ପୁରୀ: ଶ୍ରୀକ୍ଷେତ୍ର ପୁରୀ ବଳିଆପଣ୍ତା ସ୍ଥିତ ଗୌରବିହାର ମାତାମଠରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ ୮୫୧ ପ୍ରକାର ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇ ଭୋଗ କରାଯାଇଛି । ପବିତ୍ର ବ୍ୟଞ୍ଜନ ଦ୍ବାଦଶୀରେ ଶ୍ରୀରାଧାକୃଷ୍ଣଙ୍କ ଦର୍ଶନ କରିବା ସହ ବ୍ୟଞ୍ଜନ ସେବନ କରି ପରମ ତୃପ୍ତି ଲାଭ କରିଛନ୍ତି ଶ୍ରଦ୍ଧାଳୁ। ଏଥିପାଇଁ ମାତା ମଠରେ ଦିନ ତମାମ ଲାଗିଥିଲା ଗହଳି। ଦୀର୍ଘବର୍ଷ ଧରି ଗୌରବିହାର ମାତା ମଠରେ ମାର୍ଗଶୀର ଶୁକ୍ଳ ଦ୍ୱାଦଶୀକୁ ବ୍ୟଞ୍ଜନ ଦ୍ୱାଦଶୀ ଭାବେ ପାଳନ କରାଯାଇଆସୁଛି। ଦ୍ୱାପର ଯୁଗର ଲୋକକଥା ଓ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ପାଇଁ ବ୍ୟଞ୍ଜନ ଦ୍ୱାଦଶୀକୁ ଭକ୍ତି ଓ ନିଷ୍ଠାର ସହ ପାଳନ କରାଯାଇଛି। ବିଶେଷ କରି ଗୌଡ଼ୀୟ ବୈଷ୍ଣବଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନରେ ବ୍ୟଞ୍ଜନ ଦ୍ୱାଦଶୀ ପାଳନ କରାଯାଇଥାଏ। ଦ୍ୱାପର ଯୁଗରେ ମା ଯଶୋଦା ସ୍ନେହ, ଶ୍ରଦ୍ଧାର ସହ ଏହି ବ୍ୟଞ୍ଜନ ଦ୍ଵାଦଶୀ ତିଥିରେ ନାନାଦି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଖାଇବା ଦେଇଥିଲେ । ଏହି ପରମ୍ପରା ସ୍ମୃତିକୁ ଉଜିବିତ କରି ରଖିଛନ୍ତି ବୈଷ୍ଣବ ଗୌଡ଼ୀୟ ମାନେ । ଗଞ୍ଜାମ, ଗଜପତି, ପୁରୀ ତଥା ପଶ୍ଚିମବଙ୍ଗର ବହୁ ଶ୍ରଦ୍ଧାଳୁ ମାନେ ଆଶ୍ରମରେ ବହୁବିଧି ବ୍ୟଞ୍ଜନ ପ୍ରସ୍ତୁତ କରିବା ସହ ଶ୍ରକୃଷ୍ଣଙ୍କ ଉଦ୍ଧେଶ୍ୟରେ ସମର୍ପଣ ମନୋଭାବ ରଖି ଏହି କାର୍ଯ୍ୟ କରିଥାନ୍ତି । ପ୍ରସାଦ ଲାଗି ପରେ ସ୍ୱତନ୍ତ୍ର ପତ୍ରରେ ସମ୍ମିଳିତ ଭାବେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥାନ୍ତି। ଉଭୟ ମହିଳା ଓ ପୁରୁଷ ଭକ୍ତ ମାନେ ପରିବା କଟାକଟି ଓ ରୋଷେଇ କାର୍ଯ୍ୟରେ ଲାଗିଥିଲେ। ରୋଷେଇ ପାଇଁ ବ୍ୟବହୃତ ହୋଇଥିଲା ୨୦ଟି ଚୁଲି ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ ପାଇଁ ଦେଶର ସବୁ ଦେବାଦେବୀ ପୀଠକୁ ଯିବ ନିମନ୍ତ୍ରଣ ପତ୍ର
