spot_img
Home Blog Page 6446

ଅନ୍ଧାର ରାସ୍ତାରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ମୋହନା: ଅନ୍ଧାରର ସୁଯୋଗ ନେଇ ଚୋରା ଚାଲାଣ । ବେଆଇନ୍ ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଲେ ୨ ଅଭିଯୁକ୍ତ । ଗଜପତି ଜିଲ୍ଲା ଅଡ଼ବା ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ପାଟ୍ରୋଲିଂ ବେଳେ ପୋଲିସ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ଧରିଛି । ରବିବାର ସନ୍ଧ୍ୟା ପ୍ରାୟ ୫ଟା ୩୦ ବେଳେ ପୋଲିସ ଛୁଡ଼ଙ୍ଗପୁର, କେଶରୀଗୁଡ଼ା ଅଞ୍ଚଳରେ ପାଟ୍ରୋଲିଂ କରିଥିଲେ । ସେହି ସମୟରେ ଉକ୍ତ ରାସ୍ତା ଦ୍ରୁତଗତିରେ ଯାଉଥିଲେ ଏକ ପିକଅପ୍ ଭ୍ୟାନ୍ ।

ପୋଲିସର ସନ୍ଦେହ ହେବାରୁ ଗାଡ଼ିକୁ ଯାଞ୍ଚ ପାଇଁ ଅଟକାଇଥିଲା । ଆଉ ଯାଞ୍ଚ ପରେ ମିଳଥିବା ୧୬ କ୍ୱିଣ୍ଟାଲର ସବୁଜ ଜହର । ପୋଲିସ ଘଟଣାରେ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଜଣ ଗଞ୍ଜାମ ଜିଲ୍ଲା କଂସାମାରୀ ଗାଁର ଏସ୍. ଡିଲେସ ଦୋରା ଓ ଧରମପୁର ଗାଁର ସନ୍ତୋଷ ସାହୁ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି । ଆସନ୍ତାକାଲି ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ।

ନାବାଳିକାଙ୍କୁ ବଳି ପକାଇବାକୁ ଅପହରଣ ବେଳେ ୩ ଗିରଫ

ଆସିକା: ପୋଲିସ କବଜାରେ ଅପହରଣକାରୀ । ଆସିକା ପୋଲିସ ୩ ଜଣ ଅପହରଣକାରୀଙ୍କୁ ଗିରଫ କରିଛି । ଗିରଫ ଅପହରଣକାରୀମାନେ ଜଣେ ନାବାଳିକାଙ୍କୁ ବଳି ପକାଇବା ପାଇଁ ଅପହରଣ କରୁଥିଲେ । ପୋଲିସ ଅପହରଣ ଉଦ୍ୟମକୁ ପଣ୍ଡ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ପୋଲିସ ଖଣ୍ଡା ସହ ବାଇକ୍ ମଧ୍ୟ ଜବତ କରିଛି ।

ଗତ କିଛିଦିନ ତଳେ ନାବାଳିକାଙ୍କୁ କିଣିବା ପାଇଁ ଭାଇଙ୍କ ସହ ରାମଚନ୍ଦ୍ରପୁର ଓ ପିତ୍ତଳ ଅଞ୍ଚଳର ତିନିଜଣ କଥାବାର୍ତ୍ତା କରିଥିଲେ । ଏନେଇ ଆସିକା ଥାନାରେ ଅଭିଯୋଗ ହୋଇଥିଲା । ଆଜି ୩ ଅଭିଯୁକ୍ତ ନାବାଳିକାଙ୍କୁ ଅପହରଣ କରିବା ବେଳେ ପୋଲିସ ହାବୁଡ଼ରେ ପଡ଼ିଥିଲେ । ସେମାନଙ୍କଠାରୁ ମାରଣାସ୍ତ୍ର ଜବତ କରାଯାଇଛି ।

 

Lockdownରେ ବୁକିଂ ହୋଇଥିବା ଫ୍ଲାଇଟ୍ ଟିକେଟର ପୂରା ଅର୍ଥ ମିଳିବ ଫେରସ୍ତ, ସୁପ୍ରିମକୋର୍ଟଙ୍କୁ ସୂଚନା ଦେଲା DGCA

