ନନ୍ଦିଘୋଷ ବ୍ୟୁରୋ : ଶୁଣିଲାନି ପ୍ରଶାସନ । କୋଡ଼ି କୋଦାଳ ଧରି ରାସ୍ତା ତିଆରି କଲେ ଲୋକେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଏରସମା ବ୍ଲକ କାଙ୍କଣ ଉତ୍ତରପଡ଼ା ଗାଁରେ। ପ୍ରଶାସନ ନିକଟରେ ବାରମ୍ବାର ଲିଖିତ ଅଭିଯୋଗ ସହ ବିଧାୟକ ଓ ସାଂସଦଙ୍କ ନିକଟରେ ଅଭିଯୋଗ କଲା ପରେ ବି ଗାଁକୁ ଖଣ୍ଡେ ରାସ୍ତା ହୋଇପାରୁନି । ଗାଁରେ କୌଣସି ଲୋକଙ୍କୁ ମେଡିକାଲ ନେବାକୁ ହେଲେ ୨ କିମି ମୁଖ୍ୟ ରାସ୍ତାକୁ ବୋହିକି ଆମ୍ବୁଲାନ୍ସ ଯାଏଁ ନେବାକୁ ପଡ଼ୁଛି । ପ୍ରତିଦିନ ଜୀବନକୁ ବାଜି ଲଗାଇ ଏହି ରାସ୍ତାରେ ଯିବାଆସିବା କରୁଛନ୍ତି ଛାତ୍ରଛାତ୍ରୀ, ରୋଗୀ ଓ ଗର୍ଭବତୀ। ପୂର୍ବରୁ ଜଣେ ରୋଗୀଙ୍କୁ ଏହି ରାସ୍ତା ଦେଇ ହସ୍ପିଟାଲକୁ ନେବା ବେଳେ ଚକା ଖସିବାରୁ ଗାଡ଼ି ଅଧରସ୍ତା ରେ ଅଟକି ରହିଥିଲା ଜାହା ପାଇଁ ମୃତ୍ୟୁ ଘଟିଥିଲା।ଶେଷରେ ଗାଁ ଲୋକ ଏକାଠି ହୋଇ ନିଜସ୍ବ ଅର୍ଥରେ ରାସ୍ତା ମରାମତି କରିଛନ୍ତି। ଅନ୍ୟପଟେ ଘଟଣା ସମ୍ପର୍କରେ ଏରସମା ବିଡିଓଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
ନୟାପଲ୍ଲୀରେ ଡ୍ୟାନ୍ସ ପାର୍ଟିରେ ତୁମୁଳକାଣ୍ଡ ; ନିଶାସକ୍ତ ଅବସ୍ଥାରେ ପ୍ରବଳ ଗଣ୍ଡଗୋଳ
ନନ୍ଦିଘୋଷ ବ୍ୟୁରୋ : ରାତି ବଢିଲେ, ରାଜଧାନୀରେ ତାତି ବଢୁଛି । ପାର୍ଟି କରିବା ଆଳରେ ପ୍ରତିଦିନ ଗଣ୍ଡଗୋଳ ହେଉଛି । ଠିକ ସମାନ ଢଙ୍ଗରେ ନୟାପଲ୍ଲୀ ଅଞ୍ଚଳରେ ବିଳମ୍ବିତ ରାତିରେ ଡ୍ୟାନ୍ସ ପାର୍ଟିରେ ହୋଇଛି ତୁମୁଳକାଣ୍ଡ । ଏକ ହୋଟେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି ଚାଲିଥିବା ବେଳେ, ନିଶାସକ୍ତ ଅବସ୍ଥାରେ ପ୍ରବଳ ଗଣ୍ଡଗୋଳ ହୋଇଛି । ୪ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଘଟଣାରେ ପାଖପାଖି ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ନିଶାସକ୍ତ ଅବସ୍ଥାରେ ହୋଟେଲରେ ଏଭଳି ତୁମୁଳକାଣ୍ଡ ଘଟିଥିବା ବେଳେ, ସିସିଟିଭି ଆଧାରରେ ଛାନବିନ ଜାରି ରଖିଛି ପୋଲିସ।
ପାରିବାରିକ କଳହର କରୁଣ ପରିଣତି ; ଶାଶୁକୁ ପନିକିରେ ହାଣିଲା ବୋହୂ
