spot_img
Home Blog Page 2623

ଇସ୍ରାଏଲର ଟାର୍ଗେଟରେ ହମାସର ଆତଙ୍କବାଦୀ ଆଡ୍ଡା, ୱେଷ୍ଟ୍ ବ୍ୟାଙ୍କ୍ ଅଞ୍ଚଳରେ ଥିବା କମାଣ୍ଡ୍ ସେଣ୍ଟରକୁ ଧ୍ବଂସ କଲା ଇସ୍ରାଏଲ ସେନା

ବ୍ୟୁରୋ ରିପୋର୍ଟ: ବିମାନ ଦ୍ବାରା ଆକ୍ରମଣ କରି ଇସ୍ରାଏଲର ୱେଷ୍ଟ୍ ବ୍ୟାଙ୍କ୍ ଅଞ୍ଚଳରେ ଥିବା ଅଲ୍-ଅନ୍ସାର୍’ ମସଜିଦ୍ ତଳେ ଥିବା ହମାସ୍ କମାଣ୍ଡ୍ ସେଣ୍ଟରକୁ ଧ୍ବଂସ କରାଯାଇଛି । ଇସ୍ରାଏଲ୍ ସେନା କହିବା ଅନୁସାରେ ଆତଙ୍କବାଦୀ ଆକ୍ରମଣ ନିମନ୍ତେ ଯୋଜନା କରି ତାହାକୁ କାର୍ଯ୍ୟକାରୀ କରିବା ଲାଗି ହମାସ୍ ଓ ପାଲେଷ୍ଟିନୀୟ ଇସ୍ଲାମିକ୍ ଜିହାଦ୍ ମସ୍ଜିଦ୍ ତଳେ ଥିବା କେନ୍ଦ୍ରକୁ ବ୍ୟବହାର କରୁଥିଲେ। ଆତଙ୍କବାଦୀ କାର୍ଯ୍ୟକଳାପ ନିମନ୍ତେ ୨୦୨୩ ଜୁଲାଇରୁ ଏହି ମସ୍ଜିଦ୍କୁ ଆଡ୍ଡା ରୂପେ ବ୍ୟବହାର କରାଯାଉଥିଲା । ସାଙ୍ଘାତିକ ଓ ତ୍ବରିତ୍ବ ଆତଙ୍କବାଦୀ ଆକ୍ରମଣ ଲାଗି ଯୋଜନା କରିବାକୁ ହମାସ୍ ସଂଗଠନ ମସ୍ଜିଦ୍କୁ ଉପଯୋଗ କରୁଥିବାରୁ ଆଞ୍ଚଳିକ ନିରାପତ୍ତା ପ୍ରତି ଘୋର ବିପଦ ଦେଖାଦେଇଥିଲା । ଅଲ୍-ଅନ୍ସାର୍ ମସ୍ଜିଦ୍ରେ ଗୋଟାଏ ବିରାଟ ଭୂତଳ ଭିତ୍ତିଭୂମି ଠାବ କରାଯାଇଛି । ସେଠାରେ ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ଗଚ୍ଛିତ ରଖାଯାଇଛି । ଏଥିରୁ ସନ୍ଦେହ ହେଉଛି ଯେ, ସର୍ବସାଧାଣ ଅଟ୍ଟାଳିକାଗୁଡ଼ିକରେ ବି ଆତଙ୍କବାଦୀମାନଙ୍କର ନେଟ୍ୱାର୍କ ଚାଲିଛି ବୋଲି ଇସ୍ରାଏଲ୍ ସେନା କହିଛି ।

ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଘନୀଭୂତ ହୋଇଛି । ଏହା ସୋମବାର ଗଭୀର ଅବପାତର ରୂପ ନେବ। ବାତ୍ୟାର ରୂପ ନେବା ପୂର୍ବରୁ ଦିଗ ବଦଳାଇବ। ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରି ବାଂଲାଦେଶ ମୁହାଁ ହେବ ବାତ୍ୟା ହାମୁନ୍ । ୨୬ ତାରିଖରେ ସ୍ଥଳଭାଗ ଛୁଇଁବ ସମ୍ଭାବନା ରହିଛି। ସମାନ୍ତରାଳ ଭାବେ ଓଡ଼ିଶା ଉପକୂଳ ଦେଇ କରିବ ଗତି ବାତ୍ୟା । ସ୍ଥଳଭାଗ ଠାରୁ ଦେଢ ଶହରୁ ଦୁଇ ଶହ କିଲୋମିଟର ଦୂରରେ ଯିବ । ପ୍ରଭାବରେ ଆଜିଠୁ ଉପକୂଳ ଓଡ଼ିଶାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ଘଣ୍ଟାପ୍ରତି ବହିବ ୬୦ ରୁ ୭୦ କିମି ବେଗରେ ପବନ । ଉପକୂଳ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପାଗ ମେଘୁଆ ରହିବ ।

ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ସୋନପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ, ମାଲକାନଗିରି ଏବଂ ରାୟଗଡାରେ ହାଲୁକା ବର୍ଷା ସମ୍ଭାବନା ରହିଛି । କଟକ ଓ ଭୁବନେଶ୍ବରରେ ଦଶହରା ସାମାନ୍ୟ ଫିକା ପଡିପାରେ । କିନ୍ତୁ ତୋରଣ ପ୍ରତି ବିପଦ ନଥିବା ପାଣିପାଗ କେନ୍ଦ୍ର କହିଛି । ୨୪ ଓ ୨୫ରେ ସର୍ବାଧିକ ରହିବ ବାତ୍ୟାର ପ୍ରଭାବ । ସମୁଦ୍ର ଅଶାନ୍ତ  ରହୁଥିବାରୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି । ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ପଦକ୍ଷେପ ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆରସି । ବିଲରେ କଟାହୋଇ ପଡିଥିବା ଧାନକୁ ସୁରକ୍ଷିତ ସ୍ଥାନକୁ ନେଇଯିବାକୁ ପରାମର୍ଶ ଦିଆଯାଇଛି ।

