spot_img
Home Blog Page 25

ବାରଙ୍ଗ ଥାନା ଥାର୍ଡ ଡିଗ୍ରି: ରାକେଶଙ୍କୁ ଫେରାଇବା ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ନନ୍ଦିଘୋଷ ବ୍ୟୁରୋ: ବାରଙ୍ଗ ଥାନାରେ ରାକେଶ ବେହେରାଙ୍କୁ ଥାର୍ଡ ଡିଗ୍ରୀ ଘଟଣା। ପୋଲିସ ମାଡ଼ରେ ରାକେଶ ଅସୁସ୍ଥ ହେବାର ୬ ଦିନ ବିତିଥିଲେ ମଧ୍ୟ ଏବେବି ଜୀବନ ମରଣ ସହ ସଂଘର୍ଷ କରୁଛନ୍ତି ରାକେଶ । ସେପଟେ ନ୍ୟାୟ ଦାବିରେ ପରିବାର ଲୋକେ ଥାନା ଘେରାଉ ସହ ରାସ୍ତା ଅବରୋଧ ମଧ୍ୟ କରିଥିଲେ ।

ଗ୍ରାମବାସୀ ଓ ପରିବାର ଲୋକଙ୍କ ପ୍ରଶ୍ନ ଯେ କାହିଁକି ବିନା ଦୋଷରେ ରାକେଶ ପୋଲିସ ଜଙ୍ଗଲକୁ ନେଇ ମାଡ ମାରିଲା ? ରାକେଶଙ୍କୁ କାହିଁକି ଲୁଚାଉଛି ପୋଲିସ ? କାହିଁକି ରାକେଶକୁ ଦେଖା କରିବାକୁ ଦେଉନି ପୋଲିସ ? ରାକେଶ କୁ ମାଡ ମାରିବାକୁ କିଏ ଦେଇଥିଲା ଅନୁମତି ? ପୋଲିସ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରଶ୍ନ କରିଛନ୍ତି ଲୋକେ ।

ରାକେଶଙ୍କ ପାଖକୁ ବାପାଙ୍କ ଛଡା ଆଉ କାହାକୁ ପୋଲିସ ଯିବାକୁ ଦେଉ ନଥିବା ସହ ପୋଲିସ ଘଟଣାକୁ ଚପାଇ ଦେବାକୁ ପୁଅକୁ ଚାକିରି ଓ ଟଙ୍କା ଯାଚୁଥିବା ନେଇ ବାପା ଓ ମା ଅଭିଯୋଗ କରିଥିଲେ । ଗତକାଲି SCB ରେ ରାକେଶ ଚିକିତ୍ସିତ ହେଉଥିବା ବେଳେ ହଠାତ ପୋଲିସ ପରିବାର ଲୋକଙ୍କୁ ନ ଜଣାଇ ତାଙ୍କୁ ଅନ୍ୟତ୍ର ନେଇଯାଇଥିଲା।

ତେବେ ରାକେଶକୁ ନ୍ୟାୟ ପାଇଁ ପରିବାର ଓ ଗ୍ରାମବାସୀ ଗତକାଲି ଦିନ ୩ ଟାରୁ ରାସ୍ତା ଅବରୋଧ କରିଥିବା ବେଳେ ଚାପା ଉତ୍ତେଜେନା ଦେଖାଦେଇଥିଲା । ଉତ୍ତେଜନା କୁ ନଜର ରଖି ବାରଙ୍ଗ ଥାନା ସମ୍ମୁଖରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ।
ଡିସିପି ପୂର୍ବରୁ ଥାର୍ଡ ଡିଗ୍ରୀ ଘଟଣାରେ ମୁହଁ ଖୋଲୁନଥିବା ବେଳେ ଗତକାଲି କହିଥିଲେ-ରାକେଶଙ୍କୁ ପଚରା ଉଚରା ପାଇଁ ଆଣିଥିଲୁ ଓ ୨୪ ତାରିଖରେ ଛାଡି ଦେଇଥିଲୁ । ପୋଲିସ ପକ୍ଷରୁ କୌଣସି ଥାର୍ଡ ଡିଗ୍ରୀ ହୋଇନାହିଁ। ସେପଟେ ଆଜି ସ୍ଥିତି ଏକ ପ୍ରକାର ସ୍ୱାଭାବିକ ଦେଖିବାକୁ ମିଳିଛି। ତେବେ ଏବେବି ଥାନାକୁ ଘେରି ରହିଛନ୍ତି ପୋଲିସ ଏବଂ ୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି।

