spot_img
Home Blog Page 2056

ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସାଇବର ଥାନାରେ ହେବ ଅଭିଯୋଗ

କଟକ: ସୋସିଆଲ ମିଡିଆରେ ମିଛ ଖବର ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ ସାଇବର ଥାନାରେ ହେବ ଅଭିଯୋଗ । ମାଟ୍ରିକ ବୋର୍ଡ ପରୀକ୍ଷାର ଗଣିତ ପ୍ରଶ୍ନପତ୍ର ଭାଇରାଲ ଅଭିଯୋଗ ଘଟଣାରେ ଏପରି ଚେତାବନୀ ଶୁଣାଇଛନ୍ତି ବୋର୍ଡ କର୍ତ୍ତୃପକ୍ଷ । ସେଭଳି କୌଣସି ପ୍ରଶ୍ନ ପତ୍ର ଭାଇରାଲ ହୋଇନଥିବା ସ୍ପଷ୍ଟ କରିଛନ୍ତି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ । ବିଦ୍ୟାର୍ଥୀ ଏଭଳି କୌଣସି କଥା ବା ଭାଇରାଲକୁ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ ଅପିଲ କରିଛନ୍ତି । ଆଜିର ପରୀକ୍ଷା ରାଜ୍ୟର ପ୍ରତ୍ୟେକ କେନ୍ଦ୍ରରେ ଶୃଙ୍ଖଳିତ ଭାବରେ ଶେଷ ହୋଇଛି । ଭାଇରାଲ ଗୁଜବକୁ ନେଇ ବିଦ୍ୟାର୍ଥୀଙ୍କ ପରୀକ୍ଷା ପ୍ରଭାବିତ ହେବନାନାହିଁ । ବିଦ୍ୟାର୍ଥୀ ସୋସିଆଲ ମିଡ଼ିଆଠୁ ବର୍ତ୍ତମାନ ଦୂରେଇ ରୁହିବାକୁ ସେ ପରାମର୍ଶ ଦେଇଛନ୍ତି । ଏହାସହ ସୋସିଆଲ ମିଡିଆରେ ଏପରି କାମ ନକରିବାକୁ ବୋର୍ଡ ସଭାପତି ଅନୁରୋଧ କରିଛନ୍ତି ।

ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ବିଜେପି କର୍ପୋରେଟର

ଭୁବନେଶ୍ବର: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ । ବିଜେଡ଼ିରେ ମିଶିଲେ ବ୍ରହ୍ମପୁର ମହାନଗର ନିଗମର ୪ବିଜେପି କର୍ପୋରେଟର । ୧୫ରୁ ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ହେବାରୁ ଶଙ୍ଖ ଧରିବାକୁ ନିଷ୍ପତ୍ତି ନେଲେ । ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ଯଧାରାରେ ଆକୃଷ୍ଟ ହୋଇ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ବର ୨୦ର କର୍ପୋରେଟର ଥିବା ରଞ୍ଜିତା ବେହେରା ୧୫ ବର୍ଷ ପରେ ବିଜେପି ଛାଡି ବିଜେଡିର ମିଶିଛନ୍ତି । ସେହିପରି ୱାର୍ଡ ନମ୍ବର ୨୧ର କର୍ପୋରେଟର ଡି. କରୁଣାକର ୨୫ ବର୍ଷ ଧରି କାମ କରିବା ପରେ ଅଣଦେଖା ଯୋଗୁଁ ବିଜେଡିର ମିଶିଛନ୍ତି । ପ୍ରଦୀପ ଶତପଥୀ ୱାର୍ଡ ନମ୍ବର ୨୨ର କର୍ପୋରେଟର ଥିବାବଳେ ୧୫ ବର୍ଷ ଧରି ବିଜେପିରେ କାମ କରିଆସୁଥିଲେ । କିନ୍ତୁ ବିଜେପିରେ ଅବହେଳିତ ହେବାରୁ ଆଜି ଶଂଖ ଧରିଛନ୍ତି ।

