ଯୁବକଙ୍କୁ ଅଧିକ ଆକ୍ରାନ୍ତ କରୁଛି ବ୍ଲାକ୍ ଫଙ୍ଗସ, ପୂର୍ବ ତୁଳନାରେ ହୋଇଛି ଅଧିକ ଭୟଙ୍କର

1 min read

ନୂଆଦିଲ୍ଲୀ: ବିପଦ ବଢ଼ୁଛି ପଛେ କମିବାର ନାଁ ହିଁ ଧରୁନି। ଲାଗୁଛି ଯେମିତି ଏବେ ପୁରା ବିଶ୍ୱକୁ କେହି ଅଭିସାପ ଦେଇଛି। କାରଣ ଗୋଟିଏ ପରେ ଗୋଟିଏ ରୋଗରେ ଲୋକେ ଆକ୍ରାନ୍ତ ହେଉଛନ୍ତି। ଯୁବକଙ୍କ ଠାରୁ ବୃଦ୍ଧ ଏବେ ଘର କଣରେ ଭୟରେ ଲୁଚି ରହୁଛନ୍ତି। କେବଳ ରୋଗରୁ ବଞ୍ଚିବା ପାଇଁ। କରୋନାର ଦ୍ୱିତୀୟ ପ୍ରବାହ ପରେ ଏବେ ଦେଶରେ ଆତଙ୍କ ଖେଳାଇଛି ବ୍ଲାକ୍‌ ଫଙ୍ଗସ୍‌। ଦେଶରେ କ୍ରମାଗତ ଭାବରେ ଏହି ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଆଶ୍ଚର୍ଯ୍ୟର କଥା ହେଉଛି ଏଥର ଏହି ରୋଗ ଯୁବକମାନଙ୍କୁ ଅଧିକ ପରିମାଣରେ ପ୍ରଭାବିତ କରୁଛି। ଗତ ବର୍ଷ ତୁଳନାରେ ଏଥର ବ୍ଲାକ୍‌ ଫଙ୍ଗସ୍ ଅଧିକ ମାରାତ୍ମକ ହୋଇଛି। ସବୁଠାରୁ ବଡ଼ କଥା ହେଉଛି କରୋନା ସଂକ୍ରମଣରୁ ଠିକ୍‌ ହେବାର କିଛି ସମୟ ମଧ୍ୟରେ ଏହି ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ।

ଦିଲ୍ଲୀରେ ଏବେ ବ୍ଲାକ୍‌ ଫଙ୍ଗସରେ ପିଡ଼ିତ ୪୫ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ସେଥିମଧ୍ୟରୁ ୩୦ ଜଣ ରୋଗୀ ସାର୍ ଗଙ୍ଗା ରାମ ଡାକ୍ତରଖାନାରେ ୧୦ ଜଣ ଦିଲ୍ଲୀ ଏମ୍ସରେ ଏବଂ ଅନ୍ୟ ୫ଜଣ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ରୋଗ ଏତେ ଭୟଙ୍କରଯେ ଏହି ରୋଗରେ ପିଡ଼ିତ ଲୋକଙ୍କୁ ସିଧା ଆଇସିୟୁରେ ଭର୍ତ୍ତି କରିବାକୁ ପଡ଼ୁଛି। ତିଳେମାତ୍ର ବିଳମ୍ବ କଲେ କରୋନାକୁ ହରାଇ ଆସିଥିବା ବ୍ୟକ୍ତି ବ୍ଲାକ୍‌ ଫଙ୍ଗସ ଆଗରେ ହାର ମାନିଯିବ।  ସେପଟେ ଡାକ୍ତରଙ୍କର କହିବା କଥା ହେଉଛି ଏବେ ବ୍ଲାକ୍‌ ଫଙ୍ଗସରେ ପିଡ଼ିତ ରୋଗୀ ଚିକିତ୍ସା ପାଇଁ ଅନେକ ଆସୁଛନ୍ତି। ଏହି ରୋଗ କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି କିମ୍ବା ପୁରା ସୁସ୍ଥ ହୋଇସାରିଥିବା ବ୍ୟକ୍ତଙ୍କ ମଧ୍ୟରେ ଦେଖିବାକୁ ମିଳୁଛି।

ସାର ଗଙ୍ଗାରାମ ଡାକ୍ତରଖାନା ହେଉ କି ଦିଲ୍ଲୀ ଏମ୍ସ। ଭର୍ତ୍ତି ହୋଇଥିବା ବ୍ଲାକ୍‌ ଫଙ୍ଗସ୍‌ ରୋଗୀଙ୍କ ମଧ୍ୟରୁ ଯୁବ ମାନଙ୍କର ସଂଖ୍ୟା ବହୁତ ଅଧିକ ରିଛି। ତେବେ ଗଙ୍ଗାରାମ ଡାକ୍ତରଖାନାର ଜଣେ ଚକ୍ଷୁ ଡାକ୍ତରଙ୍କ କହିବା ଅନୁଯାୟୀ ଗତ ବର୍ଷ ଏହି ରୋଗରେ ବୟସ୍କ ଲୋକ ଅଧିକ ସଂକ୍ରମିତ ହେଉଥିଲେ କିନ୍ତୁ ଏବେ ଏହି ରୋଗରେ ୩୦ରୁ ୫୦ ବର୍ଷର ବ୍ୟକ୍ତି ମଧ୍ୟ ଅଧିକ ସଂକ୍ରମିତ ହେଉଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ଏହି ରୋଗ ଏବେ ତାର ରୂପକୁ ପରିବର୍ତ୍ତନ କରି ଅଧିକ ଘତକ ହୋଇଛି। କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ଅଧିକ ଆକ୍ରାନ୍ତ କରୁଛି।

ଏହା ମସ୍କିଷ୍କ, ଫୁସଫୁସ ଏବଂ ଚର୍ମ ଉପରେ ପ୍ରଭାବ ପକାଉଛି। କେବେ କେବେ ଆଖିର ରଶ୍ମୀ ମଧ୍ୟ ଚାଲିଯାଏ ଏବଂ ନାକର ହାଡ଼ ମଧ୍ୟ ପ୍ରଭାବିତ ହୁଏ । ଏହାଦ୍ୱାରା ମୁହଁରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ସାଇନସ ସମସ୍ୟା, ନାକରେ ଯନ୍ତ୍ରଣା ଏବଂ ଜ୍ୱର ଭଳି ସମସ୍ୟା ହୁଏ । ଫୁସଫୁସରେ ଏହି ରୋଗ ହେବାଦ୍ୱାରା କାଶ, ଛାତି ଯନ୍ତ୍ରଣା ଏବଂ ନିଃଶ୍ୱାସ ନେବାରେ ସମସ୍ୟା ଦେଖାଦିଏ । କେବଳ ସେତିକି ନୁହେଁ ଚର୍ମ କଳା ପଡ଼ିଯିବା ଭଳି ସମସ୍ୟା ଦେଖାଦିଏ । ଏହା ସହିତ ପେଟ ଯନ୍ତ୍ରଣା ମଧ୍ୟ ହୁଏ ।

ତେବେ ଏହି ବ୍ଲାକ୍‌ ଫଙ୍ଗସରୁ କେମିତି ରକ୍ଷା ପାଇବେ। ଡାକ୍ତରଙ୍କର କହିବା ଅନୁଯାୟୀ ପ୍ରଥମେ କରୋନା ରୋଗୀଙ୍କ ବ୍ଲଡ୍‌ ସୁଗାର ସ୍ତରକୁ ନିୟନ୍ତ୍ରଣ କରିବା ଜରୁରି। ଖାଲି ସେତିକି ନୁହେଁ, ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଠିକ୍‌ ସମୟରେ ଏବଂ ଠିକ୍‌ ପରିମାଣରେ ଷ୍ଟେରଏଡ ଦିଆଯାଉଛି କି ନାହିଁ ତାହା ଉପରେ ଧ୍ୟାନ ଦେବା ଆବଶ୍ୟକ। ଷ୍ଟେରଏଡ ନେଉଥିବା ରୋଗୀଙ୍କୁ ଏହି ରୋଗ ହେବାର ଅଧିକ ବିପଦ ରହିଛି। କାରଣ ଷ୍ଟେରଏଡ ଦେହରେ ରୋଗ ପ୍ରତିରୋଧକ ତନ୍ତ୍ରକୁ ଦୁର୍ବଳ କରିଦେଇଥାଏ। ଏହି କାରଣରୁ ବ୍ଲାକ୍‌ ଫଙ୍ଗସ ତାର କାୟା ବିସ୍ତାର କରିବାକୁ ସୁଯୋଗ ପାଇଥାଏ। ତେବେ ବ୍ଲାକ୍‌ ଫଙ୍ଗସର ଲକ୍ଷଣକୁ ପ୍ରଥମରୁ ଚିହ୍ନି ତାର ଚିକିତ୍ସା କହିବା ଜରୁରୀ ।

ସମସ୍ତଙ୍କୁ ଜଣାଇଦେବାକୁ ଚାହୁଁଛୁ ଯେ ଯେଉଁ ମାନେ କରୋନା ସଂକ୍ରମିତ ହେବା ପରେ ଘରେ ହୋମ ଆଇସୋଲେସନ୍‌ରେ ରହିଛନ୍ତି। ସେମାନେ ଡାକ୍ତରଙ୍କର ବିନା ପରାମର୍ଶରେ କୌଣସି ଔଷଧ ଖାଆନ୍ତୁ ନାହିଁ। କାରଣ ଡାକ୍ତରଙ୍କ ପରାମର୍ଶ ବିନା ଔଷଧ ଖାଇଲେ ବ୍ଲାକ୍‌ ଫଙ୍ଗସର ଶୀକାର ହୋଇପାରନ୍ତି।

ତେବେ ବ୍ଲାକ୍‌ ଫଙ୍ଗସରୁ ବଞ୍ଚିବା ପାଇଁ ମ୍ୟୁକୋରମାଇକୋସିସର ଚିକିତ୍ସା ଆବଶ୍ୟ । ଯାହା ଅତ୍ୟନ୍ତ ମହଙ୍ଗା ଏବଂ ବହୁତ କଷ୍ଟ। ଚିକିତ୍ସା ସମୟରେ ରୋଗୀଙ୍କୁ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ଆମ୍ଫୋସିନ୍-ବି ଇଞ୍ଜେକ୍ସନ ଦିଆଯାଏ। ଯଦି ଆବଶ୍ୟକ ହୁଏ, ବାଇନୋକୁଲାର ମାଧ୍ୟମରେ ନାକରୁ କବକକୁ ବାହାର କରିବା ପାଇଁ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଏହି ଚିକିତ୍ସା ରୋଗୀର ଓଜନ ଉପରେ ନିର୍ଭର କରି ରୋଗୀକୁ ପ୍ରତିଦିନ ୬ ରୁ ୯ଟି ଇଞ୍ଜେକ୍ସନ ଦେବାକୁ ପଡ଼ିଥାଏ। ଗୋଟିଏ ଗରିବ ଶ୍ରେଣିର ବ୍ୟକ୍ତି ଏହି ଚିକିତ୍ସା କରିବା ଅସମ୍ଭବ। କାରଣ ଏହି ରୋଗକୁ ଭଲ କରିବା ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନର ମୂଲ୍ୟ ୬ ରୁ ୭ ହଜାର ଟଙ୍କା। ଏବଂ ୨୦ ରୁ ୨୮ ଦିନ ମଧ୍ୟରେ ଏହି ଇଞ୍ଜେକ୍ସନ ଦେବାରେ ୧୩ରୁ ୧୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ।

Leave a Reply