spot_img
Home Blog Page 1960

ପ୍ରାର୍ଥୀ ଘୋଷଣା ପରେ ବିଜେଡିରେ ଉତ୍ସାହ, ଇଷ୍ଟଦେବଙ୍କ ଦର୍ଶନ କରି ନେତା ନେଉଛନ୍ତି ଆଶୀର୍ବାଦ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ପ୍ରାର୍ଥୀଙ୍କ ନାଁ । ବିଜେଡିର ପ୍ରାର୍ଥୀ ଘୋଷଣା ପରେ ଏବେ ନେତା, କର୍ମୀ ଓ ସମର୍ଥକଙ୍କ ଗହଣରେ ଉତ୍ସାହ । ବାଣ ଫୁଟାଇ, ମିଠା ବାଣ୍ଟି ନିଜ ନିଜର ଲୋକପ୍ରିୟ ନେତାଙ୍କ ନାଁ ଘୋଷଣାକୁ ନେଇ ଖୁସି ପାଳନ କରୁଛନ୍ତି ଦଳୀୟ କର୍ମୀ । ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ କରି ନିର୍ବାଚନ ଯାତ୍ରା ଆରମ୍ଭ କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେପଟେ ମା’ ମାଣିକେଶ୍ଵରୀଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି କ୍ଯାପଟେନ ଦିବ୍ୟଶଙ୍କର ମିଶ୍ର । ଚାରିଆଡ଼େ ଏବେ ଖୁସି, ଉତ୍ସାହ ଆଉ ଚର୍ଚ୍ଚା । ନିଜ ନିଜ ଲୋକପ୍ରିୟ ପ୍ରତିନିଧିଙ୍କୁ ଜିତାଇବାକୁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି ।

ସକାଳୁ ପୁରୀରେ ପହଞ୍ଚିଥିଲେ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଶ୍ରୀମନ୍ଦିରରେ କୋଟି ଓଡି଼ଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ସହ ଯାଜପୁରରେ ମା’ ବିରଜାଙ୍କୁ ଦର୍ଶନ କରିଥିଲେ । ସେହିପରି ଜୁନାଗଡ ପ୍ରାର୍ଥୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ ପ୍ରାର୍ଥୀ ପ୍ରଦୀପ ଦିଶାରୀ, ଭବାନୀପାଟଣା ପ୍ରାର୍ଥୀ ଲଳିତା ନାଏକ ସମେତ କଳାହାଣ୍ଡି ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରଣବ ବଳବନ୍ତରାୟ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କୁ ଦର୍ଶନ କରି ଆଶିଷ ଲୋଡିଛନ୍ତି । ବରଗଡ଼ରୁ ବିଜେଡି ବିଧାୟକ ପ୍ରାର୍ଥୀ ହେବା ପରେ ଦେବେଶ ଆଚାର୍ଯ୍ୟ ସମର୍ଥକଙ୍କ ଗହଣରେ ମା’ ସମଲେଇଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ।

ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ଭାବେ ସୁଦାମ ମାର୍ଣ୍ଡିଂଙ୍କ ନାଁ ଘୋଷଣା ପରେ ଲୋକଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି । ଉଚ୍ଚ ଶିକ୍ଷିତା ରଞ୍ଜିତା ସାହୁଙ୍କୁ ଆସିକା ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ବିଜେଡି ନେତା ଓ କର୍ମୀ । ଚାନ୍ଦବାଲିରୁ ବ୍ଯୋମକେଶ ରାୟ ଟିକେଟ ପାଇବା ପରେ ବାଣ ଫୁଟାଇ, ମିଠା ବାଣ୍ଟି ଖୁସି ପାଳନ କରିଥିଲେ ।

ନୟାଗଡ଼଼ରେ ୪ ଶହରୁ ଅଧିକ ବିଜେପି ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ପୁରୀ ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ଓ ବିଧାୟକ ଅରୁଣ ସାହୁଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି । କଟକ ବାଙ୍କୀରେ କଂଗ୍ରେସରୁ ଆସି ବିଜେଡିରେ ସାମିଲ ହୋଇଛନ୍ତି ଅନେକ ନେତା ଓ କର୍ମୀ । କନ୍ଧମାଳ ବାଲିଗୁଡ଼ା ନିର୍ବାଚନମଣ୍ଡଳୀର କେ.ନୂଆଗାଁରେ ବିଜେଡିର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଥିଲା । ରାୟଗଡା ବିଧାନସଭା ଆସନରୁ ଅନସୂୟା ମାଝିଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ବିଜେଡି ମହଲରେ ଉତ୍ସାହ ଦେଖିବାକୁ ମିଳିଛି ।

