spot_img
Home Blog Page 6647

ମିଛ ଅଡିଓ ଟେପ୍ ଭାଇରାଲ ପ୍ରସଙ୍ଗ: ଦ୍ୱିତୀୟ ଦିନରେ ପୁଣି କ୍ୟାପିଟାଲ ଥାନାରେ ହାଜର ହେଲେ ଓଡ଼ିଶା ରିପୋର୍ଟର ବାର୍ତ୍ତା ସଂପାଦକ

ଭୁବନେଶ୍ୱର: ମିଛ ଅଡିଓ ଟେପ ପ୍ରସାରଣ ପ୍ରସଙ୍ଗ । ଆଜି ଦ୍ୱିତୀୟ ଦିନରେ ପୁଣି କ୍ୟାପିଟାଲ ଥାନାରେ ହାଜର ହେଲେ ଓଡ଼ିଶା ରିପୋର୍ଟର ବାର୍ତ୍ତା ସଂପାଦକ । ଗତକାଲି ୫ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଥିଲେ ତଦନ୍ତକାରୀ ଅଧିକାରୀ । ଓଟିଭିର ବାର୍ତ୍ତା ସଂପାଦକ, ଡିଜିଟାଲ ମୁଖ୍ୟ, ଓ ଇନପୁଟ୍ ଏଡିଟର ବି ନିଜ ପକ୍ଷ ରଖିବାକୁ ଥାନାରେ ପହଞ୍ଚିଥିଲେ । ତେବେ ନୂଆ ନୋଟିସ ପରେ ପୁଣି ଆସିବାକୁ କହି ଫେରାଇ ଦେଇଥିଲା ପୋଲିସ ।

୧୭ ତାରିଖରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କାଲି କ୍ୟାପିଟାଲ ଥାନାରେ ହାଜର ହୋଇଥିଲେ ଓଟିଭି କର୍ତ୍ତୃପକ୍ଷ । କୋଭିଡ୍‌ ହସ୍‌ପିଟାଲ ସଂପର୍କିତ ମିଛ ଅଡିଓ ପ୍ରାସାରଣକୁ ନେଇ ପୋଲିସକୁ ସହଯୋଗ କରିବା ପାଇଁ ଓଟିଭିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଓଟିଭିର ଡିଜିଟାଲ ପ୍ଲାଟଫର୍ମରେ କୋଭିଡ୍ ହସ୍‌ପି୍ଟାଲ ସଂପର୍କରେ ବିଭ୍ରାନ୍ତିକର ଅଡିଓ ପୋଷ୍ଟ ହୋଇଥିଲା । ଏହାକୁ ନେଇ ଓଟିଭି ବିରୋଧରେ କ୍ୟାପିଟାଲ ଥାନାରେ ଏତଲା ଦେଇଥିଲା ଭୁବନେଶ୍ୱର ମହାନଗର ନିଗମ । ଥାନାରେ ହାଜରେ ହେବାକୁ ଓଟିଭିର ବରିଷ୍ଠ କର୍ମକର୍ତ୍ତାଙ୍କୁ ସମନ୍‌ କରାଯାଇଥିଲା ।

ଅଯୋଧ୍ୟା ରାମ ମନ୍ଦିର ପାଇଁ କାହିଁକି ଭକ୍ତଙ୍କଠାରୁ ମଗା ଯାଉଛି ତମ୍ବା ରଡ଼ ?

ଅଯୋଧ୍ୟା: ଅଯୋଧ୍ୟାରେ ବହୁ ପ୍ରତୀକ୍ଷିତ ଭବ୍ୟ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହାରି ଭିତରେ ଗୁରୁବାର ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି । ବୈଠକରେ ଟ୍ରଷ୍ଟର ମହାସଚିବ ଓ ବିଶ୍ୱ ହିନ୍ଦୁ ପରିଷଦ ନେତା ଚମ୍ପତ ରାୟ ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧୦ ହଜାର ତମ୍ବା ରଡ଼ ବ୍ୟବହାର ନେଇ କହିଥିଲେ । ଯାହାକି ମନ୍ଦିର ନିର୍ମାଣ ପାଇଁ ଲୋକମାନେ ଚାହିଁଲେ ଦାନ କରିପାରିବେ । ସୂଚନା ମୁତାବକ, ମନ୍ଦିର ନିର୍ମାଣରେ ତମ୍ବାର ଉପଯୋଗ କଳଙ୍କି ମୁକ୍ତ ରଖିଥାଏ । ଯାହାକି ମନ୍ଦିରକୁ ହଜାରେ ବର୍ଷ ଧରି ସଶକ୍ତ ରଖିଥାଏ । ଏହି ପ୍ରକାରେ ନ୍ୟୁୟର୍କ ଷ୍ଟାଚ୍ୟୁ ଅଫ୍ ଲିବର୍ଟିରେ ମଧ୍ୟ ତମ୍ବାର ବ୍ୟବହାର କରାଯାଇଛି ।

ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ କହିବା ପ୍ରକାରେ- ଅଯୋଧ୍ୟାରେ ଭଗବାନ ରାମଙ୍କ ମନ୍ଦିର ୩୬ରୁ ୪୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ନିର୍ମାଣ ସରିବ । ମନ୍ଦିର ନିର୍ମାଣରେ ଏକ ଗ୍ରାମ ଲୁହାର ବ୍ୟବହାର କରାଯିବ ନାହିଁ । ନିର୍ମାଣରେ ଲର୍ସନ ଆଣ୍ଡ ଟୁବ୍ରୋ କମ୍ପାନୀ, ଆଇଆଇଟିର ଇଞ୍ଜିନିୟରଙ୍କ ବୈଷୟିକ ସହାୟତା ନିଆଯାଉଛି । ମନ୍ଦିର ସ୍ଥଳରୁ ମିଳିଥିବା ଅବଶେଷକୁ ଶ୍ରଦ୍ଧାଳୁ ଦର୍ଶନ କରିପାରିବା ନେଇ ମଧ୍ୟ ବ୍ୟବସ୍ଥା କରାଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଦେଶର ସମ୍ପତ୍ତି ବୋଲି କହି ସାରିଛନ୍ତି ।

ମନ୍ଦିର ନିର୍ମାଣରେ ଦରକାର ୧୦ ହଜାର ତମ୍ବା ରଡ୍

ମନ୍ଦିର ନିର୍ମାଣ ସ୍ଥାନର ମାଟିର ଶକ୍ତି ପରୀକ୍ଷା ପାଇଁ ଆଇଆଇଟି ଚେନ୍ନାଇର ପରାମର୍ଶ ନିଆଯାଇଛି । ୬୦ ମିଟର ଗଭୀର ଯାଏଁ ମାଟିର ଯାଞ୍ଚ କରାଯାଇଛି । ଭୂମିକମ୍ପ ଆସିଲେ ଏଠାକାର ମାଟି ତାର ଝଟକାକୁ କେତେ ସମ୍ଭାଳି ପାରିବ ତାର ମଧ୍ୟ ଯାଞ୍ଚ କରାଯାଇଥିବା ଚମ୍ପତ ରାୟ ସୂଚନା ଦେଇଛନ୍ତି । ତେବେ, ରାମ ମନ୍ଦିର ନିର୍ମାଣରେ ଗୋଟିଏ ଗ୍ରାମ୍ ମଧ୍ୟ ଲୁହାର ବ୍ୟବହାର କରାଯିବ ନାହିଁ । ରାମ ମନ୍ଦିର ତିନି ଏକର ଜମିରେ ରହିବ । ମନ୍ଦିର ନିର୍ମାଣରେ ୧୦ ହଜାର ତମ୍ବା ରଡ୍ ଉପଯୋଗ କରାଯିବ । ଏଥିପାଇଁ ଦାନର ଆବଶ୍ୟକତା ରହିଛି ।

ତମ୍ବାର ବିଶେଷ ଗୁଣ

ମାନବ ସଭ୍ୟତାର ଇତିହାସରେ ତମ୍ବାର ସ୍ୱତନ୍ତ୍ର ସ୍ଥାନ ରହିଛି । ପ୍ରାଚୀନ କାଳରେ ସବୁଠୁ ଅଧିକ ପ୍ରୟୋଗ ବା ବ୍ୟବହାର ହେଉଥିବା ଧାତୁ ହେଉଛି ତମ୍ବା ଓ କାଂସ୍ୟ (କଂସା) । ନିର୍ମାଣ ସମୟରେ ତମ୍ବା ପାଣିରେ ପ୍ରତିକ୍ରିୟା ଦେଖାଏ ନାହିଁ ବରଂ ଧୀରେ ଧୀରେ ଅକ୍ସାଇଡ୍ ତିଆରି କରେ । କିନ୍ତୁ, ଲୁହା ସମ୍ପୂର୍ଣ୍ଣ ଭାବେ ଏହାର ବିପରୀତ ଅଟେ । ଲୁହାରେ କଳଙ୍କି ଲାଗିବା ସହ ଏହାର ଅକ୍ସାଇଡ୍ ଉପରେ ଏକ ପରସ୍ତ ତିଆରି କରିନିଏ । ଯାହା ଫଳରେ ଅକ୍ସିକରଣ ବାଧାପ୍ରାପ୍ତ ହୁଏ ।

କୋର୍ଟର ଦୟା କିମ୍ବା ସହାନୁଭୂତି ମୋର ଆବଶ୍ୟକତା ନାହିଁ, ଯାହା ଦଣ୍ଡ ଦିଆଯିବ ତାହା ଗ୍ରହଣ କରିବି

ନୂଆଦିଲ୍ଲୀ: ଅଦଲାତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଓକିଲ ପ୍ରଶାନ୍ତ ଭୂଷଣ ପୁଣି ଥରେ ସୁପ୍ରିମକୋର୍ଟରେ କ୍ଷମା ମାଗିବାକୁ ମନା କରି ଦେଇଛନ୍ତି । ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ ସେ ଏହି ମାମଲାରେ ଦଣ୍ଡକୁ ଭୟ କରନ୍ତି ନାହିଁ । ତାଙ୍କୁ କୋର୍ଟର ଦୟା କିମ୍ବା ସହାନୁଭୂତିର ଆବଶ୍ୟକତା ନାହିଁ । ତାଙ୍କୁ ଯାହା ଦଣ୍ଡ ଦିଆଯିବ ତାହା ଗ୍ରହଣୀୟ ବୋଲି ସେ କହିଛନ୍ତି । ଆଜି କୋର୍ଟ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପ୍ରଶାନ୍ତ ଭୂଷଣଙ୍କ ଦଣ୍ଡ ଶୁଣାଣି ସ୍ଥଗିତ ରଖିବାକୁ ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ବିଚାର କରୁଛନ୍ତି । ସେପଟେ କୋର୍ଟକୁ ଆକ୍ଷେପ କରି ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ଯେଉଁ ଅଭିଯୋଗ ଉପରେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ଦଣ୍ଡିତ କରାଯାଇଛି ତାହା କୋର୍ଟ ତାଙ୍କୁ ଦେଇନାହିଁ ।