ଆଜି ମହାମାୟାଙ୍କ ମହାନବମୀ

ଭୁବନେଶ୍ବର: ମହାମାୟାଙ୍କ ମହା ନବମୀ । ସୋମବାର ରାଜ୍ୟର ବିଭିନ୍ନ ମଣ୍ଡପରେ ମା’ ଦୁର୍ଗାଙ୍କ ନବମୀ ପୂଜା ଅନୁଷ୍ଠିତ ହେଉଛି । ନବମୀରେ କୁମାରୀ ପୂଜା କରିବାର ବିଧି ରହିଛି । ତେଣୁ କିଛି ମଣ୍ଡପରେ କୁମାରୀ ପୂଜା, ଗୋ-ପୂଜନ କରାଯିବ । ସେହିଭଳି ବଙ୍ଗୀୟ ପରମ୍ପରା ଅନୁସାରେ କେତେକ ମଣ୍ଡପରେ ସିନ୍ଦୁର ଖେଳ ମଧ୍ୟ ହେବାର କାର୍ଯ୍ୟକ୍ରମ ରହିଛି । ମା’ଙ୍କୁ ଝିଅ ଭାବେ ପୂଜା କରିବା ସହ ବଙ୍ଗୀୟ ଢାଞ୍ଚାରେ ସିନ୍ଦୁର ଖେଳ କରାଯାଇଥାଏ । କେତେକ ମଣ୍ଡପରେ ମାଆଙ୍କ ପାଖରେ ଲାଗିହେବ ମାଛ ଭୋଗ । ସଧବା ମହିଳା ବେଶରେ ମାତା ଦୁର୍ଗାକୁ ଝିଅ ରୂପେ ପାଇଲା ପରେ ଆଜି ଘରୁ ବିଦା କରାଯିବାର ପରମ୍ପରା ରହିଛି । ସେପଟେ ପୀଠରେ ଚାଲିଛି ଦଶମୀ ପୂଜା । ଆଜି ମହୀଷାମର୍ଦ୍ଦିନୀ ବେଶରେ ଦର୍ଶନ ଦେବେ ମା’ କଟକ ଚଣ୍ଡୀ ।

ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ

ଧର୍ମଶାଳା: ବିଶ୍ବକପରେ ଭାରତର ଲଗାତାର ପଞ୍ଚମ ବିଜୟ । ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଆଇସିସି ଇଭେଣ୍ଟରେ ମାତ ଦେଲା ଟିମ୍ ଇଣ୍ଡିଆ । ଏହା ସହିତ ୨୦୧୯ ବିଶ୍ବକପର ବଦଲା ନେଇଛି ଭାରତ । ଧର୍ମଶାଳାରେ କଡ଼ା ମୁକାବିଲାରେ ଭାରତର ଦମଦାର ବିଜୟ । ନ୍ୟୁଜିଲାଣ୍ଡକୁ ହରାଇ ଚଳିତ ବିଶ୍ବକପରେ ଅପରାଜେୟର ରେକର୍ଡ ରଖିଛି ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ୪ ଓ୍ବିକେଟରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଛି ମେନ୍ ଇନ ବ୍ଲୁ । ମ୍ୟାଚରେ ଦେଖିବାକୁ ମିଳିଲା ବିରାଟ ଓ ଜାଡେଜା ଜଲଓ୍ବା । ବିରାଟ ୧୦୪ ବଲ ଖେଳି ୯୫ ରନ କରିଥିବାବେଳେ ୪୪ ବଲରେ ୩୯ ରନ କରି ଦଳକୁ ବିଜୟୀ କରାଇଛନ୍ତି । ୨୦୧୯ ବିଶ୍ବକପ ସେମିଫାଇନାଲରେ ଭାରତକୁ ନ୍ୟୁଜିଲାଣ୍ଡ ହିଁ ବିଦା କରିଥିଲା । ଅନ୍ୟପଟେ ଗତ ୨୦ ବର୍ଷ ଧରି ଆଇସିସି ଇଭେଣ୍ଟରେ ନ୍ୟୁଜିଲାଣ୍ଡକୁ ହରାଇ ପାରିନଥିଲା ଭାରତ  ।

ଚଳିତ ବିଶ୍ବକପରେ ଏହି ପରାଜୟ ଧାରା ଭାଙ୍ଗିବାରେ ସଫଳ ହୋଇଥି ଟିମ ଇଣ୍ଡିଆ  । ବିଶ୍ବକପରେ ନିଜର ପଞ୍ଚମ ମୁକାବିଲାରେ ଭାରତ ଟସ ଜିତି ବୋଲିଂ କରିଥିଲା । ଆରମ୍ଭରୁ ୨ଟି ଓ୍ବିକେଟ ହରାଇ ନ୍ୟୁଜିଲାଣ୍ଡର ବ୍ୟାଟିଂ ବିପର୍ଯ୍ୟସ୍ତ ହୋଇପଡ଼ିଥିଲା  । ନ୍ୟୁଜିଲାଣ୍ଡ ଦଳୀୟ ସ୍କୋର ୧୯ ହୋଇଥିବାବେଳେ  ଓପନର କନଓ୍ବେ ଓ ଓ୍ବିଲୟଙ୍ଗ ପାଭିଲିଅନ ଫେରିଥିଲେ । ପରେ ରାଚିନ ରବୀନ୍ଦ୍ର ଓ ଡାରିଲ ମିସେଲ ଲଢୁଆ ବ୍ୟାଟିଂ କରି ଦଳକୁ ଆଗେଇ ନେଇଥିଲେ  ।  ମିସେଲ ବିସ୍ଫୋରକ ବ୍ୟାଟିଂ କରି ୧୩୦ ରନ କରିଥିଲେ  । ରବୀନ୍ଦ୍ର ୭୫ ରନ କରି ପାଭିଲିଅନ ଫେରିଥିଲେ । ଭାରତୀୟ ବୋଲରମାନେ ଭଲ ପ୍ରତ୍ୟାବର୍ତ୍ତନ କରି ନ୍ୟୁଜିଲାଣ୍ଡର ମଧ୍ୟକ୍ରମ ଓ ନିମ୍ନକ୍ରମକୁ ଭାଙ୍ଗିବାକୁ ସଫଳ ହୋଇଥିଲେ । ଫଳରେ ବଜଡ଼ ସ୍କୋର ଅଭିମୁଖେ ଯାଉଥିବା ନ୍ୟୁଜିଲାଣ୍ଡ ୨୭୩ ରନରେ ଅଲଆଉଟ ହୋଇଯାଇଥିଲା ।