ଆସନ୍ତାକାଲିଠୁ ରାଜ୍ୟରେ SIR

0

ନନ୍ଦିଘୋଷ ବ୍ୟୁରୋ : ଆସନ୍ତାକାଲିଠୁ ରାଜ୍ୟରେ ଏସଆଇଆର ଆରମ୍ଭ। ଜୁନ ୨୮ ଯାଏଁ ଚାଲିବ ପ୍ରକ୍ରିୟା। ୩ କୋଟି ୩୩ ଲକ୍ଷ ୯୯ ହଜାର ୫୯୧ ଘର ବୁଲି ଗଣନା କରିବେ ବିଏଲଓ । ଏଥିଲାଗି ୪୫ ହଜାର ୨୫୫ ବ୍ଲକ ଲେବୁଲ ଅଫିସର ନିଯୁକ୍ତି ହୋଇଛନ୍ତି। ଏହା ସହ ୩୧ ହଜାର ୨୬ ବୁଥ ଲେବୁଲ ଏଜେଣ୍ଟ ମଧ୍ୟ ରହିଛନ୍ତି। ପ୍ରତିଦିନ ସନ୍ଧ୍ୟାରେ ୩ ଟାରୁ ୫ ଟା ବୁଥରେ ଉପସ୍ଥିତ ରହିବେ ବିଏଲଓ। ସକାଳେ ଘର ଘର ବୁଲି ସେମାନେ ଗଣନା କରିବେ। ୯୫ ପ୍ରତିଶତ ଅର୍ଥାତ 3 କୋଟି 163 ହଜାର 323 ଜଣ ଭୋଟରଙ୍କ ମ୍ୟାପିଙ୍ଗ ସରିଛି। 17 ପ୍ରତିଶତ ଲଜିକାଲ ଏରର ବାହାରିଛି। ବୟସ ତ୍ରୁଟି, ନାମ ତ୍ରୁଟି ଏବଂ ବାପାଙ୍କ ନାମ ତ୍ରୁଟି ଯୋଗୁଁ ଏରର ଆସୁଛି। ଡୋର ଡୋର ବୁଲିବା ବେଳେ ତାକୁ ସଂଶୋଧନ କରିବେ ବିଏଲଓ। ମ୍ୟାପଙ୍ଗ ସାରିଥିବା ଭୋଟର ନିଜର ଫଟୋ ଦେବେ ଏବଂ ଦସ୍ତଖତ କରିବେ। ଭୋଟର ଚାହିଁଲେ ନୂଆ ଫଟୋ ଦେଇ ପାରିବେ। ସବୁ ଭୋଟରଙ୍କୁ ୨ ଟି ଫର୍ମ ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ, ଆର. ଏସ ଗୋପାଳନ।…

ପରକୀୟା ପ୍ରୀତିର କରୁଣ ପରିଣତି : ବିଦ୍ୟୁତ ପୋଲରେ ବାନ୍ଧିଲା ସ୍ୱାମୀ

ନନ୍ଦିଘୋଷ ବ୍ୟୁରୋ: ଗଞ୍ଜାମ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଏକ ସନ୍ଦେହଜନକ ତଥା ଚାଞ୍ଚଲ୍ୟକର ଘଟଣା, ଯାହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସ୍ୱାମୀ ଥାଉ ଥାଉ ଗାଁର ଅନ୍ୟ ଜଣେ ପୁଅ ସହ ପରକୀୟା ପ୍ରୀତିରେ ଲିପ୍ତ ଥିବା ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଗ୍ରାମବାସୀଙ୍କ ସମ୍ମୁଖରେ ବିଦ୍ୟୁତ୍ ପୋଲରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ହିଞ୍ଜିଳି ଥାନା ଅନ୍ତର୍ଗତ ଆଡ଼ପଡା ପଂଚାୟତ ମୋହିଗୁଡା ଗ୍ରାମରେ ବିଳମ୍ବିତ ରାତିରେ ଏଭଳି ଏକ କଙ୍ଗାରୁ କୋର୍ଟ ଭଳି ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗତକାଲି ରାତିରେ ସ୍ୱାମୀ ଘରେ ନଥିବାର ସୁଯୋଗ ନେଇ ସ୍ତ୍ରୀ ପ୍ରେମିକକୁ ନିଜ ଘରକୁ ଡାକିଥିଲେ। ତେବେ ହଠାତ୍ ସ୍ୱାମୀ ଘରକୁ ଫେରିବା ପରେ ଉଭୟଙ୍କୁ ଘର ଭିତରେ ଏକ ଅସଂଯତ ଅବସ୍ଥାରେ ଦେଖିବାକୁ ପାଇଥିଲେ। ଏଥିରେ ସ୍ୱାମୀଜଣକ କ୍ରୋଧାନ୍ୱିତ ହୋଇ ସ୍ତ୍ରୀ ଏବଂ ତାଙ୍କ ପ୍ରେମିକଙ୍କୁ ଘର ଭିତରୁ ଟାଣିଆଣି ଗାଁ ଦାଣ୍ଡକୁ ଆଣିଥିଲେ।