ଭୁବନେଶ୍ବର: ଆସନ୍ତା ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ହେବ ଶୁଭ ଉଦଘାଟନ ହେବ । ଏହି କାର୍ଯ୍ୟକ୍ରମକୁ ଅତ୍ୟନ୍ତ ଭବ୍ୟ ଭାବରେ ସମ୍ପାଦନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଶର ବିଭିନ୍ନ ଦେବପୀଠ ଓ ଧାର୍ମିକ ଗୁରୁମାନଙ୍କୁ କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ କରାଯିବ । ୨୬ ତାରିଖରୁ ଦେଶର ପ୍ରମୁଖ ଦେବପୀଠକୁ ନିମନ୍ତ୍ରଣ ପଠାଯିବା ପାଇଁ ପ୍ରଶାସନ ପ୍ରକ୍ରିୟା ଆରମ୍ଭ କରିଛି । ପୁରୀଠାରେ ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ, ଶ୍ରୀମନ୍ଦିର କର୍ତ୍ତୃପକ୍ଷ, ଛତିଶା ନିଯୋଗ ଓ ସେବାୟତଙ୍କ ଉପସ୍ଥିତିରେ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୮ ତାରିଖ ସକାଳୁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ନିକଟରୁ ୨୩ଟି ଗାଡ଼ିରେ ନିମନ୍ତ୍ରଣର ବାର୍ତ୍ତା ନେଇ ପ୍ରତିନିଧିମାନେ ଯାତ୍ରା ଆରମ୍ଭ କରିବେ ।
୧୩ଟି ଗାଡ଼ି ରାଜ୍ୟ ମଧ୍ୟରେ ବିଭିନ୍ନ ପ୍ରମୁଖ ଦେବପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ବାହାରିବେ । ସେହିପରି ୧୭ଟି ଗାଡ଼ି ରାଜ୍ୟ ବାହାରକୁ ଯାତ୍ରା କରିବ । ପ୍ରଥମ ନିମନ୍ତ୍ରଣ ପତ୍ର ଭୁବନେଶ୍ୱରରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କୁ ପ୍ରଦାନ କରାଯିବ। ସେବକମାନେ ଲିଙ୍ଗରାଜଙ୍କୁ ନିମନ୍ତ୍ରଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପରିକ୍ରମା କାର୍ଯ୍ୟକ୍ରମରେ ଯୋଗ ଦେବା ନିମନ୍ତେ ନିମନ୍ତ୍ରଣ ପତ୍ର ପ୍ରଦାନ କରିବେ। ଏହାପରେ ବିଭିନ୍ନ ଦଳଗୁଡ଼ିକ ନିଜ ଗନ୍ତବ୍ୟସ୍ଥଳ ଉଦ୍ଦେଶ୍ୟରେ ଯାତ୍ରା କରିବେ। ରାଜ୍ୟ ମଧ୍ୟରେ ଚିଲିକା, ଖଲିକୋଟ, କୋଦଳା ଅଞ୍ଚଳକୁ ପ୍ରଥମ ଦଳ ଯାତ୍ରା କରିବ।
ଦ୍ୱିତୀୟ ଦଳ ପୁରୀ, ଜଗତ୍ସିଂହପୁର ଓ କେନ୍ଦ୍ରାପଡ଼ା, ତୃତୀୟ ଦଳ ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ୪ର୍ଥ ଦଳ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡ଼ା, ପଞ୍ଚମ ଦଳ ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, ଷଷ୍ଠ ଦଳ ସମ୍ବଲପୁର ଝାରସୁଗୁଡ଼ା, ସୁନ୍ଦରଗଡ଼, ସପ୍ତମ ଦଳ କନ୍ଧମାଳ, ବୌଦ୍ଧ, ସୋନପୁର, ଅଷ୍ଟମ ଦଳ ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ନବମ ଦଳ ବଲାଙ୍ଗୀର, ନୂଆପଡ଼ା, ବରଗଡ଼, ଦଶମମ ଦଳ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ୧୧ତମ ଟିମ୍ ଗଞ୍ଜାମ, ଗଜପତି, ରାୟଗଡ଼ା, ଦ୍ୱାଦଶ ଟିମ୍ ଦାରୁକ୍ଷେତ୍ର ପୁରୀ, କାକଟପୁର, ଖୋର୍ଦ୍ଧା, ଜଗତସିଂହପୁର, ସାଲେପୁର ଓ ୧୩ତମ ଟିମ୍ ଦାରୁକ୍ଷେତ୍ର ଦଧିମାଛଗଡ଼ିଆ, ଅସ୍ତରଙ୍ଗ, ନିଆରି, ରାୟଚକ୍ରଧରପୁର ଓ ଢ଼େଲାଙ୍ଗରେ ବିଭିନ୍ନ ଦେବାଦେବୀ ପୀଠ, ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ କରିବାକୁ ଯିବେ। ଅନୁରୂପ ଭାବରେ ରାଜ୍ୟ ବାହାରେ ନୂଆଦିଲ୍ଲୀର ହଜଖାସ ଶ୍ରୀଜଗନ୍ନାଥ ମନ୍ଦିର, ମଥୁରା, ବୃନ୍ଦାବନ, ମୁମ୍ବାଇର ସିଦ୍ଧିବିନାୟକ ମନ୍ଦିର, ଜଗନ୍ନାଥ ମନ୍ଦିର, ଭୀମାଶଙ୍କର ଜ୍ୟୋର୍ତିଲିଙ୍ଗ, ତ୍ରୟମ୍ବକେଶ୍ୱର ଜ୍ୟୋର୍ତିଲିଙ୍ଗ, ଘୃଣେଶ୍ୱର ଜ୍ୟୋତିର୍ଲିଙ୍ଗ, ତିରୁପତି ବାଲାଜୀ, ପଦ୍ମାବଦୀ ମନ୍ଦିର, ତିରୁପତି ବିଶ୍ୱବିଦ୍ୟାଳୟ ଜଗନ୍ନାଥ ମନ୍ଦିର, କାଞ୍ଚିପୁରମ୍ କାମାକ୍ଷୀ ଦେବୀ ମନ୍ଦିର, ରାମେଶ୍ୱରମ୍, ମଦୁରାଇ ମିନାକ୍ଷୀ ମନ୍ଦିର, ଚେନ୍ନାଇ ଜଗନ୍ନାଥ ମନ୍ଦିର, ବଦ୍ରନାଥ, କେଦାରନାଥ, ଯୋଶୀମଠ, ଉତ୍ତରକାଶୀ ଜଗନ୍ନାଥ ମନ୍ଦିର, ଦ୍ୱାରକାରେ ଦ୍ୱାରକାଧୀଶ, କେଦାରନାଥ, ନାଗେଶ୍ୱର ଜ୍ୟୋତିର୍ଲିଙ୍ଗ, ସୁରତ୍ ଓ ଜମାଲପୁର ଜଗନ୍ନାଥ ମନ୍ଦିର, କାଶୀ ବିଶ୍ୱନାଥ, ଅଯୋଧ୍ୟା ମନ୍ଦିର, ଚିତ୍ରକୂଟ, ବୈଷ୍ଣୋଦେବୀ, ଅମରନାଥ ମନ୍ଦିର, ରଘୁନାଥ ମନ୍ଦିର, ନେପାଳର ପଶୁପତିନାଥ, ଶକ୍ତିପୀଠ, ସିଂହାଚଳମ୍, ପଦ୍ମନାଭ ସ୍ୱାମୀ ମନ୍ଦିର, ସାବରୀମାଳା, ଗୁରୁନାରାୟଣ, ମହାକାଳେଶ୍ୱର, ଓଁକାରେଶ୍ୱର, ବଡ଼ଧାମ, କାଳିଘାଟ, ଦକ୍ଷିଣେଶ୍ୱର କାଳୀପୀଠ, ତାରାପୀଠ, ଚାମୁଣ୍ଡେଶ୍ୱରୀ ମନ୍ଦିର ସହ ଦେଶର ପ୍ରମୁଖ ଜଗନ୍ନାଥ ମନ୍ଦିରକୁ ନିମନ୍ତ୍ରଣ ପାଇଁ ଟିମ୍ ଗଠନ କରାଯାଇଥିବା ସୂଚନା ମିଳିଛି।
ବର୍ଷକୁ ୨ କୋଟି ନିଯୁକ୍ତି ଗଲା କୁଆଡ଼େ ?
