ନନ୍ଦିଘୋଷ ବ୍ୟୁରୋ: ପୁରୀରୁ ରଣପୁର ସବୁ ମଠ ମନ୍ଦିର ଓ ଧାର୍ମୀୟ ଅନୁଷ୍ଠାନର ରୂପାନ୍ତରଣ ହୋଇଛି । ରଣପୁର ଜଗନ୍ନାଥ ମନ୍ଦିରର ରୂପାନ୍ତରଣ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିଥିବା ବେଳେ ମଣିନାଗ ମନ୍ଦିର ପାଇଁ ୪ କୋଟି ଓ ତଳ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ୩ କୋଟି ଟଙ୍କା ପ୍ରଦାନ କରାଯାଇଛି । ରଣପୁରରେ ବିକାଶର ଧାରା ଜାରି ରଖିବାକୁ ବିଜେଡି ପ୍ରାର୍ଥୀଙ୍କୁ ବଡ ଭୋଟ ବ୍ୟବଧାନରେ ଜାତାଇବାକୁ ଅପିଲ କରିଛନ୍ତି 5T ଅଧ୍ୟକ୍ଷ ତଥା ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ । ଜୁନ ୯ରେ ମୁଖ୍ୟମନ୍ତ୍ରୀ ଷଷ୍ଠଥର ପାଇଁ ଶପଥ ନେବା ପରେ ବିଜୁଳ ବିଲ ଛାଡ ହେବା ସହ ବିଏସକେୱାଇ କାର୍ଡ ଓ ମିଶନଶକ୍ତି ମହିଳାଙ୍କୁ ପେନସନ ସମ୍ପର୍କିତ ଫାଇଲ ଦସ୍ତଖତ କରିବେ । ଏହି ପ୍ରଚାର ସଭାରେ ରଣପୁର ବିଜେଡି ବିଧାୟକ ପ୍ରାର୍ଥୀ ସତ୍ୟନାରାୟଣ ପ୍ରଧାନ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ ।
ଚାଲିଛି ରଥକାମ
ପୁରୀ: ପୁରୀ ଶ୍ରୀନଅର ସାମ୍ନା ରଥଖଳାରେ ଚାଲିଛି ରଥ ନିର୍ମାଣ କାମ । ନିହାଣ ଓ ମୁଗୁର ମାଡ଼ରେ ସୃଷ୍ଟି ହୋଇଛି ଭିନ୍ନ ପରିବେଶ । ୩ ରଥର ୪୨ଟି ତୁମ୍ବର ଗୋଲେଇ କାର୍ଯ୍ୟ ସରିବା ପରେ ଏବେ ବିନ୍ଧ କରାଯାଉଛି । ପ୍ରତି ତୁମ୍ବରେ ୧୬ ଯୋଡ଼ା ବିନ୍ଧ କରାଯିବ । କରତି ସେବକମାନେ ତୁମ୍ବ ଘେରର ବଳକା ଅଂଶ କାଟୁଛନ୍ତି l ଆସନ୍ତା ୨୨ ତାରିଖରେ ନୃସିଂହ ଚତୁର୍ଦଶୀ ଦିନ ରୂପକାର ସେବକ ମାନେ ରଥ ଖଳାରେ ଯୋଗଦାନ କରି କୋଣ ଗୁଜ ଅନୁକୂଳ କରିବେ l ପରମ୍ପରା ଅନୁଯାଇ ମହାପ୍ରଭୁଙ୍କ ରଥକାର୍ଯ୍ୟ ଅନୁକୂଳ କରାଯିବା ପରେ ରଥ ନିର୍ମାଣ କରାଯାଏ l ଶନିବାର ରଥ ନିର୍ମାଣରେ ୧୧୦ ରୁ ଉର୍ଦ୍ଧ୍ବ ସେବକ ନିୟୋଜିତ ହୋଇଛନ୍ତି । ଚକ ପ୍ରସ୍ତୁତିରେ ଲାଗିଛନ୍ତି ବିଶ୍ବକର୍ମା, ଭୋଇ ସେବକ, କରତି ସେବକ l ଗୁରୁବାର ତିନି ରଥର ମୁଖ୍ୟ ବିଶ୍ବକର୍ମା ବିନ୍ଧ ଅନୁକୂଳ କରିଥିଲେ । ଏବେ ସମସ୍ତ ବିଶ୍ବକର୍ମା ତୁମ୍ବ ଖୋଦେଇରେ ଲାଗିଛନ୍ତି । ତାଳଧ୍ବଜ ରଥର ୧୪ଟି ଚକ, ନନ୍ଦିଘୋଷ ରଥର ୧୬ଟି ଚକ ଚକ ଓ ଦର୍ପଦଳନ ରଥର ୧୨ଟି ଚକ । ମୋଟ୍ ୪୨ଟି ଚକର ୪୨ଟି ତୁମ୍ବ ରେ ବିନ୍ଧ କରାଯାଉଛି । ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ଧା ଗାଡ଼ ଖୋଳିବେ । ସେଠାରେ ସିଙ୍ଗଡ଼ା ବାଡ଼ିଆ କରି ତୁମ୍ବର ବିନ୍ଧରେ ଅର ଫିଟ୍ ହେବ । ପରେ ରଥଖଳାଲେ ବିଲେଇ ବାଡ଼ିଆ ପ୍ରକ୍ରିୟାରେ ସିଙ୍ଗଡ଼ାରେ ପହି ପିନ୍ଧାଇ ଚକ ପ୍ରସ୍ତୁତ କରାଯିବ ।
ରାଜ୍ୟରେ ସରିଲା ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଆଉ ଦିନକ ପରେ ବଲାଙ୍ଗୀରରେ ହେବ ଭୋଟିଂ । ଶନିବାର ପ୍ରଚାରର ଶେଷ ଦିନ ଥିବାରୁ ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ୨୦ ତାରିଖରେ ଗଣତନ୍ତ୍ରର ମହାନପର୍ବରେ ନେତା ବାଛିବେ ବଲାଙ୍ଗୀର ଜନତା I ଜିଲ୍ଲାର ୧୩ ଲକ୍ଷ ୨୯ ହଜାର, ୯୪୫ ଭୋଟର ମତାଧିକାର ସାବ୍ଯସ୍ତ କରିବେ I ଭୋଟ ପରିଚାଲନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଆସନ୍ତାକାଲି ବୁଥରେ ପହଞ୍ଚିବେ ପୋଲିଂ ପାର୍ଟି I
ଥମିଲା ପ୍ରଚାର । ଏବେ ଜନତାଙ୍କ ହାତରେ ନେତାଙ୍କ ଭାଗ୍ଯ । ଶେଷ ଦିନରେ ଲୋକଙ୍କ ମନ ଜିତିବାକୁ ଜୋରଦାର ପ୍ରୟାସ । ୨୦ ତାରିଖରେ ଗଣତନ୍ତ୍ରର ଏହି ମହାନ ପର୍ବରେ ନିଜ ନେତା ନିର୍ବାଚନ କରିବେ ଜନତା । ବଲାଙ୍ଗୀର ଲୋକସଭା ଓ ୫ ଟି ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ପଡିବ ଭୋଟ I ଜିଲ୍ଲାରେ ମୋଟ ୧୩ ଲକ୍ଷ ୨୯ ହଜାର, ୯୪୫ ଭୋଟର ମତାଧିକାର ସାବ୍ଯସ୍ତ କରିବେ । ତେବେ ଶେଷ ଦିନରେ ସମସ୍ତ ବଳ ଲଗାଇ ଦେଇଛନ୍ତି ପ୍ରାର୍ଥୀ । ଜନତାଙ୍କ ମନ ଜିତିବା ସହ ବିକାଶ ଓ ନିଜ ନିଜ ମୁଦ୍ଦାକୁ ନେଇ ଲୋକଙ୍କ ନିକଟରେ ପହଞ୍ଚି ମନ ଜିତିବାକୁ ପ୍ରୟାସ କରିଛନ୍ତି ।
ନିର୍ବାଚନକୁ ଅବାଧ ନିରପେକ୍ଷ ଓ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳଙ୍କ ନେତୃତ୍ବରେ ସମସ୍ତ ବ୍ଯବସ୍ଥା କରାଯାଇଛି । ଫ୍ଲାଇଙ୍ଗ ସ୍କ୍ବାଡ ସହ ବ୍ଯାପକ ପୋଲିସ ମୁତୟନ ହେବେ । ମାଓ ପ୍ରବଣ ଅଂଚଳ ଉପରେ ରହିଛି କଡ଼ା ନଜର । ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି I 48 ଘଣ୍ଟା ପର୍ଯ୍ୟନ୍ତ ମଦ ଦୋକାନ ଗୁଡିକୁ ସିଲ କରାଯିବ । ନିର୍ବାଚନ ପାଇଁ ସମସ୍ତ ବ୍ଯବସ୍ଥା କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସାଲୱାର I
