ସମ୍ବଲପୁର: ବଢ଼ୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳଭଣ୍ଡାରର ଜଳସ୍ତର ୬୧୫.୨୧ ଫୁଟ ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୩ ଲକ୍ଷ ୩୩ ହଜାର ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ଦୁଇଟି ଗେଟରେ ୬୬ ହଜାର ଘନଫୁଟ ବନ୍ୟାଜଳ ନିଷ୍କାସନ କରାଯାଉଛି । ଆଗକୁ ସ୍ଥିତି ଦେଖି ଅଧିକ ଗେଟ୍ ଖୋଲିବା ନିଷ୍ପତ୍ତି ନିଆଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।
ମହାନଦୀରେ ବଡ଼ ଘାଇ, ତେରମାଣପୁରଠାରେ ୨୦ ଫୁଟର ଘାଇ
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ବନ୍ୟାଜଳ ପ୍ରବେଶ କରିଛି । ଭୟରେ ୧୦୦ରୁ ଅଧିକ ପରିବାର ତାଳଦଣ୍ଡା ବନ୍ଧ ଉପରକୁ ଚାଲି ଆସିଛନ୍ତି । ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଘାଇ ମରାମତି ପାଇଁ ଉଦ୍ୟମ କରୁଛି । ଉଦ୍ଧାରକାରୀ ଦଳ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରୁଛନ୍ତି ।
ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ବନକଲାଗି ନୀତି ବିଳମ୍ବ ସମ୍ପର୍କରେ ହେବ ଅନୁଧ୍ୟାନ
ପୁରୀ: ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ନିଳାଦ୍ରୀ ଭକ୍ତ ନିବାସରେ ଦିନ ୧୧ଟା ସମୟରେ ବୈଠକ ବସିବାକୁ ଥିବା ବେଳେ ପୂର୍ବ ବିବରଣୀ ପଠନ ଓ ଅନୁମୋଦନ ହେବା ସହ ଗତ ରଥ ଓ ସ୍ନାନ ଯାତ୍ରାର ସମୀକ୍ଷା କରାଯିବ । ଏଥିସହ ସେବାୟତ ବାସଗୃହ, ଆଦର୍ଶ ଗୁରୁକୁଳ ସମ୍ପର୍କରେ ଆଲୋଚନା କରାଯିବ ବାଉଳି ମଠ ଉନ୍ନତି କରଣ ସହ ଶ୍ରୀଜଗନ୍ନାଥ ମନ୍ଦିର ଭୂମି ଓ ପ୍ରକଳ୍ପ ସବକମିଟି ବୈଠକର ବିବରଣୀ ବିଷୟରେ ଆଲୋଚନା କରାଯିବ । ତେବେ ଦୀର୍ଘ ଏକମାସ ହେବ ମହାପ୍ରଭୁଙ୍କ ବନକ ଲାଗି ହୋଇନଥିବା ବେଳେ ଆସନ୍ତା ୯ ତାରିଖରେ ଏହା କରାଯିବ ବୋଲି ସ୍ଥିରୀକୃତ କରାଯାଇଛି । ତେବେ କାହିଁକି ନୀତି ବିଳମ୍ବ ହେଲା, କେଉଁଠାରେ ସମନ୍ୱୟ ଅଭାବ ରହିଲା ସେ ସମ୍ବନ୍ଧରେ ମଧ୍ୟ ଆଲୋଚନା କରାଯିବ ।
ଶ୍ରୀମନ୍ଦିର ଚାରିଦ୍ୱାର ଭକ୍ତଙ୍କ ନିମନ୍ତେ ଖୋଲାଯିବା ପ୍ରସଙ୍ଗ ବିଷୟରେ ମଧ୍ୟ ସଭାପତିଙ୍କ ଅନୁମୋଦନ କ୍ରମେ ଆଲୋଚନା କରାଯାଇପାରେ । ବୈଠକରେ ପରିଚାଳନା କମିଟିର ସ୍ଥାୟୀ ସଭାପତି ଗଜପତି ଦିବ୍ୟସିଂହ ଦେବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସ୍ପିଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପରିଚାଳନା କମିଟିର ସମସ୍ଥ ସଦସ୍ୟ ଉପସ୍ଥିତ ରହିବେ ।
ବୈତରଣୀ ବନ୍ୟାରେ ଗମ୍ଭୀର ହେଉଛି ସ୍ଥିତି, ପାଣି ଘେରରେ ରହିଛନ୍ତି ୪୦ ହଜାର ଲୋକ
ଭଦ୍ରକ: ବୈତରଣୀ ବନ୍ୟାରେ ଗମ୍ଭୀର ହେଉଛି ସ୍ଥିତି । ଭଦ୍ରକ ଜିଲ୍ଲା ଧାମନଗର ଓ ଚାନ୍ଦବାଲିରେ ୨୫ ପଞ୍ଚାୟତ ଜଳବନ୍ଦୀ ହୋଇଛି । ପ୍ରାୟ ୪୦ ହଜାର ଲୋକ ପାଣି ଘେରରେ ରହିଛନ୍ତି । ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତାର ୬ଟି ସ୍ଥାନରେ ୪ରୁ ୫ ଫୁଟର ପାଣି ପ୍ରବାହିତ ହେଉଛି । ପାଣି ବଢୁଥିବାରୁ ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ବନ୍ୟା ପାଣିରେ ବିଷଧର ସାପକୁ ନେଇ ଭୟ ବଢୁଥିବାବେଳେ ପ୍ରଶାସନ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି । ଏନଡିଆରଫ, ଓଡ୍ରାଫ, ଅଗ୍ନିଶମ ବାହିନୀ ତରଫରୁ ଉଦ୍ଧାର କାର୍ଯ୍ୟ କରାଯାଉଛି ।
କପିଲଙ୍କୁ କାହିଁକ ଏଭଳି କହିଲେ ଜାଡେଜା…
ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କୁ ଅହଙ୍କାରୀ ବୋଲି ନିକଟରେ ଆକ୍ଷେପ କରିଥିଲେ କପିଲ ଦେବ। ଏମିତିକି ଟଙ୍କା ପାଇବା କାରଣରୁ ଖେଳାଳିମାନେ ଗର୍ବି ହୋଇପଡିଛନ୍ତି ବୋଲି କହିବାକୁ ମଧ୍ୟ ପଛାଇନାହାଁନ୍ତି। ଯାହାପରେ କପିଲଙ୍କୁ କଡ଼ା ଜବାବ ଦେଇଛନ୍ତି ଟିମ୍ ଇଣ୍ଡିଆର ଖେଳାଳି ।
କପିଲଙ୍କୁ ଜବାବ ଦେଇ ଜାଡେଜା କହିଛନ୍ତି, ଯେତେବେଳେ ଭାରତ ମ୍ୟାଚ୍ ହାରେ, ସେତେବେଳେ ଲୋକମାନେ ଏଭଳି ଟିପ୍ପଣୀ ଦେଇଥାନ୍ତି । ସେ ଆହୁରି କହିଛନ୍ତି, ଖେଳାଳିଙ୍କ ଧ୍ୟାନ କେବଳ ଟିମର ଜିତ୍ ଉପରେ ଥିଲା। ସେମାନଙ୍କର ଅନ୍ୟକୌଣସି ବ୍ୟକ୍ତିଗତ ଏଜେଣ୍ଡା ନଥିଲା। ପୂର୍ବତନ ଖେଳାଳିଙ୍କର ନିଜର ମତାମତ ରଖିବାର ଅଧିକାର ରହିଛି । କିନ୍ତୁ ମୋତେ ଲାଗୁନି ଏହି ଟିମରେ କେହି ଅହଙ୍କାରି ଅଛନ୍ତି। ସମସ୍ତେ ନିଜର ଶତପ୍ରତିଶତ ଦେଉଛନ୍ତି । ତେବେ କ୍ରିକେଟ ଲିଜେଣ୍ଡ ତଥା ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବ ଭାରତୀୟ ଖେଳାଳିଙ୍କୁ ଏଭଳି କାହିଁକି କହିଛନ୍ତି, କ‘ଣ ଥିଲା ପୂରା ଘଟଣା ଆସନ୍ତୁ ଜାଣିବା…
ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଲଜ୍ଜାଜନକ ପରାଜୟ ପାଇଁ ପୂର୍ବତନ ଅଧିନାୟକ କପିଲ ଦେବ ଭାରତୀୟ ଦଳକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପୂର୍ବରୁ ଆଇପିଏଲ ଭଳି ବଡ଼ ଏବଂ ଲମ୍ବା ସମୟ ଧରି ଟୁର୍ଣ୍ଣାମେଣ୍ଟ ହେଉନଥିଲା । ହେଲେ ଆଇପିଏଲ ଆରମ୍ଭ ହେବା ପରଠୁ ଖେଳାଳିଙ୍କ ପାଖରେ ଟଙ୍କାର ଅଭାବ ରହୁନି। ଯେଉଁଥିପାଇଁ ସେମାନେ ଅହଙ୍କାରରେ ବୁଡି ରହୁଛନ୍ତି। ଖେଳାଳିମାନେ ନିଜକୁ ଏତେ ଜ୍ଞାନୀ ଭାବୁଛନ୍ତି ଯେ, ସେମାନେ କୌଣସି ବରିଷ୍ଠଙ୍କ ଠାରୁ ପରାମର୍ଶ ଲୋଡ଼ିବାର ଆବଶ୍ୟକତା ଅନୁଭବ କରନ୍ତି ନାହିଁ | ସେହିପରି ରାଜନୀତି ଏବଂ ଆଇପିଏଲ ଟଙ୍କା ଯୋଗୁ ଭାରତୀୟ କ୍ରିକେଟ ଦୁଃଖଦ ସମୟ ଦେଇ ଗତି କରୁଛି ବୋଲି ପୂର୍ବରୁ ଗାଭାସ୍କର କହିଥିଲେ ।
ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ
ଭୁବନେଶ୍ୱର: ଘୁଞ୍ଚିଲା ୟୁଜି ଓ ପିଜି ନାମଲେଖା ତାରିଖ। ରାଜ୍ୟରେ ବର୍ଷାଜନିତ ଖରାପ ପାଣିପାଗ ଯୋଗୁଁ ଦେଖାଦେଇଥୀବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ତାରିଖରେ ପରିବର୍ତ୍ତନ କରାଯାଇଛି।
ୟୁଜି ନାମଲେଖା ଓ ଆବେଦନକାରୀଙ୍କ ଦ୍ବିତୀୟ ପର୍ଯ୍ୟାୟ ଚୟନ ଏବଂ ପିଜି ପ୍ରଥମ ପର୍ଯ୍ୟାୟ ଚୟନକୁ ଆଗାମୀ ୫ ତାରିଖ ଶନିବାରକୁ ଘୁଞ୍ଚାଇ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ବିଭାଗ ଉପ ନିର୍ଦ୍ଦେଶକ।