ସେହିପରି ଅନ୍ଯତମ କର୍ପୋରେଟର ନୀଳକଣ୍ଠ ସାହୁ ମଧ୍ଯ ୨୫ ବର୍ଷ ପରେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି । ତେବେ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଛନ୍ତି ସାଂସଦ ମାନସ ମଙ୍ଗରାଜ । ବିଜେପି ପାଇଁ ଦୀର୍ଘବର୍ଷ ହେଲା କଠୋର ପରିଶ୍ରମ କରିଥିଲୁ । ଯେଉଁ ଦଳ ପାଇଁ ବହୁ କଷ୍ଟ କରିଥିଲୁ ସେହି ଦଳ ଅଣଦେଖା କଲା । ଚାକିରି ନାଁରେ ଠକେଇ କରିଥିବା ଲୋକଙ୍କୁ ଆପଣାଇଛି ବିଜେପି । ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେପି କୋଳେଇ ନେଇଛି । ଏହାକୁ ବିରୋଧ କରି ବିଜେପି ସହ ସମ୍ପର୍କ ଛିଡ଼ାଇଛୁ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାରେ ସାମିଲ ହେବାକୁ ନିଷ୍ପତ୍ତି ନେଲୁ ବୋଲି କହିଛନ୍ତି ବିଜେଡିରେ ଯୋଗଦେଇଥିବା ଏହି କର୍ପୋରେଟର । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅନୁପ୍ରାଣୀତ ହୋଇ ବିଜେଡିରେ ସାମିଲ ହୋଇଥିବା ସେମାନେ କହିଛନ୍ତି ।

ମୁସଲିମ୍ ପକ୍ଷକୁ ଝଟକା, ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ

ଲକ୍ଷ୍ନୌ: ଜ୍ଞାନବ୍ୟାପୀ ମାମଲାରେ ମୁସଲିମ୍ ପକ୍ଷକୁ ଝଟକା ଲାଗିଛି । ଜ୍ଞାନବ୍ୟାପୀରେ ଜାରି ରହିବ ପୂଜାପାଠ । ହିନ୍ଦୁମାନେ ପୂଜାପାଠ କରିବା ଜାରି ରଖିବାକୁ ଅନୁମତି ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।

ଆଜି କୋର୍ଟ ଜ୍ଞାନବ୍ୟାପୀ ମସଜିଦ ବିବାଦ ମାମଲାର ଶୁଣାଣି କରି ମୁସଲିମ ପକ୍ଷର ଆବେଦନକୁ ଖାରଜ କରିଦେଇଛନ୍ତି । ଏହା ସହ ବାରଣାସୀ କୋର୍ଟ ଦେଇଥିବା ରାୟକୁ କାଏମ ରଖିଛନ୍ତି ।

ଗତମାସରେ ବାରଣାସୀ କୋର୍ଟ ଜ୍ଞାନବ୍ୟାପୀର ଏକ କୋଠରୀରେ ପୂଜା କରିବାକୁ ହିନ୍ଦୁ ମାନଙ୍କୁ ଅନୁମତି ଦେଇଥିଲେ । ଏହି ରାୟକୁ ଚ୍ୟାଲେଞ୍ଚ କରି ଆଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ସୁପ୍ରିମକୋର୍ଟରେ ପହଞ୍ଚିଥିଲେ । ଏହାକୁ ନେଇ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ । ଏହା ପରେ ସେମାନେ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟରେ ଏହି ରାୟ ପ୍ରକାଶ ପାଇଛି ।

ଦୀର୍ଘଦିନ ଧରି ଜ୍ଞାନବ୍ୟାପୀ ମସଜିଦକୁ ନେଇ ବିବାଦ ଲାଗି ରହିଛି । କାଶୀ ବିଶ୍ବନାଥ ମନ୍ଦିରରେ ମୁସଲିମ ଶାସନ ସମୟରେ ମସଜିଦ ନିର୍ମାଣ କରାଯାଇଥିଲା ବୋଲି ହିନ୍ଦୁମାନେ ଦାବି କରି ଆସୁଛନ୍ତି । ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି ।

ବଡ଼ ଉପହାର ଦେଲେ ରାଜ୍ୟ ସରକାର, ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ

ସମ୍ବଲପୁର: ଛାତ୍ରୀଛାତ୍ରୀଙ୍କୁ ବଡ଼ ଉପହାର ଦେଇଛନ୍ତି ରାଜ୍ଯ ସରକାର । ଯୁକ୍ତ ୩ ଓ ପିଜି ଛାତ୍ରଛାତ୍ରୀଙ୍କୁ ମିଳିଲା ନୂଆ-ଓ ସ୍କଲାରସିପ । ଛାତ୍ରୀଙ୍କୁ ବାର୍ଷିକ ୧୦ ହଜାର ଓ ଛାତ୍ରଙ୍କୁ ୯ ହଜାର ଟଙ୍କା ଲେଖାଏଁ ସ୍କଲାରସିପ ପ୍ରଦାନ କରାଯାଇଛି । ଆଜି ରାଜ୍ଯର ତିନି ଜିଲ୍ଲାକୁ ଯାଇ ଛାତ୍ରଛାତ୍ରୀଙ୍କୁ ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ ପ୍ରଦାନ କରିଛନ୍ତି 5T ଅଧ୍ଯକ୍ଷ କାର୍ତ୍ତିକ ପାଣ୍ଡିଆନ । ପ୍ରଥମେ ସମ୍ବଲପୁର ପରେ ଦେବଗଡ଼ ଓ ଅନୁଗୁଳ ଜିଲ୍ଲାରେ ପିଲାଙ୍କୁ ଭେଟି  ନୂଆ-ଓ ସ୍କଲାରସିପ ସାର୍ଟିଫିକେଟ ପ୍ରଦାନ କରିବେ 5T ଅଧ୍ଯକ୍ଷ । ରାଜ୍ୟର ପ୍ରାୟ ୯୫ ପ୍ରତିଶତ ଛାତ୍ରଛାତ୍ରୀ ନୂଆ-ଓ ସ୍କଲାରସିପ ଦ୍ବାରା ଉପକୃତ ହେଉଛନ୍ତି ।

ଯୋଜନାରୁ ସରକାରୀ କର୍ମଚାରୀଙ୍କ ପିଲା ବାଦ ପଡିଛନ୍ତି।  ସେହିପରି ଆୟକରଦାତାଙ୍କ ପୁଅ ଝିଅ ମଧ୍ୟ ଏ ସ୍କଲାରସିପ୍ ପାଇବେନି । ଅନ୍ୟ ସମସ୍ତ ଛାତ୍ର ଏ ସ୍କଲାରସିପ୍ ପାଇପାରିବେ । ଛାତ୍ରଛାତ୍ରୀଙ୍କ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ ପାଇଁ ଅଧିକ ପଏଣ୍ଟ ବ୍ୟବସ୍ଥା ରହିଛି। କୋ-କରିକୁଲାର ଆକ୍ଟିଭିଟିଜରେ ପ୍ରଦର୍ଶନ ଅନୁସାରେ ମିଳିବ ପଏଣ୍ଟ। ଏହି ପଏଣ୍ଟ ମାଧ୍ୟମରେ ଛାତ୍ରଛାତ୍ରୀ ଆସନ୍ତା ବର୍ଷରୁ ଅଧିକ ପରିମାଣର ସ୍କଲାରସିପ୍ ପାଇପାରିବେ। ଯେଉଁ ଛାତ୍ରଛାତ୍ରୀଙ୍କ ଯେତେ ଅଧିକ ପଏଣ୍ଟ ରହିବ ସେ ଛାତ୍ରଛାତ୍ରୀ ସେତେ ଅଧିକା ସ୍କଲାରସିପ ପାଇବେ। ଛାତ୍ରଛାତ୍ରୀମାନେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ସ୍କଲାରସିପ ପାଇପାରିବେ। ଏଥିଲାଗି ଛାତ୍ରଛାତ୍ରୀଙ୍କୁ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏ ସବୁଥିରେ ଅଂଶଗ୍ରହଣ କଲେ ପଏଣ୍ଟ ମିଳିବ। ସେହିପରି ଆସନ୍ତା ଅଗଷ୍ଟ ୧୫ ତାରିଖରୁ ନୂଆ-ଓ ମ୍ୟାଜିକ କାର୍ଡ ମିଳିବ । ଏହି ମ୍ୟାଜିକ୍ କାର୍ଡ ଜରିଆରେ ଛାତ୍ରଛାତ୍ରୀଙ୍କୁ ରିହାତି ଦରରେ ଯାତ୍ରା ସୁବିଧା ଉପଲବ୍ଧ ହେବ।

ସୋସିଆଲ ମିଡିଆରେ କେବଳ ଜଣଙ୍କୁ ଫଲୋ କରନ୍ତି ଅମିତାଭ ବଚ୍ଚନ, ସେ କିଏ ଜାଣିଛନ୍ତି କି?