କଟକ ବାରବାଟୀରେ ବିଜେଡି ଲହର
ନନ୍ଦିଘୋଷ ବ୍ୟୁରୋ: ସରଗରମ ହେଲାଣି କଟକ ନିର୍ବାଚନ ମାହୋଲ । ୨୫ରେ ନେତା ବାଛିବେ ଜନତା । ୨୨ରେ କଟକରେ ପ୍ରଚାର କରିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ବିଜେଡିରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସହରର ବିକାଶ ପାଇଁ ଲୋକେ ଏବେ ବିଜେଡି ମୁହାଁ ହୋଇଥିବାବେଳେ ମୁଖ୍ଯମନ୍ତ୍ରୀ ଆସିବା ପରେ ଦଳର ବିଜୟ ଏକପ୍ରକାର ନିଶ୍ଚିତ ହେବ ବୋଲି କହିଛନ୍ତି ବାରବାଟୀ କଟକ ବିଜେଡି ପ୍ରାର୍ଥୀ ପ୍ରକାଶ ବେହେରା । ଏହା ପୂର୍ବରୁ ଘରକୁ ଘର ବୁଲି ଦଳର ବିକାଶର ବାର୍ତ୍ତା ପହଞ୍ଚାଇ ଯୋଗାଡ କରୁଛନ୍ତି ସମର୍ଥନ । ବିଜେପି ଓ କଂଗ୍ରେସ ମଧ୍ଯ ନିଜ ନିଜ ଢଙ୍ଗରେ ଜାରି ରଖିଛନ୍ତି ପ୍ରଚାର ।
କଟକ ବିଜେଡିରେ ଉତ୍ସାହ । ୨୨ରେ ସହରରେ ପ୍ରଚାର କରିବେ ଦଳର ସୁପ୍ରିମୋ ତଥା ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ବିକାଶ ପାଇଁ ସହରବାସୀ ଏବେ ବିଜେଡି ମୁହାଁ ହୋଇଥିବାବେଳେ ମୁଖ୍ଯମନ୍ତ୍ରୀ ଆସିବା ପରେ ଦଳର ବିଜୟ ଏକପ୍ରକାର ନିଶ୍ଚିତ ହେବ ବୋଲି ଦମ୍ଭୋକ୍ତି ଦେଖାଇଛନ୍ତି ନେତା । ଆସନ୍ତା ୨୫ ତାରିଖରେ ଏଠାରେ ନେତା ବାଛିବେ ଜନତା । ଏହା ପୂର୍ବରୁ ଦଳର ବିଧାୟକ ପ୍ରାର୍ଥୀ ପ୍ରକାଶ ବେହେରା ଘରକୁ ଘର ବୁଲି ନିଜ ପ୍ରଚାର ଅଭିଯାନକୁ ଜୋରଦାର କରିବା ସହ ବିକାଶର ବାର୍ତ୍ତାକୁ ଲୋକଙ୍କ ନିକଟରେ ପହଞ୍ଚାଇଛନ୍ତି ।
ସେପଟେ କଂଗ୍ରେସ ଓ ବିଜେପି ପକ୍ଷରୁ ମଧ୍ଯ ନିଜ ନିଜ ଢଙ୍ଗରେ ନିଜ ପ୍ରଚାର ଅଭିଯାନ ଚଳାଇଛନ୍ତି । ଏଠି ବିଜେଡି ସହ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିରଦୌସ ଏବଂ ବିଜେପି ପ୍ରାର୍ଥୀ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ମଧ୍ଯରେ ହେଉଛି ତ୍ରିମୁଖି ଲଢେଇ । ତେବେ ନିକଟରେ କାର୍ତ୍ତିକ ପାଣ୍ଡିଆନଙ୍କ ରୋଡ ଶୋ ଲୋକଙ୍କୁ ବିଜେଡି ପ୍ରତି ଆକର୍ଷିତ କରିଛି । ହଜାର ହଜାର ଲୋକ କାର୍ତ୍ତିକ ପାଣ୍ଡିଆନ ଓ ପ୍ରାର୍ଥୀମାନଙ୍କୁ ସମ୍ବର୍ଦ୍ଧନା ଜଣାଇଛନ୍ତି । ଆଉ ୨୨ ତାରିଖରେ ତଳ ବାଲିଯାତ୍ରା ପଡିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରାଟ ସଭାରେ ଉଦବୋଧନ ଦେବେ ।
