ଯୁଦ୍ଧ ସ୍ମାରକୀରେ ଜ୍ୟୋତି ବିଲୟ, ବିବାଦ କାହିଁକି ?

1 min read

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହୋଇଛି ଅମର ଯବାନ ଜ୍ୟୋତି  । ୧୯୭୨ ମସିହାରୁ ଜଳୁଥିବା ଏହି ଜ୍ୟୋତି ୨୦୨୨ ଜାନୁଆରୀ ୨୧ରୁ ଆଉ ଇଣ୍ଡିଆ ଗେଟରେ ଜଳିବନାହିଁ  । କିନ୍ତୁ ଏହି ଜ୍ୟୋତିକୁ ଇଣ୍ଡିଆ ଗେଟରୁ ସ୍ଥାନାନ୍ତରଣ ନେଇ ଉପୁଜିଛି ବିବାଦ  । କଂଗ୍ରେସ ଠାରୁ ଆରମ୍ଭ କରି ଏନସିପି , କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି  । ଅନେକ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପତୁଳିକା ଦାହ କରିଛନ୍ତି  । ସେପଟେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ରର ନିଷ୍ପତି ବିରୋଧରେ ଟ୍ୱିଟ କରିଛନ୍ତି  ।  ଏହା ଅତ୍ୟନ୍ତ ଦୁଖଃଦ ଘଟଣା ଯେ, ଅମର ଯବାନଙ୍କ ସମ୍ମାନ ପାଇଁ ଜଳୁଥିବା ଜ୍ୟୋତିକୁ ଲିଭାଇ ଦେଇଛନ୍ତି । କିଛି ଲୋକ ଦେଶପ୍ରେମ ଓ ବଳୀଦାନର ମହତ ବୁଝୁ ନାହାଁନ୍ତି  । ଆମେ ପୁଣି ଥରେ ଦେଶର ସହିଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଜ୍ୟୋତି ଜଳାଇବା  । କିନ୍ତୁ ବାସ୍ତବରେ ୱାର ମେମୋରିଆଲରେ ବିଲୟ ଘଟିଥିବା ଅମର ଯବାନ ଜ୍ୟୋତିର ଉଦ୍ଦେଶ୍ୟ କଣ ? କାହିଁକି ଗୋଟିଏ ସ୍ଥାନରେ ଜଳିବ ଜ୍ୟୋତି ?

ଅମର ଯବାନ ଜ୍ୟୋତି କଣ ?

ପ୍ରଥମ ବିଶ୍ୱଯୁଦ୍ଧ ବା ଆଙ୍ଗଲୋ ଆଫଗାନ ଯୁଦ୍ଧ ସମୟରେ ବ୍ରିଟିସ ସରକାର ଭାରତୀୟ ଯବାନଙ୍କୁ ନିୟୋଜିତ କରିଥିଲେ  । ଏହି ଯୁଦ୍ଧରେ ୮୪ ହଜାର ଭାରତୀୟ ଯବାନ ସହିଦ ହୋଇଥିଲେ  । ସହିଦ ସୌନିକଙ୍କ ସ୍ମୃତିରେ ବ୍ରିଟିସ ସରକାର ନିର୍ମାଣ କରିଥିଲେ ଇଣ୍ଡିଆ ଗେଟ୍  । ଏବଂ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଆସୁଥିଲେ  । କିନ୍ତୁ ଜାନୁଆରୀ ୨୬, ୧୯୭୨ ମସିହାରେ ଅମର ଯବାନ ଜ୍ୟୋତି ପ୍ରଜ୍ୱଳନ କରାଯାଇଥିଲା  । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏଦି ପ୍ରଦୀପ ଲଗାଯାଇଥିଲା  ।   ଇଣ୍ଡିଆ ଗେଟ ନିକଟରେ ଏକ ପିଣ୍ଡି ସ୍ଥାପନା କରାଯାଇଥିଲା  । ଉକ୍ତ ସ୍ଥାନରେ ଏକ ବନ୍ଧୁକ ଉପରେ ଯବାନଙ୍କ ହେଲମେଟ୍ ରହିଛି । ଏହା ଉପରେ ଲିଖିତ ରହିଛି ଅମର ଯବାନ  ।  ଏବଂ ସେବେଠାରୁ ଅହରାତ୍ର ଜଳି ଆସୁଥିଲା ଏହି ଅମର ଯବାନ ଜ୍ୟୋତି  ।

କେଉଁ ସ୍ଥାନକୁ ଗଲା ଅମର ଯବାନ ଜ୍ୟୋତି ?