ମୁମ୍ବାଇ: ଆପଣ ନିଶ୍ଚୟ ସୋସିଆଲ ମିଡିଆରେ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କୁ ଫଲୋ କରୁଥିବେ । ଅମିତାଭଙ୍କର ଫ୍ୟାନ୍ ସବୁ ଯାଗାରେ ଅଛନ୍ତି । ବହୁ ବଡ଼ ବଡ଼ ଷ୍ଟାରଙ୍କୁ ଆପଣ ଫଲୋ କଲାବେଳେ ଦେଖୁଥିବେ ଯେ, ଷ୍ଟାର ମାନେ କାହାକୁ ଫଲୋ କରନ୍ତି ନାହିଁ । ତାଙ୍କ ଫଲୋ ଲିଷ୍ଟ ଜିରୋ ଥାଏ । କିନ୍ତୁ ଅମିତାଭ ଏମିତି ଜଣେ ଷ୍ଟାର ସେ ସବୁବେଳେ ଦର୍ଶକଙ୍କ ମନ ଜିଣିଥାନ୍ତି । ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ପ୍ରବଳ । ସେ କିନ୍ତୁ ଜଣଙ୍କୁ ଫଲୋ କରନ୍ତି । ତାଙ୍କ ସୋସିଆଲ ମିଡିଆ ଦେଖିଲେ କେବଳ ଜଣେ ଫଲୋ ହିଁ ଦେଖାଇବ । ସେହି ବ୍ୟକ୍ତି ଜଣଙ୍କ ତାଙ୍କର ବନ୍ଧୁ ବାନ୍ଧବ କି ଫିଲ୍ମ ଦୁନିଆର ନୁହଁନ୍ତି । ତାଙ୍କ ନାଁ ହେଉଛି ଅବନୀ ରାଠି । ଅବନୀ ଦୃଷ୍ଟି ବାଧିତ । ଅମିତାଭ ବଚ୍ଚନଙ୍କ ସହ ରିଆଲିଟି ଶୋ’ କନ୍ ବନେଗା କରୋଡପତିର ୧୪ ତମ ସିଜିନରେ ହୋଇଥିଲା । ଅବନୀ ଜଣେ ଲେଖକ, ଗୀତିକାର ମଧ୍ୟ । ଅମିତାଭ କୁହନ୍ତି ୨୦୧୯ ମସିହାରେ ତାଙ୍କ ଜନ୍ମଦିନ ଅବସରରେ ଅବନୀ ତାଙ୍କୁ ଚିଠି ଲେଖିଥିଲେ । ସେ ସୋସିଆଲ ମିଡିଆରେ ମୋତେ ଫଲୋ କରନ୍ତି ବୋଲି କହିଥିଲେ । ଏଥିପାଇଁ ମୁଁ ବି ତାଙ୍କୁ ଫଲୋ କରୁଛି । ଏହା ପରଠାରୁ ଅଭିତାଭ ଅବନୀଙ୍କୁ ଫଲୋ କରୁଛନ୍ତି ।

ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ

ଭୁବନେଶ୍ବର: ଓଡ଼ିଶା ଆସିବେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟ୍ସ । ଫେବୃଆରୀ ୨୮ ତାରିଖରେ ସେ କୃଷି ଭବନରେ କୃଷି ସମୀକ୍ଷା କେନ୍ଦ୍ର ପରିଦର୍ଶନ କରିବେ । ଏହାସହ ରାଜ୍ଯରେ ଯେଉଁ କୃଷି ବିକାଶ ହୋଇଛି ତାକୁ ଅନୁଧ୍ଯାନ କରିବେ । ବିଶେଷକରି କିପରି କୃଷି ବିଭାଗ ଯୋଜନା ସବୁ ଲାଗୁ କରୁଛି ତାକୁ ଅନୁଧ୍ଯାନ କରିବେ ବିଲ ଗେଟସ । କାଳିଆ, ମିଶନ ଶକ୍ତି, ମୁଖ୍ୟମନ୍ତ୍ରୀ କୃଷି ଯୋଜନା, କୃଷି ବିବିଧକରଣ, ମାଟିର ଆର୍ଦ୍ରତାକୁ ନେଇ ଚାଷ, ୧୮୦ ବ୍ଲକରେ ମିଲେଟ ମିଶନ, ମହିଳା ଚାଷୀଙ୍କ ଆତ୍ମନିଯୁକ୍ତି, ମାଣ୍ଡିଆର ଅନ୍ତର୍ଜାତୀୟସ୍ତରୀୟ ପ୍ରସାରର ସଫଳ ରୂପାୟନକୁ ଅନୁଧ୍ୟାନ କରିବା ପାଇଁ ବିଲ ଗେଟ୍ସ ଆସୁଛନ୍ତି ।