ସ୍ୱାମୀ ଜଣକ ନିଜ ସ୍ତ୍ରୀ ଓ ପରପୁରୁଷ କୁ ଗାଁ ଦାଣ୍ଡରେ ଥିବା ଏକ ବିଦ୍ୟୁତ ପୋଲରେ ଦଉଡ଼ିରେ ବାନ୍ଧି ଦେଇଥିଲେ। ଏହାପରେ ଉଭୟଙ୍କୁ ଗ୍ରାମବାସୀଙ୍କ ସାମ୍ନାରେ ନିସ୍ତୁକ ମାଡ ମାରିଥିଲେ। ଆଶ୍ଚର୍ଯ୍ୟର କଥା ଏହା ଯେ, ଏହି ସମୟରେ ଗ୍ରାମବାସୀମାନେ କେହି ତାଙ୍କୁ ଅଟକାଇବା ପରିବର୍ତ୍ତେ ତମାସା ଦେଖୁଥିଲେ।

ଏହି ବର୍ବରୋଚିତ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ହିଞ୍ଜିଳି ଥାନା ପୋଲିସର ନଜରକୁ ଆସିଥିଲା। ପୋଲିସ ତୁରନ୍ତ ତତ୍ପରତା ପ୍ରକାଶ କରି ଘଟଣାସ୍ଥଳରେ ପହଞ୍ଚିବା ସହ ସମ୍ପୃକ୍ତ ପ୍ରେମିକକୁ ଗିରଫ କରିଛି। ଏହି ଘଟଣାକୁ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ଅଞ୍ଚଳରେ ଏହି ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଓଡ଼ିଶାରେ ଏଥର କମ୍ ବର୍ଷିବ ମୌସୁମୀ, ସତର୍କ କଲା ଆଇଏମଡି

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ଚଳିତ ବର୍ଷର ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଏଭଳି ଏକ ଚିନ୍ତାଜନକ ସୂଚନା ଦିଆଯାଇଛି। ଆଇଏମଡି ମହାନିର୍ଦ୍ଦେଶକ (DG) ମୃତ୍ୟୁଞ୍ଜୟ ମହାପାତ୍ରଙ୍କ କହିବା ଅନୁଯାୟୀ, ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ଓଡ଼ିଶାରେ ଆବଶ୍ୟକତାଠାରୁ କମ୍ ବର୍ଷା ରେକର୍ଡ କରାଯାଇପାରେ।

ମୌସୁମୀ ସମୟରେ ଏଲନିନୋ ସକ୍ରିୟ ରହିବା କାରଣରୁ ବର୍ଷାର ପରିମାଣ ହ୍ରାସ ପାଇବ।  ଆସନ୍ତା ଜୁନ୍ ମାସରେ ସ୍ୱାଭାବିକଠାରୁ ପ୍ରାୟ ୯୨ ପ୍ରତିଶତ କମ୍ ବର୍ଷା ହେବାର ଆଶଙ୍କା ରହିଛି।  କେବଳ ଓଡ଼ିଶା ନୁହେଁ, ବରଂ ମଧ୍ୟ ଭାରତରେ ମଧ୍ୟ ବର୍ଷାର ପରିମାଣ ପ୍ରାୟ ୯୪ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ସେହିପରି ଉତ୍ତର-ପୂର୍ବ ଭାରତରେ ମଧ୍ୟ ସାମାନ୍ୟ ବର୍ଷା ହେବ।

ବର୍ଷା ଅଭାବରୁ ବର୍ତ୍ତମାନ ଦେଶର ଅଧିକାଂଶ ଭାଗରେ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଓଡ଼ିଶା ସମେତ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରେ ଆଗକୁ ମଧ୍ୟ ହିଟୱେଭ୍ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି। ଗତ ମେ’ ୧୬ ତାରିଖରେ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁ ସାରିଥିଲେ ମଧ୍ୟ ଏଲନିନୋ ପ୍ରଭାବ ଯୋଗୁଁ ଏହାର ଗତିପଥ ଏବଂ ସକ୍ରିୟତା ଉପରେ ପ୍ରଭାବ ପଡ଼ିଛି।

ପଶ୍ଚିମ ଏସିଆରେ ଶାନ୍ତି ପ୍ରକ୍ରିୟା: ଆମେରିକା-ଇରାନ ମଧ୍ୟରେ ୬୦ ଦିନିଆ ଅସ୍ତ୍ରବିରତି ଚୁକ୍ତି!

