କୃଷକ ଆନ୍ଦୋଳନରେ ଭୟଙ୍କର ଷଡ଼ଯନ୍ତ୍ର, ଲାଲକିଲ୍ଲାକୁ କବ୍‌ଜାକରି କରିଥାନ୍ତେ ଆନ୍ଦୋଳନର ସ୍ଥଳ

ନୂଆଦିଲ୍ଲୀ: ଜାନୁଆରୀ ୨୬ ତାରିଖ, ସେଦିନ ଅପମାନିତ ହୋଇଥିଲା ତ୍ରୀରଙ୍ଗା। ଦେଶର ଐତିହାସିକ ଏବଂ ଗର୍ବିତ ମନେକରାଯାଉଥିବା ଲାଲକିଲ୍ଲା ଉପରେ ହୋଇଥିଲା ଆକ୍ରମଣ। ନୂଆ କୃଷି ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିଲା ଟ୍ରାକ୍ଟର ରାଲି। କୌଣସି ଅପ୍ରୀତିକର ପରିସ୍ଥିତି ନ ଉପୁଜିବା ପାଇଁ ଟ୍ରାକ୍ଟର ରାଲି ପାଇଁ ତିଆରି ହୋଇଥିଲା ସ୍ୱତନ୍ତ୍ର ମାର୍ଗ। ତଥାପି କ୍ଷଣିକରେ ବଦଳି ଯାଇଥିଲା ପରିସ୍ଥିତି। ରାଲି ପାଇଁ ତିଆରି ହୋଇଥିବା ସ୍ୱତନ୍ତ୍ର ରାସ୍ତାରେ ଆନ୍ଦୋନକାରୀ ନଯାଇ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ଅଲଗା ମାର୍ଗରେ ଯିବାକୁ ଜିଦ କରିଥିଲେ। ହିଂସା ହେଲା, ହିଂସାରେ ୩୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହେଲେ ଏବଂ ଟ୍ରାକ୍ଟର ରାଲି ବେଳେ କିଛି ଆନ୍ଦୋଳନକାରୀ ଚାଷୀଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା। ସିସିଟିଭି ଦେଖି ଅନେକ ଚାଷୀଙ୍କ ନାମରେ ମାମଲା ରୁଜୁ ମଧ୍ୟ କରାଯାଇଥିଲ।

ତେବେ ଜାନୁଆରୀର ସେହି  ହିଂସା ମାମଲାରେ ଦିଲ୍ଲୀ ପୋଲିସ କୋର୍ଟରେ ଏକ ଚାର୍ଜସିଟ ଦାଖଲ କରିଛି। ଏହି ମାମଲା ନେଇ କୋର୍ଟ ୨୮ ମେରେ ବିଚାର କରିବେ। କ୍ରାଇମବ୍ରାଞ୍ଚର ସୂତ୍ର ଅନୁଯାୟୀ ଦାଖଲ ହୋଇଥିବା ଚାର୍ଜସିଟର ତଦନ୍ତ ସମୟରେ ଅନେକ ବଡ଼ ଷଡଯନ୍ତ୍ର ସାମ୍ନାକୁ ଆସିଛି। ଯେଉଁଥିରେ ମିଳିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସେଦିନ ଆନ୍ଦୋଳନକାରୀ କୃଷକ ଲାଲକିଲ୍ଲାକୁ ସେମାନଙ୍କ ଅଧିନକୁ ନେଇଥାନ୍ତେ। ଲାଲକିଲ୍ଲାକୁ କବ୍‌ଜାକୁ ନେବା ପରେ ଉଗ୍ର କୃଷକ ଆନ୍ଦୋଳନକାରୀ ମାନେ ସେଠାରେ ସିଙ୍ଘୁ ଏବଂ ଟିକାରୀ ସୀମା ପରି ଆନ୍ଦୋଳନର ସ୍ଥାନ ସୃଷ୍ଟି କରିଥାନ୍ତେ। ଏହି ମାମଲାରେ ଗିରଫ ହୋଇଥିବା ଅନେକ ଅଭିଯୁକ୍ତ ଏବଂ ସେମାନଙ୍କ ଠାରୁ ରେକର୍ଡ କରାଯାଇଥିବା ବ୍ୟକ୍ତିକୁ ନେଇ ପ୍ରମାଣ ଆଧାରରେ ଏହି ଚାର୍ଜସିଟ୍ ପ୍ରସ୍ତୁତ କରାଯାଇଛି।