ଭାରତର ମହମ୍ମଦ ସାମ୍ମି ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୨ଟି ଏବଂ ସିରାଜ ଓ ଯଶପ୍ରୀତ ବୁମରା ଗୋଟିଏ ଲେଖାଏଁ  ଓ୍ବିକେଟ ନେଇଥିଲେ । ୨୭୪ରନର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିଲା ଭାରତ । କ୍ୟାପଟେନ ରୋହିତ  ଶର୍ମା ଓ ଶୁବମନ ଗିଲ୍ ଭଲ ଆରମ୍ଭ କରିଥିଲେ  । ଦଳୀୟ ସ୍କୋର ୭୧ ରନ ଥିବାବେଳେ ରୋହିତ ଶର୍ମା ୪୬ ରନ କରି ପାଭିଲିଅନ ଫେରିଥିଲେ । ପରେ ଗିଲ ମଧ୍ୟ ୨୬ ରନ କରି ଆଉଟ ହୋଇଥିଲେ । ଶ୍ରେୟସ ଆୟାର ୩୩  ଓ କେଏଲ ରାହୁଲ ୨୭ ରନ କରି ପାଭିଲିଅନ ଫେରିଥିଲେ । ରୋଚକ ଭାବରେ ସୂର୍ଯ୍ୟକୁମାର ଯାଦବ ମାତ୍ର ୨ରନ କରି ରନ ଆଉଟ୍ ହୋଇଥିଲେ । ପରେ ବିରାଟ କୋହଲି ଓ ଜାଡେଜା ମଇଦାନ ସମ୍ଭାଳିବା ସହ ଦଳକୁ ବିଜୟ ଅଭିମୁଖେ ଆଗେଇ ନେଇଥିଲେ । କୋହଲି ଆଉଟ ହେବା ପରେ ଜାଡେଜା ଏକ ଚୌକା ମାରି ଦଳକୁ ବିଜୟ କରିଛନ୍ତି ।

 

 

 

 

ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଫୁଡ୍ ଏନଫୋର୍ସମେଣ୍ଟ ଟିମର ଚଢାଉ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ଫୁଡ୍ ଏନଫୋର୍ସମେଣ୍ଟ ଟିମର ଚଢାଉ। ପାର୍ବଣରେ ଖାଦ୍ୟ ଦୋକାନରେ ରେଡ୍ କରି ମାନ ପରଖୁଛି ଟିମ୍ । ପ୍ରାୟ ୮୦ରୁ ୯୦ଟି ଖାଦ୍ୟ ଦୋକାନ ଯାଞ୍ଚ କରାଯାଇଛି । ବିଭିନ୍ନ ଦୋକାନରେ ବିକ୍ରି ହେଉଥିବା ଅସ୍ବାସ୍ଥ୍ୟକର ଖାଦ୍ୟକୁ ନଷ୍ଟ କରାଯାଇଛି । ଦଶହରା ଭିଡରେ ଚଟାପଟ ଖାଦ୍ୟ ପାଇଁ ସମସ୍ତଙ୍କର ଆଗ୍ରହ ବଢିଥିବାବେଳେ କେତେକ ସ୍ଥାନରେ ବାସି ଖାଦ୍ୟ ଓ ଅସ୍ବାସ୍ଥ୍ୟକର ସ୍ଥାନରେ ଖାଦ୍ୟ ପ୍ରସ୍ତୁତି କରାଯାଉଛି । ଏହାଦ୍ବାରା ଲୋକମାନେ ରୋଗରେ ପୀଡିତ ହେବାର ଆଶଙ୍କା ରହିଛି । ଲୋକଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ବିଏମସି ଦୋକାନରେ ଯାଞ୍ଚ କରୁଛି  । ଚଢାଉ ସମୟରେ ୬୦ରୁ ୭୦ କେଜି ଖାଦ୍ୟ ନଷ୍ଟ କରିଦିଆଯାଇଛି । ଖାଦ୍ୟ ପ୍ରସ୍ତୁତିରେ ପରିଷ୍କାର ପରିଚ୍ଛନତା ରକ୍ଷା କରିବା ସହ ଉଚ୍ଚମାନର ମାନ ରଖିବାକୁ ମେୟର ଓ କମିଶନର ପୂର୍ବରୁ ବୈଠକ କରିଥିଲେ ।  ଭୁବନେଶ୍ବରକୁ ସ୍ବଚ୍ଛ, ସବୁଜ ଓ ସୁନ୍ଦର ରଖିବାର ଦାୟିତ୍ବ ନେବାକୁ ଏହି ବୈଠକରେ ସମସ୍ତଙ୍କୁ ନିବେଦନ କରିଥିଲା ବିଏମସି ।

 

ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ଼

ଭୁବନେଶ୍ବର: ମହାମାୟା ଆଜି ହେଉଛି ମହାଷ୍ଟମୀ । ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ଼ । ଦିଲ୍ଲୀରୁ ପଲ୍ଲୀ ସବୁଠି ଉତ୍ସବ ମୁଖର ହୋଇ ଉଠିଛି । ରାଜଧାନୀ ଭୁବନେଶ୍ବରର ବିଭିନ୍ନ ମଣ୍ଡପରେ ଲାଗିଛି ଭକ୍ତଙ୍କ ଭିଡ଼ । ରାଜ୍ୟର କୋଣ ଅନୁକୋଣରୁ ଭକ୍ତମାନେ ଆସିଥିବାବେଳେ ରାତି ଅଧ ଯାଏଁ ଲାଗୁଛି ଭିଡ଼ । ମାଆ ଦଶଭୁଜାଙ୍କର ଆରାଧନାରେ ପ୍ରକମ୍ପିତ ହେଉଛି ଧରା । ମହାଷ୍ଟମୀ ପୂଜାରେ ଚଳଚଞ୍ଚଳ ଭୁବନେଶ୍ବର । ସତ୍ୟନଗର ପୂଜା କମିଟି ତରଫରୁ ନିଆରା ତୋରଣ ଦେଖିବାକୁ ମିଳିଛି ।  ମହିଳାମାନେ ହାତରେ ପିନ୍ଧୁଥିବା ଚୂଡିକୁ ନେଇ ସମ୍ପୂର୍ଣ୍ଣ ଚୁଡ଼ି ମହଲ ପ୍ରସ୍ତୁତ ହୋଇଛି । ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁମାନଙ୍କ ଭିତରେ କ୍ରେଜ ଦେଖିବାକୁ ମିଳୁଛି । ତୋରଣରେ ପ୍ରାୟ ୧୩ ଲକ୍ଷ ଚୂଡି ବ୍ୟବହାର କରାଯାଇଛି । ମାଆଙ୍କ ମୁକୁଟ ବି କାଚ ଚୂଡି ଦ୍ବାରା ନିର୍ମିତ ହୋଇଛି । ସେହିପରି ରାଜଧାନୀର ବିଭିନ୍ନ ପୂଜା ମଣ୍ଡପର ତୋରଣ ବେଶ ମନଲୋଭା ହୋଇଥିବାବେଳେ ସମୟ ଗଡ଼ିବା ସହ ଭକ୍ତଙ୍କ ଭିଡ଼ ମଧ୍ୟ ଜମୁଛି । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସାଙ୍ଗକୁ ମିନା ବଜାର ବୁଲିବା ପାଇଁ ମଧ୍ୟ ଭିଡ଼ ଜମୁଥିବା ଦେଖିବାକୁ ମିଳୁଛି । ତେବେ ନଜର ପକାନ୍ତୁ ରାଜଧାନୀର କିଛି ପୂଜା ମଣ୍ଡପ ଉପରେ..

 

ଗାଜାବାସୀଙ୍କୁ ଇସ୍ରାଏଲର ଚରମବାଣୀ

ବ୍ୟୁରୋ ରିପୋର୍ଟ: ଗାଜା ଉପରେ ଜାରି ରହିଛି ଏୟାରଷ୍ଟ୍ରାଇକ୍ । ଇସ୍ରାଏଲ ପକ୍ଷରୁ ହୋଇଥିଲା ଜୋରଦାର ହମଲା । ହମାସ ଆତଙ୍କୀ ଶିବିର ଠାବ କରି ଧ୍ବଂସ କରୁଛି ଇସ୍ରାଏଲି ସେନା।ଗାଜାର ଉତ୍ତରାଞ୍ଚଳ ଛାଡିବାକୁ ଚରମବାଣୀ ଶୁଣାଇଛି ଆଇଡିଏଫ୍। ଯେଉଁମାନେ ଛାଡ଼ି ନଯିବେ ଆତଙ୍କୀ ଭାବେ ପରିଗଣିତ ହେବେ।ଫୁଲ ଦମରେ ହମଲା କରି ଗ୍ରାଉଣ୍ଡଆଟାକର ପଥ ପରିଷ୍କାର କରୁଛି ଆଇଡିଏଫ। ସୁରକ୍ଷା ନେଇ ଦକ୍ଷିଣ ଇସ୍ରାଏଲରୁ ନିଜ ନାଗରିକଙ୍କୁ ସ୍ଥାନାନ୍ତର କରୁଛି। ସେପଟେ ଯୁଦ୍ଧ ପୀଡ଼ିତଙ୍କ ଲାଗି ପାଲେଷ୍ଟାଇକୁ ରିଲିଫ୍ ସାମଗ୍ରୀ ପଠାଇଛି ଭାରତ।

ଗାଜା ଉପରେ ହେବ ପରବର୍ତ୍ତୀ ପର୍ଯ୍ୟାୟ ହମଲା । ପୂରା ପ୍ରସ୍ତୁତ ଇସ୍ରାଏଲ ଡିଫେନ୍ସ ଫୋର୍ସେସ IDF । ଜାରି ରହିଥିବା ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟ ଆରମ୍ଭ ହେବ ବୋଲି କହିଛନ୍ତି ଇସ୍ରାଏଲ ସେନା ମୁଖପାତ୍ର। ମୋଟ ୩ଟି ପର୍ଯ୍ୟାୟରେ ହେବ ଆକ୍ରମଣ । ଗୋଟିଏ ଚାଲିଛି, ଦ୍ବିତୀୟ ପର୍ଯ୍ୟାୟ ହେବ ଗ୍ରାଉଣ୍ଡ ଆଟାକ୍ । ସୀମାରେ ହଜାର ସଂଖ୍ୟାରେ ଟ୍ୟାଙ୍କ୍ ଓ ଲକ୍ଷାଧିକ ସୈନ୍ୟ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି। ଇସ୍ରାଏଲ କରିଥିବା ହମଲାରେ ହମାସର ୨ କମାଣ୍ଡୋ ନିହତ ହୋଇଛନ୍ତି। ୱେଷ୍ଟବ୍ୟାଙ୍କ ଅଂଚଳରେ ଥିବା ଆତଙ୍କୀ ଶିବିରକୁ ଟାର୍ଗେଟ୍ କରି ଷ୍ଟ୍ରାଇକ କରିଥିଲା ଇସ୍ରାଏଲ ବାୟୁସେନା ।