ନନ୍ଦିଘୋଷ ବ୍ୟୁରୋ : ପାରିବାରିକ କଳହର କରୁଣ ପରିଣତି। ଶାଶୁକୁ ପନିକିରେ ହାଣିଲା ବୋହୂ। ଗୁରୁତର ଅବସ୍ଥାରେ ଶାଶୁକୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତ ବୋହୁକୁ ଭୋଗରାଇ ଥାନା ପୋଲିସ ଗିରଫ କରି ତଦନ୍ତ କରୁଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ପଥରଘଟା ଗାଁରେ ଘଟିଛି ଏଭଳି ଘଟଣା। ଗାଁର ଶଙ୍କର ବାରିକଙ୍କ ସ୍ତ୍ରୀ ଶିବାନୀ ବାରିକ କୌଣସି କାରଣକୁ ନେଇ ଶାଶୁଙ୍କୁ ପନିକିରେ ଆକ୍ରମଣ କରିଥିଲେ। ବାରମ୍ବାର ଆକ୍ରମଣ କରିବାରୁ ଶାଶୁ ବେହୋସ ହୋଇ ପଡ଼ିଯାଇଥିଲେ। ଗୁରୁତର ଅବସ୍ଥାରେ ଶାଶୁଙ୍କୁ ଜଳେଶ୍ୱର ପୁର ଓ ବାଲେଶ୍ବର ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସ୍ବାମୀଙ୍କ ଅଭିଯୋଗ ପରେ ପୋଲିସ ବୋହୂକୁ ଗିରଫ କରି ତଦନ୍ତ କରୁଛି।
ବିବାହ ଭୋଜିରେ ସାଂଘାତିକ କାଣ୍ଡ ; ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ଦେବାରୁ କାଟିଲେ ବେକ
ନନ୍ଦିଘୋଷ ବ୍ୟୁରୋ : ବିବାହ ଭୋଜିରେ ସାଂଘାତିକ କାଣ୍ଡ। ବିବାହ ଭୋଜିରେ ଛେଳି ମାଂସ ବଦଳରେ କୁକୁଡ଼ା ମାଂସ ଦେବାରୁ କ୍ୟାଟରିଂ ଯୁବକଙ୍କ ବେକ କାଟିଲେ ୪ ନାବାଳକ। ବାଲେଶ୍ବର ରେମୁଣା ଥାନା ଅଠାନ୍ତର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଗୁରୁତର ଯୁବକଙ୍କୁ ପ୍ରଥମେ ଫକୀରମୋହନ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଥିଲା ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆକ୍ରମଣରେ ସମ୍ପୃକ୍ତ ୪ ନାବାଳକଙ୍କୁ ଗିରଫ କରି ଅନୁଗୁଳ ସୁଧାର ଗୃହକୁ ପଠାଇଲା ରେମୁଣା ପୁଲିସ। ରେମୁଣା ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ୪ ନାବାଳକଙ୍କୁ ଗିରଫ କରି ସୁଧାର ଗୃହକୁ ପଠାଇବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
ବ୍ଲକ ଭିତରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ ; ବ୍ଲକ ଭିତରେ ପଶି SIR କାର୍ଯ୍ୟରତ କର୍ମଚାରୀ ବ୍ଲକ ପିଅନକୁ ମରଣାନ୍ତକ ଆକ୍ରମଣ
ନନ୍ଦିଘୋଷ ବ୍ୟୁରୋ : ବ୍ଲକ ଭିତରେ ଦୁର୍ବୃତ୍ତଙ୍କ ଉନ୍ମତ୍ତକାଣ୍ଡ। ବ୍ଲକ ଭିତରେ ପଶି SIR କାର୍ଯ୍ୟରତ କର୍ମଚାରୀ, ବ୍ଲକ ପିଅନକୁ ମରଣାନ୍ତକ ଆକ୍ରମଣ। ଏହାସହିତ ବ୍ଲକ ନିକଟରେ ଥିବା କିଛି ଦୋକେନୀ ମାନଙ୍କୁ ମଧ୍ୟ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକରେ । ସ୍ଥାନୀୟ ନୂଆବଜାର ଅଞ୍ଚଳର କିଛି ଦୁର୍ବୁତ୍ତ ଏକ କାର ଯୋଗେ ଆସି ଉନ୍ମୁକ୍ତ କାଣ୍ଡ ଭିଆଇଛନ୍ତି l ପ୍ରଥମେ ବ୍ଲକ ଭିତରେ ପଶି ଆକ୍ରମଣ କରିବା ସହ ଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ l ଦୋକାନୀ ମାନଙ୍କୁ ଆକ୍ରମଣର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି।ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି l ତାହାସହିତ ଆକ୍ରମଣର ଶିକାର ହୋଇଥିବା ନିକଟସ୍ଥ ବ୍ୟବସାୟୀ ମାନେ ରାସ୍ତାରୋକ କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଆଳି ଥାନାଧିକାରୀଙ୍କ ସହ ଏକ ଟିମ ପହଞ୍ଚି ବୁଝାସୁଝା କରି ଆନ୍ଦୋଳନକାରୀଙ୍କୁ ରାସ୍ତାରୁ ଉଠାଇଥିଲେ l ଆକ୍ରମଣ ପଛର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।
ରାସ୍ତା କଡରେ ହୁତୁହୁତୁ ହୋଇ ଜଳିଗଲା ବସ ; ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ
ନନ୍ଦିଘୋଷ ବ୍ୟୁରୋ : ରାସ୍ତା କଡରେ ହୁତୁହୁତୁ ହୋଇ ଜଳିଗଲା ବସ। ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲେ ୪୫ ଯାତ୍ରୀ। ବିଳମ୍ବିତ ରାତିରେ ଅନୁଗୁଳ ଜିଲ୍ଲା ପାଲଲହଡା ଖେମଳା ଗ୍ରାମ ନିକଟରେ ଜଳିଗଲା ବସ। ‘ଶ୍ରୀ ମାଆ’ ନାମକ ଏକ ଯାତ୍ରୀବାହୀ ବସଟି ରାଉରକେଲା ରୁ ପାରାଦ୍ୱୀପ ଯାଉଥିବା ବେଳେ ଅଚାନକ ନିଆଁ ଲାଗିଯାଇଥିଲା। ବସ ଚାଳକଙ୍କ ଉପସ୍ଥିତ ବୁଦ୍ଧି ପାଇଁ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି। ବସର ସାମ୍ନା ପଟୁ ନିଆଁ ଲାଗିବା କ୍ଷଣି ବସ ଚାଳକ ଗାଡିକୁ ରାସ୍ତା କଡ଼ରେ ଅଟକାଇ ସମସ୍ତ ଯାତ୍ରୀଙ୍କୁ ବସ ମଧ୍ୟରୁ ବାହାରକୁ ବାହାର କରିଦେଇଥିଲେ ଯାହାଫଳରେ ଏକ ବଡ ଦୃଘଟଣାକୁ ଏଡାଇ ଦିଆଯାଇପାରିଛି I ବସଟି ସମ୍ପୂର୍ଣ ଜଳିଯାଇଥିବାବେଳେ, ପାଲଲହଡା ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ I ଖମାର ପୋଲିସ ଘଟଣIସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି I ନିଆଁ ଲାଗିବାର ପ୍ରକୃତ କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି।
ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା ; ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯିବ ସ୍ନାନଯାତ୍ରା ନୀତି
ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲି ସ୍ନାନ ପୂର୍ଣ୍ଣିମା। ଆଜି ଶ୍ରୀଜିଉଙ୍କ ସେନାପଟା ଓ ବାହୁଟ କଣ୍ଟ ଗୁପ୍ତ ଲାଗି ହେବ। ନିର୍ଦ୍ଧାରିତ ସମୟରେ ସମ୍ପାଦନ କରାଯିବ ସ୍ନାନଯାତ୍ରାର ସମସ୍ତ ନୀତି । ସ୍ନାନଯାତ୍ରା ଦିନର କାର୍ଯ୍ୟସୂଚୀ ଧାର୍ଯ୍ୟ ହୋଇଥିବା ବେଳେ, ପହଣ୍ଡି ପ୍ରାତଃ ୫ଟାରୁ ୭ଟା ମଧ୍ୟରେ ଆରମ୍ଭ ହେବ । ରାଜନୀତି ଓ ଛେରାପହଁରା ଗଜପତି ମହାରାଜାଙ୍କ ଦ୍ୱାରା ଅପରାହ୍ନ ୩ଟାରୁ ୩ଟା ୩୦ ମଧ୍ୟରେ ଅନୁଷ୍ଠିତ ହେବ। ହାତୀ ବେଶ ଅପରାହ୍ନ ୪ଟାରୁ ୫ଟା ମଧ୍ୟରେ କରାଯିବ । ଏହା ପରେ ସାହାଣ ମେଲା ଦର୍ଶନ ସନ୍ଧ୍ୟା ୭ଟାରୁ ରାତି ୯ଟା ୩୦ ପର୍ଯ୍ୟନ୍ତ କରାଯିବାକୁ ଧାର୍ଯ୍ୟ କରାଯାଇଛି। ସେହିପରି ହାତୀ ବେଶ ମଇଲମ ପରେ ଠାକୁରମାନେ ବାହୁଡା ପହଣ୍ଡିରେ ଶ୍ରୀମନ୍ଦିରକୁ ବିଜେ କରିବେ । ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ନାନ ମଣ୍ଡପ ସମ୍ମୁଖରେ ସ୍ୱତନ୍ତ୍ର ରାମ୍ପ ନିର୍ମାଣ କରାଯାଇଛି। ଭକ୍ତମାନେ କେବଳ ସିଂହଦ୍ୱାର ଦେଇ ପ୍ରବେଶ କରି ସ୍ନାନ ମଣ୍ଡପରେ ଦର୍ଶନ ସାରି ଅନ୍ୟ ତିନି ଦ୍ୱାର ଦେଇ ପ୍ରସ୍ଥାନ କରିବେ । ଟିକେଟ ଧାରୀ ଶ୍ରଦ୍ଧାଳୁମାନେ କେବଳ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପ୍ରଶାସନ ପକ୍ଷରୁ ସମସ୍ତ ଭକ୍ତଙ୍କୁ ଶୃଙ୍ଖଳା ରକ୍ଷା କରି ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ସେହିପରି ସ୍ନାନଯାତ୍ରା ପାଇଁ ଟ୍ରାଫିକ୍ କଟକଣା ଜାରି ହୋଇଛି।
ମହିଳା T20 ବିଶ୍ୱ କପରେ ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର
ନନ୍ଦିଘୋଷ ବ୍ୟୁରୋ : ମହିଳା T20 ବିଶ୍ୱ କପରେ ଆଜି ଭାରତ-ଅଷ୍ଟ୍ରେଲିଆ ଟକ୍କର । ଲଣ୍ଡନର ଲର୍ଡ୍ସ କ୍ରିକେଟ ଷ୍ଟାଡିୟମରେ ଭାରତୀୟ ସମୟ ସଂଧ୍ୟା ୭ ଟାରେ ଖେଳାଯିବ ମ୍ୟାଚ୍ । ସେମିଫାଇନାଲ୍ ପ୍ରବେଶ ପାଇଁ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡ଼ିବ ଭାରତ । ଅଷ୍ଟ୍ରେଲିଆ ୮ ପଏଣ୍ଟ ସହିତ ଗ୍ରୁପ୍ର ଶିର୍ଷରେ ରହିଛି । ଭାରତ ଏବଂ ଦକ୍ଷିଣ ଆଫ୍ରିକା ପ୍ରତ୍ୟେକେ ୬ ପଏଣ୍ଟ ପାଇଛନ୍ତି । କିନ୍ତୁ ଭାରତର ରନରେଟ୍ ରେ ଦକ୍ଷିଣ ଆଫ୍ରିକା ଠାରୁ ଆଗରେ ରହିଛି । ଯଦି ଭାରତ ଅଷ୍ଟ୍ରେଲିଆକୁ ହରାଏ ତେବେ ସିଧାସଳଖ ସେମିଫାଇନାଲ୍ କୁ ପ୍ରବେଶ କରିପାରିବ । ଯଦି ହାରେ ତେବେ ହରମନପ୍ରୀତ କୌରଙ୍କ ଦଳକୁ ନିଜର ଅଭିଯାନକୁ ବଞ୍ଚାଇ ରଖିବା ପାଇଁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ଏକ ବଡ଼ ବିପର୍ଯ୍ୟୟ ଉପରେ ନିର୍ଭର କରିବାକୁ ପଡିବ । ଟିମ୍ ଇଣ୍ଡିଆ ପାଇଁ ଚିନ୍ତାର କାରଣ ମିଡିଲ ଅର୍ଡର ବ୍ୟାଟିଂ ଏବଂ ଦୁର୍ବଳ ଫିଲ୍ଡିଙ୍ଗ । ଓପନର ଶେଫାଳୀ ବର୍ମା ଭଲ ଫର୍ମରେ ଅଛନ୍ତି । ତାଙ୍କଠାରୁ ଏକ ଧୂଆଁଧାର ପାଳି ଆଶା ରଖିଛି ଦଳ । ସେପଟେ ଭାରତୀୟ ସ୍ପିନର ଟପ୍ ଫର୍ମରେ ଅଛନ୍ତି । ଶ୍ରୀ ଚରଣି, ରାଧା ଯାଦବ, ଦୀପ୍ତି ଶର୍ମାଙ୍କ ଉପରେ ଭାରତର ବୋଲିଙ୍ଗ ଲାଇନ ପୁରା ନିର୍ଭରଶୀଳ । ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ହେଲେ ଭଲ କ୍ରିକେଟ ଖେଳିବାକୁ ପଡ଼ିବ ।
ଥମୁନି ନିଟ୍ ପ୍ରଶ୍ନପତ୍ର ଲିକ୍ ତାତି ; ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଅନଶନରେ ବସିବେ ସୋନମ ଓ୍ବାଙ୍ଗଚୁକ୍
ନନ୍ଦିଘୋଷ ବ୍ୟୁରୋ : ଥମୁନି ନିଟ୍ ପ୍ରଶ୍ନପତ୍ର ଲିକ୍ ତାତି l କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଆଜିଠାରୁ ଦିଲ୍ଲୀରେ ଅନିର୍ଦ୍ଦିଷ୍ଟ କାଳ ଅନଶନରେ ବସିବେ ବିଶିଷ୍ଟ ଜଳବାୟୁ କର୍ମୀ ସୋନମ ଓ୍ବାଙ୍ଗଚୁକ୍ l ପୂର୍ବରୁ ଏକ ଭିଡିଓ ବାର୍ତ୍ତାରେ ସୋନମ କହିଥିଲେ ଯଦି ଜୁନ 27 ସୁଦ୍ଧା ସରକାର ଦାବି ନମାନନ୍ତି ତେବେ 28ରୁ ସେ ଅନଶନରେ ବସିବେ l ପୂର୍ବରୁ ଏହି ପ୍ରସଙ୍ଗରେ ଦିଲ୍ଲୀରେ ଦୁଇ ଥର ଆନ୍ଦୋଳନ କରିଥିଲା