କଟକ ଲୋକସଭା ଅଧିନରେ ଥିବା ୭ଟି ବିଧାନସଭା । ପ୍ରାର୍ଥୀଙ୍କ ନିକଟରେ ପ୍ରଚାର ପାଇଁ ଆଉ ମାତ୍ର ୫ ଦିନ ସମୟ ରହିଛି । ଏହା ଭିତରେ ଭୋଟରଙ୍କୁ ନିଜ ସପକ୍ଷରେ ଆଣିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି ସମସ୍ତ ପ୍ରାର୍ଥୀ ।
ସୋରଡ଼ାରେ କିଏ ମାରିବ ବାଜି?
ନନ୍ଦିଘୋଷ ବ୍ୟୁରୋ: ପ୍ରଚାରରେ କମ୍ପୁଛି ମଇଦାନ । ଗଞ୍ଜାମ ଜିଲ୍ଲା ସୋରଡା ନିର୍ବାଚନ ମଣ୍ଡଳୀ ଦେଖିବ ବିଗ୍ ଫାଇଟ୍ । ଏକଦା ଏହି ନିର୍ବାଚନମଣ୍ଡଳିଟି କଂଗ୍ରେସ ଏବଂ ବିଜେପି ହାତରେ ରହିଥିବା ବେଳେ ଗତ ୨୦୦୯ ମସିହାଠାରୁ ଏହା ଲଗାତର ଭାବେ ବଜେଡି କବଜାରେ ରହିଛି l ତେବେ ଚଳିତ ନିର୍ବାଚନରେ ହାତୀ କାହା ମୁଣ୍ଡରେ ସୁନା କଳସ ଢାଳିବ ତାହା ଦେଖିବାକୁ ବାକି ରହିଲା ।
ଗଞ୍ଜାମ ଜିଲ୍ଲାର ସୋରଡା ନିର୍ବାଚନମଣ୍ଡଳି ସୋରଡ଼ା ଓ ବେଲଗୁଣ୍ଠା । ୨ଟି ବ୍ଲକ ଓ ଦୁଇଟି ଏନଏସିକୁ ନେଇ ଗଠିତ l ମେ ୨୦ରେ ଏଠାରେ ପଡିବ ଭୋଟ । ୨ ଲକ୍ଷ ୩୫ ହଜାର ୩୪୧ ଜଣ ଭୋଟର ସେମାନଙ୍କ ମତଦାନ ଅଧିକାର ସାବ୍ଯସ୍ତ କରିବେ । ପୁରୁଷ ଭୋଟର ହେଲେ ୧ ଲକ୍ଷ ୨୩ ହଜାର ୧୨୬, ମହିଳା ୧ ଲକ୍ଷ ୧୨ ହଜାର ୧୯୮ ଥିବାବେଳେ ତୃତୀୟ ଲିଙ୍ଗୀ ଭୋଟର ମାତ୍ର ୧୭ ଜଣ । ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି ସଂଘମିତ୍ରା ସ୍ଵାଇଁ, ବିଜେପିରୁ ନୀଳମଣି ବିଷୋୟୀ ,କଂଗ୍ରେସରୁ ହରେକୃଷ୍ଣ ରଥ ମଇଦାନକୁ ଓହ୍ଲାଇଛନ୍ତି । ତିନି ପ୍ରମୁଖ ରାଜନୈତିକ ଦଳ ବିକାଶକୁ ଅସ୍ତ୍ର କରି ଲୋକଙ୍କୁ ଭିଡିବାକୁ ପ୍ରାଣମୂର୍ଚ୍ଛା ଉଦ୍ଯମ କରୁଛନ୍ତି ।