ଗାଜା ସମର୍ଥନରେ ଇସ୍ରାଏଲ ଲାଗି ବିଭିନ୍ନ ପଟୁ ଯୁଦ୍ଧର ମୁଖ ଖୋଲିବାରେ ଲାଗିଛି। ଲେବାନନ ପଟୁ ହିଜବୁଲ୍ଲା ଆତଙ୍କୀ ଇସ୍ରାଏଲ ସେନାକୁ ଟାର୍ଗେଟ କରୁଛନ୍ତି। ଭିନ୍ନ ଭିନ୍ନ ୪ଟି ସ୍ଥାନରେ ଇଜ୍ରାଏଲ ସେନାକୁ ହିଜବୁଲ୍ଲା ଆତଙ୍କୀଙ୍କ ମୁକାବିଲା କରୁଛନ୍ତି । ଇରାନ, ଇଜିପ୍ଟ ଓ ଜୋର୍ଡାନ ମଧ୍ୟ ଗାଜା ସମର୍ଥନରେ ରହିଛନ୍ତି। ସେପଟେ ରୁଷ ବେଦେଶିକ ମନ୍ତ୍ରୀ ସର୍ଗେଇ ଲାଭାରୋବ ତେହରାନ ଗସ୍ତରେ ଯାଉଛନ୍ତି। ଆଗକୁ କିଛି ନୂଆ ସମୀକରଣ ସୃଷ୍ଟି ହୋଇପାରେ ।

ଇଜିପ୍ଟର ରାଫା ସିମା ଦେଇ ୨୦ ଟି ଟ୍ରକରେ ରିଲିଫ ସାମଗ୍ରୀ ପଠାଇବାକୁ ସ୍ବାଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ଆଗକୁ ଇଜିପ୍ଟ ଦେଇ ଯୁଦ୍ଧ ବିପନ୍ନଙ୍କୁ ଅଧିକ ସହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି ବାଇଡେନ୍ ।ସେପଟେ ପାଲେଷ୍ଟିନୀୟଙ୍କ ଲାଗି ସହାୟତାର ହାତ ବଢାଇଛି ଭାରତ । ହିଣ୍ଡନ ଏୟାରବେସରୁ ସି-୧୭ ଏୟାରକ୍ରାଫ୍ଟରେ ଇସ୍ରାଏଲ ଅଭିମୁଖେ ଯାଇଛି ମେଡିକାଲ ଓ  ରିଲିଫ ସାମଗ୍ରୀ । ହମାସ ଆକ୍ରମଣରେ ପ୍ରାଣ ହରାଇଥିବା ୪ ନେପାଳୀ ଛାତ୍ରଙ୍କ ମରଶରୀର ଇସ୍ରାଏଲରୁ ନେପାଳକୁ ଅଣାଯାଇଛି। ଆକ୍ରମଣରେ ଗାଜାର ବର୍ତ୍ତମାନ ସୁଦ୍ଧା ୪ ହଜାର ୪୬୯ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୧୮ଶହ ଶିଶୁ ରହିଛନ୍ତି ।

 

 

 

ଧରାପଡ଼ିଲା ବାଲି ମାଫିଆଙ୍କ ଚଞ୍ଚକତା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧରାପଡ଼ିଲା ବାଲି ମାଫିଆଙ୍କ ଚଞ୍ଚକତା । ଖାଲି ଓ୍ବାଇ-ଫର୍ମକୁ ନୁହେଁ ତହସିଲଦାରଙ୍କ ଦସ୍ତଖତକୁ ବି ଜାଲ୍ କରି ଲଘୁ ଖଣିଜ ସମ୍ପଦର ଚୋରା ଚାଲାଣ କରୁଛନ୍ତି ଦଲାଲ୍ । କୋଦାଳ ଥାନା ଅଞ୍ଚଳରୁ ଗିରଫ ତିନି ଅଭିଯୁକ୍ତଙ୍କୁ ପଚରାଉଚରା ପରେ ସାମ୍ନାକୁ ଆସିଛି ବାଲି ଚୋରା ଚାଲାଣ ରାକେଟର ସାଂଘାତିକ ସତ । ଅଭିଯୁକ୍ତଙ୍କୁ ପ୍ରଥମ ମାମଲାରେ କୋର୍ଟ ଜାମିନ ଦେଇଥିଲେ ସୁଦ୍ଧା ଏଯାଏ ସେମାନେ ଜେଲରୁ ମୁକୁଳି ନାହାଁନ୍ତି । ସେପଟେ ନୂଆ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ ।

ଗଞ୍ଜାମରେ ବାଲି ମାଫିଆ ରାଜ୍ । ନକଲି କାଗଜପତ୍ରରେ ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ବାଲି । ନକଲି ଟ୍ରାନଜିଟ୍ ଫର୍ମ, ନକଲି ଷ୍ଟାମ୍ପ ଏମିତିକି ତହସିଲଦାରଙ୍କ ଦସ୍ତଖତ ବି ନକଲି । ଦିନ ହେଉ କି ରାତି, ଫେକ୍ ଡକ୍ୟୁମେଣ୍ଟ ଦେଖାଇ ଖୁଲମଖୁଲା ଚାଲିଛି ବାଲି ଚୋରାଚାଲାଣ। ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ବଡ଼ମାଧପୁର ବାଲିଘାଟରୁ ୫ଟି ବାଲିବୋଝେଇ ଟ୍ରକ୍ ଧରାପଡ଼ିବା ପରେ ମାଫିଆଙ୍କର ଚାଲବାଜିର ଚକ୍ରବ୍ୟୁହ ଭେଦ କରୁଛି ପୋଲିସ । ଗିରଫ ତିନି ଜଣଙ୍କୁ ପଚରାଚରା କରି ପୋଲିସ ପାଇଛି ସାଂଘାତିକ ତଥ୍ୟ । ବାଲି ଉଠାଣ ଅନୁମତି ପାଇଁ ବ୍ୟବହୃତ ଟ୍ରାନଜିଟ୍ ବା ଓ୍ବାଇ ଫର୍ମକୁ ନିଜେ ଛାପୁଥିଲେ ଅଭିଯୁକ୍ତ। ତହସିଲଦାରଙ୍କ ଦସ୍ତଖତ, ପରିବେଶ ନିୟନ୍ତ୍ରଣ ଅନୁମତି ପତ୍ର ଓ ଷ୍ଟାମ୍ପକୁ ଜାଲିଆତି କରି ନିର୍ଦ୍ଧାରିତ ପରିମାଣଠାରୁ ୬ଗୁଣା ଅଧିକ ବାଲି ଉଠାଉଥିଲେ। ଫଳରେ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହରାଉଥିବା ବେଳେ ମାଲେମାଲ ହେଉଥିଲେ ବାଲି ମାଫିଆ ।

