ନନ୍ଦିଘୋଷ ବ୍ୟୁରୋ : କେନ୍ଦୁଝରରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା ଘଟଣା । ଏହି ହତ୍ୟା ଘଟଣାରେ ୩ ଜଣ ସାମିଲ ଥିବା ବେଳେ ସୋମାନଙ୍କ ମଧ୍ୟରେ ଜଣେ ନାବାଳକ ରହିଛନ୍ତି । ତେଣୁ ମୁଖ୍ୟ ଅଭିଯୁକ୍ତ ଲକ୍ଷ୍ମଣ ଓ ତା ବଡ ଭାଇ ବୈଦ୍ୟନାଥକୁ ନେଇ ପୋଲିସ ସିନ ରିକ୍ରିଏସନ କରିଛି । ଉଭୟ ଅଭିଯୁକ୍ତ ଆଜି ହତ୍ୟା ଘଟଣାର କଳା କାହାଣୀ ବର୍ଣ୍ଣନା କରିଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଖାଳିଆମେଣ୍ଟା ପଂଚାୟତ ନିଆଳିଝରଣ ଗାଁରେ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା । ଏହି ଗାଁର ବୈଦ୍ୟନାଥଙ୍କ ଝିଅ ରୁପାର ଅନେକ ସମୟରେ ଦେହ ଅସୁସ୍ଥ ରହୁଥିଲା । ବଡ଼ ଭାଇ ଜିତେନ୍ଦ୍ରଙ୍କ ପରିବାର କିଛି ଗୁଣି ଗାରେଡି କରୁଥିବା ସନ୍ଦେହ କରୁଥିଲେ ସାନ ଭାଇ ଲକ୍ଷ୍ମଣ ସୋରେନ ଓ ବୈଦ୍ୟନାଥ ସୋରେନ । ତେଣୁ ଲକ୍ଷ୍ମଣ ସୋରେନ ତାଙ୍କ ଭାଇ ବୈଦ୍ୟନାଥ ସୋରେନ ଓ ପୁତୁରା ସୁଦାମ ଅଚାନକ ବଡଭାଇ ଜିତେନ୍ଦ୍ର ସୋରେନଙ୍କ ଘରେ ପହଁଞ୍ଚି ପ୍ରଥମେ ବଚସା କରିଥିଲେ । ପରେ ଉତକ୍ଷିପ୍ତ ହୋଇ ଜିତେନ୍ଦ୍ରଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ଲକ୍ଷ୍ମଣ ପାଖରେ ପଡ଼ିଥିବା ଏକ ଟାଙ୍ଗିଆରେ ପ୍ରଥମେ ଜିତେନ୍ଦ୍ରଙ୍କ ସ୍ତ୍ରୀ ମାଳତୀକୁ ହାଣିଥିଲା । ସେଠାରୁ ଜିତେନ୍ଦ୍ର ଦୌଡ଼ି ପଳାଉଥିବା ବେଳେ ଦୌଡ଼ି ଯାଇ ତାଙ୍କୁ ମଧ୍ୟ ହାଣି ଦେଇଥିଲା । ସେଠାରୁ ଫେରିବା ପରେ ଜିତେନ୍ଦ୍ରର ନାବାଳିକା ଝିଅକୁ ହାଣି ଦେଇଥିଲା । ପୋଲିସ ଆଗରେ ଲକ୍ଷ୍ମଣ ସବୁ ସତ ମାନିଯିବା ପରେ ବୈଦନାଥ କିଭଳି ଠେଙ୍ଗାରେ ସେମାନଙ୍କ ମୁଣ୍ଡକୁ ବାଡେଇଥିଲା ସେକଥା ମଧ୍ୟ କହିଛି । ତାପରେ ଲକ୍ଷ୍ମଣ ରାସ୍ତାରେ ଫିଙ୍ଗି ଦେଇଥିବା ଟାଙ୍ଗିଆକୁ ନେଇ ବୈଦ୍ୟନାଥ କିଛି ଦୂରରେ ଗୋଟିଏ ନାଳରେ ଫିଙ୍ଗି ଦେଇଥିଲା । ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ପୋଲିସ ଜବତ କରିଛି । ସିନ ରିକ୍ରିଏସନ ପରେ ଏବେ ସେମାନଙ୍କୁ କୋର୍ଟ ଫରୱାର୍ଡ଼ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ପୋଲିସ।