ଟିକେଟ ବଣ୍ଟନରେ ନବୀନଙ୍କ ମାଷ୍ଟରଷ୍ଟ୍ରୋକ… ପ୍ରଥମ ରାଜନୈତିକ ଦଳ ଭାବେ ବିଧାନସଭାକୁ ଓହ୍ଲାଇଲେ ୭୨ ଯୋଦ୍ଧା

ଭୁବନେଶ୍ବର: ଟିକେଟ ବଣ୍ଟନରେ ନବୀନ ପଟ୍ଟନାୟକଙ୍କ ମାଷ୍ଟର ଷ୍ଟ୍ରୋକ । ବିଧାନସଭା ପାଇଁ ଯୋଦ୍ଧା ପ୍ରସ୍ତୁତ କଲା ବିଜେଡ଼ି । ପ୍ରଥମ ରାଜନୈତିକ ଦଳ ଭାବେ ୭୨ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ବିକଶିତ ଓଡ଼ିଶା ଗଠନ ସହ ଓଡ଼ିଶାକୁ ଦେଶର ୧ ନମ୍ବର ରାଜ୍ୟରେ ପରିଣତ କରିବାକୁ ଅଧିକାଂଶ ନେତାଙ୍କୁ ରିପିଟ କରିଛନ୍ତି ନବୀନ । ଯୁବ, ବରିଷ୍ଠ ଓ ଅଭିଜ୍ଞତା ଭିତ୍ତିରେ ଟିକେଟ ବଣ୍ଟନ କରି ଓଡ଼ିଶାବାସୀଙ୍କ ସେବାରେ ଦଳକୁ ସମର୍ପିତ କରିଛି । ଟିକେଟ ପାଇବା ପରେ ବିକାଶଧାରାକୁ ଆଗକୁ ନେବାକୁ ସଙ୍କଳ୍ପ ନେଇଛନ୍ତି ନେତା ।

୨୦୨୪ ସାଧାରଣ ନିର୍ବାଚନ ପାଇଁ ଯୋଦ୍ଧାଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡ଼ି । ପ୍ରଥମ ରାଜନୈତିକ ଦଳ ଭାବେ ବିଧାନସଭା ପାଇଁ ଘୋଷଣା ହୋଇଛି ପ୍ରାର୍ଥୀଙ୍କ ନାଁ । ସମସ୍ତଙ୍କୁ ଚକିତ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ୭୨ ଜଣଙ୍କୁ ଦେଇଛନ୍ତି ବିଧାନସଭା ଟିକେଟ । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିକଶିତ ଓଡ଼ିଶା ଗଠନର ଯୋଦ୍ଧାଙ୍କୁ ବିଧାୟକ ଟିକେଟ ଦେଇ ଗ୍ରାଉଣ୍ଡକୁ ପଠାଇଛି ଦଳ । ଲୋକପ୍ରିୟତା, ନୂଆ, ପୁରୁଣା ଓ ଅଭିଜ୍ଞ ନେତାଙ୍କୁ ଭରଷା କରିଛନ୍ତି ନବୀନ ପଟ୍ଟନାୟକ । ଟିକେଟ ପାଇବା ପରେ ଦଳୀୟ ପ୍ରାର୍ଥୀ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ନିଜ ଅଞ୍ଚଳରେ ବିକାଶଧାରା ବଜାୟ ରଖିବାକୁ ନେଇଛନ୍ତି ସଙ୍କଳ୍ପ ।

ଖାଲି ବିଧାନସଭା ନୁହେଁ, ୨୪ ପାଇଁ ଦୁଇଟି ପର୍ଯ୍ୟାୟରେ ୧୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି । ଅଧିକାଂଶ ସଂସଦୀୟ କ୍ଷେତ୍ରରେ ନୂଆ ମୁହଁକୁ ମଇଦନାକୁ ଓହ୍ଲାଇଛି ଦଳ । ଯାଜପୁର, କନ୍ଧମାଳ, ଜଗତସିଂହପୁର ଲୋକସଭା ଆସନରେ ରିପିଟ୍ ହୋଇଛନ୍ତି ପ୍ରାର୍ଥୀ । ଦ୍ବିତୀୟ ଥର ପାଇଁ ଯାଜପୁର ସାଂସଦ ପ୍ରାର୍ଥୀ ହୋଇଛନ୍ତି ଶର୍ମିଷ୍ଠା ସେଠୀ । ମୁଖ୍ୟମନ୍ତ୍ରୀ ଆସ୍ଥା ପ୍ରକଟ କରିଥିବାରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ଶର୍ମିଷ୍ଠା । ଅନ୍ୟପଟେ ନବୀନ ଆଗୁଆ ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା କରି ବିରୋଧୀଙ୍କୁ ଧରାଶାୟୀ କରିଛନ୍ତି ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ ।

ସାଧାରଣ ନିର୍ବାଚନରେ ବଡ଼ ବିଜୟ ପାଇଁ ଲକ୍ଷ୍ୟ ରଖିଛି ବିଜେଡି । ଉଭୟ ଲୋକସଭା ଓ ବିଧାନସଭା ଆସନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ବିଭିନ୍ନ ଜାତୀୟ ସର୍ଭେରେ ପ୍ରକାଶ ପାଇଛି । ପୂର୍ବରୁ ତାରିଖ ଘୋଷଣା ହୋଇଥିବା ବେଳେ, ଏବେ ପ୍ରାର୍ଥୀଙ୍କ ନାଁରେ ମୋହର ମାରିଛନ୍ତି ନବୀନ । ଯାହାକି ଓଡିଶାବାସୀ ଓ ବିଜେଡି ନେତାଙ୍କ ଭିତରେ ଭରି ଦେଇଛି ଉତ୍ସାହ ।

ରାଜଧାନୀରେ ମୁଡକି ଫ୍ୟାକ୍ଟ୍ରିରେ ଆଗ୍ନିକାଣ୍ଡ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଭୟାବହ ଆଗ୍ନିକାଣ୍ଡ । ପୁନମାଗେଟ ଅରବିନ୍ଦ ନଗରରେ ଏହି ଅଗ୍ନିକାଣ୍ଡ ଘଟିଛି । ଏକ ମୁଡକି ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ଜଣାପଡିଛି ।

ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ନାହିଁ ।

ମିଳିଥିବା ସୂଚନା ଅନୁସାରେ ମୁଡକି ତିଆରି ବେଳେ ଆଗ୍ନିକାଣ୍ଡ ଘଟିଥିଲା । ତେଲ କଡେଇରୁ ନିଆଁ ଲାଗି ବ୍ୟାପି ଯାଇଥିଲା । ତେବେ ଏହି ସମୟରେ ସେଠାରେ ଥିବା ଲୋକମାନେ ସୁରକ୍ଷିତ ବାହାରି ଆସିଥିଲେ । ନିଆଁ ଲାଗିବା ପରେ ଏକ ସିଲିଣ୍ଡର ଗ୍ୟାସ ବ୍ଲାଷ୍ଟ କରିଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ବାଦୁଡ଼ିଙ୍କ ପାଇଁ ସ୍ବର୍ଗ ହରେକୃଷ୍ଣଙ୍କ ବାଡ଼ି, ପୂରା ପରିବାର ଦେଉଛନ୍ତି ସୁରକ୍ଷା

ସିମୁଳିଆ: ଗଛ ଡାଳରେ ଝୁଲିଛନ୍ତି ହଜାର ହଜାର ବାଦୁଡି। ବର୍ଷେ କି ଦୁଇ ବର୍ଷ ନୁହେଁ, ୨ ଶହ ବର୍ଷରୁ ଊର୍ଦ୍ଧ୍ବ ହେବ ଗଛ ଡାଳରେ ବସା ବାନ୍ଧି ରହିଛନ୍ତି । କେବେ ତେନ୍ତୁଳି ଗଛରେ, ତ ଆଉ କେବେ ଆମ୍ବ ଗଛରେ । ସୁରକ୍ଷା ଦେଉଛନ୍ତି ଗୋଟିଏ ପରିବାର ।

ରାତି ପାହିବାଠାରୁ ଆରମ୍ଭ କରି ସନ୍ଧ୍ୟା ଗଡିବା ପର୍ଯ୍ୟନ୍ତ କିଚିରି ମିଚିରି ଶଦ୍ଧରେ କମ୍ପୁଛି ପୁରା ପରିବେଶ । ସତେ ଯେପରି କୌଣସି ଏକ ଚିଡିଆଖାନା । ବିଲେଶ୍ବର ଜିଲ୍ଲା ସିମୁଳିଆ ଖଇରା ବ୍ଲକ ସାରଡାଙ୍ଗ ଗାଁର ହରେକୃଷ୍ଣ ଦାଶଙ୍କ ଘର । ଘର ପାଖରେ ଥିବା ବିଭିନ୍ନ ଗଛରେ ବସା ବାନ୍ଧିଛନ୍ତି ବାଦୁଡି । ହଜାର ହଜାର ବାଦୁଡି ଏଠାରେ ରହୁଥିବା ଦେଖିବାକୁ ମିଳେ । ବାଦୁଡ଼ିଙ୍କୁ ଧରିବାକୁ ଶିକାରୀ ଜାଲ ବସାଉଥିବା ବେଳେ ହରେକୃଷ୍ଣଙ୍କ ପୁଅ ଶରତସେସବୁ ଜାଲ କାଟି ଦେବା ସହ ଥାନାରେ ମଧ୍ୟ ଅଭିଯୋଗ କରିଥାନ୍ତି । ଖରାଦିନରେ ବାଦୁଡି ପାଣି ପିଇବା ପାଇ ଗଛ ଡାଳରେ ପାଣି ବାଲତି ବାନ୍ଧିଛନ୍ତି ପରିବାର ଲୋକେ ।

ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ପାଣି ପାଇଁ ଡହଳବିକଳ ହେଉଛନ୍ତି ବାଦୁଡି । ଯାହାକି ବଂଶବୃଦ୍ଧି କରିବା ପରିବର୍ତ୍ତେ ହ୍ରାସ ପାଉଛି । ପ୍ରତିଟି ପ୍ରତିକୂଳ ପରିବେଶରେ ନିଜକୁ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବାଦୁଡି ଲୋପ ପାଇବାକୁ ବସିଲାଣି । ବନବିଭାଗ ସହିତ ସରକାର ଏଥିପ୍ରତି ଦୃଷ୍ଟି ଦେଲେ ବିଲପ୍ତ ହେବାକୁ ବସିଥିବା ବାଦୁଡି ପ୍ରଜାତିକୁ ସୁରକ୍ଷା ମିଳିପାରିବ ।

ବାଦୁଡିଙ୍କ ସୁରକ୍ଷା ହରେକୃଷ୍ଣ କରୁଥିବାକୁ ସ୍ଥାନୀୟ ଲୋକେ ଏହାକୁ ପ୍ରଶଂସା କରୁଛନ୍ତି । ବିଲପ୍ତ ହେବାକୁ ବସିଥିବା ଏହି ସ୍ତନ୍ୟପାୟୀ ପ୍ରାଣୀଙ୍କୁ ସୁରକ୍ଷା ଦେବାକୁ ସାଧାରଣରେ ଦାବି ହେଉଛି ।

ହତଭାଗିନୀ ଭାଗ୍ୟବତୀ: ରାଜ୍ୟସ୍ତରୀୟ ଫୁଟବଲ ଖେଳାଳି ଏବେ ଚରାଉଛି ଛେଳି

କଳାହାଣ୍ଡି: ନାଁ ଭାଗ୍ୟବତୀ ଭତରା । ହେଲେ ଭାଗ୍ୟ ତାଙ୍କର କେବେ ସାଥ ଦେଇନି । ସଂଘର୍ଷମୟ ଜୀବନରେ ଆଗକୁ ବଢ଼ିଛନ୍ତି । ପ୍ରତିଷ୍ଠା ପାଇଛନ୍ତି ସତ, ହେଲେ ଭାଗ୍ୟ ତାଙ୍କୁ ପୁଣି ଟାଣି ଆଣିଛି ସେହି ଭୋକର ରାଇଜକୁ । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା ଖୁଣ୍ଟିଆ ଗାଁର ଭାଗ୍ୟବତୀଙ୍କ କଥା । ରାଜ୍ୟସ୍ତରୀୟ ଫୁଟବଲ ଓ କ୍ରିକେଟ ଖେଳାଳି ଭାବେ ବେଶ ସୁନାମ ଅର୍ଜନ କରିଛନ୍ତି । ହେଲେ ଆର୍ଥିକ ସ୍ଥିତି ତାଙ୍କୁ ଆଜି ଛେଳି ଚରାଇବାକୁ ବାଧ୍ୟ କରୁଛି ।

ଘରେ ମାଳ ମାଳ ମାନପତ୍ର ସହ ଟ୍ରଫି। କିନ୍ତୁ ରାତି ପାହିଲେ ଛେଳି ଚରାଇବାକୁ ଯାଆନ୍ତି ଭାଗ୍ୟବତୀ । ଦିନେ ବିଭିନ୍ନ ରାଜ୍ୟକୁ ଖେଳିବାକୁ ଯାଇ ଆଣୁଥିଲେ ପୁରସ୍କାର । ଜମ୍ମୁ, ନାଗପୁର, ଗୋଆ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ଓଡିଶା କ୍ରିକେଟ ଦଳ ପାଇଁ ଅଲରାଉଣ୍ଡର ଭାବରେ ପ୍ରତିନିଧିତ୍ଵ କରି ଭଲ ପ୍ରଦର୍ଶନ କରି ଅନେକ ଥର ପୁରସ୍କୃତ ହୋଇଛନ୍ତି । କିନ୍ତୁ ଫୁଟବଲ ଓ କ୍ରିକେଟରେ ରୁଚି ରଖିଥବା ଭାଗ୍ୟବତୀଙ୍କ ଭାଗ୍ୟ ଆଜି ଜଙ୍ଗଲରେ କଟୁଛି ।

ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଭାଗ୍ୟବତୀଙ୍କ ପ୍ରତିଭା ତାଙ୍କ ଗାଁଦାଣ୍ଡ ଧୂଳିରେ ହଜିଯାଉଛି । ଆର୍ଥିକ ଅନଟନ ଦେଇ ଗତି କରୁଥିବା ପରିବାର ଭାଗ୍ୟବତୀଙ୍କ ଇଚ୍ଛାକୁ ପୂରଣ କରିବାରେ ଅସମର୍ଥ । ଘରର ଦୁର୍ବଳ ପରିସ୍ଥିତିକୁ ଦେଖି ଭାଗ୍ୟବତୀ ଛେଳି ଚରାଇବା ସହ ଚାଷ କାମରେ ପରିବାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । କାମରୁ ଟିକିଏ ଫୁରୁସତ ମିଳିଲେ କ୍ରିକେଟ ବ୍ୟାଟ୍ ଧରି ଭାଗ୍ୟବତୀ ଚାଲିଯାନ୍ତି ଗାଁ ଖେଳ ପଡିଆକୁ । କିଏ କହିପାରିବ କେତେବେଳେ ଖେଳିବା ପାଇଁ ଡାକରା ଆସିଯିବ । ଏହି ଆଶାରେ ସେ ଆଜି ବି ନିଜକୁ ଫିଟ ରଖିଛନ୍ତି । ଏତେ ପ୍ରତିଭାବାନ ଖେଳାଳି ହେବା ସତ୍ତ୍ବେ ପ୍ରଶାସନ ପକ୍ଷରୁ କୌଣସି ପ୍ରୋତ୍ସାହନ ମିଳି ନଥିବାରୁ ଦୁଃଖ ପ୍ରକାଶ କରି ସାହାଯ୍ୟ ଅପେକ୍ଷାରେ ଭାଗ୍ୟବତୀଙ୍କ ପରିବାର ।

ଅଦରକାରୀ ପ୍ଲାଷ୍ଟିକ ବୋତଲ ଓ ସଢ଼େଇରୁ ଘରସଜ୍ଜା ସାମଗ୍ରୀ ତିଆଣି କରୁଛନ୍ତି ଅଭିସ୍ପା

ଯାଜପୁର: ପରିବେଶ ସୁରକ୍ଷା ପାଇଁ ଯାଜପୁରର ଅଭିସ୍ପା ସ୍ବାଇଁଙ୍କ ନିଆରା ପ୍ରୟାସ । ଅଦରକାରୀ ଜିନିଷରୁ ତିଆରି କରୁଛନ୍ତି ଘରସଜ୍ଜା ସାମଗ୍ରୀ । ପ୍ଲାଷ୍ଟିକ ବୋତଲ ଓ ସଢେଇ ପରି ଅଦରକାରୀ ଜିନିଷରେ ତିଆରି କରୁଛନ୍ତି ସୁନ୍ଦର କଳାକୃତି । ପିଲାଦିନରୁ ଚିତ୍ରକଳା ପ୍ରତି ଥିଲା ଅଭିପ୍ସାଙ୍କ ଦୁର୍ବଳତା । ଏବେ ତାଙ୍କର ଏହି ପ୍ରୟାସକୁ ନେଇ ସବୁଠି ମିଳୁଛି ପ୍ରଶଂସା ।

ଯାଜପୁର ରସୁଲପୁର ମୁଗୁପାଳ ଗାଁର ଅଭିପ୍ସା ସ୍ବାଇଁ । ଯୁକ୍ତ ୩ରେ ପଢୁଥିବା ଅଭିସ୍ପା ଅଦରକାରୀ ଜିନିଷରେ ତିଆଣି କରୁଛନ୍ତି ଘରସଜ୍ଜା ସାମଗ୍ରୀ । ପାଠ ପଢା ସହ ଚିତ୍ରକଳା ତାଙ୍କର ଏକ ନିଶା ପାଲଟିଯାଇଛି । ଫିଙ୍ଗା ଯାଉଥିବା ପ୍ଲାଷ୍ଟିକ ଓ କାଚ ବୋତଲ, ମେଡିସିନ ଖୋଳ, ନଡିଆ ସଢ଼େଇ, ବ୍ୟବହାର ହୋଇଥିବା ଦୀପ, ପ୍ଲାଷ୍ଟିକ ଚା କପ, କଉଡି ସହ ଘରର ଅଦରକାରୀ ଜନିଷକୁ ସେ ବ୍ୟବହାର କରୁଛନ୍ତି । ଅଧିକାଂଶ ଚିତ୍ରରେ ସେ ପ୍ରଭୁ ଜଗନ୍ନାଥଙ୍କୁ ଚିତ୍ରିତ କରିଥିବା ବେଳେ ଭଳିକି ଭଳି ଚିତ୍ର ଆଙ୍କି ସେ ଚର୍ଚ୍ଚାକୁ ଆସିଛନ୍ତି । ନିଜର ପ୍ରସ୍ତୁତି ଜିନିଷରେ ସେ ନିଜ ଘର ସଜାଇଥିବା ବେଳେ ଏହାକୁ ଅନ୍ୟମାନଙ୍କୁ ଉପହାର ମଧ୍ୟ ଦେଉଛନ୍ତି । ଆଗମୀ ଦିନରେ ପାଠପଢ଼ା ସହ ଓଡିଶାର ଏକ ଭଳ ଚିତ୍ରଶିଳ୍ପୀ ହେବାକୁ ଆଶା ରଖିଛନ୍ତି ଅଭିସ୍ପା ।

ଅସ୍ତରଙ୍ଗ ସମୁଦ୍ର କୂଳରୁ ଡଲଫିନ୍ ମୃତଦେହ ଉଦ୍ଧାର

କୋଣାର୍କ: ଅସ୍ତରଙ୍ଗ ପୀରଜାହାନିଆ ସମୁଦ୍ର କୂଳରୁ ଏକ ବଟଲନୋଜ ପ୍ରଜାତିର ମୃତ ଡଲଫିନ ଉଦ୍ଧାର ହୋଇଛି । ମୃତ ଡଲଫିନିଟି ପାଖାପାଖି ୩ ଫୁଟରୁ ଅଧିକ ଲମ୍ବର ହୋଇଥିବାବେଳେ ଏହାର ଓଜନ ପ୍ରାୟ ୨୦ କେଜି ହେବ । ସମୁଦ୍ର ଭିତରେ ଟ୍ରଲର ମାଡ଼ରେ ଡଲଫିନର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ସ୍ଥାନୀୟ ଲୋକ ମୃତ ଡଲଫିନ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଡଲଫିନର ମୃତ ଦେହକୁ ଉଦ୍ଧାର କରି ତଦନ୍ତ କରୁଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ଯୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ବନ ବିଭାଗ କହିଛି ।

ଡକାୟତି ଯୋଜନା ଚାଲିଥିବା ବେଳେ ପହଞ୍ଚି ଗଲା ପୋଲିସ, ତା’ପରେ…

ଭୁବନେଶ୍ବର: କମିଶନରେଟ ପୋଲିସକୁ ବଡ଼ ସଫଳତା । ଡକାୟତି ଯୋଜନା ଚାଲିଥିବା ବେଳେ ପୋଲିସର ଏଣ୍ଟ୍ରି । ଗୋଡ଼ାଇ ଗୋଡ଼ାଇ ୫ ଡକାୟତଙ୍କୁ ଧରିବା ସହ ବୋମା ଜବତ କରିଛି ଜଟଣୀ ପୋଲିସ ।