ନୂଆଦିଲ୍ଲୀ: ଲକଡାଉନରେ ବୁକିଂ ହୋଇଥିବା ବିମାନ ଟିକେଟର ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ମିଳିବ । ଏନେଇ ସୁପ୍ରିମକୋର୍ଟଙ୍କୁ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ । ମାର୍ଚ୍ଚ ୨୫ରୁ ମେ ୨ ମଧ୍ୟରେ ଯାତ୍ରା ପାଇଁ ବୁକିଂ ହୋଇଥିବା ସମସ୍ତ ଟିକେଟ କ୍ଷେତ୍ରରେ ଏହା ଲାଗୁ ହେବ । ଏଥିର ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣ ଟିକେଟ୍ ସାମିଲ ରହିଛି । ଜୁନ୍ ୧୩ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ ପରେ DGCA ଏ ସୂଚନା ଦେଇଛନ୍ତି । ସୁପ୍ରିମକୋର୍ଟ ଘରୋଇ ଘରୋଇ ବିମାନ ଉଡ଼ାଣକାରୀ ସଂସ୍ଥା ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟକୁ ଆଦେଶ ଦେଇଥିଲେ । କୁହାଯାଇଥିଲା ଯାତ୍ରୀଙ୍କ ଟିକେଟ୍ ବାତିଲ୍ ପରେ ରିଫଣ୍ଡ ନେଇ କୌଣସି ରାସ୍ତା ବାହାର କରାଯାଉ ।

DGCAଙ୍କ ପକ୍ଷରୁ କୁହାଯାଇଛି ବୁକ୍ ହୋଇଥିବା ଟିକଟ ଅର୍ଥ ରିଫଣ୍ଡ ନହେବା ଓ ଗ୍ରାହକଙ୍କ ଇଚ୍ଛା ବିରୋଧରେ କ୍ରେଡିଟ୍ ସେଲ୍ ତିଆରି କରିବା ନିୟମର ଉଲ୍ଲଂଘନ ଅଟେ । ସୁପ୍ରିମକୋର୍ଟରେ ଦାଏର ପିଟିସନରେ କୁହାଯାଇଛି କିଛି ଯାତ୍ରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କ୍ରେଡିଟ୍ ସେଲ ବ୍ୟବହାର କରିବାକୁ ଇଚ୍ଛୁକ ନାହାଁନ୍ତି । ବିମାନ ବାତିଲ୍ ପରେ ଯାତ୍ରୀଙ୍କୁ ସମ୍ପୂର୍ଣ୍ଣ ରିଫଣ୍ଡ ମିଳିବା ଉଚିତ୍ ।

ଏପ୍ରିଲରେ ସରକାର ଦେଇଥିଲେ ରିଫଣ୍ଡ ନିର୍ଦ୍ଦେଶ

କେନ୍ଦ୍ର ସରକାର ଏପ୍ରିଲ ମାସରେ ଏୟାରଲାଇନ୍ସକୁ ଟିକେଟ୍ ବାତିଲ୍ ଚାର୍ଜ ବିନା ସମ୍ପୂର୍ଣ୍ଣ ଅର୍ଥ ଫେରସ୍ତ ଦେବାକୁ କହିଥିଲେ । ମାର୍ଚ୍ଚ ୨୫ରୁ ୧୪ ଏପ୍ରିଲ ମଧ୍ୟରେ ହୋଇଥିବା ଟିକେଟ୍ ବୁକିଂ ହୋଇଥିବା ଏବଂ ଯାତ୍ରା ତାରିଖ ୧୫ ମାର୍ଚ୍ଚରୁ ମେ ୩ ମଧ୍ୟରେ ହୋଇଥିବା ଦରକାର । ଏଥିସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶାଳୟକୁ ଜଣାଇବା ସହ ବିମାନ କମ୍ପାନୀ ଯେଭଳି ଏହାର ପାଳନ କରିବେ ସୁନିଶ୍ଚିତ କରିବାକୁ କୁହାଯାଇଥିଲା ।

ଏୟାରଲାଇନ୍ସ ଏପ୍ରିଲ ପ୍ରଥମ ସପ୍ତାହରୁ ୧୪ ଏପ୍ରିଲ ପର ପାଇଁ ବିମାନ ବୁକିଂ ଆରମ୍ଭ କରି ଦେଇଥିଲେ । କାରଣ ଅନୁମାନ କରାଯାଉଥିଲା ଦେଶରେ ଲାଗୁ ହୋଇଥିବା ଲକଡାଉନ୍ ଏପ୍ରିଲ୍ ୧୪କୁ ହଟାଇ ଦିଆଯିବ ଓ ବିମାନ ସେବା ପୁଣିଥରେ ଆରମ୍ଭ ହେବ ।

Corona Updates: ସଂକ୍ରମଣକୁ ମାତ୍ ଦେଉଛି ଓଡ଼ିଶା, ଲକ୍ଷେ ମୁହାଁ ସୁସ୍ଥତା ସଂଖ୍ୟା

ଭୁବନେଶ୍ୱର: ସଂକ୍ରମଣ ସହ ଚାଲିଛି ସଂଘର୍ଷ । ଦିନକୁ ଦିନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ସୁସ୍ଥ ହେବାରେ ଲାଗିଛନ୍ତି ଆକ୍ରାନ୍ତ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୫୯୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟରେ ଏଯାବତ୍ ୯୬ ହଜାର ୩୬୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।