ନନ୍ଦିଘୋଷ ବ୍ୟୁରୋ: ବିଦ୍ୟୁତ ଚାଳିତ ଯାନ ବା ଇଭିର ଭବିଷ୍ୟତ ରହିଛି । କିନ୍ତୁ ଭାରତରେ ଏ ପର୍ଯ୍ୟନ୍ତ ଇଭି ଯାନ ସାଧାରଣ ଲୋକଙ୍କ ସାମର୍ଥ୍ୟ ବାହାରେ । ଦେଶର ଇଭି ଟେକ୍ନୋଲୋଜି ଏ ପର୍ଯ୍ୟନ୍ତ ବିଶ୍ବସ୍ତରୀୟ ଷ୍ଟାଣ୍ଡାର୍ଡ ହାସଲ କରିପାରିନି । ହେଲେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ଦାବି, ୨୦୩୦ ସୁଦ୍ଧା ଇଭି ଶିଳ୍ପରେ ସୃଷ୍ଟି ହେବ ୫ କୋଟି ନିଯୁକ୍ତି । କେନ୍ଦ୍ର ସରକାରଙ୍କ ଏପରି ଦାବିକୁ ନାପସନ୍ଦ କରିଛନ୍ତି ପେଟ୍ରୋଲିୟମ୍ ଡିଲର୍ସ୍ ଆସୋସିଏସନ୍ ଓ ବିରୋଧୀ । ଗରିବ ଓ ମଧ୍ୟବିତ୍ତ ଯେପରି ଏହାକୁ ସୁଲଭ ଦରରେ ପାଇବେ ସେ ନେଇ ବ୍ୟବସ୍ଥା ହୋଇପାରିନି ।
ବର୍ଷକୁ ୨ କୋଟି ନିଯୁକ୍ତି ଗଲା କୁଆଡ଼େ ? ୨୦୧୪ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦାବି କେତେ ପୂରଣ ହୋଇଛି ? ବିରୋଧୀଙ୍କ ଅଭିଯୋଗ ଜୁମ୍ଲାବାଜିରେ ଏ କେନ୍ଦ୍ର ସରକାରଙ୍କୁ କେହି ପାରିନାହାଁନ୍ତି । ଏବେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରାଳୟର ଦାବି, ଇଭି ଉତ୍ପାଦନରେ ଭାରତ ବିଶ୍ବରେ ହେବ ଏକ ନମ୍ବର । ୨୦୩୦ ବେଳକୁ ଦେଶର ଇଭି ଶିଳ୍ପ ୫ କୋଟି ଲୋକଙ୍କୁ ନିଯୁକ୍ତି ଦେବ । ପ୍ରଦୂଷଣ ହ୍ରାସ ପାଇଁ ଇଭି ଯାନ ବ୍ୟବହାର ସମସ୍ତେ ଚାହାଁନ୍ତି । କିନ୍ତୁ ଏବେସୁଦ୍ଧା ଇଭି ଯାନଟିଏ କିଣିବାକୁ ସାଧାରଣ ଲୋକଟିଏ ସକ୍ଷମ ହେଲାଣି କି?
