ରାହୁଲଙ୍କ ପ୍ରଶ୍ନ, ଭାରତ ମାମଲାରେ କାହିଁକି ମୁହଁ ଖୋଲୁନି ଆମେରିକା ?

1 min read

ନୂଆଦିଲ୍ଲୀ: ରାଜନୈତିକ ସ୍ତରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁକାବିଲା କରିବା ପାଇଁ ରାହୁଲ ଗାନ୍ଧୀ ଯେଉଁଭଳି ଭାବେ ଦେଶର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ରୂପ ଦେଉଛନ୍ତି ତାହା ତାଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହେବନି ତ ? ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିକୋଲସଙ୍କ ସହିତ ଆଲୋଚନା କାଳରେ ରାହୁଲଙ୍କ ଗୋଟିଏ ବକ୍ତବ୍ୟକୁ ନେଇ ଏମିତି ପ୍ରଶ୍ନ ଛିଡ଼ା ହୋଇଛି । ଲଗାତାର ଅନ୍ୟ ଦେଶର ନେତାଙ୍କ ସହ କଥା ହେଉଛନ୍ତି ରାହୁଲ୍ । କଥାରେ କଥାରେ ମୋଦି ସରକାରଙ୍କୁ କାଠଗଡ଼ାରେ ଛିଡ଼ା କରୁଥିବା ରାହୁଲ ଗାନ୍ଧୀ ଭାରତରେ ଗଣତାନ୍ତ୍ରିକ ବ୍ୟବସ୍ଥା ଧ୍ୱଂସ ହୋଇଯାଇଥିବା କହିଛନ୍ତି । ସେତିକି ନୁହେଁ ଗଣମାଧ୍ୟମ ଉପରେ ମୋଦି ସରକାରଙ୍କ ନିୟନ୍ତ୍ରଣ ଥିବା ରାହୁଲ୍ କହିଛନ୍ତି । ରାହୁଲଙ୍କ ଅନୁସାରେ, ୨୦୧୪ ପରେ ନିରପେକ୍ଷ ଗଣତନ୍ତ୍ର ଲାଗି ଜରୁରୀ ସଂସ୍ଥା ସରକାରଙ୍କ ନିୟନ୍ତ୍ରଣକୁ ଚାଲି ଯାଇଛି ।

ଆମେରିକାର ପୂର୍ବତନ କୂଟନୀତିଜ୍ଞ ନିକୋଲସ୍ ବର୍ଣ୍ଣସଙ୍କ ସହ ଅନଲାଇନ ଆଲୋଚନା ବେଳେ ରାହୁଲ୍ କହିଛନ୍ତି- ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଥାନ୍ତି, ତେବେ ବିକାଶ କୈନ୍ଦ୍ରିକ ନୀତି ଉପରେ ନୁହେଁ ବରଂ ଅଧିକ ନିଯୁକ୍ତି ସୃଷ୍ଟି କରିବାକୁ ଗୁରୁତ୍ୱ ଦେଇଥାନ୍ତି । ଶୁକ୍ରବାର ଏଭଳି ବୟାନ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଅନଲାଇନ ଆଲୋଚନାରେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ପ୍ରଧାନମନ୍ତ୍ରୀ ହୋଇଥିଲେ କ’ଣ କରିଥାନ୍ତେ ? ଯାହାର ଉତ୍ତରରେ ଏଭଳି କହିଛନ୍ତି ରାହୁଲ । ଏଥିସହ ରାହୁଲ କହିଛନ୍ତି- ଆମକୁ ବିକାଶର ଆବଶ୍ୟକତା ରହିଛି । କିନ୍ତୁ ଆମେ ଉତ୍ପାଦନ ବଢାଇବା ସହ ରୋଜଗାର ସୃଷ୍ଟି କରି ଭାଲ୍ୟୁ ଆଡିସନ୍ ପାଇଁ ସବୁକିଛି କରିବା ।

