ଭୁବନେଶ୍ୱର: ଆଜି ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକ । ପରିଷଦରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଧ୍ୟକ୍ଷ ଥିବା ବେଳେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାଧ୍ୟକ୍ଷ ଅଛନ୍ତି । ପ୍ରଥମ ଥର ପାଇଁ ପୂର୍ବାଞ୍ଚଳ ଆଞ୍ଚଳିକ ପରିଷଦ ବୈଠକ ଆୟୋଜନ କରୁଛି ଓଡିଶା । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ଯୋଗ ଦେବେ । ରାଜ୍ୟ କ୍ୟାବିନେଟର ମନ୍ତ୍ରୀ, ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବି ଉପସ୍ଥିତ ରହିବେ । ପୂର୍ବାଞ୍ଚଳର ବିଭିନ୍ନ ରାଜ୍ୟ ନିଜ ରାଜ୍ୟସ୍ୱାର୍ଥ ସମ୍ପର୍କିତ ପ୍ରସଙ୍ଗ ଉଠାଇବେ । ଆନ୍ତଃରାଜ୍ୟ ଜଳ ବିବାଦ, ବିଦ୍ୟୁତ୍ ସରବରାହ, କୋଇଲା ଖଣି ପରିଚାଳନା ଏବଂ ରୟାଲଟି ସଂଶୋଧନ, କେନ୍ଦ୍ରୀୟ ଅନୁଦାନ ଆବଣ୍ଟନ ଭଳି ୫୦ଟି ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି କେନ୍ଦ୍ର ସରକାରଙ୍କ ସଚିବ, ଅତିରିକ୍ତ ସଚିବ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବି ବୈଠକରେ ଯୋଗ ଦେବେ । ଓଡ଼ିଶା ପଞ୍ଚଦଶ ଅର୍ଥକମିଶନ ଅନୁଦାନ ହ୍ର।ସ ଏବଂ ମାଓ ଉପଦ୍ରୁତ ଅଞ୍ଚଳର ବିକାଶକୁ ଫୋକସ୍ କରିବ ।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଅମିତ ଶାହା
ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୧୦ଟା ୧୦ରେ ପହଞ୍ଚିବେ ଅମିତ । ପୂର୍ବାଞ୍ଚଳ ପରିଷଦର ୨୪ତମ ବୈଠକରେ ସେ ଯୋଗଦେବେ । ଏହାସହ ରାଜ୍ୟବାସୀଙ୍କୁ ଭୁବନେଶ୍ୱର ଜନତା ମଇଦାନରେ ସିଏଏ ସଂପର୍କରେ ସଚେତନ କରିବେ । ଅମିତଙ୍କ ଗସ୍ତକୁ ନେଇ ଉତ୍ସାହିତ ଅଛି ରାଜ୍ୟ ବିଜେପି । ସହର ସାରା ଶାହାଙ୍କ ଫଟୋ ଏବଂ ବ୍ୟାନର ଛାଉଣି କରିଛି ଗେରୁଆ ଦଳ । ଶାହାଙ୍କୁ ଭବ୍ୟ ସ୍ୱଗତ କରିବା ପାଇଁ ଆୟୋଜନ କରିଛି ଦଳ । ତେବେ ଶାହାଙ୍କ ସଚେତନତା ଅଭିଯାନକୁ କଂଗ୍ରେସ ଓ ବିଜେଡି ନାପସନ୍ଦ କରିଛନ୍ତି । ବିନା ସଚେତନତାରେ ସିଏଏ ଲାଗୁ କରିବାରୁ ଦେଶରେ ହିଂସାକାଣ୍ଡ ଘଟୁଥିବା ଅଭିଯୋଗ ହୋଇଛି। ସେପଟେ ସିଏଏ ବିରୋଧୀ ହିଂସାକାଣ୍ଡ ପାଇଁ ବିଜେପି, କଂଗ୍ରେସକୁ ଦାୟୀ କରିଛି ।
