ଭୁବନେଶ୍ୱର : ଚଳିତ ମୌସୁମୀ ସିଜିନର ପ୍ରଥମ ଅବପାତ । ବଙ୍ଗୋପସାଗରରେ ଅବପାତର ରୂପନେଲା ଲଘୁଚାପ । ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ । ପରେ ଉତ୍ତର ପଶ୍ଚିମ ଦିଗରେ ଗତି କରି ବାଂଲାଦେଶ ଉପକୂଳ ଅତିକ୍ରମ କରିବ । ବର୍ତ୍ତମାନ ଏହା ବାଂଲାଦେଶର ଖେପୁପରାଠାରୁ ୨୦୦ କିଲୋମିଟର ଦକ୍ଷିଣ-ପୂର୍ବରେ କେନ୍ଦ୍ରୀଭୂତ ହୋଇଛି। ଦୀଘାଟାରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ୪୩୦ କିଲୋମିଟରରେ ରହିଛି । ସନ୍ଧ୍ୟା ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଗାଙ୍ଗେୟ ଉପତ୍ୟକା ଅତିକ୍ରମ କରିବ । ସମ୍ଭାବ୍ୟ ଅବପାତ ପ୍ରଭାବରେ ଆଗାମୀ ୩ଘଣ୍ଟା ପାଇଁ ୫ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ମୟୂରଭଞ୍ଜ, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ାରେ ପ୍ରବଳ ବର୍ଷିବ ।
ଆଜି ଓଡ଼ିଶାରେ ଉତ୍ତର ଉପକୂଳ, ଉତ୍ତର, ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ଯଥା ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କେଉଁଝର, ଦେଓଗଡ, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସୋନପୁର,ସମ୍ବଲପୁର, ବଲାଙ୍ଗୀର, ବୌଦ ଆଦି ଜିଲ୍ଲାରେ ପ୍ରବଳ ବର୍ଷିବ । ସେପଟେ ରେକର୍ଡ ଭାଙ୍ଗିଲା ରାଜଧାନୀର ବର୍ଷା । ୨୪ ଘଣ୍ଟାରେ ବର୍ଷିଲା ୨୫୮ ମିଲିମିଟର ବର୍ଷା ହୋଇଛି । ଗତକାଲି ବର୍ଷାରେ ରାସ୍ତାରେ ଚାଲୁଥିଲା ପାଣି । ଘରେପାଣି ପଶିଥିବା ଦେଖିବାକୁ ମିଳିଛି । ୧୯୬୯ ଜୁଲାଇ ୩୦ ରେ ହୋଇଥିଲା ସର୍ବକାଳୀନ ରେକର୍ଡ । ସର୍ବାଧିକ ୨୮୨.୮ ମିଲିମିଟର ବର୍ଷା ହୋଇଥିଲା । ୨୦୧୮ ଜୁଲାଇ ୩୧ ରେ ୧୯୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଥିଲା । ୨୦୧୨ ରୁ ୨୦୨୩ ମଧ୍ୟରେ ଗତକାଲି ସବୁଠୁ ଅଧିକ ବର୍ଷା ହୋଇଛି ।
ମଣିପୁର ଘଟଣାକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, କାର୍ଯ୍ୟାନୁଷ୍ଠାନ ନେଇ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ: କୁକୀ-ମିତେଇ ବିବାଦରେ ଜଳୁଛି ମଣିପୁର । ଜନଜାତି ମାନ୍ୟତାକୁ ନେଇ ଚରମ ସୀମାରେ ପହଞ୍ଚିଛି ସାମ୍ପ୍ରଦାୟିକ ହିଂସା । ମଣିପୁରର ବର୍ବର ଭିଡିଓ ଭାଇରାଲକୁ ନେଇ ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ଅନ୍ୟ ରାଜ୍ୟରେ ସମାନ ଘଟଣା ଘଟିଛି କହି ମଣିପୁରର ବର୍ବରକାଣ୍ଡକୁ ଯଥାର୍ଥ ବୋଲି କହିହେବ ନାହିଁ ବୋଲି କୋର୍ଟ କହିଛନ୍ତି । ରାଜ୍ୟରେ ମହିଳାଙ୍କ ସହ ହୋଇଥିବା ହିଂସା ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ? ସେ ନେଇ ରିପୋର୍ଟ ମାଗିଛନ୍ତି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ । ପ୍ରଧାନ ବିଚାରପତି ହିଂସା ଏବଂ ଯୌନ ଉତ୍ପୀଡନର ମାମଲାକୁ ନିର୍ଭୟା କାଣ୍ଡଠୁ ମଧ୍ୟ ଅଧିକ ଗମ୍ଭୀର ବୋଲି କହିଛନ୍ତି । ସେ କହିଛନ୍ତି ଯେ, ଏହା ନିର୍ଭୟା କାଣ୍ଡ ଭଳି ସ୍ଥିତି ନୁହେଁ, ଯେଉଁଥିରେ ଗୋଟିଏ ଗଣଦୁଷ୍କର୍ମ ହୋଇଥିଲା ।
ତାହା ମଧ୍ୟ ଭୀଷଣ ଥିଲା ହେଲେ ଏହା କିନ୍ତୁ ଭିନ୍ନ ମାମଲା ଅଟେ । ଆମେ ଏଠାରେ ବ୍ୟବସ୍ଥାଗତ ହିଂସାର ମୁକାବିଲା କଥା କହୁଛେ, ଯାହାକୁ ଆଇପିସିରେ ଏକ ଭିନ୍ନ ଅପରାଧ ବୋଲି ମଣାଯାଇଥାଏ । ଏଥିପାଇଁ ଆମକୁ ପ୍ରଶାସନରେ ଲୋକଙ୍କ ଭରସା ଜନ୍ମେଇବା ପାଇଁ କୋର୍ଟ ଦ୍ୱାରା ନିଯୁକ୍ତ ଏକ କମିଟି ବନାଇବୁ । ଏହି କମିଟିରେ ରାଜନୀତି ସହ ସମ୍ବନ୍ଧିତ କୌଣସି ବି ଲୋକ ସାମିଲ ହେବେ ନାହିଁ । ଏଥିସହିତ ସେ ରାଜ୍ୟ ପୋଲିସ ଓ ସରକାରଙ୍କ ନିରବତାକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି ସର୍ବୋଚ୍ଚ କୋର୍ଟ । ଅନ୍ୟ ରାଜ୍ୟର ଉଦାହରଣ ଦେଇ ମଣିପୁରର ବର୍ବରକାଣ୍ଡକୁ ଯଥାର୍ଥ କରିହେବନି ବୋଲି କୋର୍ଟ କହିଛନ୍ତି ।
ମଣିପୁର ପୀଡ଼ିତାଙ୍କ ପିଟିସନର ଶୁଣାଣି କରି ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ। ହିଂସା, ଦଙ୍ଗା, ଯୌନ ଉତ୍ପୀଡ଼ନ ଭଳି ଘଟଣାରେ ଜଳୁଛି ମଣିପୁର। ସମବେଦନାର ସ୍ପର୍ଶରେ ସ୍ଥିତିର ସମାଧାନ କରିବା ଆବଶ୍ୟକତା ରହିଛି। ତିନି ମାସ ଧରି ମଣିପୁର ଜଳୁଥିବା ବେଳେ ପୋଲିସ କ’ଣ କରୁଥିଲା ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ମହିଳାଙ୍କୁ ଉଲଗ୍ନ କରି ପରେଡ କରାଇବା ଘଟଣାର ୧୪ଦିନ ଯାଏଁ କାହିଁକି FIR ହୋଇ ନଥିଲା? ହିଂସା ପରଠୁ ପୋଲିସ କେତେ ମାମଲା ରୁଜୁ କରିଛି? ଅଭିଯୁକ୍ତଙ୍କୁ ଗିରଫ କରିବାକୁ କ’ଣ କ’ଣ ପଦକ୍ଷେପ ନିଆଯାଇଛି ?