୨୦୦୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ୪୩ ହଜାର ୨୯୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ । ବିଜେପିର ନୀଳମଣି ବିଷୋୟୀ ୩୯ ହଜାର ୨୮୮ ଖଣ୍ଡ ଭୋଟ ପାଇଥିଲେ । ୨୦୧୪ ନିର୍ବାଚନରେ ବିଜେଡିର ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ ୬୭ ହଜାର ୫୪୬ ଖଣ୍ଡ ଭୋଟ ପାଇ ବିଜେତା ହୋଇଥିଲେ । ବିଜେପିର ଭଗବାନ ପଣ୍ଡା ୯ ହଜାର ୨୭୦, କଂଗ୍ରେସର ବସନ୍ତ ବିଷୋୟୀ ୫୧ ହଜାର ୫୪୬ଟି ଭୋଟ ପାଇଥିଲେ । ୨୦୧୯ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ୭୬ ହଜାର ୫୦୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ନୀଳମଣି ବିଷୋୟୀ ୬୨ ହଜାର ୫୦୫, କଂଗ୍ରେସର କେଶରୀ ମହାନ୍ତି ୭ ହଜାର ୨୯୩ ଭୋଟ ପାଇଥିଲେ । ତେବେ ଗତ ତିନିଟି ଯାକ ନିର୍ବାଚନରେ ବିଜେଡି ହିଁ ବାଜିମାତ କରି ଆସୁଛି ।
ତାତିରୁ ମିଳିବ ଆଶ୍ଵସ୍ତି, ଆସୁଛି ଲଘୁଚାପ ବର୍ଷା
ଭୁବନେଶ୍ବର: ଆସୁଛି ଲଘୁଚାପ । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ମେ ୨୨ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ନେଇ ଆଶଙ୍କା ପ୍ରକାଶ କରିଛି ପାଣିପାଗ କେନ୍ଦ୍ର । ୨୪ ତାରିଖ ଆଡ଼କୁ ଏହା ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୨ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି । ଏହା ସମୁଦ୍ର ଭିତରେ ଧିରେ ଧିରେ ଦକ୍ଷିଣ-ପୂର୍ବ ଦିଗକୁ ଗତି କରି ଅବପାତର ରୂପ ନେଇପାରେ । ମେ ୨୪ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ଅବପାତର ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହୋଇପାରେ ବୋଲି ଆଶଙ୍କା ପ୍ରକାଶ ସୃଷ୍ଟି ହୋଇଛି । ଏହାସହ ଆଗାମୀ ୪ ରୁ ୫ ଦିନ ମଧ୍ୟ୍ୟରେ କିଛି କିଛି ସ୍ଥାନରେ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ଦିନ ତାପମାତ୍ରାରେ ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବ । ଏହାସହ ୨ ୟ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ଜିଲ୍ଲା ଗୁଡିକରେ ମଧ୍ୟ ହିଟୱେଭ ସ୍ଥିତି ଦେଖିବାକୁ ମିଳିବ ବୋଲି ସୂଚନା ଦେଉଛି କେନ୍ଦ୍ର ।
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ କେତେ କ୍ଷତି ସହିଲା ମୁମ୍ବାଇ ଇଣ୍ଡିଆନ୍ସ?
ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୪ ବେଶ ରୋମାଞ୍ଚକ ହୋଇଛି । କୋଲକାତା ନାଇଟ ରାଇଡର୍ସ, ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ କ୍ବାଲିଫାଇ କରିଥିବାବେଳେ ୫ଥରର ଚାମ୍ପିୟନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ କିନ୍ତୁ ଚଳିତ ସିଜିନରେ ଏଲିମିନେଟ ହୋଇସାରିଛି । ଦଳର ଅଧିନାୟକ ଭାର ସମ୍ଭଳିଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଚଳିତ ସିଜିନ ଖରାପ ପ୍ରଦର୍ଶନ ହୋଇଥିବା ପ୍ୟାନ୍ସମାନେ ବାରମ୍ବାର ଅଭିଯୋଗ କରିଛନ୍ତି । ଏପରିକି ପାଣ୍ଡ୍ୟାଙ୍କ ପାଇଁ ୩୦ ଲକ୍ଷ ଟଙ୍କା କ୍ଷତି ସହିଛି ଏମଆଇ । ଦଳର ଓଭର ରେଟ ପାଇଁ ୩୦ ଲକ୍ଷ ଟଙ୍କା ଫାଇନ ମଧ୍ୟ ଦେବାକୁ ପଡ଼ିଛି । ଇଏ କେବଳ ଅଧିନାୟକ ଭାବେ ତାଙ୍କର ପ୍ରଦର୍ଶନ । ମାତ୍ର ବ୍ୟାଟିଂ, ବୋଲିଂ କଥା ଯଦି କହିବା ତାହେଲେ ଚଳିତ ସିଜିନରେ ବେଶ ଖରାପ ପ୍ରଦର୍ଶନ କରିଛନ୍ତି । ପାଣ୍ଡ୍ୟା ୧୧ ଓ୍ବିକେଟ ଅକ୍ତିଆର କରିଥିବାବେଳେ ମାତ୍ର ୨୧୬ ରନ ସଂଗ୍ରହ କରିଛନ୍ତି । ଗୋଟିଏ ମଧ୍ୟ ମ୍ୟାଚରେ ବଡ଼ ପାଳି ଖେଳିନାହାନ୍ତି । ପାଣ୍ଡ୍ୟାଙ୍କୁ ଅଧିନାୟକ ବନାଇବା ପରଠାରୁ ମୁମ୍ବାଇର ଫଲୋର୍ସ ମଧ୍ୟ କମି ଯାଇଛନ୍ତି ।
ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: ବିଜେପିର ବିଜୁଳି ମିଛ ଖୋଲିଦେଲା ବିଜେଡି । ପ୍ରେସମିଟରେ ବିଜେପି ନେତାଙ୍କ ଅପପ୍ରଚାରର ସତ କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ତାମିଲନାଡୁକୁ ବିଦ୍ୟୁତ ଦେବା ନେଇ ବିଜେପି ପ୍ରଚାରର କଡ଼ା ଜବାବ ଦେଇ ବିଜେଡି କହିଛି, କୌଣସି ରାଜ୍ୟକୁ ସିଧାସଳଖ ବିଦ୍ୟୁତ ଦେଇପାରିବନି ଓଡ଼ିଶା । ବଳକା ବିଦ୍ୟୁତକୁ ନ୍ୟାସନାଲ ଗ୍ରୀଡ଼କୁ ଦିଆଯାଇଥାଏ । ଏହି ବିଦ୍ୟୁତକୁ CERC ବା ସେଣ୍ଟ୍ରାଲ ଇଲେକ୍ଟ୍ରିସିଟି ରେଗୁଲେଟରୀ କମିଶନ ଅନ୍ୟ ରାଜ୍ୟକୁ ଦେଇଥାଏ । ଏଥିରେ କୌଣସି ରାଜ୍ୟର କିଛି ଭୂମିକା ନାହିଁ । ଯାହାକି କେନ୍ଦ୍ରମନ୍ତ୍ରୀ ଭଲଭାବେ ଜାଣି ଅଜଣା ହେଉଛନ୍ତି । ସବୁ ଜାଣି ମଧ୍ୟ ଓଡ଼ିଶାରେ ମିଛ ଖବର ପ୍ରଚାର କରୁଛନ୍ତି ।
