spot_img
Home Blog Page 879

‘ଆଡ଼ପ ପହଣ୍ଡି ଅଘଟଣର ଫଳ ଭୋଗୁଛନ୍ତି ଦେଶବାସୀ’

ପୁରୀ : ଆଡ଼ପ ପହଣ୍ଡି ଅଘଟଣର ଫଳ ଭୋଗୁଛନ୍ତି ଦେଶବାସୀ । ପ୍ରାୟଶ୍ଚିତ ନ କରିବାରୁ ବଢୁଛି ଦୁର୍ଘଟଣା, ହତ୍ଯା, ମୃତ୍ଯୁ । ଗତବର୍ଷ ଆଡ଼ପ ମଣ୍ଡପ ପହଣ୍ଡିବେଳେ ମୁହଁମାଡ଼ି ପଡ଼ି ଯାଇଥିଲେ ବଡ଼ଭାଇ ବଳଭଦ୍ର । ଅନେକ ସେବାୟତ ଏଥିରେ ଆହତ ମଧ୍ଯ ହୋଇଥିଲେ । ଏହାକୁ ନେଇ ଆଶଂକା ବ୍ଯକ୍ତ କରିବା ସହ ପ୍ରାୟଶ୍ଚିତ ପାଇଁ ପରାମର୍ଶ ଦେଇଥିଲେ ପଣ୍ଡିତ । ତେବେ ପୂଜାପାଠ ପାଇଁ ନିଷ୍ପତ୍ତି ନିଆଯାଇଥିଲେ ସୁଦ୍ଧା ଏହାକୁ କରାଗଲା ନାହିଁ । ତେଣୁ ରାଜ୍ଯ ଓ ଦେଶ ଉପରେ ବିପଦ ଆସିଥିବା ପଣ୍ଡିତମାନେ ମତ ଦେଇଛନ୍ତି । ଏପରିକି ଗଜପତି ମହାରାଜାଙ୍କ ପରିବାର ଉପରେ ମଧ୍ଯ ଏହାର ପ୍ରଭାବ ପଡ଼ିଛି । ଗଜପତିଙ୍କ ପରିବାରର ଜଣେ ସଦସ୍ୟ ଥାଟ ରାଜା ରାଣାର୍ଣ୍ଣବ ଦେବଙ୍କ ବିୟୋଗ ଘଟିଛି l ପ୍ରାୟଶ୍ଚିତ ବିଧି କରିଥିଲେ ହୁଏତ ଏଭଳି କ୍ଷତି ହୋଇନଥାନ୍ତା ବୋଲି ମତ ଦେଇଛନ୍ତି ପଣ୍ଡିତ ।

ପହଲଗାମ ଆକ୍ରମଣ ଘଟଣା ହେଉ କି ଅହମ୍ମଦାବାଦ ବିମାନ ଦୁର୍ଘଣା, ପୁଣେରେ ବ୍ରିଜ ଭାଙ୍ଗିବା ଘଟଣା ପରି ଅନେକ ଅଘଟଣ ଘଟି ଅନେକଙ୍କ ଜୀବନ ଗଲାଣି । ଦେଶରେ ଯୁଦ୍ଧ ପରିସ୍ଥିତି ମଧ୍ଯ ସୃଷ୍ଟି ହୋଇଛି । ଏହାଛଡ଼ା ବନ୍ୟା, ବାତ୍ୟା, ହଇଜା ପରି ଅନେକ ବିପର୍ଯ୍ଯୟର ଲୋକେ ସାମ୍ନା କରୁଛନ୍ତି । ଧାର୍ମିକ ବିଧି ବିଧାନ ତଥା ଶାସ୍ତ୍ରୀୟ ମତ ଅନୁସାରେ ବଳଭଦ୍ର ମହାପ୍ରଭୁଙ୍କର ଅଘଟଣ ନେଇ ପ୍ରାୟଶ୍ଚିତ ବିଧି କରାଯାଇଥିଲେ ଏପରି ଅଘଟଣ ଘଟି ନଥାନ୍ତା ବୋଲି ମତ ଦେଇଛନ୍ତି ପଣ୍ଡିତ । ନୀଳାଦ୍ରି ମହୋଦୟ ଅନୁସାରେ ଶାସ୍ତ୍ରୀୟ ବିଧି ବିଧାନକୁ ଅବମାନନା ରାଷ୍ଟ୍ର ପାଇଁ ଏକ ଚେତାବନୀ ବୋଲି ସେମାନେ ମତ ଦେଇଛନ୍ତି । ପରମ୍ପରା ଓ ଶାସ୍ତ୍ରୀୟ ବିଧିବିଧାନକୁ ନେଇ ଜଗନ୍ନାଥ ସଂସ୍କୃତିରେ କୌଣସି ଅଘଟଣ ବଭିଷ୍ୟତ ପାଇଁ ସତର୍କ ସୂଚନା ଦେଇଥିବା ସତ୍ୱେ ଏହାକୁ ନେଇ ବିହିତ ପଦକ୍ଷେପ କରାନଗଲେ ଅନିଷ୍ଟର କାରଣ ହୋଇଥାଏ ବୋଲି କୁହାଯାଇଛି ।