ଗତ ଗୁରୁବାର ସୁପ୍ରିମକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା । ଏଭଳି ପରିସ୍ଥିତିରେ ସେ କୋର୍ଟରେ ଚାଲିଥିବା ମାମଲାକୁ ସ୍ଥଗିତ ରଖିବାକୁ ଏବଂ ଏକ ରିଭ୍ୟୁ ପିଟିସନ ଆବେଦନ କରିବାକୁ ସୁଯୋଗ ମାଗିଥିଲେ । କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । କିନ୍ତୁ ପୁନର୍ବିଚାର ଆବେଦନ ଦାଖଲ ନହେବା ପର୍ଯ୍ୟନ୍ତ ବିଚାର ପ୍ରକ୍ରିୟା ସ୍ଥଗିତ ରଖିବା ଉଚିତ ବୋଲି ଭୂଷଣ କହିଛନ୍ତି ।

ପ୍ରଶାନ୍ତ କହିଛନ୍ତି ସେ ଟୁଇଟ୍ ରେ  ସେ ଏପରି କିଛି ଲେଖି ନଥିଲେ ଯେଉଁଥିପାଇଁ ତାଙ୍କୁ ଅଦାଲତ ଅବମାନନାରେ ଦଣ୍ଡ ମିଳିବ । ନାଗରିକ ଭାବେ ଦାୟିତ୍ୱ ପାଳନ କରିବା ପାଇଁ ଏହା ଏକ ପ୍ରୟାସ ଥିଲା ବୋଲି ସେ କହିଛନ୍ତି । ମୁଁ ଚିନ୍ତା କରି ଏହାକୁ ଟୁଇଟ୍ କରିଛି | ପ୍ରଶାନ୍ତ ଭୂଷଣ ସୁପ୍ରିମକୋର୍ଟରେ ମହାତ୍ମା ଗାନ୍ଧୀଙ୍କ ବିବୃତ୍ତିକୁ ଦୋହରାଇ କହିଛନ୍ତି, “ମୁଁ ଦୟା ମାଗିବି ନାହିଁ, ମୁଁ ସହାନୁଭୁତି ଦେଖାଇବାକୁ ମଧ୍ୟ ଆବେଦନ କରିବି ନାହିଁ । କୋର୍ଟ ଦେଇଥିବା ଦଣ୍ଡକୁ ମୁଁ ଖୁସିରେ ଗ୍ରହଣ କରିବି ବୋଲି ସେ କହିଛନ୍ତି । ଭୂଷଣ ଏହା ମଧ୍ୟ କହିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥାର ସୁରକ୍ଷା ପାଇଁ ଯେକୌଣସି ଗଣତନ୍ତ୍ରରେ ଖୋଲା ସମାଲୋଚନା ଆବଶ୍ୟକ । ମୋର ଟ୍ୱିଟ୍ ମୋର ସର୍ବୋଚ୍ଚ କର୍ତ୍ତବ୍ୟର ଏକ ଛୋଟ ପ୍ରୟାସ ଥିଲା ବୋଲି ସେ କହିଛନ୍ତି ।

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ପରେ ଧୋନିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚିଠି, କହିଲେ ଏମିତି କଥା..

ନୂଆଦିଲ୍ଲୀ: କ୍ୟାପଟେନ କୁଲଙ୍କୁ ଚିଠି ଲେଖିଲେ ମୋଦି । ଭାରତକୁ ଦୁଇଦୁଇ ଥର ବିଶ୍ୱକପ ଜିତାଇଥିବା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଛନ୍ତି । ତାଙ୍କର ଏଭଳି ହଠାତ ବିଦାୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ତାଙ୍କର ପ୍ରଶଂସକ ।  ଦେଶର ବଡ଼ ବଡ଼ ନେତା ହୁଅନ୍ତୁ ବା ଅଭିନେତା କି ସାଧାରଣ ଜନତା, ତାଙ୍କର ଏଭଳି ବିଦାୟକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି କେହି । ତେବେ ଧୋନିଙ୍କ ଅବସର ନେବା ପରେ   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ସଫଳତାକୁ ପ୍ରଶଂସା କରି ଏକ  ଚିଠି ଲେଖିଛନ୍ତି । ଚିଠି ପାଇଁ  ମହେନ୍ଦ୍ର ସିଂ ଧୋନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଧୋନି ଟ୍ୱିଟ୍ କରି ଲେଖିଛନ୍ତି ଯେ । ‘ଜଣେ କଳାକାର, ସୈନିକ ଏବଂ କ୍ରୀଡ଼ାବିତ୍ ସବୁବେଳେ ପ୍ରଶଂସାକୁ ଚାହିଁଥାନ୍ତି । ସେମାନେ ଚାହାଁନ୍ତି ଯେ ସମସ୍ତେ ସେମାନଙ୍କର ପରିଶ୍ରମ ଏବଂ ବଳିଦାନକୁ ସମସ୍ତେ ଚିହ୍ନନ୍ତୁ ବୋଲି । ତେବେ ଏଭଳି ଶୁଭେଚ୍ଛା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧୋନି । ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ଲେଖିଥିଲେ ଯେ ନୂତନ ଭାରତର ଆତ୍ମା ​​ଆପଣଙ୍କଠାରେ ପ୍ରତିଫଳିତ ହେଉଛି ।

୩୯ ବର୍ଷୀୟ ଧୋନି ୨୦୦୪ ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିବା ଦିନଠାରୁ ୩୫୦ ଟି ODI ଖେଳିବା ସହ ୯୦ ଟେଷ୍ଟ ଖେଳିଛନ୍ତି ।  ଏହା ସହ ୯୮ ଟି -୨୦ ଅନ୍ତର୍ଜାତୀୟ ଖେଳିଛନ୍ତି । ଧୋନିଙ୍କ ଅଧିନାୟକତ୍ୱରେ ୨୦୦୭ ରେ ଭାରତ ପ୍ରଥମ ଟି -୨୦ ବିଶ୍ୱକପ ଜିତିଥିଲା । ଏହା ପରେ, ୨୦୧୧ ରେ ବିଶ୍ୱକପ୍ ଏବଂ ୨୦୧୩ ରେ ଚାମ୍ପିଅନ୍ସ ଟ୍ରଫି ଜିତିଥିଲେ । ଖାଲି ଏତିକିରେ ସରି ନଥିଲା ଧୋନିଙ୍କ ଜିତିବା ଯାତ୍ରା । ଅଧିନାୟକତ୍ୱରେ ଭାରତ ୨୦୧୦ ଏବଂ ୨୦୧୬ରେ ଏସିଆ କପ୍ ମଧ୍ୟ ଜିତିଥିଲା ।

ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦ : କଠିନ ଓ ତରଳ ବର୍ଯ୍ୟବସ୍ତୁ ପରିଚାଳନାରେ ଓଡ଼ିଶା ୧ ନମ୍ବର, ମଧ୍ୟମ ସହରାଞ୍ଚଳ ବର୍ଗରେ ବ୍ରହ୍ମପୁର ବି ପୁରସ୍କୃତ

ଭୁବନେଶ୍ୱର: ସ୍ୱଚ୍ଛ ସର୍ଭେକ୍ଷଣ ୨୦୨୦ରେ ଓଡ଼ିଶା ପୁରସ୍କୃତ । ସାରା ଦେଶରେ ଓଡ଼ିଶାକୁ ଏକ ନମ୍ବର ସ୍ଥାନ ମିଳିଛି । କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ତରଳ ବର୍ଜ୍ୟବସ୍ତୁ ପରିଚାଳାନ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ସବୁଠାରୁ ଭଲ ରହିଛି । ସେଥିପାଇଁ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରୀ ଏହି ପୁରସ୍କାର fastest mover state ଭାବେ ଓଡ଼ିଶାକୁ ଦେଇଛନ୍ତି । ୧୦୦ରୁ ଅଧିକ ପୌରାଞ୍ଚଳ ଥିବା ରାଜ୍ୟ ମଧ୍ୟରେ ଓଡ଼ିଶା ପ୍ରଥମ ଦଶରେ ଅଛି । ସର୍ବଶ୍ରେଷ୍ଠ ରାଜ୍ୟଙ୍କ ମଧ୍ୟରେ ଏହା ଦୃତଗତିରେ ଆଗକୁ ବଢୁଥିବା ରାଜ୍ୟର ମାନ୍ୟତା ପାଇଛି ।

ସେହିପରି ଭାବେ ବ୍ରହ୍ମପୁର ମହାନଗର ନିଗମକୁ best medium city in innovation and best practicesରେ ଏକ ନମ୍ବର ସହର ଭାବେ ପୁରସ୍କୃତ କରଯାଇଛି । ୩ରୁ ୧୦ ଲକ୍ଷ ଜନସଂଖ୍ୟା ଥିବା ସର୍ବଶ୍ରେଷ୍ଟ ସହର ଭାବେ ପୁରସ୍କୃତ ହୋଇଛି ବ୍ରହ୍ମପୁର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଭାଗର ସମସ୍ତ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

ସ୍ୱଚ୍ଛ ସର୍ଭେକ୍ଷଣରେ ଜାତୀୟ ସ୍ତରରେ ସ୍ୱଚ୍ଛ ସହର ଭାବେ ଇନ୍ଦୋର ପ୍ରଥମ ପୁରସ୍କାର ପାଇଥିବା ବେଳେ ଗୁଜରାଟର ସୁରଟ ମହାନଗର ନିଗମ ଦ୍ୱିତୀୟ ପୁରସ୍କାର ପାଇଛି । ମହାରାଷ୍ଟର ନାଭା ମୁମ୍ବାଇ ମହାନଗର ନିଗମକୁ ତୃତୀୟ ପୁରସ୍କାର ଦିଆଯାଇଛି ।

୪୫ ନେତାଙ୍କୁ ସମ୍ପାଦକ, ୪୧ଙ୍କୁ ଯୁଗ୍ମ ସମ୍ପାଦକ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର:ବିଜୁ ଜନତା ଦଳରେ ସାଂଗଠନିକ ପରିବର୍ତ୍ତନ । ପୂର୍ବରୁ ହୋଇଥିବା ସମସ୍ତ ନିଯୁକ୍ତିକୁ ବିଜେଡି ସଭାପତି ବାତିଲ୍ କରି ନୂଆ ନିଯୁକ୍ତି ଦେଇଛନ୍ତି । ନୂତନ ଭାବେ ୪୫ ଜଣଙ୍କୁ ଦଳର ବିଭିନ୍ନ ବିଭାଗରେ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି । କିଶୋର ଚନ୍ଦ୍ର ତରାଇ ଓ ସଂଘମିତ୍ରା ଦଳେଇଙ୍କୁ ଅନୁସୂଚିତ ଜାତି ସଶକ୍ତିକରଣ ଦାୟିତ୍ୱ ଦିଆଯାଇଥିବା ବେଳେ ଅନୁଭବ ପଟ୍ଟନାୟକ, କେ.ଶାନ୍ତି ଓ ବିଷ୍ଣୁପ୍ରିୟା ଦାସଙ୍କୁ ମହିଳା ସଶକ୍ତିକରଣ ଦାୟିତ୍ୱ ଦିଆଯାଇଛି । ଅମରେଶ ପାତ୍ରି ଓ ରଞ୍ଜିତ ମହାପାତ୍ରଙ୍କୁ ଯୁବ ବ୍ୟାପାର ଦାୟିତ୍ୱ, ଅମରଜିତ୍ ସେନାପତି, ମନ୍ଦାକିନୀ କର ଓ ବିଶ୍ୱଜିତ୍ ସାମନ୍ତରାୟଙ୍କୁ ଛାତ୍ର ବ୍ୟାପାର ଦାୟିତ୍ୱ ଦିଆଯାଇଛି ।

ସଶକ୍ତ ଓଡ଼ିଶା ଦାୟିତ୍ୱରେ ଚିନ୍ମୟ ସାହୁ, ଅମରେଶ ଜେନା, ସୌଭାଗ୍ୟ ନାୟକ, ସୁବ୍ରମଣିଆମ୍ ମହାନ୍ତି, ସୁବାସ ମହାରଣା ଓ ସୈଳେଶ ଡାନି ଅଛନ୍ତି । କଳା, ସଂସ୍କୃତି ଓ ମାନବ ସମ୍ବଳ ଦାୟିତ୍ୱରେ ରବି ନାରାୟଣ ନନ୍ଦ, ସଂଗ୍ରାମ କେଶରୀ ପାଇକରାୟ, ଶଶୀ ସାହୁ, ପ୍ରୟାସକାନ୍ତି ସାମଲ, ମାରୁତ ପାଳୋ ଅଛନ୍ତି । ସେହିଭଳି ଏସ୍.କେ ନିଜାମୁଦ୍ଦିନ ଓ ଏମଡି. ଡବ୍ଲୁ ସକିଲଙ୍କୁ ଅଳ୍ପସଂଖ୍ୟକ ବ୍ୟାପାର ଦାୟିତ୍ୱ ଦିଆଯାଇଛି । ଭୁବନେଶ୍ୱରୀ କିଷାନ, ଭାରତୀ ସିଂହ ଓ କୃଷ୍ଣଚନ୍ଦ୍ର ଦାସଙ୍କୁ ଆଦିବାସୀ ସଶକ୍ତିକରଣ ସହ ଅଳ୍ପସଂଖ୍ୟକ ବ୍ୟାପାର ଦାୟିତ୍ୱ ଦିଆଯାଇଛି ।

ଓଡ଼ିଶା ମୋ ପରିବାର ଦାୟିତ୍ୱରେ ସୁବାସ ପାତ୍ର, ଦୁର୍ଗା ସାମନ୍ତରାୟ, ଅଜୟ ନାୟକ, ଶିଶିର ପରିଜା ଓ ମୀରା ପରିଡ଼ା ଅଛନ୍ତି । ସେହିଭଳି ସାମାଜିକ କଲ୍ୟାଣ ଦାୟିତ୍ୱରେ ପୁଷ୍ପେନ୍ଦ୍ର ସିଂହ ଦେଓ, ସରୋଜ କର୍ଣ୍ଣ, ଟି. ପ୍ରସାଦ ରାଓ ଦୋରା, ଜଦଦୀଶ ପାତ୍ର ଅଛନ୍ତି । ସ୍ୱାଧୀନ ନାୟକ, କୁନା ବିହାରୀ ଦାସ, ସନ୍ତୋଷ ପଟ୍ଟନାୟକ, ହର୍ଷ ବର୍ଦ୍ଧନ ସିଂହ ଦେଓ ଓ ରଞ୍ଜିତ ସାହୁଙ୍କୁ ଆଞ୍ଚଳିକ ବିକାଶ ଦାୟିତ୍ୱ ମିଳିଛି । ପରିବେଶ ଦାୟିତ୍ୱ ଉତ୍ତରା ପାତ୍ର, ତପନ ଦାସ, କୃଷ୍ଣ ପଣ୍ଡା, ତ୍ରିନାଥ ଗୋଏଲ ଓ ଚନ୍ଦ୍ରକାନ୍ତ ସାମଲଙ୍କୁ ଦିଆଯାଇଛି । ଏନେଇ ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ମଙ୍ଗରାଜ ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି । ସେହିଭଳି ୪୧ ଜଣ ଯୁଗ୍ମ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି ।

