spot_img
Home Blog Page 2795

ବିଦେଶୀଙ୍କୁ ପସନ୍ଦ ଆସୁଛି ଓଡ଼ିଶା ପର୍ଯ୍ୟଟନ, ଆମେରିକା, ଜାପାନରୁ ଆସୁଛନ୍ତି ଅଧିକ ପର୍ଯ୍ୟଟକ

ଭୁବନେଶ୍ବର: ବିଦେଶରେ ଓଡ଼ିଶା ପର୍ଯ୍ୟଟନର ଆକର୍ଷଣ। ରାଜ୍ୟ ସରକାରଙ୍କ ବୁଷ୍ଟର ଡୋଜରେ ଚମକିଛି ପର୍ଯ୍ୟଟନ ଶିଳ୍ପ । ମହାମାରୀ ପରେ ଓଡ଼ିଶାରେ ବଢିଛି ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା । ୨୦୨୧ ତୁଳନାରେ ୨୦୨୨ରେ ୮୭୫ ପ୍ରତିଶତ ଅଧିକ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆଗମନ କରିଛନ୍ତି । ସେହିପରି ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ମଧ୍ୟ ୧୧୦ ପ୍ରତିଶତ ବୃଦ୍ଧି ହୋଇଛି । ଏହି ରିପୋର୍ଟ ଦେଇଛି ଓଡ଼ିଶା ପର୍ଯ୍ୟଟନ ବିଭାଗ ।

୨୦୨୧ରେ ୩୭ଲକ୍ଷ ୪୨ ହଜାର ୨୨୧ ଭାରତୀୟ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୭୮ଲକ୍ଷ ୬୭ହଜାର ୯୦୯ ଛୁଇଁଥିଲା । ସେହିପରି ୨୦୨୧ରେ ମାତ୍ର ୨୨ଶହ ୬୯ ବିଦେଶୀ ପର୍ଯ୍ୟଟକ ଓଡ଼ିଶା ଆସିଥିବା ବେଳେ ୨୦୨୨ରେ ଏହି ସଂଖ୍ୟା ୨୨ହଜାର ୧୨୧ ଛୁଇଁଥିଲା ବୋଲି ଓଡ଼ିଶା ପର୍ଯ୍ୟଟନ ବିଭାଗ ରିପୋର୍ଟ ଦେଇଛି । ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଆମେରିକା, ଜାପାନ ଓ ଜର୍ମାନୀର ଅଧିକ ପର୍ଯ୍ୟଟକ ରହିଛନ୍ତି ।

ଓଡିଆ କଳା, ସଂସ୍କୃତି ଓ ପରମ୍ପରାକୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ଦେବାକୁ ରାଜ୍ୟ ସରକାର ସ୍ବତନ୍ତ୍ର ରୋଡମ୍ୟାପ ପ୍ରସ୍ତୁତ କରିଛନ୍ତି । ଯାହାଫଳରେ କରୋନା ମହାମାରୀ ପରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ ବିକାଶରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି ରାଜ୍ୟ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଜଗଦ୍ଦେବ କହିଛନ୍ତି । ଓଡ଼ିଶା ପର୍ଯ୍ୟଟନସ୍ଥଳୀକୁ ଏକ୍ସପ୍ଲୋର କରିବାକୁ ପର୍ଯ୍ୟଟକ ବିଭାଗ ପକ୍ଷରୁ କରାଯାଇଥିବା ଓଡ଼ିଶା ବାଇ ରୋଡ କ୍ୟାମ୍ପେନ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଛି ।

