spot_img
Home Blog Page 77

ବିଜୟ ଥଲାପତିଙ୍କ ବଡ ଘୋଷଣା : ବସରେ ମାଗଣା ଯାତ୍ରା କରିବେ ମହିଳା…

ନନ୍ଦିଘୋଷ ବ୍ୟୁରୋ :  ଗାନ୍ଧୀ ଜୟନ୍ତିରେ ମହିଳାଙ୍କ ପାଇଁ ବଡ ଭେଟି । ଏଣିକି ସବୁ ବସ୍ ରେ ମାଗଣାରେ ଯାଇପାରିବେ ମହିଳା । ତାମିଲନାଡୁ ସରକାର ମହିଳାଙ୍କ ପାଇଁ ବର୍ତ୍ତମାନ ଏଭଳି ଏକ ବଡ ଘୋଷଣା କରିଛନ୍ତି । ମହିଳା ଏବଂ ଟ୍ରାନ୍ସେଜେଣ୍ଡର ସମ୍ପ୍ରଦାୟକୁ ଅଧିକ ସାର୍ବଜନୀନ ସୁବିଧା ଯୋଗାଇବା ଦିଗରେ ଏହି ଗୁରୁତ୍ବପୂର୍ଣ୍ଣ ପଦେକ୍ଷପ ନେଇଛନ୍ତି ତାମିଲନାଡୁର ବିଜୟ ସରକାର । ଗାନ୍ଧୀ ଜୟନ୍ତି ଅବସରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋସେଫ ବିଜୟ ଚେନ୍ନାଇରେ ଭେଟ୍ଟି ପୟନମ୍ ଥିଟ୍ଟମ୍ ଯୋଜନାର ଏକ ବିସ୍ତାରିତ ସଂସ୍କରଣ ଆରମ୍ଭ କରିଛନ୍ତି । ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ହେଉଛି, ମହିଳା ଏବଂ ଟ୍ରାନ୍ସେଜେଣ୍ଡରଙ୍କୁ ସରକାରୀ ବସ୍ ରେ ମାଗଣା ଯାତ୍ରା ସେବା ଯୋଗାଇବା । ଏହାଦ୍ବାରା ଆର୍ଥିକ ଦୃଷ୍ଟିରୁ ଦୂର୍ବଳ ବର୍ଗଙ୍କୁ ଆଶ୍ବସ୍ତି ମିଳିବା ସହ ଶିକ୍ଷା, ନିଯୁକ୍ତି ଏବଂ ଅନ୍ୟାନ୍ୟ ଜରୁରୀ ସେବାରେ ସେମାନଙ୍କ ପ୍ରବେଶକୁ ଉନ୍ନତ କରିବ ।

ସୂଚନା ମୁତାବକ, ଏପର୍ଯ୍ୟନ୍ତ ମହାନଗର, ସହରାଞ୍ଚଳରରେ ସାଧରଣ ବସରେ ମାଗଣା ଯାତ୍ରା ଉପଲବ୍ଧ ଥିଲା, କିନ୍ତୁ ନୂତନ ବ୍ୟବସ୍ଥା ଏହି ଯୋଜନାକୁ ବିସ୍ତାର କରି ଅଧିକ ବସ୍ ବର୍ଗକୁ ଅର୍ନ୍ତଭୁକ୍ତ କରିବ । ସରକାରକ ଏବେ ଏହି ଯୋଜନାକୁ ବିସ୍ତାର କରି ଏକ୍ସପ୍ରେସ୍ , ଏଲଏସଏସ ଏବଂ ଡିଲକ୍ସ ବସକୁ ଅର୍ନ୍ତଭୁକ୍ତ କରିଛନ୍ତି । ଏହାସହ  ଜିଲ୍ଳା ମଧ୍ୟରେ ଚାଲୁଥିବା ସାଧାରଣ ଉପନଗରୀୟ ବସ୍ ଏବଂ ୪୦ କିଲୋମିଟରରୁ ଅଧିକ ଦୂରତା ଥିବା ପାହାଡି ଅଂଚଳରେ ସାଧାରଣ ବସ୍ ସେବା ଅର୍ନ୍ତଭୁକ୍ତ ହେବ । ଫଳରେ ସାର୍ବଜନୀନ ପରିବହନ ବ୍ୟବହାରକୁ ଆହୁରି ଉତ୍ସାହିତ କରିବ । ଯାହା ଲକ୍ଷ ଲକ୍ଷ ମହିଳାଙ୍କ ଯାତ୍ରାକୁ ଆହୁରି ସହଜ ଏବଂ ସୁଲଭ କରିବ । ତେବେ ତାମିଲନାଡୁ ସରକାରଙ୍କ ୭ଟି ପରିବହନ ନିଗମ ଅଧିନରେ ପରିଚାଳିତ ମୋଟ ୧୨,୬୯୨ଟି ବସ୍ ଅର୍ନ୍ତଭୁକ୍ତ କରାଯାଇଛି । ଯଦି ଦେଖିବା ତାମିଲନାଡୁରେ ବିଜୟ ସରକାର ଆସିବା ପରଠାରୁ ଗୋଟେ ପରେ ଗୋଟେ ଲୋକୁଭିମୁଖୀ ଯୋଜନା ଜନତାଙ୍କୁ ଭେଟି ଦେଉଛନ୍ତି । ଆଉ ଏହି ଦିଗରେ ଏବେ ଆହୁରି ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି ।