୨୩ଟି ତୀର୍ଥସ୍ଥଳୀ ପାଇଁ ୨୩ କୋଟି ଟଙ୍କାର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟର ୨୩ଟି ବିଭିନ୍ନ ମନ୍ଦିର ଓ ତୀର୍ଥସ୍ଥଳୀ ପାଇଁ ମୁଖ୍ୟମନ୍ତ୍ରୀ ୨୩ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ସରକାର ଏହି ପାଣ୍ଠି ସ୍ୱତନ୍ତ୍ର ସମସ୍ୟା ଫଣ୍ଡରୁ ଯୋଗାଇ ଦେବେ । ଏଥିରେ ୧୦ଟି ମନ୍ଦିର, ୫ଟି ଚର୍ଚ୍ଚ, ୬ଟି ମସଜିଦ୍ ଏବଂ ୨ ଗୁରୁଦ୍ଵାର ସାମିଲ ଅଛି । ଏହି ସବୁ ଧାର୍ମିକସ୍ଥଳୀକୁ କୋଟିଏ ଲେଖାଏଁ ଟଙ୍କା ମିଳିବ । ବରଗଡ଼ର ଶ୍ରୀ ନୃସିଂହନାଥ, ଭଦ୍ରକ ମା ଭଦ୍ରକାଳୀ, ବଲାଙ୍ଗିର ହରିଶଙ୍କର, ବୌଦ୍ଧ ଜଗନ୍ନାଥ, ଢେଙ୍କାନାଳ କପିଳାସର ଶ୍ରୀ ଚନ୍ଦ୍ରଶେଖର, ଜଗତସିଂହପୁରର ମା ଶାରଳା, ଯାଜପୁରର ମା ବିରଜା, କେନ୍ଦୁଝରର ପ୍ରଭୁ ବଳଦେବ ଜିଉ, କୋରାପୁଟର ଗୁପ୍ତେଶ୍ୱର ଏବଂ ନବରଙ୍ଗପୁରର ନୀଳକଣ୍ଠ ମନ୍ଦିରର ବିକାଶ ପାଇଁ କୋଟିଏ ଲେଖାଏଁ ଟଙ୍କା ମିଳିବ ।
ସେହିପରି ବଲାଙ୍ଗିରର ସିଏନଆଇ ଚର୍ଚ୍ଚ, ଖୋର୍ଦ୍ଧାର ବାପିଷ୍ଟ ଚର୍ଚ୍ଚ, କଟକର ମାଉଣ୍ଟ ହାଉସ, କଳାହାଣ୍ଡିର ସେଣ୍ଟ ପଲ୍ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଓ ଭୁବନେଶ୍ୱରର ଖ୍ରୀଷ୍ଟ ଚର୍ଚ୍ଚକୁ ମିଳିବ କୋଟିଏ ଲେଖାଏଁ ଟଙ୍କା । ଏହାସହ ପୁରୀର ଜାହାଁନିଆ ପୀର, ସୋନପୁରର ହାଜିର ଅବଦ୍ଦୁଲ ସାକୁର ବାବା ତରଭା ସରିଫ, ଭଦ୍ରକର ଦରଘା-ଇ-ହୁଜୁର ମୁଜାହିଦ-ଇ-ମିଲାତ, ବାଲେଶ୍ୱରର ଭୁଜାଖିଆ ପୀର, ଭୁବନେଶ୍ୱରର ଜମା ମସ୍ଜିଦ୍ ଓ ଖୋର୍ଦ୍ଧାର ପୀର ବାବା ପୀଠକୁ ମଧ୍ୟ କୋଟିଏ ଲେଖାଏଁ ଅର୍ଥ ଦିଆଯିବ ବୋଲି ଘୋଷଣା ହୋଇଛି । ଅନ୍ୟପଟେ ରାଜ୍ୟର ଦୁଇଟି ଗୁରୁଦ୍ଵାର ପାଇଁ ଦୁଇ କୋଟି ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେଗୁଡିକ ହେଲା ସୁନ୍ଦରଗଡ଼ର ଗୁରୁସିଂହ ସାହେବ ଓ ପୁରୀର ବଉଳି ମଠ ।
ମାର୍ଚ୍ଚ ୫ରେ ରାଜ୍ୟବ୍ୟାପୀ ବିଜୁ ଜୟନ୍ତୀ ପାଳନ କରିବ ବିଜେଡି
