ନନ୍ଦିଘୋଷ ବ୍ୟୁରୋ : ପଶ୍ଚିମ ଏସିଆରେ ଯୁଦ୍ଧବିରତି ପ୍ରସଙ୍ଗ। ଇସଲାମାବାଦ କଥାବାର୍ତ୍ତାକୁ ନେଇ ସସପେନ୍ସ। ଲେବାନନ ଉପରେ ହମଲା ବନ୍ଦ ନ ହେବା ଯାଏ ଆମେରିକା ସହ କଥାବାର୍ତ୍ତା କରାଯିବ ନାହିଁ ବୋଲି କହିଛି ଇରାନ। ଏପରିକି ଇସଲାମାବାଦରେ ଇରାନର କୌଣସି ପ୍ରତିନିଧି ପହଞ୍ଚିନଥିବା କହିଛି ଇରାନ। ଲେବାନନ ସହ ଯୁଦ୍ଧବିରତି ନହେବା ଯାଏ କୌଣସି ପ୍ରକାର କଥାବାର୍ତ୍ତା ହୋଇପାରିବ ନାହିଁ ବୋଲି ଇରାନ କହିଛି। ସେପଟେ ଇସଲାମାବାଦ କଥାବାର୍ତ୍ତା ପୂର୍ବରୁ ଇସ୍ରାଏଲ ଓ ପାକିସ୍ତାନ ମଧ୍ୟରେ ବଢ଼ିଛି କୂଟନୈତିକ ବିବାଦ। ଲେବାନନରେ ଇସ୍ରାଏଲ ଗଣହତ୍ୟା ଚଲାଇଛି ଏବଂ ଇସ୍ରାଏଲ ଏକ ଦୁଷ୍ଟ ରାଷ୍ଟ୍ର ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିବା ପରେ ଏହାକୁ ନେଇ ବଢିଛି ବିବାଦ। ଆସିଫଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଅଫିସ। ପଶ୍ଚିମଏସିଆରେ ଶାନ୍ତି ପ୍ରତିଷ୍ଠା ଲାଗି କ୍ଷେତ୍ର ପ୍ରସ୍ତୁତ ହେଉଥିବାବେଳେ ଦୁଇ ପ୍ରମୁଖ ରାଷ୍ଟ୍ର ମଧ୍ୟରେ ବିବାଦ ଶାନ୍ତି ପ୍ରକ୍ରିୟା ଉପରେ ବାଧା ସୃଷ୍ଟି କରିବା ଆଶଙ୍କା ସୃଷ୍ଟି ହୋଇଛି।
ଇସାଲାମାବାଦର ସେରେନା ହୋଟେଲରେ ଆୟୋଜିତ ହେଉଛି ବୈଠକ। ଆସନ୍ତାକାଲି ବୈଠକରେ ଆମେରିକା ପକ୍ଷରୁ ପ୍ରତିନିଧିତ୍ବ କରିବେ ଉପରାଷ୍ଟ୍ରପତି ଜେ ଡି ଭାନ୍ସ । ଏହି ବୈଠକରେ ଯୁଦ୍ଧବିରତିକୁ ଆଗକୁ ନେବା, ଇରାନର ବିଭିନ୍ନ ସର୍ତ୍ତ. ହର୍ମୁଜ ପ୍ରସଙ୍ଗରେ ବ୍ୟାପକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି। ଯୁଦ୍ଧ ବିରତି କାର୍ଯ୍ୟକାରୀ କ୍ଷେତ୍ରରେ ଇସଲାମାବାଦର ଭୂମିକା ଥିବା ବିଷୟ ମାନିଥିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ। ସେପଟେ ଇସଲାମାବାଦରେ କଥାବାର୍ତ୍ତା ସ୍ଥଳକୁ ରେଡଜୋନ ଘୋଷଣା କରାଯାଇଛି। ସେହି ରାସ୍ତାରେ ଯାଞ୍ଚ କଡ଼ାକଡ଼ି କରାଯାଇଛି।
ପଶ୍ଚିମ ଏସିଆରେ ଯୁଦ୍ଧବିରତି ପ୍ରସଙ୍ଗ : ଇସଲାମାବାଦ କଥାବାର୍ତ୍ତାକୁ ନେଇ ସସପେନ୍ସ
ପୋଲିସ ଭୂମିକାରେ ଯୁବତୀ, ନିଜ ମୋବାଇଲ ଚୋରି ହେବାପରେ ଗାଡି ଅଟକାଇ କଲେ ଯାଞ୍ଚ