୨୦୧୫ ମସିହାରେ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ ହୁଏ  । ଇଣ୍ଡିଆଗେଟ୍ ନିକଟରେ ହିଁ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ ପାଇଁ ଅନୁମତି ମିଳିଥିଲା  । ୨୦୧୯ ମସିହା ଫେବୃଆରୀ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲକୁ ଉଦଘାଟନ କରିଥିଲେ  । ଦେଶ ସ୍ୱାଧିନତା ପରେ ବିଭିନ୍ନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଏହା ନିର୍ମାଣ କରାଯାଇଥିଲା  ।  ୪୦ ଏକର ପରିମିତ ସ୍ଥାନରେ ୧୭୬ କୋଟି ଟଙ୍କା ବିନିଯୋଗ କରାଯାଇ ନିର୍ମାଣ କରାଯାଇଛି ଏହି ଭବ୍ୟ ଯୁଦ୍ଧ ସ୍ମାରକୀ  । ୧୯୬୧ ମସିହାରୁ ଏହି ଯୁଦ୍ଧ ସ୍ମାରକୀ ନିର୍ମାଣ ନେଇ ପ୍ରସ୍ତାବ ଆସିଥିବାବେଳେ, ୨୦୧୯ ମସିହାରେ ଏହା ଉଦଘାଟନ ହୋଇଥିଲା  ।

କିନ୍ତୁ ଯୁଦ୍ଧ ସ୍ମାରକୀ ନିର୍ମାଣ କରୁଥିବା ଟିମର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ଯେତେବଳେ ଯୁଦ୍ଧ ସ୍ମାରକୀ ନିର୍ମାଣ କରିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିଥିଲା  । ସେତେବେଳେ ଦ୍ୱନ୍ଦ ଦେଖାଯାଇଥିଲା  । କାରଣ ସ୍ୱାଧିନତା ଦିବସରେ ପ୍ରଧାନମନ୍ତ୍ରୀ କେଉଁ ସ୍ଥାନରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ? ଜାତୀୟ ଯୁଦ୍ଧ ସ୍ମାରକୀରେ ନାଁ ଅମର ଯବାନ ଜ୍ୟୋତି ସ୍ଥଳରେ ?

 ଯୁଦ୍ଧ ସ୍ମାରକୀରେ କଣ ଅଛି ?

ଜାତୀୟ ଯୁଦ୍ଧ ସ୍ମାରକୀରେ ରହିଛି ୪ଟି ପର୍ଯ୍ୟାୟ  । ଅର୍ଥାତ୍ ୪ଟି ଚକ୍ର । ସର୍ବଶେଷରେ ରହିଛି ଅମର ଚକ୍ର  । ୧୫. ୫ ମିଟର ଉଚ୍ଚତା ବିଶିଷ୍ଟ ଏହି ସ୍ମାରକୀ ସ୍ତମ୍ଭ ପାଖରେ ଜଳୁଅଛି ଅମର ଜ୍ୟୋତି  । ଏହି ଜ୍ୟୋତିରେ ହିଁ ଅମର ଯବାନ ଜ୍ୟୋତିକୁ ବିଲୀନ କରାଯାଇଛି  । ଦ୍ୱିତୀୟ ଶ୍ରେଣୀରେ ରହିଛି ବୀରତା ଚକ୍ର  । ଯେଉଁଠି ଆର୍ମି, ଏୟାରଫୋର୍ସ, ଏବଂ ନାଭିରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତି ରହିଛି  । ତୃତୀୟରେ ରହିଛି ତ୍ୟାଗ ଚକ୍ର  ।  ଯେଉଁଥିରେ ୨୫ ହଜାର ୯ଶହ ଯବାନଙ୍କ ନାମ ରହିଛି  । ଚତୁର୍ଥରେ ରହିଛି ସୁରକ୍ଷା ଚକ୍ର  । ୬୯୫ଟି ଗଛ ଦେଶର ବୀର ଯବୀନଙ୍କ ବୀରତାକୁ ଦର୍ଶାଉଛି  ।

ସେପଟେ ଦେଶରେ ଚାଲିଥିବା ବିରୋଧକୁ ନେଇ ସ୍ପଷ୍ଟି କରଣ ରଖିଛନ୍ତି କେନ୍ଦ୍ର ସରକାର  । ଅମର ଯବାନ ଜ୍ୟୋତି ଲିଭାଇ ଦିଆଯାଇନାହିଁ ବଂର ଏହାକୁ ବିଲୟ କରାଯାଇଛି  । ଅମର ଯବାନ ଜ୍ୟୋତି ସ୍ଥଳରେ ୧୯୭୧ ଯୁଦ୍ଧରେ ସହିଦ ଯବାନଙ୍କ ନାମ ସ୍ଥାନିତ ନଥିଲା  । ଇଣ୍ଡିଆ ଗେଟ ନିକଟରେ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ଯବାନଙ୍କ ନାମ ରହିଥିଲା  । କିନ୍ତୁ ଜାତୀୟ ଯୁଦ୍ଧ ସ୍ମାରକୀରେ ୧୯୭୧ ଯୁଦ୍ଧ ଠାରୁ ଆରମ୍ଭ କରି ସ୍ୱାଧିନ ଭାରତର ସମସ୍ତ ଯୁଦ୍ଧରେ ସହିଦ ବୀର ଯବାନଙ୍କ ନାମ ସ୍ଥାନିତ ରହିଥିବା ଦର୍ଶାଇଛି କେନ୍ଦ୍ର  ।

 

Leave a Reply