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜୟନ୍ତୀ । ଏହାକୁ ରାଜ୍ୟବ୍ୟାପୀ ପାଳନ କରିବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ବିଜେଡି କାର୍ଯ୍ୟାଳୟରେ ବିସ୍ତୃତ ଆଲୋଚନା କରାଯାଇଛି । ୧୫ ଦିନ ବ୍ୟାପୀ ବିଜୁବାବୁଙ୍କ ଜୟନ୍ତୀକୁ ସାରା ରାଜ୍ୟରେ ପାଳନ କରାଯିବ । ପ୍ରଥମ ଦିନ କଟକ ବାଲିଯାତ୍ରା ପଡିଆରେ ଏକ ବଡ଼ ସମାରୋହ ଆୟୋଜନ ହେବ ।
ଛାତ୍ର, ଯୁବକ, ମହିଳା ଓ ଶ୍ରମିକ ସଙ୍ଗଠନ ପକ୍ଷରୁ ଧୁମଧାଣରେ ପାଳନ କରାଯିବ ଉତ୍ସବ । ପ୍ରତି ନିର୍ବାଚନ ମଣ୍ଡଳୀରେ ଣହିଳାଙ୍କୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିଷ୍ପତ୍ତି ନିଆଯାଇଛି । ବିଜୁବାବୁଙ୍କ ସହ ବିଭିନ୍ନ ମହାପୁରୁଷଙ୍କ ବିଷୟରେ ଲୋକଙ୍କୁ ଅବଗତ କରାଯିବ । ମହିଳାଙ୍କୁ ରାଜନୀତିକୁ ଆଣିବାରେ ବିଜୁବାବୁଙ୍କର ବଡ଼ ଅବଦାନ ନେଇ ଅଲୋଚନା କରାଯିବ ।
ରାଜନୀତିରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇଥିଲେ ବିଜୁବାବୁ । ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଅର୍ଜନ କରିଥିବା ମହିଳାଙ୍କୁ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯିବ । ସେପଟେ ବିଜୁ ଜୟନ୍ତୀରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ୨୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ କରାଯିବାକୁ ବିଜେଡି ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶାରେ ଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ
ଭୁବନେଶ୍ୱର: ରାଜ୍ୟ ପାଇଁ ଖୁସି ଖବର । ଓଡ଼ିଶାରେଇସ୍ପାତ ଶିଳ୍ପରେ ପୁଞ୍ଜି ନିବେଶ କରିବ ଜାପାନ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ପୁଞ୍ଜି ନିବେଶ କରିବା ପାଇଁ ଜାପାନ ଆଗ୍ରହୀ ଥିବା ଜଣାପଡିଛି । ଇସ୍ଵାତ ଶିଳ୍ପର ବିକାଶ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଓ ଜାପାନ ପ୍ରତିନିଧିଙ୍କ ସହ ଆଲୋଚନା ପରେ ଏହି ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

ବୈଠକରେ ଜାପାନ ରାଷ୍ଟ୍ରଦୂତ ମଧ୍ୟ ଉପସ୍ଥିତ ଥିଲେ। ୨୦୨୦ରେ ମେକ୍ ଇନ୍ ଓଡ଼ିଶା କନ୍କ୍ଳିଭ୍ରେ ଜାପାନ ଅନ୍ୟତମ ଅଂଶୀଦାର ହେବ । ୨୦୧୮ ମଧ୍ୟରେ ଜାପାନ ଏହି କନ୍କ୍ଳିଭ୍ରେ ପାର୍ଟନର ହୋଇଥିଲା। ଆର୍ସେଲର୍ ମିତଲ, ଏସ୍ଆର ପ୍ଲାଣ୍ଟରେ ଜାପନର ନିପନ କମ୍ପାନୀର ପୁଞ୍ଜି ନିବେଶ କରିଛି । ପୂର୍ବରୁ ଜଗତସିଂହପୁରସ୍ଥିତ ଜେଏସ୍ଡବ୍ଲୁ ପ୍ଲାଣ୍ଟରେ ଜାପାନ୍ର ଜେଏଭି କମ୍ପାନୀ ପୁଞ୍ଜିନିବେଶ କରିଛି ।
ଏବେ ସାରା ଦେଶରେ ୧୪୪ ନିୟୁତ ଟନ୍ ଇସ୍ଵାତ ଉତ୍ପାଦନ ହେଉଛି। ଟାର୍ଗେଟ୍ ରହିଛି ୩ଶହ ଟନ୍। ଏଥିରୁ ଓଡିଶା ପ୍ରମୁଖ ଭୂମିକା ନିଭେଇବ ବୋଲି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। କେବଳ ବୃହତ ଶିଳ୍ପ ନୁହଁ ଅଧିକ ନିଯୁକ୍ତି ସୃଷ୍ଟି କରୁଥିବା ଛୋଟଛୋଟ ଶିଳ୍ପ ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାବାଦ୍ କୃଷି, କେମିକାଲ୍, ହସ୍ତତନ୍ତ ଓ ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଅଧିକ ସୁଯୋଗ ରହିଥିବା ସେ କହିଛନ୍ତି।
ବଡ଼ ମେଡିକାଲର ବଡ଼ ଭୁଲ୍, ଭୋଗୁଛି ୧୩ ବର୍ଷର ଆରତୀ
ଟାଙ୍ଗୀ: ଧାଁ ଦଉଡ଼ ବୟସରେ ଦୁନିଆ ତା ପାଇଁ ହୋଇଯାଇଛି ନିରବ । ସବୁକିଛି ଜାଣିବା ବୁଝିବା ବୟସରେ ସେ କିଛି ଶୁଣିପାରୁନି । କାରଣ ତା କାନକୁ ଆଉ ଶୁଭୁନି । କଟକ ବଡ଼ ମେଡିକାଲର ଡାକ୍ତରଙ୍କ ଗୋଟିଏ ଭୁଲ୍ ଆରତୀର ହସଖୁସି ଭରା ଜୀବନରେ ଭରି ଦେଇଛି ଦୁଃଖର କଳା ବାଦଲ । ଶ୍ରବଣ ଶକ୍ତି ହରାଇବା ପରେ କାଲ୍ ପାଲଟିଯାଇଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଚଣ୍ଡେଶ୍ୱର ପଞ୍ଚାୟତ ଜଗନ୍ନାଥ ସାହିର ଆରତୀ ।
ଭାଗିରଥୀ ସାମନ୍ତରାୟଙ୍କ ୧୩ ବର୍ଷର ଝିଅ ଆରତୀ ଅଷ୍ଟମ ଶ୍ରେଣୀରେ ପଢ଼େ । ବାମ କାନକୁ ଭଲ ଭାବରେ ଶୁଣାନଯିବାରୁ କଟକ ବଡ଼ ମେଡିକାଲକୁ ଯାଇଥିଲେ । ହେଲେ ଡାକ୍ତର ବାମ ବଦଳରେ ଡାହାଣ କାନର ଅସ୍ତ୍ରୋପଚାର କରିଥିଲେ । ଯାହାପରେ ଶ୍ରବଣ ଶକ୍ତି ହରାଇଛି ଆରତୀ ।
ରାଷ୍ଟ୍ରୀୟ ବାଲ ବିକାଶ ଯୋଯନାରେ ଆରତୀ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନାରେ ଗତ ଜାନୁଆରୀ ୩୧ ତାରିଖରେ ଭର୍ତ୍ତି ହୋଇଥିଲେ । ଫେବ୍ରୁଆରୀ ୧୧ ତାରିଖରେ ଡାକ୍ତର କାନର ଅପରେସନ୍ କରିଥିଲେ । ୧୮ ତାରିଖରେ ଡାକ୍ତର ଡିସଚାର୍ଜ କରିଥିଲେ । ଯେଉଁ ଡିସଚାର୍ଜ ପେପରରେ ଆରତୀଙ୍କ ଅବସ୍ଥା ସ୍ଥିର ଥିବା ମଧ୍ୟ ଉଲ୍ଲେଖ ହୋଇଛି । ଅପରେସନ୍ ପରେ ଆରତୀଙ୍କ ବାପାମାଆ ଡାକ୍ତରଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନଥିଲେ । ଓଲଟା ଧମକ ଚମକ ଦେଇ ମେଡିକାଲରୁ ବିଦା କରି ଦେଇଥିବା ତାଙ୍କ ବାପାମାଆ ଅଭିଯୋଗ କରିଛନ୍ତି ।
ତେବେ, ବଡ଼ ମେଡିକାଲରେ ଡାକ୍ତର ଏତେ ବଡ଼ ଭୁଲ୍ କେମିତି କଲେ ? ଯଦି ବା ଭୁଲରେ ଅପରେସନ୍ କରିଦେଲେ ପରେ କାହିଁକି ପ୍ରତିକାର ପାଇଁ ପଦକ୍ଷେପ ନେଲେନି ? ଏବେ ଅଭାଗିନୀ ମେଧାବୀ ଆରତୀ ନ୍ୟାୟକୁ ଅପେକ୍ଷା କରିଛି ।
ଇଣ୍ଡେ।ନେସିଆ ପାଇଁ ବିଜୁବାବୁଙ୍କ ଅବଦାନର ସ୍ମୃତି ରୋମନ୍ଥନ, ଫଟୋ ମନେ ପକାଇଲା ବିରଳ ମୁହୂର୍ତ୍ତ
ନୂଆଦିଲ୍ଲୀ: ବିଜୁ ପଟ୍ଟନାୟକଙ୍କ ପ୍ରଶଂସାରେ ଶତମୁଖ ଦେଶ ବିଦେଶର ଅତିଥି । ଅବସର ଥିଲା ଭାରତ-ଇଣ୍ଡେ।ନେସିଆ ସମ୍ପର୍କ ଶୀର୍ଷକ ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀ । ନୂଆଦିଲ୍ଲୀର ମୋତିଲାଲ ନେହେରୁ ଲାଇବ୍ରେରୀରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଅତିଥିମାନେ ଯୋଗଦେଇ ଭାରତ-ଇଣ୍ଡେ।ନେସିଆ ସୁ-ସମ୍ପର୍କ, ଇଣ୍ଡେ।ନେସିଆ ପାଇଁ ବିଜୁବାବୁଙ୍କ ଅବଦାନର ସ୍ମୃତି ରୋମନ୍ଥନ କରିଥିଲେ ।
ଫଟୋ ଓ ବିଭିନ୍ନ ସାମଗ୍ରୀ ଭାରତ-ଇଣ୍ଡେ।ନେସିଆ ମଧୁର ସମ୍ପର୍କର ସଂକେତ । ସାମ୍ପ୍ରତିକ ସ୍ଥିତି ସହ ସ୍ମୃତିକୁ ଉଦ୍ଜୀବିତ କରିଛି ଏହି ପ୍ରଦର୍ଶନୀ । ଫଟୋ ପ୍ରଦର୍ଶନୀ ଧରି ରଖିଥିଲା ଅନେକ ବିରଳ ମୁହୂର୍ତ୍ତ । ଏହି ଅବସରରେ ଇଣ୍ଡେ।ନେସିଆର ସ୍ୱାଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ସମସ୍ତେ ମନେ ପକାଇଥିଲେ । ଆଲୋଚନାର ଫୋକସରେ ଥିଲେ ମହାନ ଜନନାୟକ, ଦୂରଦ୍ରଷ୍ଟା, ରାଷ୍ଟ୍ର ନିର୍ମାତା ବିଜୁ ପଟ୍ଟନାୟକ ।