ଏହାସହ ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ସରକାର ବିଭିନ୍ନ ସ୍ଥାନରେ ଇକୋ-ରିଟ୍ରିଟ କାର୍ଯ୍ୟକ୍ରମର ଆୟୋଜନ କରୁଛନ୍ତି । ଏହାସହ ଆଉଟଡୋର ବ୍ରାଣ୍ଡିଂ ଓ ଡିଜିଟାଲ ମାର୍କେଟିଂ ମଧ୍ୟ ପର୍ଯ୍ୟଟକଙ୍କୁ ବେଶ୍ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି । ଚଳିତବର୍ଷ ଦୁବାଇ, ସିଙ୍ଗାପୁର ଓ ବ୍ୟାଙ୍ଗକକକୁ ସିଧାସଳଖ ବିମାନସେବା ଲଞ୍ଚ ହୋଇଥିବାରୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆହୁରି ବଢ଼ିପାରେ ବୋଲି ପର୍ଯ୍ୟଟକ ବିଭାଗ ଆଶାବାଦୀ ରହିଛଇ । ନିକଟରେ ସିଙ୍ଗାପୁର, ବ୍ୟାଙ୍ଗକକ, ହାନୋଇରେ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ରୋଡଶୋ’ର ଆୟୋଜନ କରାଯାଇଥିଲା । ଏହାସହ ସିଲିକନ ଭ୍ୟାଲି, USA, ସିଙ୍ଗାପୁର ଏବଂ ଦୁବାଇରେ ପ୍ରବାସୀ ଓଡ଼ିଆଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଓଡ଼ିଶା ସହ ଡାଇରେକ୍ଟ ବିମାନ ସେବା ଥିବା ଦେଶର ଦୂତାବାସ ସହ ପର୍ଯ୍ୟଟନ ବିଭାଗ ଯୋଗାଯୋଗରେ ରହିଛି । ଏହାସହ ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର କରାଯାଉଛି । ପଖାଳ ଦିବସ, ଛେନା ପୋଡ଼ ଦିବସ, ପଣା ସଂକ୍ରାନ୍ତି ଭଳି କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ପ୍ରୋତ୍ସାହିତ କରୁଛି ।.

ଗୁଳୁଗୁଳିରୁ ମିଳିବ ତ୍ରାହି, ୪୮ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର: ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ସେପ୍ଟେମ୍ବର ୩ରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ଘଣ୍ଟାରେ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଫଳରେ ପାଗରେ ସାମାନ୍ୟ ପରିବର୍ତ୍ତନ ଆସିବ । ଏପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ବଢିଛି ତାପମାତ୍ରା ।

ସ୍ବାଭାବିକଠୁ ୩ରୁ ୪ ଡିଗ୍ରୀ ଉପରେ ପାରଦ। ଫଳରେ ଖରା ସହିତ ଅସହ୍ୟ ଗୁଳୁଗୁଳିରେ ଘଣ୍ଟା ହେଉଛନ୍ତି ଲୋକ । ସେପଟେ ଆଜିଠୁ ପାଗ ବଦଳିବା ସମ୍ଭାବନା ରହିଛି । ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି ।  ଏନେଇ ୨୨ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଦେବଗଡ଼,ଅନୁଗୋଳ, ଢେଙ୍କାନାଳ, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ କେତେକ ସ୍ଥାନରେ ସାମାନ୍ୟ ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ସେପଟେ ଆସନ୍ତା ୪ ତାରିଖ ବେଳକୁ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପୁଟିନଙ୍କ ପରେ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ବି ଆସିବେନି ଭାରତ

ନୂଆଦିଲ୍ଲୀ:  ଭାରତରେ ଆଗାମୀ ମାସରେ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରୁ ଦୂରତା ରଖିବାକୁ ଚାହୁଁଛନ୍ତି ରାଷ୍ଟ୍ରପତି ସି ଜିନପିଙ୍ଗ  । ମିଡିଆ ରିପୋର୍ଟ ମୁତାବକ ଚୀନର ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ସେପ୍ଟେମ୍ବର ୯ ରୁ ୧୦ ପର୍ଯ୍ୟନ୍ତ ଦିଲ୍ଲୀରେ ହେବାକୁ ଥିବା ଜି ୨୦ ଶିଖର ସମ୍ମିଳନୀରେ ଚୀନ ପକ୍ଷରୁ ପ୍ରତିନିଧିତ୍ବ କରିପାରନ୍ତି  । ଚୀନ କି ଭାରତ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ  ।