ଆଗାମୀ ବଜେଟ ଅଧିବେଶନରେ ସଂସଦରେ ରାଜ୍ୟସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବ ବିଜେଡି
ନନ୍ଦିଘୋଷ ବ୍ୟୁରୋ : ଆଗାମୀ ବଜେଟ ଅଧିବେଶନରେ ସଂସଦରେ ରାଜ୍ୟସ୍ବାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉଠାଇବ । ଏଥିରେ ଚାଷୀ ସମସ୍ୟା ଓ ଆଇନଶୃଙ୍ଖଳା ମୁଖ୍ୟ ପ୍ରସଙ୍ଗ ରହିବ ବୋଲି କହିଛନ୍ତି ବିଜେଡି ସାଂସଦ ଡ. ସସ୍ମିତ ପାତ୍ର । ଓଡ଼ିଶାର ଚାଷୀ ଏବେ ଚିନ୍ତାରେ ଅଛି । ମଣ୍ଡି ବନ୍ଦ ପଡିଛି । ଧାନ କିଣା ହୋଇପାରୁନି । କଟନୀ ଛଟନୀ ଯୋଗୁଁ ଚାଷୀ କ୍ବିଣ୍ଟାଲ ପିଛା ୮ରୁ ୧୦ କେଜି କ୍ଷତି ସହୁଛି । ଚାଷୀ ତାର ଉଚିତ ମୂଲ୍ୟ ପାଉନି । ସାର କୃଷକଙ୍କ ପାଖରେ ପହଞ୍ଚିପାରୁନି । ୩ହଜାର ଟଙ୍କା ଏମଏସପି ଦିଆଯାଉଛି ବୋଲି କୁହାଯାଉଛି ହେଲେ ତାହା ଚାଷୀ ପାଉନି ବୋଲି ଭିଯୋଗ କରିଛନ୍ତି ସସ୍ମିତ । ସେହିପରି ଅନ୍ୟ ଏକ ପ୍ରମୁଖ ପ୍ରସଙ୍ଗ ହେଲା ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି । ନାରୀ ନିର୍ଯାତନା ବୃଦ୍ଧି ପାଇଛି । ଶିଶୁ ଏଠି ଅସୁରକ୍ଷିତ । ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ହେଉଛି । କହିବାକୁ ଗଲେ ରାଜ୍ୟ ସରକାର ଆଇନଶୃଙ୍ଖଳା ପରିସ୍ଥିତି ସଂପୂର୍ଣ୍ଣ ଫେଲ ମାରିଛି । ମହାନଦୀ, ପୋଲାଭରମ ପ୍ରସଙ୍ଗର ସମାଧାନ ବାହାରିପାରୁନି । କୋଇଲା ରୟଲିଟି ନେଇ ୧୦ ବର୍ଷ ହେଲା ରିଭିଜନ ହୋଇନି, ସ୍ବତନ୍ତ୍ର ରାଜ୍ଯ ମାନ୍ୟତା ଦାବି କେନ୍ଦ୍ର ପାଖରେ ପଡିରହିଛି । ଜାତୀୟ ରାଜପଥ, ରେଳବାଇ, ଡିଜିଟାଲ ଓ ମୋବାଇଲ ସଂଯୋଗୀକରଣରେ ଓଡ଼ିଶା ପଛୁଆ ଅଛି । ବେକାରୀ ସମସ୍ୟା ଉତ୍କଟ ହେଲାଣି । ଏସବୁ ପ୍ରସଙ୍ଗ ଉପରେ ବିଜେଡି ସଂସଦରେ ଉତ୍ଥାପନ କରିବ । ମନରେଗା ନୂଆ ଆଇନରେ ସମସ୍ତଙ୍କୁ କାମ ମିଳିବନି ବୋଲି ବିଜେଡି ସନ୍ଦେହ କରିଛି । କ୍ୟାପିଂ ସିଷ୍ଟମ ଯୋଗୁଁ ଏହା ବାସ୍ତବ କ୍ଷେତ୍ରରେ ଲାଗୁ କରିବାରେ କଠିନ ହେବ । ଖର୍ଚ୍ଚ ଭାର ମଧ୍ୟ ରାଜ୍ୟ ଉପରେ ଲଦି ଦିଆଯାଇଛି । ଏହା ଉପରେ ଅଧିକ ବିଚାରବିମର୍ଶ କରିବାର ଅଛି । ତେଣୁ ଆଗାମୀ ଦିନରେ ବିଜେଡି ଏହା ଉପରେ ଅଧିକ କାମ କରିବ ବୋଲି କହିଛନ୍ତି ସସ୍ମିତ ।
ଟି-୨୦ ବିଶ୍ବକପ୍: ବାହାର ହେବ ପାକିସ୍ତାନ, ବାଂଲାଦେଶକୁ ମିଳିବ ସୁଯୋଗ
ଟି-୨୦ ବିଶ୍ବକପ୍: ବାହାର ହେବ ପାକିସ୍ତାନ, ବାଂଲାଦେଶକୁ ମିଳିବ ସୁଯୋଗ
ନନ୍ଦିଘୋଷ ବ୍ୟୁରୋ: ୨୦୨୬ ଟି-୨୦ ବିଶ୍ବକପକୁ ନେଇ ଘଡି କେ ଘୋଡ଼ା ଛୁଟୁଛି । ଘଣ୍ଟା କେଇଟା ବିତୁନି ଆସୁଛି ନୂଆ ନୂଆ ଅପଡେଟ୍ । ବାଂଲାଦେଶ ବିଶ୍ବକପରୁ ବାହାର ହେବା ଓ ପାକିସ୍ତାନର ନଖରାମୀ ଖବରର ସିରୋନାମା ପାଲଟିଥିବା ବେଳେ ଆସିଛି ଏକ ବଡ଼ ଖବର । ଯଦି ଖବର ସତ ହୁଏ, ତେବେ ବାଂଲାଦେଶ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବରର୍ବାଦ ହେବାରୁ ଅଳ୍ପକେ ବଞ୍ଚିଯିବ । ଆଉ ତା’ଠାରୁ ବଡ଼ ଖବର ହେଲା ବାଂଲାଦେଶକୁ ଉସକାଇ ବିଶ୍ବକପକୁ ବିବାଦ ମଧ୍ୟକୁ ଟାଣି ନେଇଥିବା ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯିବ । ଆଉ ଏଥର ଆଇସିସି ପିସିବିକୁ ଏମିତି ଚୋଟ ଦେବ, ଯାହା ପାକିସ୍ତାନକୁ ଦୁଃସ୍ବପ୍ନ ହୋଇ ପିଛା କରିବ ।
ମିଳିଥିବା ସୂଚନା ଅନୁସାରେ ବାଂଲାଦେଶ ବିବାଦକୁ ନେଇ ପାକିସ୍ତାନ ଶୁକ୍ରବାର ବଡ଼ ପଦକ୍ଷେପ ନେଇପାରେ । ପିସିବି ମୁଖ୍ୟ ମୋହସିନ ନକଓ୍ବି ପ୍ରଧାନମନ୍ତ୍ରୀ ଶେହେବାଜ ଶରିଫଙ୍କ ସହ ଏହାକୁ ନେଇ ଆଲୋଚନା କରିଛନ୍ତି । ଆଉ ଏଥିରେ ଭାରତ ବିପକ୍ଷରେ ମ୍ୟାଚ୍ ପାକିସ୍ତାନ ବୟକଟ କରିବାକୁ ଘୋଷଣା କରିପାରେ । ଯାହା ଶୁକ୍ରବାର ସ୍ପଷ୍ଟ ହୋଇଯିବ । ହେଲେ ଏବେ ଏମିତି ଶୁଣିବାକୁ ମିଳୁଛି ଯଦି ପାକିସ୍ତାନ ଟିମ୍ ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରେ ତେବେ ଆଇସିସି ବଡ଼ ପଦକ୍ଷେପ ନେବାକୁ ଯୋଜନା କରୁଛି । ଟି-୨୦ ବିଶ୍ବକପରୁ ପାକିସ୍ତାନକୁ ବାହାର କରିବା ସହ ଆଇସିସି ପୁଣି ଥରେ ବାଂଲାଦେଶକୁ ସୁଯୋଗ ଦେବାକୁ ଯୋଜନା କରିଛି ।
ପାକିସ୍ତାନ ସ୍ଥାନରେ ଖେଳିବ ବାଂଲାଦେଶ
ମିଡିଆ ରିପୋର୍ଟ ଅନୁସାରେ, ପାକିସ୍ତାନର କୁଚକ୍ରି ନୀତିକୁ କାଟ ଦେବାକୁ ଆଇସିସି ପାକିସ୍ତାନକୁ ହଟାଇ ତା’ ସ୍ଥାନରେ ଗ୍ରୁପ-ଏ ରେ ବାଂଲାଦେଶକୁ ସ୍ଥାନ ଦେଇପାରେ । ରିପୋର୍ଟ ଅନୁସାରେ, ଯଦି ପାକିସ୍ତାନ ମ୍ୟାଚ୍ ବୟକଟ କଲା ତେବେ ଗ୍ରୁପ-ଏ ରେ ତା’ ସ୍ଥାନରେ ବାଂଲାଦେଶକୁ ସୁଯୋଗ ଦିଆଯିବ । ଏହାସହ ବାଂଲାଦେଶର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ ।
ଭାରତ ସହ ମ୍ୟାଚ୍ ବୟକଟ କଲେ ପାକିସ୍ତାନର କ’ଣ ହେବ ?
ରିପୋର୍ଟ ଅନୁସାରେ, ପାକିସ୍ତାନ ପୂରା ଟୁର୍ଣ୍ଣାମେଣ୍ଟ ନୁହେଁ, ୧୫ ଫେବ୍ରୁଆରୀକୁ ଖେଳାଯିବାକୁ ଥିବା ଭାରତ ବିପକ୍ଷ ମ୍ୟାଚ୍ ବୟକଟ କରିବାକୁ ଯୋଜନା କରୁଛି । ହେଲେ ଏମିତି ହେବା ସହଜ ନୁହେଁ । କାରଣ, ପାକିସ୍ତାନକୁ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ । ପାକିସ୍ତାନ ଟିମ ଉପରେ ଏକାଧିକ ପ୍ରତିବନ୍ଧକ ଲାଗିପାରେ । ଆଇସିସି ସହ ପାକିସ୍ତାନ କରିଥିବା ବୁଝାମଣାକୁ ଉଲ୍ଲଂଘନ ବୋଲି ବିବେଚନା କରାଯିବ । ଏପରି କି ଆଇସିସି ପାକିସ୍ତାନକୁ ବିଶ୍ବକପ୍ ଓ ଏସିଆ କପ ପରି ଟୁର୍ଣ୍ଣାମେଶ୍ଟରୁ ବାହାରର ରାସ୍ତା ଦେଖାଇ ପାରେ ।
ଚତୁର୍ଥୀ ରାତିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା
ଚତୁର୍ଥୀ ରାତିରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା
ନନ୍ଦିଘୋଷ ବ୍ୟୁରୋ: ଚତୁର୍ଥୀ ରାତିରେ ମହିଳାଙ୍କ କାଟିଲା ପେଟ । ଯନ୍ତ୍ରଣାରେ ସ୍ତ୍ରୀ ଛଟପଟ ହେଉଥିବା ଦେଖି ଡରିଗଲେ ସ୍ବାମୀ । ଘରକୁ ମହିଳା ଡକ୍ତରଙ୍କ ଡକାଯାଇଥିଲା । କିଛି ସମୟ ପରେ ମହିଳା ଜଣଙ୍କ ଏକ ଶିଶୁଙ୍କୁ ଜନ୍ମ ଦେଇଥିଲେ । ଖବର ଶୁଣି ଆପଣ ବି ଚକିତ ହୋଇଯାଇଥିବେ । ଏବେ ଜାଣନ୍ତୁ ପୂରା ଘଟଣା କ’ଣ ଥିଲା । ଉତ୍ତର ପ୍ରଦେଶର ରାମପୁରରେ ଘଟଣା ଘଟିଛି । ଅଜିମନଗର ଥାନା ଅନ୍ତର୍ଗତ ଏକ ଗାଁରେ ଜଣେ ଯୁବକଙ୍କୁ ଜଣେ ଯୁବତୀଙ୍କୁ ପ୍ରେମ ହୋଇଯାଇଥିଲା । ଏହାପରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ହୋଇଥିଲା । ପରେ ଦୁଇ ପରିବାର ଉଭୟଙ୍କ ବିବାହ କରାଇବାକୁ ରାଜି ହୋଇଯାଇଥିଲେ ।
ସତ ଜାଣି ସମସ୍ତେ ଆଶ୍ଚର୍ଯ୍ୟ
ଯୁବତୀଙ୍କ ବିବାହ ସ୍ଥିର ହୋଇଥିଲେ ବି ଦୁଇ ପରିବାର ସେ ଗର୍ଭବତୀ ଥିବା ଜାଣି ନଥିଲେ । ବିବାହ ପରେ ଚତୁର୍ଥି ରାତିରେ ମହିଳାଙ୍କ ପେଟ ଜୋରେ ଜୋରେ କାଟିଥିଲା । ଏନେଇ ସେ ତାଙ୍କ ସ୍ବାମୀଙ୍କୁ କହିଥିଲେ । ସ୍ବାମୀ ରୁମରୁ ବାହାରକୁ ଯାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ଏହାପରେ ଜଣେ ମହିଳା ଡାକ୍ତର ଘରକୁ ଆସି ଚେକଅପ କରିବା ପରେ ମହିଳା ଗର୍ଭବତୀ ଥିବା କହିଥିଲେ । ଏହାସହ ପିଲା ହେବା ସମୟ ହୋଇଯାଇଛି ତୁରନ୍ତ ପ୍ରସବ କରିବାକୁ ପଡ଼ିବ ପୋଲି ଡାକ୍ତର କହିଥିଲେ । ପ୍ରଥମେ ଘର ଲୋକ ଭାବିଥିଲେ ବିବାହ ଉତ୍ସବକୁ ନେଇ ଯୁବତୀ ଥକ୍କା ହୋଇଯାଇଥିବା ଭାବୁଥିଲେ । ହେଲେ ଡାକ୍ତରଙ୍କ ପାଖରୁ ସତ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ପିଲା ଜନ୍ମ ପରେ ସ୍ବାମୀ ଖୁସିରେ ନାଚିଲେ
ମହିଳା ଜଣଙ୍କ ଏକ ଝିଅକୁ ଜନ୍ମ ଦେଇଥିଲେ । ଝିଅକୁ ଦେଖି ମହିଳାଙ୍କ ସ୍ବାମୀ ଖୁସିରେ ନାଚିବାକୁ ଲାଗିଥିଲେ । ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସ୍ଥାନୀୟ ପୋଲିସ ଅଧିକାରୀ କହିଛନ୍ତି । ଘଟଣାକୁ ନେଇ ପୂରା ଅଞ୍ଚଳରେ ଚର୍ଚ୍ଚା ଲାଗି ରହିଛି । ଘଟଣା ଉପରେ ନଜର ରଖାଯାଇଥିବା ପୋଲିସ କହିଛି ।