ନନ୍ଦିଘୋଷ ବ୍ୟୁରୋ: ପଶ୍ଚିମ ଏସିଆରେ ପ୍ରତିଷ୍ଠା ହୋଇପାରେ ଶାନ୍ତି। ୬୦ ଦିନିଆ ଅସ୍ତ୍ରବିରତି ଲାଗି ଉଭୟ ଆମେରିକା ଓ ଇରାନ ରାଜିଥିବା ନେଇ ସୂଚନା ଦେଇଛନ୍ତି ଆମେରିକା ଉପରାଷ୍ଟ୍ରପତି ଜେ.ଡି. ଭାନ୍ସ। ତେବେ ଏହି ରାଜିନାମା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଓ ଇରାନ ସୁପ୍ରିମ ଲିଡର ମୋଜତାବା ଖାମେନେଇଙ୍କ ମଞ୍ଜୁରୀ ଆବଶ୍ୟକ କରୁଛି।

ତେବେ ଏକ ୬୦ ଦିନିଆ ବୁଝାମଣା ଚୁକ୍ତି ସକାଶେ ଉଭୟ ପକ୍ଷ ରାଜିଥିବା କୁହାଯାଇଛି। ଯଦି ଏହି ବୁଝାମଣାକୁ ଟ୍ରମ୍ପ ଓ ଖାମେନେଇଙ୍କ ଗ୍ରୀନ ସିଗନାଲ ମିଳେ ତେବେ ପ୍ରାୟ ୩ ମାସ ଧରି ଚାଲିଆସିଥିବା ଅଚଳାବସ୍ଥା ଦୂର ହୋଇପାରିବ। ପ୍ରସ୍ତାବିତ ରାଜିନାମା ଅନୁସାରେ ଆଉ ଇରାନ ଆଣବିକ କାର୍ଯ୍ୟକ୍ରମ କରିବ ନାହିଁ ବୋଲି ସର୍ତ୍ତ ରହିଛି।

ଇରାନ ନିକଟରେ ଗଚ୍ଛିତ ଥିବା ସମୃଦ୍ଧ ୟୁରାନିୟମ ପ୍ରସଙ୍ଗରେ ଏହି ୬୦ ଦିନ ଭିତରେ ଦୁଇ ପକ୍ଷ ସବିଶେଷ ଆଲୋଚନା କରିବେ। ରାଜିନାମାର ବିଷୟବସ୍ତୁକୁ ଇରାନର ବରିଷ୍ଠ ନେତାମାନେ ସ୍ବୀକୃତି ଦେଇଥିବା କୁହାଯାଇଛି। ତେବେ ଏହି ରାଜିନାମା ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଟ୍ରମ୍ପ କିଛି ଦିନ ସମୟ ନେଇପାରନ୍ତି ବୋଲି କୁହାଯାଇଛି।

ତେବେ ଏହି ରାଜିନାମା ଅନୁସାରେ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ କଟକଣା ହଟାଇବା ଲାଗି ଦୁଇ ପକ୍ଷ ସହମତ ଥିବା ସୂଚନା ମିଳିଛି। ଏହା ସହ ଜବତ ହୋଇଥିବା ଇରାନର ପାଣ୍ଠିକୁ ମୁକ୍ତ କରାଯିବା ଲାଗି ଆମେରିକା ରାଜିଥିବା କୁହାଯାଇଛି।

ସୋନିଆ-ରାହୁଲଙ୍କୁ ଭେଟିଲେ ସିଦ୍ଦରମୈୟା; ଶିବକୁମାରଙ୍କ ନାଁରେ ଲାଗିପାରେ ମୋହର…

ନନ୍ଦିଘୋଷ ବ୍ୟୁରୋ: କର୍ଣ୍ଣାଟକ ରାଜନୀତିରେ ପୁଣି ଏକ ବଡ଼ ସରଗରମ ଦେଖିବାକୁ ମିଳିଛି, ଯାହାର ଚେର ଏବେ ଦିଲ୍ଲୀ ପର୍ଯ୍ୟନ୍ତ ଲମ୍ବିଛି। ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ହାଇକମାଣ୍ଡଙ୍କ ଦରବାରରେ ହାଜର ହୋଇଛନ୍ତି। ସେ ୧୦ ଜନପଥ ଯାଇ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟି ଆଲୋଚନା କରିଛନ୍ତି।
ଅନ୍ୟପଟେ, ରାଜ୍ୟର ପରବର୍ତ୍ତୀ ଭାବୀ ମୁଖ୍ୟମନ୍ତ୍ରୀ ଭାବେ ଚର୍ଚ୍ଚାରେ ଥିବା ଡି.କେ. ଶିବକୁମାର ମଧ୍ୟ ଖୁବଶୀଘ୍ର ହାଇକମାଣ୍ଡଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାର ସମ୍ଭାବନା ରହିଛି।
ଆଜି କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ଡି.କେ. ଶିବକୁମାରଙ୍କ ନାଁ ଉପରେ ଚୂଡ଼ାନ୍ତ ମୋହର ଲାଗିପାରେ। ଅନୁଷ୍ଠିତ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ (CLP) ବୈଠକରେ ତାଙ୍କ ନାମକୁ ମଞ୍ଜୁରୀ ମିଳିବା ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏହି ସମ୍ଭାବନା ଭିତରେ ଭାବୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ସମର୍ଥକ ଓ ନେତାଙ୍କ ପ୍ରବଳ ଭିଡ଼ ଜମିବାରେ ଲାଗିଛି।