ଗତ ୧୪ତାରିଖ ରାତିରେ ବାଲି ମାଫିଆଙ୍କ କାରସାଦିକୁ ଧରିଥିଲା କୋଦଳା ଥାନା ପୋଲିସ । ୫ଟି ବାଲି ବୋଝେଇ ଟ୍ରକକୁ ଜବତ କରି ଖୋଳତାଡ଼ କରାଯାଇଥିଲା । ଓ୍ବାଇ-ଫର୍ମ ଫର୍ଜରୀ ହୋଇଥିବା ସନ୍ଦେହ ପରେ ତହସିଲଦାରଙ୍କ ମତାମତ ନେଇଥିଲା ପୋଲିସ । ପରେ ଜବତ ୫ଟି ଓ୍ବାଇ-ଫର୍ମ ନକଲି ବୋଲି ସ୍ପଷ୍ଟ ହୋଇଥିଲା। ମାମଲାରେ ବ୍ରହ୍ମପୁରର କୃପାସିନ୍ଧୁ ମୁଦୁଲି, ରାୟଗଡା ଜିଲ୍ଲା ପଦ୍ମପୁରର ଗୋଷ୍ଠ ଚନ୍ଦ୍ର ପାଢୀ ଓ ପୁରୁଷୋତ୍ତମପୁର କୁମାରୀ ଗାଁର ମଙ୍ଗରାଜ ବେହେରାଙ୍କୁ ଗିରଫ କରାଯାଇଛି। ପ୍ରଥମ ମାମଲାରେ ତିନି ଜଣଙ୍କୁ କୋର୍ଟ ସର୍ତ୍ତମୂଳକ ଜାମିନ ଦେଇଥିଲେ। ମାତ୍ର ବେଲ୍ ବଣ୍ଡ ଦାଖଲ ହୋଇନଥିବାରୁ ଅଭିଯୁକ୍ତ ମୁକୁଳି ପାରିନଥିଲେ । ସେପଟେ ଅଭିଯୁକ୍ତଙ୍କ ବିରୋଧରେ ପୋଲିସ ଆଉ ୪ଟି ମାମଲା ରୁଜୁ କରିଥିବାବେଳେ ଗୋଟିଏ ମାମଲାକୁ ଗ୍ରହଣ କରିଛନ୍ତି କୋର୍ଟ ।

ବାଲି ମାଫିଆ କୃପାସିନ୍ଧୁ ମୁଦୁଲି ନାଁରେ ପୂର୍ବରୁ ପୁରୁଷୋତ୍ତମପୁର ଥାନାରେ ୨ଟି ଓ ହିଞ୍ଜିଳି ଥାନାରେ ଆର୍ମସ ଆକ୍ଟ ଭଳି ଗୋଟିଏ ଏବଂ ଏବେ କୋଦଳା ଥାନାରେ ୫ଟି ସହିତ ମୋଟ ୮ଟି ମାମଲା ରହିଛି । ତେବେ ଏହି ବାଲି ଚୋରାଚାଲାଣ ରାକେଟରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ଖୋଳତାଡ଼ କରୁଛି ପୋଲିସ ।

 

 

 

ରାଜ୍ୟରେ ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ

ଭୁବନେଶ୍ବର: ପାର୍ବଣ ଉପଲକ୍ଷେ ଚାଷୀ କଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ । ଏକ ହଜାରରୁ ଅଧିକ କୋଲ୍ଡ ରୁମ ନିର୍ମାଣ କରିବ କୃଷି ବିଭାଗ । ଯାହା ପନିପରିବା ସଂରକ୍ଷଣ କରିବା ସହ ସେ ଗୁଡ଼ିକୁ ସଢିବାକୁ ଦେବନି । ଉଦ୍ୟାନ କୃଷି,  ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଅଧୀନରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା ସମୟରେ ନିଷ୍ପତ୍ତି ନିଆଯାଇଛି ।

ଫୋକସରେ ପନିପରିବା ଚାଷୀ । ପରିବା ପଚିସଢି ନଷ୍ଟ ହେବା ଭଳି ସ୍ଥିତି ଆଉ ସୃଷ୍ଟି ହେବନି  । କମଦାମରେ ବିକି କ୍ଷତି ସହିବେନି ଚାଷୀ । ରାଜ୍ୟ ସରକାର ଖୋଲିବେ କୋଲ୍ଡ ରୁମ୍ । ରାଜ୍ୟରେ ପନିପରିବା ଓ ଫଳଚାଷର ରହିଛି ପର୍ଯ୍ୟାପ୍ତ ସୁଯୋଗ । ରାଜ୍ୟ ସରକାର କୃଷି କ୍ଷେତ୍ରରେ ଫସଲର ବିବିଧିକରଣକୁ ପ୍ରାଧାନ୍ୟ ଦେଉଥିରବାବେଳେ ପନିପରିବା ଚାଷ ଦ୍ଵାରା ଚାଷୀମାନଙ୍କର ଆୟବୃଦ୍ଧି ଉପରେ ଗୁରୁତ୍ଵ ଦିଆଯାଉଛି । ରାଜ୍ୟ ସରକାର ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ମାଧ୍ୟମରେ ପନିପରିବା ଓ ଫଳଚାଷକୁ ପ୍ରୋତ୍ସାହିତ କରିବା ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ହେଲେ ସଂରକ୍ଷଣ ଅଭାବରୁ ସେ ସବୁ ଅନେକ ସମୟରେ ନଷ୍ଟ ହୋଇଯାଏ । ନହେଲେ ବାଧ୍ୟ ହୋଇ କମ୍ ଦାମରେ ବିକି କ୍ଷତି ସହନ୍ତି ଚାଷୀ ।

