ଭୁବନେଶ୍ୱର: ୨୦୨୩-୨୪ ଶିକ୍ଷା ବର୍ଷରେ ରାଜ୍ୟରେ ୧୦୬ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଖୋଲାଯିବ ଏକାଦଶ ଶ୍ରେଣୀ । ଏଥିରୁ ୧୦୦ଟି ବିଦ୍ୟାଳୟରେ କଳା ଓ ୬ଟି ବିଦ୍ୟାଳୟରେ ବିଜ୍ଞାନ ବିଷୟରେ ଶିକ୍ଷାଦାନ ଦିଆଯିବ । ଏହି ବିଦ୍ୟାଳୟ ଗୁଡିକରେ ଦୁଇଟି ଲେଖାଏଁ ସେକ୍ସନ ଖୋଲିବାକୁ ନିଷ୍ପତ୍ତି ହୋଇଛି । ପ୍ରତ୍ୟେକ ସେକ୍ସନରେ ୬୪ ଲେଖାଏଁ ମୋଟ୍ ୧୨୮ ଛାତ୍ରଛାତ୍ରୀ ନାମ ଲେଖାଇବେ । ଏହା ଦ୍ବାରା ୧୦୬ଟି ସରକାରୀ ସ୍କୁଲରେ ମୋଟ ୧୩ ହଜାର ୪୬୮ ସିଟ୍ ନାମ ଲେଖା ପାଇଁ ବୃଦ୍ଧି ପାଇବ । ପ୍ରଧାନଶିକ୍ଷକ ମାନେ ଭାରପ୍ରାପ୍ତ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବା ପାଇଁ ତାଲିମ ଦିଆଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାଦାନ ପାଇଁ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟା ବିଦ୍ୟାଳୟ ସ୍ତରରେ ଚାଲୁ ରହିଛି ।
ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ଇମ୍ରାନ ଖାନ୍
ଇସଲାମାବାଦ: ଅଲକାଦିର ଟ୍ରଷ୍ଟ ମାମଲାରେ ପୁଣି ଥରେ ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଆସନ୍ତାକାଲି ଏହି ମାମଲାର ତଦନ୍ତରେ ସାମିଲ ହେବାକୁ ଯାଉଥିବାବେଳେ ତାଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଏପରିକି ତାଙ୍କର ଗିରଫ ସମ୍ଭାବନା ୮୦ ପ୍ରତିଶତ ରହିଛି ବୋଲି ସେ ଆଶଙ୍କା କରିଛନ୍ତି । ସେ କହିଛନ୍ତି- ଅଲ କାଦିର ଟ୍ରଷ୍ଟ ମାମଲାକୁ ରାଜନୀତିକରଣ କରାଯାଇ ତାଙ୍କୁ ଟାର୍ଗେଟ କରାଯାଇଛି ।
ଆସନ୍ତା ନିର୍ବାଚନରେ ଶାସକ ଦଳ ପରାସ୍ତ ହେବା ଆଶଙ୍କା ଥିବାରୁ ସରକାର ତାଙ୍କ ବିରୋଧରେ ଅଭିଯାନ ଜାରି ରଖିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସେପଟେ ପାକିସ୍ତାନ ତେହରିକ ଇ ଇନସାଫର ୧୦ ହଜାରରୁ ଅଧିକ କର୍ମୀଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ବିଚାର ମିଲିଟାରୀ କୋର୍ଟରେ କରାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି । ଏକ ଦୁର୍ନୀତି ମାମଲାର ବିଚାର ଚାଲିଥିବାବେଳେ ଗତ ମେ ୯ ତାରିଖରେ ପାରାମିଲିଟାରୀ ରଞ୍ଜେର ପକ୍ଷରୁ ତାଙ୍କୁ ଇସଲାମାବାଦ ହାଇକୋର୍ଟ ପରିସରରୁ ଗିରଫ କରାଯାଇଥିଲା ।