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ସ୍ଵର୍ଣ୍ଣ

ନନ୍ଦିଘୋଷ ବ୍ୟୁରୋ : ଭାରତ ତୀରନ୍ଦାଜୀରେ ଐତିହାସିକ ସ୍ୱର୍ଣ୍ଣ ଜିତିଲା, ପ୍ରଥମ ଥର ପାଇଁ ଏହି ପଦକ ପାଇଲା, ମହିଳା ଦଳ ରଚିଲା ଇତିହାସ  । କମ୍ପାଉଣ୍ଡ ତୀରନ୍ଦାଜୀ ଇଭେଣ୍ଟରେ ୩ ସ୍ୱର୍ଣ୍ଣ ପଦକ ଜିତିବା ପରେ, ଭାରତୀୟ ତୀରନ୍ଦାଜୀ ରିକର୍ଭ ଇଭେଣ୍ଟରେ ମଧ୍ୟ ଏକ ଦୃଢ଼ ଆରମ୍ଭ କରିଥିଲେ  ।

ଭାରତ ୨୦୨୬ ଏସୀୟ କ୍ରୀଡାରେ ତୀରନ୍ଦାଜୀରେ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତିଛି, ଏବଂ ଏଥର ଏହା ପ୍ରକୃତରେ ଐତିହାସିକ। ଭାରତୀୟ ମହିଳା ଦଳ ତୀରନ୍ଦାଜୀ ରିକର୍ଭ ଇଭେଣ୍ଟର ଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏହା ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ଏହି ଇଭେଣ୍ଟର ଫାଇନାଲରେ ପହଞ୍ଚି ସ୍ୱର୍ଣ୍ଣ ଜିତିଛି। କୁମକୁମ ମହୋଦ, କୀର୍ତ୍ତି ଏବଂ ଅଙ୍କିତା ଭକତଙ୍କ ତ୍ରିକୀୟ ଏହି ଇଭେଣ୍ଟରେ ଚିରକାଳୀନ ସ୍ୱର୍ଣ୍ଣ ପଦକ ବିଜେତା ଦକ୍ଷିଣ କୋରିଆକୁ ଆଶ୍ଚର୍ଯ୍ୟ କରି ଇତିହାସ ରଚିଛନ୍ତି।

ଆଇଚି-ନାଗୋୟାରେ ଅନୁଷ୍ଠିତ କ୍ରୀଡାର ୧୩ତମ ଦିନ ଭାରତ ପାଇଁ ଏକ ଉଲ୍ଲେଖନୀୟ ସଫଳତା ଥିଲା। ଏହା ସେମିଫାଇନାଲ ସହିତ ଆରମ୍ଭ ହୋଇଥିଲା, ଯେଉଁଠାରେ ଭାରତୀୟ ଦଳ ପ୍ରଥମେ ଚୀନକୁ ପରାସ୍ତ କରିଥିଲା। ଟିମ୍ ଇଣ୍ଡିଆ ସେମିଫାଇନାଲରେ ପ୍ରାଧାନ୍ୟ ବିସ୍ତାର କରିଥିଲା, ଏକପାଖିଆ ୫-୧ ଗୋଲରେ ମ୍ୟାଚ୍ ଜିତି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା। ଏହା ପ୍ରଥମ ଥର ପାଇଁ ଭାରତୀୟ ଦଳ ମହିଳା ରିକର୍ଭ ଦଳଗତ ଇଭେଣ୍ଟର ଫାଇନାଲରେ ପହଞ୍ଚିଥିଲା। ଭାରତର ପୂର୍ବ ସର୍ବୋତ୍ତମ ପ୍ରଦର୍ଶନ ୨୦୧୦ ମସିହାରେ ଆସିଥିଲା, ଯେତେବେଳେ ଦଳ ବ୍ରୋଞ୍ଜ ପଦକ ଜିତିଥିଲା।

