spot_img
Home Blog Page 3155

ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ, ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା କମିଲେ ବି ଗୁଳୁଗୁଳି ଅନୁଭୂତ ହେବ । ହାଲୁକାରୁ ମଧ୍ୟମ ଧରଣର ବର୍ଷା ମଧ୍ୟ ହେବ। ଓଡ଼ିଶାରେ ପାଣିପାଗରେ ସେମିତି କିଛି ନିର୍ଦିଷ୍ଟ ପ୍ରଭାବ ନାହିଁ । ଜଳୀୟବାଷ୍ପ ଯଥେଷ୍ଟ ଅଧିକ ରହିଛି, ଯାହା ଫଳରେ ଆଦ୍ରତା ଅଧିକ ରହିଛି । ଭୁବନେଶ୍ୱର ୮୮ ପ୍ରତିଶତ ଆଦ୍ରତା ଆଜି ସକାଳ ୮ଟା ୩୦ ସୁଦ୍ଧା ରେକର୍ଡ କରାଯାଇଛି । ଆସନ୍ତା ୨ ଓ ୩ ତାରିଖ ବେଳକୁ ଦକ୍ଷିଣ ଓ ଉପକୂଳବର୍ତୀ ଓଡ଼ିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ସହ, ବର୍ଷାର ପରିମାଣ ବଢିବ। ବାଦଲ ଆକାଶରେ ଛାଇ ହୋଇ ରହିବ ।

ଗତ ୨୪ଘଣ୍ଟାର ରିପୋର୍ଟ ଅନୁସାରେ ୨୮ ଜୁନ ସୁଦ୍ଧା ରାଜ୍ୟରେ ୧୫୬.୧ ମିମି ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ବର୍ଷା ୧୯୨.୩ ମିମି ତୁଳନାରେ ୧୯ ପ୍ରତିଶତ କମ ଅଛି । ଯାହାକି ସ୍ୱାଭାବିକ ପରିସର ଭୁକ୍ତ। ସର୍ବାଧିକ ଦେବଗଡ଼ରେ ୩୦୭. ୬ ମିମି, ବର୍ଷା ରେକର୍ଡ ହୋଇଛି, ଯାହା ୮୬ପ୍ରତିଶତ ଅଧିକ ରହିଛି । ଝାରସୁଗୁଡା, ଢେଙ୍କାନାଳ, ବରଗଡ଼ ଏସବୁ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି। ମୌସୁମୀ ବିଳମ୍ବରେ ଆସିଥିଲେ ବି ଆଗାମୀ ଦିନର ବର୍ଷା ସ୍ବଭାବିକ ରହିବ। ଗତ ବର୍ଷ ଜୁନ ମାସ ତୁଳନାରେ ଏବର୍ଷ ଅଧିକ ବର୍ଷା ହୋଇଛି ।

ଗତ ବର୍ଷ ୧୩୬.୧ ମିମି ବର୍ଷା ରେକର୍ଡ ହୋଇଥିଲା, ଏଥର ବର୍ତ୍ତମାନ ସୁଧା ୧୫୬.୧ ମିମି ହୋଇଛି। ଚାଷ ପାଇଁ ଯାହା ଅନୁକୂଳ ହୋଇଛି । ପୁରୀରେ ଆଗାମୀ ୨ଦିନ ପର୍ଯ୍ୟନ୍ତ ଗୁଳୁଗୁଳି ରହିବ। ଅଳ୍ପ ତାତି ବଢିଲେ ବି ବର୍ଷା ମଧ୍ୟ ରହିବ । ମୌସୁମୀ ୨୨ତାରିଖକୁ ରାଜ୍ୟରେ ଅଗ୍ରଗତି କରିଥିଲା । ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିଲା। ପଶ୍ଚିମ ଦିଗରେ ଏହା ଅଗ୍ରଗତି ହୋଇଛି । ନିମ୍ନଚାପ ରେଖା ଉତ୍ତର ଆଡ଼କୁ ଅଗ୍ରସର ହୋଇଛି । ତେବେ ଓଡ଼ିଶା ଠାରୁ ଯଥେଷ୍ଟ ଦୂରରେ ଅଛି ।

ହିଂସାଗ୍ରସ୍ତ ମଣିପୁର ଗସ୍ତବେଳେ ରାହୁଲଙ୍କ ଗାଡ଼ିକୁ ଅଟକାଇଲା ପୋଲିସ, ଏବେ ହେଲିକପ୍ଟରରେ ଚୁରାଚାନ୍ଦପୁର ଯାଇ ପୀଡିତଙ୍କୁ ଭେଟିବେ

