spot_img
Home Blog Page 3115

ପ୍ରଥମରୁ ଅଷ୍ଟମ ସ୍କୁଲ ପିଲାଙ୍କ ପାଇଁ ଆସିଲା ପୋଷାକ ଗାଇଡଲାଇନ୍, ପ୍ରଥମରୁ ପଞ୍ଚମ ଛାତ୍ରୀଙ୍କ ପାଇଁ ନୀଳ ଫ୍ରକ୍

ଭୁବନେଶ୍ୱର: ଚଳିତ ଶିକ୍ଷାବର୍ଷରେ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ପୋଷାକ ଗାଇଡଲାଇନ ଜାରି କରାଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ କରାଯିବ । ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଜଣପିଛା ୫୦୦ଶହ ଟଙ୍କା ମୂଲ୍ୟରେ ୨ ହଳ ବିଦ୍ୟାଳୟ ପୋଷାକ ଏବଂ ୨୦୦ଶହ ଟଙ୍କା ମୂଲ୍ୟରେ ୧ ହଳ ଜୋତା ଓ ୨ ହଳ ମୋଜା ପ୍ରଦାନ କରାଯିବ ।

ସେହିପରି ୧୨୫ଟଙ୍କା ମୂଲ୍ୟରେ ଗୋଟିଏ ଟି-ସାର୍ଟ ଓ ୧୨୫ ଟଙ୍କା ମୂଲ୍ୟରେ ଗୋଟିଏ ଟ୍ରାକ ପ୍ୟାଣ୍ଟ ଏବଂ ୩୦ ଟଙ୍କା ମୂଲ୍ୟରେ ଗୋଟିଏ ଟୋପି ଓ ୨୦ ଟଙ୍କା ମୂଲ୍ୟରେ ଗୋଟିଏ ପରିଚୟ ପତ୍ର ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ବଣ୍ଟନ କରାଯିବ । ସମୁଦାୟ ୧୦୦୦ ଟଙ୍କା ମଧ୍ୟରୁ ଟ ୬୦୦ଟଙ୍କା “ସମଗ୍ର ଶିକ୍ଷା” ଯୋଜନାରୁ ଭରଣା କରାଯିବ ବୋଲି ନିର୍ଦ୍ଦେଶନାମା ପ୍ରକାଶ ପାଇଛି । ସମସ୍ତ ଛାତ୍ରଛାତ୍ରୀ ମାନଙ୍କ ପାଇଁ ନୀଳ ପ୍ୟାଣ୍ଟ ଓ ଧଳା ସାର୍ଟ ଲାଗୁ କରାଯାଇଛି । ପ୍ରଥମରୁ ପଞ୍ଚମ ଛାତ୍ରୀମାନଙ୍କୁ ନୀଳ ଫ୍ରକ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ଛାତ୍ରୀମାନଙ୍କୁ ନୀଳ କମିଜ ଓ ଧଳା ସାଲୱାର ଦିଆଯିବ ବୋଲି ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଅସହ୍ୟ ତାତି, ୪ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍

ଭୁବନେଶ୍ୱର: ରାଜ୍ୟରେ ପ୍ରବଳ ଖରା । ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ ତାତି ସହ ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ୪ ସହରର ତାପମାତ୍ରା ୪୦ ପାର୍ । ଦିନ ୨ ଟା ୩୦ ସୁଦ୍ଧା ୪୪.୨ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ ସହର । ଝାରସୁଗୁଡାରେ ୪୩.୪ ଡ଼ିଗ୍ରୀ, ହୀରାକୁଦରେ ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱରରେ ୪୧.୪ ଡ଼ିଗ୍ରୀ ତାପମାତ୍ରା ରେକର୍ଡ । କେନ୍ଦୁଝରରେ ୩୬.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ଗୋପାଳପୁରରେ ୩୫.୪ ଡ଼ିଗ୍ରୀ, ପୁରୀରେ ୩୪.୬ ଡ଼ିଗ୍ରୀ, ପାରାଦୀପରେ ୩୨.୮ ଡ଼ିଗ୍ରୀ, ବାଲେଶ୍ୱରରେ ୩୨.୬ ଡ଼ିଗ୍ରୀ ଓ ଚାନ୍ଦବାଲିରେ ୨୬.୮ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଦିନରେ ତାତି ସହିତ ଅପରାହ୍ନରେ ତାଣ୍ଡବ ରଚୁଛି କାଳବୈଶାଖୀ । ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ । ଆଜି ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୧୪ ଜିଲ୍ଲାକୁ କାଳବୈଶାଖୀ ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ଆସନ୍ତାକାଲି ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବ କାଳବୈଶାଖୀ । ଏଥିପାଇଁ ୯ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୪ତାରିଖରେ ୧୩ ଜିଲ୍ଲାକୁ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସତର୍କତା ଜାରି କରାଯାଇଛି । ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ରହିବ ।

କାହିଁକି ବ୍ରିଜଭୂଷଣଙ୍କୁ ଗିରଫ କରିନି ପୋଲିସ ? ଦୁଇ FIRରେ ବିଜେପି ବାହୁବଳୀ ନେତାଙ୍କ କଳା କାରନାମାର ଫୁଲ ଡିଟେଲ

ନୂଆଦିଲ୍ଲୀ: ଦୁଇ FIR, ୧୦ ଅଭିଯୋଗ । ବ୍ରିଜଭୂଷଣଙ୍କ ବିରୋଧରେ ଲାଗିଛି ସଂଗୀନ ଦଫା । ଧାରା ୩୫୪, ୩୫୪ ଏ, ୩୫୪ ଡି ଓ ପୋକସୋ ଆକ୍ଟରେ ମାମଲା ଦାଏର କରିଛି ପୋଲିସ । ଏତଲାରେ ୨୦୧୨ରୁ ୨୦୨୨ ମଧ୍ୟରେ ୧୦ଟି ଘଟଣାର ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଟୁର୍ଣ୍ଣାମେଣ୍ଟ ବେଳେ ଖେଳାଳିଙ୍କ ପ୍ରତି ଅଶ୍ଳୀଳ ଆଚରଣ, ଜବରଦସ୍ତି ମହିଳା ଖେଳାଳିଙ୍କୁ ଆଲିଙ୍ଗନ କରିବା, ମହିଳା କୁସ୍ତଯୋଦ୍ଧାଙ୍କୁ ବାହାନାରେ ଛୁଇଁବା ଆଦି ଅଭିଯୋଗ ଏତଲାରେ ଉଲ୍ଲେଖ ରହିଛି ।

ଫଟୋ ଉଠାଇବା ବାହାନାରେ ଛୁଇଁବା ଓ ବ୍ରିଜଭୂଷଣ ତାଙ୍କ ପିଛା କରୁଥିଲେ ବୋଲି ପୀଡ଼ିତା ନାବାଳିକାଙ୍କ ଏତଲାରେ ଉଲ୍ଲେଖ କରିଛନ୍ତି । ବିଜେପିର ବାହୁବଳି ନେତା ତଥା ରେସଲର ସଂଘ ସଭାପତିଙ୍କ ବିରୋଧରେ କୁସ୍ତିଯୋଦ୍ଧା ଆଣିଥିବା ଅଭିଯୋଗ ଆଧାରରେ ସଂଗୀନ ଦଫା ଲାଗିଥିଲେ ବି ଏଯାଏଁ ବ୍ରିଜଭୂଷଣଙ୍କୁ ଗିରଫ କରିନି ପୋଲିସ ।

କମିଶନରେଟ୍ ପୋଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍, ସପିଂ ମଲଗୁଡ଼ିକରୁ କରୁଥିଲେ ଲୁଟ୍