କଟକରୁ ସର୍ବାଧିକ ୪୩୧ରୁ ସୁସ୍ଥ ହୋଇଥିବା ବେଳେ ଖୋର୍ଦ୍ଧାରୁ ୩୮୬, ମୟୂରଭଞ୍ଜରୁ ୨୦୨, ଗଞ୍ଜାମରୁ ୧୪୨, ରାୟଗଡ଼ାରୁ ୧୨୦, କୋରାପୁଟରୁ ୧୦୮, ପୁରୀରୁ ୧୦୫, ଜଗତସିଂହପୁରରୁ ୭୮, ଭଦ୍ରକ ଓ ଯାଜପୁରରୁ ୭୭ ଜଣ ଲେଖାଏଁ, କେନ୍ଦ୍ରାପଡ଼ାରୁ ୭୫, ବରଗଡ଼ରୁ ୭୨, ବାଲେଶ୍ୱର ଓ ସମ୍ବଲପୁରରୁ ୭୧ ଜଣ ଲେଖାଏଁ, କେନ୍ଦୁଝରରୁ ୬୮, ନୟାଗଡ଼ରୁ ୬୭, ମାଲକାନଗିରିରୁ ୬୧, ଢେଙ୍କାନାଳରୁ ୫୯, ନବରଙ୍ଗପୁରରୁ ୫୭, ବଲାଙ୍ଗିର ୫୪, ଝାରସୁଗୁଡ଼ା ୪୪, ବୌଦ୍ଧରୁ ୩୪, ସୋନପୁର ଓ ସୁନ୍ଦରଗଡ଼ରୁ ୩୦ ଜଣ ଲେଖାଏଁ, କଳାହାଣ୍ଡିରୁ ୨୪, ଗଜପତିରୁ ୨୦, କନ୍ଧମାଳରୁ ୧୦, ନୂଆପଡ଼ାରୁ ୭, ଅନୁଗୁଳରୁ ୬ ଓ ଦେବଗଡ଼ରୁ ୪ ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ରାଜ୍ୟରେ ମୋଟ ୧ ଲକ୍ଷ ୨୪ ହଜାର ୩୨ଟି କରୋନା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ସେଥିମଧ୍ୟରୁ ୯୬ ହଜାର ୩୬୪ ଜଣ ସୁସ୍ଥ ହୋଇଥିବା ବେଳେ ୫୪୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ରାଜଧାନୀରୁ ଗତ ୨୪ ଘଣ୍ଟାରେ ୪୮୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨୦୪ଟି ମାମଲା ଆସିଥିବା ବେଳେ ୨୭୮ଟି ମାମଲା ହେଉଛି ସ୍ଥାନୀୟ ସଂକ୍ରମଣ । ସେହିଭଳି ଗତ ୨୪ ଘଣ୍ଟାରେ ୩୫୪ ଜଣ ସୁସ୍ଥ ହୋଇଥିବା ନେଇ ବିଏମସି ସୂଚନା ଦେଇଛି ।

SSR Case: କାଲି ପୁଣି ପଚରାଉଚରା ପାଇଁ ରିୟାଙ୍କୁ NCBର ନୋଟିସ୍

ମୁମ୍ବାଇ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମାମଲା ଏନସିବି ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରୁଛି । ପୁଣି ଥରେ କାଲି ଜେରା ପାଇଁ ରିୟାଙ୍କୁ ସମନ କରିଛି NCB । କାଲି ମଧ୍ୟ ରିୟାଙ୍କୁ ଜେରା ରହିବ । ତେବେ ସୂତ୍ର ଅନୁସାରେ NCB ଆଜି ରିୟାଙ୍କୁ ଗିରଫ କରିନପାରେ ।

ସୁଶାନ୍ତ ସିଂହ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ କନେକ୍ସନକୁ ନେଇ ତଦନ୍ତ କରୁଛି । ଡ୍ରଗ୍ସ ମାମଲାରେ ଏନସିବି ରିୟାଙ୍କ ଭାଇ ସୌଭିକଙ୍କୁ ଗିରଫ କରିଛି । ଆଉ ରିୟାଙ୍କୁ ଚାଲିଛି ଘନ ଘନ ଜେରା । ଏବେ ଏହି ମାମଲାରେ କାଲି ମଧ୍ୟ ରିୟାଙ୍କୁ ଏନସିବି ଜେରା କରିବ ।

