୧୭୦ କୋଟିର ରାଜନୈତିକ ଚାନ୍ଦା ପାଇଁ କଂଗ୍ରେସକୁ ନୋଟିସ୍
ନୂଆଦିଲ୍ଲୀ: ଆୟକର ସ୍କାନରରେ କଂଗ୍ରେସ । ହୱାଲା ମନି ଟ୍ରାନ୍ସଫର ନେଇ କଂଗ୍ରେସକୁ ଆୟକର ବିଭାଗ ନୋଟିସ୍ ଜାରି କରିଛି । ସୂଚନା ମୁତବାକ ହାଇଦ୍ରାବାଦର ଏକ ଇନଫ୍ରାଷ୍ଟ୍ରକଚର କମ୍ପାନୀ କଂଗ୍ରେସକୁ ୧୭୦ କୋଟି ଟଙ୍କା ଦେଇଥିଲା । ଏହି କାରବାର ହୱାଲା ଜରିଆରେ ହୋଇଥିବା ଜାଣିବାକୁ ପାଇଥିଲା ଆୟକର ବିଭାଗ ।
ଏହି ମାମଲାରେ ଆୟକର ବିଭାଗର ନଭେମ୍ବର ୪ରେ କଂଗ୍ରେସ କାର୍ଯ୍ୟାଳୟର ୪ ଜଣ ନେତାଙ୍କୁ ସମନ ଜାରି କରିଥିଲା । କିନ୍ତୁ, ସମନ ପରେ ବି କଂଗ୍ରେସ ନେତା ଆୟକର ଅଫିସରେ ହାଜର ହୋଇ ନଥିଲେ । ଫଳରେ ଆୟକର ବିଭାଗ ପକ୍ଷରୁ କଂଗ୍ରେସକୁ ନୋଟିସ୍ ଜାରି କରାଯାଇଛି । ରାଜନୈତିକ ଚାନ୍ଦା ବାବଦରେ କଂଗ୍ରେସ ଏତେ ବଡ଼ ଅର୍ଥ ପାଇଥିଲେ ବି କୌଣସି ଦସ୍ତାବିଜ୍ ଆୟକର ବିଭାଗ ନିକଟରେ ଉପସ୍ଥାପନ କରିପାରି ନାହିଁ ।
କ୍ରିକେଟର ମିତାଲି ରାଜଙ୍କ ବାୟୋପିକରେ ନଜର ଆସିବେ ତାପସୀ ପନ୍ନୋ
ମୁମ୍ବାଇ : ଭାରତୀୟ ମହିଳା କ୍ରିକେଟ ଦଳର ଅନ୍ୟତମ ଚର୍ଚ୍ଚିତ ଖେଳାଳି ତଥା ଓ୍ୱିକେଟ୍ କିପର ମିତାଲି ରାଜଙ୍କ ଜୀବନୀ ଉପରେ ନିର୍ମାଣ କରାଯିବ ଫିଲ୍ମ । ଭାୟକମ୍ ୧୮ ମୋସନ୍ ପିକଚର୍ ପ୍ରସ୍ତୁତ କରୁଥିବା ଏହି ବାୟୋପିକର ନାଁ ରଖାଯାଇଛି ସାବାସ୍ ମିଠୁ ।
ଭର୍ସାଟାଇଲ୍ ଅଭିନେତ୍ରୀ ତାପସୀ ପନ୍ନୋ ମିତାଲୀଙ୍କ ଚରିଚ୍ରରେ ଫିଲ୍ମରେ ନଜରକୁ ଆସିବେ । ରଇଜ୍ ନିର୍ଦ୍ଦେଶକ ରାହୁଲ ଢୋଲକିଆ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ତାପସୀଙ୍କୁ ଏଥିରେ ଚୂଡାନ୍ତ କରାଯାଇଥିବା ଏବେ ସୂଚନା ମିଳିଛି ।

ଆଜି ମିତାଲି ରାଜଙ୍କ ଜନ୍ମଦିନ ଅବସରରେ କେକ୍ କାଟି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ତାପସୀ । ନିଜ ଇନଷ୍ଟା ପୋଷ୍ଟରେ ଫିଲ୍ମ ସଂପର୍କରେ ଉଲ୍ଲେଖ କରିଛନ୍ତି । ଦୀର୍ଘ ଦିନରୁ ଜଣେ ସ୍ପୋର୍ଟ ପର୍ସନାଲିଟିଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବାକୁ ତାପସୀ ଆଗ୍ରହୀ ଥିବା ଉଲ୍ଲେଖ କରିଥିଲେ । ଏବେ ତାଙ୍କୁ ହାତରେ ଗ୍ଲୋବ୍ସ ପିନ୍ଧିଥିବା ଦେଖିବାକୁ ମିଳିବ ।
ଧାର ଟଙ୍କା ଫେରସ୍ତ ମାଗିବାରୁ ବିଧବାଙ୍କୁ ଜୀଅନ୍ତା ଜାଳିଦେଲେ
ମହାକାଳପଡ଼ା: ଟଙ୍କା ଧାର ଦେଇଥିଲେ, ମାଗିବାରୁ ବିଧବା ମହିଳାଙ୍କୁ ଜୀଅନ୍ତା ଜାଳିଦେଲେ। ଏଭଳି ଅମାନବୀୟ ଆଉ ହୃଦୟ ବିଦାରକ ଘଟଣା ଘଟିଛି ମାର୍ଶାଘାଇ ଥାନା ତିଖିରି ପଞ୍ଚାୟତ ଧନିଆପଡ଼ା ଗାଁରେ ।