ବୈଠକର ମୁଖ୍ୟ ପ୍ରସଙ୍ଗ:
ହାଇକମାଣ୍ଡଙ୍କ ସହ ହେବାକୁ ଥିବା ଏହି ଆଲୋଚନାରେ କେବଳ ମୁଖ୍ୟମନ୍ତ୍ରୀ ପଦ ନୁହେଁ, ବରଂ ଅନ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ:
. ସମ୍ଭାବ୍ୟ ମନ୍ତ୍ରିମଣ୍ଡଳ ଗଠନ
. ର୍ଣ୍ଣାଟକ ପିସିସି (KPCC)ର ନୂଆ ସଭାପତି ଚୟନ (ବର୍ତ୍ତମାନ ଶିବକୁମାର ଏହି ପଦରେ ଅଛନ୍ତି)
. ସାଂଗଠନିକ ପୁନର୍ଗଠନ

ପ୍ରାୟ ୩ ବର୍ଷ ଧରି ଶାସନ ଗାଦିରେ ରହିବା ପରେ ଗତକାଲି ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ରାଜ୍ୟପାଳଙ୍କ ଅନୁପସ୍ଥିତି ସତ୍ତ୍ୱେ କର୍ଣ୍ଣାଟକ ରାଜନୀତିରେ ଏହି ନାଟକୀୟ ପରିବର୍ତ୍ତନ ଘଟିଥିଲା। ତେବେ ଆଜି କର୍ଣ୍ଣାଟକ ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କ ଇସ୍ତଫା ପତ୍ରକୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି। ଏହା ସହିତ ନୂଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆହୁରି ତେଜିଯାଇଛି।

୪ ଦିନ ହେଲା ଲାଇନ ଅଭାବରୁ ତାତିଲେ ଲୋକେ, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ….

ଦେବଗଡ଼ : କାଳବୈଶାଖୀରେ ତାର ଛିଣ୍ଡି ଗାଁରେ ୪ ଦିନ ହେଲା ଲାଇନ ନାହିଁ। ଏକରେ ଏତେ ଗରମରେ ରହି ହେଉନି। ନା ଘରେ ନା ବାହାରେ ବସି ହେଉଛି। ତା ସାଙ୍ଗକୁ ଲାଇନ ନ ଥିବାରୁ ପାଣି ଅଭାବରୁ ପନିପରିବା ମରିଯିବାକୁ ବସିଲାଣି। ଏହାକୁ ନେଇ ତାତିଲେ ଲୋକେ। ମରାମତି କରିବାକୁ ଆସିଥିବା ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ ଓ ସେମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ଡାକିବାକୁ କହିଲେ। ଏହି ଘଟଣା ହେଉଛି ଦେବଗଡ଼ ଜିଲ୍ଲା ତିଲେଇବଣି ବ୍ଲକ ଦୁଧିଆନାଳୀ ଗାଁର। ଖବର ପାଇବା ପରେ ପୋଲିସ ଯାଇ ବିଦ୍ୟୁତ କର୍ମଚାରୀଙ୍କୁ ଉଦ୍ଧାର କରିଛି।