ଇଣ୍ଡେ।ନେସିଆର ମୁକ୍ତି ସଂଗ୍ରାମ ବେଳେ ଡଚ୍ ସେନାର ଘେରାବନ୍ଦୀରେ ରହି ଯାଇଥିଲେ ସେ ଦେଶର ଅନେକ ନେତା । ସାହାଯ୍ୟ ପାଇଁ ନିବେଦନ ପରେ ନିଜର ପ୍ରିୟ ଡାକୋଟା ବିମାନ ସହ ଉଡ଼ି ଯାଇଥିଲେ ଦୁଃସାହସୀ ପାଇଲଟ୍ ବିଜୁ ପଟ୍ଟନାୟକ । ଉଦ୍ଧାର କରିଥିଲେ ଡକ୍ଟର ସୁଲତାନ ସାହ୍ରିରଙ୍କୁ । ଏଥିପାଇଁ ବିଜୁବାବୁଙ୍କୁ ଇଣ୍ଡେ।ନେସିଆ ‘ଭୂମିପୁତ୍ର’ ଓ ‘ବିନ୍ତଙ୍ଗ ଯଶ ଉତ୍ତମ’ ଉପାଧି ପ୍ରଦାନ କରିଥିଲା ।
କାର୍ଯ୍ୟକ୍ରମରେ ସମସ୍ତଙ୍କ ମୁହଁରେ ଥିଲା ବିଜୁଙ୍କ ବୀରତ୍ୱର ଗାଥା । ଏହି ଆଲୋଚନାଚକ୍ର ଓ ଫଟୋ ପ୍ରଦର୍ଶନୀକୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ, ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ଉଦ୍ଘାଟନ କରିଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ ।
ସିଏଏ ହିଂସାରେ ପ୍ରାଣ ହରାଇଥିବା ମୃତ ବ୍ୟକ୍ତିଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଲେଖାଏଁ ଟଙ୍କା
ନୂଆଦିଲ୍ଲୀ: ଦିଲ୍ଲୀ ହିଂସାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ବଡ଼ ଘୋଷଣା । ପ୍ରେସ୍ମିଟ କରି ସେ କହିଛନ୍ତି ଯେ ସିଏଏ ହିଂସାରେ ସମସ୍ତ ହିନ୍ଦୁ ଏବଂ ମୁସଲମାନ କ୍ଷତିଗ୍ରସଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନାରେ ମାଗଣାରେ ଚିକିତ୍ସା କରାଯାଉଛି । ମୃତକଙ୍କ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି। ମୃତ୍ୟୁ ନାବାଳିକାର ପରିବାରକୁ ୫ ଲକ୍ଷ ଟଙ୍କା ଦିଆଯିବ।

ସେହିପରି ଆହତମାନଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି । ଯେଉଁମାନଙ୍କ ରିକ୍ସା ହିଂସାରେ କ୍ଷତିଗ୍ରସ୍ତ ହୋଇଛି ସେମାନଙ୍କୁ ୨୫ ହଜାର, ଇ-ରିକ୍ସା ପାଇଁ ୫୦ ହଜାର ଦିଆଯିବ ।

ଯେଉଁମାନଙ୍କ ଘର ପୋଡ଼ି ଯାଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କା ଦିଆଯିବ | ଏହା ବ୍ୟତୀତ ଯାହାର ଦୋକାନ ହିଂସାରେ ଜଳିଯାଇଛି ସେମାନଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରୀଓ୍ୱାଲ ।
ମକ୍କା ମଦିନା ଯାତ୍ରା ଉପରେ ରୋକ ଲଗାଇଲା ସାଉଦି ଆରବ