ଭୁବନେଶ୍ବରରେ ଡାଇରିଆ ଆତଙ୍କ, ସ୍ଥିତି ପରଖିଲେ ମେୟର

ଭୁବନେଶ୍ବର : ରାଜଧାନୀରେ ଡାଇରିଆ ଆତଙ୍କ । ପାଣି ପାଲଟିଲାଣି ବିଷ । ଝାଡାବାନ୍ତି ବ୍ଯାପିବା ପରେ ବିଏମସିର ପଦକ୍ଷେପ । ୩ଟି ଜୋନରୁ ଜଳ ନମୁନା ସଂଗ୍ରହ । ବିଏମସି ସର୍ଭେଲାନ୍ସ ଟିମର ଯାଞ୍ଚ । କଳିଙ୍ଗ ନଗର ଟ୍ରାଇଡେଣ୍ଟ ଗାଲେକ୍ସି ଆପାର୍ଟମେଣ୍ଟରେ ଝାଡାବାନ୍ତି ବ୍ଯାପିବା ପରେ ଭୁବନେଶ୍ବର ମେୟର, କର୍ପୋରେଟର ଓ ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଯାଇ ସମୀକ୍ଷା କରିଛନ୍ତି । ଆପାର୍ଟମେଣ୍ଟରେ ୫ ହଜାର ଲୋକ ରହୁଥିବା ବେଳେ  ଦୂଷିତ ପାଣି ପିଇ ୬୫ ଲୋକ ଗୁରୁତର ଭାବେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଆପାର୍ଟମେଣ୍ଟ ବାସୀ ଭୂତଳ ଜଳ ଉପରେ ନିର୍ଭର କରୁଛନ୍ତି । ୨୦୧୧ରୁ ପ୍ରୋଜେକ୍ଟ ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ପିଇବା ପାଇଁ ପାଇପ ଲାଇନ ସଂଯୋଗ ହୋଇନି । ସ୍ବେରଜ ପାଣି ପିଇବା ପାଣିରେ ମିଶି ଦୂଷିତ ହୋଇଛି । ଆପାର୍ଟମେଣ୍ଟ ଭିତରେ ପାଣି ସମ୍ପ ପାଖରେ ଯାଇଛି ଡ୍ରେନ । ସଂଯୋଗ ହୋଇଥିବା ପାଇପ ଚାରିପଟେ ରହିଛି ପାଇଖାନା ପାଣି । ଏ ନେଇ ବିଲଡରକୁ ନୋଟିସ କରିଛି ବିଏମସି ।

ସେପଟେ ରାଜଧାନୀରେ ଝାଡ଼ାବାନ୍ତି ଆତଙ୍କ ପରେ ବିଏମସି ଖାଦ୍ଯ ସୁରକ୍ଷା ଟିମ ଚଢାଉ କରିଛି । ଖାଦ୍ଯ ନାଁରେ ହୋଟେଲରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବିକ୍ରି ହେଉଛି ବାସି ଖାଦ୍ଯ । ସମ ହସ୍ପିଟାଲ ଛକ ଓ ପଟିଆ ଅଞ୍ଚଳର ଏକାଧିକ ହୋଟେଲ ଯାଞ୍ଚ ବେଳେ ଏହା ସାମ୍ନାକୁ ଆସିଛି । ଟିକେ ଭଲ କରି ଦେଖନ୍ତୁ । ବାସି ମଟନ, ସିଝା ଆଳୁ, ଅଟା, ଚାଉମିନି ଫ୍ରିଜରେ କିପରି ରଖାଯାଇଛି । ମଟନକୁ ଦେଖିଲେ ଲାଗୁଛି ଏହା ଦୁଇଦିନ ତଳର । ସେହିଭଳି ଆଉ ଗୋଟିଏ ହୋଟେଲରୁ ମିଳିଛି ବାସି ମାଛ ଓ ଫୁଡ କଲର । ଏସବୁ ବାସି ଖାଦ୍ଯକୁ ନଷ୍ଟ କରିଛି ଫୁଡ ସ୍କ୍ବାଡ । ଯାଞ୍ଚ ବେଳେ ଏକାଧିକ ହୋଟେଲରୁ ୧୦ ରୁ ହଜାର ଉର୍ଦ୍ଧ୍ଵ ଟଙ୍କା ଫାଇନ ଆଦାୟ କରାଯାଇଛି । ରୋଷେଇ  ବେଳେ ସ୍ୱଚ୍ଛ ପରିବେଶ ଓ ସ୍ବଚ୍ଛ ପାଣି ବ୍ୟବହାର କରିବା ପାଇଁ କରାଯାଇଛି ତାଗିଦ । ନିୟମ ଉଲ୍ଲଂଘନ କଲେ ହୋଟେଲେ ସିଲ କରିବାକୁ ଚେତାବନୀ ଦେଇଛି ସ୍କ୍ବାଡ । ଗତ ଏପ୍ରିଲ ମାସରେ ନୀଳାଦ୍ରି ବିହାର ଆବାସ ଆପାର୍ଟମେଣ୍ଟରେ ଦୂଷିତ ଜଳରୁ ଦେଖାଦେଇଥିଲା ଝାଡାବାନ୍ତି । ଏବେ ପୁଣି ଦୁଇମାସ ପରେ ରାଜଧାନୀରେ ସ୍ଥିତି ବିଗିଡିଲାଣି ।