ଇମ୍ଫାଲ: କଂଗ୍ରେସ ନେତା ରାହୁ ଗାନ୍ଧି ଆଜି ହିଂସାଗ୍ରସ୍ତ ମଣିପୁର ଗସ୍ତ କରିଛନ୍ତି । ସେ ପୀଡିତଙ୍କୁ ଭେଟିବା ପାଇଁ ଚୁରାଚାନ୍ଦପୁର ରିଲିଫ କ୍ୟାମ୍ପ ଯିବାକୁ ଚାହୁଁଥିଲେ, କିନ୍ତୁ ପୋଲିସ ପ୍ରାୟ ୩୪ କିଲୋମିଟର ପୂର୍ବରୁ ବିଷ୍ଣୁପୁରରେ ତାଙ୍କୁ ଅଟକାଇ ଦେଇଥିଲା । ପୋଲିସ ଏହା କହି ଅଟକାଇଥିଲା ଯେ ରାସ୍ତାରେ ହିଂସା ହୋଇପାରେ । ଏହାପରେ ସେ ଇମ୍ଫାଲ ଫେରିଯାଇଥିଲେ । ଏବେ ହେଲିକପ୍ଟର ଜରିଆରେ ଚୁରାଚାନ୍ଦପୁର ଯିବେ । ପୋଲିସ ଅଧିକାରୀ କହିଛନ୍ତି ଯେ ବିଷ୍ଣୁପୁର ଜିଲ୍ଲାରେ ଜାତୀୟ ରାଜପଥରେ ଟାୟାର ଜଳାଯାଇଥିଲା ଏବଂ କନଭୟେ ଉପରେ ପଥର ଫୋପଡ଼ାଯାଇଥିଲା ।

ଏଥିପାଇଁ ସୁରକ୍ଷା ଦୃଷ୍ଟିରୁ ରାହୁଲଙ୍କ ଗାଡ଼ିକୁ ବିଷ୍ଣୁପୁରରେ ଅଟକାଯାଇଥିଲା । ରାହୁଲଙ୍କ ଗାଡ଼ି ଅଟକାଯିବା ପରେ ଏଠାରେ ଏକ ଗୋଷ୍ଠୀ ତାଙ୍କ ସମର୍ଥନରେ ଯେତେବେଳେ କି ଅନ୍ୟ ଗୋଷ୍ଠୀ ତାଙ୍କ ବିରୋଧରେ ବିକ୍ଷୋଭ କରୁଛନ୍ତି । ସେମାନଙ୍କୁ କାବୁ କରିବା ପାଇଁ ପୋଲିସକୁ ଲୁହବୁହା ଗ୍ୟାସ୍ ମାଡ଼ କରିବାକୁ ପଡ଼ିଛି । ଏହାରି ମଧ୍ୟରେ ସେନା କହିଛି ଯେ ଦଙ୍ଗାକାରୀମାନେ ଅସ୍ତ୍ରଶସ୍ତ୍ର ଧରି କାଙ୍ଗପୋକପି ଜିଲ୍ଲାରେ ଗୁଳିମାଡ଼ କରିଛନ୍ତି । ରାହୁଲ ଗାନ୍ଧି ଆଜି ଗସ୍ତ କାଳରେ ମଣିପୁର ରିଲିଫ କ୍ୟାମ୍ପ ଯିବା ସହ ସିଭିଲ ସୋସାଇଟିର ନେତାମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ସେ ୩୦ ଜୁନ ସୁଦ୍ଧା ମଣିପୁରରେ ରହିବେ । ପ୍ରକାଶଥାଉକି, ମଣିପୁରରେ ୩ ମଇରୁ କୁକୀ ଏବଂ ମେଇତି ଗୋଷ୍ଠୀ ମଧ୍ୟରେ ହିଂସା ଜାରି ରହିଛି । ହିଁସାରେ ଏପର୍ଯନ୍ତ ସୁଦ୍ଧା ୧୩୧ ଜଣଙ୍କ ମୃତ୍ୟୁ ହୋଇ ସାରିଛି । ସେହିପରି ୪୧୯ ଜଣ ଆହତ ହୋଇଛନ୍ତି । ୬୫ ହଜାରରୁ ଅଧିକ ଲୋକ ନିଜ ଘର ଛାଡ଼ିଛନ୍ତି । ୫ ହଜାରରୁ ଅଧିକ ପୋଡ଼ାଜଳା ଘଟଣା ହୋଇଛି । ୬ହଜାର ମାମଲା ରୁଜୁ ହୋଇଛି ଏବଂ ୧୪୪ ଜଣଙ୍କୁ ଗିରଫ କରାଯାଇଛି ।