ତେବେ, ଆଜି ଜେରା ବେଳେ ରିୟା କେତକ କଥାକୁ ମାନି ନେଇଥିବା ଜଣାପଡ଼ିଛି । ଏନସିବିର ପଚରାଉଚରାରେ ସୁଶାନ୍ତ ସିଂହଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ମାନିଛନ୍ତି ମାର୍ଚ୍ଚ ୧୭ରେ ସାମୁଏଲ ମିରାଣ୍ଡା ଡ୍ରଗ୍ସ ଆଣିବାକୁ ଜୈଦଙ୍କ ପାଖକୁ ଯାଇଥିଲେ । ଯାହା ବିଷୟରେ ଅବଗତ ଥିଲେ ରିୟା । ଏବଂ ସେ ସୌଭିକ ଡ୍ରଗ୍ସ ପେଡଲର ଜୈଦ ସହ ଡ୍ରଗ୍ସ କୋର୍ଡିନେସନ୍ କରିଥିଲେ ।

ଜେରା ବେଳେ ରିୟା କହିଛନ୍ତି- ଭାଇ ସୌଭିକଙ୍କ ଜରିଆରେ ସୁଶାନ୍ତଙ୍କ ପାଇଁ ଡ୍ରଗ୍ସ ମଗାଉଥିଲେ । ଏଥିସହ ରିୟା ମାର୍ଚ୍ଚ ୧୫ର ଚାଟକୁ ମାନିଛନ୍ତି । ସେଦିନ ଚାଟରେ ରିୟା ଓ ସୌଭିକ ଡ୍ରଗ୍ସ ନେଇ କଥା ହୋଇଥିଲେ । ଏପରିକି ଭାଇ ସୌଭିକଙ୍କ ଜରିଆରେ ଗିରଫ ହୋଇଥିବା ଡ୍ରଗ୍ସ ପେଡଲର ବାସିତଙ୍କ ଠାରୁ ଡ୍ରଗ୍ସ କିଣୁଥିବା ରିୟା NCB ଆଗରେ ମାନିଛନ୍ତି । ଏହି ଡ୍ରଗ୍ସ ଆଙ୍ଗଲର ଖୁଲାସା ପରେ କେତେଜଣ ଡ୍ରଗ ପେଡଲର୍ସ ଙ୍କ ନାମ ଆସିଛି । ଯାହାର ଯାଞ୍ଚ କରୁଛି ଏନସିବି ।

ନାର୍କୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ ବିଭିନ୍ନ ସ୍ଥାନରେ ରେଡ୍ କରିଛି । ରିୟା ସମେତ କେତକ ଡ୍ରଗ ପେଡଲର୍ସଙ୍କ ଘରେ ରେଡ୍ ହୋଇଛି । ଏନସିବି ରିୟାଙ୍କ ଭାଇ ସୌଭିକଙ୍କ ସମେତ ମାମଲାରେ ଏଯାଏଁ ୭ ଜଣଙ୍କୁ ଗିରଫ କରିଛି । ଏଥିରେ ସାମୁଏଲ, କରଣ, କୌଜାନ, ଦୀପେଶ ଓ ଜୈଦ ଅଛନ୍ତି । ଏବେ ଆଶଙ୍କା କରାଯାଉଛି ମାମଲାରେ ରିୟା ମଧ୍ୟ ଗିରଫ ହେବେ ।

୨୬ ବର୍ଷ ତଳେ ଠକି ନେଇଥିଲେ ୨,୨୧୨ ଟଙ୍କାର ଚେକ୍, ଏବେ ଦେଲେ ୫୫ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ଭୁଲ୍ ଛୋଟ ହେଲେ ବି ଆଇନ୍ ଆଖିରେ ତାହା ସମାନ । ଏମିତି ଅନେକ ସମୟରେ ଛୋଟ ଛୋଟ ଭୁଲ୍ ଭାରି ପଡ଼ିଯାଏ । ଏମିତି ଏକ ମାମଲା ଦେଖିବାକୁ ମିଳିଛି ସୁପ୍ରିମକୋର୍ଟରେ । ଯେଉଁଠି ଜଣେ ବ୍ୟକ୍ତି ୨୬ ବର୍ଷେ ତଳେ ଅର୍ଥାତ୍ ୧୯୯୪ ମସିହାରେ ନକଲି ଖାତା ଖୋଲି ଚେକ୍ ଜରିଆରେ ୨୨୧୨.୫ ଟଙ୍କା ବାହାର କରିଥିଲେ । ଏବେ ହାଇକୋର୍ଟରୁ ସୁପ୍ରିମକୋର୍ଟ ଯାଏଁ ଦୌଡ଼ିବା ପରେ ବ୍ୟକ୍ତି ଜଣଙ୍କୁ ୫୫ ଲକ୍ଷ ଟଙ୍କା ଫେରାଇବାକୁ ପଡ଼ିଛି । ସୁପ୍ରିମକୋର୍ଟ ଅପରାଧ ଅଭିଯୋଗରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଜରିମାନେ ଭାବେ ୫ ଲକ୍ଷ ଟଙ୍କା ଓ ଅଭିଯୋଗକୁ ସେଟଲମେଣ୍ଟ ପାଇଁ ୫୦ ଲକ୍ଷ ଟଙ୍କା ଦେଇଛନ୍ତି ବ୍ୟକ୍ତି ଜଣଙ୍କ । ଅର୍ଥାତ୍ ୫୫ ଟଙ୍କା ଦେବା ପରେ ମୀମାଂସା ହୋଇଛି ମାମଲା ।

ପୂରା ମାମଲା କଣ ?

