spot_img
Home Blog Page 2203

ଇଡକୋ ଚିଫ ଜେନେରାଲ ମ୍ୟାନେଜର ଗିରଫ, ଆୟ ଠୁ ୧୫୩ ପ୍ରତିଶତ ଅଧିକ ମୂଲ୍ୟର ସମ୍ପତ୍ତି ଠାବ

ଭୁବନେଶ୍ବର: ଗିରଫ ହେଲେ ଇଡକୋ ଚିଫ ଜେନେରାଲ ମ୍ୟାନେଜର । ଓଏଏସ ସରୋଜକାନ୍ତ ମହାନ୍ତିଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ । ଆୟଠୁ ୧୫୩ ପ୍ରତିଶତ ଅଧିକ ମୂଲ୍ୟର ସମ୍ପତ୍ତି ଠାବ ହୋଇଛି । ସରୋଜଙ୍କ ୭ଟି ଠିକଣାରେ ରେଡ୍ କରିଥିବା ଭିଜିଲାନ୍ସ । ଗତକାଲି ସ୍ପେଶାଲ ଜଜ୍ ଭିଜିଲାନ୍ସ ଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିଲା ଚଢ଼ାଉ । ଆଜି ତାଙ୍କୁ ଗିରଫ କରାଯାଇଛି ।

ଭୁବନେଶ୍ୱର, କଟକ ଓ ଯାଜପୁର ର ୭ ଟି ସ୍ଥାନରେ ମାରାଥନ ରେଡ଼ କରିଥିଲା ଭିଜିଲାନ୍ସ ଟିମ୍। ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାର ପ୍ଲଟ ନମ୍ବର GA 437ରେ ଥିବା ୩ ବିଏଚକେ ଘର, ବାରଙ୍ଗ ପାଟପୁରରେ ୩ ମହଲା ଫ୍ଲାଟ, ଧର୍ମଶାଳା ବ୍ରହ୍ମବରଦା ସ୍ଥିତ ପୈତୃକ ଘର, କଟକ ମହାନଦୀ ବିହାରରେ ଥିବା ୩ ମହଲା ଫ୍ଲାଟ, ଯାଜପୁର ଜାରକା ସ୍ଥିତ ଘର, ନୟାପଲ୍ଲୀ ଆଇଆରସି ଭିଲେଜ N4 ରେ ସମ୍ପର୍କୀୟଙ୍କ ଘର, ଇଡ୍କୋ ଅଫିସ ଚାମ୍ବରରେ ଏକାକାଳୀନ ରେଡ଼ କରାଯାଇଥିଲା ।

ତାଙ୍କ ନାଁରେ ୧୦ଟି ଫ୍ଲାଟ ରହିଛି। ସେଥିରୁ ୭ଟି କେବଳ ଭୁବନେଶ୍ବର ଓ କଟକରେ ରହିଛି । ଏଥିସହ ବ୍ୟାଙ୍କ ଜମା, ବୀମାକୁ ମିଶା ୭୦ ଲକ୍ଷ ୫୫ ହଜାର ଟଙ୍କା ହେବ। ଗୋଟିଏ ୪ ଚକିଆ ଗାଡ଼ି ଏବଂ ଦୁଇଟି ବାଇକ ସିଜ କରାଯାଇଛି । ୭୦୦ ଗ୍ରାମ ସୁନା ଠାବ।

ଅଯୋଧ୍ୟା ଧାମ ହେଲା ଅଯୋଧ୍ୟା ଜଙ୍କସନ୍‌, ସିଏମ ଯୋଗୀଙ୍କ ନିବେଦନରେ ବଦଳିଲା ନାଁ

0

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ରେଳ ଭକ୍ତମାନଙ୍କୁ ବଡ଼ ଉପହାର ଦେଇଛି।  ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନ ଅଯୋଧ୍ୟା ଧାମ ନାମରେ ପରିଚିତ ହେବ | ବୁଧବାର ରେଳ ବିଭାଗ ଏନେଇ ଘୋଷଣା କରିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରେଳ ଷ୍ଟେସନ ଅଯୋଧ୍ୟା ଧାମର ନାମକରଣ କରିବାକୁ ରେଳ ଅଧିକାରୀଙ୍କୁ ନିବେଦନ କରିଛନ୍ତି।