ଅନ୍ୟପଟେ ବିଜୁଳି ଦରର ହିସାବ ଦେଇ ବିଜେଡି କହିଛି, ଅନ୍ଯ ରାଜ୍ୟ ତୁଳନାରେ ଓଡ଼ିଶାରେ ବିଦ୍ୟୁତ ମୂଲ୍ୟ କମ୍ । ବିଜେପି ଶାସିତ ରାଜ୍ୟରେ ବିଦ୍ୟୁତର ଉଚ୍ଚା ଦର ରହିଛି । ବିଦ୍ୟୁତ ନେଇ ବିଜେପି ଅପପ୍ରଚାର କରୁଛି । ଖାଲି ବିଦ୍ଯୁତ ନୁହେଁ ବରଂ ପୁରୀ କାମ ନେଇ ମଧ୍ୟ ବିଭ୍ରାନ୍ତ କରାଯାଉଛି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପରେ ୪ହଜାର ୨୦୦କୋଟି ଖର୍ଚ୍ଚ ହୋଇଛି ବୋଲି ବିଜେପି କହୁଥିବାବେଳେ ଏଥିରେ ମାତ୍ର ୩୨୫କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଓଡ଼ିଶାକୁ ଏବେ ପଲିଟିକାଲ ଟୁରିଷ୍ଟ ଆସିଛନ୍ତି । ମିଛ କହିବା ସେହି ପଲିଟିକାଲ ଟୁରିଷ୍ଟଙ୍କ ଧର୍ମ ବୋଲି କହି ସମାଲୋଚନା କରିଛି ବିଜେଡି ।
ଚିଲିକାରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର
ନନ୍ଦିଘୋଷ ବ୍ୟୁରୋ: ଚିଲିକାରେ ବିଜେଡିର ଜୋରଦାର ପ୍ରଚାର । ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ । ବିକାଶର ହିସାବ ଦେବା ସହ ଯୋଡ଼ି ଶଙ୍ଖରେ ଭୋଟ ଦେବାକୁ ଅପିଲ୍ କରିଛନ୍ତି କାର୍ତ୍ତିକ ପାଣ୍ଡିଆନ ।
ବିଜେପିକୁ ନବୀନଙ୍କ ଶାଣିତ ସମାଲୋଚନା
ନନ୍ଦିଘୋଷ ବ୍ୟୁରୋ: ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ପ୍ରଥମେ ନିଜ ରାଜ୍ଯକଥା ଚିନ୍ତା କରନ୍ତୁ ବିଜେପିର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ମାଳମାଳ କେନ୍ଦ୍ରୀୟ ନେତାଙ୍କ ପ୍ରଚାରକୁ ଶାଣିତ ସମାଲୋଚନା କରି ଏଭଳି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ବିଜେପିର ମୁଖ୍ଯମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି । ଓଡ଼ିଶାକୁ ଏକନମ୍ବର କରିବାକୁ ପ୍ରତିଶୃତି ଦେଉଛନ୍ତି । ସେମାନେ ପ୍ରଥମେ ନିଜ ରାଜ୍ଯ କଥା ଦେଖିବାକୁ ନବୀନ ପରାମର୍ଶ ଦେଇଛନ୍ତି । ଏହାଛଡ଼ା ମୁଣ୍ଡପିଛା ଋଣର ହିସାବ ଦେଇ ଆସାମ ମୁଖ୍ଯମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ନବୀନ କହିଛନ୍ତି, ଆସାମର ମୁଣ୍ଡପିଛା ଋଣ ଓଡ଼ିଶାର ମୁଣ୍ଡପିଛା ଋଣର ଦୁଇଗୁଣ । ଏଣୁ ସେ ପ୍ରଥମେ ନିଜ ରାଜ୍ଯକଥା ବୁଝନ୍ତୁ ।