ମାଷ୍ଟରକ୍ୟାଣ୍ଟିନ ଛକ ସ୍ଥିତ ପେନ୍ ହସ୍ପିଟାଲ ଦୋକାନରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ
ଭୁବନେଶ୍ୱର: ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ଥିବା ପେନ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ । ସର୍ଟ ସର୍କିଟରୁ ଦୋକାନରେ ଲାଗିଲା ନିଆଁ । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ିଗଲା । ନିଆଁକୁ ଲିବାଇବାକୁ ୫ଟି ଦମକଳ ବାହିନୀ ପହଞ୍ଚିଥିଲେ । ଦୀର୍ଘ ସମୟରେ ଅପରେସନ ପରେ ନିଆଁକୁ ଆୟତ୍ତ କରାଯାଇଛି । ତେବେ ଏଥିରେ କୌଣସି ଜୀବନହାନୀ ହୋଇ ନଥିବା ସୂଚନା ମିଳିଛି । ଦୋକାନ ଭିତରେ ପ୍ରଥମ ପୋଡ଼ା ଗନ୍ଧ ହେବା ପରେ କର୍ମଚାରୀମାନେ ପଦାକୁ ବାହାରି ଆସିଥିଲେ ।
ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲଙ୍କୁ ଭେଟିଲେ ନୀତିଶ କୁମାର, ବିରୋଧୀ ଏକତା ନେଇ ପ୍ରସ୍ତୁତ ହେଲା ରଣନୀତି
ନୂଆଦିଲ୍ଲୀ: ଚବିଶ ଲାଗି ଦିଲ୍ଲୀରେ ଗୋଟିଚାଳନା । ନାୟକ ଭୂମିକାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଦାନା ବାନ୍ଧୁଛି ବିରୋଧୀ ଏକତା । ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପ୍ରୟାସ ତୀବ୍ର କରିଦେଇଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ହାଇପ୍ରୋଫାଇଲ ଭେଟଘାଟ । ବିରୋଧୀ ଏକତା ନେଇ ରଣନୀତି ପ୍ରସ୍ତୁତ ହୋଇଛି । ବାଠକ ପରେ କଂଗ୍ରେସ ନେତା କେସି ବେଣୁଗୋପାଳ ଏବଂ ଲଲନ ସିଂହ କହିଛନ୍ତି, ଆଜି ଆମ ବୈଠକରେ ବିରୋଧୀ ଏକତାକୁ ନେଇ ଯେଉଂ ସହମତି ହୋଇଥିଲା, ତା ଉପରେ ବିସ୍ତାର ଭାବେ ଆଲୋଚନା ହୋଇଛି ।