ତେବେ ଏତେ ସୁରକ୍ଷା ମଧ୍ୟରେ ଲାଲକିଲ୍ଲା ଭିତରକୁ ଯିବା ପାଇଁ କେମିତି ତିଆରି ହୋଇଥିଲା ପ୍ଲାନ୍‌। କ୍ରାଇମବ୍ରାଞ୍ଚର ରିପୋର୍ଟ ଅନୁଯାୟୀ  ୨୬ ଜାନୁଆରୀରେ ବିରୋଧ ପ୍ରଦର୍ଶନ ରାଲିରେ ବୃଦ୍ଧ କୃଷକଙ୍କୁ ଆଗରେ ନେବାକୁ ଯୋଜନା କରାଯାଇଥିଲା। ଯାହା ଦ୍ୱାରା କୌଣସି ପୋଲିସ କର୍ମଚାରୀ ସେମାନଙ୍କ ବିରୋଧରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଯେମିତି ଗ୍ରହଣ କରିପାରିବେ ନାହିଁ। ଏହା ସହିତ ଆନ୍ଦୋଳନରେ ସାମିଲ ଥିବା ଯୁବ କୃଷକ ମାନଙ୍କୁ ମୋବାଇଲ୍ ଫୋନ୍ ଏବଂ ସୋସିଆଲ୍ ମିଡିଆ ମାଧ୍ୟମରେ ଲାଇଭ୍ ଦେଖାଇବା ପାଇଁ ଏକ ଷଡଯନ୍ତ୍ର ମଧ୍ୟ କରାଯାଇଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ଅଛି। ତେବେ ଏହି ଷଡ଼ଯନ୍ତ୍ର ନେଇ ସମ୍ପୂର୍ଣ୍ଣ ତଥ୍ୟ ଆସନ୍ତା ୨୮ ତାରିଖ ପରେ ମିଳିପାରିବ ବୋଲି ଜଣାପଡ଼ିଛି।

ତେବେ ଏଠାରେ ପ୍ରଶ୍ନ ଉଠୁଛି କାହିଁକି ୨୬ ଜାନୁଆରୀକୁ ଏହି ଆନ୍ଦୋଳନ ପାଇଁ ଠିକ୍‌ ଦିନ ବୋଲି ବଛା ଯାଇଥିଲା। ୨୬ ଜାନୁଆରୀରେ ଟ୍ରାକ୍ଟର ରାଲି କରିବା ପଛରେ ଆନ୍ଦୋଳନକାରୀ ମାନଙ୍କର ମଧ୍ୟ ଥିଲା ଏକ ବଡ଼ ଷଡ଼ଯନ୍ତ୍ର। କାରଣ ଏହି କୃଷକ ଆନ୍ଦୋଳନ ସମୟରେ କେତେକ ସାମାଜିକ ବିରୋଧୀ ଏବଂ ହିଂସା କରିଥିବା ବ୍ୟକ୍ତି ଏହା ଚିନ୍ତା କରିଥିଲେ ଯେ ଜାନୁଆରୀ ୨୬ରେ କେନ୍ଦ୍ର ସରକାର କୌଣସି ବଳ ପ୍ରୟୋଗ କରିବେ ନାହିଁ। କାରଣ ସେହି ଦିନ ଜାତୀୟ ଉତ୍ସବ ସ୍ୱତନ୍ତ୍ରତା ଦିବସ ପାଳନ କରାଯାଉଥିଲା। ଆଉ ଏହା ଥିଲା ଟ୍ରାକ୍ଟର ଆନ୍ଦୋଳନ କରିବାର ଏକ ମୁଖ୍ୟ କାରଣ। ସାରା ବିଶ୍ୱ ଆଗରେ ସରକାରଙ୍କର ଭାବମୂର୍ତ୍ତିକୁ ଲଜ୍ଜିତ କରାଇବା ମଧ୍ୟ ଥିଲା ଆଉ ଏକ ପ୍ରମୁଖ କାରଣ।