ଦିଲ୍ଲୀ ଜି ୨୦ ଶିଖର ସମ୍ମିଳନୀରେ ସି ଜିନପିଙ୍ଗ ଓ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ସମ୍ଭବତଃ ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇ ପାରିଥାନ୍ତା  । ଗତବର୍ଷ ନଭେମ୍ବରରେ ହୋଇଥିବା ଜି ୨୦ ଶିଖର ସମ୍ମିଳନୀରେ ଜିନପିଙ୍ଗ ଓ ବାଇଡେନଙ୍କ ମଧ୍ୟରେ ଶେଷଥର ପାଇଁ ସାକ୍ଷାତ ହୋଇଥିଲା  ।

ପୂର୍ବରୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଜି ୨୦ ଶିଖର ସମ୍ମିଳନୀରେ ସାମିଲ ହେବେ ନାହିଁ ବୋଲି ଘୋଷଣା କରିଥିଲେ  । ପୁଟିନଙ୍କ ସ୍ଥାନରେ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭରୋଭ ଦିଲ୍ଲୀ ଆସିବେ  । ସେପଟେ ପୁଟିନ ଭାରତ ନ ଆସି ଚୀନ ଯାଇପାରନ୍ତି  । ଚୀନରେ ଜିନପିଙ୍ଗଙ୍କ ସହ ସାକ୍ଷାତ କରିବେ ପୁଟିନ

କୋରେଇରେ ଶେଷହେଲା ବିକାଶ ସମୀକ୍ଷା, ଫେବ୍ରୁଆରୀରୁ ବୁଲି ବୁଲି ଲୋକଙ୍କଠାରୁ ଗ୍ରହଣ କରିଥିଲେ ଅଭିଯୋଗ ପତ୍ର

କୋରେଇ: କୋରେଇ ମାଟିରେ ଶେଷ ହୋଇଛି ଓଡ଼ିଶା ରୂପାନ୍ତରଣ ପାଇଁ ୬ ମାସର ଯାତ୍ରା । କୋରେଇ ମାଟିରେ ବିକାଶର ସମୀକ୍ଷା କରି 5T ସଚିବ କହିଛନ୍ତି, ବୁଲି ବୁଲି ଲୋକଙ୍କଠୁ ଅଭିଯୋଗ ଗ୍ରହଣ କରିବାକୁ ଦାୟିତ୍ବ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫେବ୍ରୁଆରୀରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମ କୋରେଇ ମାଟିରେ ଶେଷ ହୋଇଛି । ଆସନ୍ତା ସପ୍ତାହେ ଭିତରେ ମୁଖ୍ୟମନ୍ତ୍ରୀ କୋରେଇ ମାଟିର ବିକାଶ ପାଇଁ ଖୁସି ଖବର ଦେବେ । ମନ୍ଦିର, ମସଜିଦ, ଚର୍ଚ୍ଚ, କମ୍ୟୁନିଟି ସେଣ୍ଟର ପାଇଁ ଆସିଥିବା ଅଭିଯୋଗର ବିଚାର କରାଯାଇ ୮ ତାରିଖ ଭିତରେ ସମାଧାନ କରାଯିବ । ମୁଖ୍ୟମନ୍ତ୍ରୀ ଦେଇଥିବା ଅନୁଦାନର ସଠିକ ବିନିଯୋଗ କରିବାକୁ 5T ସଚିବ ଆହ୍ବାନ ଦେଇଛନ୍ତି ।