ଦୁର୍ବଳ ହେବା ପରେ ଝାଡ଼ଖଣ୍ଡ ମୁହାଁ ଲଘୁଚାପ, ଏବେ ରାଜ୍ୟରେ କମିବ ବର୍ଷା ପ୍ରକୋପ

ଭୁବନେଶ୍ୱର: ଲଘୁଚାପ କମିବା ନେଇ ଆସିଲା ଆଶ୍ୱସ୍ତି ଖବର । ରାଜ୍ୟରେ ଦୁର୍ବଳ ହେଲା ଲଘୁଚାପ । ଅବପାତର ରୂପ ନେଇପାରିଲା ନାହିଁ ଲଘୁଚାପ । ସ୍ଥଳଭାଗ ଛୁଇଁ ଥିବାରୁ ଅବପାତର ରୂପ ନେଇପାରିଲା ନାହିଁ । ଏହା ଫଳରେ ଏବେ ଝାଡ଼ଖଣ୍ଡ ମୁହାଁ ହେଲା ଲଘୁଚାପ । ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ କରାଯାଇଛି । ୨୪ ଘଣ୍ଟାରେ ମାଲକାନଗିରିରେ ସର୍ବାଧିକ ୧୦୪.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିଭଳି ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ସୁନ୍ଦରଗଡ ଓ ଦେବଗଡରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ଗଲା ୨ଦିନ ହେବ ସାରା ରାଜ୍ୟରେ ବର୍ଷା ଜାରି ରହିଥିଲା । ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏବେ ସେସବୁ ସ୍ଥାନରେ ସ୍ଥିତି ସୁଧୁରୁଛି । ସେପଟେ ଆସନ୍ତା ୨୩ ତାରିଖରେ ପୁଣି ଆଉ ଏକ ଲଘୁଚାପ ଆସୁଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଲୁଟେରାଙ୍କ ନୂଆ ଚାଲ୍ : ସୁନ୍ଦରି ଝିଅଙ୍କ ଫଟୋ ଦେଖାଇ ଏମିତି କରୁଥିଲେ ଲୁଟ୍

ଭୁବନେଶ୍ୱର: ରାଜଧାନୀରେ ଦେହ ବେପାର ନାଁରେ ଲୁଟ । ଦୁଇ ଜଣଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ସେମାନେ ଆଗରୁ ଦେହ ବେପାରରେ ସଂପୃକ୍ତ ଥିଲେ । ଗିରଫ ଅଭିଯୁକ୍ତ ହେଉଛନ୍ତି ବୁନୁ ଓରଫ ଅନର ସେନାପତି ଓ ମନୋଜ କୁମାର ଗୌଡ଼ । ଅଭିଯୁକ୍ତଙ୍କଠାରୁ କାର, ମୋବାଇଲ ଓ ଟଙ୍କା ଜବତ କରାଯାଇଛି ।

ଗ୍ୟାଙ୍ଗର ଅନ୍ୟ ୩ ଜଣ ସଦସ୍ୟ ଫେରାର ହୋଇଯାଇଛନ୍ତି । ଫୋନରେ ଯୁବତୀଙ୍କ ଫଟୋ ଦେଖାଇ ଅଭିଯୁକ୍ତମାନେ ଜାଲ ପକାଉଥିଲେ । ଗ୍ରାହକ ଆସିବା ପରେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରି ଲୁଟ କରୁଥିଲେ । ଗତ ୧୩ ତାରିଖରେ ତାଳଚେରର ଜଣେ ବ୍ୟକ୍ତିଙ୍କଠାରୁ ଭରତପୁରରୁ ଲୁଟ ହେବା ନେଇ ଅଭିଯୋଗ ହେବା ପରେ ପୋଲିସ ଆକ୍ସନ ନେଇଛି ।

ଦିଲ୍ଲୀରେ ସିରୋ ସର୍ଭେ: ମହିଳା ଏବଂ ଶିଶୁଙ୍କ ନିକଟରେ ରହିଛି ଅଧିକ ରୋଗ ପ୍ରତିରୋଧକ ଶକ୍ତି

ନୂଆ ଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମକଙ୍କ ସଂଖ୍ୟା ବଢୁଥିବା ବେଳେ ଏବେ ଏହାକୁ ନେଇ ଏକ ଖବର ସାମ୍ନାକୁ ଆସିଛି । ଖବର ଅନୁସାରେ ଏଠାରେ ୨୯ ପ୍ରତିଶତ ଲୋକଙ୍କ ମଧ୍ୟରେ ସଂକ୍ରମଣ ବିରୁଦ୍ଧରେ ଆଣ୍ଟି ବଡି ଦେଖିବାକୁ ମିଳିଛି । ନିକଟରେ ଶେଷ ହୋଇଥିବା ସିରୋ ସର୍ଭେ ରିପୋର୍ଟରେ ଏହା ଉଲ୍ଲେଖ ହୋଇଛି । ରିପୋର୍ଟ ଅନୁସାରେ ଏକ ମାସ ମଧ୍ୟରେ ୫ ପ୍ରତିଶତ ଆଣ୍ଟିବଡି ବୃଦ୍ଧି ହୋଇଛି । ସ୍ୱାସ୍ଥ୍ୟ ବିଭାଗକୁ ୧୨,୫୯୮ ଲୋକଙ୍କର ସାମ୍ପଲ ରିପୋର୍ଟ ଦିଆଯାଇଥିବା ବେଳେ ତାହା ମଧ୍ୟରୁ ୨ ହଜାର ୫ ଶହ ଲୋକଙ୍କ ପରୀକ୍ଷଣ ପ୍ରକ୍ରିୟା ଚାଲୁଛି ।


