spot_img
Home Blog Page 3042

ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓହ୍ଲାଇଲେ ନବ ବଧୂ

କନ୍ଧମାଳ: ଯୌତୁକ ମାଗିବାରୁ ମଙ୍ଗଳ ସୂତ୍ର ଓହ୍ଲାଇଲେ ନବ ବଧୂ । ବର ବାଇକ ମାଗିବାରୁ ମଙ୍ଗଳ ସୂତ୍ର ଓ ଶଙ୍ଖା ଚୁଡ଼ି ଖୋଲିଦେଇ ବାପା ଘରକୁ ଫେରିଗଲା ନବ ବିବାହିତା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ତୁମୁଡ଼ିବନ୍ଧ ଥାନା ସୁରୁପଦରର ଦୁର୍ଗମ ଇଲାକାର ଝିଅ ଦେବକୀ ଦିଗାଲ ଗତ ୯ ତାରିଖରେ ବାଲିଗୁଡ଼ା ଥାନା ବରିକିଆ ଗ୍ରାମର ଅର୍ଜୁନ ଦିଗାଲ ନାମକ ଯୁବକଙ୍କୁ ବିବାହ କରିଥିଲେ । ପରେ କନ୍ୟା ପକ୍ଷ ଲୋକେ ବର ଘରକୁ ଆସିଥିବା ସମୟରେ ଯୌତୁକରେ ବାଇକ ଦେବାକୁ ବର ଦାବି କରିଥିଲା । ଆଉ ଏହି ସମୟରେ ନବବଧୂ ଯୌତୁକକୁ ବିରୋଧ କରିବା ସହ ସମସ୍ତଙ୍କ ଆଗରେ ମଙ୍ଗଳ ସୂତ୍ର ସହ ଶଙ୍ଖା ଚୁଡ଼ି ଖୋଲି ଦେଇ ବାପା ଘରକୁ ଚାଲି ଯାଇଥିଲେ । ଦୁର୍ଗମ ଇଲାକାରେ ବସବାସ କରୁଥିବା ଝିଅର ଏଭଳି ନିଷ୍ପତି ସହ ତା’ର ସାହସକୁ ନେଇ ଏବେ ଚର୍ଚ୍ଚାରେ ଜୋର ଧରିଛି । ଅନ୍ୟପଟେ ବର ଘର ଲୋକେ ଯୌତୁକରେ ବାଇକ ମାଗିବା ଘଟଣା ମିଛ ବୋଲି କହିବା ସହ ଆମକୁ ଆମ ବୋହୂ ଦରକାର ବୋଲି କହିଛନ୍ତି ।

 

ଟ୍ୱିଟରର ପୂର୍ବତନ ସିଇଓଙ୍କ ବଡ଼ ବୟାନ, ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର

ନୂଆଦିଲ୍ଲୀ: ସରକାର ବିରୋଧୀ ଆକାଉଣ୍ଟ ବନ୍ଦ କରିବାକୁ ଚାପ ପକାଇଥିଲେ ଭାରତ ସରକାର । ଟ୍ୱିଟର ବ୍ୟାନ କରିବାକୁ ଧମକ ଦିଆଯାଇଥିଲା । କମ୍ପାନୀ ଅଧିକାରୀଙ୍କ ଘରେ ରେଡ୍ କରିବାକୁ ଭାରତ ସରକାର ଧମକାଇଥିଲେ । କେନ୍ଦ୍ର ବିରୋଧରେ ସଂଗୀନ ଅଭିଯୋଗ ଲଗାଇଛନ୍ତି ସ୍ମଲ ବ୍ଲଗିଂ ସାଇଟ ଟ୍ବିଟରର ପୂର୍ବତନ ସିଇଓ ଜ୍ୟାକ ଡର୍ସି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ବେଳେ କେତେକ ଟ୍ୱିଟର ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ଚାପ ପକାଇଥିଲେ। କିଷାନ ଆନ୍ଦୋଳନ କଭର କରୁଥିବା ସାଇଟଗୁଡ଼ିକୁ ବ୍ଲକ କରିବାକୁ ଭାରତ ସରକାର ଚାପ ପକାଇଥିଲେ । ନଚେତ କମ୍ପାନୀ କର୍ମଚାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିଲା । ୟୁଟ୍ୟୁବ ଚ୍ୟାନେଲ ବ୍ରେକିଂ ପଏଣ୍ଟସକୁ ଏକ ଇଣ୍ଟରଭ୍ୟୁ ଦେଇ ଏହି ଖୁଲାସା କରିଛନ୍ତି ଜ୍ୟାକ୍ ।