କିନ୍ତୁ ପ୍ରକୃତ ଚ୍ୟାଲେଞ୍ଜ ରହିଲା, କାରଣ ସେମାନେ ଫାଇନାଲରେ ଦକ୍ଷିଣ କୋରିଆର ସମ୍ମୁଖୀନ ହୋଇଥିଲେ। ଦକ୍ଷିଣ କୋରିଆ ଗତ ସାତଟି ଲଗାତାର ଏସୀୟ କ୍ରୀଡ଼ାରେ ଏହି ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲା ​​ଏବଂ ସାମଗ୍ରିକ ଭାବରେ ୧୦ ଥର ମହିଳା ରିକର୍ଭ ଚାମ୍ପିଅନ ହୋଇଥିଲା। ତଥାପି, ଭାରତ ପ୍ରଥମ ସେଟ୍ ରୁ ଦକ୍ଷିଣ କୋରିଆକୁ କଡ଼ା ମୁକାବିଲା ଦେଇଥିଲା, ଉଭୟ ସେଟ୍ ସମାନ ପଏଣ୍ଟ ପାଇଥିଲା। ଏହିପରି, ଦୁଇଟି ସେଟ୍ ପରେ ସ୍କୋର ୧-୧ ବରାବର ହୋଇଥିଲା। ତଥାପି, ତୃତୀୟ ସେଟ୍ ରେ କାହାଣୀ ବଦଳିଗଲା, ଯେଉଁଠାରେ ଭାରତ ୫୫-୫୧ ରେ ଜିତି ଫାଇନାଲରେ ୪-୨ ରେ ଅଗ୍ରଣୀ ପାଇଲା।

 

ଭାଙ୍ଗିଲା ସୁରକ୍ଷା କାନ୍ଥ, ଧସିଲା ନଦୀ ବନ୍ଧ

ସାଲେପୁର : ଭାଙ୍ଗିଲା ସୁରକ୍ଷା କାନ୍ଥ, ଧସିଲା ନଦୀ ବନ୍ଧ, ଲୋକେ ଆତଙ୍କିତ। ଏହା ହେଉଛି କଟକ କିଶନନଗର ବାଙ୍କଳ ନିକଟର ଘଟଣା। ମହାନଦୀ ନଦୀବନ୍ଧ ଦବି ଯିବାରୁ ବନ୍ଧରେ ଫାଟ ସୃଷ୍ଟି ହୋଇଛି। ନଦୀରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। କିଶନନଗର ତହସିଲ ବାଙ୍କଳ ନିକଟରେ ଶୁକ ପାଇକା ନଦୀ ମହାନଦୀରେ  ମିଶିଛି।

ମହାନଦୀ ବନ୍ଧରେ ନିର୍ମିତ ସୁଇସ୍ ଗେଟ୍ ମାଧ୍ୟମରେ ଶୁକ ପାଇକା ପାଣି ମହାନଦୀକୁ ନିଷ୍କାସିତ ହୋଇଥାଏ। ସୁଇସ ଗେଟ୍ ନିର୍ମିତ ସ୍ଥାନରେ ବନ୍ଧର ସୁରକ୍ଷା ପାଇଁ ଉଭୟ ପାର୍ଶ୍ବରେ ସିମେଣ୍ଟ କଂକ୍ରିଟ ସୁରକ୍ଷା କାନ୍ଥ ନିର୍ମାଣ ହୋଇଥିଲା । ମାତ୍ର ନିମ୍ନମାନର  କାମ ଯୋଗୁଁ ଉକ୍ତ ସୁରକ୍ଷା କାନ୍ଥ ଭାଙ୍ଗି ଭୁଶୁଡ଼ି ଯାଇଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ସଲସୁତୁରାରେ ଅତି ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ଏଭଳି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନଦୀବନ୍ଧରୁ ମାଟି ଅତଡା ଖସି ବନ୍ଧରେ ଫାଟ ସୃଷ୍ଟି ହୋଇଛି। ତେଣୁ ଯାନବାହନ ଚଳାଚଳ ନ କରିବା ପାଇଁ ରାସ୍ତା ଉପରେ ବାଲି ବସ୍ତା ଓ ପଥର ରଖାଯାଇଛି।

ବନ୍ୟା ଛାଡ଼ିଲା, ଚାଷୀଙ୍କ ଦୁର୍ଦ୍ଦଶା ବଢ଼ିଲା

ଜୟପୁର :ବନ୍ୟା ଜଳ ଛାଡ଼ିଯାଇଛି, କିନ୍ତୁ କୋଟପାଡ଼ରେ ବଢ଼ିଛି ଚାଷୀଙ୍କ ଦୁର୍ଦ୍ଦଶା । ଲଗାଣ ବର୍ଷା ପରେ କୋରାପୁଟ ଜିଲ୍ଲାର କୋଟପାଡ଼ ବ୍ଲକର ୭ଟି ପଞ୍ଚାୟତର ୪୧ଟି ଗାଁରେ ପଶିଥିଲା ବନ୍ୟା ଜଳ । ପ୍ରାୟ ୫ ଦିନ ଧରି ପାଣି ଘେରରେ ରହିଥିଲା ଘରଦ୍ୱାର ସହ ହଜାର ହଜାର ଏକର ଚାଷ ଜମି । ଏବେ ଧୀରେ ଧୀରେ ପାଣି ଛାଡ଼ିଛି, ହେଲେ ନଷ୍ଟ ହୋଇଯାଇଛି ଚାଷୀଙ୍କ ବର୍ଷକର ଫସଲ । ଧାନ ସହ ମକା ଓ ଆଖୁ ଚାଷ ମଧ୍ୟ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି । ଜମିରେ ଦୀର୍ଘ ସମୟ ପାଣି ଜମି ରହିବାରୁ ଧାନ କେଣ୍ଡା ପଚିଯାଇଥିବା ବେଳେ, ଚାଷୀଙ୍କ ମୁଣ୍ଡରେ ଏବେ ଋଣ ଶୁଝିବା ଓ ପରିବାର ଚଳାଇବାର ଚିନ୍ତା । ଅନ୍ୟପଟେ ତୁରନ୍ତ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଦାବି ହୋଇଛି । ରାଜସ୍ୱ ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଥିବା ବେଳେ, ଚାଷ ଜମିର କ୍ଷୟକ୍ଷତି ଆକଳନ ଏଯାଏ ଆରମ୍ଭ ହୋଇନଥିବା ଜଣାପଡ଼ିଛି । କୋଟପାଡ଼ରେ ବନ୍ୟା ଛାଡ଼ିଛି, କିନ୍ତୁ ଚାଷୀଙ୍କ ଚିନ୍ତା ଏବେ ବି ଛାଡ଼ିନି ।

ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଆଜିଠାରୁ ସିଜେପିର ଦେଶବ୍ୟାପୀ ଆନ୍ଦୋଳନ। ବିଭିନ୍ନ ରାଜ୍ୟରେ ସିଜେପି ଆନ୍ଦୋଳନ କରିବାକୁ ଘୋଷଣା କରିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ନିର୍ବାଚନ କମିଶନ ମଧ୍ୟରେ ଦେଖାଦେଇଥିବା ବିବାଦ ଓ ଏସଆଇଆର ପ୍ରସଙ୍ଗରେ ଜ୍ଞାନେଶଙ୍କ ବିରୋଧରେ ଦେଶବ୍ଯାପୀ ସୃଷ୍ଟି ହୋଇଛି ଝଡ଼। ବିଭିନ୍ନ ସଂଗଠନ, ରାଜନୈତିକ ଦଳ ଜାରି ରଖିଛନ୍ତି ଆନ୍ଦୋଳନ। ସେପଟେ ସିଜେପିର ଆନ୍ଦୋଳନକୁ ସମର୍ଥନ କରିଛନ୍ତି ଜଳବାୟୁ କର୍ମୀ ସୋନମ ୱାଙ୍ଗଚୁକ। ଜ୍ଞାନେଶଙ୍କ ଇସ୍ତଫା ଦାବି ଯଥାର୍ଥ ବୋଲି କହିଛନ୍ତି ସୋନମ। ଏକ ଦେଶର ଗଣତନ୍ତ୍ର ଲାଗି ସ୍ବଚ୍ଛ ନିର୍ବାଚନ ପ୍ରକ୍ରିୟା ଜରୁରୀ। ମାତ୍ର ଏସଆଇଆର ଜରିଆରେ ଯେପରି ଲକ୍ଷ ଲକ୍ଷ ଭୋଟରଙ୍କ ଅଧିକାର ଛଡ଼ାଇ ନିଆଯାଇଛି ତାହାର ପ୍ରତିବାଦ ଯଥାର୍ଥ ବୋଲି ସେ କହିଛନ୍ତି। ସେପଟେ ବିକ୍ଷୋଭ ଲାଗି ଅନୁମତି ନ ମିଳିଲେ ମୁମ୍ବାଇରେ ଜେଲଭରୋ ଆନ୍ଦୋଳନ କରାଯିବ ବୋଲି ଧମକ ଦେଇଛି ସିଜେପି।