ଭୁବନେଶ୍ବର : ପୋଲିସ ଭୂମିକାରେ ଯୁବତୀ । ନିଜ ମୋବାଇଲ ଚୋରି ହେବାପରେ ଗାଡି ଅଟକାଇ ଜଣ ଜଣଙ୍କୁ କଲେ ଯାଞ୍ଚ । ପକେଟରେ ହାତ ପୂରାଇ କଲେ ଚେକିଂ । ପଟିଆ ଜଗନ୍ନାଥ ମନ୍ଦିର ନିକଟରେ ଆମ ବସ୍ ଯାଉଥିବା ବେଳେ ଦେଖିବାକୁ ମିଳିଛି ଏଭଳି ଘଟଣା । ସୂଚନା ମୁତାବକ ଆମ ବସ୍ ରେ ଯାଉଥିବା ବେଳେ ଜଣେ ଯୁବତୀଙ୍କ ମୋବାଇଲ ଚୋରି ହୋଇଯାଇଥିଲା । ଖୋଜାଖୋଜି କରିବା ପରେ ମଧ୍ୟ ମିଳିନଥିଲା । ତେଣୁ ଗାଡିକୁ ଅଟକାଇବା ସହ ଯାତ୍ରୀଙ୍କୁ ଯାଞ୍ଚ କରିଥିଲେ ଯୁବତୀ ଜଣଙ୍କ । ପୁରୁଷ ଓ ମହିଳା କାହାରିକୁ ଛାଡିନଥିଲେ। ଖବର ପାଇ ଇନ୍ଫୋସିଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଯିବାକୁ ଦେଇଥିଲା । ସେପଟେ ଯୁବତୀଙ୍କ ମୋବାଇଲ ଚୋରି ନେଇ ଏକ ମିସିଂ ରିପୋର୍ଟ ଥାନାରେ କରାଯାଇଛି ।
କେନ୍ଦୁଝର ଚମ୍ପୁଆ NACରେ ପଶିଲା ଝାଡଖଣ୍ଡୀ ଗୋଠଛଡ଼ା ଦନ୍ତା
ଚମ୍ପୁଆ : କେନ୍ଦୁଝର ଚମ୍ପୁଆ NACରେ ପଶିଲା ଝାଡଖଣ୍ଡୀ ଗୋଠଛଡ଼ା ଦନ୍ତା । ଘରର ଛରକା ଭାଙ୍ଗି ଖାଇଦେଲା ଧାନ । ଗତକାଲି ଝାଡଖଣ୍ଡ ପଟୁ ବୈତରଣୀ ନଦୀ ପାର ହୋଇ ଚମ୍ପୁଆ NACର ପୋଖରିଆ ଗାଁରେ ହାତୀ ପଶି ଶ୍ରୀକାନ୍ତ ମହାନ୍ତଙ୍କ ଘରର ଝରକା ଭାଙ୍ଗିଦେଇଛି । ପରେ ଘର ଭିତରୁ ଧାନ ଖାଇ ଝାଡଖଣ୍ଡକୁ ଚାଲିଯାଇଛି । ଅଳ୍ପକେ ବର୍ତ୍ତିଯାଇଛନ୍ତି ପରିବାର ଲୋକେ । ହାତୀଟି ଏନଏସି ଭିତରେ ପଶିବାକୁ ନେଇ ଭୟଭୀତ ହୋଇପଡିଛନ୍ତି ଗ୍ରାମବାସୀ ।
ଗହୀରମଥା ବେଳାଭୂମିରେ ଲାଗିଛି ମୃତ ତିମି…
ରାଜନଗର : ରାଜନଗର ବନଖଣ୍ଡ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ବିଶାଳ ମୃତ ତିମିକୁ ଦେଖିବା ପାଇଁ ମିଳିଛି । ମାଦେଳି କ୍ୟାମ୍ପ ନିକଟ ବେଳାଭୂମିରେ ଲାଗିଛି ୩୨ ଫୁଟ ଲମ୍ବ ୧୭ ଫୁଟ ମାଟେଇର ମୃତ ତିମି । ମୃତ୍ୟୁର କାରଣ ହୋଇନି ସ୍ପଷ୍ଟ । ବ୍ରେଡସ ପ୍ରଜାତିର ମୃତ ତିମିର ପୋଷ୍ଟମଟମ ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ବନବିଭାଗ ସୂଚନା ଦେଇଛି ।
ହାତୀ ଆକ୍ରମଣରେ ମା ଓ ପୁଅ ମୃତ