ବାସ୍ତବତା ହେଉଛି, ଅନ୍ୟୁନ ଲକ୍ଷେ ଟଙ୍କା ତଳକୁ ଦୁଇଚକିଆ ଇଭି ଯାନଟିଏ ବଜାରରେ ମିଳୁନି । ନୂଆ ବ୍ୟାଟେରି କିଣିବାକୁ ହେଲେ ୪୦ ହଜାର ଟଙ୍କା ପଡ଼ୁଛି । ଯାହା ସାଧାରଣ ଲୋକଟି ପକ୍ଷେ ଖର୍ଚ୍ଚ କରିବା ସମ୍ଭବ ନୁହେଁ । ଇଭି ଯାନ ରିଚାର୍ଜ ପାଇଁ ଏ ପର୍ଯ୍ୟନ୍ତ ସର୍ବଭାରତୀୟସ୍ତରରେ ପର୍ଯ୍ୟାପ୍ତ ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ହୋଇନି । ଶକ୍ତି ଉତ୍ପାଦନ ପାଇଁ ଏବେ ବି ତାପଜ ବିଦ୍ୟୁତ ଉତ୍ପାଦନ ଉପରେ ନିର୍ଭର କରିବାକୁ ପଡୁଛି । ଇଭି ଯାନ ପ୍ରଚଳନ ହେଲେ ବି ପେଟ୍ରୋଲ-ଡିଜେଲ ଚାଳିତ ଇଞ୍ଜିନ ପ୍ରସ୍ତୁତ କରୁଥିବା କମ୍ପାନୀ କେତେ ଉତ୍ପାଦନ ହ୍ରାସ କରିବେ ତାର ଆକଳନ ହୋଇନି । ପାରମ୍ପରିକ ଗାଡ଼ି ପ୍ରସ୍ତୁତ କରୁଥିବା କମ୍ପାନୀରୁ ନିଯୁକ୍ତି ହ୍ରାସ କଣ ବେକାରୀ ସୃଷ୍ଟି କରିବନି କି ? ଏପରି ବାସ୍ତବ ସମସ୍ୟାକୁ ଅନୁଧ୍ୟାନ ନ କରି ଇଭି ଶିଳ୍ପରେ ବ୍ୟାପକ ନିଯୁକ୍ତି ଦାବି କରିବା କେତେଦୂର ଯଥାର୍ଥ ?
ଦେଶରେ କାଁ ଭାଁ ଥିଲାବାଲା ଲୋକ ଇଭି ଯାନ କିଣିବାରେ ସମର୍ଥ ହୋଇପାରୁଛନ୍ତି । ଏତେବଡ଼ ଦେଶରେ ଏଯାଏଁ ମାତ୍ର ୩୪ ଲକ୍ଷ ୫୪ ହଜାର ଇଭି ଗାଡ଼ି ପଞ୍ଜୀକରଣ ହୋଇଛି । ୨୦୧୪ ମସିହାରୁ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର କ୍ଷମତାକୁ ଆସିବା ପରଠୁ ଦେଶରେ ବାର୍ଷିକ ୨ କୋଟି ନିଯୁକ୍ତି ମିଳିବ ବୋଲି ଘୋଷଣା କରିଥିଲେ । କିନ୍ତୁ ବେରୋଜାଗାରୀ ରେକର୍ଡ ଛୁଇଁଛି । ଦରଦାମ ବୃଦ୍ଧିରେ ଖାଉଟି ଅଣନିଃଶ୍ବାସୀ । କେନ୍ଦ୍ର ସରକାର କାହିଁକି ଏପରି ଦାବି କରି ଦେଶବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।
ବାୟୁମଣ୍ଡଳରୁ ସବୁଜ ଗୃହ ବାଷ୍ପ ପ୍ରଭାବ କମ୍ କରିବାକୁ ହେଲେ ଆମକୁ ବହୁଳ ମାତ୍ରାରେ ଇଲେକ୍ଟ୍ରିକ୍ ଯାନ ଆପଣାଇବାକୁ ପଡ଼ିବ । ଗରିବ, ନିମ୍ନମଧ୍ୟବିତ୍ତ, ମଧ୍ୟବିତ୍ତ ଯେପରି ଇଭି ଯାନ କିଣିପାରିବେ ସେ ନେଇ କେନ୍ଦ୍ର ସରକାର ଗୁରୁତ୍ବ ଦେଲେ ଆଗାମୀ ଦିନରେ ଭାରତରେ ବାୟୁ ପ୍ରଦୂଷଣ ହ୍ରାସ ପାଇବ ସହ ପରୋକ୍ଷରେ ନିଯୁକ୍ତି ବଢିବ।