ଉତ୍ତର ପ୍ରଦେଶ ସରକାର ସଂସ୍କୃତି ଓ ପରମ୍ପରାକୁ ଦୃଷ୍ଟିରେ ରଖି ସହର ଓ ସ୍ଥାନଗୁଡ଼ିକର ନାମ ବଦଳାଉଛନ୍ତି  । ବର୍ତ୍ତମାନ ଏହି ତାଲିକାରେ ଅଯୋଧ୍ୟାର ନାମ ମଧ୍ୟ ଯୋଡିବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସିଏମ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟା ଜଙ୍କସନ ଯାଞ୍ଚ କରିବାକୁ ଆସିଥିଲେ।

ବୁଧବାର ଦିନ ଅଯୋଧ୍ୟା ଜଙ୍କସନର ନାମ ଅଯୋଧ୍ୟା ଧାମରେ ​​ପରିବର୍ତ୍ତନ କରାଯାଇଥିଲା। ଏହି ଘୋଷଣା ପରେ ରାମ ଭକ୍ତମାନେ ଖୁସି ପ୍ରକାଶ କରିଛନ୍ତି। ୨୨ ଜାନୁଆରୀରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ  । ଏହି କାର୍ଯ୍ୟକ୍ରମରେ ଲକ୍ଷ ଲକ୍ଷ ଭକ୍ତ ରାମ ନଗରୀ ଅଯୋଧ୍ୟା ବୁଲିବାକୁ ଆସିବେ। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ବଡ଼ ପ୍ରସ୍ତୁତି ଚାଲିଛି  । ଏହି କାର୍ଯ୍ୟକ୍ରମରେ ପିଏମ ମୋଦି ଏବଂ ସିଏମ ଯୋଗୀ ଅଂଶଗ୍ରହଣ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡିସେମ୍ବର ୩୦ରେ ଅଯୋଧ୍ୟା ଜଙ୍କସନର ପୁନଃନିର୍ମାଣ ବିଲ୍ଡିଂର ଉଦଘାଟନ କରିବେ  । ସେହିପରି ଅଯୋଧ୍ୟା ଦିଲ୍ଲୀ ବନ୍ଦେ ଭାରତ ଟ୍ରେନକୁ ପତାକା ଉତ୍ତୋଳନ କରିବେ ।

 

ତାଙ୍କ ଗସ୍ତ ପୂର୍ବରୁ ଅଯୋଧ୍ୟା ଜଙ୍କସନ ରେଳ ଷ୍ଟେସନର ନାମ ଅଯୋଧ୍ୟା ଧାମରେ ​​ପରିବର୍ତ୍ତନ କରାଯାଇଛି। ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରାୟ ଅଧ ଘଣ୍ଟା ପର୍ଯ୍ୟନ୍ତ ରହିପାରେ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରେଳବାଇ ବ୍ୟାପକ ପ୍ରସ୍ତୁତି ଚଳାଇଛି।

 

ଅକ୍ଟୋବର ୨୦୨୧ରେ, ସିଏମ ଯୋଗୀ  ଫୈଜାବାଦ ଜଙ୍କସନର ନାମ ଅଯୋଧ୍ୟା କ୍ୟାଣ୍ଟରରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାର ପ୍ରସ୍ତାବ ମଧ୍ୟ ତାଙ୍କ ପାଖରୁ କେନ୍ଦ୍ରକୁ ପଠାଯାଇଥିଲା। ଫୈଜାବାଦରେ ଅବସ୍ଥିତ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ଥିବା ସୈନିକଙ୍କ ପାଇଁ ସମ୍ମାନାର୍ଥେ କ୍ୟାଣ୍ଟ ଶବ୍ଦ ଯୋଗ କରାଯାଇଛି।