ଆଜି ବ୍ୟବସାୟୀ ପାଳନ କରିବେ NO QR CODE ଦିବସ

ନନ୍ଦିଘୋଷ ବ୍ୟୁରୋ : ଆଜି ବ୍ୟବସାୟୀ ପାଳନ କରିବେ  NO QR CODE ଦିବସ। ଆଜି ୟୁପିଆଇରେ କୌଣସି ଦେୟ ଗ୍ରହଣ କରାଯିବ ନାହିଁ। ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାର ଦେୟ ଲାଗୁ କରିଥିବାରୁ ପ୍ରତିବାଦରେ ବ୍ୟବସାୟୀମାନେ ୟୁପିଆଇ ପେମେଣ୍ଟ ଗ୍ରହଣ ନ କରିବା ପାଇଁ ସ୍ଥିର କରିଛନ୍ତି। ବିଭିନ୍ନ ବ୍ୟବସାୟୀ ସଂଘ ଓ ସର୍ବଭାରତୀୟ ମୋବାଇଲ ରିଟେଲର୍ସ ଆସୋସିଏସନ ବା AIMRA ବି ଆଜି କରିବ ପ୍ରତିବାଦ। କଟକ ମାଲଗୋଦାମ ବ୍ୟବସାୟୀ ସଂଘ ତଥା ଉତ୍କଳ ଚାମ୍ବର ଅଫ କମର୍ସ ପକ୍ଷରୁ ଏହି ଘୋଷଣା କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହେଉଛି ବ୍ୟବସାୟୀଙ୍କ ଉପରେ ବଡ ପ୍ରହାର। ଏହା ଦ୍ଵାରା ଯେ କେବଳ ବଡ଼ ବଡ଼ ବ୍ୟବସାୟୀ ପ୍ରଭାବିତ ହେବେ ତାହା ନୁହେଁ ବରଂ ମଧ୍ଯମ ବର୍ଗର ବ୍ୟବସାୟୀ ମଧ୍ଯ ଆର୍ଥିକ କ୍ଷତି ସହିବେ। ୨୫୦୦ ଟଙ୍କାର ବ୍ୟବସାୟ କଲେ ୫ ଟଙ୍କା ଲାଭ ମିଳିବ। ସେ କ୍ଷେତ୍ରରେ ୧୨ ଟଙ୍କା କିପରି ଦିଆଯିବ ବୋଲି ବ୍ୟବସାୟୀ ପ୍ରଶ୍ନ କରିଛନ୍ତି। ଆସନ୍ତା ୧୫ ଅକ୍ଟୋବରରୁ UPI ରେ ୨,୦୦୦ ଟଙ୍କାରୁ ଅଧିକ ଦେଲେ MDR ନିୟମ ଅନୁସାରେ ଦେୟ ଲାଗିବ ଶୂନ ଦଶମିକ ୪ ପ୍ରତିଶତ ଲାଗିବ। ଏହାକୁ ବିରୋଧ କରୁଛନ୍ତି ବ୍ୟବସାୟୀ।…

ଜଙ୍ଗଲରେ ସୁରକ୍ଷିତ ଗଜରାଜ । AI କ୍ୟାମେରା ଦେଇଛି ସୁରକ୍ଷା

ରାଉରକେଲା: ଜଙ୍ଗଲରେ ସୁରକ୍ଷିତ ଗଜରାଜ । AI କ୍ୟାମେରା ଦେଇଛି ସୁରକ୍ଷା । ଏକବର୍ଷରେ ବଞ୍ଚାଇଲାଣି ୧୫୦ ହାତୀଙ୍କ ଜୀବନ । ରାଉରକେଲା ବନଖଣ୍ଡ ପକ୍ଷରୁ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଏହି ସୂଚନା ଦେଇଛି ବନ ବିଭାଗ । ବନଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସଭାରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ପଶ୍ଚିମାଞ୍ଚଳ ପୋଲିସ ଡ଼ିଆଇଜି ବ୍ରିଜେଶ କୁମାର ରାଏ, ରାଉରକେଲା RCCF ରାମା ସ୍ବାମୀ ଓ ରାଉରକେଲା DFO ରବିକାନ୍ତ ମୀନା ଅତିଥି ଭାବେ ଯୋଗ ଦେଇଥିଲେ । ରାଉରକେଲା ବନଖଣ୍ଡର ୫ଟି ସ୍ଥାନରେ AI କ୍ୟାମେରା ଲଗାଯାଇ ହାତୀଙ୍କ ଗତିବିଧି ଅନୁଧ୍ୟାନ କରାଯାଉଛି । ଏକବର୍ଷ ମଧ୍ୟରେ  ରାଉରକେଲା ବନଖଣ୍ଡର ୫ଟି ସ୍ଥାନରେ ଏହି କ୍ୟାମେରା ଯୋଗୁଁ ୧୫୦ ହାତୀଙ୍କ ଜୀବନ ସୁରକ୍ଷା କରାଯାଇ ପାରିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଉରକେଲା ବନଖଣ୍ଡର ଡୋଲାକୁଦର, କୁଚେଇତା, ମହିପାଣି, ସୋନାଖାନ ଓ ଖୁଣ୍ଟଗାଁ ଠାରେ ବନ ବିଭାଗ ପକ୍ଷରୁ AI କ୍ୟାମେରା ଲଗାଯାଇଛି । ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ଘଟଣା ରୋକିବା ପାଇଁ ଏହି ସ୍ଵତନ୍ତ୍ର ଉଦ୍ୟମ ସଫଳ ହେଉଛି । କ୍ୟାମେରା ଜରିଆରେ ହାତୀପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପାଇଁ ରାଉରକେଲା DFOଙ୍କ କାର୍ଯ୍ୟଳୟରେ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । କ୍ୟାମେରା ଜରିଆରେ ହାତୀ ପଲଙ୍କ ଗତିବିଧି ଅନୁଧ୍ୟାନ କରିବା ପରେ ଟ୍ରେନର ଗତିବିଧି ନିୟନ୍ତ୍ରଣ କରି ବନ ଵିଭାଗର ସ୍ଵତନ୍ତ୍ର ଟିମ ହାତୀପଲଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲକୁ ଘଉଡାଇବାରେ ସଫଳ ହେଉଛନ୍ତି ।

ରାଉରକେଲା ବନଖଣ୍ଡର ୫ଟି ସ୍ଥାନରେ 120 ଫୁଟ ଉଚ୍ଚତା ବିଶିଷ୍ଟ ଟାୱାର ନିର୍ମାଣ କରାଯାଇ ଏଆଇ କ୍ୟାମେରା ଲଗାଯାଇଛି । ୫ କିଲୋମିଟର ଦୁରତ୍ଵ ପର୍ଯ୍ୟନ୍ତ କ୍ୟାମେରା କାମ କରୁଥିବା ବେଳେ ୩୬୦ ଡିଗ୍ରୀର ଦୃଶ୍ୟ ରେକର୍ଡ କରିପାରୁଛି ।….

ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ ।

ଜୟପୁର : ଶିକ୍ଷକଙ୍କ ମାଡ଼ରେ ଛାତ୍ରର ମୃତ୍ୟୁ । କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଗଡ଼ପଦରସ୍ଥିତ ହଷ୍ଟେଲରୁ ଆସିଛି ଏପରି ସାଂଘାତିକ ଅଭିଯୋଗ । ଧାନଶିକ୍ଷକଙ୍କ ବିରୋଧରେ ମୃତ ଛାତ୍ରଙ୍କ ବାପା ଅଭିଯୋଗ କରିବାପରେ ଆରମ୍ଭ ହୋଇଛି ତନାଘନା । ମୃତ ଛାତ୍ର ରଣ୍ଡାପାଲି ପଂଚାୟତର କେନ୍ଦୁଗୁଡା ଗାଁର ଗଙ୍ଗା ଜାନି ବୋଲି ଜଣାପଡ଼ିଛି । ତାଙ୍କ ବାପା ଟିନୁ ଜାନିଙ୍କ ଅଭିଯୋଗ ଅନୁସାରେ ହଷ୍ଟେଲର ପ୍ରଧାନଶିକ୍ଷକ ତାଙ୍କ ପୁଅକୁ ଶୁକ୍ରବାର ଦିନ ମାଡ଼ ମାରିଥିଲେ । ପରେ ପରିବାର ଲୋକେ ଖବର ପାଇ ତାଙ୍କୁ ଜୟପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ମୃତ୍ୟୁ ହୋଇଛି । ଏନେଇ ଆଜି ଜୟପୁର ସଦର ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ପୋଲିସ  ପ୍ରଧାନଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଗଙ୍ଗା ଜାନି ପଞ୍ଚମ ଶ୍ରେଣୀରେ ଗଡ଼ପଦର ବିଦ୍ୟାଳୟ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ ।  ପ୍ରଧାନଶିକ୍ଷକଙ୍କୁ ଗିରଫ କରିବାକୁ ଦାବୀ କରି ସଦର ଥାନାରେ ଧାରଣାରେ ବସିଛନ୍ତି କେନ୍ଦୁଗୁଡା ଗ୍ରାମବାସୀ ଓ ଗଡପଦର ଗଦ୍ରାମବାସୀ । ଏପଟେ ଜୟପୁର ଆଦିବାସୀ ସଂଘର ସଭାପତି କହିଛନ୍ତି ଯେ. ଜଣେ ଆଦିବାସୀ ଛାତ୍ରକୁ ଶିକ୍ଷକଙ୍କ ଦାୟୀତ୍ବରେ ପାଠ ପଢିବାକୁ ଛାଡୁଛନ୍ତି ପରିବାର ଲୋକେ । କିନ୍ତୁ ଏପରି ଘଟଣା ଘଟିଲେ ଆଦିବାସୀ ମାନେ ପାଠ ପଢେଇବାକୁ ଭୟ କରିବେ । ତେଣୁ ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବୀ କରିଛନ୍ତି । ଗଡପଦର ବାଇସ୍କୁଲ ପ୍ରଧାନଶିକ୍ଷକ କହିଛନ୍ତି, ସମସ୍ତ କଥା ସିସିଟିଭିରେ ରେକର୍ଡ ହୋଇଛି । ସେ କେବେ ବି ମାଡ ମାରିନାହାନ୍ତି । ତଦନ୍ତ ପରେ ସମସ୍ତ ସତ୍ୟ ପଦାକୁ ଆସିବ ।….

 

ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଧୁକ ଦେଖାଇ ଦୁଷ୍କର୍ମ

ଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ବନ୍ଧୁକ ଦେଖାଇ ଦୁଷ୍କର୍ମ ! ସିସିଟିଭିରେ ସାଙ୍ଘାତିକ ଚିତ୍ର । ସହରର ଛାତି ଉପରେ ହାଇପ୍ରୋଫାଇଲ ଲୋକଙ୍କ ଘର । ଚାରିଆଡେ ସିସିଟିଭି । ଚତୁଃପାର୍ଶ୍ଵରେ ସର୍ଭେଲାନ୍ସ । ତଥାପି ଜନଗହଳିପୂର୍ଣ୍ଣ ସ୍ଥାନ ନୟାପଲ୍ଲୀରେ ଦୁଷ୍କର୍ମର ଅଭିଯୋଗ । ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହି । ଚାରିଆଡେ ହଷ୍ଟେଲ । କିନ୍ତୁ ଗତକାଲି ରାତିରେ ହଠାତ ଶୁଭିଥିଲା ପୀଡିତାଙ୍କ ଚିତ୍କାର । ହେଲ୍ପ ମି’ ହେଲ୍ପ ମି’ ଚିତ୍କାର ଶୁଣି ଧାଇଁ ଆସିଥିଲେ ସ୍ଥାନୀୟ ଲୋକେ । ୨୬ ବର୍ଷୀୟା ପୀଡିତା ଜଣଙ୍କୁ ବିବସ୍ତ୍ର ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ ଲୋକେ । ପୋଲିସ ପହଁଚିବା ପରେ ପାରିପାର୍ଶ୍ବିକ ଯାଞ୍ଚ କରିଥିଲା । ପୀଡିତାଙ୍କ ଅଭିଯୋଗ ଥିଲା ଯେ, ହଷ୍ଟେଲ ଭିତରେ ଥିବା ବେଳେ ଜଣେ ଯୁବକ ତାଙ୍କ ରୁମକୁ ପଶିଥିଲା । କିଛି ବୁଝିବା ପୂର୍ବରୁ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ଦୁଷ୍କର୍ମ କରିଥିଲା ।

ଏଭଳି ସାଙ୍ଘାତିକ ଅଭିଯୋଗ ପାଇବା ପରେ ପ୍ରଥମେ ପୀଡିତାଙ୍କୁ ଡାକ୍ତରୀମାଇନା ପାଇଁ ପଠାଯାଇଥିଲା ପୋଲିସ । ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣା ସମ୍ପର୍କରେ ସୂଚନା ପାଇଁ ଡିସିପି, ଏସିପି , ଥାନା ଆଇଆଇଆସି ସେଠାରେ ପହଁଚି ସିସିଟିଭି ଯାଞ୍ଚ କରିଥିଲେ । ପୀଡ଼ିତାଙ୍କ ବୟାନ ମୁତାବକ ପଡୋଶୀ, ସ୍ଥାନୀୟ ବାସିନ୍ଦାଙ୍କୁ ପଚରାଉଚରା କରାଯାଇଥିଲା । ଆଜି ସାଇଣ୍ଟିଫିକ ଟିମ ମଧ୍ୟ କ୍ରାଇମ ସ୍ପଟରେ ସରଜମିନ ଯାଞ୍ଚ କରିଛି । ବିଭିନ୍ନ ଦିଗରୁ ତଥ୍ୟ ପ୍ରମାଣକୁ ଏକାଠି କରିବା ପରେ ଅନେକ ସୁରାକ ପାଇଛି । ତେବେ ନୟାପଲ୍ଲୀ ଭଳି ଏକ ସମ୍ଭ୍ରାନ୍ତ ତଥା ଜନ ଗହଳିପୂର୍ଣ୍ଣ ଅଞ୍ଚଳରେ ଏଭଳି ଅଭିଯୋଗକୁ ସହଜରେ ଗ୍ରହଣ କରିପାରିନାହାନ୍ତି ସ୍ଥାନୀୟ ଲୋକେ ।

ଦୁଇଦିନ ପୂର୍ବରୁ ଜଣେ ଯୁବକ ପିଡିତାଙ୍କ ହଷ୍ଟେଲ ନିକଟରେ ରେକି କରୁଥିବା ବା ବୁଲୁଥିବା ଦେଖିଥିଲେ ଲୋକେ । ତେବେ ସେ ଯୁବକ ଜଣଙ୍କ କିଏ ? କାହିଁକି ସେ ସ୍ଥାନରେ ବୁଲୁଥିଲେ, ସେ ନେଇ ଖୋଳତାଡ଼ ଚଳାଇଛି ପୋଲିସ

ପାକିସ୍ତାନରେ ଏମର୍ଜେନ୍ସି !