ଇସ୍ରାଏଲୀ ଆକ୍ରମଣ : ଭୟରେ ଇରାନ ଛାଡୁଛନ୍ତି ଲୋକେ, ସୀମାନ୍ତ ଅଞ୍ଚଳରେ ଟ୍ରାଫିକ ଜାମ୍

ନନ୍ଦିଘୋଷ ବ୍ୟୁରୋ : ଇସ୍ରାଏଲର ଭୟଙ୍କର ଆକ୍ରମଣ ଭିତରେ ବହୁ ସଂଖ୍ୟକ ଲୋକ ଇରାନର ରାଜଧାନୀ ତେହେରାନରୁ ପଳାୟନ କରୁଛନ୍ତି । ରାଜଧାନୀ ତେହେରାନରେ ରାତିସାରା ବିସ୍ଫୋରଣର ଶବ୍ଦ ଶୁଣାଯାଉଥିଲା ।  ଆକ୍ରମଣର ଶିକାର ହେବା ପରେ, ସହରବାସୀ ପଳାୟନ କରିବା ଆଣମ୍ଭ କରିଛନ୍ତି । ସାଦତ ଆବାଦର ଜଣେ ବାସିନ୍ଦା ଏକ ରିପୋର୍ଟରେ ଲକ ଗଣମାଧ୍ୟମକୁ କହିଛନ୍ତି ଯେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ସମଗ୍ର ଆପାର୍ଟମେଣ୍ଟ ଥରି ଉଠିଲା। ପଡ଼ୋଶୀ କୋଠାରେ ନିଆଁ ଲାଗିଗଲା। ଲୋକମାନେ ଭୟରେ ତଳ ମହଲା ଦୌଡ଼ିବାକୁ ଲାଗିଲେ। ଛୋଟ ପିଲାମାନଙ୍କୁ ସମ୍ଭାଳିବା କଷ୍ଟକର ହୋଇଗଲା। ଇସ୍ରାଏଲ ପରି, ଇରାନର ରାଜଧାନୀ ତେହେରାନରେ ଆଧୁନିକ ବୋମା ଆଶ୍ରୟସ୍ଥଳ ନାହିଁ, ତେଣୁ ସହରର ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସୁଡ଼ଙ୍ଗ, ବେସମେଣ୍ଟ କିମ୍ବା ପୁରୁଣା ଆଶ୍ରୟସ୍ଥଳରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି। ଏଗୁଡ଼ିକ ଶେଷ ଥର ପାଇଁ 1980 ଦଶକର ଇରାନ-ଇରାକ ଯୁଦ୍ଧ ସମୟରେ ବ୍ୟବହାର କରାଯାଇଥିଲା।

ତେହେରାନ ସିଟି କାଉନସିଲ ଅଧ୍ୟକ୍ଷ ମେହଦି ଚାମରାନ ସାମ୍ବାଦିକମାନଙ୍କୁ କହିଥିଲେ ଯେ ତେହେରାନରେ କୌଣସି ଆଶ୍ରୟସ୍ଥଳ ନାହିଁ, ଲୋକମାନେ ରାତିରେ ବେସମେଣ୍ଟକୁ ଯାଇଥିଲେ। ସେ ଆହୁରି କହିଛନ୍ତି ଯେ ମେଟ୍ରୋକୁ ଚରମ ସଙ୍କଟରେ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯାଇପାରିବ, କିନ୍ତୁ ଆମକୁ ଏହି ବ୍ୟବସ୍ଥାକୁ ବନ୍ଦ କରିବାକୁ ପଡିବ। ଇରାନ ସରକାରଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ, ରବିବାର ରାତିରୁ ଲୋକଙ୍କୁ ଆଶ୍ରୟ ଦେବା ପାଇଁ ତେହେରାନର ମେଟ୍ରୋକୁ ୨୪ଘଣ୍ଟା ଖୋଲା ରଖିବାକୁ ଘୋଷଣା କରାଯାଇଛି।ଅନେକ ଲୋକ କହିଛନ୍ତି ଯେ ସେମାନେ ଦେଶର ଇସଲାମିକ ସରକାର ଓ ଏହାର ନୀତିକୁ ସମର୍ଥନ କରନ୍ତି ନାହିଁ । କିନ୍ତୁ ଇସ୍ରାଏଲ ଲୋକଙ୍କ ଜନସଂଖ୍ୟାକୁ ଟାର୍ଗେଟ କରୁଛି, ଯାହା ସମ୍ପୂର୍ଣ୍ଣ ଭୁଲ। ଲୋକମାନେ କୁହନ୍ତି ଯେ ଇସ୍ରାଏଲ ଭଲ ଭାବରେ ଜାଣନ୍ତି ଯେ ପରମାଣୁ ଘାଟି କେଉଁଠି ଅଛି, ତଥାପି ଏହା ସହରାଞ୍ଚଳ ଜନବସତି ଅଞ୍ଚଳରେ ବୋମା ମାରୁଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ତେହେରାନର ପରିସ୍ଥିତି ଏବେ ଦ୍ରୁତ ଗତିରେ ଖରାପ ହେଉଛି। ଲୋକମାନେ ବହୁ ସଂଖ୍ୟାରେ ସହର ଛାଡି କାସ୍ପିଅନ ସାଗର କୂଳରେ ଉତ୍ତର ଦିଗକୁ ଗ୍ରାମାଞ୍ଚଳକୁ ଯାଉଛନ୍ତି, କିନ୍ତୁ ଜାତୀୟ ରାଜପଥରେ ଏକ ଲମ୍ବା ଟ୍ରାଫିକ ଜାମ୍ ଅଛି। ଅନେକ ପରିବାର ପିଲା ଓ ବୟସ୍କଙ୍କ ସହିତ ଗାଡ଼ିରେ ସୁଟକେସ୍ ଓ ପାଣି ବୋତଲ ଧରି ବାହାରି ଯାଇଛନ୍ତି।

ରାଜଧାନୀ ତେହେରାନରେ , ଦୋକାନଗୁଡ଼ିକ ବର୍ତ୍ତମାନ ବନ୍ଦ ଅଛି,  । କିଛି ଅଞ୍ଚଳରେ, କେବଳ ସୀମିତ ପରିମାଣର ATM ରୁ ଟଙ୍କା ଉଠାଯାଇପାରିବ। ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଥିବା ବେଳେ ପ୍ରତି ଗାଡ଼ି ପାଇଁ ୨୫ ଲିଟର ପେଟ୍ରୋଲ ସୀମା ସ୍ଥିର କରାଯାଇଛି। ସେହିପରି, ଦକ୍ଷିଣ ସହର ଶିରାଜର ପେଟ୍ରୋଲ ପମ୍ପଗୁଡ଼ିକରେ ଲମ୍ବା ଧାଡ଼ି ଲାଗିଛି ଓ ଖାଦ୍ୟ ସାମଗ୍ରୀର ଗଚ୍ଛିତ ଦେଖିବାକୁ ମିଳୁଛି।

ମାନସିକ ବିକାରଗ୍ରସ୍ତଙ୍କ ହୋଇପାରୁନି ଅନଲାଇନ ଭିନ୍ନକ୍ଷମ ସାର୍ଟିଫିକେଟ

ବଡମ୍ବା : ଶିକୁଳିରେ ବନ୍ଧା ଜୀବନ । ଦୀର୍ଘ ବର୍ଷ ଧରି ଶିକୁଳିରେ ବନ୍ଧା ହୋଇ ପଡିଛନ୍ତି ନରସିଂହପୁର ବ୍ଳକ ବନ୍ଧହୁଡା ଗାଁର ୩୭ ବର୍ଷୀୟ ଯୁବକ ବିଭୂତି ଭୂଷଣ ସାହୁ ।  ପୁଅର ଚିକିତ୍ସା ପାଇଁ ଅନେକ ମେଡିକାଲକୁ ନେଇ ବହୁ ଖର୍ଚ୍ଚାନ୍ତ ହେଲେଣି ବାପା ସନାତନ । ହେଲେ କୌଣସି ସୁଫଳ ମିଳି ପାରୁନାହିଁ । ବିଭୂତି ପୂରା ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ତାଙ୍କର ଅନଲାଇନ ଭିନ୍ନକ୍ଷମ ସାର୍ଟିଫିକେଟ ହୋଇପାରୁ ନାହିଁ । ଫଳରେ ତାଙ୍କୁ ୩୫ ଶହ ଟଙ୍କା ଭତ୍ତା ମିଳୁନାହିଁ । ସରକାରୀ ସୁବିଧା ଯୋଗାଇ ଦେବାକୁ ସନାତନ ବହୁବାର ସ୍ଥାନୀୟ ପ୍ରଶାସନ ନିକଟରେ ଗୁହାରି କରିଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଚିକିତ୍ସା ନିମନ୍ତେ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି ପରିବାର ।

କଳାହାଣ୍ଡି କର୍ଲାମୁଣ୍ଡା ବ୍ଲକ ଧଅଁରାଖମନ ଗାଁରେ ଡରାଉଛି କିଡନୀ ରୋଗ

ଏମ. ରାମପୁର : ଡରାଉଛି କିଡନୀ ରୋଗ । କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତ ଧଅଁରାଖମନ ଗାଁରେ କିଡନୀ ରୋଗ ଆତଙ୍କ । ୧୪ରୁ ଉର୍ଦ୍ଧ୍ଵ ମହିଳା ଓ ପୁରୁଷଙ୍କ ଘଟିଲାଣି ମୃତ୍ଯୁ । ଏବେବି ୧୯ ଜଣ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଚିକିତ୍ସା ପାଇଁ ଆକ୍ରାନ୍ତ ହୋଇଥିବା ରୋଗୀ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସୁଦ୍ଧା ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଯାହାକୁ ନେଇ ଚିନ୍ତାରେ ୯୦ ପରିବାର ।