 

 

୩ ବର୍ଷରେ ବଦଳିବ ନନ୍ଦନକାନନର ଚିତ୍ର, ଜବରଦଖଲ ଉଚ୍ଛେଦ ପରେ ଥଇଥାନ ହେବେ

ଭୁବନେଶ୍ବର: ନନ୍ଦନକାନନ ଚିଡ଼ିଆଖାନାକୁ ବିଶ୍ବସ୍ତରୀୟ କରିବାର ମାଷ୍ଟରପ୍ଲାନକୁ ଅନୁମୋଦନ ଦେଇଛି କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ । ୩ ବର୍ଷରେ ବଦଳିବ ନନ୍ଦନକାନନର ରୂପରେଖ । ଚୁଡ଼ଙ୍ଗକୁ ସ୍ଥାନାନ୍ତର ହେବ ବାଘ ଓ ହାତୀ ସଫାରୀ । ନନ୍ଦନକାନନ ଚାରିକଡ଼େ ଜବରଦଖଲକୁ ଉଚ୍ଛେଦ କରାଯାଇ ଅନ୍ୟତ୍ର ଥଇଥାନ କରାଯିବ । ଜନ୍ତୁ ଖୁଆଡ଼ର ବି ରୁପାନ୍ତରୀକରଣ କରାଯାଇ ବିଶ୍ବସ୍ତରୀୟ କରାଯିବ ।

ଜୁନ୍ ମାସରେ ମୁଖ୍ୟମନ୍ତ୍ରୀ ନନ୍ଦନକାନନର ପରିବର୍ତ୍ତିତ ରୂପରେଖ ଯୋଜନାକୁ ଅନୁମୋଦନ କରିଥିଲେ । ୨୦୨୭ ମସିହା ସୁଦ୍ଧା ସମ୍ପୂର୍ଣ୍ଣ କାମ କରିବାକୁ ଯୋଜନା ରଖିଛି ଜଙ୍ଗଲ ବିଭାଗ । 5T ଆଧାରରେ ନନ୍ଦନକାନନର ରୁପାନ୍ତର ପ୍ରକିୟାରେ ଚିଡ଼ିଆଖାନାର ଲ୍ୟାଣ୍ଡସ୍କେପ ସମ୍ପୂର୍ଣ୍ଣ ବଦଳିବ । ପର୍ଯ୍ୟଟକମାନଙ୍କୁ ନୂଆ ଅନୁଭୂତି ମିଳିବ ।

ଅଦଳବଦଳ କାର୍ଯ୍ୟକ୍ରମରେ ଦୁବାଇରୁ ଧଳା ସିଂହ ଛୁଆ, ଚିତା, ଚଢେଇ ନୂଆବର୍ଷରେ ନନ୍ଦନକାନନରେ ସ୍ଥାନ ପାଇବ । ଆଲିପୁର ଚିଡ଼ିଆଖାନାରୁ ନନ୍ଦନକାନନରେ ଥିବା ଏକୁଟିଆ ଜିରାଫ୍ ର ସାଥୀ ଅଣାଯିବ । ନନ୍ଦନକାନନର ନବକଳେବର କାମ ଆରମ୍ଭ ହୋଇଥିବା ବେଳେ ୩ ବର୍ଷ ମଧ୍ୟରେ କାମ ସରିବ ବୋଲି ପିସିସିଏଫ୍ କହିଛନ୍ତି ।