ଭୁବନେଶ୍ୱର: କମିଶନରେଟ ପୋଲିସ ହାତରେ ବଙ୍ଗୀୟ ମହିଳା ଲୁଟେରା ଗ୍ୟାଙ୍ଗ୍ । ୯ ଜଣ ମହିଳାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଏହି ମହିଳାମାନେ ସପିଂ ମଲଗୁଡ଼ିକରୁ ଲୁଟ୍ କରୁଥିଲେ । ଗ୍ରାହକ ବେଶରେ ଯାଇ ଜିନିଷ ଚୋରି କରୁଥିଲେ । ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜବତ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଏସିପି ଜୋନ-୫ ସଞ୍ଜୀବ ଶତପଥୀ । ଗତ ମେ’ ୩୧ ତାରିଖରେ ଓ ଗତକାଲି ରିଲାଏନ୍ସ ମଲରୁ ଲକ୍ଷାଧିକ ଟଙ୍କାର ଚୋରି ହୋଇଥିଲା । ଏହି ଚୋରି ମୂଳରେ କିଛି ମହିଳାଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଥିଲା ।

ଗତକାଲି କାଲି ସନ୍ଧ୍ୟାରେ ମହିଳାମାନେ ଆସି ପୁଣି ଚୋରି କରୁଥିବା ବେଳେ ମାଡ଼ି ବସିଥିଲା ପୋଲିସ । ଗ୍ୟାଙ୍ଗର ୯ ମହିଳାଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଫେରାର ହୋଇଯାଇଛନ୍ତି । ସେମାନେ ନିଆରା ଢଙ୍ଗରେ ଚୋରି କରୁଥିଲେ । ଅଭିଯୁକ୍ତଙ୍କଠାରୁ ଲକ୍ଷାଧିକ ଟଙ୍କାର କସମେଟିକ୍ସ ଜିନିଷ ଜବତ କରାଯାଇଛି । ସେମାନେ ଭୁବନେଶ୍ୱରରେ ଏକ ହୋଟେଲରେ ରହି ଚୋରି କରୁଥିଲେ । ଅନ୍ୟ ମଲଗୁଡ଼ିକରୁ ମଧ୍ୟ ସେମାନେ ଚୋରି କରିଥିବା ଅନୁମାନ କରୁଛି ପୋଲିସ । ସେମାନଙ୍କର ଏକ ବଡ଼ ରାକେଟ ଥିବା ସନ୍ଦେହ କରାଯାଉଛି । ସେମାନେ ଦେଶର ବିଭିନ୍ନ ସହର ବୁଲି ଚୋରି କରିଥାନ୍ତି । ଲୁଟେରାମାନେ ପଶ୍ଚିମବଙ୍ଗ ହରିପୁରର ଏବଂ ନିଜ ଗାଁରେ ଚୋରି ଜିନିଷ ବିକ୍ରି କରିଥାନ୍ତି ବୋଲି କହିଛି ପୋଲିସ ।