ଏତେ କମ ସମୟ ଭିତରେ ଏତେ କୃଷି ଯୋଜନାକୁ ତୃଣମୂଳସ୍ତରରୁ ଅନ୍ତର୍ଜାତୀୟସ୍ତର ଯାଏ କିପରି ନିଆଗଲା, ତାକୁ ସେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି କୃଷି ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା । ୨୦୧୭ରେ ବିଲ ଗେଟ୍ସ ଫାଉଣ୍ଡେସନ ସହ ଓଡ଼ିଶା ସରକାରଙ୍କ ଚୁକ୍ତିନାମା ସ୍ଵାକ୍ଷର ହୋଇଥିଲା। ଯାହା ଜରିଆରେ ବୈଷୟିକ ପ୍ରଣାଳୀରେ କ୍ଷୁଦ୍ରଚାଷୀଙ୍କ ଆୟ ବୃଦ୍ଧି କରାଯିବା ନେଇ ଯୋଜନା ହୋଇଥିଲା । ବିଲ ଗେଟ୍ସ ଫାଉଣ୍ଡେସନ ଏଥିପାଇଁ ବୈଷୟିକ ସହାୟତା ଯୋଗାଉଛି ।

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା, ଦାୟିତ୍ୱରେ ରହିବେ ୮୫ ଅଫିସର

ଭୁବନେଶ୍ବର: ଆସନ୍ତା ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କମିଶନରେଟ ପୋଲିସର କଡା ସୁରକ୍ଷା। ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ। ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର। ୩ଟି କ୍ୱିକ ରେସ୍ପନ୍ସ ଟିମ, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ। ୧୨ ଅତିରିକ୍ତ ଡିସିପି, ୨୫ ଏସିପି, ୪୦ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ। ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ନିୟୋଜିତ ହେବେ। ବ୍ଲୁ ବୁକ ଗାଇଡ଼ଲାଇନ ମୁତାବକ ପୁରା ସହର ହେବ ପୋଲିସ ଛାଉଣୀ। ସଭାସ୍ଥଳରେ ପ୍ରୋଟକଲ ମୁତାବକ ନିମନ୍ତ୍ରିତ ଅତିଥୀଙ୍କ ତଥ୍ୟ ରହିବ। ଭୁବନେଶ୍ୱର ସମେତ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ, ସମ୍ବଲପୁର ଗସ୍ତ କରିବେ ରାଷ୍ଟ୍ରପତି। କାରକେଡ଼ ଯିବାବେଳେ ସାଧାରଣ ଲୋକଙ୍କ ଟ୍ରାଫିକ ସମସ୍ୟା ନହେବାକୁ ଧ୍ୟାନ ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ।

ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ

କେନ୍ଦୁଝର: କେନ୍ଦୁଝରରେ ପୁଣି ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ। ଆଜି ଗଣିତ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି। ପରୀକ୍ଷା ଆରମ୍ଭ ହେବାର କିଛି ସମୟ ପରେ ସୋସିଆଲ ମିଡିଆରେ ଘୁରିବୁଲୁଛି ପ୍ରଶ୍ନ ପତ୍ର ଓ ଏହାର ଉତ୍ତର। ତେବେ ପରୀକ୍ଷା ଶେଷ ପରେ ଏହାର ସତ୍ୟାସତ୍ୟ ଜଣାପଡ଼ିବ। ତେବେ ଏହି ପ୍ରଶ୍ନପତ୍ର ଚଳିତ ବର୍ଷର ନା ପୂର୍ବ ବର୍ଷର ତାହାର ସତ୍ୟାସତ୍ୟ ଜଣାପଡିନାହିଁ। ପୂର୍ବରୁ କେନ୍ଦୁଝରରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ୍ ଅଭିଯୋଗ ହୋଇଥିଲା। ଖଣ୍ଡନ କରିଥିଲେ ବୋର୍ଡ କର୍ତ୍ତୃପକ୍ଷ।

ଏକାଥର ଦୁଇଟା ଗାଡ଼ିକୁ ଧକ୍କା ଦେଲା ସ୍କର୍ପିଓ, ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ

ପାଟନା: ବିହାର କୈମୁର ଜିଲ୍ଲାରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ମୋଟ ୯ ଜଣଙ୍କ ମୃତ୍ୟୁ ହୋଇଛି । ଗତାକାଲି ରାତିରେ NH 2 ରେ ଏହି ଭୟଙ୍କର ଦୁର୍ଘଟଣା ହୋଇଥିବା ଜଣା ପଡ଼ିଛି । ୩ଟି ଗାଡ଼ି ପରସ୍ପରକୁ ଧକ୍କା ଦେଇଥିଲେ ।

ସୂଚନା ଅନୁସାରେ, ଏକ ସ୍କର୍ପିଓରେ ମୋଟ ୮ ଜଣ ଲୋକ ସାସରାମ ନାମକ ସ୍ଥାନରୁ ବାରଣାସୀ ଅଭିମୁଖେ ଯାଉଥିଲେ । NH 2 ରେ ମୋହାନିଆ ପୋଲିସ୍ ଷ୍ଟେସନ ନିକଟରେ ସ୍କର୍ପିଓ ବାଇକ୍ ଆରୋହୀଙ୍କୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓଟି ଡିଭାଇଡର ପାର୍ କରି ଆରପଟ ରାସ୍ତାକୁ ଚାଲି ଯାଇଥିଲା । ଅନ୍ୟ ପଟ ରାସ୍ତାରେ ଆସୁଥିବା ଟ୍ରକ ସହ ସ୍କର୍ପିଓର ପୁଣି ଧକ୍କା ହୋଇଥିଲା ।

ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣାରେ ସ୍କର୍ପିଓଟି ଭାଙ୍ଗି ଚୁରମାର୍ ହୋଇଯାଇଛି । ମୋହନିଆ ପୋଲିସ ଏବଂ NHAI ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍କର୍ପିଓ ଭିତରେ ଥିବା ମୃତଦେହ ଉଦ୍ଧାର କରିଥିଲେ । ମୃତକଙ୍କ ଚିହ୍ନଟ ହୋଇପାରିନାହିଁ । ସମସ୍ତ ଶବ ଜବତ କରି ପୋଲିସ ପୋଷ୍ଟମର୍ଟମ କରିବାକୁ ପଠାଇଛି ।

ଦୁର୍ଘଟଣା ପରେ ଜାତୀୟ ରାଜପଥରେ କିଛି ସମୟ ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । କ୍ଷତିଗ୍ରସ୍ତ ଗାଡ଼ିକୁ ପୋଲିସ୍ ଘଟଣାସ୍ଥଳରୁ ହଟାଇଲା ପରେ ଯାତାୟତ ହୋଇଥିଲା ।

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ, ୩ ମୃତ, ୪ ଗୁରୁତର

କେନ୍ଦ୍ରାପଡ଼ା: ଭାରସାମ୍ୟ ହରାଇ ଗଛରେ ପିଟିହେଲା ବୋଲେରୋ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବୋଲେରୋରେ ୫ ଜଣ ଡ୍ରାମା କଳାକାର ଥିଲେ ।

ସୂଚନା ଅନୁସାରେ, ଗତକାଲି ରାତିରେ ନରଣପୁର ଗ୍ରାମରୁ ଡ୍ରାମା ସାରି  ୫ ଜଣ କଳାକାରଙ୍କ ସମେତ ୭ ଜଣ ଉକ୍ତ ବୋଲେରୋ ଯୋଗେ ନିଜ ଘରକୁ ଫେରୁଥିଲେ । ଭୋରରେ ଭାରସାମ୍ୟ ହରାଇ ଓସ୍ତପୁର ପେଟ୍ରୋଲ ପମ୍ପ ନିକଟ ଗଛରେ ପିଟି ହୋଇଯାଇଥିଲା । ଏହି ଦୁର୍ଘଟଣାରେ ବୋଲେରୋଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ସେଥିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହେବା ସହ ଆଉ ୪ ଜଣ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା ଏବେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।