ବଟି ମାଗି ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ

ନିମାପଡା : ବଟି ମାଗି ଗାଁ ଦାଣ୍ଡରେ ଗୋଡ଼ାଇ ଗୋଡ଼ାଇ ହାଣିଲେ। ଗାଁ ମୁଖିଆ ଗୁରୁତର। ତାଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରାଯାଇଛି। ଏହି ଜଘନ୍ୟକାଣ୍ଡ ହେଉଛି ପୁରୀ ଜିଲ୍ଲା ଗୋପ ଥାନା ଗିରିମା ଗାଁରେ। ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଧରପଗଡ଼ ଚଳାଇଛି। କୋଠ ନଡ଼ିଆ, ପଇଡ଼ ଓ ମାଛ ପୋଖରୀକୁ ନେଇ ଗଣ୍ଡଗୋଳ ହୋଇଥିବାରୁ ଗାଁରେ ବିବାଦ ହୋଇଥିଲା। ଗାଁ ମୁଖିଆ ଜଗମୋହନ ମଲ୍ଲିକଙ୍କ ସହିତ ଦୁଇ ଭାଇ ବେନୁଆ ଜେନା ଓ କାଦୁଆ ଜେନାଙ୍କ ବଚସା ହୋଇଥିଲା। ଏହାକୁ ନେଇ ଗାଁ ମୁଖିଆ ଜଗମୋହନ ମଲ୍ଲିକା ଥାନାରେ ଏତଲା ଦେଇଥିଲେ। ପୋଲିସ ଡାକି ଥିଲେ ବି ଅଭିଯୁକ୍ତମାନେ ଥାନାକୁ ଯାଇନଥିଲେ। ଗାଁରେ ଏକ ବୈଠକ ବି ହୋଇଥିଲା। ଦୁଇ ଅଭିଯୁକ୍ତ ଭାଇ ଗାଁ ମୁଖିଆଙ୍କୁ ଡାକିଥଲେ। ସେ ନ ଆସିବାରୁ ଖଣ୍ଡାରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଗାଁ ଦାଣ୍ଡରେ ସର୍ବସମ୍ମୁଖରେ ଏହି ଘଟଣା ଘଟିଥିଲା। ଜଗମୋହନ ତଳେ ପଡ଼ିଯିବା ପରେ ସେମାନେ ଫେରାର ମାରିଥିଲେ। ଗାଁ ଲୋକେ ମୁଖିଆଙ୍କୁ ଭୁବନେଶ୍ଵର ସ୍ଥାନାନ୍ତର କରିଛନ୍ତି। ତାଙ୍କ ଅବସ୍ଥା ଗୁରୁତର ଅଛି। ତାଙ୍କ ଦେହ ସାରା କ୍ଷତ । ଡାହାଣ ହାତର ବୁଢ଼ା ଆଙ୍ଗୁଠି ପୁରା କଟି ଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଧରିବାକୁ ଧରପଗଡ଼ ଚଳାଇଛି।

କାରରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନର ଆଜମେର ଜିଲ୍ଲାରେ ଗୁରୁବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବୋରାଡା ଥାନା ଅଞ୍ଚଳର ଶ୍ରୀରାମପୁରା ଗାଁ ନିକଟରେ ଏକ ଚଳନ୍ତା କାର ହଠାତ୍ ନିଆଁ ଲାଗିଗଲା। ଏହି ଦୁର୍ଘଟଣାରେ ପୂର୍ବତନ ଗ୍ରାମ ମୁଖ୍ୟଙ୍କ ସମେତ ଚାରି ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି। ଜିଲ୍ଲା ପରିଷଦ ସଦସ୍ୟା ପୁସି ଦେବୀ ଗୁରୁତର ଭାବରେ ପୋଡ଼ି ଯାଇଥିଲେ ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣାଟି ସକାଳ ପ୍ରାୟ ୫.୩୦ ସମୟରେ ଘଟିଥିବା ଜଣାପଡ଼ିଛି।

ଶ୍ରୀରାମପୁରା ଗାଁର ପୂର୍ବତନ ସରପଞ୍ଚ ରାମ ସିଂହ ଚୌଧୁରୀ ତାଙ୍କ ମାଆ ଏବଂ ଜିଲ୍ଲା ପରିଷଦ ସଦସ୍ୟ ପୁସି ଦେବୀଙ୍କୁ ଛାତିରେ ଯନ୍ତ୍ରଣା ଅଭିଯୋଗ କରିବା ପରେ ଡାକ୍ତରଖାନାକୁ ନେଉଥିଲେ। ତାଙ୍କ ପତ୍ନୀ ପୂର୍ବତନ ସରପଞ୍ଚ ସୂର୍ଯ୍ୟଜ୍ଞାନ ଦେବୀ ଏବଂ ଭାଣିଜୀ ମହିମା ମଧ୍ୟ ଗାଡ଼ିରେ ଥିଲେ। କୁହାଯାଉଛି ଯେ ସମସ୍ତେ ଶୀଘ୍ର ଡାକ୍ତରଖାନା ପହଞ୍ଚିବାକୁ ଚେଷ୍ଟା କରୁଥିବା ସମୟରେ ହଠାତ୍ ଗାଡ଼ିରୁ ଧୂଆଁ ବାହାରିବାକୁ ଲାଗିଲା ଏବଂ କିଛି ସମୟ ମଧ୍ୟରେ ଗାଡ଼ିଟି ଜଳିଗଲା। ରାମ ସିଂହ ଚୌଧରୀ, ତାଙ୍କ ସ୍ତ୍ରୀ ସୁର୍ଜ୍ଞାନ ଦେବୀ ଏବଂ ଭାଣିଜୀ ମହିମା ଖସି ଯାଇପାରି ନଥିଲେ ଏବଂ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସ୍ଥାନୀୟ ଲୋକମାନେ ପୁସି ଦେବୀଙ୍କୁ ବାହାରକୁ ଟାଣି ଆଣିବାରେ ସଫଳ ହୋଇଥିଲେ, କିନ୍ତୁ ସେ ଗୁରୁତର ପୋଡ଼ି ଯାଇଥିଲେ। ପରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