ଗୁରୁବାର ଠାରୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ

ରାଉରକେଲା: ଆକାଶପଥରେ ବ୍ୟାପକ ହେବ ରାଉରକେଲା । ଶିଳ୍ପ ଓ ପର୍ଯ୍ୟଟନରେ ଆସିବ ଅଭିବୃଦ୍ଧି । ଗୁରୁବାର ଠାରୁ କୋଲକାତାକୁ ଉଡ଼ିବ ବିମାନ । ମାତ୍ର ଦେଢଘଣ୍ଟାରେ କୋଲକାତା ପହଞ୍ଚିବେ ଯାତ୍ରୀ । ସପ୍ତାହରେ ୩ ଦିନ ମିଳିବ ବିମାନ ସେବା । ରାଜ୍ୟ ସରକାରଙ୍କ ସହଯୋଗରେ ଗୁରୁବାର ଠାରୁ ରାଉରକେଲାରୁ କୋଲକତାକୁ ଯୋଡ଼ିହେବ ବିମାନ ସେବା ।

ଆଲାଏନ୍ସ ଏୟାର ସହଯୋଗରେ ସପ୍ତାହରେ ମଙ୍ଗଳବାର, ଗୁରୁବାର, ଶନିବାର ୩ ଦିନ ଉଡିବ ବିମାନ । ଏହାଦ୍ୱାରା ଯାତ୍ରୀମାନେ ମାତ୍ର ୧ ଘଣ୍ଟା ୩୦ ମିନିଟ୍‌ରେ ରାଉରକେଲାରୁ କୋଲକତା ଯାତ୍ରା କରି ପାରିବେ । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଉରକେଲାବାସୀ ।

ରାଜ୍ୟ ସରକାର ଭାୟାବିଲିଟି ଗ୍ୟାପ ଫଣ୍ଡିଙ୍ଗ ଜରିଆରେ ଯୋଗାଇ ଦେଇଛନ୍ତି ବିମାନ ସେବା । ରାଜ୍ୟ ସରକାର ୩୫ ଟି ଆସନ ପାଇଁ VGF ବ୍ୟବସ୍ଥା କରିଛନ୍ତି । ରାଉରକେଲାରୁ କୋଲକାତା ଵିମାନ ସେଵା ପାଇଁ ପ୍ରାରମ୍ଭିକ ବିମାନ ଦେୟ ୧ ହଜାର ୯୯୯ ଟଙ୍କା ରହିଛି । ଏହାଦ୍ବାର ସହରର ବ୍ୟବସାୟୀ ଅଧିକ ଉପକୃତ ହେବେ ବୋଲି କହିଛନ୍ତି । ଗୁରୁବାର ଅପରାହ୍ନ ସାଢେ ୩ଟା ସମୟରେ ରାଉରକେଲା ଵିମାନ ବନ୍ଦରରୁ କୋଲକାତା ଵିମାନ ଚଳାଚଳ ଆରମ୍ଭ ହେଵ ।

OJS ପରୀକ୍ଷାରେ କମାଲ୍‌ କଲେ ଝିଅ, ଟପ୍‌ ଟେନରେ ୮ କୃତକାର୍ଯ୍ୟ

ଭୁବନେଶ୍ବର: ପ୍ରକାଶ ପାଇଲା ଓଡ଼ିଶା ଜୁଡିସିଆଲ ସର୍ଭିସ୍ (OJS) ପରୀକ୍ଷା ଫଳ। ଟପ୍ ଟେନରେ ବାଜି ମାରିଛନ୍ତି ଝିଅ। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ରହିଛନ୍ତି ୮ ଜଣ ଝିଅ। ସୁଶ୍ରୀତା ମିଶ୍ର ଟପ୍ପର ହୋଇଥିବା ବେଳେ ଦ୍ବିତୀୟରେ ନିଲିଶା ପଟ୍ଟନାୟକ ରହିଛନ୍ତି।

ତୃତୀୟ ସ୍ଥାନରେ ଅନନ୍ୟା ମିଶ୍ର, ଚତୁର୍ଥରେ ରାଣୀ ରଞ୍ଜିତା ପଟ୍ଟନାୟକ, ପଞ୍ଚମରେ ଲୋପାମୁଦ୍ରା ଆଚାର୍ଯ୍ୟ, ଷଷ୍ଠ ସ୍ଥାନରେ ହର୍ଷିତା ମିଶ୍ର, ସପ୍ତମରେ ପ୍ରଜ୍ଞା ସୁମନ ମହାପାତ୍ର, ଅଷ୍ଟମରେ ଏସ ଆର ତୋଷାଳି ରହିଛନ୍ତି। ସେହିପରି ନବମରେ ସତ୍ୟଜିତ ପାଣି ଏବଂ ଦଶମରେ ଲଳିତେନ୍ଦୁ ଦେବତା ରହିଛନ୍ତି। କୃତକାର୍ଯ୍ୟ ମୋଟ୍  ୫୫ ଜଣଙ୍କ ମଧ୍ୟରେ ରହିଛନ୍ତି ୩୯ ଜଣ ଝିଅ ।

ମସରତ ଆଲମର ସଙ୍ଗଠନ ବ୍ୟାନ୍‌, ଆତଙ୍କବାଦୀ କାର୍ଯ୍ୟକଳାପକୁ ପାକିସ୍ତାନ ସହ ଥିଲା ଲିଙ୍କ୍‌

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ତଥା ଦେଶ ବିରୋଧୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବା ଅଭିଯୋଗରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ UAPA ଲାଗୁ କରିଛନ୍ତି । ଏହାରି ମଧ୍ଯରେ ‘ମୁସଲିମ ଲିଗ୍ ଜାମ୍ମୁ କାଶ୍ମୀର (ମସରତ ଆଲାମ ଦଳ) / MLJK-MA ଉପରେ ପ୍ରତିବନ୍ଧକ ଲଗାଇଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନିଜେ ଟୁଇଟ୍ କରି ମୁସଲିମ ଲିଗ୍ ଜାମ୍ମୁ କାଶ୍ମୀର ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ଜମ୍ମୁ କାଶ୍ମୀରର ସ୍ଥିତିକୁ ସୁଧାରିବା ପାଇଁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି  ।

ମସରତ ଆଲାମ କିଏ ?

ମସରତ ଆଲାମ ୧୯୭୧ ମସିହାରେ ଶ୍ରୀନଗରର ଜାଇନ୍ଦର ମୋହଲ୍ଲା ହବବାକଡାଲରେ ଜନ୍ମଗ୍ରହଣ କରିଥିଲା। ଅର୍ଥାତ୍ ୯୦ ଦଶକରେ କାଶ୍ମୀର ଉପତ୍ୟକାର ଆଦର୍ଶରେ ବହୁ ପରିମାଣରେ ପ୍ରଭାବିତ ହେବା ସହ କାଶ୍ମୀରରେ ବନ୍ଧୁକ ସଂସ୍କୃତିର ସମର୍ଥକ ଥିଲା ମସରତ।

୧୯୯୦ ରେ ଶ୍ରୀନଗରରେ ତତ୍କାଳୀନ ଆତଙ୍କବାଦୀ କମାଣ୍ଡର ମୁଶତାକ୍ ଅହମ୍ମଦଙ୍କ ସହଯୋଗୀ ହୋଇଥିବାରୁ ମସରତ ଆଲାମ ଭଟ୍ଟ ପ୍ରଥମେ ବିଏସଏଫ ଗିରଫ କରିଥିଲା। ଏହା ପରେ ମସାରତ ଆଲାମ ମୁକ୍ତ ହେବା ପରେ ତାଙ୍କ ଜେଜେବାପାଙ୍କ ଦୋକାନରେ କାମ କରିବା ଆରମ୍ଭ କରିଥିଲା  । ଏହି ସମୟରେ ମସାରତ କାଶ୍ମୀର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲା।