ଧଅଁରାଖମନ ଗାଁରେ କିଡନୀ ଜନିତ ରୋଗ ବଢୁଥିବା ବେଳେ କର୍ଲାମୁଣ୍ଡା ଗୋଷ୍ଠୀ କେନ୍ଦ୍ର ପକ୍ଷରୁ ତଦନ୍ତ କରାଯାଇଛି । ଗାଁରେ ଥିବା ନଳକୂପର ପାଣିକୁ ପରୀକ୍ଷା ପାଇଁ ନିଆଯାଉଛି । ହେଲେ ରିପୋର୍ଟ ଦିଆଯାଉନି । ଫଳରେ କେଉଁ କାରଣରୁ ଗ୍ରାମବାସୀ କିଡନୀ ଜନିତ ରୋଗରେ ଆକ୍ରାନ୍ତ ହେଉଛନ୍ତି ତାହା ଜାଣି ପାରୁନାହାନ୍ତି । ଯଦି ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ ଏବେ ଠାରୁ ଦୃଷ୍ଟି ଦିଆ ନଯାଏ ତାହାଲେ ଆଗାମୀ ଦିନରେ ରୋଗୀ ସଂଖ୍ୟା ବଢିବା ସହ ମୃତ୍ଯୁ ସଂଖ୍ଯା ବଢିବା ସମ୍ଭାବନା ରହିଛି । ଏନେଇ କର୍ଲାମୁଣ୍ଡା ବିଡ଼ିଓଙ୍କୁ ପଚାରିବାରୁ ସେ ଫୋନ ଯୋଗେ କହିଛନ୍ତି,  ମେଡିକାଲ ଟିମ ସେହି ଗାଁକୁ ଯାଇଥିଲେ ହେଲେ ପାଣି ଯୋଗୁଁ ଏଭଳି ହୋଇନାହିଁ ଅନ୍ୟ କାରଣ କିଛି ଅଛି ବୋଲି କହିଛନ୍ତି।

ଯୋଜନାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ, ମିଳୁନି ବର୍ଦ୍ଧିତ ଭତ୍ତା କି ଆବାସ ଗୃହ

ସୁବର୍ଣ୍ଣପୁର : ଅସଜଡା, ଅବ୍ୟବସ୍ଥିତ ଜରି ପାଲ ଭିତରେ ପଡି ରହିଛନ୍ତି ଦମ୍ପତି । ଘରର ଅବସ୍ଥା ଏମିତି ସଂକଟାପନ୍ନ ଯେ କେତେବେଳେ କାନ୍ଥରୁ ମାଟି ଖସି ପଡିବ ଠିକଣା ନାହିଁ । ଘର ଭିତରୁ ଜଳଜଳ ହୋଇ ଦିଶୁଛି ଆକାଶ । ଏପରି ଘରେ ଜୀବନ ବିତାଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ପାଳିଗାଁର ନକୁଳ ପ୍ରଧାନ ଏବଂ ତାଙ୍କ ସ୍ତ୍ରୀ ବେଦୀ ପ୍ରଧାନ । ଦୁଃଖ ଓ ପରିତାପର ବିଷୟ ଆଧାର କାର୍ଡ ଅନୁଯାୟୀ ନକୁଳଙ୍କୁ ୮୫ ବର୍ଷ ହୋଇଥିଲେ ସୁଦ୍ଧା ତାଙ୍କୁ ବର୍ଦ୍ଧିତ ଭତ୍ତା ୩୫ ଶହ ଟଙ୍କା ମିଳୁନାହିଁ । ଘର ଖଣ୍ଡେ ପାଇଁ ସେ ସମସ୍ତଙ୍କ ପାଖରେ ଗୁହାରି କରିସାରିଲେଣି । ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଏପଟେ ଗରିବଙ୍କ ସରକାର କହି କେବଳ ବାହାସ୍ଫୋଟ ମାରୁଛନ୍ତି ନୂଆ ସରକାର ।

ସରକାରଙ୍କ ନିୟମ ଅନୁସାରେ ୮୦ ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ମିଳୁଛି ୩୫ ଶହ ଟଙ୍କା । କିନ୍ତୁ ନକୁଳ ଏବଂ ତାଙ୍କ ସ୍ତ୍ରୀଙ୍କୁ ୮୦ ବର୍ଷରୁ ଉର୍ଦ୍ଧ୍ଵ ହେଲେବି ମିଳୁନି ବର୍ଦ୍ଧିତ ଭତ୍ତା । ଆଜି ବି ହଜାରେ ଟଙ୍କା ଭତ୍ତାରେ ଦିନ କାଟୁଛନ୍ତି ଦୁଇ ପ୍ରାଣୀ । ଏହି ପରିବାରକୁ ଘର ଖଣ୍ଡେ ସହ ବର୍ଦ୍ଧିତ ଭତ୍ତା ପ୍ରଦାନ କରିବାକୁ ଦାବି କରିଛନ୍ତି ଗ୍ରାମବାସୀ । କେବଳ ଯେ ଏମାନେ ତା ନୁହେଁ, ଏମିତି ଆହୁରି ଅନେକ ବୃଦ୍ଧବୃଦ୍ଧା ବର୍ଦ୍ଧିତ ଭତ୍ତା ନପାଇ ହନ୍ତସନ୍ତ ହେଉଛନ୍ତି । ଅପରପକ୍ଷେ ଏବେ ଆବାସ ଗୃହ ପାଇଁ ସର୍ଭେ ଚାଲିଛି ବୋଲି କହି ଦୋଷ ଛଡାଇଛନ୍ତି ବୀରମହାରାଜପୁର ବିଧାୟକ । ବୃଦ୍ଧ ଦମ୍ପତିଙ୍କୁ କେବେ ବର୍ଦ୍ଧିତ ଭତ୍ତା ସହ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା ।

୩ ବର୍ଷ ହେଲା ସରିଲାନି କାମ, ପ୍ରଶାସନ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକାରୁ ହନ୍ତସନ୍ତ ଲୋକେ

କଣ୍ଟାମାଳ : ୩ ବର୍ଷ ବିତିଲା । ନିର୍ମାଣ ଅବଧି ବି ସରିଲା । ଅଥଚ ସରିଲାନି କାମ । ନାଳ ଉପରେ ଅଧପନ୍ତରିଆ ଭାବେ ଠିଆ ହୋଇଛି ପୋଲ । ଏ ହେଉଛି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଠାରୁ କଣ୍ଟାମାଳ ଦେଇ ଖୁଣ୍ଟିଗୋରାକୁ ସଂଯୋଗ କରୁଥିବା ମଲିକୁଦ ଠାରେ ଥିବା ଚିଚେଡ ନାଳ ଉପରେ ନିର୍ମାଣଧୀନ ପୋଲ । ଏହି ପୋଲ ପାଇଁ ପୂର୍ବ ସରକାରଙ୍କ ସମୟରେ କାର୍ଯ୍ଯାଦେଶ ହୋଇଥିଲା । ଚବିଶରେ ସରକାର ବଦଳିଲେ ସିନା ପୋଲ କାମ ସଂପୂର୍ଣ୍ଣ କିନ୍ତୁ ହୋଇ ପାରିଲାନାହିଁ । ଲୋକଙ୍କ ଗମନାଗମନ ପାଇଁ ଏକ ଡାଇଭର୍ସନ ରାସ୍ତା ନିର୍ମାଣ ହୋଇଛି ସତ କିନ୍ତୁ ତାହା ବି ବିପଦପୂର୍ଣ୍ଣ ଅବସ୍ଥାରେ । ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ଯିବା ଆସିବା କରୁଥିବା ବେଳେ ବର୍ଷା ଦିନେ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।…

ପୋଲ ନିର୍ମାଣ ପାଇଁ ୭ କୋଟି ୮୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଥିଲା । ପୋଲ ନିର୍ମାଣ ଦାୟିତ୍ଵ ଶ୍ୟାମଜୀ କନଷ୍ଟ୍ରକସନ ପ୍ରାଇଭେଟ ଲିମିଟେଡ଼କୁ ଦିଆଯାଇଥିଲା । ହେଲେ ପ୍ରଶାସନିକ ଅବହେଳା ଓ ଠିକାଦାରଙ୍କ ମନମାନି ଯୋଗୁଁ ପୋଲ କାମ ଆଗେଇ ପାରୁନି । ଶୀଘ୍ର ପୋଲ କାର୍ଯ୍ଯ ସାରିବାକୁ ସାଧାରଣରେ ଦାବି ଜୋର ଧରିଛି । ଅନ୍ଯପଟେ କାମ ବିଳମ୍ୱକୁ ସ୍ୱୀକାର କରିବା ସହ ଏହି ବର୍ଷ ଶେଷ ସୁଦ୍ଧା କାମ ସରିବ ଓ ଲୋକେ ଯିବା ଆସିବା କରିବେ ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ l ପୋଲ ନିର୍ମାଣ କାମ କେବେ ସରୁଛି, ଲୋକେ ତାର କେବେ ସୁବିଧା ପାଉଛନ୍ତି । ତାହା ଉପରେ ସମସ୍ତଙ୍କ ରହିଛି ନଜର ।