ବିରୋଧୀ ଏକତା ପାଇଁ ସମସ୍ତ ଦଳକୁ ନେଇ ଏକ ବୈଠକ ହେବ । ଏଥିପାଇଁ ସ୍ଥାନ, ସମୟ ଏବଂ ତିଥି ଆଗାମୀ ୨ରୁ ୩ ଦିନ ମଧ୍ୟରେ ସ୍ଥିରିକୃତ ହେବ । ଅଧିକତମ ବିରୋଧୀ ନେତାଙ୍କୁ ଏହି ବୈଠକକୁ ଡକାଯିବ । ବିଭିନ୍ନ ବୈଠକରେ ବିରୋଧୀ ମହାମେଣ୍ଟ ଗଠନ ନେଇ ପ୍ରସ୍ତୁତି । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟିଥିଲେ ନୀତୀଶ ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଆସନ୍ତା ଜୁନ ପ୍ରଥମ ସପ୍ତାହରେ ପାଟନାରେ ବିରୋଧୀ ମହାମେଣ୍ଟ ବୈଠକ ବସିପାରେ ବୋଲି ସୂଚନା ମିଳିଛି ।
ତେବେ ଏହା ପୂର୍ବରୁ ମଧ୍ୟ ନୀତିଶ ଅନେକ ନେତାଙ୍କୁ ଭେଟିସାରିଛନ୍ତି । ଗତ ଏପ୍ରିଲ ୨୧ରେ କଂଗ୍ରେସ ନେତା ହରିଶ ରାଓ୍ବତଙ୍କୁ ଭେଟିଥିଲେ ନୀତୀଶ । ଏହାର ୩ ଦିନ ପରେ ୨୪ରେ କୋଲକାତାରେ ମମତା ବାନାର୍ଜୀ ଓ ଲକ୍ଷ୍ମୌରେ ଅଖିଳେଶ ଯାଦବଙ୍କ ସହ କରିଥିଲେ ଆଲୋଚନା । ମେ ୧୦ରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଭେଟିବା ପରେ ୧୧ରେ ମୁମ୍ବାଇରେ ଶିବସେନା ନେତା ଉଦ୍ଧବ ଠାକରେ ଓ ଏନସିପି ସଭାପତି ଶରଦ ପାଓ୍ବାରଙ୍କୁ ଭେଟିଥିଲେ ନୀତୀଶ ।
ମେ ୨୦ରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ ଉତ୍ସବରେ ବି ସାମିଲ ହୋଇଥିଲେ ନୀତୀଶ । ଗତକାଲି ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଭେଟି ବିରୋଧୀ ଏକତା ପ୍ରସଙ୍ଗରେ କରିଥିଲେ ଆଲୋଚନା । ଆସନ୍ତାକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ୨୪ରେ ଶିବସେନା ନେତା ଉଦ୍ଧବ ଠାକରେ ଓ ୨୫ରେ ଏନସିପି ମୁଖ୍ୟ ଶରଦ ପାଓ୍ବାରଙ୍କୁ ଭେଟିବେ କେଜ୍ରିଓ୍ବାଲ ।
ଖୋର୍ଦ୍ଧାରେ ଆଇଟିସିର ଅତ୍ୟାଧୁନିକ ଉତ୍ପାଦନ ସାମଗ୍ରୀ କେନ୍ଦ୍ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଖୋର୍ଦ୍ଧା: ସମୃଦ୍ଧ ହେଉଛି ଓଡ଼ିଶା । ବଢୁଛି ରାଜ୍ୟର ଆୟ । କର୍ମ ନିଯୁକ୍ତି ପାଇବେ ଅଧିକରୁ ଅଧିକ ମହିଳା । ଖୋର୍ଦ୍ଧାରେ ଉଦଘାଟିତ ହେଲା ଆଇଟିସିର ଅତ୍ୟାଧୁନିକ ଇଣ୍ଟିଗ୍ରେଟେଡ୍ ଗ୍ରାହକ ଉତ୍ପାଦନ ସାମଗ୍ରୀ କେନ୍ଦ୍ର । ଏହି କେନ୍ଦ୍ରକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରକୁ ବୃଦ୍ଧି କରିବା ପାଇଁ ଏହି ଇଣ୍ଟିଗ୍ରେଟେଡ ଗ୍ରାହକ ସାମଗ୍ରୀ ଉତ୍ପାଦନ ଏବଂ ଲଜିଷ୍ଟିକ୍ସ ସୁବିଧା କେନ୍ଦ୍ର ସହାୟକ ହେବ । ରାଜ୍ୟରେ ନିବେଶ କରିଥିବାରୁ ଆଇଟିସି ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ପୁରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।