ପ୍ରେରଣାର ଅନ୍ୟନାମ ଜୟନ୍ତୀ
ବାଲେଶ୍ବର: ସାମାଜିକ ଗଣମାଧ୍ୟମ ଓ ଟେଲିଭିଜନରେ ଆପଣ ଅନେକ ରୋଷେଇ କରୁଥିବା ଲୋକଙ୍କୁ ଦେଖିଛନ୍ତି । ହେଲେ ଆଜି ଆମେ ଆପଣଙ୍କୁ ଏକ ନିଆରା ମଣିଷଙ୍କୁ ଭେଟାଇବୁ ଯିଏ ଗତ ୪ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରୁଛନ୍ତି । ତଥାପି ମାନସିକ ସ୍ତରରେ ଦୁର୍ବଳ ନହୋଇ ରୋଷେଇ ଘରେ ସମୟ କାଟୁଛନ୍ତି । ଆଉ ଅନ୍ଲାଇନ୍, ଅଫ୍ଲାଇନ୍ରେ ଲୋକଙ୍କୁ ଖାଇବା ଯୋଗାଇ ହୋଇଛନ୍ତି ସ୍ବାବଲମ୍ବୀ । ସେ ହେଉଛନ୍ତି ବାଲେଶ୍ବରର ଜୟନ୍ତୀ ପତି ।
ସକାଳ ହେଲେ ଫୋନ୍ ବାଜୁଛି । ଅନ୍ଲାଇନ୍, ଅଫ୍ଲାଇନ୍ରେ ଆସୁଛି ଅର୍ଡ଼ର । କିଏ ପିଜା ପାଇଁ ଅର୍ଡ଼ର କରୁଛନ୍ତି ତ କିଏ ରୁଟି, ତରକାରୀ । ପନିର ମସଲା, ପିଠା, ପଣା ପାଇଁ ଆସୁଛି ବରାଦ୍ । ଠିକ୍ ସମୟରେ ଲୋକଙ୍କୁ ବରାଦ୍ ଅନୁସାରେ ଖାଇବା ଯୋଗାଇ ଦେଉଛନ୍ତି । ଆଉ ସେଥିପାଇଁ ତାଙ୍କୁ ଟଙ୍କା ତ ମିଳୁଛି । ହେଲେ ଏହି ଅର୍ଡ଼ର ତାଠୁ ଅଧିକ ସହଯୋଗ କରୁଛି ତା ସହ ନିଜ ଜୀବନକୁ ଉପଭୋଗ କରିବାର ଖୋରାକ ଯୋଗାଇଛି । ଏହି କର୍ମମୟ ଜୀବନ ଭିତରେ ସେ ଭୁଲିଯାଇଛନ୍ତି ନିଜର ଦୁରାରୋଗ୍ୟ ବ୍ୟାଧିକୁ । କର୍କଟ ରୋଗରେ ଆକ୍ରାନ୍ତ ହୋଇ ବି ଜୀବନରେ ହାରିବା ଶିଖି ନାହାନ୍ତି ବାଲେଶ୍ବରର ଜୟନ୍ତି ପତି । ତାଙ୍କୁ ଏହି କାମରେ ସହଯୋଗ କରନ୍ତି ତାଙ୍କ ସ୍ବାମୀ ।
ଗତ ୪ ବର୍ଷ ଧରି କର୍କଟ ରୋଗରେ ପିଡ଼ିତ ଜୟନ୍ତି । ନିୟମିତ ବ୍ୟବଧାନରେ କେମୋ ନେଉଛନ୍ତି । ଚିକିତ୍ସାରେ ରହି ଔଷଧ ବି ଖାଉଛନ୍ତି । ହେଲେ ତାଙ୍କ ହାବଭାବରୁ ତାହା ବାରିବା କଷ୍ଟ । ନିଜେ ଖୁସି ରହିବା ସହିତ ପରିବାର ଲୋକଙ୍କୁ ମଧ୍ୟ ଖୁସିରେ ରହିବାକୁ ସବୁବେଳେ ଉଦ୍ୟମ କରୁଛନ୍ତି । ପଚରାରିଲେ କୁହନ୍ତି,ଦିନେ ସମସ୍ତେ ଯିବେ, ମୁଁ ବି ଯିବି । ତେବେ ଯେତିକି ସମୟ ବଞ୍ଚିଛି, ଖୁସିରେ ବଞ୍ଚିବିନି କାହିଁକି । ଜୟନ୍ତୀଙ୍କର ଏହି ଚିନ୍ତାଧାରା କର୍କଟ ରୋଗୀଙ୍କ ପାଇଁ ନିଶ୍ଚିତ ପ୍ରେରଣା ଦାୟକ ହେବ ବୋଲି କହନ୍ତି ମନସ୍ତତ୍ତ୍ବବିତ୍ ।