ଧନିଆପଡ଼ା ଗାଁର ସୁଭଦ୍ରା ବେହେରାଙ୍କ ଠାରୁ ୫୦ ହଜାର ଟଙ୍କା ଧାର ନେଇଥିଲେ ସେହି ଗାଁର ବିଶ୍ୱଜିତ୍ ସ୍ୱାଇଁ । ଟଙ୍କା ଧାର ନେବା ପରେ ଏକ ମାସ ହେଲା ଯୁବକ ଜଣଙ୍କ ଗାଁରେ ରହୁ ନଥିଲେ । ସେ ଗାଁକୁ ଆସିଥିବା ଜାଣିବା ପରେ ରାତିରେ ସୁଭଦ୍ରା ତାଙ୍କ ଘରକୁ ଯାଇ ଟଙ୍କା ମାଗିଥିଲେ । ସ୍ୱାମୀଙ୍କୁ ହରାଇବା ପରେ ସୁଭଦ୍ରା ବହୁ କଷ୍ଟରେ ସେ ଯାହା କିଛି ଉପାର୍ଜନ କରିଥିଲେ ତାକୁ ବିଶ୍ୱଜିତ୍ ତାଙ୍କ ପାଖରୁ କୌଶଳକ୍ରମେ ନେଇଯାଇଥିଲେ ।
କଷ୍ଟ ଉପାର୍ଜିତ ଧନକୁ ଫେରାଇ ଦେବାକୁ ସୁଭଦ୍ରା ବିଶ୍ୱଜିତ୍ଙ୍କୁ କହିଥିଲେ । ହେଲେ, ଧାର ଫେରସ୍ତ କରିବା ପରିବର୍ତ୍ତେ ହିଂସ୍ର ହୋଇ ଉଠିଥିଲେ ବିଶ୍ୱଜିତ ଆଉ ତାଙ୍କ ପରିବାର । ସୁଭଦ୍ରାଙ୍କୁ ଗାଁ ଦାଣ୍ଡରେ କିରାସିନି ଢାଳି ଜିଅନ୍ତା ଜାଳି ଦେଇଥିଲେ । ମରିଗଲି… ମରିଗଲି… ଚିତ୍କାର କରିଥିଲେ ସୁଭଦ୍ରା । ଚିତ୍କାର ଶୁଣି ଗାଁ ଲୋକ ତାଙ୍କୁ ଉଦ୍ଧାର କରି ପ୍ରଥମେ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରିଥିଲେ । ପରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ସୁଭଦ୍ରାଙ୍କର ୧୨ ବର୍ଷର ପୁଅଟିଏ ଅଛି । ମା’କୁ ହରାଇବା ପରେ ସେ ଅନାଥ ହୋଇଯାଇଛି ।
ଘଟଣା ନେଇ ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ସୁଭଦ୍ରାଙ୍କ ଭାଇ କିଶୋର ବେହେରା । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି । ଅଭିଯୁକ୍ତ ବିଶ୍ୱଜିତ୍ ଫେରାର୍ ହୋଇଯାଇଛି ।
ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ମେଡିକାଲ ପହଞ୍ଚି ନପାରି ମହିଳାଙ୍କ ମୃତ୍ୟୁ ଅଭିଯୋଗ
ସାଲେପୁର: ୧୦୮ ପାଇଁ ଚାଲିଗଲା ଜୀବନ । ଆଖି ବୁଜିଲେ ମହିଳା । ଛାତିରେ ଯନ୍ତ୍ରଣା ହେବାରୁ କଟକ ଜିଲ୍ଲା ମାହାଙ୍ଗା ବ୍ଲକ କୁରୁଜଙ୍ଗାର ଗାଁର ସେବତୀ ପୃଷ୍ଟିଙ୍କ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । ଆମ୍ବୁଲାନ୍ସ ଆସିବା ବାଟରେ ହିଁ ତେଲ ସରିଗଲା । ଫଳରେ ଠିକ୍ ସମୟରେ ନିଶ୍ଚିନ୍ତକୋଇଲି ମେଡିକାଲରେ ପହଞ୍ଚି ପାରିଲେନି ସେବତୀ ।
ଆମ୍ବୁଲାନ୍ସ ଗାଁ ଠାରୁ ପ୍ରାୟ ଏକ କିଲୋମିଟରରେ ଦୂରରେ ଅଟକି ରହିଲା । ଆଉ ୨ ଘଣ୍ଟା ପରେ ଆସିଲା ଆଉ ଏକ ଆମ୍ବୁଲାନ୍ସ । ସେଥିରେ ସେବତୀଙ୍କୁ ମେଡିକାଲ ନିଆଗଲା । ହେଲେ, ଡେରି ହୋଇଯାଇଥିବାରୁ ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।