ନନ୍ଦିଘୋଷ ବ୍ୟୁରୋ : ପଡୋଶୀ ପାକିସ୍ତାନରେ ରାଜେନୖତିକ ସଙ୍କଟ ଏବେ ଚରମ ସୀମାରେ ପହଁଚିଛି । ଦିନକୁ ଦିନ ପାକିସ୍ତାନର ଶହବାଜ ସରିଫ ସରକାର ଏବଂ ଇମ୍ରାନ ଖାନ୍ ଙ୍କ ପାର୍ଟି ମଧ୍ୟରେ ବିବାବ ବଢି ବଢି ଚାଲିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମୁକ୍ତି ଦାବିରେ ପିଟିଆଇ ପକ୍ଷରୁ ଅକ୍ଟୋବର ୪ରେ ଇସଲାମାବାଦ ଅଭିମୁଖେ ଏକ ବିଶାଳ ମାର୍ଚ୍ଚ କରିବାକୁ ଘୋଷଣା କରିଛି । ଯାହାକୁ ନେଇ ଏବେ ପାକିସ୍ତାନ ରାଜନୀତିରେ ହଲଚଲ ସୃଷ୍ଟି ହୋଇଛି । ଆଉ ସ୍ଥିତି ଏପରି ହୋଇଛି ଯେ, ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଏବେ ପିଟିଆଇ ଶାସିତ ଖାଇବର ପଖତୁନଖ୍ବାରେ ଜରରୁୀକାଳୀନ ପରିସ୍ଥିତି କିମ୍ବା ରାଜ୍ୟପାଳ ଶାସନ ଲାଗୁ କରିବା ପାଇଁ ଗମ୍ଭୀରତାର ସହ ବିଚାର କରୁଛନ୍ତି । ପାକିସ୍ତାନ ଗଣମାଧ୍ୟମର ସୂଚନା ମୁତାବକ,  ପିଟିଆଇର ଏହି ଇସଲାମାବାଦ ମାର୍ଚ୍ଚକୁ ରୋକିବା ପାଇଁ ଏବଂ କେପିକେ ପ୍ରଦେଶରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବାକୁ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ଜରୁରୀ ବୈଠକ ଡକାଇଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ମୋହସିନ ନକବି, ଆଇନ ମନ୍ତ୍ରୀ ଆଜମ ନଜିର ତରାରା ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ପାକିସ୍ତାନ ମୁସଲିମ ଲିଗ୍ ନଓ୍ବାଜ ନେତା ଓ ମନ୍ତ୍ରୀ ତାରିକ ଫଜଲ ଚୌଧରୀଙ୍କ କହିବା ମୁତାବକ, ସମ୍ବିଧାନ ଧାରା ୨୩୨ ଅନୁଯାୟୀ ଖାଇବର ପଖତୁନଖ୍ବାରେ ଜରରୁୀକାଳୀନ ପରିସ୍ଥିତି ଘୋଷଣା କରିବା ବିକଳ୍ପ ଉପରେ ଆଲୋଚନା ଚାଲିଛି । ସେଠାରେ ବଢୁଥିବା ଆତଙ୍କବାଦକୁ ନଜରରେ ରଖି ଏଭଳି କରିବାକୁ ଯୋଜନା ଚାଲିଥିବା କୁହାଯାଉଛି । କେନ୍ଦ୍ର ସରକାରଙ୍କ ଅଭିଯୋଗ ଯେ, କେପି ମୁଖ୍ୟମନ୍ତ୍ରୀ ସୋହେଲ ଆଫ୍ରିଦି ଆତଙ୍କବାଦକୁ ରୋକିବାରେ ବିଫଳ ହୋଇଛନ୍ତି ଏବଂ ପ୍ରେଦଶର ସମ୍ବଳକୁ ଆାତଙ୍କବାଦ ବିରୋଧରେ ବ୍ୟବହାର ନକରି କେବଳ ଇସଲାମାବାଦ ମାର୍ଚ୍ଚ ପାଇଁ ବ୍ୟବହାର କରୁଛନ୍ତି । ଅନ୍ୟପଟେ କେପି ମୁଖ୍ୟମନ୍ତ୍ରୀ କିନ୍ତୁ ନିଜ ଜିଦରେ ଅଟଳ ଅଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ପରିସ୍ଥିତିରେ ବି ଅକ୍ଟୋବର ୪ରେ ଏହି ଶାନ୍ତିପୂର୍ଣ୍ଣ ମାର୍ଚ୍ଚ ବନ୍ଦ ହେବ ନାହିଁ । ଏହି ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଦେଖି ପାକିସ୍ତାନ ସରକାର ଇସଲାମାବାଦ୍ ସୀମାକୁ ସମ୍ପୂର୍ଣ୍ଣ ସିଲ୍ କରିବା ସହ ହଜାର ହଜାର ସୁରକ୍ଷାକରର୍ମୀ ଓ କଣ୍ଟେନର ମୁତୟନ କରିଛନ୍ତି ।

ତେବେ ବର୍ତ୍ତମାନ ପାଇଁ କେନ୍ଦ୍ର ସରକାର ପିଟିଆଇକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଛନ୍ତି ଏବଂ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ ନକରି ସ୍ଥିତି ଉପରେ ନଜର ରଖିଛନ୍ତି । ହେଲେ ଯଦି ଅକ୍ଟୋବର ୪ରେ ଏହି ମାର୍ଚ୍ଚ ଇସଲାମାବାଦ ଆଡକୁ ଅଗ୍ରସର ହୁଏ, ତାହା ହେଲେ ପାକିସ୍ତାନରେ ଏକ ବଡ ଧରଣର ସାମ୍ବିଧାନିକ ଓ ରାଜେନୖତିକ ସଂକଟ ଦେଖିବାକୁ ମିଳିପାରେ ।