ଶରୀରରେ ଆଣ୍ଟିବଡି ମିଳିବାର ଅର୍ଥ ହେଉଛି ବ୍ୟକ୍ତିର ଶରୀରରେ କରୋନା ସହିତ ଲଢିବାର କ୍ଷମତା ଉତ୍ପନ୍ନ ହୋଇଛି । ଅବଶ୍ୟ ଏହି କ୍ଷମତା କେତେ ଦିନ ପର୍ଯ୍ୟନ୍ତ ରହିବ ତାହାକୁ ନେଇ ବିଶେଷଜ୍ଞ କୌଣସି ପ୍ରକାରର ସୂଚନା ପାଇପାରି ନାହାଁନ୍ତି । ଯଦି ଧାର୍ଯ୍ୟ କରାଯାଇଥିବା ସଂଖ୍ୟା ମଧ୍ୟରେ ଆଣ୍ଟି ବଡି ମିଳୁଛି ତେବେ ହର୍ଡ଼ ଇମ୍ୟୁନିଟି ବିକଶିତ ହେଉଛି ବୋଲି କୁହାଯିବ ।

ପୁରୁଷଙ୍କ ଅପେକ୍ଷା ମହିଳା ଓ ଶିଶୁଙ୍କ ନିକଟରେ ଆଣ୍ଟି ବଡି କ୍ଷମତା ଅଧିକ

ଦିଲ୍ଲୀରେ ପ୍ରଥମ ସିରୋ ସର୍ଭେ ରିପୋର୍ଟ ଜୁଲାଇ ମାସରେ ଆସିଥିଲା । ନିଆ ଯାଇଥିବା ୨୧ ହଜାର ୩୮୭ ଲୋକଙ୍କ ସାମ୍ପଲ ମଧ୍ୟରୁ ୨୩.୪୮ ପ୍ରତିଶତ ଆଣ୍ଟି ବଡି ମିଳିଥିଲା । ଯାହାପରେ ଦିଲ୍ଲୀରେ ୫୦ ଲକ୍ଷ ଲୋକଙ୍କ ମଧ୍ୟରେ କେବଳ ଏକ ଚତୁର୍ଥାଂଶ ଲୋକଙ୍କ ମଧ୍ୟରେ ଆଣ୍ଟି ବଡି ମିଳିଛି ବୋଲି ଆଲୋଚନା ହେଉଛି । ତେବେ ଉକ୍ତ ଘଟଣାକୁ ନଜରରେ ରଖି ଦିଲ୍ଲୀ ସରକାର ପ୍ରତି ମାସରେ ସିରୋ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଦ୍ୱିତୀୟ ସିରୋ ସର୍ଭେରୁ ୨୯ ପ୍ରତିଶତ ଲୋକଙ୍କ ନିକଟରେ ଏହି ଭୂତାଣୁ ସହିତ ଲଢିବାର ରୋଗ ପ୍ରତିରୋଧକ ଶକ୍ତି ମିଳିଛି ।

 

ସର୍ଭେ ପାଇଁ ପ୍ରସ୍ତୁତ ହୋଇଥିବା ଗାଇଡ ଲାଇନ ଅନୁସାରେ ସର୍ଭେ ପାଇଁ ୧୮ ବର୍ଷରୁ ଉର୍ଦ୍ଧ୍ୱ ୫୦ ବର୍ଷ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି । ପୁରୁଷଙ୍କ ଅପେକ୍ଷା ମହିଳା ଏବଂ ଶିଶୁଙ୍କ ନିକଟରେ ଆଣ୍ଟି ବଡି କ୍ଷମତା ଅଧିକ ଦେଖା ଦେଇଛି । ଖବର ଅନୁସାରେ ୨୮.୩ ପ୍ରତିଶତ ପୁରୁଷ,୩୨.୨ ପ୍ରତିଶତ ମହିଳା ଏବଂ ୧୮ ବର୍ଷରୁ କମ୍ ୩୪.୭ ପ୍ରତିଶତ ଲୋକଙ୍କ ମଧ୍ୟରେ କରୋନା ସହିତ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ମିଳିଛି ।