ରାହୁଲ କହିଛନ୍ତି- ଏବେ ବିକାଶ, ରୋଜଗାର ଏବଂ ଉତ୍ପାଦନ ମଧ୍ୟରେ ଯେଭଳି ସମ୍ବନ୍ଧ ରହିବା କଥା ନାହିଁ । ଭ୍ୟାଲୁ ଆଡିସନରେ ଚୀନ୍ ଆଗରେ ରହିଛି… ମୁଁ କୌଣସି ଚୀନ ନେତାଙ୍କୁ ଭେଟିନାହିଁ ଯିଏ କି ମୋତେ କହିଛନ୍ତି ‘ରୋଜଗାର ସୃଷ୍ଟିରେ ସମସ୍ୟା ମୋର ରହିଛି ।’
ଏଥିସହ ରାହୁଲ କରୋନା ସଂକଟ ଓ ଲକଡାଉନକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି- ‘ମୁଁ ଲକଡାଉନ୍ ଆରମ୍ଭରୁ କହିଥିଲି କ୍ଷମତାର ବିକେନ୍ଦ୍ରୀକରଣ କରାଯାଉ… କେନ୍ଦ୍ର ସରକାରଙ୍କୁ ଏହା କିଛି ମାସ ପରେ ବୁଝା ପଡ଼ିଥିଲା । ସରକାର ସବୁ ବୁଝିବା ବେଳକୁ ବହୁତ କ୍ଷତି ହୋଇ ସାରିଥିଲା ।’ ଅର୍ଥ ବ୍ୟବସ୍ଥା ସୁଧାରିବା ଲାଗି ଏବେ ଗୋଟିଏ ବିକଳ୍ପ ହେଉଛି ଲୋକଙ୍କ ହାତରେ ଟଙ୍କା ଦେବା । ଏଥିପାଇଁ ଆମ ପାଖରେ ନ୍ୟାୟ ବିଚାର ଥିବା କହିଛନ୍ତି ରାହୁଲ ।

ଘଣ୍ଟାଏ ଧରି ଚାଲିଥିବା ଅନଲାଇନ୍ ଆଲୋଚନାରେ ରାହୁଲ ଅଭିଯୋଗ କରିଛନ୍ତି କ୍ଷମତାଧାରୀ ଭାରତର ସଂଗଠନାତ୍ମକ ଢାଞ୍ଚା ଉପରେ ସମ୍ପୂର୍ଣ୍ଣ କବଜା କରି ନେଇଛନ୍ତି । ୨୦୧୪ ପୂର୍ବରୁ ଯେଭଳି ଭାବେ ବିରୋଧୀ ଦଳ କାମ କରୁଥିଲେ ସେ ଆଦର୍ଶରେ ପରିବର୍ତ୍ତନ ଆସିଛି । ଏପରିକି ବିରୋଧୀଙ୍କ ରାଜନୀତିକ ଲଢ଼େଇକୁ ଯେଉଁ ସଂସ୍ଥା ସମର୍ଥନ କରିବା ଆବଶ୍ୟକ ସେମାନେ କରୁନାହାଁନ୍ତି ।

ଅଭିଯୋଗର ଲମ୍ବା ଫର୍ଦ୍ଦ ବାଢ଼ିବା ଭିତରେ ରାହୁଲ୍ କହିଛନ୍ତି- ଭାରତରେ କଣ ହେଉଛି ? ଏହା ଉପରେ ମୁଁ ଆମେରିକା ସରକାରଙ୍କ କୌଣସି ପ୍ରତିକ୍ରିୟା ଶୁଣୁନାହିଁ । ମୋର କହିବା କଥା ଏଠାରେ ଯାହା ହେଉଛି ତାହା ଉପରେ ଆପଣଙ୍କ ରାୟ କଣ ? ରାହୁଲ୍ କହିଛନ୍ତି- ମୁଁ ମାନୁଛି ଆପଣଙ୍କ ସମ୍ବିଧାନରେ ସ୍ୱତନ୍ତ୍ରତା ବିଚାର ରହିଛି । ଏହା ବେଶ୍ ଶକ୍ତିଶାଳୀ ଅଟେ । କିନ୍ତୁ ଆପଣଙ୍କୁ ଉକ୍ତ ବିଚାରର ରକ୍ଷା କରିବା ଦରକାର, ଏହା ହିଁ ମୁଖ୍ୟ ପ୍ରଶ୍ନ ବୋଲି ରାହୁଲ କହିଛନ୍ତି ।

Leave a Reply