କକରୋଚ ଜନତା ପାର୍ଟି l ଜେନେଭା ଗସ୍ତରୁ ଫେରିବା ପରେ ଏହି ନିଷ୍ପତ୍ତି ଶୁଣାଇଛନ୍ତି ସୋନମ l ସେ କହିଛନ୍ତି ଶିକ୍ଷା ଓ ଜଳବାୟୁ ଲାଗି ସେ ସଂଗ୍ରାମ ଜାରି ରଖିବେ l ବିଶେଷ କରି ଲଦାଖକୁ ରାଜ୍ୟମାନ୍ୟତା, ଏହାର ପରିବେଶ, ସଂସ୍କୃତିର ସୁରକ୍ଷା ଲାଗି ଆନ୍ଦୋଳନ କରିଆସୁଛନ୍ତି ସୋନମ l କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଇସ୍ତଫା ସମେତ ଶିକ୍ଷା ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତ୍ତନ ଲାଗି ଦାବି କରୁଛନ୍ତି ସୋନମ l ନିଟ୍ ସଫଳତାର ସହ ଶେଷ ହୋଇଥିଲେ ବି ନିଜ ଜିଦରେ ଅଟଳ ରହିନ୍ତି ସୋନମ ଓ ସିଜେପି l
ଦୁଇ ବର୍ଷର ବ୍ୟବଧାନ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି
ନନ୍ଦିଘୋଷ ବ୍ୟୁରୋ : ଦୁଇ ବର୍ଷର ବ୍ୟବଧାନ ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ସୁସମ୍ପର୍କ। ଆଜିଠାରୁ ବାଂଲାଦେଶୀଙ୍କ ଲାଗି ଟୁରିଷ୍ଟ ଭିସା ବ୍ୟବସ୍ଥା କରିବ ଭାରତ। ୫ଟି ଭିସା କେନ୍ଦ୍ର ଜରିଆରେ ପ୍ରଦାନ କରାଯିବ ଭିସା। ୨୦୨୪ରେ ବାଂଲାଦେଶରେ ଭାରତୀୟ କୂଟନିତିଜ୍ଞଙ୍କ ଉପରେ ଆକ୍ରମଣ ପରଠାରୁ ଭିସା ସେବା ବନ୍ଦ କରିଥିଲା ଭାରତ। ଭାରତର ଏହି ନିଷ୍ପତ୍ତି ଯୋଗୁ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହେବ। ଭିସା ସମ୍ପର୍କରେ ଭାରତର ନିଷ୍ପତ୍ତି ନେଇ ଘୋଷଣା କରିଥିଲେ ବାଂଲାଦେଶସ୍ଥିତ ଭାରତୀୟ ଉଚ୍ଚାୟୁକ୍ତ ଦିନେଶ ତ୍ରିବେଦୀ। ଏହା ସହ ମାନବିକତା ଦୃଷ୍ଟିକୋଣରୁ ବାଂଲାଦେଶୀଙ୍କ ଲାଗି ମେଡିକାଲ ଭିସା ଓ ଅନ୍ୟାନ୍ୟ ଜରୁରୀ ଭିସା ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଢାକା, ରାଜସାହି, ଚିଟ୍ଟାଗଙ୍ଗ, ସିଥେଟ ଓ ଖୁଲନାରେ ଏହି ଭିସା କେନ୍ଦ୍ର ଖୋଲିବ। ପରବର୍ତ୍ତୀ ସମୟରେ ଏହି ଭିସା କେନ୍ଦ୍ର ଅଧିକ ସ୍ଥାନରେ ଖୋଲିବ। ଗତ ୨୦୨୪ ଅଗଷ୍ଟ ୫ରେ ଢାକାସ୍ଥିତ ଇନ୍ଦିରା ଗାନ୍ଧି କଲଚରାଲ ସେଣ୍ଟର ଉପରେ ଆକ୍ରମଣ ହେବା ସହ ତାହାକୁ ଜାଳି ଦିଆଯାଇଥିଲା। ଏହା ସହ ବାଂଲାଦେଶରେ ମୋଟ ୫ଟି କେନ୍ଦ୍ର ଉପରେ ଆକ୍ରମଣ ହେବା ପରେ ଭିସା ସେବା ବନ୍ଦ ହୋଇଥିଲା

