ପ୍ରଥମ କ୍ୱାର୍ଟରରେ ବିଏମ୍‌ସିର ରାଜସ୍ୱ ଆଦାୟ ନିରାଶ ଜନକ: ବିକାଶ କାର୍ଯ୍ୟରେ ବାଧାପ୍ରାପ୍ତ ଆଶଙ୍କା

1 min read

ଭୁବନେଶ୍ୱର: କୋଭିଡ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ପୌରସଂସ୍ଥା ଓ ମହାନଗର ନିଗମ । ହେଲେ ଲୋକଙ୍କ କଥା ବୁଝିଲା ବେଳକୁ ଦୋହଲିଗଲାଣି ନିଜର ଆର୍ଥିକ ସ୍ଥିତି । କୋଭିଡ କଟକଣା ଯୋଗୁଁ ରାଜସ୍ୱ ଆଦାୟ ହୋଇପାରୁ ନାହିଁ । ଯାହାର ପ୍ରଭାବ ବିକାଶ କାର୍ଯ୍ୟରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଉ ଏଥିରୁ ବାଦ ପଡ଼ିନି ଭୁବନେଶ୍ୱର ମହାନଗର ନିଗମ । ଭାରି ପଡ଼ିଲା କରୋନାର ଦ୍ୱିତୀୟ ଲହର । ଆର୍ଥିକବର୍ଷର ପ୍ରଥମ କ୍ୱର୍ଟରରେ ରାଜସ୍ୱ ଆଦାୟ ନିରାଶାଜନକ । ବିଏମସିର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା । ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ଼ ଲାଇସେନ୍ସ, ପାର୍କିଂ ଫି ଓ ହୋର୍ଡିଂ ଆଦି ପ୍ରମୁଖ ଉତ୍ସରୁ ରାଜସ୍ୱ ଆଦାୟ କରେ ପୌରସଂସ୍ଥା । ଏହାଦ୍ୱାରା ଅଞ୍ଚଳର ବିକାଶ ସହିତ ଲୋକଙ୍କୁ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ । ଗତ ବର୍ଷ ପ୍ରଥମ ପର୍ଯ୍ୟାୟ କୋଭିଡ ସତ୍ତ୍ୱେ ବିଏମସି ୧୧୮ କୋଟି ରାଜସ୍ୱ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ସେଥିରୁ କେବଳ ୭୦ କୋଟି ଥିଲା ହୋଲ୍ଡିଂ ଟ୍ୟାକ୍ସ । ତେବେ କରୋନା ଦ୍ୱିତୀୟ ଲହରରେ ଟିକାକରଣକୁ ପ୍ରାଧାନ୍ୟ ଓ ନିର୍ଦ୍ଧାରିତ ସମୟରେ ଏହାକୁ ଶେଷ କରିବାର ଲକ୍ଷ୍ୟ, କଟକଣା ଯୋଗୁଁ ଲୋକଙ୍କ ନିକଟକୁ ଯାଇ ରାଜସ୍ୱ ସଂଗ୍ରହ କରିବା ସମ୍ଭପର ହେଉନାହିଁ । ସେପଟେ SHG ଓ TG ଗ୍ରୁପଙ୍କ ଜରିଆରେ ବିଭିନ୍ନ ଟ୍ୟାକ୍ସ ଆଦାୟ କରିବାର ଲକ୍ଷ୍ୟ ମଧ୍ୟ ସମ୍ଭବପର ହୋଇନାହିଁ । ଧନୀ ହେଉ ଅଥବା ଗରିବ, ଦୀର୍ଘ ଦେଢବର୍ଷ ହେଲା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କରୋନା । ଏଭଳି ସ୍ଥିତିରେ ରାଜସ୍ୱ ଆଦାୟ କରିବା ବିଏମସି ପାଇଁ ଯେତିକି କଷ୍ଟ ଓ ଟିକସ ପଇଠ କରିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ସେତିକି ମୁସ୍କିଲ । ଯାହାର ପ୍ରଭାବ ବିକାଶ କାର୍ଯ୍ୟରେ ପଡିବା ଆଶଙ୍କା ରହିଛି । ସେପଟେ କରୋନାର ଦ୍ୱିତୀୟ ଲହରରେ ବିଏମସିର ଆର୍ଥିକ ସ୍ଥିତି ପାଇଁ ସମସ୍ୟା ସୃଷ୍ଟି ହୋଇଥିବା କଥା ସ୍ଵୀକାର କରିଛନ୍ତି ଅତିରିକ୍ତ କମିଶନର । ତେବେ ଆଗକୁ ସ୍ଥିତିରେ ସୁଧାର ଆସିବ ଓ ସମସ୍ୟାର ସମାଧାନ ସହିତ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ଏଭଳି ସ୍ଥିତି କେବଳ ବିଏମସି କିମ୍ବା ରାଜ୍ୟର ନୁହଁ ବରଂ ସମଗ୍ର ଦେଶର । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୌରସଂସ୍ଥା ଗୁଡିକୁ ବିଭିନ୍ନ ଯୋଜନାରେ ତଥା ସ୍ୱତନ୍ତ୍ର ଅନୁଦାନ ଜରିଆରେ ମିଳୁଥିବା ଆର୍ଥିକ ରାଶିକୁ ବୃଦ୍ଧି କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାରେ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ: ମହାରାଷ୍ଟ୍ରରେ ସର୍ବାଧିକ

 

 

 

Leave a Reply