ଏବେ ପନିପରିବାର ଉପଯୁକ୍ତ ସଂରକ୍ଷଣ ନିମନ୍ତେ ରାଜ୍ୟରେ ୧୦ରୁ ୧୫ ଟନ କ୍ଷମତାବିଶିଷ୍ଟ ଏକ ହଜାରରୁ ଊର୍ଦ୍ଧ୍ବ କୋଲଡ୍ ରୁମ୍ ସ୍ଥାପନ କରାଯିବ । ଏଥିସହିତ ରାଜ୍ୟରେ ଆଳୁ ଚାଷକୁ ବ୍ୟାପକ କରିବା ପାଇଁ ପଦକ୍ଷେପ ନିଆଯାଇଛି । ୨୦୨୩-୨୪ ବର୍ଷ ଖରିଫରେ ରାଜ୍ୟରେ ଖରିଫ୍ ଆଳୁ ଚାଷ କରାଯାଇଥିବାବେଳେ ରବିଋତୁରେ ଆଳୁଚାଷ ପାଇଁ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ପ୍ରାମାଣିକ ଆଳୁ ବିହନ ସଂଗ୍ରହ କରାଯାଉଛି । ଅଧିକ ଆଳୁ ଉତ୍ପାଦନ ନିମନ୍ତେ ଚାଷୀମାନଙ୍କୁ ଉନ୍ନତ ମାନର ଆଳୁ ବିହନ ଯୋଗାଇଦେବା ଉପରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଗୁରୁତ୍ବ ପ୍ରଦାନ କରୁଛି । ବହୁ ଦିନରୁ ବିଧାୟକମାନେ କୃଷି ସଶକ୍ତିକରଣ ପାଇଁ ଅନେକ ପରାମର୍ଶ ଦେଇଥିଲେ । ଯାହାକୁ କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର ।

ପନିପରିବା ଚାଷରେ ସ୍ବାବଲମ୍ବୀ ହେବାରେ ଲାଗୁଛି ଓଡ଼ିଶା । ସ୍ବତନ୍ତ୍ର ଯୋଜନା ଅଧୀନରେ କଦଳୀ, ସେଓ, ଆତ, କମଳା, ଲିଚୁ, ସପୁରୀ, ଅମୃତଭଣ୍ଡା, ପିଜୁଳି, ଡାଳିମ୍ବ ଓ ପଣସ ପରି ଚାଷ ବି ବ୍ୟାପକ ଭାବେ ଆରମ୍ଭ ହେଲାଣି । ଏପରି ସ୍ଥିତିରେ କୋଲଡ୍ ରୁମ୍ ପ୍ରତିଷ୍ଠା କରି ଚାଷର ସୁରକ୍ଷା ସହ ଚାଷୀର ବିକାଶ ପାଇଁ ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର । ଯାହା ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି ।

ଚାଷୀଙ୍କୁ ଆର୍ଥିକ ସ୍ତରରେ ସଶକ୍ତ କରିବା ପାଇଁ ଫାର୍ମ ପଣ୍ଡ ପ୍ଲସ୍ ଯୋଜନା କରାଯାଉଛି । ଯେଉଁଥିରେ ସମନ୍ବିତ କୃଷି, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନାରେ ବିଭିନ୍ନ ଚାରା ରୋପଣ କାର୍ଯ୍ୟକ୍ରମ, ରିୱାର୍ଡ ଯୋଜନାରେ ଜଳସେଚନ ସୁବିଧା, କଫିଚାଷ, ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା, କୂପ ଖନନ, ଜାତୀୟ ହର୍ଟିକଲଚର ମିଶନରେ ନଡ଼ିଆ ଚାଷ ଆଦି କାର୍ଯ୍ୟକ୍ରମ କରାଯାଉଛି ।

 

 

 

ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼

ଭୁବନେଶ୍ବର: ପାର୍ବଣରେ ଖାଉଟିଙ୍କୁ ମହଙ୍ଗା ମାଡ଼। କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କାରୁ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି ଗହମ। ଫଳରେ ଅଟା, ସୁଜି, ମଇଦା ସମେତ ଗହମଜାତ ଦ୍ରବ୍ୟର ଦର ଆକାଶଛୁଆଁ ହୋଇଛି। ଖାଲି ଏତିକି ନୁହେଁ, ସୀମା ପାର କରିବାକୁ ଯାଉଛି ସୁନା ଦର। ଏବେ ୨୪କ୍ୟାରେଟ୍ ସୁନା ଦର ୬୨ ହଜାର ୬୦୦ ଟଙ୍କା। ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁ ଲୋକେ ଷ୍ଟକ୍ ମାର୍କେଟରେ ଟଙ୍କା ନଲଗାଇ ସୁନା କିଣିଚାଲିଛନ୍ତି। ଆସନ୍ତା ଦୀପାବଳୀକୁ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୬୫ହଜାର ଟପିବ ବୋଲି ଆକଳନ କରାଯାଉଛି।

ପାର୍ବଣ ଋତୁରେ ମହଙ୍ଗା ମାଡ଼। ବଢିଲାଣି ରୁଟି ରେଟ୍ । ଖାଇବା ସାମଗ୍ରୀ ଦର ଆକାଶଛୁଆଁ। ହାଣ୍ଡିଶାଳରେ ଚଡ଼କ, ବିଗିଡ଼ିଲାଣି ମାସିକିଆ ବଜେଟ୍। ଦଶହରାରେ ଖାଉଟି କଲବଲ। ଖାଇବାରୁ ପିନ୍ଧିବା, ଯେଉଁଠି ହାତ ଲଗାଇଲେ ବି ରେଡ୍ ଚଢା। କର୍ପୋରେଟ୍ ସଂସ୍ଥାଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ଖୋଲା ଛୁଟ୍ ଦେଇଛନ୍ତି କେନ୍ଦ୍ର ସରକାର। ଦୁଇଦିନ ତଳେ ଗହମ କ୍ବିଣ୍ଟାଲ ପିଛା ଥିଲା ୨୩୦୦ ଟଙ୍କା, ଏବେ ହେଲାଣି ୨୭୦୦ ଟଙ୍କା। ଗହମ ଦର ବୃଦ୍ଧି ଯୋଗୁଁ ଅଟା, ମଇଦା, ସୁଜି ସମେତ ଗହମ ଜାତ ଦ୍ରବ୍ୟ ଦର ବି ବୃଦ୍ଧି ଦେଖି ଖାଉଟିଙ୍କ ହୋସ୍ ଉଡିଲାଣି।