୩୫ ଏକରରୁ ଅଧିକ ପରିମିତ ଅଞ୍ଚଳରେ ବ୍ୟାପିଥିବା ଏହି କେନ୍ଦ୍ର ନୂତନ କୃଷି ମୂଲ୍ୟବୋଧ ଶୃଙ୍ଖଳା ଏବଂ ଜୀବିକା ଉପଲବ୍ଧ କରାଇବ । କେନ୍ଦ୍ରରେ ଆଶୀର୍ବାଦ ଅଟା, ୟେପି , ନୁଡୁଲ୍ସ , ସନଫିଷ୍ଟ ବିସ୍କୁଟ , ଚିପ୍ପ ଭଳି ବିଭିନ୍ନ ଖାଦ୍ୟ ସାମଗ୍ରୀ ଉତ୍ପାଦନ କରାଯିବ । ଆଇଟିସିର ବିଶ୍ବ ସ୍ତରୀୟ ଖାଦ୍ୟ ବ୍ରାଣ୍ଡ ମଧ୍ୟ ପ୍ରର୍ଯ୍ୟାୟକ୍ରମେ ଏଠାରେ ଉତ୍ପାଦନ କରାଯିବ । ଓଡ଼ିଶାରେ ଆଇଟିସିର ନିବେଶ ରାଜ୍ୟର ଉତ୍ପାଦନ କ୍ଷେତ୍ରକୁ ମୂଲ୍ୟଯୁକ୍ତ ସୁବିଧା ଯୋଗାଇବା ଏବଂ କୃଷି ମୂଲ୍ୟ ଶୃଙ୍ଖଳାକୁ ସମର୍ଥନ କରିବ । ଏହି ନୂତନ ଅତ୍ୟାଧୁନିକ କାରଖାନା ଏକ ମେଗାୱାଟ ସବୁଜ ଶକ୍ତି ଦ୍ବାରା ଚାଳିତ ହେବ ।
ରେନ ୱାଟରର ହାର୍ଭେଷ୍ଟିଂ ବ୍ୟବସ୍ଥା ମଧ୍ୟ ଏଠାରେ ରହିବ । ଏହା ଦ୍ବାରା ସର୍ବାଧିକ ସଂରକ୍ଷଣ ଏବଂ ଭୂତଳ ଜଳ ଉପରେ ନିର୍ଭରଶୀଳତା ହ୍ରାସ ପାଇବ | ଭବିଷ୍ୟତ ପ୍ରସ୍ତୁତ ୟୁନିଟ ଅତ୍ୟାଧୁନିକ ଯନ୍ତ୍ରପାତି ଦ୍ବାରା ଏକୀକୃତ ଡାଟା ଆନାଲିଟିକ୍ସ ଏବଂ ଅତ୍ୟାଧୁନିକ ଡିଜିଟାଲ ଭିତ୍ତିଭୂମି ସହିତ ଚାଳିତ ହେବ | ଖୋର୍ଦ୍ଧା କାରଖାନାରେ କର୍ମଜୀବୀ ମହିଳାଙ୍କ ଅଂଶଗ୍ରହଣକୁ ବୃଦ୍ଧି କରିବା ପାଇଁ ଆଇଟିସିର ଉଦ୍ୟମ କରିବ । ଏଥିରେ ୫୫ % ରୁ ଅଧିକ ମହିଳାଙ୍କୁ ନିୟୋଜିତ କରିବ |
ବ୍ରିଜଭୂଷଣଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜ ସ୍ୱୀକାର କଲେ କୁସ୍ତିଯୋଦ୍ଧା, କହିଲେ ସୁପ୍ରିମକୋର୍ଟଙ୍କ ସଂନିରୀକ୍ଷଣରେ ହେଉ ଲାଇଭ ଟେଷ୍ଟ
ନୂଆଦିଲ୍ଲୀ: ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ନାର୍କୋ ଟେଷ୍ଟ ଚ୍ୟାଲେଞ୍ଜକୁ ସ୍ୱୀକାର କରିନେଇଛନ୍ତି ଜନ୍ତରମନ୍ତରରେ ଆନ୍ଦୋଳନରତ କୁସ୍ତିଯୋଦ୍ଧା । କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ କହିଛନ୍ତି ଆମେ ସମସ୍ତେ କୌଣସି ବି ଟେଷ୍ଟ ପାଇଁ ପ୍ରସ୍ତୁତ ଅଛୁ, କିନ୍ତୁ ଏହା ସୁପ୍ରିମକୋର୍ଟଙ୍କ ସଂନିରୀକ୍ଷଣରେ କରାଯାଉ । ନାର୍କୋ ଟେଷ୍ଟ ଲାଇଭ ହେଉ ଯାହା ଫଳରେ ପ୍ରଶ୍ନ ଏବଂ ଉତ୍ତର ସାରା ଦେଶ ଶୁଣିପାରିବ । ବ୍ରିଜଭୂଷଣ ରବିବାର କହିଥିଲେ ଯେ ମୁଁ ନିଜର ନାର୍କୋ ଟେଷ୍ଟ, ପଲିଗ୍ରାଫି ଟେଷ୍ଟ ଏବଂ ଲାଏ ଡିଟେକ୍ଟର ଟେଷ୍ଟ କରାଇବା ପାଇଁ ପ୍ରସ୍ତୁତ ଅଛି, କିନ୍ତୁ ମୋର ସର୍ତ୍ତ ଯେ ମୋ ସହ ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆଙ୍କର ମଧ୍ୟ ଏହି ଟେଷ୍ଟ ହେବା ଆବଶ୍ୟକ ।
ସେମାନେ ମିଡିଆ ଡକାଇ ଏହାର ଘୋଷଣା କରନ୍ତୁ । କୁସ୍ତିଯୋଦ୍ଧାମାନେ ଗତ ୩୦ ଦିନ ହେବ ଦିଲ୍ଲୀର ଜନ୍ତର ମନ୍ତରରେ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ତଦନ୍ତ ଏବଂ ଗିରଫଦାରୀ ଦାବି କରି ଧାରଣାରେ ବସିଛନ୍ତି । ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନାର ଦୁଇଟି ମାମଲା ମଧ୍ୟ ଚାଲିଛି । ଏଥି ମଧ୍ୟରୁ ପକ୍ସୋ ଆଇନ ଆଧାରରେ ଏକ ମାମଲା ମଧ୍ୟ ରହିଛି । ବଜରଙ୍ଗ ପୁନିଆ କହିଛନ୍ତି ସୁପ୍ରିମକୋର୍ଟ ଏଥିରେ ସଜ୍ଞାନ ନେଇ ନିଜର ସନିରୀକ୍ଷଣରେ ନାର୍କୋ ଟେଷ୍ଟ କରାନ୍ତୁ । ଏଥିସହିତ ନାର୍କୋ ଟେଷ୍ଟ ଲାଇଭ ହେବା ଆବଶ୍ୟକ, ଯାହା ଫଳରେ ସାରା ଦେଶବାସୀ ଜାଣନ୍ତୁ ଯେ ବ୍ରିଜଭୂଷଣଙ୍କୁ କି ପ୍ରକାରର ପ୍ରଶ୍ନ ପଚରାଯାଉଛି ଏବଂ ଏହାର କି ଜବାବ ସେ ଦେଉଛନ୍ତି ।
ବ୍ରିଜଭୂଷଣଙ୍କ ୧୫ ଟଙ୍କାର ମେଡାଲ ବୟାନ ଉପରେ ବଜରଙ୍ଗ କହିଛନ୍ତି ଏହା କେବଳ ମେଡାଲର ନୁହେଁ ବରଂ ତ୍ରିରଙ୍ଗାର ମଧ୍ୟ ଅପମାନ ଅଟେ । କାରଣ ଯେବେ ଆମେ ମେଡାଲ ଜିତିଥାଉ ସେବେ ତ୍ରିରଙ୍ଗାକୁ ମୁଣ୍ଡରେ ଉଠାଇ ବୁଲିଥାଉ । ବଜରଙ୍ଗ କୋଚ୍ ବିନୋତ ତୋମାର, ଜିତେନ୍ଦ୍ର ଏବଂ ଧୀରେନ୍ଦ୍ରଙ୍କର ମଧ୍ୟ ନାର୍କୋ ଟେଷ୍ଟ କରାଇବା ନେଇ ଦାବି କରିଛନ୍ତି । ବିନେଶ ଫୋଗାଟ ମଧ୍ୟ କହିଛନ୍ତି ଯେ ନା କେବଳ ବିନେଶ ଏବଂ ବଜରଙ୍ଗର ନାର୍କୋ ଟେଷ୍ଟ ହେବା ଦରକାର ବରଂ ସମସ୍ତ ୭ ଅଭିଯୋଗକାରୀ ପୀଡିତା କୁସ୍ତିଯୋଦ୍ଧାଙ୍କର ମଧ୍ୟ ଟେଷ୍ଟ ହେବା ଆବଶ୍ୟକ । ଯାହା ପାଇଁ ସେମାନେ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