ଧାରା ୧୬୪ରେ କେତେ ଜଣଙ୍କ ବୟାନ ରେକର୍ଡ ହୋଇଛି ? ଏସବୁର ରିପୋର୍ଟ ଦେବାକୁ କହିଛନ୍ତି କୋର୍ଟ । ସେପଟେ ସିବିଆଇକୁ ତଦନ୍ତ ଭାର ନଦେଇ SIT ଦ୍ବାରା ଯାଞ୍ଚ କରିବାକୁ ପୀଡ଼ିତାଙ୍କ ଓକିଲ ଦାବି କରିଛନ୍ତି। ଆର୍ମି ଅଫିସରଙ୍କୁ ମଧ୍ୟ ତଦନ୍ତରେ ସାମିଲ ନକରିବାକୁ ଅପିଲ କରିଛନ୍ତି ମଣିପୁର ପୀଡ଼ିତା । ଏହସହ ରାଜ୍ୟ ବାହାରେ ଟ୍ରାଏଲ ପାଇଁ କେନ୍ଦ୍ର ସରକାର ଅପିଲ କରିଥିବା ବେଳେ ପୀଡ଼ିତା ଏହାର ବିରୋଧ କରିଛନ୍ତି । ଆସନ୍ତାକାଲି ଦିନ ୨ଟାରେ ପୁଣି ମାମଲାର ଶୁଣାଣି କରିବେ ସିଜେଆଇଙ୍କ ଖଣ୍ଡପୀଠ।
ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ୍
ଗଞ୍ଜାମ: ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସମେତ ୧୩ ଜଣଙ୍କୁ ଆଜୀବନ ଜେଲ୍ ଆଦେଶ । ବ୍ରହ୍ମପୁରରେ ଟାଟା ଜମି ଅଧିଗ୍ରହଣ ସମୟରେ ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ମାମଲାରେ ଏହି ଦଣ୍ଡାଦେଶ ହୋଇଛି । ଅତିରିକ୍ତ ଜିଲ୍ଲା ଦୌରାଜଜ-୩ କୋର୍ଟ ବିଚାରପତି ଏହି ଦଣ୍ଡ ଶୁଣାଇଛନ୍ତି । ୧୯୯୮ ଜୁନ ୧୮ ତାରିଖରେ ଟାଟା ଜମି ଅଧିଗ୍ରହଣ ସମୟରେ ପୋଲିସ ଓ ଲୋକଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା । ସଂଘର୍ଷରେ ଗଞ୍ଜାମ ପୋଲିସ ଜିଲ୍ଲାର ତତ୍କାଳୀନ ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଜିଲ୍ଲାପାଳ ଓ ଏସପିଙ୍କ ସିକ୍ୟୁରିଟି ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଥିଲା ।
ରିଜର୍ଭ ଇନ୍ସପେକ୍ଟର ବିନୟ ମେହେରଙ୍କୁ ହତ୍ୟା ଅଭିଯୋଗ ନେଇ ଛତ୍ରପୁରର ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କ ସହ ୨୨ ଜଣଙ୍କ ନାଁରେ ଛତ୍ରପୁର ଥାନାରେ ମାମଲା ରୁଜୁ କରିଥିଲା ପୋଲିସ । ଏହା ମଧ୍ୟରେ ୨୨ ଜଣଙ୍କ ମଧ୍ୟରୁ ୮ ଜଣଙ୍କ ମୃତ୍ୟୁ ହୋଇସାରିଛି । ଏହି ମାମଲାରେ କୋର୍ଟ ଆଜି ଦଣ୍ଡ ଶୁଣାଇଛନ୍ତି । କୋର୍ଟଙ୍କ ଦ୍ବାରା ଦଣ୍ଡିତ ହୋଇଥିବା ଲୋକମାନେ ହେଲେ ପି. କାମାରାଜୁ ରେଡ୍ଡୀ, କାଳିଆ ସେଠୀ, ଏନ. ଦିଲ୍ଲୀପ କୁମାର ରେଡ୍ଡୀ, ଗୁରୁଦେବ ବେହେରା, ଏନ.ନାରାୟଣ ରେଡ୍ଡୀ, ପି. ନାଗେଶ୍ୱର ରେଡ୍ଡୀ, ପି.ଡମ୍ବୁର ରେଡ୍ଡୀ, ଲଣ୍ଡା ଚନ୍ଦ୍ରମଣି ରେଡ୍ଡୀ, ଦୁନା କାମରାଜୁ ବର୍ମା, ପୁଟି ପୋଟୁଡୁ, ଟୁନା ବେହେରା, ଆର୍. ଘନ ରେଡ୍ଡୀ ଏବଂ ସୁଦାମ ରାଉଳ ।
ଡାକ୍ତର ଦମ୍ପତିଙ୍କ ଘରେ ଚାକରାଣୀ ଥିଲେ ୫ବର୍ଷରେ ହୋଇଗଲେ ଲକ୍ଷ ପତି
ନନ୍ଦିଘୋଷ ବ୍ୟୁରୋ : ଦିନେ ଚାକରାଣୀ ଭାବେ କାମ କରୁଥିଲେ ହେଲେ ୫ବର୍ଷରେ ହୋଇଗଲେ ଲକ୍ଷପତି । ଘରର ବାସନ ମାଜୁଥିଲେ ଛାଡ଼ୁ କରୁଥିଲେ କିନ୍ତୁ ଅାକାଉଣ୍ଟରେ ରଖିଥିଲେ ବିଡା ବିଡା ଟଙ୍କା । ଉତ୍ତରପ୍ରଦେଶର ହାଲଡୱାନି ପୋଲିସ ଚୋରି ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଛି । ଅଭିଯୁକ୍ତ ମହିଳା ଡାକ୍ତର ଦମ୍ପତିଙ୍କ ଘରେ ସଫେଇ କାର୍ଯ୍ୟ କରୁଥିଲେ । ଘରୋଇ କାମ ପାଇଁ ଏହି ଦମ୍ପତି ତାଙ୍କୁ ୨୦୧୯ ରେ ନିଯୁକ୍ତି ଦେଇଥିଲେ । ୨୦୨୨ ପର ଠାରୁ ତାଙ୍କ ଘରୁ ଟଙ୍କା ଚୋରି ହେଉଥିଲା । ଅଧିକ ଟଙ୍କା ଚୋରି ହେଉନଥିବାରୁ ଦମ୍ପତି ଧ୍ୟାନ ଦେଉନଥିଲେ । ଏହି ମାସ ଡାକ୍ତର ତାଙ୍କ ଅାଲମାରୀରେ ୧୦ଲକ୍ଷ ଟଙ୍କା ରଖିଥିଲେ । ଦୁଇଦିନ ପରେ ଯେତେବେଳେ ନଗଦ ଟଙ୍କା ଗଣନା କରାଯାଇଥିଲା ସେତେବେଳେ ଏହା ପ୍ରାୟ ପାଞ୍ଚଲକ୍ଷ ଟଙ୍କା କମ୍ ଥିଲା । ଏହା ପରେ କ୍ୟାମେରା ସାହାଯ୍ୟରେ ଚାକରାଣୀ ଚୋରି କରିବା ସମୟର ଭିଡିଓ ସାମ୍ନାକୁ ଅାସିଥିଲା । ତା ପରେ ଜେଲକୁ ପଠାଇଛି ପୋଲିସ ।
ସୂଚନା ଅନୁସାରେ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇବା ସମୟରେ ଡାକ୍ତର ରାହୁଲ ସିଂ କହିଛନ୍ତି । ସେ ଏବଂ ତାଙ୍କ ପତ୍ନୀ ବୃତ୍ତିରେ ଡାକ୍ତର, ସହରର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରନ୍ତି । ତାଙ୍କ ଘର ନୈନତାଲ ରୋଡରେ ଅବସ୍ତିତ । ୨୦୧୯ ମସିହାରେ ସେ ତାଙ୍କ ଘରେ ଘରୋଇ କାମ ପାଇଁ ମଧୁ ନାମକ ଜଣେ ମହିଳାଙ୍କୁ ନିଯୁକ୍ତି ଦେଇଥିଲେ । ତାଙ୍କୁ ମାସିକ ୪୫୦୦ ଟଙ୍କା ଦରମା ଦେଉଥିଲେ । ୨୦୨୨ରୁ ତାଙ୍କ ଘରେ ଟଙ୍କା ବାରମ୍ବାର ଉଭାନ ହେବାକୁ ଲାଗିଲା । ଟଙ୍କାର ପରିମାଣ କମ ଥିବାରୁ ସେ ଧ୍ୟାନ ଦେଉନଥିଲେ । ଜୁଲାଇ ୨୨ରେ ସେ ଅାଲମାରିରେ ୧୦ଲକ୍ଷ ଟଙ୍କା ରଖିଥିଲେ । ଯେତେବେଳେ ଅାଲମାରିରେ ରଖାଯାଇଥିବା ନଗଦ ଟଙ୍କା ୨୫ତାରିଖରେ ଗଣାଯାଇଥିଲା, ସେତେବେଳେ ଏଥିରୁ ୪ଲକ୍ଷ ୭୦ହଜାର ଟଙ୍କା କମ ଥିଲା । ଚାକରାଣୀକୁ ସନ୍ଦେହ କରି ସେ ହ୍ୟାଣ୍ଡି କ୍ୟାମେରାକୁ ରେକର୍ଡଂ ମୋଡରେ ରଖିଥିଲେ ଏବଂ ସେଠାରେ ଥିବା ନୋଟ ଗୁଡିକର କ୍ରମିକ ସଂଖ୍ୟାର ଫଟୋ ଉଠାଇଥିଲେ । କାରଣ ପୂର୍ବଦିନ ଗଣାଯାଇଥିବା ବେଳେ ୭୫୦୦ ଟଙ୍କା କମ୍ ଥିଲା । ଯେତେବେଳେ କ୍ୟାମେରା ରେକର୍ଡଂ ଦେଖିଲେ ସେତେବେଳେ ଚାକରାଣୀ ମଧୁ ଚୋରି କରୁଥିବାର ଦେଖିବାକୁ ମିଳିଥିଲା ।
ହାଲଡୱାନୀ ପୁଲିସ ଅଧିକାରୀ ହରେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ଡାକ୍ତର ରାହୁଲ ସିଂ ଏ ସମ୍ପର୍କରେ ପୋଲିସକୁ ଅଭିଯୋଗ କରିବା ସହ ପ୍ରମାଣ ମଧ୍ୟ ଦେଇଛନ୍ତି । ଏହା ପରେ ମଧୁଙ୍କୁ ତାଙ୍କ ଘରେ ଗିରଫ କରାଯାଇଥିଲା । ପୋଲିସ ତାଙ୍କ ଘରୁ ଚୋରି ହୋଇଥିବା ୪ଲକ୍ଷ ୭୭ହଜାର ୫୦୦ଟଙ୍କା ଜବତ କରିଛି । ଯେତେବେଳେ ପୋଲିସ ମଧୁଙ୍କ ବ୍ୟାଙ୍କ ଅାକାଉଣ୍ଟ ଚେକ୍ କରିଥିଲେ ସେତେବେଳେ ସେମାନେ ଜାଣିବାକୁ ପାଇଥିଲେ ୬ଲକ୍ଷ ୩୦ହଜାର ଟଙ୍କା ଅାକାଉଣ୍ଟରେ ଜମା ହୋଇଥିଲା । ମଧୁ ସ୍ବୀକାର କରିଛନ୍ତି ଯେ ବ୍ୟାଙ୍କରେ ଜମା ହୋଇଥିବା ବହୁ ଟଙ୍କା ସେ ଚୋରି କରିଛନ୍ତି । ମଧୁଙ୍କ ବ୍ୟାଙ୍କ ଅାକାଉଣ୍ଟ ଫ୍ରିଜ୍ କରାଯାଇଛି ଏବଂ ତାଙ୍କୁ କୋର୍ଟରେ ହାଜର କରାଯାଇ ଜେଲ୍ ପଠାଯାଇଛି ।
ଜମି ବଦଳରେ ଚାକିରି ମାମଲାରେ ଆକ୍ସନ, ଲାଲୁ ପରିବାରର ୬ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି
ନୂଆଦିଲ୍ଲୀ: ଚାକିରି ବଦଳରେ ଜମି ଦୁର୍ନୀତି ମାମଲାରେ ଆକ୍ସନ । ଲାଲୁ ଯାଦବଙ୍କ ପରିବାର ସହ ସମ୍ବନ୍ଧିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ମାମଲାରେ ଆରଜେଡି ମୁଖିଆ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡି ଦେବୀ ପୂର୍ବରୁ ହିଁ ଯାଞ୍ଚର ସାମ୍ନା କରୁଛନ୍ତି । ନିକଟରେ ସିବିଆଇ ତିନିଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ସୂଚନା ମୁତାବକ, ଇଡି ଲାଲୁ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ଜମି ବଦଳରେ ଚାକିରି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଇଡି ଲାଲୁଙ୍କ ପରିବାରର ୬ କୋଟିର ସମ୍ପତ୍ତି ଆଟାଚ୍ କରିଛି । ସୂଚନାଥାଉକି, ରେଳବାଇରେ ଚାକିରି ବଦଳରେ ଲାଞ୍ଚ ଆକାରରେ ଜମି ନେବା ଅଭିଯୋଗ ମାମଲାରେ ସିବିଆଇ ତଦନ୍ତ କରୁଛି । ସେହିପରି ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ କରୁଛି । ସିବିଆଇ ଏହି ମାମଲାରେ ଚାର୍ଜସିଟ୍ ମଧ୍ୟ ଦାଖଲ କରିଦେଇଛି । ଏହି ମାମଲାରେ ଲାଲୁ ଯାଦବଙ୍କ ନିକଟତର ଓ ପୂର୍ବତନ ବିଧାୟକ ଭୋଲା ଯାଦବ ଏବଂ ହୃଦୟାନନ୍ଦ ଚୌଧୁରୀ ମଧ୍ୟ ଅଭିଯୁକ୍ତ ଅଛନ୍ତି । ଆରଜେଡି ନେତା ଲାଲୁ ଯାଦବଙ୍କ ଓଏସଡି ରହିଥିବା ଭୋଲା ଯାଦବଙ୍କୁ ସିବିଆଇ ୨୭ ଜୁଲାଇରେ ଗିରଫ କରିଥିଲା । ଭୋଲା ୨୦୦୪ରୁ ୨୦୦୯ ମଧ୍ୟରେ ତତ୍କାଳୀନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଓଏସଡି ଥିଲେ ।
ହ୍ୱିଲ୍ ଚେୟାରରେ ପରୀକ୍ଷା ଦେଇଥିଲେ, ଏବେ OCSରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ସୁଚିସ୍ମିତା
କନ୍ଧମାଳ: ଗୋଡ ଭାଙ୍ଗିଗଲା ହେଲେ ମନୋବଳ ଭାଙ୍ଗିଲାନି । ଦୁର୍ଘଟଣା ପାଦ ଅଟକାଇବାକୁ ଚେଷ୍ଟା କଲା ହେଲେ ପ୍ରତିବନ୍ଧକକୁ ମୁକାବିଲା କରି ସେ ବନିଗଲେ ଓଏଏସ ଅଫିସର । ହୁଇଲ ଚେୟାରରେ ପରୀକ୍ଷା ଦେଲେ ଆଉ ତାଲିକାର ଟପ୍ ଟୁରେ ସ୍ଥାନ ପାଇ ଏବେ ଚର୍ଚ୍ଚାରେ କନ୍ଧମାଳ ଜିଲ୍ଲା ଟିକାବାଲିର ସୁଚିସ୍ମିତା ପାଣିଗ୍ରାହୀ । ନିଜ ପ୍ରଥମ ଚେଷ୍ଟାରେ ସଫଳତା ପାଇବା ସହ ଦୁଇ ନମ୍ବର ରାଙ୍କରେ ଆସିଛନ୍ତି ସୁଚିସ୍ମିତା । ଜୁଲାଇ ୧୨ତାରିଖରେ ସୁଚିସ୍ମିତାଙ୍କ ଦୁର୍ଘଟଣାର ଶିକାର ହୋଇଥିଲେ । ସାକ୍ଷାତ ପରୀକ୍ଷାର ୧୦ଦିନ ପୂର୍ବରୁ କାର ସହିତ ଏକ ଦୁର୍ଘଟଣାରେ ତାଙ୍କର ଗୋଡ଼ ଓ ହାତ ଭାଙ୍ଗିଯାଇଥିଲା । ଫଳରେ ହ୍ୱିଲ୍ ଚେୟାରରେ ସାକ୍ଷାତ ପରୀକ୍ଷା ଦେବାକୁ ଯାଇଥିଲେ ।
ପାକିସ୍ତାନୀ ଗୁପ୍ତଚରଙ୍କୁ ବ୍ରାହ୍ମୋସ୍ ରିପୋର୍ଟ ଦେଖାଇଥାନ୍ତେ DRDO ବୈଜ୍ଞାନିକ
ନନ୍ଦିଘାଷ ବ୍ୟୁରୋ : ମହାରାଷ୍ଟ୍ର ଏଟିଏସ୍ DRDO ଗୁପ୍ତଚର ମାମଲାରେ ଏକ ଗୁରୁତ୍ବପୂର୍ଣ୍ଣ ଖୁଲାସା କରିଛି । ଏଟିଏସ୍ ର ସୂଚନା ଅନୁଯାୟୀ ବୈଜ୍ଞାନିକ ପ୍ରଦୀପ କୁରୁଲକର ବ୍ରହ୍ମୋସ କ୍ଷେପଣାସ୍ତ୍ର ପ୍ରକଳ୍ପ ସହ ଜଡ଼ିତ ସର୍ବୋଚ୍ଚ ଗୁପ୍ତ ଦସ୍ତାବିଜକୁ ପାକିସ୍ତାନୀ ଏଜେଣ୍ଟଙ୍କୁ ଦେଖାଇବାକୁ କହିଥିଲେ । ପାକିସ୍ତାନୀ ଏଜେଣ୍ଟଙ୍କ ନାମ ଜାରା ଦାସଗୁପ୍ତା । DRDO ର ରିସର୍ଚ୍ଚ ଅାଣ୍ଡ ସାଇନ୍ସ ଇଞ୍ଜିନିୟରର୍ସ ଲ୍ୟାବର ୫୯ ବର୍ଷର କୁରୁଲକରଙ୍କୁ ଏଟିଏସ୍ ମେ ୩ ତାରିଖରେ ଗିରଫ କରିଥିଲା । ସରକାରୀ ସିକ୍ରେଟ୍ ଅାକ୍ଟ (ଓଏସଏ) ବିଭାଗ ଅଧୀନରେ ବୈଜ୍ଞାନିକଙ୍କ ବିରୋଧରେ ଗୁପ୍ତଚର ସନ୍ଦେହରେ ଜଣେ ମହିଳା ଏଜେଣ୍ଟଙ୍କ ସହ ଯୋଗଯୋଗ ସର୍ମ୍ପକରେ ଏକ ମାମଲା ରୁଜୁ କରାଯାଇଥିଲା । ଏଟିଏସ୍ କହିଛି, ପାକିସ୍ତାନୀ ଏଜେଣ୍ଟ ହ୍ବାଟସ ଅାପରେ କୁରୁଲକରଙ୍କ ସହ ଯୋଗାଯୋଗ କରି ତାଙ୍କୁ ବ୍ରିଟେନର ସଫ୍ଟୱ୍ବେୟାର୍ ଇଞ୍ଜିନିୟର ବୋଲି ପରିଚୟ ଦେଇଥିଲେ । ସେ ଅନେକ ଅଶ୍ଲୀଳ ବାର୍ତ୍ତା, ଭଏସ୍ କଲ ପଠାଇ ବୈଜ୍ଞାନିକଙ୍କୁ ନିଜ ଜାଲରେ ଛନ୍ଦିଥିଲେ । ଜୁନ୍ ୧୦, ୨୦୨୨ ରୁ ଫ୍ରେବୃୟାରୀ ୨୪, ୨୦୨୩ ପର୍ଯ୍ୟନ୍ତ କୁରୁଲକର ଏବଂ ମହିଳା ଏଜେଣ୍ଟଙ୍କ ସହ ଅନେକ ଅାଲୋଚନା ହୋଇଥିଲା ।

ଏଟିଏସ୍ ଅଭିଯୋଗ କରିଛି ଯେ ଜାରା ଭାରତର ବିଭିନ୍ନ DRDO ଏବଂ ପ୍ରତିରକ୍ଷା ପ୍ରକଳ୍ପ ବିଷୟରେ କୁରୁଲକରଙ୍କ ଠାରୁ ଗୁପ୍ତ ତଥ୍ୟ ବାହାର କରିବାକୁ ଚାହୁଁଥିଲେ । ପ୍ରଦୀପ କୁରୁଲକର ତାଙ୍କ ପ୍ରତି ଅାକର୍ଷିତ ହୋଇଥିଲା ଏବଂ ଗୁପ୍ତ ସୂଚନା ବାଣ୍ଟିବା ପାଇଁ ତାଙ୍କ ପଦର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଅନୁସନ୍ଧାନ ସମୟରେ, ଏଟିଏସ୍ ଉଭୟଙ୍କ ମଧ୍ୟରେ ହ୍ବାଟସ୍ ଅାପ ଚାଟ୍ ଅାକ୍ସେସ କରିଥିଲା ଯାହା ଚାର୍ଜସିଟରେ ଅନ୍ତର୍ଭୂକ୍ତ କରାଯାଇଥିଲା । ଚାର୍ଜସିଟ୍ ଅନୁଯାୟୀ ଅକ୍ଟୋବର ୧୦, ୨୦୨୨ ରୁ ଅକ୍ଟୋବର ୨୮,୨୦୨୨ ମଧ୍ୟରେ ଦୁହେଁ ବ୍ରହ୍ମୋସ ବିଷୟରେ ଅାଲୋଚନା କରିଥିଲେ । ଏହି ଚାଟ୍ ରେ ଜାରା ପଚାରିଛନ୍ତି ବାବୁ, ‘ବ୍ରାହ୍ମୋସ୍’ ମଧ୍ୟ ତୁମର ଉଦ୍ଭାବନ । ଏହାପରେ କୁରୁଲକର ଉତ୍ତର ଦେଇଛନ୍ତି, ମୋର ସମସ୍ତ ବ୍ରହ୍ମୋସ୍ ଉପରେ ପ୍ରାୟ ୧୮୬ ପୃଷ୍ଠାର ପ୍ରାଥମିକ ଡିଜାଇନ୍ ରିପୋର୍ଟ ଅଛି । ଯେତେବେଳେ ତୁମେ ଏଠାକୁ ଅାସିବ, ମୁଁ ତୁମକୁ ଦେଖାଇବାକୁ ଚେଷ୍ଟା କରିବି । ![]()
ଚାର୍ଜସିଟ୍ ଅନୁଯାୟୀ, ବ୍ରହ୍ମୋସ ବ୍ୟତୀତ କୁରୁଲକର ଏବଂ ଜାରା ଅଗ୍ନି ୬, ରୁଷ୍ଟମ, ସର୍ଫେସ୍ ଟୁ ଏୟାର ମିସାଇଲ୍ (SAM), ମାନବ ବିହୀନ ଯୁଦ୍ଧ ବିମାନ (UCAV) ଏବଂ ଡ୍ରୋନ୍ ପ୍ରକଳ୍ପ ଉପରେ ମଧ୍ୟ ଅାଲୋଚନା କରିଥିଲେ । କୁରୁଲକର ଜାରାଙ୍କୁ ହ୍ବଟସ ଅାପ୍ ରେ ‘ହାପି ମନିଂ’ ନାମକ ଏକ ଗ୍ରୁପ୍ ରେ ଯୋଡିଥିଲେ । ବାର୍ତ୍ତାଳପ ସମୟରେ କୁରୁଲକର ଦୁଇ ଜଣ DRDO ବୈଜ୍ଞାନିକଙ୍କ ବିଷୟରେ ଜାରାଙ୍କୁ କହିଥିଲେ । ଏଟିଏସ୍ ଉଭୟ ବୈଜ୍ଞାନିକଙ୍କ ବିବୃତ୍ତି ରେକର୍ଡ କରିଛି । ମହାରାଷ୍ଟ୍ର ଏଟିଏସ୍ କୁରୁଲକରଙ୍କ ବିରୋଧରେ ୧୮୩୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏବଂ ୨୦୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଛି ।