ସୈତାନ ସାଜୁଛନ୍ତି ସୁରକ୍ଷାକର୍ମୀ, ମର୍ଚୁଆରୀରେ ମହିଳା ଓ ଯୁବତୀଙ୍କ ଶବ ସହ ଯୌନ ଅପରାଧ ମାମଲା

ବେଙ୍ଗାଲୁରୁ: ଶବ ସହ ଦୁଷ୍କର୍ମ । ସୈତାନ ସାଜୁଛନ୍ତି ଶବ ଗୃହର ସୁରକ୍ଷାକର୍ମୀ । ଯୁବତୀ ଓ ମହିଳାଙ୍କ ଶବକୁ ଦୁଷ୍କର୍ମ ଘଟଣା ବଢ଼ୁଥିବା ବେଳେ ଏହି ଅପରାଧ ରୋକିବାକୁ କର୍ଣ୍ଣାଟକ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନାର ଶବାଗାରରେ ସିସିଟିଭି କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ସରକାରଙ୍କୁ ୬ ମାସ ସମୟ ଦିଆଯାଇଛି । ହତ୍ୟା ଏବଂ ନେକ୍ରୋଫିଲିଆ ବା ଶବକୁ ଦୁଷ୍କର୍ମ ମାମଲାର ଶୁଣାଣି ବେଳେ  ହାଇକୋର୍ଟ ଡିଭିଜନ ବେଞ୍ଚ କହିଛନ୍ତି, ଶବାଗାରରେ ରହୁଥିବା ଯୁବତୀଙ୍କ ମୃତଦେହ ସହ ସୁରକ୍ଷାକର୍ମୀ ଯୌନସମ୍ପର୍କ ରଖିବା ଭଳି ଅନେକ ଘଟଣା ସାମ୍ନାକୁ ଆସୁଛି । ମହିଳା ଓ ଯୁବତୀଙ୍କ ଶବର ସମ୍ମାନ ରକ୍ଷା ପାଇଁ ଆଗକୁ ଯେମିତି ଏଭଳି ଅପରାଧ ନଘଟେ ସେ ଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ ।

ଶବ ସହ ଦୁଷ୍କର୍ମ ଭଳି ଘୃଣ୍ୟ ଅପରାଧ ମାମଲାରେ ଦୋଷୀକୁ ଦଣ୍ଡବିଧାନ ପାଇଁ ଭାରତରେ କୌଣସି ଆଇନ ନାହିଁ । କେନ୍ଦ୍ର ସରକାର ଏଭଳି ଜଘନ୍ୟ ଅପରାଧ ପାଇଁ ନୂତନ ଆଇନ ଆଣିବାକୁ ପରାମର୍ଶ ଦେଇଛନ୍ତି ଜଷ୍ଟିସ ବି ଭେରାପ୍ପା ଏବଂ ଜଷ୍ଟିସ ଭେଙ୍କଟେଶ ନାୟକଙ୍କ ହାଇକୋର୍ଟ ଡିଭିଜନ ବେଞ୍ଚ ।

ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧା ଉଡ଼ିବ ବିମାନ, ସିଙ୍ଗାପୁର ଯିବେ ୧୧ ଜଣ SHG ମହିଳା

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ସିଧାସଳଖ ଉଡ଼ିବ ବିମାନ । ସକାଳ ୬ଟା ୨୫ରେ ସିଙ୍ଗାପୁରକୁ ଓ ଅପରାହ୍ନ ୪ଟା ୫୦ରେ ବ୍ୟାଙ୍କକକୁ ଉଡ଼ିବ ବିମାନ । ଉଭୟ ରୁଟରେ ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ବିମାନ ସେବା ଯୋଗାଇ ଦିଆଯିବ । ଏନେଇ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ପ୍ରଥମ ଉଡ଼ାଣରେ ଅନେକ ଅତିଥି ଥିବାବେଳେ ସାମିଲ ହୋଇଛନ୍ତି ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ମେୟର ।

ପ୍ରଥମ ପର୍ଯ୍ୟାୟରେ ସପ୍ତାହରେ ଦୁଇଦିନ ଏହି ସେବା ଉପଲବ୍ଧ ହେବ । ଗତ ୧୫ ତାରିଖରେ ଭୁବନେଶ୍ୱରରୁ ଦୁବାଇକୁ ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ରାଜ୍ୟ ସରକାରଙ୍କ ଉଦ୍ୟମରେ ସିଧାସଳଖ ବିମାନ ଉଡ଼ାଣ ଆରମ୍ଭ ହୋଇଥିଲା । ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ କୋଭିଡ୍‌ ପୂର୍ବରୁ କ୍ୱାଲାଲମପୁରକୁ ବିମାନ ସେବା ଥିବା ବେଳେ କୋଭିଡ୍‌ କଟକଣା ଯୋଗୁ ବନ୍ଦ ହୋଇଥିଲା ।