କୋରେଇର ପାନୀୟ ଜଳ ସମସ୍ୟାର ସମାଧାନ ପାଇଁ ୨୩ଟି ପଞ୍ଚାୟତରେ ୧୪୦ କୋଟି ଖର୍ଚ୍ଚ ହେବ । ତୁଳସୀପୁର ଏବଂ ରାଉତରାପୁର ମେଗାଲିଫ୍ଟ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ନିର୍ମାଣ କାମ ଚଳିତ ବର୍ଷ ଶେଷ ହେବ । ଏହା ମାଧ୍ୟମରେ ୧୦ ହଜାର ଏକର ଜମି ଜଳସେଚିତ ହେବ । ପାଣିକୋଇଲିରେ ଟ୍ରମାକେୟାର ସେଣ୍ଟର କାମ ମୁଖ୍ୟମନ୍ତ୍ରୀ ହାତକୁ ନେଇଛନ୍ତି । ଏଥିପାଇଁ ୧୦୧ କୋଟି ଟଙ୍କା ଖର୍ଚ୍ଚ ହେଉଥିବାବେଳେ ୩ ମାସ ମଧ୍ୟରେ କାମ ସରିବ । କୋରେଇ ସିଏଚସି ପାଇଁ ୨୦ କୋଟି ମଞ୍ଜୁର କରାଯାଇଛି । ନଦୀ ବନ୍ଧ ଉପରେ ରାସ୍ତା ପାଇଁ ୫୦ କୋଟି, ଏନଏଚ ୧୬ରୁ ଅଟଳପୁର ରାସ୍ତା ପାଇଁ ୧୫ କୋଟି ଓ ବୈତରଣୀ ନଦୀବନ୍ଧକୁ ସୁଦୃଢ କରିବାକୁ ୧୦ କୋଟି ଟଙ୍କା ଅନୁମୋଦିତ ହେଇଥିବା 5T ସଚିବ କହିଛନ୍ତି ।

ରାଜଧାନୀ ଗୋଠପାଟଣା-ଦାସପୁରରେ ପ୍ରତିଷ୍ଠା ହେବ ନୂଆ ସହର, ୮୨୧ ଏକର ଜାଗାରେ ହେବ ନିର୍ମାଣ କାର୍ଯ୍ୟ

ଭୁବନେଶ୍ୱର: ଭୁବନେଶ୍ୱର ଗୋଠପାଟଣା- ଦାସପୁରରେ ସୃଷ୍ଟି ହେବ ନିୟୁ ସିଟି । କେନ୍ଦ୍ର ସରକାର ଙ୍କ ଅନୁମୋଦନ ପରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ନୂଆ ସହର ଗଢି ତୋଳିବା ରେସରେ ବିଡିଏ ଆଗରେ ଅଛି । ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍‌, ମାର୍କେଟ କମ୍ପ୍ଲେକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, ଖେଳ ପଡ଼ିଆ ଆଦି ନିର୍ମାଣ ହେବ । ଏହା ବ୍ୟତୀତ ରାଜଧାନୀରେ ନୂଆ ୫୦୦ ଏକର ଜାଗା ବିଡିଏ ଲୋକଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ହାଉସିଂ ପ୍ରୋଜେକ୍ଟ ଆଣିବାକୁ ଯୋଜନା ରଖିଛି । ବିଡିଏ ଦ୍ଵାରା ନିର୍ମିତ ବରମୁଣ୍ଡା ଆନ୍ତର୍ଜାତୀୟ ବସ୍ ଷ୍ଟାଣ୍ଡ ଆସନ୍ତା ୨ ମାସ ମଧ୍ୟରେ କାର୍ଯ୍ୟକ୍ଷମ ହେବ।

ଜଟଣୀରେ ଗୃହପାଳିତ ପଶୁଙ୍କ ପାଇଁ ଏକ ସେଣ୍ଟର କରାଯିବ। ସେହିପରି ଭଗବାନପୁରରେ ହୋଲସେଲ ନୂଆ ପରିବା ହାଟ, ଭୁବନେଶ୍ୱରରେ ୧୦ଟି ନୂଆ ପାର୍କ, ୨୦ଟି ଖେଳପଡ଼ିଆ, ଦୟା ସଫେଇ ପାଇଁ ୭ଟି ନୂଆ ଟ୍ରିଟମେଣ୍ଟ ପ୍ଲାଣ୍ଟ, ୩ ନିର୍ବାଚନ ମଣ୍ଡଳୀର ୩ଟି ଶ୍ମଶାନ, ଟ୍ରକ ଟର୍ମିନାଲ, ବିଡିଏ ଷ୍ଟାଫଙ୍କ ପାଇଁ ନୂଆ ଘର ଭଳି ଉନ୍ନୟନ ମୂଳକ କାର୍ଯ୍ୟ ଖୁବଶୀଘ୍ର ଶେଷ କରିବାକୁ ଯୋଜନା କରିଛି ବିଡିଏ । ଓଡ଼ିଶାର ସହରାଞ୍ଚଳରେ ରୂପାନ୍ତରଣର ନିରନ୍ତର ଯାତ୍ରା ଏବଂ 5T ଶାସନ ନୀତି ଅନୁଯାୟୀ ବିଡିଏ ବିଗତ ବର୍ଷମାନଙ୍କରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିଛି । ଜୟଦେବ ଭବନରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କର ୪୧ ତମ ପ୍ରତିଷ୍ଠା ଦିବସ ତଥା ସ୍ୱନକ୍ଷତ୍ର ଅବସରରେ ଏହି ଯୋଜନା ସମ୍ପର୍କରେ ଆଲୋଚନା ହୋଇଛି ।

ବିଜେପି ସରକାର ସମ୍ବିଧାନ ବିରୋଧୀ, ସରକାରୀ ଏଜେନ୍ସିର ସତ୍ୟାନାସ କରିଛି କେନ୍ଦ୍ର: ମଲ୍ଲିକାର୍ଜୁନ ଖଡ଼ଗେ

ମୁମ୍ବାଇ: ମୁମ୍ବାଇରେ ଇଣ୍ଡିଆ ମେଣ୍ଟ ବୈଠକ ଶେଷ । ବିଜେପି ବିରୋଧରେ ପ୍ରସ୍ତୁତ ହେଲା ମାଷ୍ଟରପ୍ଲାନ । ବୈଠକ ପରେ ପ୍ରେସମିଟରେ କେନ୍ଦ୍ରକୁ କଡ଼ା ଆକ୍ଷେପ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ବିଜେପି ସରକାର ସମ୍ବିଧାନ ବିରୋଧୀ ବୋଲି ଖଡଗେ କହିଛନ୍ତି । କେନ୍ଦ୍ର ସରକାର ଗତ ୧୦ ବର୍ଷରେ ସରକାରୀ ଏଜେନ୍ସିର ସତ୍ୟାନାସ କରିଛନ୍ତି । ଚୀନ, ବିମୁଦ୍ରୀକରଣ ବେଳେ ସ୍ବତନ୍ତ୍ର ଅଧିବେଶନ ଡକାଯାଇ ନଥିବା ବେଳେ ଏବେ କାହିଁକି ସଂସଦର ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଖଡଗେ । ଦେଶରେ ଦରବୃଦ୍ଧି, ବେରୋଜଗାରୀ ଚରମ ସୀମାରେ ପହଞ୍ଚିଛି । ଇଣ୍ଡିଆ ମେଣ୍ଟ କେନ୍ଦ୍ରର ତାନାସାହି ଶାସନ ବିରୋଧରେ ଲଢ଼େଇ କରିବ ।

ବିରୋଧୀ ମେଣ୍ଟରେ ଏକ ୧୩ ଜଣିଆ ସମନ୍ବୟ କମିଟି ଗଠନ କରାଯାଇଛି । ଏହି କମିଟିରେ ରହିଛନ୍ତି କେ.ସି. ଭେନୁଗୋପାଲ, ଶରଦ ପାଓ୍ବାର, ତେଜସ୍ବୀ ଯାଦବ, ଏମକେ ଷ୍ଟାଲିନ, ଲଲନ ସିଂ, ଅଭିଷେକ ବାନାର୍ଜୀ, ହେମନ୍ତ ସୋରେନ, ସଞ୍ଜୟ ରାଓ୍ବତ, ରାଘବ ଚଢା, ଡି. ରାଜା, ଓମାର ଅବଦୁଲ୍ଲା, ମେହବୁବା ମୁଫତି, ଜାଭେଦ ଖାଁ। ଏହି ବୈଠକରେ ଆସନ୍ତା ଲୋକସଭା ନିର୍ବାଚନ ଲାଗି ପ୍ରଚାର କୌଶଳ ବି ନିର୍ଦ୍ଧାରିତ ହେବ ବୋଲି ସୂଚନା ମିଳିଛି । ଏହି ସମନ୍ବୟ କମିଟି ବ୍ୟତୀତ ପ୍ରଚାର, ରାଲି, ସୋସିଆଲ ମିଡିଆ, ତଥ୍ୟଗତ ପରିଚାଳନା ଲାଗି ମଧ୍ୟ ୪ଟି ସବକମିଟି ଗଠିତ ହୋଇଛି । ଆସନ୍ତା ଅକ୍ଟୋବର ୨ ସୁଦ୍ଧା ଯଥାସମ୍ଭବ ଘୋଷିତ ହୋଇପାରେ ଇଣ୍ଡିଆର ଇସ୍ତାହାର ।

SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିପାରିବେ SC\ST ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ଖର୍ଚ୍ଚ ହେବ । ଏହି ଯୋଜନା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବ । ଏହା ଦ୍ୱାରା ସରକାରୀ ସ୍କୁଲରେ ପଢୁଥିବା ଓଡ଼ିଆ ମାଧ୍ୟମ ଛାତ୍ରଛାତ୍ରୀ ଉପକୃତ ହେବେ । ଏହାଦ୍ବାରା ସବୁ ବର୍ଗର ଛାତ୍ରଛାତ୍ରୀଙ୍କୁ ଉନ୍ନତମାନର ଶିକ୍ଷା ମିଳିବ । ଏନେଇ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ସୂଚନା ଦିଆଯାଇଛି । ବାର୍ଷିକ ଫି, କୋର୍ସ ଫି ଅର୍ଥ ବହନ କରିବେ ରାଜ୍ୟ ସରକାର । ସେହିପରି ବହି ଖର୍ଚ୍ଚ, ଟ୍ୟୁସନ ଫି’ ଏବଂ ହଷ୍ଟେଲ ଫି’ ମଧ୍ୟ ସରକାର ବହନ କରିବେ । ୨୦୨୩-୨୪ ଶିକ୍ଷା ବର୍ଷରୁ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ପ୍ରଶଂସା କରିଛନ୍ତି ସାଂସଦ ମାନସ ମଙ୍ଗରାଜ ।

‘ଇଣ୍ଡିଆ’ ମହାମେଣ୍ଟର ବଡ ନିଷ୍ପତ୍ତି, ୧୩ ସଦସ୍ୟ ବିଶିଷ୍ଟ କମିଟି ଗଠିତ

ମୁମ୍ବାଇ: ଇଣ୍ଡିଆ ମହାମେଣ୍ଟର ଦ୍ବିତୀୟ ଦିନ ବୈଠକରେ ବଡ ନିଷ୍ପତ୍ତି  । ୧୩ ସଦସ୍ୟ ବିଶିଷ୍ଟ ସମନ୍ବୟ କମିଟି ଗଠିତ । ଇଣ୍ଡିଆ ମହାମେଣ୍ଟର ସମନ୍ବୟ ସମିତି ସେପ୍ଟେମ୍ବର ୩୦ ସୁଦ୍ଧା ସିଟ୍‌ ବଣ୍ଟନ ନେଇ ନିର୍ଣ୍ଣୟ ନେବେ  । ଏହି ପ୍ୟାନେଲରେ କେସି ବେଣୁଗୋପାଳ, ଶରଦ ପାୱାର, ଏମକେ ଷ୍ଟାଲିନ, ସଞ୍ଜୟ ରାୱତ, ତେଜସ୍ବୀ ଯାଦବ, ଅଭିଷେକ ବାନାର୍ଜୀ, ରାଘବ ଚଡ୍‌ଢା, ଜାଭେଦ ଖାନ, ଲଲନ ସିଂ, ହେମନ୍ତ ସୋକେନ, ଡି ରାଜା, ଓମାର ଅବଦୁହ୍ଲା ଓ ମେହବୁବା ମୁଫତି ସାମିଲ ଅଛନ୍ତି  ।

ଏହାସହ ରିସର୍ଚ୍ଚ ଓ ଡାଟା ଆନାଲିସିସ ଟିମ୍ ଗଠନ କରାଯାଇଛି । କୋର୍ଡିନେସନ କମିଟିରେ ଚାରିଟି ଗ୍ରୁପ ରହିବେ । ଏହି କମିଟି ମେଣ୍ଟର କାର୍ଯ୍ୟକ୍ରମ ସମ୍ପର୍କରେ ନିଷ୍ପତ୍ତି ନେବେ । ଏହାସହ ସୋସିଆଲ ମିଡିଆ ଟିମ୍ ମଧ୍ୟ ଗଠନ କରାଯିବା ଯୋଜନା ରହିଛି ବୋଲି ଜଣାପଡ଼ିଛି । ଆଜି ବୈଠକରେ ୨୮ ଦଳର ୬୨ ନେତା ସାମିଲ ହୋଇଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ସୋନିଆ ଗାନ୍ଧୀ, ରାହୁଲ ଗନ୍ଧୀଙ୍କ ସମେତ ଲାଲୁ ପ୍ରସାଦ ଯାଦବ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି, କପିଲ ସିବଲ ପ୍ରମୁଖ ବୈଠକରେ ଯୋଗ ଦେଇଛନ୍ତି ।

ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ବସିଥିବା ବେଳେ ଗୋଟିଏ ମଞ୍ଚରେ ସଭିଁଏ ଏକାଠି ହେବାକୁ ନିଷ୍ପତ୍ତି ନେଇଥିଲେ । ବେଙ୍ଗାଳୁରୁରେ ଦ୍ବିତୀୟ ବୈଠକରେ ମେଣ୍ଟର ନାମକରଣ କରାଯାଇଥିଲା । ଜୁଡେଗା ଭାରତ, ଜିତେଗା ଇଣ୍ଡିଆ ନାରା ଦେଇ ଇଣ୍ଡିଆ ମେଣ୍ଟ ଗଠନ ପରେ ମୁମ୍ବାଇ ବୈଠକରେ ଆଗାମୀ ରଣନୀତିକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଇଣ୍ଡିଆ ମେଣ୍ଟ ବୈଠକ ଯୋଗୁ ମୁମ୍ବାଇ ସହରସାରା ବିରୋଧୀ ନେତାମାନଙ୍କ ପୋଷ୍ଟର ଲଗାଯାଇଛି ।

ପାକିସ୍ତାନ ଇତିହାସରେ ପ୍ରଥମ, ଜଳୁଛି ପେଟ୍ରୋଲ ଓ ଡିଜେଲ ଦର

ଇସଲାମାବାଦ: ପାକିସ୍ତାନରେ ବଢିଲା ଅଧିକ ସଂକଟ । ପେଟ୍ରୋଲ ଓ ଡିଜେଲ ଦର ପାର୍ କରିଛି ୩୦୦ ଟଙ୍କା । ପାକିସ୍ତାନ ଇତିହାସରେ ପ୍ରଥମ ଥର ଲାଗି ଇନ୍ଧନ ଦରବୃଦ୍ଧି ସମସ୍ତଙ୍କ ଲାଗି ଚିନ୍ତାର କାରଣ ହୋଇଛି । ଆର୍ଥିକ ସଂକଟରେ ଥରହର ହେଉଥିବା ପାକିସ୍ତାନରେ କାମଚଳା ସରକାର ଚାଲିଥିବାବେଳେ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ।

ଗତକାଲି ପେଟ୍ରୋଲ ଲିଟର ପିଛା ୧୪ ଟଙ୍କା ୯୧ ପଇସା ବଢିଥିବାବେଳେ ଡିଜେଲ ଦର ଲିଟର ପିଛା ବଢିଥିଲା ୧୮ ଟଙ୍କା ୪୪ ପଇସା । ଦେଶରେ ବର୍ତ୍ତମାନ ପେଟ୍ରୋଲ ଦର ୩୦୫ ଟଙ୍କା ରହିଥିବାବେଳେ ଡିଜେଲ ଦର ଲିଟର ପିଛା ହୋଇଛି ପ୍ରାୟ ୩୧୨ ଟଙ୍କା ।

ଗତ କିଛି ବର୍ଷ ଧରି ପାକିସ୍ତାନରେ ନାହିଁ ନଥିବା ଅର୍ଥନୈତିକ ସଂକଟ ଜାରି ରହିଛି  । ତୈଳଦର ବୃଦ୍ଧିର ପ୍ରଭାବ ଜନଜୀବନ ଉପରେ ଗଭୀର ଭାବେ ପଡିବାର ଆଶଙ୍କା ରହିଛି । ସେପଟେ ପାକିସ୍ତାନୀ ଟଙ୍କାର ବ୍ୟାପକ ଅବମୂଲ୍ୟାୟନ ହେଉଥିବାରୁ ଚିନ୍ତା ପ୍ରକଟ କରାଯାଇଛି । ମୁଦ୍ରାର ଅବମୂଲ୍ୟାୟନ ଯୋଗୁ ପାକିସ୍ତାନ ସେଣ୍ଟ୍ରାଲ ବ୍ୟାଙ୍କ ସୁଧହାର ବୃଦ୍ଧି କରିଛି ।

ମିଶନ ସୂର୍ଯ୍ୟ ପୂର୍ବରୁ ଭଗବାନଙ୍କ ଶରଣରେ ISRO ବୈଜ୍ଞାନିକ, ତିରୁମାଳା ମନ୍ଦିରରେ ପୂଜାର୍ଚ୍ଚନା

ତିରୁପତି: ରାତି ପାହିଲେ ସୂର୍ଯ୍ୟ ମିଶନ । ଆସନ୍ତାକାଲି ଦିନ ୧୧ଟା ୫୦ରେ ଆଦିତ୍ୟ-L1 ଲଞ୍ଚ ହେବା ପୂର୍ବରୁ ଇସ୍ରୋ ବୈଜ୍ଞାନିକ ତିରୁମାଳା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଇସ୍ରୋ ବୈଜ୍ଞାନିକମାନେ ଆଜି ସକାଳଉ ତିରୁମାଳା ହିଲ୍ସ ପାଦ ଦେଶରେ ପହଞ୍ଚି ଭେଙ୍କଟେଶ୍ବର ମନ୍ଦିରରେ ବାଲାଜୀଙ୍କୁ ଦର୍ଶନ କରିଛନ୍ତି  ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛନ୍ତି । ରିହରସାଲ ବି ଶେଷ ହୋଇଛି | ଆସନ୍ତାକାଲିର ମିଶନ ଲାଗି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସୋମନାଥ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57  ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୧ ।

ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ୧ର ସଫଳତା ଉପରେ ରହିଛି ନଜର । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ । ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧ ।

ଆଦିତ୍ୟ ଏଲ-୧ରେ ପଠାଯିବ ସାତଟି ପେ-ଲୋଡ । ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ଅନ୍ୟ ତିନୋଟି ପେଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୋଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ୧ ।

ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା । ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ ।