spot_img
Home Blog Page 3102

ଲୋକଙ୍କ ସାଥୀରେ ସିଏମଓ, ଚାଲିଛି ଜନଶୁଣାଣି ଓ ଦୂର ହେଉଛି ସମସ୍ୟା

ଭୁବନେଶ୍ୱର: ଲୋକଙ୍କ ସାଥୀରେ ସିଏମଓ । ଚାଲିଛି ଜନଶୁଣାଣି, ଦୂର ହେଉଛି ସମସ୍ୟା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ 5T ସଚିବ ଭିକେ ପାଣ୍ଡିଆନ ଲୋକଙ୍କ ପାଖରେ ପହଞ୍ଚି କାମ କରୁଛନ୍ତି । ବିକଶିତ ଓଡ଼ିଶା ଗଠନରେ ପ୍ରତ୍ୟେକ ଓଡ଼ିଆ ସାମିଲ ହେବା ପାଇଁ ସିଏମଓ ସହ ଯୋଡ଼ି ହେଉଛନ୍ତି । ସିଏମଓ ଜନଶୁଣାଣିରେ ଅଞ୍ଚଳର କାମ ହେଉଥିବାରୁ ଏହାକୁ ସବୁ ମହଲରୁ ସ୍ବାଗତ କରାଯାଉଛି । ତେଣୁ ବିକାଶ କାର୍ଯ୍ୟକୁ ସହିନପାରି କେହି ବିରୋଧ କଲେ ତାହାର କୌଣସି ପ୍ରଭାବ ପଡ଼ିବ ନାହିଁ କି ବିକାଶ ରଥକୁ କେହି ଅଟକାଇ ପାରିବେ ନାହିଁ ବୋଲି ବିଜେଡି କହିଛି । ବିକାଶ ଓ ଲୋକଙ୍କ କାମକୁ ବିଜେପି ସହି ନପାରି ହୀନ ରାଜନୈତିକ ବୟାନବାଜି କରୁଥିବାରୁ ବିଜେଡି ବିଧାୟକ ଓ ସାଂସଦ କଡ଼ା ଜବାବ ଦେଇଛନ୍ତି  । ଦ୍ରୁତ ଶିଳ୍ପାୟନ ସହ ସ୍କୁଲ ରୂପାନ୍ତରଣ, ବିଜୁସେତୁ, ପର୍ଯ୍ୟଟନସ୍ଥଳୀ ଓ ବିଭିନ୍ନ ଧର୍ମାନୁଷ୍ଠାନର ବିକାଶ ହେଉଛି  । ଏସବୁକୁ ବିରୋଧ କରୁଥିବା ବିଜେପିକୁ ଆଗାମୀ ଦିନରେ ଲୋକ ଉଚିତ ଜବାବ ଦେବେ ବୋଲି ବିଜେଡି ସାଂସଦ ଓ ବିଧାୟକ କହିଛନ୍ତି ।

5T ସଚିବ ଭିକେ ପାଣ୍ଡିଆନଙ୍କ ଗସ୍ତକୁ ନେଇ ବିଜେପିର ଆରୋପକୁ ବରିଷ୍ଠ ରାଜନେତାମାନେ କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5T ସଚିବ କାମ କରୁଛନ୍ତି ଓ ନିର୍ବାଚନମଣ୍ଡଳୀ ନୂଆରୂପ ପାଉଥିବାରୁ ବିଧାୟକମାନେ ଖୁସି ପ୍ରକାଶ କରିଛନ୍ତି‌ । କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଓ ତାରା ପ୍ରସାଦ ବାହିନୀପତି ସିଏମଓ ଦ୍ବାରା ହେଉଥିବା ବିକାଶ କାମକୁ ପ୍ରଶଂସା କରିଛନ୍ତି ।

ସିଏମଓ ଏହାରି ଭିତରେ ୨୦ଟି ଜିଲ୍ଲାରେ ଜନଶୁଣାଣି କରିସାରିଛନ୍ତି । ଜିଲ୍ଲାସ୍ତରରୁ ୧୮ ହଜାରରୁ ଅଧିକ ଅଭିଯୋଗ ଆସିଛି  । ଯୁଦ୍ଧକାଳୀନ ଭିତ୍ତିରେ ସମସ୍ୟାର ସମାଧାନ କରାଯାଉଛି ଓ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ନୂଆ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପ୍ରକ୍ରିୟା ଦ୍ରୁତଗତିରେ ଚାଲିଛି । ସବୁ କ୍ଷେତ୍ରରେ ଓଡ଼ିଶାକୁ ଦେଶର ଅଗ୍ରଣୀ ରାଜ୍ୟରେ ପରିଣତ  କରିବାକୁ ସିଏମଓ କାମ କରୁଛି । ଯାହାକୁ ରାଜ୍ୟ ବିଜେପି ହଜମ କରିପାରୁନାହିଁ  । ବିଜେପିକୁ ବିଜେଡି କେବଳ ନିର୍ବାଚନରେ ନୁହେଁ, ଲୋକଙ୍କ ସେବା କରି କଡ଼ା ଜବାବ ଦେବ ବୋଲି କହିଛି ।

ନବୀନଙ୍କ ନାଁରେ ନୂଆ ରେକର୍ଡ, ଖୁବଶୀଘ୍ର ହେବେ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନବୀନଙ୍କ ନାଁରେ ନୂଆ ରେକର୍ଡ। ଖୁବଶୀଘ୍ର ହେବେ ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ । ଜୁଲାଇ ୨୨ରେ ଜ୍ୟୋତି ବସୁଙ୍କୁ ପଛରେ ପକାଇବେ ନବୀନ। ୨୪ରେ ନବୀନଙ୍କ ରାଜନୈତିକ କ୍ୟାରିଅରରେ ଯୋଡ଼ିହେବ ନୂଆ ରେକର୍ଡ। ୨୦୦୦ ମସିହା ମାର୍ଚ୍ଚ ୫ ତାରିଖରେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ୨୫ ବର୍ଷ ଜନସେବାରେ ଏଯାଏଁ ୨୩ ବର୍ଷ ୧୨୭ ଦିନ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିଆସିଛନ୍ତି ନବୀନ । ଜୁଲାଇ ୨୨ ତାରିଖରେ ସେ ଦ୍ୱିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବେ । ଜ୍ୟୋତି ବସୁ ପଶ୍ଚିମବଙ୍ଗରେ ସିପିଏମର ୩୪ ବର୍ଷ ସରକାରରେ ୨୩ ବର୍ଷ ୧୩୮ ଦିନ ମୁଖ୍ୟମନ୍ତ୍ରୀ ରହିଥିଲେ । ଜୁଲାଇ ୨୨ରେ ଏହି ରେକର୍ଡକୁ ଭାଙ୍ଗିବେ ନବୀନ । ଭାରତ ବର୍ଷରେ ଦ୍ବିତୀୟ ସର୍ବାଧିକ ସମୟ ଧରି ମୁଖ୍ୟମନ୍ତ୍ରୀ ପଦରେ ରହିବା ନେଇ ନବୀନଙ୍କ ନାଁରେ ଯୋଡ଼ିହେବ ନୂଆ ରେକର୍ଡ। ଓଡ଼ିଶାବାସୀଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ବିଜେଡି କହିଛି । ରାଜ୍ୟବାସୀଙ୍କ ଆଶୀର୍ବାଦରେ ୨୦୨୪ରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହୋଇ ନବୀନ ଭାରତ ରାଜନୀତିର ସବୁ ରେକର୍ଡ ହାସଲ କରିବେ ବୋଲି ବିଜେଡି କହିଛି ।

୧୯୯୭ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ମାର୍ଚ୍ଚ ୨୦୦୦ରେ ସେ ପ୍ରଥମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ । ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନବୀନ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ୨୩ ବର୍ଷ ଧରି ନବୀନ ପଟ୍ଟନାୟକ ଓଡ଼ିଶାର ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍ତି । ସେହିପରି ଶିଳ୍ପାୟନରେ ଓଡ଼ିଶାର ନୂଆ ଅଧ୍ୟାୟ ଆରମ୍ଭ ହୋଇଛି । ବିଦେଶ ପୁଞ୍ଜିନିବେଶରେ ଓଡ଼ିଶା ଦେଶରେ ଦ୍ବିତୀୟ ସ୍ଥାନ ହାସଲ କରିଛି। ଏସବୁ ସମ୍ଭବ ହୋଇପାରିଛି ନବୀନଙ୍କ ଦୃଢ ନେତୃତ୍ବ ଓ ସ୍ଥିର ସରକାର ପାଇଁ । ନବୀନଙ୍କ ଅନେକ ଜନହିତକାରୀ ଯୋଜନା ଏବେ ଦେଶକୁ ବାଟ ଦେଖାଇଛି ।

ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ପଦବୀରେ ରହିବାରେ ପ୍ରଥମ ସ୍ଥାନରେ ରହିଛନ୍ତି ସିକ୍କିମର ପୂର୍ବତନ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଙ୍ଗ। ଜୁଲାଇ ୨୨ରେ ନବୀନ ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେବେ । ୨୩ ବର୍ଷ ଶାସନରେ ନବୀନଙ୍କ ନାଁରେ ରେକର୍ଡ ନୂଆ ନୁହେଁ। ଶ୍ରେଷ୍ଠ ପ୍ରଶାସନ, ନମ୍ବର ଓ୍ବାନ୍ ମୁଖ୍ୟମନ୍ତ୍ରୀ ସହ ବିଭିନ୍ନ ରେକର୍ଡ ରହିଛି ନବୀନଙ୍କ ନାଁରେ ।

ଆଉ ରହିବନି ଉତ୍ସବ ପାଳନ ପାଇଁ ଜାଗା ଟେନସନ୍, ଶୁଭାରମ୍ଭ ହେଲା ମୁଖ୍ୟମନ୍ତ୍ରୀ ସଭାଗୃହ

ଭୁବନେଶ୍ୱର: ଆଉ ଗାଁ ଓ ସହରରେ ରହିବନି ଉତ୍ସବ ପାଳନ ପାଇଁ ଜାଗା ଟେନସନ୍ । ଶସ୍ତା ଓ ସହଜରେ ମିଳିବ ବିବାହ, ବ୍ରତ ଓ ସଭାସମିତି ପାଇଁ ବିଳାସପୂର୍ଣ୍ଣ ହଲ୍ । ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ମୁଖ୍ୟମନ୍ତ୍ରୀ ସଭାଘର । ୨ ହଜାର କଲ୍ୟାଣ ମଣ୍ଡପକୁ ମୁଖ୍ୟମନ୍ତ୍ରୀ ସଭାଘରରେ ପରିଣତ କରାଯାଉଛି । ପ୍ରତି ଗାଁରେ ରାଜ୍ୟ ସରକାର ନିର୍ମାଣ କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ସଭାଘର । ମୁଖ୍ୟମନ୍ତ୍ରୀ ସଭାଘର ପାଇଁ ଏବର୍ଷ ୧୨୫ କୋଟି ଟଙ୍କା ବ୍ୟୟ କରାଯାଇଛି । ସମ୍ୱଲପୁର ଜିଲ୍ଲା କୁଚିଣ୍ଡା ଓ ଦେବଗଡ଼ରେ ବଡ଼ ଅଡିଟୋରିୟମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

କମିବ ସଡ଼କ ଦୁର୍ଘଟଣା, ଆହତଙ୍କୁ ତୁରନ୍ତ ମିଳିବ ସହାୟତା

ରାଉରକେଲା: କମିବ ସଡ଼କ ଦୁର୍ଘଟଣା । ଆହତଙ୍କୁ ତୁରନ୍ତ ମିଳିବ ସହାୟତା । ପୋଲିସ ଓ ପରିବହନ ବିଭାଗକୁ ଟିପ୍ସ । ରାଜ୍ୟରେ ସଡ଼କ ଦୁର୍ଘଟଣା ସଂଖ୍ୟା ହ୍ରାସ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସଫଳ ହେଉଛି । ତେବେ ରାଜ୍ୟକୁ ସମ୍ପୂର୍ଣ୍ଣ ସଡ଼କ ଦୁର୍ଘଟଣା ମୁକ୍ତ କରି ଆହତଙ୍କୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ନିଆଯାଉଛି ବିଭିନ୍ନ ପଦକ୍ଷେପ । ଦୁର୍ଘଟଣାର ନିର୍ଦ୍ଧିଷ୍ଟ କାରଣ କ’ଣ ଥିଲା ? କ’ଣ କରାଯାଇଥିଲେ ଦୁର୍ଘଟଣା ରୋକାଯାଇ ପାରିଥାନ୍ତା ? ସେ ସମ୍ପର୍କରେ ସମସ୍ତ ଡାଟା ମୋବାଇଲ ଆପ୍ ଜରିଆରେ ଡାଟା ସଂଗ୍ରହ କରାଯାଉଛି । ଏସମ୍ପର୍କରେ ସୁନ୍ଦରଗଡ଼, କେଉଁଝର ଓ ରାଉରକେଲା ପୋଲିସ ଜିଲ୍ଲାର ପୋଲିସ ଅଫିସର ଓ ପରିବହନ ବିଭାଗର ଅଧିକାରୀଙ୍କୁ ନେଇ ଦୁଇଦିନ ଧରି ରାଉରକେଲା ଆଇଟିଡିଏ ହଲରେ ତାଲିମ ପ୍ରଦାନ କରାଯାଇଥିଲା ।

ଦୁର୍ଘଟଣା ଘଟିବା ପରେ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ତଦନ୍ତ କରାଯାଉଥିବା ବେଳେ ଏହି ତଦନ୍ତ ରିପୋର୍ଟ ମୋବାଇଲ ଆପରେ ରେକର୍ଡ ରହୁଛି । ଦୁର୍ଘଟଣାର ନିର୍ଦ୍ଧିଷ୍ଟ କାରଣ ଜାଣିବା ପରେ ଏହାର ନିରାକରଣ କରିବା ପାଇଁ ପଦକ୍ଷେପ ନିଆଯାଉଛି । ମୋବାଇଲ ଆପରେ ସମସ୍ତ ଡାଟା ରହୁଥିବାରୁ ସମସ୍ତ ବିଭାଗୀୟ ଅଧିକାରୀ ଦୁର୍ଘଟଣାର କାରଣ ସମ୍ପର୍କରେ ଅବଗତ ହୋଇ ପାରୁଛନ୍ତି । କିପରି ତଦନ୍ତ ରିପୋର୍ଟ ମୋବାଇଲ ଆପରେ ରଖାଯିବ ଓ ତଦନ୍ତ ସମୟରେ କ’ଣ କ’ଣ ତଥ୍ୟ ସଂଗ୍ରହ କରାଯିବ ସେ ସମ୍ପର୍କରେ ଅଧିକାରୀମାନଙ୍କୁ ତାଲିମ ନେଇଥିଲେ । IRAD  ଓ EDAR ଆପ୍ଲିକେସନ ଉପରେ ପରିବହନ ଓ ପୋଲିସ ଅଧିକାରୀଙ୍କୁ ଦୁଇଦିନ ଧରି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି ।

ଅନଲାଇନରେ ଛାତ୍ରଛାତ୍ରୀ ପଢ଼ିବେ ପ୍ରାଚୀନ ବିରଳ ଗ୍ରନ୍ଥ, ପୋଥି ଓ ପାଣ୍ଡୁଲିପିର ହେବ ଡିଜିଟାଇଜେସନ

କଟକ: ଛାତ୍ରଛାତ୍ରୀ ପଢିବେ ପ୍ରାଚୀନ ଗ୍ରନ୍ଥ । ଅନଲାଇନରେ ଉପଲବ୍ଧ ହେବ ଇତିହାସଠାରୁ ପୁରାଣ । ରେଭେନ୍ସା ବିଶ୍ବବିଦ୍ୟାଳୟର ନିଆରା ପ୍ରୟାସ । ପୋଥି ଓ ପାଣ୍ଡୁଲିପିର ହେବ ଡିଜିଟାଇଜେସନ । ଓଡ଼ିଆ ସାହିତ୍ୟର ବହୁ ପ୍ରାଚୀନ ଗ୍ରନ୍ଥଗୁଡି଼କ ବିଲୁପ୍ତ ହେବାକୁ ବସିଲାଣି । ବିଭିନ୍ନ ପାଠାଗାର ଏବଂ ସଂଗ୍ରହାଳୟରେ କିଛି ପୁରାତନ ପୁସ୍ତକ ଥିବାବେଳେ ଏହା ପାଠକ ପାଇଁ ଉପଲବ୍ଧ ହୋଇପାରୁ ନାହିଁ । ଦ୍ବାଦଶ ଶତାବ୍ଦୀର ପୁରାତନ ପାଣ୍ଡୁଲିପି ଏବଂ ପୋଥିଗୁଡିକ ରକ୍ଷଣାବେକ୍ଷଣ ଅଭାବରୁ କାଳକ୍ରମେ ନଷ୍ଟ ହେବାକୁ ବସିଲାଣି । ଏସବୁ ବିରଳ ଗ୍ରନ୍ଥଗୁଡିକୁ ଅନଲାଇନରେ ଉପଲବ୍ଧ କରାଇବେ ରେଭେନ୍ସା ବିଶ୍ବବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ବ୍ରିଟିଶ ଅମଳର ରେଭେନ୍ସା ରେକର୍ଡସ୍, କନିକା ଲାଇବ୍ରେରୀର ବିରଳ ପୁସ୍ତକ, ତାଳପତ୍ର ପାଣ୍ଡୁଲିପି ଏବଂ ବିଭିନ୍ନ ପବ୍ଲିକ ଲାଇବ୍ରେରୀର ରେୟାର କଲେକ୍ସନ ଡିଜିଟାଇଜେସନ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ୧୭୯୫ ରୁ ୧୯୭୫ ମସିହା କିଛି ଏଭଳି ତାଳପତ୍ର ରାଜ୍ୟ ସଂଗ୍ରହାଳୟରୁ ଫଟୋ ଉଠାଇ ଅଣାଯାଇଥିଲା ବେଳେ ଆଉ କିଛି ପୁରୀ, ଯାଜପୁର ବିରଜା ମନ୍ଦିର, ସାରଳାଙ୍କ ପୀଠ, ଉତ୍କଳ ସାହିତ୍ୟ ସମାଜର ମଧୁସୂଦନ ପାଠାଗାର, ଭାଗବତ, ମହାଭାରତର କିଛି ଅଂଶ ପୋଥିକୁ ଡିଜିଟାଇଜେସନ କରାଯାଉଛି।

ଓଡ଼ିଆ ଭାଷାରେ ନାଚୁରାଲ ଲାଙ୍ଗୁଏଜ ପ୍ରୋସେସେସିଂ ରିସର୍ଚ୍ଚ ପାଇଁ ଏହି ଟୁଲ୍ ତିଆରି କରିବା ଉଦ୍ଦେଶ୍ୟରେ ଏହାର ଡିଜିଟାଇଜେସନ କରାଯାଉଛି । ଚିକାଗୋ ସ୍ଥିତ ସେଣ୍ଟର ଫର ରିସର୍ଚ୍ଚ ଲାଇବ୍ରେରୀର ସାଉଥ ଏସିଆ ମ୍ୟାଟେରିଆଲ ପ୍ରୋଜେକ୍ଟ ମାଧ୍ୟମରେ ରେଭେନ୍ସାର କିଛି ଗବେଷଣାରତ ଛାତ୍ରଛାତ୍ରୀ ଏବଂ ସଦସ୍ୟଙ୍କ ଦ୍ବାରା ଏହା କରାଯାଉଛି । ୨୦୧୯ ଠାରୁ ପୁରାତନ ଗ୍ରନ୍ଥ ରେକର୍ଡ ଗୁଡ଼ିକ ଡିଜିଟାଲ ମାଧ୍ୟମରେ ସଂରକ୍ଷଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ବିଶ୍ବବ୍ୟାଙ୍କ ସହାୟତାରେ ପ୍ରଥମେ ଶାରଳା ମହାଭାରତ ଡିଜିଟାଇଜେସନ କରିବାକୁ ପ୍ରୋଜେକ୍ଟ ହାତକୁ ନିଆଯାଇଥିଲା । ପରେ ଏହାର ଆବଶ୍ୟକତା ଦୃଷ୍ଟିରେ ରଖି ଅନ୍ୟ ସବୁ ଡିଜିଟାଇଜ କରିବାକୁ ଆରମ୍ଭ ହୋଇଥିଲା ପ୍ରୟାସ । SAMP, ରେଭେନ୍ସା ବିଶ୍ୱବିଦ୍ୟାଳୟ, ସେଣ୍ଟର ସଂଯୋଜିକା ଉର୍ମିଶ୍ରୀ ବେଦମାତାଙ୍କ ଉଦ୍ୟମରେ ଏହାକୁ ସଂଗ୍ରହ ପାଇଁ ଅଭିଯାନ ଆରମ୍ଭ ହୋଇଥିଲା ।

ପାଠାଗାର ରକ୍ଷଣାବେକ୍ଷଣ ଅଭାବରୁ ଆଲମାରୀ ମଧ୍ୟରେ ରହି ନଷ୍ଟ ହୋଇ ଲୋକଲୋଚନକୁ ଆସିପାରୁନଥିଲା ଅନେକ ବିରଳ ଗ୍ରନ୍ଥ । ଏବେ ବିଶ୍ବବିଦ୍ୟାଳୟର ଉଦ୍ୟମରୁ ଏହା ଅନଲାଇନରେ ପଢିବାର ସୁଯୋଗ ପାଇବେ ସଭିଏଁ ।

ପୁରୀ ଶ୍ରୀଲୋକନାଥ ମନ୍ଦିର ବିକାଶ ପାଇଁ ମାଷ୍ଟର ପ୍ଲାନ୍, ଖର୍ଚ୍ଚ ହେବ ୨୮ କୋଟି ଟଙ୍କା

ପୁରୀ: ବିକାଶ ପଥରେ ଶ୍ରୀକ୍ଷେତ୍ର । ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ସ୍କାନରରେ ଐତିହ୍ୟ ନଗରୀ ପୁରୀ । ଗୋଟିଏ ପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଆଗେଇ ଚାଲିଥିବା ବେଳେ ଏବେ ଆଗେଇ ଚାଲିଛି ଅନ୍ୟାନ୍ୟ ବିକାଶ କାର୍ଯ୍ୟ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଣ୍ଡାର ରକ୍ଷକ ତଥା ପ୍ରସିଦ୍ଧ ଶୈବପୀଠ ବାବା ଶ୍ରୀଲୋକନାଥ ଦେବଙ୍କ ପୀଠର ବିକାଶ କାର୍ଯ୍ୟ ଅଗ୍ରାଧିକାର ଭିତିରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିବା ବେଳେ ପୂର୍ବରୁ 5T ସଚିବ ପୁରୀ ଗସ୍ତରେ ଆସି ସମୀକ୍ଷା କରିବା ସହ ସେବାୟତ ଓ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଆଜି ଓବିସିସି, ରେଭିନ୍ୟୁ ଟିମ୍, କଣ୍ଟ୍ରାକ୍ଟରଙ୍କ ଉପସ୍ଥିତିରେ ତହସିଲଦାରଙ୍କ ପକ୍ଷରୁ ଡିମାରକେସନ କରାଯାଇଛି । ମୁଖ୍ୟତଃ କେଉଁ ସ୍ଥାନରେ ଜଳ ନିଷ୍କାସନ ନେଇ ସ୍ୱତନ୍ତ୍ର ଡ୍ରେନେଜ ବ୍ୟବସ୍ଥା ରହିବ, ପ୍ରବେଶ ପଥକୁ ଚଉଡ଼ା ସହ ସୌନ୍ଦର୍ଯ୍ୟକରଣ, ଜାଗର, ପଙ୍କୋଦ୍ଧାର ଏକାଦଶୀ, ଶ୍ରାବଣ ସୋମବାର ଭଳି ଦିନରେ ଭିଡ଼ ନିୟନ୍ତ୍ରଣ ପାଇଁ କିପରି ପଦକ୍ଷେପ ଗ୍ରହଣ କରାଯିବ, ଭକ୍ତ ଶ୍ରଦ୍ଧାଳୁଙ୍କ ଆନୁସଙ୍ଗିକ ମୌଳିକ ସମସ୍ୟାର କିଭଳି ସମାଧାନ କରାଯାଇପାରିବ ସେନେଇ ଜଏଣ୍ଟ ସର୍ଭେ କରାଯାଇଛି ।

ସେହିପରି ମନ୍ଦିର ଚାରିପଟେ ୬ ମିଟରର ପାଦଚଲା ରାସ୍ତା ନିର୍ମାଣ, ଦୁଇ ଚକିଆ, ଚାରିଚକିଆ ପାର୍କିଂ ପାଇଁ ବିସ୍ତୃତ ଜାଗାର ବ୍ୟବସ୍ଥା ସହ ପାର୍ବତୀ ସାଗରର ସୌନ୍ଦର୍ଯ୍ୟକରଣ ଓ ଜାଗର ପଡ଼ିଆର ବି ବିକାଶ କରାଯିବ । ଆଶ୍ରୟସ୍ଥଳୀ, ସେବା କେନ୍ଦ୍ର ନେଇ ପ୍ରସ୍ତାବିତ ପ୍ଲାନ ରହିଥିବା ବେଳେ ବାହାରୁ ଦର୍ଶନ ପାଇଁ ୬ଟି ଧାଡ଼ି ବ୍ୟବସ୍ଥା କରାଯିବ । ଏହାସର ଭେଣ୍ଡିଂଜୋନ୍, ଶୌଚାଳୟ ଆଦିର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ୧୪ ଏକର ପରିମିତ ଅଞ୍ଚଳରେ ଲୋକନାଥ ମନ୍ଦିରର ବିକାଶ ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ଜମି ଅଧିଗ୍ରହଣ ନେଇ କୌଣସି ସମସ୍ୟା ନଥିବା କହିଛି ପ୍ରଶାସନ ।

ଅଭାବ ଅସୁବିଧାରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି 5T ସଚିବ, ଗରିବ ବିଧବା ମହିଳାଙ୍କୁ ଯୋଗାଇଲେ ସହାୟତା

ବରଗଡ଼: କେବଳ ଛାତ୍ରଙ୍କ ସମସ୍ୟା ନୁହେଁ କି ଅନାଥଙ୍କ ଦୁଃଖ ନୁହେଁ । ଅଭାବଠୁ ଅସୁବିଧା । ସବୁ ସମୟରେ ସମସ୍ତଙ୍କୁ ସାଥ୍ ଦେଉଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ତାଙ୍କ ସାହାଯ୍ୟ ଓ ସହଯୋଗର ପୃଷ୍ଠାରେ ଏବେ ଯୋଡ଼ି ହୋଇଛି ଗରିବ ବିଧବା ମହିଳାଙ୍କ କାହାଣୀ । ବରଗଡ଼ ସଦର ବ୍ଲକ ଅଡ଼ଗାଁର ପୁଷ୍ପା ଭୁଏଙ୍କ ଦୁଃଖ ବୁଝିଛନ୍ତି 5T ସଚିବ । ସ୍ବାମୀଙ୍କ ଅକାଳ ବିୟୋଗ ପରେ ଦୁଇ ସନ୍ତାନଙ୍କୁ ନେଇ ଭାଙ୍ଗିପଡ଼ିଥିଲେ ପୁଷ୍ପା । ଆର୍ଥିକ ଅନଟନ ଭିତରେ ସଂଘର୍ଷ କରି ପରିବାର ଚଳାଉଥିବା ପୁଷ୍ପାଙ୍କ କାହାଣୀ ବିଷୟରେ ସାମାଜିକ ଗଣମାଧ୍ୟମରୁ ଜାଣିବାକୁ ପାଇଥିଲେ 5T ସଚିବ । ଖବର ପାଇବ କ୍ଷଣି ବରଗଡ଼ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ ଓ ସହଯୋଗ ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।

ପୁଷ୍ପାଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ମଧୁବାବୁ ପେନସନ୍ ଯୋଜନାରେ ସାମିଲ କରାଯିବା ସହ ସ୍ବାମୀଙ୍କ ମୃତ୍ୟୁ ବାବଦକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଯାଇଛି । ପୂର୍ବରୁ ଆଶୀର୍ବାଦ ଯୋଜନାରେ ଦୁଇ ଛୁଆଙ୍କୁ ସାମିଲ କରାଯାଇ ପ୍ରତି ମାସକୁ ୧୫ ଶହ ଟଙ୍କା ସହାୟତା ରାଶି ଯୋଗାଇ ଦିଆଯାଉଛି । ସରକାରଙ୍କ ତରଫରୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନଙ୍କୁ କୃତଜ୍ଞତା ଜଣାଇଛନ୍ତି ପୁଷ୍ପା ଭୁଏ ।

ବାହାନଗା ଟ୍ରେନ୍ ଟ୍ରାଜେଡି, ରିମାଣ୍ଡ ଅବଧି ପରେ ବିଚାର ବିଭାଗୀୟ ହାଜତ ଗଲେ ୩ ଅଭିଯୁକ୍ତ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲା । ଜେଲ ଗଲେ ୩ ଅଭିଯୁକ୍ତ । ତିନି ଅଭିଯୁକ୍ତଙ୍କୁ ଆଉ ରିମାଣ୍ଡରେ ନେବନି ସିବିଆଇ । ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହଜାତକୁ ଗଲେ ଗିରଫ ତିନି ଅଭିଯୁକ୍ତ । ସେପଟେ ସିନିୟର୍ ସେକ୍ସନ ଇଞ୍ଜିନିୟର ପକ୍ଷରୁ ଜାମିନ ଆବେଦନ ଶୁଣାଣି ଉପରେ ଅଧିକ ସମୟ ମାଗିଛନ୍ତି ତାଙ୍କ ଓକିଲ । ସିବିଆଇ ଦୁଇଟି ପର୍ଯ୍ୟାୟରେ ମୋଟ ୯ ଦିନ ରିମାଣ୍ଡରେ ନେଇ ତିନି ଅଭିଯୁକ୍ତଙ୍କୁ ପଚରା ଉଚରା କରିଥିଲା । ତିନି ଅଭିଯୁକ୍ତଙ୍କଠାରୁ ଅନେକ ସତ ଉଗାରିଛି CBI । କାର୍ଯ୍ୟରେ ଅବହେଳା କାରଣରୁ ଦୁର୍ଘଟଣା ଓ ପ୍ରମାଣ  ନଷ୍ଟ ପଛରେ ଆଉ କାହାରି ହାତ ରହିଛି କି ସେ ସମସ୍ତ ଦିଗକୁ ନେଇ ସିବିଆଇ ଖୋଳତାଡ ଜାରି ରଖିଛି ।

ଏ ପଯ୍ୟନ୍ତ ୬ଜଣକୁ ସମନ କରାଯାଇଥିବାବେଳେ ଅନେକଙ୍କୁ ସିବିଆଇ ଜେରା କରିଥିବା ଜଣାପଡ଼ିଛି । ଚିଫ୍ ଅଫ୍ ରେଲୱେ ସିକ୍ୟୁରିଟିଙ୍କ ତଦନ୍ତ ରିପୋର୍ଟ ଆଧାରରେ ୭ ଜଣଙ୍କୁ ନିଲମ୍ବିତ କରାଯାଇଛି । ତା ଭିତରୁ ତିନି ଜଣ ଗିରଫ ହୋଇସାରିଥିବାବେଳେ, ଷ୍ଟେସନ ମାଷ୍ଟର, ସମେତ ଆସିଷ୍ଟାଣ୍ଟ ଷ୍ଟେସନ୍ ମାଷ୍ଟର, ଟ୍ରାଫିକ୍ ଇନସପେକ୍ଟର ଓ ମେଣ୍ଟେନର୍  ସିବିଆଇ ସ୍କାନରରେ ରହିଛନ୍ତି । ସିବିଆଇ କୋର୍ଟରେ ୨୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ରହିଛି ।

୧୮ ତାରିଖରୁ ବରୁଣେଇରୁ ଆରମ୍ଭ ହେବ ପାଇକ ଗର୍ଜନ ସମାବେଶ, ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ

ଖୋର୍ଦ୍ଧା: କେବେ ମିଳିବ ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା । ଓଡ଼ିଶା ଇତିହାସର ସ୍ୱର୍ଣ୍ଣିମ ଅଧ୍ୟାୟକୁ ଆଉ ଅଣଦେଖା କରିପାରିବ ନାହିଁ କେନ୍ଦ୍ର । ୧୮ ତାରିଖରୁ ବରୁଣେଇରୁ ଆରମ୍ଭ ହେବ ପାଇକ ଗର୍ଜନ ସମାବେଶ । ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ଚାଲିବ ଆନ୍ଦୋଳନ । ୧୮୧୭ ମସିହାରେ ଇଂରେଜ ଶାସନ ବିରୁଦ୍ଧରେ ଆରମ୍ଭ ହୋଇଥିଲା ପାଇକ ବିଦ୍ରୋହ । ପ୍ରଥମ ସ୍ବାଧୀନତା ସଂଗ୍ରାମର ମାନ୍ୟତା ପାଇଁ ୨୦୧୭ ମସିହାରୁ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ମାନ୍ୟତା ଦେଉନାହିଁ କେନ୍ଦ୍ର । ବରୁଣେଇ ପାଦ ଦେଶରେ ମାଗଣାରେ ୧୦ ଏକର ଜମି ରାଜ୍ୟ ସରକାର ପ୍ରଦାନ କରିଥିବା ବେଳେ ଆନ୍ତରିକତା ଦେଖାଉନାହାନ୍ତି କେନ୍ଦ୍ର ସରକାର ।

ପାଇକ ସ୍ମାରକୀ ନିର୍ମାଣ, ପାଇକ ବିଦ୍ରୋହକୁ ପ୍ରଥମ ସ୍ବାଧୀନତା ସଂଗ୍ରାମ ମାନ୍ୟତା, ପାଇକ ରେଜିମେଣ୍ଟ ଗଠନ, ଖୋର୍ଦ୍ଧା ଗଡ଼ର ପୁନଃରୁଦ୍ଧାର ଆଦି ଦାବିରେ ଆରମ୍ଭ ହୋଇଛି ପୁଣି ପାଇକ ଆନ୍ଦୋଳନ । ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ମହାସଂଘ ପକ୍ଷରୁ ସାରା ରାଜ୍ୟରେ ଜନ ଆନ୍ଦୋଳନ ପାଇଁ ଚାଲିଛି ପ୍ରସ୍ତୁତି । ଆସନ୍ତା ୧୮ ତାରିଖରୁ ବରୁଣେଇରୁ ଆରମ୍ଭ ହେବ ପାଇକ ଗର୍ଜନ ସମାବେଶ । ଓଡ଼ିଶା ସଂଗ୍ରାମୀମାନଙ୍କ ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ବିରୋଧରେ ଦିଲ୍ଲୀ ଦରବାରରେ ହକ୍ ପାଇଁ ଆନ୍ଦୋଳନ କରିବେ ପାଇକ ସଂଗଠନ ।

 

 

ଲୋକଙ୍କ ପାଖକୁ ଯାଉନାହାନ୍ତି ବିଜେପି ସାଂସଦ: ସ୍ନେହାଙ୍ଗିନୀ ଛୁରିଆ

ଭୁବନେଶ୍ୱର: ବିଜେପି ଉପରେ ବର୍ଷିଛନ୍ତି ବିଜୁ ମହିଳା ଜନତା ଦଳ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ପଶ୍ଚିମ ଓଡ଼ିଶାବାସୀ ଭରସା କରି ବିଜେପିକୁ ସାଂସଦ ଆସନରେ ଜିତାଇଥିଲେ । ମାତ୍ର ବିଜେପି ସାଂସଦ ପଶ୍ଚିମ ଓଡ଼ିଶା ପାଇଁ କୌଣସି କାମ କରିନଥିବା ଅଭିଯୋଗ କରିଛନ୍ତି ସ୍ନେହାଙ୍ଗିନୀ । ଲୋକଙ୍କ ପାଖକୁ ବିଜେପି ସାଂସଦ ଯାଉନାହାନ୍ତି । ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଅଛନ୍ତି । ତୃଣମୂଳ ସ୍ତରରେ ଲୋକଙ୍କ ସମସ୍ୟାର ସମାଧାନ କରାଯାଉଛି । ଓଡ଼ିଶାରେ ବିଜେପିର କୌଣସି ପ୍ଲାନ୍‌ କାମ ଦେବନି ବୋଲି ବିଜେଡି କହିଛି । ମୁଖ୍ୟମନ୍ତ୍ରୀ କରୁଥିବା ଭଲକାମକୁ ବିରୋଧୀ ବିରୋଧ କରୁଛନ୍ତି । ବିରୋଧୀଙ୍କ କାମ ବିରୋଧ କରିବା । ହେଲେ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ଗଢ଼ି ତୋଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନରାତି କାମ କରୁଛନ୍ତି ବୋଲି ସ୍ନେହାଙ୍ଗିନୀ ଛୁରିଆ କହିଛନ୍ତି ।