ପୋଲିସ ସୂତ୍ରରୁ ଜଣାପଡିଛି, ଡକାୟତମାନେ ବୋମା ପକାଇ ଲୁଟ କରିବାକୁ ଯୋଜନା କରୁଥିଲେ । କୌଣସି ସୂତ୍ରରୁ ଖବର ପାଇଁ ଗ୍ୟାଙ୍ଗର ଆଡ୍ଡାରେ ପହଞ୍ଚି ଯାଇଥିଲା ଜଟଣୀ ପୋଲିସ । ପୋଲିସକୁ ଦେଖି ଡକାୟତମାନେ ଖସି ଯିବାକୁ ଉଦ୍ୟମ କରିଥିଲେ । ପୋଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା । ସେମାନଙ୍କ ନିକଟରୁ ପୋଲିସ ୫ଟି ଅଫୁଟା ବୋମା, ସ୍କର୍ପିଓ, ୩ଟି ବାଇକ ସହି ଖଣ୍ଡା, ଭୁଜାଲି, ଲୁହା ରଡ଼ ଜବତ କରାଯାଇଛି ।

ଦାମୀ କାର, ବଡ ଜୁଏଲାରୀ ସପ ଓ ବଡ ବ୍ୟବସାୟୀ ଏମାନଙ୍କ ଟାର୍ଗେଟରେ ଥିଲେ । ବେଣାପଞ୍ଜରୀ ପାଣିଟାଙ୍କି ନିକଟ ଏକ ଅନ୍ଧାରିଆ ସ୍ଥାନରେ ଏମାନେ ପ୍ରସ୍ତୁତ କରୁଥିଲେ ବ୍ଲ୍ୟୁ ପ୍ରିଣ୍ଟ । ଖବର ପାଇ ଜଟଣୀ ପୋଲିସ ସାଧା ପୋଷାକ ଓ ବିନା ପୋଲିସ ଗାଡିରେ ପହଞ୍ଚି ଏମାନଙ୍କୁ ଧରିଛି । ପୂର୍ବରୁ ଏମାନଙ୍କ ନାଁରେ କମିଶନରେଟ ପୋଲିସ ସହିତ ରାଜ୍ୟର ବିଭିନ୍ନ ଥାନାରେ ବୋମାମାଡ, ଲୁଟ ଓ ଡକାୟତି ଭଳି ସଙ୍ଗୀନ ମାମଲା ରହିଛି ।

ବିଜେଡିରେ ମିଶିଲେ ବିଜେପିର ୪ ଶହରୁ ଅଧିକ କର୍ମୀ

ନୟାଗଡ଼: ନିର୍ବାଚନ ତାରିଖ ପାଖେଇ ଆସୁଥିବା ବେଳେ ବଢ଼ିବାରେ ଲାଗିଛି ବିଜେଡି ବଳ । ନୟାଗଡ଼ରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ନୟାଗଡ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ବିଜେଡିରେ ଯୋଗ ଦେଇଛନ୍ତି ।

ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଓ ନୟାଗଡ଼ ପୌର ପରିଷଦର ୪ ଶହରୁ ଅଧିକ ବିଜେପି କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ପୁରୀ ବିଜେଡି ସାଂସଦ ପ୍ରାର୍ଥୀ ଅରୂପ ପଟ୍ଟନାୟକ, ନୟାଗଡ଼ ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁ ଯୋଗଦେଇ ଡବଲ ଶଙ୍ଖ ପାଇଁ ଆହ୍ବାନ ଦେଇଥିଲେ । ରାଜନୀତି ସହ ସେବା ମୋ ଜୀବନର ଲକ୍ଷ୍ୟ ବୋଲି କହିଥିଲେ ଅରୂପ ପଟ୍ଟନାୟକ । କରେନା ମହାମାରୀ ସମୟରୁ ଓଡ଼ିଶା ମୋ ପରିବାର ସେବା ପାଇଁ ବଳିଷ୍ଠ ଉଦ୍ୟମ ବୋଲି କହିଥିଲେ । ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ସୁଯୋଗ ଦେଇଛନ୍ତି । ସେହିପରି ବିଜୁ ଜନତା ଦଳ ଖରା, ବର୍ଷା, ଶୀତ କାକରରେ ଲଢେଇ କରିବାରେ ସମର୍ଥ ରହିଛି ବୋଲି କହିଥିଲେ ନୟାଗଡ଼ ବିଧାୟକ ଅରୁଣ ସାହୁ । ମୁଖ୍ୟମନ୍ତ୍ରୀଙ୍କ ଆର୍ଶୀବାଦ ନୟାଗଡ଼ ପ୍ରତି ରହିଛି । ସବୁବେଳେ ବିକାଶକୁ ଗୁରୁତ୍ଵ ଦେଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ମୁଖ୍ୟମନ୍ତ୍ରୀଙ୍କ ଯୁଗାନ୍ତକାରୀ ପଦକ୍ଷେପ । ଉନ୍ନତୀକରଣ ମୁଖ୍ୟମନ୍ତ୍ରୀଙ୍କ ଭିନ୍ନ ପରିକଳ୍ପନା ବୋଲି କହିଥିଲେ ।

କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ବରିଷ୍ଠ ନେତ୍ରୀ ଇରାନୀ ରାୟ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଉପାଧ୍ଯକ୍ଷ ଗୁରୁପ୍ରସାଦ ଜେନାଙ୍କ ସହ ଅନ୍ୟ ପ୍ରମୁଖ ନେତା ଓ କର୍ମୀ ଯୋଗ ଦେଇଥିଲେ ।

ସିଦ୍ଧାନ୍ତ ଓ ଭର୍ତ୍ତୃହରି ବିଗ୍ ଜିରୋ, ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି: ମୁନା ଖାଁ

ଭୁବନେଶ୍ବର: ବିଜେଡିରୁ ଇସ୍ତଫା ଦେଇ ବିଜେପିରେ ମିଶିଥିବା ସିଦ୍ଧାନ୍ତ ମହାପାତ୍ର ଏବଂ ଭର୍ତ୍ତୃହରି ମହତାବଙ୍କ ଉପରେ ବର୍ଷିଛନ୍ତି ବିଜେଡି ନେତା ମୁନା ଖାଁ । ଉଭୟଙ୍କୁ ବିଗ୍ ଜିରୋ କହିବା ସହ ନବୀନଙ୍କ ବିନା ଓ୍ବାର୍ଡ ମେମ୍ବର ହେବାକୁ ବି ଯୋଗ୍ୟ ନୁହଁନ୍ତି ବୋଲି କହି କଟାକ୍ଷ କରିଛନ୍ତି ମୁନା ।

ସେ କହିଛନ୍ତି, ଜଣେ ୨୬ ବର୍ଷ ଓ ଅନ୍ଯ ଜଣେ ୧୦ ବର୍ଷ ସାଂସଦ ଥିଲେ । ଦୁଇ ଜଣ ଯାକ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୟା ଓ ଆଶୀର୍ବାଦରୁ ସାଂସଦ ହୋଇଥିଲେ । ମୁଖ୍ଯମନ୍ତ୍ରୀଙ୍କୁ ଛାଡ଼ି ଦେଲେ ଗୋଟେ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି, ବିଗ୍ ଜିରୋ । ସେମାନେ ଧୋକବାଜି କରିଛନ୍ତି । ମୁଖ୍ଯମନ୍ତ୍ରୀଙ୍କ ଭଳି ନିରୀହ ଲୋକ ତାଙ୍କ ଉପରେ ଦୟା କରିଥିଲେ । ମୁଁ ସେବେ ବି ବିରୋଧ କରିଥିଲି ରିପିଟ ନକରିବାକୁ । ଗୋଟିଏ ଦିନ ସଂସଦରେ ପ୍ରଶ୍ନଟିଏ ପଚାରିନାହାନ୍ତି । ଯେଉଁଠି ଯୋଗ ଦେଇଛନ୍ତି ସେମାନେ ପରେ ବୁଝିବେ ।

ସୂଚନାଯୋଗ୍ୟ, ୨୨ ତାରିଖରେ ବିଜେଡିରୁ ଇସ୍ତଫା ଦେବା ପରେ ଆଜି ବିଜେପିରେ ମିଶିଛନ୍ତି ଭର୍ତ୍ତୃହରି ମହତାବ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେପିରେ ମିଶିଛନ୍ତି । ସେହିପରି ଅଭିନେତା ତଥା ପୂର୍ବତନ ଲୋକସଭା ସାଂସଦ ସିଦ୍ଧାନ୍ତ ମହାପାତ୍ର ଏବଂ ସାହିତ୍ୟିକ, ସମାଜସେବୀ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଦମୟନ୍ତୀ ବେସ୍ରା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ସିଦ୍ଧାନ୍ତ ମହାପାତ୍ର ଦୁଇ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।