 

ଏକ ବର୍ଷ ବଢ଼ିଲା ବିଶାଖାପାଟଣା ’ରୋଗୀ ସହାୟତା କେନ୍ଦ୍ର’ ଅବଧି

ଭୁବନେଶ୍ୱର: ବିଶାଖାପାଟଣାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଖୋଲା ଯାଇଥିବା ‘ରୋଗୀ ସହାୟତା କେନ୍ଦ୍ର’ ଅବଧିକୁ ଆଉ ବର୍ଷେ ବା ୨୦୨୩-୨୪ ପର୍ଯ୍ୟନ୍ତ ବଢାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ମାଲକାନଗିରିରୁ ବିଶାଖାପାଟଣାକୁ ଯାଉଥିବା ଗରିବ, ଆଦିବାସୀଙ୍କ ଚିକିତ୍ସା କ୍ଷେତ୍ରରେ ସୁବିଧା ଜାରି ରହିବ । ବିଶାଖାପାଟଣାରେ ରାଜ୍ୟ ସରକାର ୨୦୧୬ ମସିହାରୁ ଏକ ’ରୋଗୀ ସହାୟତା କେନ୍ଦ୍ର’ ସ୍ଥାପନ କରିଛନ୍ତି ।

ବିଶାଖାପାଟଣା ମାଲକାନଗିରି ଜିଲ୍ଲାର ଅତି ନିକଟରେ ଥିବାରୁ ଏବଂ ସେଠାରେ ଉଚ୍ଚକୋଟୀର ଚିକିତ୍ସା ସୁବିଧା ମିଳୁଥିବାରୁ ଜିଲ୍ଲାରୁ ଅଧିକାଂଶ ରୋଗୀ ଚିକିତ୍ସା ପାଇଁ ସେଠାକୁ ଯାଇଥାନ୍ତି । ରୋଗୀ ସହାୟତା କେନ୍ଦ୍ରରେ ସେମାନଙ୍କୁ ବିନା ମୂଲ୍ୟରେ ରହିବା ଓ ଖାଇବାର ସୁବିଧା ମିଳିପାରୁଛି । ୨୦୧୬ ରୁ ୨୦୨୨ ମଧ୍ୟରେ ରାଜ୍ୟ ସରକାର ଏହି ସହାୟତା କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୫୫ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । ୨୦୧୬ରେ ୨୫ ଲକ୍ଷ ଟଙ୍କା ଏବଂ ୨୦୨୦, ୨୦୨୧ ଓ ୨୦୨୨ରେ ୧୦ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି ।

କାଳବୈଶାଖୀ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରି: ମାଲକାନଗିରିରେ କାଳବୈଶାଖୀ ଯୋଗୁଁ ୪ ଜଣଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ । ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଚାରି ଜଣଙ୍କ ମୃତ୍ୟୁ ହୋଇଛି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ସହାୟତା ପ୍ରଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତକାଲି କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗାବୁଡି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା ।

ସେହିପରି ଏୟାରଷ୍ଟ୍ରିପର ପାଚେରୀ ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ଏହାସହ ଆହତଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହିତ ସେମାନଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି । ମୃତ ଛାତ୍ରୀଙ୍କ ପରିବାରବର୍ଗଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିଛନ୍ତି ।

ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ

ବାସୁଦେବପୁର: ବିଷାକ୍ତ ଫଳ ଖାଇ ୫ ଛାତ୍ର ଅସୁସ୍ଥ । କଳାରଙ୍ଗର ଫଳ ଖାଇ ଅସୁସ୍ଥ ହୋଇ ପଡ଼ିବାରୁ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ୫ କୁନି କୁନି ପିଲା । ଚୂଡାମଣୀ ମଳିକ ସାହିର ଟୁକୁନା ମଳିକ, ସନ୍ତୋଷ ମଳିକ, ଦୀପଙ୍କର ମଳିକ, ଦେବାନନ୍ଦ ମଳିକ ଟ୍ୟୁସନ ଯାଉଥିବା ବାଟରେ ରାସ୍ତା ପାଖ ଗଛରେ କଳାରଙ୍ଗର ଫଳ ଖାଇଥିଲେ । କିଛି ସମୟ ପରେ ବାନ୍ତି ହୋଇ ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କର ଚିକିତ୍ସା ପାଇଁ ବାସୁଦେବପୁର ଡାକ୍ତରଖାନାର ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଛାଡି ଦିଆଯାଇଛି । ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି ।

ପୁଣି ଆମେରିକାରୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ, କହିଲେ ଭାରତରେ ବିଭିନ୍ନ ପ୍ରତିଷ୍ଠାନର ସ୍ବାଧୀନତାକୁ କରାଯାଉଛି କ୍ଷୁର୍ଣ୍ଣ

ଓ୍ୱାଶିଂଟନ: ଭାରତରେ ବିଭିନ୍ନ ପ୍ରତିଷ୍ଠାନଗୁଡ଼ିକର ସ୍ବାଧୀନତାକୁ କ୍ଷୁର୍ଣ୍ଣ କରାଯାଇଛି । ଏହାକୁ ନେଇ ବିଭିନ୍ନ ସଂସ୍କୃତି ଓ ସାମାଜିକ ସଂଗଠନ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଓ୍ବାଶିଂଟନରେ ନ୍ୟାସନାଲ ପ୍ରେସ୍ କ୍ଲବରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ କହିଛନ୍ତି- ଭାରତରେ ପ୍ରତିଷ୍ଠାନଭିତ୍ତିକ ଫ୍ରେମଓ୍ବାର୍କ ଉପରେ କଟକଣା ଲାଗୁ କରାଯାଉଛି । ଏକ ଗଣତାନ୍ତ୍ରିକ ସମାଜରେ ପ୍ରେସ୍ ସ୍ବାଧୀନତା ଜରୁରୀ । ଭାରତ ଯୋଡ଼ ଯାତ୍ରାବେଳେ ସେ ଏନେଇ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷ ଥିବା ଜାଣିବାକୁ ପାଇଥିଲେ ।

ସେ କହିଛନ୍ତି କନ୍ୟାକୁମାରୀରୁ କାଶ୍ମୀର ଯାତ୍ରା ବେଳେ ସେ ସିଧାସଳଖ ଲକ୍ଷ ଲକ୍ଷ ଭାରତୀୟଙ୍କ ସହ ଆଲୋଚନା କରିଥିଲେ । ଦେଶରେ କ୍ରମବର୍ଦ୍ଧିତ ବେକାରୀ, ମୁଦ୍ରାସ୍ଫୀତି ଆଦି ପ୍ରସଙ୍ଗରେ ଲୋକଙ୍କ ମଧ୍ୟରେ ଥିବା କ୍ଷୋଭ ଏହି ଯାତ୍ରାରେ ପ୍ରତିଫଳିତ ହୋଇଥିଲା । ବିଜେପି ଉପରେ ବିଷୋଦଗାର କରି ରାହୁଲ କହିଛନ୍ତି- ଭାରତରେ ଏକ ଧ୍ରୁବୀକରଣ ଦୃଷ୍ଟିଭଙ୍ଗୀ ପ୍ରୟୋଗ କରି ବିଜେପି ଦେଶକୁ କଳୁଷିତ କରୁଛି । ଭାରତରେ ବର୍ତ୍ତମାନ ବିରୋଧୀ ଦଳମାନେ ଏକାଠି ହେବାରେ ଲାଗିଛନ୍ତି ଏବଂ କଥାବାର୍ତ୍ତା ଜାରି ରହିଛି । ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ବ୍ୟାପକ ସଫଳତା ଲାଭ କରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ରାହୁଲ ।