 

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ବୋରାଡା ପୋଲିସ ଏବଂ ପ୍ରଶାସନିକ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରାଯାଇଥିଲା। ପୋଲିସ ସମସ୍ତ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ବହୁ ଲୋକ ଜମା ହୋଇଥିଲେ ଏବଂ ସାରା ଗାଁରେ ଶୋକ ଖେଳିଯାଇଥିଲା।

ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ଅଗ୍ନିକାଣ୍ଡ ସର୍ଟ ସର୍କିଟ୍ କିମ୍ବା କାରରେ କୌଣସି ଯାନ୍ତ୍ରିକ ତ୍ରୁଟି ଯୋଗୁଁ ହୋଇଛି। ତଥାପି, ପୋଲିସ ସମସ୍ତ ଦୃଷ୍ଟିକୋଣରୁ ଘଟଣାର ତଦନ୍ତ କରୁଛି। ଅଗ୍ନିକାଣ୍ଡର ସଠିକ୍ କାରଣ ନିର୍ଣ୍ଣୟ କରିବା ପାଇଁ ଏକ ଫୋରେନସିକ୍ ଦଳକୁ ମଧ୍ୟ ଘଟଣାସ୍ଥଳକୁ ଡକାଯାଇଛି। ଆଜମେର ପୋଲିସ ଅଧିକ୍ଷକ ହର୍ଷବର୍ଦ୍ଧନ ଅଗ୍ରୱାଲ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଛନ୍ତି। ସେ କହିଛନ୍ତି ଯେ ଦୁର୍ଘଟଣାର କାରଣ ତଦନ୍ତ କରାଯାଉଛି। ଏହି ଘଟଣା ପରେ ଶ୍ରୀରାମପୁରା ଗ୍ରାମ ସମେତ ଆଖପାଖ ଅଞ୍ଚଳରେ ଶୋକର ବାତାବରଣ ଖେଳିଯାଇଛି।

ଚଳନ୍ତା ଟ୍ରେନରୁ ମିଳିଲା ୧.୨୨ କୋଟି ଟଙ୍କା……

ନନ୍ଦିଘୋଷ ବ୍ୟୁରୋ : ଟ୍ରେନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ, ସରକାରୀ ରେଳବାଇ ପୋଲିସ (GRP) ଏବଂ ରେଳ ସୁରକ୍ଷା ବଳ (RPF) ଏକ ମିଳିତ ଅଭିଯାନ ସମୟରେ ଏକ ହାୱାଲା ନେଟୱାର୍କ ବିରୋଧରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ପୋଲିସ ମୁମ୍ବାଇରୁ ଆସୁଥିବା ଦେବଗିରି ଏକ୍ସପ୍ରେସ ଟ୍ରେନରୁ ବିପୁଳ ପରିମାଣର ନଗଦ ଟଙ୍କା ଜବତ କରିଛି। ଆଶ୍ଚର୍ଯ୍ୟଜନକ ଭାବରେ, କୋଟି କୋଟି ଟଙ୍କାର ଏହି ସାମଗ୍ରୀକୁ ଠିକ ସ୍ଥାନରେ ପହଞ୍ଚାଇବା ପାଇଁ କୋରିଅରକୁ ମାତ୍ର ୫୦୦୦ ଟଙ୍କା ଦେଇ ପ୍ରଲୋଭିତ କରାଯାଇଥିଲା।

ରେଳବାଇ ପୋଲିସ ଟିମଗୁଡ଼ିକ ନିୟମିତ ଯାଞ୍ଚ କରୁଥିବା ସମୟରେ ବୋଲାରାମ ଏବଂ ମାଲକାଜଗିରି ରେଳ ଷ୍ଟେସନ ମଧ୍ୟରେ ସମ୍ପୂର୍ଣ୍ଣ ଅପରେସନ୍ ହୋଇଥିଲା। ଏହି ସମୟରେ, ଦେବଗିରି ଏକ୍ସପ୍ରେସର ଏକ କୋଚରେ ଯାତ୍ରା କରୁଥିବା ଜଣେ ୪୦ ବର୍ଷୀୟ ଯାତ୍ରୀଙ୍କ ସନ୍ଦେହଜନକ ଆଚରଣ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲା। ପୋଲିସ ତାଙ୍କୁ ଅଟକାଇ ତାଙ୍କ ବ୍ୟାଗ ଯାଞ୍ଚ କରିବା ସମୟରେ, ସେମାନେ ପୋଷାକ ବଦଳରେ ବିପୁଳ ପରିମାଣର ଟଙ୍କା ପାଇଥିଲେ।