ଅନୁଗୁଳ : ହାତୀ ଆକ୍ରମଣରେ ମା ଓ ପୁଅ ମୃତ । ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ମଧୁପୁର ନିକଟରେ ଏଭଳି ଘଟଣା ଘଟିଛି । ଆଠମଲ୍ଲିକ ଅଞ୍ଚଳରୁ କିଛି ଲୋକ ବନ୍ତଳା ଅଞ୍ଚଳକୁ ଆସି ସେଠାରେ ରହିବା ସହ ଶ୍ରମିକ ଭାବେ କାମ କରନ୍ତି । ଏହି ମା ଓ ପୁଅ ମଧ୍ୟ ସେଠାରେ ରହୁଥିଲେ । ଗତକାଲି ରାତିରେ ସେମାନେ ମଧୁପୁର ଅଞ୍ଚଳକୁ ଦଣ୍ଡ ନାଚ ଦେଖିବାକୁ ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲେ । ହେଲେ ବାଟରେ ଉଭୟଙ୍କୁ ହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ବନ୍ତଳା ପୁଲିସ ବିଳମ୍ବିତ ରାତିରେ ଘଟଣା ସ୍ଥଳକୁ ଯାଇ ଉଭୟ ମୃତଦେହ ଜବତ କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।
ରାସ୍ତା ପାଲଟିଛି ମରଣଯନ୍ତା, ଯାତାୟତ ପାଇଁ କଲବଲ ହେଉଛନ୍ତି ଲୋକେ
ପିପିଲି : ରାସ୍ତା ପାଲଟିଛି ମରଣଯନ୍ତା। ଯାତାୟତ ପାଇଁ କଲବଲ ହେଉଛନ୍ତି ଲୋକେ।ପିପିଲି ଆନନ୍ଦ ବଜାର ଛକ ଠାରୁ ପମସରା ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ। ମେଟାଲ ବାହାରିଯିବା ସହିତ ଅନେକ ଖାଲଖମାରେ ଭର୍ତ୍ତି ହୋଇଛି ରାସ୍ତା। ପ୍ରତିଦିନ ଏହି ରାସ୍ତା ଦେଇ ଗ୍ରାମବାସୀଙ୍କ ଠାରୁ ଆରମ୍ଭ କରି ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଯାତାୟାତ କରିଥାନ୍ତି। ଅସରାଏ ବର୍ଷାରେ ପୋଖରୀର ଭ୍ରମ ସୃଷ୍ଟି ହେବା ସହିତ କାଦୁଅ ପଙ୍କରେ ଭର୍ତ୍ତି ହେଉଛି । ରାସ୍ତାର ଦୂରାବସ୍ଥା ଯୋଗୁଁ ପ୍ରତ୍ୟକ ଦିନ ଛୋଟ ବଡ଼ ଦୁର୍ଘଟଣା ଘଟିବା ସହ ସ୍କୁଲ ପିଲାଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି ହେଉଛି। ବର୍ଷ ବର୍ଷ ବିତି ଯାଇଥିଲେ ସୁଦ୍ଧା ରାସ୍ତା ସମସ୍ୟାର ସମାଧାନ ହେଉନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ। ଏନେଇ ପ୍ରଶାସନ ଅବହେଳା କରୁଥିବା ଅଭିଯୋଗ ଆଣିଛନ୍ତି। ଯଥାଶୀଘ୍ର ରାସ୍ତା ମରାମତି କରାନଗଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସୀ।
ଗାଦିମଡା ପୋଲିସ ବାବୁଙ୍କୁ ସରକାରୀ ଛାଟ