୧୯୯୯ରେ ମସରତ  ଅଲ୍ଟ ପାର୍ଟି ହୁରିୟତ ସମ୍ମିଳନୀରେ ସିଧାସଳଖ ଯୋଗ ଦେଇଥିଲା  । ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହା ଗିଲାନିଙ୍କ ଦ୍ୱାରା ଏହି ସଂଗଠନ ପରିଚାଳିତ ହେଉଥିଲା  । ହୁରିୟତ କର୍ମକର୍ତ୍ତା ଭାବରେ କାମ ଆରମ୍ଭ କରିବା ପରେ ମସରତ ବିଚ୍ଛିନ୍ନତାବାଦୀ ନେତା ସୟଦ ଅଲି ଶାହ ଗିଲାନୀଙ୍କ ସହାୟତାରେ ସ୍ୱୀକୃତି ଲାଭ କରିଥିଲା।

ସୈଇଦ ଅଲ୍ଲୀଶାହ ଗିଲାନୀଙ୍କ ମୃତ୍ୟୁ ପରେ ୨୦୨୧ରେ ହୁରିଅତ କନଫରେନ୍ସର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିଲା  । ଲଗାତାର ଭାରତ ବିରୋଧୀ ବୟାନ ଓ ପାକିସ୍ତାନ ସମର୍ଥିତ ଗତିବିଧି ପାଇଁ ସେ ଚର୍ଚ୍ଚାରେ ରହୁଥିଲା  । ପ୍ରାୟ ଏକ ଦଶକରୁ ସେ ଜମ୍ମୁ କାଶ୍ମୀର ମୁସଲିମ ଲିଗ ସଙ୍ଗଠନ ଚଲାଉଛି  ।

 

 

ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ

ସତ୍ୟବାଦୀ: ଖୁବଶୀଘ୍ର ଲୋକାର୍ପଣ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପରେ ସତ୍ୟବାଦୀରେ ଓଡ଼ିଆ ବିଶ୍ବବିଦ୍ୟାଳୟ ଭେଟିଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ନିର୍ମାଣ କାମ ଜୋରସୋରରେ ଚାଲିଥିବାବେଳେ ଗ୍ରାଉଣ୍ଡକୁ ଯାଇ ସମୀକ୍ଷା କରିଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆସନ୍ତା ୧୫ ଜାନୁଆରୀ ଭିତରେ କାମ ସାରିବାକୁ କାର୍ତ୍ତିକ ପାଣ୍ଡିଆନ ନିର୍ଦ୍ଦେଶ ଦେଇଛନ୍ତି । ୮.୬ ଏକର ଜାଗାରେ ପ୍ରଥମ ପର୍ଯ୍ୟାୟ କାମ ଚାଲିଛି । ଆଉ ୬ ଏkର ଜାଗା ଦେବାକୁ ଆମେ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ । ଓଡ଼ିଆ ବିଶ୍ବବିଦ୍ୟାଳୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ବପ୍ନର ପ୍ରୋଜେକ୍ଟ । ସତ୍ୟବାଦୀ ବନ ବିଦ୍ୟାଳୟ ନିକଟରେ ନିର୍ମାଣ କରାଯାଉଛି ।

ଆସନ୍ତା ଜାନୁଆରୀ ମାସ ଶେଷ ଆଡ଼କୁ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିବେ । ଓଡ଼ିଆ ଭାଷାର ଗବେଷଣା ପାଇଁ ଏହି ବିଶ୍ବବିଦ୍ୟାଳୟ ଏକ ଉକ୍ତୃଷ୍ଟ ସ୍ଥାନ ହେବାକୁ ଯାଉଛି ।