ସୁଆଁରି ଗାଁରେ ଝାଡାବାନ୍ତି ଆତଙ୍କ । ଜଣେ ମୃତ, ୧୫ ଆକ୍ରାନ୍ତ

ଚୌଦ୍ବାର : କଟକ ଟାଙ୍ଗୀ-ଚୌଦ୍ବାର ବ୍ଲକ ସୁଆଁରି ଗାଁରେ ଝାଡାବାନ୍ତି ଆତଙ୍କ । ୧୫ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବା ସହିତ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଉର୍ମିଳା ବଳ । ଏବେବି କିଛି ପୀଡିତ କଟକ ବଡ଼ ଡାକ୍ତରଖାନାରେ ଓ କିଛି ଘରୋଇ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ନିର୍ମଳ ଗଉଡ଼ ନାମକ ଜଣେ ୬୨ବର୍ଷୀୟ ବୃଦ୍ଧଙ୍କ ଅବସ୍ଥା ଗୁରୁତର ହୋଇଥିବା ସୂଚନା ମିଳିଛି । ଖବର ପାଇ ଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସୁପରିଣ୍ଡେଣ୍ଟ ଡା.ମଧୁସ୍ମିତା ନାୟକ, ବ୍ଲକସ୍ୱାସ୍ଥ୍ୟ ଅଫିସର ଡାକ୍ତର ଜ୍ୟୋତି ପ୍ରକାଶ ସାହୁ, ଅତିରିକ୍ତ ବିଡ଼ିଓ ଶାଶ୍ବତ କୁମାର ଜେନା ଓ Rwss je ସ୍ଵର୍ଣ୍ଣମୟୀ ସାହୁ ପ୍ରମୁଖ ଗ୍ରାମ ପରିଦର୍ଶନ ପୂର୍ବକ ଜଳଉତ୍ସ ଗୁଡିକର ସ୍ଥିତି ଯାଞ୍ଚ କରିଛନ୍ତି । ସରପଞ୍ଚ ନିବାସ ଚନ୍ଦ୍ର ପାଣ୍ଡବଙ୍କ ସମେତ ସ୍ଥାନୀୟ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସଂକ୍ରାନ୍ତରେ ସଚେତନତା କରୁଥିବା ବେଳେ ପାଣି ଜନିତ ଏହି ରୋଗ ବ୍ୟାପୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଏନେଇ ବ୍ଲକ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରାଯାଉଥିବା ଦେଖିବାକୁ ମିଳିଛି । ଏହା କିପରି ଆଗକୁ ଅନ୍ୟ ଗାଁକୁ ନ ବ୍ୟାପିବ ଏନେଇ ପ୍ରଶାସନ ସଜାଗ ଥିବା ଅତିରିକ୍ତ ବିଡ଼ିଓ କହିଛନ୍ତି ।

ଭୁବନେଶ୍ଵରର କଳିଙ୍ଗନଗର ଅଞ୍ଚଳରେ ଅନେକ ଡାଇରିଆ ଆକ୍ରାନ୍ତ

ଭୁବନେଶ୍ୱର : ଭୁବନେଶ୍ୱର ଡାଇରିଆ ଆତଙ୍କ । କଳିଙ୍ଗ ନଗରର ଏକ ଆପାର୍ଟମେଣ୍ଟରେ ଆକ୍ରାନ୍ତ ସୂଚନା ପରେ ମେୟର ସୁଲୋଚନା ଦାସ, ଷ୍ଟାଣ୍ଡିଂଙ୍ଗ କମିଟି ଅଧ୍ୟକ୍ଷ, ସ୍ଥାନୀୟ କର୍ପୋରେଟର, ୱାଟକୋ, ସ୍ବାସ୍ଥ୍ଯ ଓ ଜେଡିସି ସମୀକ୍ଷା କରିଛନ୍ତି । ଦୂଷିତ ଜଳରୁ ବ୍ଯାପିଛି ଝାଡାବାନ୍ତି । ପିଇବା ପାଣି ପାଇପ ଲାଇନରେ ସ୍ବେରେଜ ପାଣି ଲିକ ହୋଇ ମିଶୁଥିବା ଜଣାପଡିଛି । ପାଣି ପରୀକ୍ଷା ପାଇଁ ସାମ୍ପଲ ପଠା ଯାଇଛି। ଏବେ ସୁଦ୍ଧା ୬୨ ଜଣ ଆକ୍ରାନ୍ତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବିଲଡର ଆପାର୍ଟମେଣ୍ଟକୁ ପିଇବା ପାଣି ସଂଯୋଗ କରି ନଥିବାରୁ ନୋଟିସ କରିଛି ବିଏମସି । ସେପଟେ ରାଜଧାନୀରେ ଝାଡ଼ାବାନ୍ତି ଆତଙ୍କ ପରେ ବିଏମସି ଖାଦ୍ଯ ସୁରକ୍ଷା ଟିମ ଚଢାଉ କରିଛି । ଖାଦ୍ଯ ନାଁରେ ହୋଟେଲରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବାସି ଖାଦ୍ଯ ଦିଆଯାଉଥିବା ଦେଖିବାକୁ ମିଳିଥିଲା । ସମ ହସ୍ପିଟାଲ ଛକ ଓ ପଟିଆ ଅଞ୍ଚଳର ଏକାଧିକ ହୋଟେଲ ଯାଞ୍ଚ ବେଳେ ଏହା ସାମ୍ନାକୁ ଆସିଛି । ବାସୀ ମଟନ, ସିଝା ଆଳୁ, ଅଟା, ଚାଉମିନି ଫ୍ରିଜରୁ ଜବତ କରି ନଷ୍ଟ କରିଛି ବିଏମସି । ଯାଞ୍ଚ ବେଳେ ଏକାଧିକ ହୋଟେଲରୁ ୧୦ ରୁ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଫାଇନ ଆଦାୟ କରାଯାଇଛି । ଆଗକୁ ନିୟମ ଉଲ୍ଲଂଘନ କଲେ ହୋଟେଲେ ସିଲ କରିବାକୁ ଚେତାବନୀ ଦେଇଛି ସ୍କ୍ବାଡ ।