ପୋଲିସ ବ୍ୟାଗରୁ ମୋଟ ୧ କୋଟି ୨୨ ଲକ୍ଷ ୭୦ହଜାର ନଗଦ ଟଙ୍କା ଜବତ କରିଛି। ପଚରାଉଚରା ସମୟରେ, ଅଭିଯୁକ୍ତ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାରେ ତାଙ୍କ ଘର ବିଷୟରେ ପ୍ରକାଶ କରିଥିଲା। ଗିରଫ ସନ୍ଦିଗ୍ଧ ବ୍ୟକ୍ତି ପ୍ରାରମ୍ଭିକ ପଚରାଉଚରା ସମୟରେ ଆଶ୍ଚର୍ଯ୍ୟଜନକ ଖୁଲାସା କରିଥିଲା। ସେ ପୋଲିସକୁ କହିଛି ଯେ ମୁମ୍ବାଇର ଜଣେ ପ୍ରମୁଖ ଅଳଙ୍କାର ବ୍ୟବସାୟୀ ତାଙ୍କୁ ଏହି ଯଥେଷ୍ଟ ପରିମାଣର ଟଙ୍କା ପ୍ରଦାନ କରିଥିଲେ ଏବଂ ଏହାକୁ ସିକନ୍ଦରାବାଦକୁ ପଠାଇଥିଲେ। ସମ୍ପୂର୍ଣ୍ଣ ଟଙ୍କା ସିକନ୍ଦରାବାଦର ମୋଣ୍ଡା ମାର୍କେଟ୍ ଅଞ୍ଚଳରେ କାର୍ଯ୍ୟରତ ଅନ୍ୟ ଏକ ଅଳଙ୍କାର ବ୍ୟବସାୟୀଙ୍କୁ ପ୍ରଦାନ କରାଯିବାର ଥିଲା।

କୋଟି କୋଟି ଟଙ୍କାର ଏହି ବ୍ୟାଗକୁ ସୁରକ୍ଷିତ ପହଞ୍ଚାଇବା ପାଇଁ ଅଭିଯୁକ୍ତକୁ କେବଳ ୫୦୦୦ ଟଙ୍କା ଦିଆଯିବାର କଥା ଥିଲା । ଯେତେବେଳେ ପୋଲିସ ଅଭିଯୁକ୍ତକୁ ନଗଦ, ଟିକସ ଇନଭଏସ୍ କିମ୍ବା ଉତ୍ସର ମାଲିକାନା ସମ୍ପର୍କିତ ବୈଧ କାଗଜପତ୍ର ମାଗିଲା, ସେ କୌଣସି ସନ୍ତୋଷଜନକ ଉତ୍ତର କିମ୍ବା କାଗଜପତ୍ର ଦେଇପାରିଲେ ନାହିଁ। ବୈଧ କାଗଜପତ୍ର ଅଭାବରୁ, ପୋଲିସ ସମ୍ପୂର୍ଣ୍ଣ ଟଙ୍କା ଜବତ କରିଥିଲା।

ରେଳବାଇ ପୋଲିସର ସୂଚନା ଅନୁଯାୟୀ, ଅଳଙ୍କାର ବ୍ୟବସାୟର ଆଳ ଦେଖାଇ ଟିକସ ଫାଙ୍କି ଏବଂ ହାୱାଲା କାରବାର ମାଧ୍ୟମରେ ବହୁ ପରିମାଣର ଟଙ୍କା ସ୍ଥାନାନ୍ତର କରାଯାଉଥିଲା। ସମ୍ପ୍ରତି, ଟ୍ରେନ ମାଧ୍ୟମରେ ବେଆଇନ ଟଙ୍କା ପରିବହନ ମାମଲାରେ ବୃଦ୍ଧି ପାଇଛି, ଯାହା ଫଳରେ ଷ୍ଟେସନଗୁଡ଼ିକରେ ସୁରକ୍ଷା ଏବଂ ନଜର ବୃଦ୍ଧି କରାଯାଇଛି। ବର୍ତ୍ତମାନ, ପୋଲିସ ଏହି ସିଣ୍ଡିକେଟର ମୁଖ୍ୟ ମାଷ୍ଟରମାଇଣ୍ଡ ଏବଂ ମୁମ୍ବାଇ ଏବଂ ହାଇଦ୍ରାବାଦରେ ବିସ୍ତାରିତ ଏହି ବେଆଇନ ନେଟୱାର୍କ ମଧ୍ୟରେ ଲିଙ୍କ୍ ବିଷୟରେ ତଦନ୍ତ କରୁଛି।