କ୍ଷତିପୂରଣ ରାଶି ପାସ୍‌ କରାଇ ଦେବା ପାଇଁ ଲାଞ୍ଚ ନେଉଥିଲେ କିରାଣୀ, ମାଡିବସିଲା ଭିଜିଲାନ୍ସ

ଯାଜପୁର: ୧୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ ବରିଷ୍ଠ କିରାଣୀ। ଯାଜପୁର ଜିଲ୍ଲା ମୁଖ୍ୟାଳୟର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଓ ଜିଲ୍ଲା ମଙ୍ଗଳ ବିଭାଗ କାର୍ଯ୍ୟରତ ଭାରାପ୍ରାପ୍ତ ବରିଷ୍ଠ କିରାଣୀ ସୁବ୍ରତ କୁମାର କାନୁନଗୋ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଅନୁସୂଚିତ ଜାତି ଓ ଜନଜାତି ଅନୁକମ୍ପା ଅର୍ଥ ବିଲ୍ ପାସ କରାଇ ଦେବାକୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ। ଟୁନିଆ ଜେନା ନାମକ ଜଣେ ମହିଳାଙ୍କ ଠାରୁ ସରକାରଙ୍କ ପକ୍ଷରୁ ଜିଲ୍ଲା ମଙ୍ଗଳ ବିଭାଗ ନିକଟକୁ ୭୫ ହଜାର ଟଙ୍କାର କ୍ଷତିପୂରଣ ଅନୁକମ୍ପା ଅର୍ଥରାଶି ଆସିଥିଲା। ତେବେ ଏହାକୁ ପାସ କରାଇବା ପାଇଁ କିରାଣୀ ୨୫ ହଜାର ଦାବି କରିଥିଲେ।

ପୂର୍ବରୁ ୧୫ ହଜାର ନେଇଥିବା ବେଳେ ଆଜି ୧୦ ହଜାର ଦାବି କରିଥିଲେ। ଯୋଜନା ମୁତାବକ ଟଙ୍କା ନେଉଥିବାବେଳେ ଯାଜପୁର ଭିଜିଲାନ୍ସ ଟିମ ଚଢ଼ାଉ କରି ତାଙ୍କୁ ଗିରଫ କରିଛି।

ଭାରତ ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ: କେଏଲ ରାହୁଲଙ୍କ ଶତକ, ୨୪୫ ରନ୍‌ରେ ଅଲଆଉଟ

କେପଟାଉନ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ସେଞ୍ଚୁରିଆନରେ ଖେଳା ଯାଉଛି  । ଟସ୍‌ ହାରିବା ପରେ ପ୍ରଥମେ ବ୍ୟାଟିଂ କରି ଟିମ୍‌ ଇଣ୍ଡିଆ ୨୪୫ ରନ୍‌ ଖେଳିପାରିଛି  । ଭାରତୀୟ ଟିମ୍‌ ଦ୍ବିତୀୟ ଦିନରେ ୮ ୱିକେଟରେ ୨୦୮ ରନ୍‌ରେ ଖେଳ ଆରମ୍ଭ କରିଥିଲା  । ଟିମ ଇଣ୍ଡିଆର ୱିକେଟ କିପର କେଏଲ ରାହୁଲ ୧୩୭ ବଲ୍‌ରେ ୧୦୧ ରନ ସଂଗ୍ରହ କରିଛନ୍ତି  । ୧୪ଟି ଚଉକା ଓ ୪ ଛକାରେ ଶତକ କରିଛନ୍ତି ରାହୁଲ  ।

ସେପଟେ ସାଉଥ ଆଫ୍ରିକାର କଗୋସି ରବାଡା ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି  । ରବାଡା ୨୦ ଓଭରରେ ୫୯ ରନ୍‌ ଦେଇ ୫ ଟି ୱିକେଟ ନେଇଛନ୍ତି  । ପ୍ରଥମ ଟେଷ୍ଟ ଖେଳୁଥିବା ନଗେନ୍ଦ୍ର ବର୍ଗର ୩ ୱିକେଟ ନେଇଛନ୍ତି  । ମାର୍କୋ ୟନସେନ ଓ ଗେରାଲ୍ଡ କୋଏଟଜଙ୍କୁ ଗୋଟିଏ ଗୋଟିଏ ସଫଳତା ମିଳିଛି  ।