ଭୁବନେଶ୍ବର : ଗାଦିମଡା ପୋଲିସ ବାବୁଙ୍କୁ ସରକାରୀ ଛାଟ। ଏଣିକି ଆଉ ଗୋଟିଏ ସ୍ଥାନରେ ୩ ବର୍ଷ କି ଗୋଟିଏ ଜିଲାରେ ୬ ବର୍ଷରୁ ଅଧିକ ସମୟ ରହି ପାରିବେ ନାହିଁ। ଗାଦିମଡା ଅଫିସରଙ୍କ ତାଲିକା ମାଗିଲେ ରାଜ୍ଯସରକାର। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହେଲା ବିଜ୍ଞପ୍ତି। ସମସ୍ତ ଜିଲ୍ଲା SP ଓ କମିଶନରେଟ ପୋଲିସର DCPଙ୍କୁ ମଗାଗଲା ଗାଦିମଡା ଅଫିସରଙ୍କ ତାଲିକା। ଯେଉଁମାନେ ବର୍ଷ ବର୍ଷ ଧରି ଗୋଟିଏ ଜିଲ୍ଲାରେ ଥାନାରୁ ସେ ଥାନା ଘୂରି ବୁଲୁଛନ୍ତି କିମ୍ବା ହେଡ ଅଫିସ ସହ ଆଟାଚ ହୋଇ ରହି ଯାଉଛନ୍ତି ସେମାନଂକୁ ବଦଳି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ବର୍ଷ ବର୍ଷ ଧରି ଗୋଟିଏ ଗୋଟିଏ ଥାନାରୁ ବଦଳି ହେଉନଥିବା ପୋଲିସ କନଷ୍ଟେବଲ, ହାବିଲଦାର, ଡ୍ରାଇଭର୍ ଙ୍କୁ ତୁରନ୍ତ ବଦଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଲୁହା ରଡ଼ ଖସିଯିବାରୁ ଚାଲିଗଲା ମା ଓ ପୁଅଙ୍କ ଜୀବନ
ସୋର : ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ନିକଟରେ ଅଘଟଣ । ଦୁର୍ଘଟଣାରେ ମା ଓ ପୁଅଙ୍କ ମୃତ୍ୟୁ। ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ପାରାଦୀପକୁ କାମ କରିବା ପାଇଁ ଯାଇଥିଲେ। ଚଣ୍ଡୀଖୋଲରୁ ଏକ ଆଇଚର ଯୋଗେ ୭ଜଣ ଡାଲାରେ ବସି ଆସୁଥିଲେ। ସିମୁଳିଆ ଥାନା ଜାତୀୟ ରାଜପଥ ଉପରେ ଥିବା ହମ୍ସରେ ବ୍ରେକ ମାରିଦେବାରୁ ଆଇଚର ଭିତରେ ଭର୍ତ୍ତି ଥିବା ଲୁହା ରଡ଼ ଖସି ମାଆ ଓ ପୁଅ ଉପରେ ବାଜି ଯାଇଥିଲା। ଘଟଣାସ୍ଥଳରେ ୭ଜଣଙ୍କ ମଧ୍ୟରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିଲା। ଗୋୖରୀ ହେମ୍ବ୍ରମ ନାମକ ଅନ୍ୟ ଜଣେ ଯାତ୍ରୀ ଗୁରୁତର ଥିବା ଜଣାପଡିଛି।
ସ୍କୁଲ ୟୁନିଫର୍ମ ବଣ୍ଟନ ପାଇଁ ଆସିଲା ଗାଇଡଲାଇନ ; ଓସେପା ଜାରି କଲା ମାର୍ଗଦର୍ଶିକା