କରୋନା ଭୟ ସାରା ବିଶ୍ୱରେ ବ୍ୟାପିଛି । ଚୀନ୍ ବାହାରେ ବିଶ୍ୱର ଅନେକ ଦେଶରେ କରୋନାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଛି । ବୁଧବାର ଦିନ ଚାଇନାରେ କରୋନାରେ ୨୯ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନାରେ କରୋନା ଠାରୁ ୨ହଜାର୭୪୪ ଜଣଙ୍କର ମୃତ୍ୟୁ ହୋଇଛି। ଗଲ୍ଫ ଦେଶଗୁଡିକରେ, ବର୍ତ୍ତମାନ ପର୍ଯ୍ୟନ୍ତ ୨୨୦ ଟି କରୋନା ମାମଲା ରିପୋର୍ଟ ହୋଇଛି ।

ଏଥି ସହିତ, ସାରା ବିଶ୍ୱରେ ୮୧ ହଜାର ରୁ ଅଧିକ ଲୋକ କରୋନା ଦ୍ୱାରା ସଂକ୍ରମିତ ହୋଇଛନ୍ତି । କରୋନା ଭାଇରସ୍ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଉଦି ଆରବ ମକ୍କା-ମଦିନାକୁ ଆସୁଥିବା ଯାତ୍ରୀଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇଛି ।

ବିଦେଶ ଗଲେ ବି ଭାଷା ପାଇଁ ଅକଳରେ ପଡ଼ିବେନି ଓଡ଼ିଆ
ଭୁବନେଶ୍ୱର: ଓଡ଼ିଆଙ୍କ ହାତମୁଠାରେ ବିଶ୍ୱ । ଭାଷାକୁ ନେଇ ଆଉ ରହିବନି ଦ୍ୱନ୍ଦ୍ୱ । କାରଣ ଗୁଗୁଲରେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାକୁ କରିହେବ ସହଜରେ ଅନୁବାଦ । ଆପଣ ହିନ୍ଦୀ, ଇଂରାଜୀ ଭଳି ସ୍ପେନ୍, ଜାପାନିଜ୍, ଫ୍ରେଞ୍ଚ୍ ଭଳି ବିଦେଶୀ ଭାଷାକୁ ଏବେ ଗୁଗୁଲ୍ ଟ୍ରାନ୍ସଲେଟର ମାଧ୍ୟମରେ ଓଡ଼ିଆକୁ ଅନୁବାଦନ କରିପାରିବେ ।
ସେହିଭଳି ଓଡ଼ିଆ ଭାଷାକୁ ମଧ୍ୟ ଇଂରାଜୀ, ହିନ୍ଦୀ, ସ୍ପେନ୍, ଆରବିକ ଭାଷାକୁ ଗୁଗୁଲ୍ ଟ୍ରାନ୍ସଲେଟର ମାଧ୍ୟମରେ ଓଡ଼ିଆକୁ ଅନୁବାଦିତ କରିହେବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ସ୍ଥାନୀୟ ଭାଷାକୁ ସହଜରେ ବୁଝିପାରିବା ସହ ଅନ୍ୟକୁ ମଧ୍ୟ ବୁଝାଇପାରିବେ ।
ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଗତବର୍ଷ ଓଡ଼ିଆ ଭାଷାକୁ ସାମିଲ୍ କରିବା ନେଇ ସୂଚନା ଦେଇଥିଲା । ଏଥିସହ ଏବେ ଗୁଗୁଲରେ ବିଶ୍ୱର ୧୦୮ଟି ଭାଷା ଅନୁବାଦନ କରିହେବ । ଓଡ଼ିଆ ସହ ତତର, ତୁର୍କମେନ, ୟୁଏଗୁରୁ ଭାଷାକୁ ଗୁଗୁଲ ଟ୍ରାନ୍ସଲେଟରେ ସ୍ଥାନ ମିଳିଛି । ଏହାଦ୍ୱାରା ବିଶ୍ୱର ପ୍ରାୟ ୭୫ ମିଲିୟନ୍ ଲୋକ ଉପକୃତ ହେବେ ।

