସଂଘ ମଧ୍ୟ ଜଗନ୍ନାଥ ପ୍ରଧାନଙ୍କୁ ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ କରିଛି । ତଥାପି ତାଙ୍କୁ ଏଯାଏଁ ଗିରଫ କରାଯାଉନି । ଏହାର ଫଳସ୍ବରୂପ ରାଜ୍ୟ ସାରା ସରକାରୀ କାର୍ଯ୍ୟାଳୟରେ କୌଣସି କାମ ହେଉନି । କିନ୍ତୁ ସରକାରଙ୍କୁ ନେଇ କୌଣସି ନିଘା ଥିଲା ଭଳି ଲାଗୁନି । ନିଜ ଦଳର ନେତାଙ୍କୁ ସୁରକ୍ଷା ଦେବାକୁ ଯାଇ ଦିନକୁ ଦିନ ଏହି ବିବାଦ ଅଧିକ ଜଟିଳ ହେବାରେ ଲାଗିଛି । ଏବେ ସାଧାରଣ ଲୋକ ବି ଏହି ବିବାଦରେ ଛନ୍ଦି ହୋଇ ହନ୍ତସନ୍ତ ହେଉଛନ୍ତି । ଜଗନ୍ନାଥ ପ୍ରଧାନଙ୍କୁ ଗିରଫ ନକରାଯିବା ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିବ ନାହିଁ ବୋଲି ଦୃଢ ଭାବେ ଅଫିସରମାନେ କହୁଛନ୍ତି । ସବୁ କିଛି ନିର୍ଭର କରୁଛି ସରକାରଙ୍କ ଉପରେ ।
ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା, ରତ୍ନାକର ସାହୁ ଅସୁସ୍ଥ, ମେଡିକାଲରେ ଭର୍ତ୍ତି
ଭୁବନେଶ୍ବର : ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା। ଅତିରିକ୍ତ କମିଶନର ରତ୍ନାକର ସାହୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ନିଜ ଚାମ୍ବରରେ ବସିଥିବା ବେଳେ ହଠାତ୍ ଖସିପଡ଼ିଲେ ରତ୍ନାକର। ତାଙ୍କୁ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ରେ ହସ୍ପିଟାଲକୁ ନିଆଯାଇଥିଲା। ଗତ ସୋମବାର ଦିନ ବିଏମସି କାର୍ଯ୍ୟାଳୟରେ ଅତିରିକ୍ତ କମିଶନର ରତ୍ନାକଣ ସାହୁଙ୍କୁ ଆକ୍ରମଣ କରିଥିଲେ ବିଜେପି ନେତା। ଏହି ଘଟଣାକୁ ନେଇ ସାରା ରାଜ୍ୟରେ ପ୍ରକାଶ ପାଇଛି ପ୍ରତିକ୍ରିୟା। ସରକାରୀ କାର୍ଯ୍ୟାଳୟରେ ଜଣେ ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରାଯିବା ଘଟଣାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ଓଏଏସ ସଂଘ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଓଏଏସ ସଂଘ ଦାବି କରିବା ସହ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