ଚାଷୀ ଆନ୍ଦୋଳନ ବେଳେ ଅନେକ ଆକାଉଣ୍ଟ ବ୍ଲକ୍ କରିବାକୁ ତାଙ୍କୁ ଅନୁରୋଧ କରାଯାଇଥିଲା । ବିଶେଷକରି ସରକାରଙ୍କ ଆଲୋଚନା କରୁଥିବା ସାମ୍ବାଦିକଙ୍କ ଆକାଉଣ୍ଟ ବନ୍ଦ କରିବାକୁ କୁହାଯାଇଥିଲା । ନଚେତ ଦେଶରେ ଟ୍ବିଟର ବନ୍ଦ କରିବା ସହ ଅଧିକାରୀଙ୍କ ଘରେ ରେଡ୍ କରିବାକୁ ଧମକ ଦିଆଯାଇଥିଲା । ଭାରତକୁ ତୁର୍କୀ ସହ ତୁଳନା କରିବା ସହ ତୁର୍କୀରେ ବି ସମାନ ଧରଣର ଧମକ ମିଳିଥିଲା ବୋଲି ଜ୍ୟାକ କହିଛନ୍ତି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ ହେଉଛି ଗଣମାଧ୍ୟମ । ମାତ୍ର କେନ୍ଦ୍ର ସରକାର ଗଣମାଧ୍ୟମର ଗଳା ରୁଦ୍ଧ କରିବାକୁ ଲଗାତାର ପ୍ରୟାସ ଜାରି ରଖିଛନ୍ତି ବୋଲି କହିଛନ୍ତି କଂଗ୍ରେସ ନେତା ପ୍ରମୋଦ ତିଓ୍ବାରୀ ।

ରଥଯାତ୍ରାରୁ ଭଲ ଅନୁଭୂତି ନେଇ ଫେରନ୍ତୁ ଭକ୍ତ, ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ରଥଯାତ୍ରା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ରଥଯାତ୍ରା ସୁରୁଖୁରରେ କରିବା ଆମ ଦାୟିତ୍ୱ । ସମସ୍ତଙ୍କ ସହଯୋଗରେ ଶୃଙ୍ଖଳିତ ରଥଯାତ୍ରା ଆୟୋଜନ ପାଇଁ ଶେଷ ସମନ୍ବୟ କମିଟି ବୈଠକରେ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଉପସ୍ଥିତି ରହିବେ। ବାହାରୁ ଆସୁଥିବା ଭକ୍ତମାନେ ଯେପରି ଭଲ ଅନୁଭୁତି ନେଇ ଫେରିବେ ତାହା ଉପରେ ଦୃଷ୍ଟି ଦେବା ଦରକାର। ସମସ୍ତଙ୍କ ସେବା ଓ ସମର୍ପଣ ମନୋଭାବ ଏହାକୁ ସଫଳ କରିବ। ମହାପ୍ରଭୁଙ୍କ ଆଶୀର୍ବାଦ ସବୁବେଳେ ରହିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେହିପରି ସବୁ ବିଭାଗ ପକ୍ଷରୁ ସଂଯୁକ୍ତ ଭାବେ କାମ କରାଯାଉଛି। ମିଳିତ ସହଯୋଗରେ ସୁଚାରୁ ରୂପେ ରଥଯାତ୍ରା ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଂଜନ ଦାଶ କହିଛନ୍ତି। ଠିକ୍ ସମୟରେ ନୀତିକାନ୍ତି ସାରିବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ୧୫ତାରିଖ ସୁଦ୍ଧା ପରିକ୍ରମା ମାର୍ଗ ଖୋଲିବ। ସବୁ ପ୍ରସ୍ତୁତି ସରିଛି, ତେଣୁ ମନରୁ ଦ୍ୱନ୍ଦ୍ୱ ଦୂର କରିଦେବା ଦରକାର ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି। ଶେଷ ସମନ୍ବୟ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଇନ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ, ଶକ୍ତି ମନ୍ତ୍ରୀ, ଗୃହ ରାଷ୍ଟ୍ର ମନ୍ତ୍ରୀ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଯୋଗଦେଇଥିଲେ। ବୈଠକରେ ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଆଇନଶୃଙ୍ଖଳା ଏଡିଜିଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ ।

ସରକାରୀ କର୍ମଚାରୀଙ୍କୁ ରଜ ଭେଟି, ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର

ଭୁବନେଶ୍ୱର: ସରକାରୀ କର୍ମଚାରୀଙ୍କ ପାଇଁ ରଜ ଭେଟି । ରାଜ୍ୟ ସରକାର କର୍ମଚାରୀଙ୍କ ବଢ଼ିଲା ମହଙ୍ଗା ଭତ୍ତା । ୪ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ହୋଇଛି । ଏହି ମହଙ୍ଗା ଭତ୍ତା ଚଳିତ ବର୍ଷ ଜାନୁଆରୀ ପହିଲାରୁ ୨୦୨୩ରୁ ପିଛିଲା ଭାବରେ ଲାଗୁ ହେବ । ଏହି ବର୍ଦ୍ଧିତ ମହଙ୍ଗା ଭତ୍ତା ଚଳିତ ଜୁନ୍ ମାସ ଦରମାରେ ନଗଦ ଆକାରରେ ମିଳିବ ।

ଏହା ସହ ପେନସନଭୋଗୀମାନଙ୍କ ଟି.ଆଇରେ ମଧ୍ୟ ୪ ପ୍ରତିଶତ ବୃଦ୍ଧି କରାଯାଇଛି । ସେମାନେ ମଧ୍ୟ ଅନୁରୂପ ଭାବେ ଜୁନ୍ ମାସ ପେନସନରେ ଏହି ବର୍ଦ୍ଧିତ ଟି.ଆଇ ପାଇବେ । ଏହା ଦ୍ୱାରା ପ୍ରାୟ ସାଢ଼େ ସାତ ଲକ୍ଷ ସରକାରୀ କର୍ମଚାରୀ ଓ ପେନସନଭୋଗୀ ଉପକୃତ ହେବେ ।

ଗାର୍ଲଫ୍ରେଣ୍ଡ ପାଇଁ ପବ୍ ନିକଟରେ ହାଇଡ୍ରାମା ଘଟଣା, ୫ ଜଣଙ୍କୁ ଅଟକ ରଖି ପଚରାଉଚରା ପୋଲିସ

ଭୁବନେଶ୍ୱର: ଗାର୍ଲଫ୍ରେଣ୍ଡ ପାଇଁ ପବ୍‌ ନିକଟରେ ହାଇଡ୍ରାମା ଘଟଣା । ୫ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ପୋଲିସ । ରାତି ଅଧରେ ହୋଟେଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁର୍ବୃତ୍ତ । ଚନ୍ଦ୍ରଶେଖରପୁର ଅଞ୍ଚଳରେ ରବିବାର ବିଳମ୍ବିତ ରାତିରେ ଘଟିଥିଲା ଅଘଟଣ । ଜଣେ ଯୁବତୀ ନିଜ ପ୍ରେମିକଙ୍କ ସହ ନିଶାଶକ୍ତ ଅବସ୍ଥାରେ ହୋଟେଲରେ ଥିଲେ । ଖବର ପାଇ ପୁରୁଣା ପ୍ରେମିକ ୧୦ରୁ ଉର୍ଦ୍ଧ୍ବ ଯୁବକଙ୍କୁ ସହ ସେଠାରେ ପହଞ୍ଚିଥିଲେ । ଯୁବତୀଙ୍କୁ ହୋଟେଲ ବାହାରକୁ ଡାକି ଟଣାଓଟରା କରିଥିଲେ । ହୋଟେଲ କର୍ତ୍ତୃପକ୍ଷ ବିରୋଧ କରିବାରୁ ପାର୍କିଂରେ ଥିବା ଗାଡ଼ି ଭାଙ୍ଗିଥିଲେ । ହୋଟେଲ ଷ୍ଟାଫଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ସିସିଟିଭି ଭିଜୁଆଲ ଆଧାରରେ ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ । ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ମାର୍କେଟ ବିଲ୍ଡିଂରେ ମହିଳା ଲୁଟେରା ଗ୍ୟାଙ୍ଗର ଆତଙ୍କ, ସପିଂ ଆଳରେ କରୁଛନ୍ତି ହାତ ସଫେଇ

ଭୁବନେଶ୍ୱର: ନୟାପଲ୍ଲୀ ପରେ କ୍ୟାପିଟାଲ ଥାନା ଅଞ୍ଚଳରେ ମହିଳା ଲୁଟେରା ଗ୍ୟାଙ୍ଗର ଆତଙ୍କ । ମାର୍କେଟ ବିଲ୍ଡିଂରେ ସପିଂ ଆଳରେ କରୁଛନ୍ତି ହାତ ସଫେଇ । ଅସମ୍ଭାଳ ଭିଡ଼ର ସୁଯୋଗ ନେଇ ଦୋକାନ ଭିତରୁ କରୁଛନ୍ତି ଲୁଟ୍ । ଗହଳି ଭିତରେ ମହିଳାଙ୍କଠାରୁ ଲୁଟୁଛନ୍ତି ମନିପର୍ସ । ଗତ ସପ୍ତାହକରେ ମାର୍କେଟ ବିଲ୍ଡିଂରୁ ଲୁଟ୍ ନେଇ ଆସିଛି ୮ଟି ଅଭିଯୋଗ । ପାର୍କିଂରୁ ବାଇକ ଲୁଟ୍ ନେଇ ମଧ୍ୟ ଅଭିଯୋଗ ହେଉଛି । ଭିଡ଼ ସମୟରେ ସତର୍କ ରହିବାକୁ କମିଶନରେଟ ପୋଲିସ ପରାମର୍ଶ ଦେଇଛି । କିଛି ଦିନ ତଳେ ନୟାପଲ୍ଲୀ ପୋଲିସ ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିଥିଲା ।

 

ବାହାନଗା ଟ୍ରେନ୍ ଟ୍ରାଜେଡି; ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ

କଟକ: ବାଲେଶ୍ବର ବାହାନଗା ଟ୍ରେନ୍ ଦୁର୍ଘଟଣାରେ ଗଲା ଆଉ ଜଣଙ୍କ ଜୀବନ । ଚିକିତ୍ସାଧୀନ ଅବସ୍ଥାରେ ଏସସିବିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ବିହାରର ବିଜୟ ଦର୍ଶନ । ସେଣ୍ଟ୍ରାଲ ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଜୟ । ମୃତଦେହକୁ ପ୍ରଶାସନ ଗାଡ଼ି ଯୋଗେ ବିହାର ପଠାଇବ । ଗତ ଜୁନ୍ ୨ ତାରିଖ ଶୁକ୍ରବାର ସନ୍ଧ୍ୟାରେ ହୋଇଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଦୁର୍ଘଟଣାର ୧୨ ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ବିଜୟଙ୍କ ମୃତ୍ୟୁ ହୋଇଛି ।

ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩

ନୂଆଦିଲ୍ଲୀ: ଜୁଲାଇ ୧୨ରୁ ୧୯ ତାରିଖ ମଧ୍ୟରେ ଲଞ୍ଚ ହେବ ଚନ୍ଦ୍ରାୟନ ୩ । ଚନ୍ଦ୍ରକୁ ଭାରତର ମିଶନର ଏହା ହେବ ତୃତୀୟ ଅଧ୍ୟାୟ । ଏନେଇ ଘୋଷଣା କରିଛନ୍ତି ଭାରତୀୟ ମହାକାଶ ଗବେଶଷଣା ସଂସ୍ଥା ବା ଇସ୍ରୋ ଅଧ୍ୟକ୍ଷ ଏସ. ସୋମନାଥ । କୋଟାୟମଠାରେ ଏକ କଲେଜରେ ଇସ୍ରୋ ପକ୍ଷରୁ ଆୟୋଜିତ ଦିନିକିଆ ଓ୍ବାର୍କସପରେ ଏନେଇ ଇସ୍ରୋ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍ ଷ୍ଟେସନ ଲଞ୍ଚ ପ୍ୟାଡରେ ଚନ୍ଦ୍ରାୟନ ପହଞ୍ଚି ସାରିଛି । ଚଳିତ ମାସ ଶେଷ ସୁଦ୍ଧା ସମସ୍ତ ପ୍ରକ୍ରିୟା ଶେଷ ହେବ । LVM-3 ରକେଟ ଯୋଗେ ଚନ୍ଦ୍ରାୟନ-୩ ଉତକ୍ଷେପଣ କରାଯିବ । ଏହି ଅଭିଯାନ ଲାଗି ଆବଶ୍ୟକ ଏକ ସ୍ବଦେଶୀ ଲ୍ୟାଣ୍ଡର ମଡ୍ୟୁଲ, ଏକ ପ୍ରପଲସନ ମଡ୍ୟୁଲ ଓ ଏକ ରୋଭର ।

ଚନ୍ଦ୍ରପୃଷ୍ଠରେ ସେଫ ଓ ସଫ୍ଟ ଲ୍ୟାଣ୍ଡିଂ ଓ ରୋଭିଂକୁ ଅଧିକ ସୁଗମ କରିବା ଲାଗି ଚନ୍ଦ୍ରୟାନ-୩ ଅଭିଯାନ ଆରମ୍ଭ ହେବ । ଏହା ସହ ଚନ୍ଦ୍ର ପୃଷ୍ଠରେ ରୋଭରର ପ୍ରଶିକ୍ଷଣ, ବିଭିନ୍ନ ବୈଜ୍ଞାନିକ ଗବେଷଣା ଆଦି ଲାଗି ଏହି ଅଭିଯାନ ଉଦ୍ଦିଷ୍ଟ । ୨୦୦୮-୦୯ରେ ଚନ୍ଦ୍ରୟାନ-୧ ହୋଇଥିବାବେଳେ ଚନ୍ଦ୍ର ପୃଷ୍ଠରେ ଜଳର ସନ୍ଧାନ ମିଳିଥିଲା । ୨୦୧୯ ଅଗଷ୍ଟରେ ହୋଇଥିବା ଚନ୍ଦ୍ରୟାନ-୨ ବିଫଳ ହୋଇଥିଲା । ମାତ୍ର ଚନ୍ଦ୍ରଯାନ-୨ରେ ଚନ୍ଦ୍ର ପୃଷ୍ଠକୁ ପଠାଯାଇଥିବା ଅର୍ବିଟର ଏବେ ବି ସଫଳତାର ସହ କାର୍ଯ୍ୟ କରୁଛି ।

ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି, ଉପକୂଳରେ ଜାରି ରହିଛି କାଳବୈଶାଖୀ

ଭୁବନେଶ୍ୱର: ସିଭିୟର ହିଟ୍ ଓ୍ବେଭ ପରେ ବଦଳିଲା ଉପକୂଳ ଓଡ଼ିଶାର ପାଗ । କାଳବୈଶାଖୀ ବର୍ଷାରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ଗଞ୍ଜାମ, ଗଜପତି ଓ ନୟାଗଡ଼ରେ ଝିପି ଝିପି ବର୍ଷା ସହ ପବନ ଜାରି ରହିଛି । ଆଜି ଉପକୂଳରେ ମେଘ ସମୁହ ଏକାଠି ହେଉଥିବା ବେଳେ, ଦିନ ତମାମ ଆକାଶ ମେଘାଚ୍ଛନ୍ନ ରହିବ ବୋଲି ଆକନ କରିଛି ପାଣିପାଗ ବିଭାଗ । ଝିପି ଝିପି ବର୍ଷାରୁ ଅସହ୍ୟ ଗରମ ଓ ଗୁଳିଗୁଳିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି । ସେପଟେ ପଶ୍ଚିମ ଓଡ଼ିଶାରେ ଜାରି ରହିଛି ତାତି । ଆଜି ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ସୋନପୁର, ବୌଦ୍ଧ ଓ ବଲାଙ୍ଗୀରରେ ସିଭିୟର ହିଟ୍ ଓ୍ବେଭ୍ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ସେହିପରି ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୧୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଅନ୍ୟପଟେ ଆରବ ସାଗରରେ ସୃଷ୍ଟ ବାତ୍ୟା ବିପର୍ଯ୍ୟୟ ଭୀଷଣ ବାତ୍ୟା ପରିଣତ ହୋଇ ଉପକୂଳ ମୁହାଁ ହୋଇଛି । ଫଳରେ ଓଡ଼ିଶାକୁ ଜଳୀୟ ବାଷ୍ପପୂର୍ଣ୍ଣ ବାୟୁ ପ୍ରବାହ ଆରମ୍ଭ ହୋଇଛି । ଏହା ସହ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ହେବା ସହ ଧିରେ ଧିରେ ଅଗ୍ରସର ହେଉଛି । ଦିନେ ଦୁଇ ଦିନ ମଧ୍ୟରେ ଓଡ଼ିଶାରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଛି ।

ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ, ଆଜି ଦଶମୀରେ ସମ୍ପନ୍ନ ହେବ ଚକା ବିଜେ ନୀତି

ପୁରୀ: ଜ୍ବରରେ କମ୍ପୁଛନ୍ତି ମହାପ୍ରଭୁ । ନିଶବ୍ଦ, ଅନ୍ଧକାର ଓ ରୁଦ୍ଧଦ୍ବାରର ତାଟି କୋଠରୀ ମଧ୍ୟରେ ଚାଲିଛି ଗୁପ୍ତ ଉପଚାର । ମହାପ୍ରଭୁଙ୍କ ନିକଟରେ ଷଷ୍ଠୀରୁ ଓଷ ଲାଗି ନୀତି ଚାଲିଥିବାବେଳେ ଆଜି ଦଶମୀରେ ଚକା ବିଜେ ନୀତି ସମ୍ପନ୍ନ ହେବ । ଶ୍ରୀବୈଦ୍ୟଙ୍କ ଘରୁ ପ୍ରସ୍ତୁତ ଦଶମୂଳ ଔଷଧ ଶ୍ରୀମନ୍ଦିରକୁ ବିଜେ କରିବାର ପରମ୍ପରା ରହିଛି । ଶ୍ରୀବୈଦ୍ୟଙ୍କ ଦ୍ବାରା ଏହି ଔଷଧ ପ୍ରସ୍ତୁତି କରାଯାଇଥାଏ । ବିଭିନ୍ନ ପ୍ରକାର ଆୟୁର୍ବେଦ ଚେରମୂଳିରେ ଏହି ଦିବ୍ୟ ଔଷଧ ପ୍ରସ୍ତୁତ କରାଯାଇଥାଏ ।

ଏହାପରେ ଏକାଦଶୀରେ ଦଶମୂଳ ମୋଦକ, ଖଡି ପ୍ରସାଦ ବିଜେ, ଦ୍ବାଦଶୀରେ ରାଜପ୍ରସାଦ ବିଜେ, ଖଳିଲାଗି ଓ ଘଣା ଲାଗି ନୀତି ସମ୍ପନ୍ନ ହେବ । ପରେ ମହାପ୍ରଭୁ ସୁସ୍ଥ ହୋଇ ନବଯୌବନ ବେଶରେ ଦର୍ଶନ ଦେଇ ରଥାରୂଢ଼ ହେବେ । ଗୁପ୍ତସେବା ସମୟରେ ମହାପ୍ରଭୁଙ୍କୁ ଅନ୍ନଭୋଗ ବଦଳରେ ଲାଗି ହେଉଛି ଚକଟା ଓ ପଣା ଭୋଗ । କ୍ଷୀର, ଛେନା, ସର, ଖୁଆରେ ବିଭିନ୍ନ ଫଳମୂଳ ମିଶାଇ ଚକଟା ଭୋଗ ପ୍ରସ୍ତୁତ ହେଉଛି । ପ୍ରସାଦକୁ ଦଇତାପତି ସେବାୟତ ସେବନ କରିବା ପରେ ବଳକା ଚକଟାରେ ସର୍ବସାଧାରଣଙ୍କ ପାଇଁ ପ୍ରସ୍ତୁତ ହେଉଛି ଅଣସର ପଣା ।