ମହାକାଶ ବିଜ୍ଞାନ କ୍ଷେତ୍ରରେ କୁନି ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା: ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଓଡ଼ିଆ ଟିମ୍

1 min read

ଭୁବନେଶ୍ୱର: ଓଡ଼ିଆ କୁନି ବୈଜ୍ଞାନିକଙ୍କୁ ବଡ଼ ସଫଳତା । ନାସା ପକ୍ଷରୁ ଆୟୋଜିତ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଦେଶରୁ ଏକମାତ୍ର ଟିମ୍ ଭାବେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି କୁନି ବୈଜ୍ଞାନିକମାନେ । ପ୍ରତିଯୋଗିତାରେ 73ଟି ଦେଶରୁ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ନିକଟ ଭବିଷ୍ୟତରେ ନାସା ପକ୍ଷରୁ ଲଞ୍ଚ ହେବାକୁ ଥିବା SR-7 ରକେଟରେ ବ୍ୟବହାର ହେବ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ମଡେଲ ।

ମହାକାଶ ବିଜ୍ଞାନ କ୍ଷେତ୍ରରେ କୁନି ଓଡ଼ିଆ ବୈଜ୍ଞାନିକଙ୍କ ସଫଳତା । ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ତୃତୀୟ ସ୍ଥାନରେ ଓଡ଼ିଆ ଟିମ୍ । SR-7 ରକେଟରେ ବ୍ୟବହାର ହୋଇପାରେ ପିଲାଙ୍କ ପ୍ରକଳ୍ପ । ନାସା ପକ୍ଷରୁ ବିଶ୍ବସ୍ତରରେ ଆୟୋଜିତ ହୋଇଥିଲା ଅନଲାଇନ ପ୍ରତିଯୋଗିତା । ୭୩ଟି ଦେଶରୁ ଏକ ହଜାରରୁ ଅଧିକ ପ୍ରକଳ୍ପ ପ୍ରତିଯୋଗିତାରେ ସ୍ଥାନ ପାଇଥିଲା । ଏଥିରେ ଓଡ଼ିଶାର ନଭୋନ୍ମେଷ ପ୍ରସାର ପ୍ରତିଷ୍ଠାନର ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିଛନ୍ତି । ଚଳିତ ବର୍ଷ କ୍ୟୁବ୍ସ ଇନ ସ୍ପେସ ବିଷୟକୁ ନେଇ ହୋଇଥିଲା ପ୍ରତିଯୋଗିତା । ଆଗାମୀ ଦିନରେ ନାସା ପକ୍ଷରୁ ଲଞ୍ଚ ହେବାକୁ ଥିବା SR-7 ରୋକେଟରେ କୁନି ଓଡ଼ିଆ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ଫାସ୍ଟନର ବା ନଟ ବୋଲଟ ବ୍ୟବହାର ନେଇ ରିସର୍ଚ କରିବ ନାସା । ଦୀର୍ଘ ୪ ମାସ ଧରି ଗବେଷଣା ପରେ ବିଶ୍ଵଦରବାରରେ ପ୍ରଶଂସିତ ହୋଇପାରିଥିବା କହିଛନ୍ତି ନଭନ୍ମେଷ ପ୍ରସାର ପ୍ରତିଷ୍ଠାନର ସିଇଓ ।

୭ ଜଣିଆ କୁନି ବୈଜ୍ଞାନିକଙ୍କ ଟିମରେ ଅଛନ୍ତି ଭୁବନେଶ୍ବରରୁ ୪ଜଣ,  କୋରୋପୁଟ, ସମ୍ବଲପୁର ଓ ଅନୁଗୁଳରୁ ଜଣେ ଲେଖାଏଁ ଛାତ୍ରଛାତ୍ରୀ । ଟିମର ସଦସ୍ୟମାନେ କୋଭିଡ କଟକଣା ସମୟରେ ଅନଲାଇନରେ ଅଧିକ ଗବେଷଣା କରିବାକୁ ସକ୍ଷମ ହୋଇଥିଲେ । ଇସ୍ରୋର ମଙ୍ଗଳ ଜାନ ଉଦ୍ୟମ ବିଫଳ ହେବା ଓ ଏହାର କାରଣ ଜାଣିବା ପରେ ପିଲାଙ୍କ ମନରେ ଅଧିକ ଉତ୍ସାହ ସୃଷ୍ଟି ହୋଇଥିଲା । ୟଙ୍ଗ ଟିମର ଆକାଡେମୀର ଅନଲାଇନ କ୍ଲାସରେ ଯୋଗଦେଇ ପିଲାମାନେ ସ୍ପେସ ରିସର୍ଚ ଉପରେ ଅଧିକ ଗବେଷଣା କରିଥିଲେ । ସାଟେଲାଇଟ ହେଉ କି ରକେଟ, ଅନେକ ସମୟରେ ଫାଷ୍ଟନରରେ ସାମାନ୍ୟ ଭୁଲ ଯୋଗୁଁ ନିରାଶ ହେବାକୁ ପଡିଥାଏ । ସେଥିରେ ସୁଧାର ଆଣିବାକୁ ଏମାନେ ଆଲୁମିନିୟମ ଓ ଷ୍ଟିଲ ଦ୍ୱାରା ଫାଷ୍ଟନର ପ୍ରସ୍ତୁତ କରିଛନ୍ତି ।

ପିଲାଙ୍କ ଭିତରେ ମହାକାଶ ବିଜ୍ଞାନ ଓ ଗବେଷଣା ସହିତ ଏହାର ବ୍ୟବହାରିକ ଜ୍ଞାନର ବିକାଶ ପାଇଁ ନାସା ପକ୍ଷରୁ ପ୍ରତିବର୍ଷ ଏଭଳି ପ୍ରତିଯୋଗିତାର ଆୟୋଜନ କରାଯାଇଥାଏ । ପୁର୍ବରୁ ମଧ୍ୟ human exploration ରୋଭର ଚ୍ୟାଲେଞ୍ଜରେ ନଭନ୍ମେଷ ପ୍ରସାର ପ୍ରତିଷ୍ଠାନ ତୃତୀୟ ସ୍ଥାନ ପାଇଥିଲା ।

Leave a Reply