କୋର୍ଟରେ ଦାଖଲ ହୋଇଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି ଯେ ଲାଲକିଲ୍ଲାରୁ ତ୍ରିରଙ୍ଗା ପତାକାକୁ କାଢ଼ି ଅନ୍ୟ କୌଣସି ପତାକା ଲଗାଇବା ପାଇଁ ଅଭିଯୁକ୍ତ ମାନଙ୍କୁ ପ୍ରଚୁର ପରିମାଣରେ ଅର୍ଥ ଦିଆଯାଇଥିଲା। ଦେଶ ବିରୋଧି କାର୍ଯ୍ୟ ପାଇଁ ଶିଖ୍ ଫର ଜଷ୍ଟିସ୍ ସଂସ୍ଥା ଏବଂ ଏହାର ମୁଖ୍ୟ ଗୁରୁପତବନ୍ତ ସିଂ ପନ୍ନୁଙ୍କ ଦ୍ୱାରା ଏହି କାର୍ଯ୍ୟ ପାଇଁ ପ୍ରଚୁର ଟଙ୍କାର ପୁରସ୍କାର ଘୋଷଣା ମଧ୍ୟ କରାଯାଇଥିଲା। ଚାର୍ଜସିଟରେ ଗିରଫ ହୋଇଥିବା ଜଣେ ଅଭିଯୁକ୍ତଙ୍କ ଝିଅର ଆନ୍ତଃରାଜ୍ୟ କଲ୍ ରୋକର୍ଡକୁ ମଧ୍ୟ ଦିଲ୍ଲୀ ପୋଲିସ ଚାର୍ଜସିଟ୍ରେ ଅନ୍ତର୍ଭୁକ୍ତ କରିଛି। ଯେଉଁଥିରେ ବାପାଙ୍କୁ ୫୦ ଲକ୍ଷ ଟଙ୍କା ମିଳିବାକୁ ଯାଉଛି ବୋଲି ଝିଅ କହୁଥିବାର ରେକର୍ଡ ରହିଛି। ତେଣୁ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅନେକ ପ୍ରମାଣ ସଂଗ୍ରହ କରାଯାଇଛି ଏବଂ ଏହାକୁ ଚାର୍ଜସିଟରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି।

ସୂତ୍ରରୁ ଜଣାପଡ଼ିଛି ଏହି ଉଗ୍ର ଆନ୍ଦୋଳନ ହିଂସା ପାଇଁ ସ୍କ୍ରିପ୍ଟ ବହୁ ପୂର୍ବରୁ ଲେଖାଯାଇଥିଲା। ଜାନୁଆରୀ ୨୬ର ଲାଲକିଲ୍ଲା ଆନ୍ଦୋଳନ ପାଇଁ ନଭେମ୍ବର / ଡିସେମ୍ବର ୨୦୨୦ ରେ ହିଂସାର ଷଡଯନ୍ତ୍ର କରାଯାଇଥିଲା। ଏଥିପାଇଁ ପଞ୍ଜାବ ଏବଂ ହରିୟାଣାରେ ଟ୍ରାକ୍ଟର ଏବଂ ବହୁ ସାମଗ୍ରୀ ଆଗୁଆ କିଣା ଯାଇଥିଲା। ସେହି ସମୟରେ ପଞ୍ଜାବରେ ବୃଦ୍ଧି ପାଉଥିବା ଟ୍ରାକ୍ଟର କିଣା ତଥ୍ୟକୁ ଦିଲ୍ଲୀ ପୋଲିସ ଚାର୍ଜସିଟରେ ସାମିଲ କରିଛି। ନଭେମ୍ବର ୨୦୨୦ରେ  ୪୩ ପ୍ରତିଶତ  ଟ୍ରାକ୍ଟର କିଣା ବୃଦ୍ଧି ପାଇଥିଲା ଏବଂ ଡିସେମ୍ବରରେ ଏହା ୯୪ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତେଣୁ ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି କ୍ରାଇମବ୍ରାଞ୍ଚ ଟିମ୍ ଏହାର ସବିଶେଷ ଅନୁସନ୍ଧାନ କରି ଏକ ଚାର୍ଜସିଟ୍ ପ୍ରସ୍ତୁତ କରିଛି।

Leave a Reply