ପ୍ରବଳ ବର୍ଷା ପରେ ସ୍ଥିତି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ଭିଡିଓ କନଫରେନ୍ସିଂ ଜରିଆର ଜିଲ୍ଲାପାଳଙ୍କ ସହ ଆଲୋଚନା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗଷ୍ଟ ୧୯ ଓ ୨୦ ତାରିଖ ମଧ୍ୟରେ ମଧ୍ୟମରୁ ପ୍ରବଳ ବୃଷ୍ଟିପାତ ହୋଇଅଛି । ଏହି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶାନୁଯାୟୀ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସ୍ୱତନ୍ତ୍ର ରିଲିଫ୍ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଲୋଚନା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରାୟ ହାରାହାରି ୫୮.୫ ମି.ମି. ବୃଷ୍ଟିପାତ ହୋଇଅଛି । ୫ ଗୋଟି ଜିଲ୍ଲା ଯଥା ନବରଙ୍ଗପୁର, କଟକ, ଯାଜପୁର, କୋରାପୁଟ ଓ କେନ୍ଦ୍ରାପଡା ଜିଲ୍ଲାରେ ହାରାହାରି ବୃଷ୍ଟିପାତ ୧୦୦ ମି.ମି. ରୁ ଅଧିକ ହୋଇଥିବା ସ୍ଥଳେ ଆଉ ୧୦ଗୋଟି ଜିଲ୍ଲାରେ ୫୦ ମି.ମି. ରୁ ଅଧିକ ବର୍ଷା ରେକର୍ଡ କରାଯାଇଅଛି । କଟକ ଜିଲ୍ଲାର ସାଲେପୁର ବ୍ଲକରେ ୨୦ ତାରିଖରେ ସର୍ବାଧିକ ୩୦୦ ମି.ମି. ବୃଷ୍ଟିପାତ ହୋଇଥିବାର ରେକର୍ଡ କରାଯାଇଛି । ସେହିପରି କଟକ ଜିଲ୍ଲାର ନିଶ୍ଚିତକୋଇଲି ବ୍ଲକରେ ୨୯୭.୫ ମି.ମି., କଳାହାଣ୍ଡି ଜିଲ୍ଲାର ଧୁଆମୂଳ ରାମପୁର ବ୍ଲକରେ ୨୨୯.୪ ମି.ମି., ନବରଙ୍ଗପୁର ଜିଲ୍ଲାର ପାପଡ଼ାହାଣ୍ଡି ବ୍ଲକରେ ୨୮୦ ମି.ମି. ଓ ନବରଙ୍ଗପୁର ବ୍ଲକରେ ୨୪୩ ମି.ମି. ବୃଷ୍ଟିପାତ ହୋଇଅଛି । ୪୭ ଗୋଟି ବ୍ଲକରେ ୧୦୦ ରୁ ୨୦୦ମି.ମି. ମଧ୍ୟରେ ଏବଂ ଆଉ ୮୫ ଗୋଟି ବ୍ଲକରେ ୫୦ ରୁ ୧୦୦ ମି.ମି. ମଧ୍ୟରେ ବର୍ଷା ରେକର୍ଡ ହୋଇଅଛି । ପ୍ରବଳ ବୃଷ୍ଟିପାତ ଫଳରେ ରାଜ୍ୟର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇଅଛି । ତେବେ ବନ୍ୟା ପରିସ୍ଥିତିର ସମ୍ଭାବନା ନାହିଁ ।
ମୟୁରଭଞ୍ଜ ଜିଲ୍ଲାରେ ବୃଷ୍ଟିପାତ ଫଳରେ ଦୁଇଟି ଅଦିନିଆ ରାସ୍ତା ବର୍ଷାଜଳ ଦ୍ୱାରା ବିଚ୍ଛିନ୍ନ ହୋଇଅଛି । ବିଜତୋଳା ବ୍ଲକରେ କେତେକ ଘର କ୍ଷତିଗ୍ରସ୍ତ ହୋଇଅଛି । କ୍ଷତିଗ୍ରସ୍ତ ପରିବାରକୁ ପଲିଥିନ୍ ବଣ୍ଟନ କରାଯାଇଅଛି । ଗତକାଲି ସନ୍ଧ୍ୟାରେ ଜମ୍ବିରା ନଦୀର ଗୋଲମୁହାଁ ଘାଟରେ ନଦୀପାରି ହେବା ସମୟରେ ଗଣ୍ଡଗୁହାଳି ଗ୍ରାମର ଦୁଇ ଜଣ ବ୍ୟକ୍ତି ଯଥା ବୁଦ୍ଧେଶ୍ୱର ମାଝି ଓ ମଙ୍ଗଳ ମାରାଣ୍ଡି ନିଖୋଜ ଥିଲେ । ବୁଦ୍ଧେଶ୍ୱର ମାଝିର ମୃତ ଶରୀର ଉଦ୍ଧାର କରାଯାଇଛି ଏବଂ ଅନ୍ୟ ବ୍ୟକ୍ତିଙ୍କର ସନ୍ଧାନ କାର୍ଯ୍ୟ ଚାଲୁ ରହିଅଛି । କଳାହାଣ୍ଡି ଜିଲ୍ଲାରେ ହାତୀ ନଦୀର ଜଳସ୍ତର ବିରିପୁର ଓ ମାଟିଖାଲ ଠାରେ ବୃଦ୍ଧି ପାଇଅଛି । ତହସିଲଦାର ଓ ବିଡିଓ ସେହି ସ୍ଥାନରେ ରହି ପରିସ୍ଥିତି ପ୍ରତି ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଏହି ଜିଲ୍ଲାର ଧର୍ମଗଡ ବ୍ଲକର ବଡବାସୁଳ ଠାରେ ହାଲେର ଯୋର ୩ ଫୁଟ ଉପରେ ବର୍ଷାଜଳ ପ୍ରବାହିତ ହେଉଅଛି । ଫଳରେ ଜୁନାଗଡ ଓ ଧର୍ମଗଡ ଜାତୀୟ ରାଜପଥରେ ଯୋଗଯୋଗ ବିଚ୍ଛିନ୍ନ ହୋଇଅଛି । ସେଠାରେ ପୋଲିସ୍ କର୍ମଚାରୀ ମୁତୟନ ଅଛନ୍ତି । ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଫଳରେ ଇନ୍ଦ୍ରାବତୀ ଓ ଭାସ୍କେଲ ନଦୀର ଜଳସ୍ତର ବୃଦ୍ଧି ପାଉଅଛି ମାତ୍ର କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ ।