ଢ଼େଙ୍କାନାଳ: ଗାଁ ପରେ ସହର । ଢ଼େଙ୍କାନାଳରେ ପୁଣି ଅଜଣା ଜନ୍ତୁ ଆତଙ୍କ । ଗତକାଲି ରାତିରେ ଢେଙ୍କାନାଳ ଲକ୍ଷ୍ମୀବଜାର ଅଞ୍ଚଳରେ ଅଜଣା ଜନ୍ତୁ ଆତଙ୍କ ଦେଖିବାକୁ ମିଳିଛି । ଅଜଣା ଜନ୍ତୁ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି । ସିସିଟିଭିରେ କଏଦ ହୋଇଛି ଅଜଣା ଜନ୍ତୁର ଚିତ୍ର । ରାତିରେ ଅଜଣା ଜନ୍ତୁ ସହର ଭିତରେ ପଶି ଲୋକଙ୍କୁ ଆକ୍ରମଣ କରୁଛି । ଜନ୍ତୁଟି କ’ଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ । ରାତି ୩ଟା ୩୦ ମିନିଟ୍ ସମୟରେ ଜନ୍ତୁଟି ଢେଙ୍କାନାଳ ସହର ଭିତରେ ବୁଲୁଥିବାର ଦୃଶ୍ୟ କଏଦ ହୋଇଛି । ପୂର୍ବରୁ ଆରଦା ଗାଁରେ ମଧ୍ୟ ପଚାଶରୁ ଅଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।
ୟୁଟ୍ୟୁବ୍ ଓ ଗୁଗୁଲରୁ ଶିକ୍ଷାଲାଭ କରି ପ୍ରଶାସନିକ ପରୀକ୍ଷାରେ ହେଲେ କୃତକାର୍ଯ୍ୟ
ଗୁଣୁପୁର: ଲକ୍ଷ୍ୟ ବଡ଼ ଥିଲେ ବାଟ ଓଗାଳି ପାରେନି ସମସ୍ୟା । ଦୃଢ଼ ମନୋବଳ ଥିଲେ ମିଳିଥାଏ ସଫଳତା । କୋଚିଂ ନୁହଁ ସୋସିଆଲ ମିଡ଼ିଆରୁ ବି ଲାଭ କରିହୁଏ ଶିକ୍ଷା । ଏହାକୁ ପ୍ରମାଣିତ କରି ଓପିଏସସି ପରୀକ୍ଷାରେ ୩୬୨ ନମ୍ବର ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ଚାଲକାମ୍ବା ଗାଁର ଜାହ୍ନବୀ ଶବର । ଗରିବ ଜାହ୍ନବୀଙ୍କ ଶିକ୍ଷା ଜୀବନରେ ଠିଆ ହୋଇଥିଲା ଅନେକ ସମସ୍ୟା । କୋଚିଂ ନେବାକୁ ସମ୍ବଳ ନଥିବାରୁ ଜାହ୍ନବୀ ଗୁଗୁଲ ଏବଂ ୟୁଟ୍ୟୁବରୁ ଶିକ୍ଷା ଲାଭ କରି ହାସଲ କରିଛନ୍ତି ସଫଳତା । ଜୁଲାଇ ୨୦ ତାରିଖରେ ସେ ଗୁଣୁପୁର ଠାରେ ସହକାରୀ ଏଗ୍ରିକଲଚର ଅଫିସର ଭାବେ ପ୍ରଥମ କରି ଚାକିରି ପାଇଥିଲେ। ବର୍ତ୍ତମାନ ପୁଣି ସେ ଓପିଏସସି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।
ଧୈର୍ଯ୍ୟ ଓ ଏକାଗ୍ରତା ଥିଲେ ଦୂର ନୁହଁ ଲକ୍ଷ୍ୟ ହାସଲ । କୋରାପୁଟ ପାଇଁ ଗୌରବ ପାଲଟିଛନ୍ତି ସୌରଭ । ଓଡ଼ିଶା ସିଭିଲି ସର୍ଭିସ ପରୀକ୍ଷାରେ ୩୪୬ ରାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି ସୌରଭ ଖିଲ । ନିଷ୍ଠାପର ଉଦ୍ୟମ ଓ କଠିନ ପରିଶ୍ରମ ଯୋଗୁଁ ଏହି ସଫଳତା ପାଇଛନ୍ତି ସୌରଭ । କୋଟିଆ ଓ କୋରାପୁଟର ଜୈବ ବିବିଧତା ଓ ତା’ର ସୁରକ୍ଷା ଚିନ୍ତାରେ ଅଛନ୍ତି ସୌରଭ । କୃଷି ବିଶ୍ବ ବିଦ୍ୟାଳୟରୁ ଏମଏସଜି କରିଛନ୍ତି ସେ । ଆଗକୁ ସେ ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ଦେଇ IFS ଅଧିକାରୀ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।
ଝଟକିବ କଳାହାଣ୍ଡିର ଆମପାଣି ବୁଢାରାଜାଙ୍କ ମନ୍ଦିର, ସୌନ୍ଦର୍ଯ୍ୟକରଣ ପାଇଁ ୭୫ ଲକ୍ଷ ଟଙ୍କା ଅନୁମୋଦନ
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ବୁଢ଼ାରଜା ମନ୍ଦିରର ନବକଳେବର ପାଇଁ ମଞ୍ଜୁର ହେଲା ଅର୍ଥ । 5T ସଚିବ ଭିକେ ପାଣ୍ଡିଆନଙ୍କ କଳାହାଣ୍ଡି ଜିଲ୍ଲା ଗସ୍ତର କିଛି ଦିନ ନପୂରୁଣୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଅଞ୍ଚଳ ପାଇଁ ଖୁସି ଖବର ଆସିଛି । କଳାହାଣ୍ଡିର ପ୍ରସିଦ୍ଧ ଆମପାଣି ବୁଢ଼ାରଜା ମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ୭୫ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି । ଏହି ଟଙ୍କାରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ସାଙ୍ଗକୁ ବଗିଚା, ଭୋଗମଣ୍ଡପ, ବିଶ୍ରାମ ଗୃହ ନିର୍ମାଣ ହେବ । ଝଟକିବ ପ୍ରଭୁ ବୁଢାରଜାଙ୍କ ମନ୍ଦିର । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ ଅଞ୍ଚଳବାସୀ ଓ ସରପଞ୍ଚ ଧନ୍ୟବାଦ ଜଣାଇଛନ୍ତି ।
ଝୋଟରୁ ପ୍ରସ୍ତୁତ କରୁଛନ୍ତି ରଙ୍ଗବେରଙ୍ଗର ମନଲାଖୀ ବ୍ୟାଗ୍ ପ୍ରସ୍ତୁତ କରୁଛନ୍ତି ମିଶନ ଶକ୍ତି ମା’
କଟକ: ପଲିଥିନି ମୁକ୍ତ ପରିବେଶ ଗଠନରେ ମିଶନ ଶକ୍ତି ମା’ଙ୍କ ବଡ଼ ଭୂମିକା । ଝୋଟରୁ ପ୍ରସ୍ତୁତ କରୁଛନ୍ତି ରଙ୍ଗ ବେରଙ୍ଗର ମନଲାଖୀ ବ୍ୟାଗ । ଏହାକୁ ବିକ୍ରି କରି ନିଜେ ସ୍ବାବଲମ୍ବୀ ହେବାସହ ଅନ୍ୟ ପାଇଁ ବି ସୃଷ୍ଟି କରୁଛନ୍ତି ନିଯୁକ୍ତି ସୁଯୋଗ । ପଲିଥିନ୍ ମୁକ୍ତ ପରିବେଶ ଗଠନ ସହ ନଳିତା ଚାଷ ପ୍ରତି ଆଗ୍ରହ ବଢ଼ାଇବାକୁ ଗୁରୁତ୍ବ ଦେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ । ଏହାର ପ୍ରଚାର ପ୍ରସାରରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି କଟକ ଜିଲ୍ଲାର ନରଦା ପଞ୍ଚାୟତର ଏସଏଚଜି ମହିଳା । ଝୋଟରୁ ପ୍ରସ୍ତୁତ କରୁଛନ୍ତି ଭଳିକି ଭଳି ମନୋଲୋଭା ବ୍ୟାଗ । ପ୍ରାୟ ୪୦ ରୁ ଅଧିକ ଗାଁର ଝିଅ ବୋହୁ ବ୍ୟାଗ ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଝୋଟରୁ ଭ୍ୟାନିଟ, ଓ୍ବାଟର ବୋଟଲ, ଟିଫିନ୍ ଓ ଅଫିସ ବ୍ୟାଗ ପ୍ରସ୍ତୁତ କରୁଛନ୍ତି ମହିଳା । ଏହି ବ୍ୟାଗ ସବୁ ୭୦ ଟଙ୍କାରୁ ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରି ଭଲ ଦୁଇ ପଇସା ଲାଭ କରୁଛନ୍ତି ମହିଳା ।
ପଲିଶ୍ରୀ ମେଳା ହେଉ ବା ଅନ୍ୟାନ୍ୟ ବଡ଼ ବଡ଼ ମେଳା ମହୋତ୍ସବ । ସବୁଠାରେ ଦେଖିବାକୁ ମିଳୁଛି ସାଲେପୁରର ଏହି ଝୋଟରେ ପ୍ରସ୍ତୁତ ବ୍ୟାଗ । ବଜାରରେ ଝୋଟ ପ୍ରସ୍ତୁତ ବ୍ୟାଗର ବି ଚାହିଦା ରହିଛି । ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କଞ୍ଚା ମାଲ ଏହି ମହିଳା ମାନଙ୍କୁ ଯୋଗାଇ ଦିଆଯାଇଛି । ହାତ ତିଆରି ଏହି ବ୍ୟାଗ କିଣିବା ପାଇଁ ଏବେ ବିଭିନ୍ନ ଆଡୁ ଏହି ପଞ୍ଛାୟତକୁ ବ୍ୟବସାୟୀ ଓ ଗ୍ରାହକ ମାନଙ୍କ ଭିଡ଼ ଜମୁଛି ।
ଗୋ-ଫାଷ୍ଟ ବିମାନ ସେବାରୁ ଟିକେଟ୍ ବୁକ୍ କରିଥିଲେ ଫେରସ୍ତ ପାଇବେ ଟଙ୍କା
ନନ୍ଦିଘୋଷ ବ୍ୟୁରୋ : ଦେଶରେ ୧୫ଲକ୍ଷ ୫ହଜାର ବିମାନ ଯାତ୍ରୀ ୫୯୭ କୋଟି ଟଙ୍କା ଫେରସ୍ତ ପାଇବେ । ଏହି ନିଷ୍ପତି ଦ୍ବାରା କେଉଁମାନେ ଉପକୃତ ହେବେ ଜାଣନ୍ତୁ । ଯଦି ଆପଣ ଗତ କିଛି ମାସ ମଧ୍ୟରେ ଗୋ-ଫାଷ୍ଟ ରୁ ଟିକେଟ୍ ବୁକ୍ କରିସାରିଛନ୍ତି ଏବଂ ବିମାନ ବନ୍ଦ ହେବା ପରଠାରୁ ଆପଣଙ୍କ ଟଙ୍କା ଅଟକି ରହିଛି, ତେବେ ଆପଣଙ୍କ ପାଇଁ ଏହା ଖୁସିର ଖବର । ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲ ସୋମବାର ଗୋ ଫାଷ୍ଟର କାର୍ଯଦାତା କମିଟି ଏବଂ ଇନସଲଭେନ୍ସି ଏବଂ ଦେବାଳିଆ ବୋର୍ଡକୁ ୫୯୭ କୋଟି ୫୪ ଲକ୍ଷ ଟଙ୍କା ଫେରସ୍ତ ପାଇଁ ନୋଟିସ୍ ଜାରି କରିଛି । ଏଥିରେ ପ୍ରାୟ ୧୫ଲକ୍ଷ ୫ହଜାର ଯାତ୍ରୀ ଫେରସ୍ତ ପାଇବେ ସେମାନଙ୍କର ଟଙ୍କା ।

ମେ ୩ ତାରିଖରୁ ଏହି ବିମାନ ସେବା ବନ୍ଦ ରହିଛି । ସଙ୍କଟ ଜନିତ ଗୋ-ଫାଷ୍ଟର ରିଜୋଲ୍ୟୁସନ୍ ପ୍ରଫେସନାଲ୍ (RP) ଯାତ୍ରୀମାନଙ୍କୁ ଟଙ୍କା ଫେରସ୍ତ ପାଇଁ NCLT କୁ ଅନୁମତି ମାଗିଛି । ଗୋଫାଷ୍ଟ ମେ ୩ରେ ଏହାର ବିମାନ ଚଳାଚଳ ବନ୍ଦ ରଖିଥିବାବେଳେ କିଛି ଯାତ୍ରୀ ଜୁଲାଇ ୧୦ ପର୍ଯ୍ୟନ୍ତ ବିମାନ ସେବା ପାଇଁ ଟିକେଟ ବୁକ କରିଥିଲେ । ରିଜୋଲ୍ୟୁସନ ପ୍ରଫେସନାଲର ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଡଭୋକେଟ୍ ରାମଜୀ ଶ୍ରୀନିବାସନ୍ କହିଛନ୍ତି ଯେ ଗ୍ରାଉଣ୍ଡ ଏୟାରଲାଇନ୍ସକୁ ଜାମିନ ଦେବା ଏକ ବ୍ୟବସାୟିକ ଯୋଜନାର ଅଂଶ ଭାବରେ ଏହା କରାଯାଉଛି । ଏନସିଏଲଟି ବେଞ୍ଚ କହିଛି ଯେ ଏଭଳି ବ୍ୟବସାୟ ଯୋଜନାର ସମ୍ଭାବ୍ୟତା ଏବଂ କାର୍ଯ୍ୟକାରିତା କମିଟି ଅଫ୍ କ୍ରେଡିଟର୍ସର ସଦସ୍ୟଙ୍କ ପରାମର୍ଶ ଅନୁଯାୟୀ ହେବା ଉଚିତ । ମହେନ୍ଦ୍ର ଖାନ୍ଦେଲୱାଲ ଏବଂ ରାହୁଲ ପି ଭଟନାଗରଙ୍କୁ ନେଇ ଏକ ଏନସିଏଲଟି ବେଞ୍ଚ ଏହି ପରିମାଣର ପରିଶୋଧ ଉପରେ ଋଣଦାତାଙ୍କ ଠାରୁ ନିର୍ଦ୍ଧିଷ୍ଟ ଅନୁମୋଦନ ମାଗିବାକୁ ରିଜୋଲ୍ୟୁସନ୍ ପ୍ରଫେସନାଲଙ୍କୁ କହିଥିଲେ । ଶ୍ରୀନିବାସନ ଏହା କହିଛନ୍ତି ଯେ ସିଓସି ଅର୍ଥାତ ଋଣଦାତା କମିଟି ଏହା ଜାଣିଛନ୍ତି ଏବଂ ଏହାକୁ ଅନୁମୋଦନ କରିଛନ୍ତି । କିନ୍ତୁ ଏହି ନିଦ୍ଦିଷ୍ଟ ଯୋଜନାଟି ସିଓସି ଦ୍ବାରା ଅନୁମୋଦିତ ହୋଇଛି କି ନାହିଁ ତାହା ଜାଣିବା ପାଇଁ ସେ ସମୟ ମାଗିଥିଲେ ।
ଘଟଣାକୁ ନେଇ ଏନସିଏଲଟି କହିଛି ଯେ ଏହି ଯୋଜନା ବାରମ୍ବାର ବଦଳାଯାଉଛି ତେଣୁ ଟଙ୍କା ଫେରସ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ସମାଧନ ବାହାର କଲେ ଭଲ ହେବ । ଏହି ଯୋଜନା ଉପରେ କେହି ଆପତ୍ତି କରିଛନ୍ତି କି ନାହିଁ ତାହା ମଧ୍ୟ ଅନୁସନ୍ଧାନ କରାଯିବା ଉଚିତ୍ । ଏଥିପାଇଁ ଜନସାଧାରଣଙ୍କ ସ୍ବାର୍ଥରେ କରାଯାଉଛି ଏବଂ ଏହି ପ୍ରସଙ୍ଗରେ ଆଇବିବିଆଇ କୁ ଜଡିତ କରିବାକୁ ପରାମର୍ଶ ଦେଇଛନ୍ତି । ବେଞ୍ଚ ଏଥିରେ ସହମତି ହୋଇ କହିଛି ଯେ ଆମେ ଏହି ପ୍ରସଙ୍ଗରେ ସେମାନଙ୍କ ଆଭିମୁଖ୍ୟ ଜାଣିବା ପାଇଁ ନୋଟିସ୍ ଜାରି କରିବାକୁ ସିଓସି ଏବଂ ଆଇବିବିଆଇକୁ ନିର୍ଦ୍ଦେଶ ଦେଇଛୁ । ଅଗଷ୍ଟ ୭ରେ ଏହି ମାମଲାର ପରବର୍ତ୍ତି ଶୁଣାଣି ହେବ ।
ଲୋୟର ସୁକତେଲ ପ୍ରକଳ୍ପରୁ ପ୍ରଥମ ବନ୍ୟାଜଳ ନିଷ୍କାସନ, ସୃଷ୍ଟି ହେଲା ଜଳସେଚନର ନୂଆ ସମ୍ଭାବନା
ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପରୁ ନିଷ୍କାସିତ ହେଲା ପ୍ରଥମ ବନ୍ୟା ଜଳ । ପାନୀୟ ଜଳ ସହ ସୃଷ୍ଟି ହେଲା ଜଳସେଚନର ନୂଆ ସମ୍ଭାବନା । ବର୍ତ୍ତମାନ ପ୍ରକଳ୍ପରୁ ପ୍ରତି ସେକେଣ୍ଡରେ ୪୦ କ୍ୟୁସେକ୍ସ ଜଳ ପ୍ରବେଶ କରୁଥିବା ବେଳେ ୫୦ କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି। ୨ଟି ସୁଇସ୍ ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଡ୍ୟାମର ଜଳସ୍ତର ରହିଛି ୧୮୭ ଦଶମିକ ୬ ମିଟର । ଏହି ପ୍ରକଳ୍ପ ଦ୍ବାରା ୪୦ ହଜାର ହେକ୍ଟର ଜମିରେ ଜଳସେଚନ ହୋଇପାରିବ । ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୧ ଲକ୍ଷରୁ ଅଧିକ ଚାଷୀ ଉପକୃତ ହେବେ । 5T ଉପକ୍ରମରେ ଗୋଟିଏ ବର୍ଷରେ ତ୍ୱରାନ୍ବିତ ହୋଇଛି ଲୋୟର ସୁକତେଲ ପ୍ରକଳ୍ପ କାମ । ପ୍ରାୟ ୯୫ ପ୍ରତିଶତ କାମ ଶେଷ ହୋଇସାରିଛି ।
ଆସନ୍ତା ୯ ତାରିଖରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି
ପୁରୀ: ଆସନ୍ତା ୯ ତାରିଖରେ ହୋଇପାରେ ମହାପ୍ରଭୁଙ୍କ ବନକଲାଗି ନୀତି । ଶ୍ରୀମନ୍ଦିର ପ୍ରଶାସନ ଯେଉଁ ଦିନ ବନକ ଲାଗି କରିବା ନେଇ ସ୍ଥିରୀକୃତ କରିବ ସେହି ଦିନ ଦତ୍ତ ମହାପାତ୍ର ସେବାୟତ ବନକ ଲାଗି ନୀତି ସମ୍ପାଦନ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ମାଧ୍ୟମରେ ଜଣାଇଛନ୍ତି । ଆଜି ପରିଚାଳନା କମିଟି ବୈଠକରେ ବନକ ଲାଗି ନୀତି କରିବା ନେଇ ଚୂଡାନ୍ତ ନିଷ୍ପତି ହେବାକୁ ଥିବାବେଳେ ଅନିବାର୍ଯ୍ୟ କାରଣ ଯୋଗୁ ବାତିଲ କରାଯାଇଥିଲା । ଆସନ୍ତାକାଲି ଶ୍ରୀମନ୍ଦିରରେ ନକ୍ଷେତ୍ର ବନ୍ଦାପନା ନୀତି ଥିବାରୁ ବନକ ଲାଗି ନୀତି ହୋଇପାରିବ ନାହିଁ । ସେହିପରି ଗୁରୁବାର ଦିନ ଏକାନ୍ତ ଓ ଅନ୍ୟାନ୍ୟ ନୀତି ରହିଛି ତେଣୁ ବନକ ଲାଗି ହୋଇପାରିବ ନାହିଁ । ଏଣୁ ଆସନ୍ତା ୯ ତାରିଖ ବୁଧବାର ଦିନ ମହାପ୍ରଭୁଙ୍କ ବନକଲାଗି ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି ।
ଗଭୀର ଅବପାତର ରୂପ ନେଲା ଲଘୁଚାପ, ୬ ଘଣ୍ଟା ପାଇଁ ଟ୍ୱିନ୍ ସିଟିକୁ ଆଲର୍ଟ
ଭୁବନେଶ୍ୱର: ଗଭୀର ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତାକାଲି ପଶ୍ଚିମ ଓଡ଼ିଶାର ଉତ୍ତର ଭାଗରେ ବି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଗଭୀର ଅବପାତ ପ୍ରଭାବରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟ୍ୱିନ୍ ସିଟିକୁ ସତର୍କତା ଜାରି ହୋଇଛି । ଘଣ୍ଟାପ୍ରତି ୨୦ ରୁ ୩୦ ମିଲିମିଟର ବର୍ଷା ସମ୍ଭାବନା ରହିଛି । ପ୍ରଚଣ୍ଡ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା । ପ୍ରବଳ ବର୍ଷା ଫଳରେ ଦୃଶ୍ୟମାନ କ୍ଷମତା କମିବା ସହ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇପାରେ । ତଳିଆ ଅଞ୍ଚଳରେ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ । ବଜ୍ରପାତ ସମୟରେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି ।
ଅତି ଭୀଷଣ ବର୍ଷା ନେଇ ୫ ଜିଲ୍ଲାକୁ ରେଡ ଆଲର୍ଟ ହୋଇଛି । ବାଲେଶ୍ବର, ମୟୁରଭଞ୍ଜ,କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳକୁ ଆଲର୍ଟ ଜାରି ହୋଇଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ,ବୌଦ୍ଧ, ସୋନପୁର, ସମ୍ବଲପୁର, ଦେବଗଡ, ଝାରସୁଗୁଡା ଏବଂ ସୁନ୍ଦରଗଡ । ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୫୫ ରୁ ୫୪ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ହେବ ଆଧୁନିକୀକରଣ, ୧୫୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ରାଜ୍ୟ କ୍ରିମିନାଲ ଜଷ୍ଟିସ୍ ବ୍ୟବସ୍ଥାକୁ ବଡ଼ ବୁଷ୍ଟ । ରାଜ୍ୟ ଫରେନସିକ୍ ସାଇନ୍ସ ସେବା ସଂଗଠନର ଆଧୁନିକୀକରଣ ଯୋଜନା ପାଇଁ ୧୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 5T ଉପକ୍ରମରେ ଅପରାଧିକ ନ୍ୟାୟ ପଦ୍ଧତିକୁ ଏହା ଅଧିକ ସୁଦୃଢ଼ କରିବ । ମର୍ଡନାଇଜେସନ ଅଫ ଫରେନ୍ସିକ ସାଇନ୍ସ ସର୍ଭିସ ଅର୍ଗାନାଇଜେସନ ବା MFSSO ନାଁରେ ଏହି ଯୋଜନା କାର୍ଯ୍ୟକାରୀ ହେବ । ବାଲେଶ୍ୱର ଓ ସମ୍ବଲପୁରରେ ହେବ ଆଞ୍ଚଳିକ ଫରେନ୍ସିକ ଲାବ୍ । ଦୁଇଟି ଆଞ୍ଚଳିକ ଲାବ୍ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨୦ କୋଟି ଟଙ୍କା । ବିଭିନ୍ନ ସାମଗ୍ରୀ ପାଇଁ ୧୨୫ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଛି । ସେହିପରି ମୋବାଇଲ ଫରେନ୍ସିକ ଭ୍ୟାନ ପାଇଁ ୩ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
କେନ୍ଦ୍ର ମା’ ଯୋଜନା କେତେ ଆଗେଇଛି ? ରାଜ୍ୟସଭାରେ ପ୍ରଶ୍ନ କଲେ ସାଂସଦ ମାନସ ମଙ୍ଗରାଜ
ନୂଆଦିଲ୍ଲୀ: କେନ୍ଦ୍ରର ମାଆ ଯୋଜନାର କାର୍ଯ୍ୟକାରିତା ସଂପର୍କରେ ରାଜ୍ୟସଭାରେ ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଯୋଜନାରେ କେତେଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ଏଥିରେ ବଜେଟରେ ବ୍ୟୟ ବରାଦ କରାଯାଇଛି କି ? ଯଦି କରାଯାଇଛି, ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟଓ୍ବାରୀ କେତେ ଅନୁଦାନ ଦିଆଯାଇଛି । ଯଦି ଅନୁଦାନ ଦିଆଯାଇନି, ତେବେ ସେନେଇ ତଥ୍ୟ ଦର୍ଶାଇବାକୁ ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ । ଏହାର ଉତ୍ତରରେ କେନ୍ଦ୍ର ସ୍ବାସ୍ଥ୍ୟ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାରତୀ ପ୍ରବୀଣ ପାଓ୍ବାର ଉତ୍ତର ରଖିଛନ୍ତି ।
ମାଆ ଯୋଜନାରେ ପ୍ରଥମ ୬ ମାସରେ ସ୍ତନ୍ୟପାନକୁ ଗୁରୁତ୍ବ ଦିଆଯାଇଛି । ତିନି ବର୍ଷରୁ କମ୍ ଶିଶୁ ଯେଉଁମାନେ ଜନ୍ମର ଘଣ୍ଟାକ ମଧ୍ୟରେ ସ୍ତନ୍ୟପାନ କରିଛନ୍ତି ଏବଂ ୬ ମାସ କିମ୍ବା ତା’ଠାରୁ କମ୍ ଶିଶୁଙ୍କୁ ସ୍ତନ୍ୟପାନ କରାଯାଇଛି ସେମାନଙ୍କୁ ମାଆ ଯୋଜନାରେ ସହାୟତା ଦିଆଯାଉଛି । ଏନେଇ ଗୃହରେ ରାଜ୍ୟଓ୍ବାରୀ ତଥ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ । ଯୋଜନାରେ ଓଡ଼ିଶାକୁ ୨୦୨୧-୨୨ରେ ୨୭ କୋଟି ୨୦ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ ୨୦୨୨-୨୩ ପାଇଁ ୨୪ ଲକ୍ଷ ଟଙ୍କା ଦିଆଯାଇଛି ।