ମହେନ୍ଦ୍ର କୁମାର ଶାରଦା ନାମକ ବ୍ୟକ୍ତି ଓମ୍ ମାହେଶ୍ୱରୀଙ୍କ ମ୍ୟାନେଜର ଭାବେ ୧୯୯୨ ମସିହା ମେ ଯାଏଁ କାମ କରୁଥିଲେ । ସେତେବେଳେ ଓମ୍ ମାହେଶ୍ୱରୀ ଦିଲ୍ଲୀ ଷ୍ଟକ୍ ଏକ୍ସଚେଞ୍ଜର ସଦସ୍ୟ ଥିଲେ । ୧୯୯୭ରେ ମାହେଶ୍ୱରୀ ଦିଲ୍ଲୀରେ ଶାରଦାଙ୍କ ବିରୋଧରେ ଏଫଆଇଆର୍ ଦେଇଥିଲେ । ଅଭିଯୋଗ କରିଥିଲେ ତାଙ୍କ ମ୍ୟାନେଜର ବେଆଇନ୍ ଭାବେ ତାଙ୍କ ନାମରେ ଆକାଉଣ୍ଟ ଖୋଲିଛନ୍ତି । ତାପରେ ଚେକ୍ ଜରିଆରେ କମିଶନ ଓ ବ୍ରୋକରେଜ ପଇସା ବାହାର କରିଛନ୍ତି । ଶାରଦା ସେତେବେଳେ ୨୨୧୨ ଟଙ୍କା ୫୦ ପଇସା ବାହାର କରିଥିଲେ ।

ହାଇକୋର୍ଟଙ୍କ ନିଷ୍ପତ୍ତି

ଶାରଦାଙ୍କ ଉପରେ ଠକେଇ ଓ ଜାଲିଆତି ଅଭିଯୋଗ ହୋଇଥିଲା । ପରେ ସେ ମାମଲାକୁ ସେଣ୍ଟଲମେଣ୍ଟ ପାଇଁ ପ୍ରସ୍ତୁତ ହୋଇଥିଲେ । ତେବେ ଚଳିତବର୍ଷ ଜୁଲାଇ ମାସରେ ଦିଲ୍ଲୀ ହାଇକୋର୍ଟ ଶାରଦାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖାରଜ ପାଇଁ ମନା କରି ଦେଇଥିଲେ । ହାଇକୋର୍ଟ କହିଥିଲେ ଏହି ଅଭିଯୋଗ ଗୁରୁତର ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି

ଏହା ପରେ ମାମଲା ଯାଇ ପହଞ୍ଚିଥିଲା ସୁପ୍ରିମକୋର୍ଟରେ । ଅଭିଯୁକ୍ତ କହିଥିଲେ ସେ ୫୦ ଲକ୍ଷ ଟଙ୍କା ଦେଇ ମାମଲାକୁ ଶେଷ କରିବାକୁ ଚାହୁଁଛନ୍ତି । ଜଷ୍ଟିସ୍ ସଞ୍ଜୟଙ୍କ ଅଧ୍ୟକ୍ଷତାରେ ଖଣ୍ଡପୀଠ ଓକିଲଙ୍କୁ ପଚାରିଥିଲେ ଏହି ମାମଲା ଶେଷ ପାଇଁ ଓ ନ୍ୟାୟିକ ପ୍ରକ୍ରିୟ ପାଇଁ ୧୦ ବର୍ଷରୁ ଅଧିକ ସମୟ କାହିଁକି ଲାଗିଲା ? ନ୍ୟାୟିକ ସମୟ ବରବାଦ କରୁଥିବାରୁ କୋର୍ଟ ଶାରଦାଙ୍କୁ ୫ ଲକ୍ଷ ଟଙ୍କା ଜରିମାନା କରିଥିଲେ । ଏବେ ସେପ୍ଟେମ୍ବର ୧୫ରେ ଶାରଦାଙ୍କ ତଥ୍ୟ ଶୁଣିବା ପରେ କୋର୍ଟ ପରବର୍ତ୍ତୀ ନିଷ୍ପତ୍ତି ନେବେ ।

IPL 2020: ଆସିଲା ଆଇପିଏଲ୍ ସେଡ୍ୟୁଲ୍, ଜାଣନ୍ତୁ କେଉଁ ଦିନ କାହାକୁ ଭେଟିବ କିଏ ?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ୨୦୨୦ର ପୂରା ମ୍ୟାଚ୍ ସୂଚି ଜାରି ହୋଇଛି । ଆଇପିଏଲର ୧୩ତମ ସଂସ୍କରଣ ସେପ୍ଟେମ୍ବର ୧୯ରୁ ଆବୁଧାବିରେ ଖେଳାଯିବ । ଉଦଘାଟନୀ ମ୍ୟାଚରେ ଗତଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମୁକାବିଲା ହେବ । ତାପରେ ୨୦ ସେପ୍ଟେମ୍ବରକୁ ଦୁବାଇରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟଲ୍ସ ଓ କିଙ୍ଗ୍ସ ଇଲେଭନ ପଞ୍ଜାବ ।

ସୋମବାର ୨୧ ସେପ୍ଟେମ୍ବରକୁ ସନରାଇଜର୍ସ ହାଇଦରାବାଦ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ମ୍ୟାଚ୍ ଖେଳାଯିବ । ମଙ୍ଗଳବାର ୨୨ ସେପ୍ଟେମ୍ବରକୁ ଶାରଜାହରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଟକ୍କର ହେବ । ଦୁବାଇରେ ଆଇପିଏଲର ସର୍ବାଧିକ ୨୪ଟି ମ୍ୟାଚ୍ ଖେଳାଯିବ । ଆବୁଧାବିରେ ୨୦ଟି ମ୍ୟାଚ୍ ଓ ଶାରଜାହରେ ୧୨ଟି ମ୍ୟାଚ୍ ଖେଳାଯିବ । IPL ଗଭର୍ଣ୍ଣିଂ କାଉନସିଲ ପକ୍ଷରୁ କୁହାଯାଇଛି- ପ୍ଲେଅଫ୍ ଓ ଫାଇନାଲ୍ ମୁକାବିଲା କେଉଁଠି ହେବ ପରେ ନାଁ ଘୋଷଣା କରାଯିବ ।

୧୦ ନଭେମ୍ବରରେ ଫାଇନାଲ୍

ଟୁର୍ଣ୍ଣାମେଣ୍ଟ ସେପ୍ଟେମ୍ବର ୧୯ରୁ ଆରମ୍ଭ ହୋଇ ୫୩ ଦିନ ଯାଏ ଚାଲିବ । ଆଇପିଏଲର ଫାଇନାଲ୍ ମ୍ୟାଚ୍ ନଭେମ୍ବର ୧୦ରେ ଖେଳାଯିବ । ଚଳିତଥର ଗୋଟିଏ ଦିନ ୨ଟି ମ୍ୟାଚ୍ ଖେଳାଯିବ । ତେବେ, ଏଥର ୩୦ ମିନଟ୍ ପୂର୍ବରୁ ମ୍ୟାଚ୍ ଆରମ୍ଭ ହେବ । ଅପରାହ୍ଣ ୪ଟା ପରିବର୍ତ୍ତେ ୩ଟା ୩୦ରୁ ମ୍ୟାଚ ଆରମ୍ଭ ହେବ । ସେହିଭଳି ସନ୍ଧ୍ୟାର ମ୍ୟାଚ୍ ୭ଟା ୩୦ ପରିବର୍ତ୍ତେ ରାତି ୮ଟାରେ ଆରମ୍ଭ ହେବ ।

କରୋନା ପଜିଟିଭ୍ ଯୁବତୀଙ୍କୁ ଆମ୍ବୁଲାନ୍ସ ଚାଳକଙ୍କ ଦୁଷ୍କର୍ମ !

କୋଚି: ମହାମାରୀ କରୋନା କାୟା ମେଲାଇ ଚାଲିଥିବା ବେଳେ କେରଳରୁ ଆସିଛି ଲଜ୍ଜାଜନକ ଖବର । ଯେଉଁଠି ଜଣେ ୧୯ ବର୍ଷୀୟ କରୋନା ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୋଭିଡ୍ ସେଣ୍ଟରକୁ ନେବାବେଳେ ଖୋଦ୍ ଆମ୍ବୁଲାନ୍ସ ଚାଳକ ହିଁ ରେପ୍ କରିଛନ୍ତି । ଏହାପରେ ଡ୍ରାଇଭର ଜଣକ ଯୁବତୀଙ୍କୁ କୋଭିଡ୍ ସେଣ୍ଟରରେ ଛାଡ଼ି ପଳାଇଥିଲେ । ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଆମ୍ବୁଲାନ୍ସ ଚାଳକଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ପଟନମିଟ୍ଟାର ଅରମମୂଲାରେ ରହୁଥିବା ଜଣେ ଯୁବତୀ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ପରିବାର ଲୋକ ଆମ୍ବୁଲାନ୍ସ ଡାକିବା ପରେ ଯୁବତୀଙ୍କୁ ମେଡିକାଲ ପଠାଇଥିଲେ । ଯୁବତୀଙ୍କ ଅନୁସାରେ ପୂର୍ବରୁ ଆମ୍ବୁଲାନ୍ସରେ ଅନ୍ୟ ଜଣେ ରୋଗୀ ଥିଲେ । ତାପରେ ଆମ୍ବୁଲାନ୍ସ ଚାଳକ ଜଣଙ୍କ ଅନ୍ୟ ରୋଗୀଙ୍କୁ ଓହ୍ଲାଇ ଦେଇ ଏକ ନିଛାଟିଆ ରାସ୍ତାରେ ନେଇ ଯାଇଥିଲେ । ସେଠାରେ ଦୁଷ୍କର୍ମ କରିବା ପରେ ତାଙ୍କୁ କୋଭିଡ୍ କେୟାର ସେଣ୍ଟରରେ ଛାଡ଼ି ଦେଇଥିଲେ ।

କୋଭିଡ୍ ସେଣ୍ଟରରେ ପହଞ୍ଚିବା ପରେ ଯୁବତୀ ଜଣଙ୍କ ଡାକ୍ତରଙ୍କୁ ସମସ୍ତ କଥା କହିଥିଲେ । ତାପରେ ପୋଲିସ ଅଭିଯୁକ୍ତ ଡାଇଭରଙ୍କୁ ଗିରଫ କରିଥିଲା । ଏବେ କେରଳରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଏବେ ଯାଏଁ କେରଳରେ ୮୪ ହଜାର ୭୫୯ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୧ ହଜାର ୮୬୭ କେସ୍ ସକ୍ରିୟ ରହିଛି ।

Odisha Unlock 4: ଆସନ୍ତା ୧୨ରୁ ଓଡ଼ିଶାରୁ ଗଡ଼ିବ ଆଉ ୨ଟି ଟ୍ରେନ୍

ଭୁବନେଶ୍ୱର: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଦେଶରେ ଆଉ ଅଧିକ ୪୦ ଯୋଡ଼ା ଟ୍ରେନ୍ ଚଳାଚଳ ନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ସେପ୍ଟେମ୍ବର ୧୨ରୁ ଦେଶର ବିଭିନ୍ନ ସ୍ଥାନକୁ ଆଉ ୪୦ ଯୋଡ଼ା ଅର୍ଥାତ୍ ୮୦ଟି ଟ୍ରେନ୍ ଚାଲିବ । ଏଥିପାଇଁ ୧୦ ତାରିଖରୁ ବୁକିଂ ଆରମ୍ଭ ହେବ । ଅନଲକ୍ ପରେ ଆରମ୍ଭ ହୋଥିବା ଟ୍ରେନ୍ ସେବା ଭଳି ଏଥିରେ କେବଳ ପୂର୍ବରୁ ଟିକେଟ୍ ରିଜର୍ଭସେନ କରିଥିବା ଯାତ୍ରୀ ଯାତ୍ରା କରିପାରିବେ ।

ପୁରୀରୁ ଅହମଦାବାଦକୁ ଟ୍ରେନ୍ ସପ୍ତାହକୁ ଗୋଟିଏ ଦିନ ଚାଲିବ । ସେହିଭଳି ଅହମଦାବାଦରୁ ପୁରୀକୁ ଟ୍ରେନ୍ ସପ୍ତାହକୁ ଥରେ ଆସିବ । ପୁରୀରୁ ଟ୍ରେନ୍ ବୁଧବାର ଛାଡ଼ିବ । ସେହିଭଳି ଅହମଦାବାଦରୁ ପୁରୀ ଆସିବାକୁ ଥିବା ଟ୍ରେନ୍ ଶୁକ୍ରବାର ଛାଡ଼ିବ । ଦୁର୍ଗ-ପୁରୀ ମଧ୍ୟରେ ପ୍ରତିଦିନ ଟ୍ରେନ୍ ଚାଲିବ । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ପୂର୍ବରୁ ଅନଲକିଂର ପ୍ରଥମ ପର୍ଯ୍ୟାୟରେ ମେ ୧୨ ତାରିଖରୁ ୩୦ଟି ସ୍ୱତନ୍ତ୍ର ରାଜଧାନୀ ଟ୍ରେନକୁ ପରୀକ୍ଷାମୂଳକ ଭାବେ ଦେଶରେ ଚାଲିବାକୁ ଅନୁମତି ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସରକାର ଆଉ ୨୦୦ ସ୍ୱତନ୍ତ୍ର ମେଲ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳ ଜୁନ୍ ୧ ତାରିଖରୁ ଆରମ୍ଭ କରିଥିଲେ । ଏବେ ଦେଶରେ ମୋଟ ୨୩୦ଟି ଟ୍ରେନ୍ ଚାଲୁଥିବା ବେଳେ ଆସନ୍ତା ୧୨ରୁ ଆଉ ୪୦ ଯୋଡ଼ା ଟ୍ରେନ୍ ଚାଲିବା ନେଇ ସୂଚନା ଦେଇଛି ଭାରତୀୟ ରେଳବାଇ ।

ଖୋର୍ଦ୍ଧାରେ କରୋନା କାବୁ ପାଇଁ ଗଞ୍ଜାମ ରଣନୀତି

ଭୁବନେଶ୍ୱର: ଖୋର୍ଦ୍ଧାରେ କରୋନା ମୁକାବିଲା ପାଇଁ ନୂଆ ରଣନୀତି ଆପଣେଇବେ ସରକାର । ଖୋର୍ଦ୍ଧାରେ ଅଣାୟତ୍ତ କରୋନା ସ୍ଥିତିରେ ରୋକ ଲଗାଇବାକୁ ଲାଗୁ ହେବ ଗଞ୍ଜାମ ରଣନୀତି । କୋଭିଡ ସ୍ଥିତି ସମୀକ୍ଷା ପାଇଁ ବସିଥିବା ବୈଠକରେ ରାଜଧାନୀ ଭୁବନେଶ୍ୱର ସହ ଗ୍ରାମାଞ୍ଚଳକୁ ଅଧିକ ଫୋକସ କରାଯାଇଛି । ଗଞ୍ଜାମରେ କୋଭିଡ୍ ନିୟନ୍ତ୍ରଣ ରଣନୀତି ସଫଳ ହେବା ପରେ ଗଞ୍ଜାମ୍ ଜିଲ୍ଲା କରୋନା ନିୟନ୍ତ୍ରଣ ଦାୟିତ୍ଵରେ ଥିବା ଆଇଏଏସ ଅଧିକାରୀ ବିଶାଲ ସିଂଙ୍କୁ ଖୋର୍ଦ୍ଧା ଜିଲ୍ଲା ଗ୍ରାମାଞ୍ଚଳ କୋଭିଡ୍ ନିୟନ୍ତ୍ରଣ ଦାୟିତ୍ୱ ଦିଆଯାଇଛି ।

ଯେହେତୁ ଭୁବନେଶ୍ୱରରେ ବଡ଼ ବଡ଼ କାର୍ଯ୍ୟାଳୟ ସହ ବିମାନବନ୍ଦର, ରେଳ ଷ୍ଟେସନ ରହିଛି । ସେଥିପାଇଁ ଏହାକୁ ଅଧିକ ଗୁରୁତ୍ୱ ଦିଆଯିବା ସହ ଅଧିକରୁ ଅଧିକ ଟେଷ୍ଟିଂକୁ ବୃଦ୍ଧି କରାଯିବ । କଣ୍ଟାକ୍ଟ ଟ୍ରେସିଂକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି ସ୍ଵତନ୍ତ୍ର କୋଭିଡ୍ ନିୟନ୍ତ୍ରଣ ଦାୟିତ୍ଵରେ ଆସିଥିବା ଆଇଏଏସ୍ ଅଧିକାରୀ ବିଶାଲ ସିଂ କହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ରୋକିବାକୁ ଆପଣାଯିବ ନୂଆ ଷ୍ଟ୍ରାଟେଜି ।

ଅଧିକରୁ ଅଧିକ ଟେଷ୍ଟିଂ ସହ ଆମ୍ବୁଲାନ୍ସ ସେବାକୁ ବୃଦ୍ଧି କରାଯିବ । ମହିଳା ଶିଶୁ ଓ ବୟସ୍କଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯିବ । ସର୍କିଟ ହାଉସରରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନେତୃତ୍ୱରେ ବସିଥିବା ବୈଠକରେ ଗଞ୍ଜାମରୁ ଆସିଥିବା ଦୁଇଜଣ IASଙ୍କ ସହ ଭୁବନେଶ୍ବର, ବାଲିପାଟଣା ଓ ବାଲିଅନ୍ତାର ବିଡିଓ ଉପସ୍ଥିତ ଥିଲେ ।

ଖୋର୍ଦ୍ଧା ପାଇଁ ଗଞ୍ଜାମ ଷ୍ଟ୍ରାଟେଜି, କାବୁ ହେବ କରୋନା ସଂକ୍ରମଣ