ଦର ବଢ଼ିବା ସହିତ ଯୋଗାଣ ବି କମ୍ । ମାନେ ବୋଝ ଉପରେ ନଳିତା ବିଡ଼ା। କେତେବେଳେ ଡାଲି ତ କେତେବେଳ ଖାଇବା ତେଲ । ହୁ ହୁ ହୋଇ ବଢୁଛି ଖାଦ୍ୟ ସାମଗ୍ରୀ ଦର। ଓଡ଼ିଶା ବଜାରକୁ ବାର୍ଷିକ ୨୫ ଲକ୍ଷ କ୍ବିଣ୍ଟାଲ୍ ଗହମ ଆବଶ୍ୟକ। ଦୁଇଦିନ ତଳେ ୨୫ କିଲୋ ଅଟା ମୂଲ୍ୟ ଥିଲା ୮୫୦ ଟଙ୍କା । ଏବେ ୯୦୦ ଟଙ୍କାରେ ପହଞ୍ଚିଲାଣି । ଖୋଲାରେ ଅଟା କିଲୋ ଏବେ ହେଲାଣି ୩୬ ଟଙ୍କା । ଗହମ ସହିତ ପ୍ୟାକେଟ୍ ମସଲା ଦର ବି କର୍ପୋରେଟ୍ ସଂସ୍ଥା ବଢାଇ ଚାଲିଛନ୍ତି। ଏପରିକି ରାଜ୍ୟ ବ୍ୟବସାୟୀ ମହାସଂଘ ଅଭିଯୋଗ କରିଛି କର୍ପୋରେଟ୍ ସଂସ୍ଥା ଜାଣିଶୁଣି ଏସବୁ ଜିନିଷର ଆବଶ୍ୟକତାଠାରୁ ହୋର୍ଡିଂ କରି କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି। ଖୁଚୁରା ବେପାରୀଙ୍କ ବେଉସା ବୁଡ଼ାଇବାକୁ ଏକ ପ୍ରକାର ଚକ୍ରାନ୍ତ କରାଯାଉଛି । ଆଉ କେନ୍ଦ୍ର ସରକାର ନୀରବ ରହି ଏପରି ଅସାଧୁ ବ୍ୟବସାୟକୁ ସମର୍ଥନ କରୁଥିବା ଅଭିଯୋଗ ହୋଇଛି।

ସେପଟେ ସୁନାଦର ବି ଆକାଶଛୁଆଁ। ସପ୍ତାହ ତଳେ ୨୪ କ୍ୟାରେଟ୍ ସୁନାଦର ୧୦ଗ୍ରାମ୍ ପିଛା ୫୮ ହଜାର ଥିଲା। ଏବେ ବଢି ୬୨ ହଜାର ୬୦୦ ଟଙ୍କାରେ ପହଞ୍ଚିଲାଣି । ଇସ୍ରାଏଲ ଓ ପାଲେଷ୍ଟାଇନ୍ ଯୁଦ୍ଧ ଯୋଗୁଁ ସେୟାର ମାର୍କେଟ୍ରେ ଆଉ ଲୋକେ ପୁଞ୍ଜି ନଲଗାଇ ସୁନା କିଣାରେ ଖର୍ଚ୍ଚ କରୁଛନ୍ତି। ଲୋକେ ଅଧିକ ସୁନା କିଣୁଥିବାରୁ ଚାହିଦା ଆହୁରି ବୃଦ୍ଧି ପାଇବ। ସେପଟେ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଖସିଚାଲିଛି। ଏସବୁ କାରଣ ଯୋଗୁଁ ଦୀପାବଳି ବେଳକୁ ୧୦ ଗ୍ରାମ ଓଜନର ୨୪ କ୍ୟାରେଟ୍ ସୁନା ଦର ୬୫ ହଜାର ଟଙ୍କା ପାର୍ କରିଯିବ ବୋଲି ଆକଳନ କରାଯାଉଛି। ସେପଟେ ୨୨କ୍ୟାରେଟ୍ ସୁନାଦର ୫୬ ହଜାର ୬୦୦ରୁ ୫୬ ହଜାର ୯୦୦ ଟଙ୍କାରେ ବିକ୍ରି ହେଉଛି। ଆସନ୍ତା ସପ୍ତାହ ବେଳକୁ ୨୨କ୍ୟାରେଟ୍ ସୁନା ଦର ୫୮ ହଜାର ପାର୍ କରିଯିବ ବୋଲି ଜୁଏଲରର୍ସ୍ ଆକଳନ କରିଛନ୍ତି ।

କେନ୍ଦ୍ର ସରକାରଙ୍କ କର୍ପୋରେଟ୍ ପ୍ରୀତି ଯୋଗୁ ମହଙ୍ଗା ମାଡ଼ର ଶିକାର ହୋଇଚାଲିଛନ୍ତି ଖାଉଟି । ପେଟ୍ରୋଲ-ଡିଜେଲ ଦର ଯୋଗୁ ଖାଉଟିଙ୍କ ପକେଟ୍ ଖାଲି ହୋଇଚାଲିଛି। ଖାଲିସେତିକି ନୁହେଁ ବର୍ଷ ସାରା ଖାଦ୍ୟ ସାମଗ୍ରୀ ଦର ବି ଚଢା ରହୁଛି। ଅଟା, ଡାଲି, ଚାଉଳ ପରେ ମସଲା ଦର ବି ବଢୁଛି। କେନ୍ଦ୍ର ସରକାରଙ୍କ ଆଚ୍ଛେଦିନକୁ ଏବେ ମନେପକାଉଛନ୍ତି ଖାଉଟି ଓ ବିରୋଧୀ ।