ଆଜି ଟିମ ଇଣ୍ଡିଆକୁ ପ୍ରଥମ ଝଟକା ୨୩୮ ରନ୍‌ରେ ମିଳିଛି  । ମହମ୍ମଦ ସିରାଜ ୨୨ ବଲ୍‌ରେ ୫ ରନ୍‌ କରି ଗେରାଲ୍ଡ କୋଏଟଜେଙ୍କ  ବଲରେ ଆଉଟ ହୋଇଥିଲେ  । ପ୍ରଥମ ଦିନରେ କେଏଲ ରାହୁଲ ୭୦ ରନ୍‌ କରି ଅପରାଜେୟ ରହିଥିଲେ  । ଆଜି ଏହି ଖେ୍‌ଳାଳୀ ଶତକ ଛୁଇଁବା ପରେ ନନ୍ଦ୍ର ବର୍ଗରଙ୍କ ବଲ୍‌ରେ ପାଭିଲିଅନ ଫେରିଛନ୍ତି  । ରାହୁଲଙ୍କ ବ୍ୟତୀତ ଅନ୍ୟ ଭାରତୀୟ ଖେଳାଳୀ ଅର୍ଦ୍ଧଶତକ ମଧ୍ୟ ଛୁଇଁ ପାରିନାହାନ୍ତି  । ବିରାଟ କୋହଲିଙ୍କ ୩୮ ରନ୍‌ର ଯୋଗଦାନ ରହିଚଇ  । କିନ୍ତୁ ରାହୁଲ ଲୋଅର ଅର୍ଡର ବ୍ୟାଟ୍‌ସମ୍ୟାନଙ୍କ ସହ ମିଶି ଟିମ ଇଣ୍ଡିଆର ସ୍କୋର ୨୪୫ ରନରେ ପହଞ୍ଚିଥିଲା  ।

 

RBI ଅଫିସ ଉଡାଇଦେବାକୁ ଇମେଲ୍‌ରେ ଧମକ, ଗୁଜୁରାଟରୁ ୩ ଗିରଫ

ମୁମ୍ବାଇ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇକୁ ମାଡି ଆସୁଛି ବିପଦ  । ଦିନକ ପୂର୍ବରୁ RBI ଅଫିସ୍‌କୁ ଉଡାଇଦେବା ପାଇଁ  ଧମକ ଦେଇଥିଲେ। ଇମେଲରେ ଧମକ ମିଳିବା ପରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ୩ ଜଣଙ୍କୁ ଗିରଫ କରିଛି  । ଗୁଜୁରାଟର ବରୋଦରାରୁ ତିନି ଜଣଙ୍କୁ ଗିରଫ କରି ମୁମ୍ବାଇ ଅଣାଯାଉଛି  । ସେଠାରେ ସେମାନଙ୍କୁ ପଚରା ଉଚୁରା କରାଯିବ  ।

ତିନି ଅଭିଯୁକ୍ତ RBIକୁ ମେଲ୍‌ ପଠାଇ ୧୧ଟି ସ୍ଥାନରେ ବିସ୍ଫୋରଣ କରିବା ପାଇଁ ଧମକ ଦେଇଛନ୍ତି  । ଧମକ ପଛର କାରଣ ସ୍ପଷ୍ଟ ହୋଇନାହିଁ  । ଇମେଲରେ RBIର ନୂଆ କାର୍ଯ୍ୟାଳୟ, ଚର୍ଚ୍ଚଗେଟରେ ଥିବା HDFC ଓ ବାନ୍ଦ୍ରା କୁର୍ଲା କ୍ୟାମ୍ପସରେ ଥିବା ICICI ବ୍ୟାଙ୍କରେ ବୋମା ବିସ୍ଫୋରଣ ପାଇଁ ଧମକ ଦିଆଯାଇଛି।

ଇମେଲ ପଠାଇଥିବା ବ୍ୟକ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ନିଜ ପଦରୁ ଇସ୍ତଫା ଦେବା ପାଇଁ ଚେତାବନୀ ଦେଇଛନ୍ତି  ।ସେହିପରି ବ୍ୟାଙ୍କିଂ ଦୁର୍ନୀତିର ଏକ ବିସ୍ତୃତ ବିବୃତ୍ତି ଦେବାପାଇଁ ଇମେଲରେ ଉଲ୍ଲେଖ ଅଛି  ।