ଭୁବନେଶ୍ବର : ସ୍କୁଲ ୟୁନିଫର୍ମ ବଣ୍ଟନ ପାଇଁ ଆସିଲା ଗାଇଡଲାଇନ । ଓସେପା ଜାରି କଲା ମାର୍ଗଦର୍ଶିକା । ଖରା ଛୁଟି ପୂର୍ବରୁ ମିଳିବ ୟୁନିଫର୍ମ। ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଶିଶୁ ବାଟିକାଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଖରାଛୁଟି ପୂର୍ବରୁ ମାଗଣା ୟୁନିଫର୍ମ ଓ ଅନ୍ୟାନ୍ୟ ସାମଗ୍ରୀ ମିଳିବ । ଶିଶୁ ବାଟିକାରୁ ଦଶମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ସମେତ ହାଉସ୍ ଡ୍ରେସ୍, ଜୋତା ଓ ମୋଜା ଦିଆଯିବାକୁ ଥିବା ବେଳେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅତିରିକ୍ତ ଭାବେ ପରିଚୟପତ୍ର ଓ ଟୋପି ଦିଆଯିବ । ଚଳିତ ମାସ ମଧ୍ୟରେ ସମସ୍ତ ପ୍ରକ୍ରିୟା ଶେଷ ହେବ। ଏପ୍ରିଲ ୧୦ ସୁଦ୍ଧା ବିଦ୍ୟାଳୟ ସ୍ତରରୁ ଶ୍ରେଣୀ ଓ ବର୍ଗ ଅନୁଯାୟୀ ଆବଶ୍ୟକ ଆକଳନ ଶେଷ ହେବ । ୧୨ ତାରିଖ ସୁଦ୍ଧା ଏଜେନ୍ସିଗୁଡ଼ିକୁ କାର୍ଯ୍ୟାଦେଶ ପ୍ରଦାନ, ୨୭ ତାରିଖ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ସମସ୍ତ ସାମଗ୍ରୀ ବଣ୍ଟନ କରାଯିବ । ଏପ୍ରିଲ ୩୦ ସୁଦ୍ଧା ୟୁନିଫର୍ମର ଗୁଣାତ୍ମକମାନେ ଯାଞ୍ଚ ଏବଂ ମେ’ ୨ ସୁଦ୍ଧା ଓସେପା ନିକଟରେ ଜିଲ୍ଲା ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପତ୍ର ଲେଖି ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବାକୁ କହିଛନ୍ତି।
ଚଳିତବର୍ଷ ପୋଷାକ ଯୋଗାଇବା ଯଦି କୌଣସି ଏଜେନ୍ସି ବିରୋଧରେ ଗୁରୁତର ଅଭିଯୋଗ ଥାଏ କିମ୍ବା ସେମାନେ କାର୍ଯ୍ୟ କରିବାକୁ ଅମଙ୍ଗ ହୁଅନ୍ତି, ତେବେ ଜିଲ୍ଲାସ୍ତରୀୟ କମିଟିର ଅନୁମତିକ୍ରମେ ନୂତନ ବ୍ୟବସ୍ଥା ଗ୍ରହଣ କରାଯିବ । ପୋଷାକର ରଙ୍ଗ, ଗୁଣବତ୍ତା ଓ ଲୋଗୋ ଗତବର୍ଷ ଭଳି ସମାନ ରହିବା କୌଣସି ପ୍ରକାର ନିମ୍ନମାନର ସାମଗ୍ରୀ ପ୍ରଦାନ କଲେ ଏଜେନ୍ସି ନିଜ ଖର୍ଚ୍ଚରେ ତାହା ବଦଳାଇବେ । ସାମଗ୍ରୀ ଗ୍ରହଣ କରିବା ପୂର୍ବରୁ ପ୍ରଧାନଶିକ୍ଷକମାନେ ଗୁଣବତ୍ତା ଏବିଇଓମାନେ ମଧ୍ୟରୁ ଅତିକମ୍ରେ ୨୫% ବିଦ୍ୟାଳୟକୁ ଗସ୍ତ କରି ଯାଞ୍ଚ କରିବେ । ଅନୁରୂପ ଭାବେ ବ୍ଲକ୍ ଶିକ୍ଷା ଅଧିକାରୀ-ବିଇଓ ମଧ୍ୟ ଅତିକମ୍ରେ ୧୦% ସ୍କୁଲ, ଜିଲ୍ଲା ଶିକ୍ଷା ଅଧିକାରୀ ନିୟମିତ ବ୍ୟବଧାନରେ ଯାଞ୍ଚ କରିବେ । ଆବଶ୍ୟକ ପଡ଼ିଲେ ଜିଲ୍ଲାପାଳ ସମୀକ୍ଷା କରିବା ସହ ଯାଞ୍ଚ କରିପାରିବେ । ଯଦି ପୋଷାକର ସାଇଜ୍ କିମ୍ବା ଗୁଣବତ୍ତାରେ କିଛି ତ୍ରୁଟି ଥାଏ, ତେବେ ସ୍କୁଲ କିମ୍ବା ବ୍ଲକସ୍ତରରେ ଅଭିଯୋଗ କରାଯାଇପାରିବ । ଏହି ଅଭିଯୋଗଗୁଡ଼ିକ ମଧ୍ୟରେ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେରେ ଗଠିତ ଜିଲ୍ଲାସ୍ତରୀୟ କମିଟି ଏହି ପ୍ରକ୍ରିୟାର ସାପ୍ତାହିକ ଅନୁଧ୍ୟାନ କରିବେ । କୌଣସି ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ଏହି ସୁବିଧାରୁ ବଞ୍ଚିତ ନ ହୁଅନ୍ତି, ତାହା ନିଶ୍ଚିତ କରିବାକୁ ଓସେପା ପକ୍ଷରୁ କୁହାଯାଇଛି।
ମା ଓ ଭଉଣୀ ସୁଭଦ୍ରା ସହ ଯୋଡ଼ାମୁଣ୍ଡ ଶିଶୁ ଜଗା ପାଳିଲା ଜନ୍ମଦିନ
ଫୁଲବାଣୀ : ମା ଓ ଭଉଣୀ ସୁଭଦ୍ରା ସହ ଯୋଡ଼ାମୁଣ୍ଡ ଶିଶୁ ଜଗା ପାଳିଲା ଜନ୍ମଦିନ । ବହୁ ଚର୍ଚ୍ଚିତ ଯୋଡ଼ା ମୁଣ୍ଡ ଶିଶୁ ଜଗାର ଆଜି ଜନ୍ମଦିନ । ୧୧ ବର୍ଷ ପୂର୍ତ୍ତି ହୋଇ ଏବେ ୧୨ ବର୍ଷରେ ପାଦ ଥାପିଲା ଜଗା । ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଥିବା ମାତୃ ଓ ଶିଶୁ ବିଭାଗର ଦୁଇ ନମ୍ବର କେବିନରେ ନିଜ ମା ଓ ଭଉଣୀ ସୁଭଦ୍ରା ସହ ମିଶି କେକ କାଟି ନିଜ ଜନ୍ମଦିନକୁ ପାଳନ କରିଛି ଜଗା । ଏହି ଶୁଭ ଦିନରେ ମାତୃ ଶିଶୁ ବିଭାଗରେ ଥିବା ନର୍ସ ଏବଂ ଏ.ଏନ.ଏମ ମାନେ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ ।
ଜଗା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବା ବେଳେ ପାଠ ପଢିବାକୁ ଆଗ୍ରହ ପ୍ରକାଶ କରୁଛି । ଆଗାମୀ ଦିନରେ ଜଗା କିଭଳି ବିଦ୍ୟାଳୟ ଯାଇ ପାଠ ପଢ଼ିବ ବାପା ମା ଇଚ୍ଛା ପ୍ରକାଶ କରିଛନ୍ତି । ଜଗାର ଜନ୍ମ ଦିନରେ ଭଉଣୀ ସୁଭଦ୍ରା ଜଗା ସହ ମିଶି କେକ କାଟିବା ସହ ଭାଇର ଖୁସିରେ ଖୁସି ହୋଇ ଭାଇକୁ ଶୁଭେଛା ଚୁମ୍ବନ ଦେଇଛି । ଜଗା ଏବଂ ସୁଭଦ୍ରା ଜନ୍ମ ଦିନରେ କେକକୁ ପରସ୍ପରକୁ ଖୁଆଇ ଖୁସି ବାଣ୍ଟିଛନ୍ତି । ଜଗା ମଧ୍ୟ ତା ଜନ୍ମଦିନରେ କେକ କାଟି ଖୁସି ହେବା ସହ ସମସ୍ତଙ୍କୁ ନିଜ ଜନ୍ମ ଦିନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଛି ।