ପାକିସ୍ତାନୀ ନାଗରିକ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲା ଇଡି

ନନ୍ଦିଘୋଷ ବ୍ୟୁରୋ : ପାକିସ୍ତାନୀ ନାଗରିକ ଆଜାଦ ମଲିକ ଓରଫ ମହମଦ ହୁସେନ ଆଜାଦ ବିରୋଧରେ ଇଡି କୋଲକାତା  ପିଏମଏଳଏ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । କୋର୍ଟ ଅଭିଯୁକ୍ତଙ୍କୁ ନୋଟିସ ଜାରି କରି ଆଗାମୀ ତାରିଖ ସ୍ଥିର କରିଛନ୍ତି । ଇଡିର ଏହି ତଦନ୍ତ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ବିଶେଷ ଅଧିନିୟମ ୧୯୪୬ର ଧାରା ୧୪ ଓ ୧୪ଏ ଆଧାରରରେ ମାମଲା ରୁ୍ଜୁ କରିଛି ।

୧୫ ଅପ୍ରିଲ ୨୦୨୫ରେ ହୋଇଥିବା ତଦନ୍ତ ବେଳେ ମଲିକ ଭାରତରେ ଅବୈଧ ଭାବେ ରହୁଥିବା ଜଣାପଡିଥିଲା । ମଲିକ ଭାରତରେ ଅବୈଧ ଭାବେ ରହିବା ସହ ଜାଲ ପାସପୋର୍ଟ ଓ ଜାଲ ଦସ୍ତାବିଜ ତିଆରି କରୁଥିବା ଗ୍ୟାଙ୍ଗର ମୁଖ୍ୟ ଥିଲା । ଏହାରି ମାଧ୍ୟମରେ ଟଙ୍କା ରୋଜଗାର କରୁଥିଲା । ମଲିକ ପାକିସ୍ତାନୀ ନାଗରିକ ହୋଇ ଭାରତରେ ଜାଲ ପ୍ରମାଣ ପତ୍ର ପ୍ରସ୍ତୁତ କରି ରହୁଥିଲା ।

ତାର ମୋବାଇଲରୁ ମିଳିଥିବା ୧୯୯୪  ମସିହାର ଡ୍ରାଇଭିଙ୍ଗ ଲାଇସେନ୍ସରୁ ଜଣାପଡିଲା ଯେ ତାର ନାମ ଆଜାନ ହୁସେନ ଓ ସେ ପାକିସ୍ତାନର ନାଗରିକ । ତାର ବପାଙ୍କ ନାମ ମୁମତାଜ ଉଲ ହୁକ । ତାର ଜନ୍ମ ତାରିଖ ୧୪ ଅଗଷ୍ଟ ୧୯୭୧ ବୋଲି ମଧ୍ୟ ସେଥିରୁ ଜଣାପହିଛି । ଏହି ଲାଇସେନ୍ସ ତାକୁ ପାକିସ୍ତାନର ହାଇଦ୍ରାବାଦରୁ ମିଳିଥିଲା । ତାର ନାଁକୁ ଲୁଚେଇବା ପାଇଁ ସେ ତାର ନାମ ଆଜାଦ ମଲିକ ରଖିଥିଲା । ସେହି ନାମରେ ଚାଲ ପ୍ରମାଣ ପତ୍ର ତିଆରି କରି ସେ ରହୁଥିଲା ।

ଇଡି ତଦନ୍ତ କରିବା ସମୟରେ ଜାଣିବାକୁ ପାଇଲା କି ସେ ବାଂଲାଦେଶ ଓ ଭାରତ ସୀମାରେ ତାର କାରବାର ଚଲାଉଥିଲା । ୟୁପିଆଇ ମାଧ୍ୟମରେ ଟଙ୍କା କାରବାର କରୁଥିଲା । Bkash ଭଳି ଏକ ପ୍ଲାଟଫର୍ମ ମାଧ୍ୟମରେ ବାଂଲାଦେଶରେ ଟଙ୍କା ଟ୍ରାନ୍ସଫର କରୁଥିଲା । ବାଂଲାଦେଶ ନାଗରିକ ବିଦେଶ ଯିବା ପାଇଁ ଭିସା ପ୍ରସ୍ତୁତ କରୁଥିଲା । ବାଂଲାଦେଶ ଟଙ୍କା, ଆମେରିକା ଡଲାର ଓ ଭାରତୀୟ ମୁଦ୍ରା ମାଧ୍ୟମରେ ଟଙ୍କା ନେଣଦେଣ କରୁଥିଲା । ଅପରାଧୀକୁ ନ୍ୟାୟିକ ହେପାଜତକୁ ନିଆଯାଇଛି । ତା’ର ବିରୋଧରେ ତଦନ୍ତ ଏବେ ବି ଜାରି ରହିଛି ।