ସରିଲା ଶ୍ରୀମନ୍ଦିର ସିଂହଦ୍ବାରର ରୂପା ଛାଉଣୀ କାର୍ଯ୍ୟ

ପୁରୀ: ସୁନ୍ଦର ଦିଶୁଛି ଶ୍ରୀମନ୍ଦିର, ଆକର୍ଷଣୀୟ ସିଂହଦ୍ବାର । ଶ୍ରୀମନ୍ଦିର ସିଂହଦ୍ବାରର ରୂପା ଛାଉଣୀ ସରିଛି । ପୂର୍ବ ନିଷ୍ପତ୍ତି ଅନୁସାରେ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ସମୟରେ ସିଂହଦ୍ବାର ରୂପାଛାଉଣୀ କରାଯାଇଛି । ମୁମ୍ବାଇରୁ ଆସିଥିବା ୫୦୦ କେଜି ଓଜନର ଦୁଇଟି ଷ୍ଟିଲ୍ ଫ୍ରେମରେ ଦାତା ଦେଇଥିବା ରୂପାରେ ନିର୍ମିତ ଚାଦରକୁ କବାଟରେ ଲଗାଯାଉଛି । ଗତକାଲି ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିଛନ୍ତି । ଆଉ ଦିନକ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବେ ଶ୍ରୀଜିଉ । ରୂପା ଛାଉଣୀ ପରେ ଅତି ସୁନ୍ଦର ଦିଶୁଛି ରୂପା ସିଂହଦ୍ବାର । ପୂର୍ବରୁ ଶ୍ରୀମନ୍ଦିର ଭିତରେ ୮ଟି ଦ୍ବାରର ରୂପା ଛାଉଣୀ ହୋଇଛି ।

 

ସାରାଦେଶରେ ସକ୍ରିୟ ମୌସୁମୀ, ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା ପରେ ଜଳବନ୍ଦୀ

ନୂଆଦିଲ୍ଳୀ: ସାରାଦେଶରେ ମୌସୁମୀ ବର୍ଷା । ଉତ୍ତର ଭାରତର ଅଧିକାଂଶ ରାଜ୍ୟରେ ଲଗାଣ ବର୍ଷା ପରେ ବନ୍ୟା ସ୍ଥିତି । ଗତକାଲି ରାତିରୁ ଦିଲ୍ଲୀ ଏନସିଆରରେ ଅବିଶ୍ରାନ୍ତ ବର୍ଷା ଯୋଗୁ ଓ୍ବାଟରଲଗିଂ ସମସ୍ୟା ଦେଖାଯାଇଛି । ରାଜଧାନୀରେ ୫ ଦିନ ଆଗୁଆ ମୌସୁମୀ ପହଞ୍ଚିଥିବା ବେଳେ ନୋଏଡା, ଗାଜିଆବାଦ, ହରିଆଣାରେ ପ୍ରବଳ ବର୍ଷା ଜନଜବୀନକୁ ଅସ୍ତବ୍ୟସ୍ତ କରିଛି । ରାସ୍ତା ଉପରେ ବର୍ଷା ପାଣି ଜମି ରହିଥିବାରୁ ଟ୍ରାଫିକ ସମସ୍ୟା ମଧ୍ୟ ଦେଖାଯାଇଛି । ଅନ୍ୟ ରାଜ୍ୟରେ ବି ଲଗାଣ ବର୍ଷା ଯୋଗୁ ବନ୍ୟା ସ୍ଥିତି ଅତି ଗମ୍ଭୀର ହୋଇଛି । ମହାରାଷ୍ଟ୍ରରେ ବର୍ଷା, ଓ୍ବାଟରଲଗିଂ ଯୋଗୁ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ପରେ ଗଛ ଉପୁଡ଼ି ପଡ଼ିବା ଯୋଗୁ ମଲାଡର ୩୮ବର୍ଷୀୟ କୁଶାଲଙ୍କର ମୃତ୍ୟୁ ହୋଇଥିବା ବେଳେ ପାଲଗଡ, ଥାନେ ଆଦି ମଧ୍ୟ ଅନେକ ଗଛ ଉପୁଡ଼ି ପଡ଼ିଥିବା ଜଣାପଡ଼ିଛି ।

ଆସନ୍ତା ୪ରୁ ୫ ଦିନ ଯାଏଁ ମହାରାଷ୍ଟ୍ରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା ରହିଥିବା ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସେପଟେ ପାହାଡ଼ି ରାଜ୍ୟ ହିମାଚଳ ପ୍ରଦେଶରେ ବି ବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷା ଓ ଭୂସ୍ଖଳନ ଯୋଗୁ ଶତାଧିକ ରାସ୍ତା ବନ୍ଦ ହୋଇଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ହିମାଚଳରେ ବର୍ଷାଜନିତ ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି । ଉତ୍ତରାଖଣ୍ଡ ଚମୋଲିରେ ଲ୍ୟାଣ୍ଡ ସ୍ଲାଇଡ୍ ଯୋଗୁ ବଦ୍ରିନାଥ ହାଇଓ୍ବେ ବନ୍ଦ ହୋଇଯାଇଛି । ସେହିପରି ଦକ୍ଷିଣ-ପୂର୍ବ ମୌସୁମୀ ବାୟୁ ଗୁଜରାଟର ସବୁ ଜିଲ୍ଲାରେ ପହଞ୍ଚିଥିବା ବେଳେ ଦକ୍ଷିଣ ଗୁଜରାଟର ଏକାଧିକ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ସେପଟେ କର୍ଣ୍ଣାଟକ, ଗୋଆ, ମଧ୍ୟପ୍ରଦେଶ ଆଦି ରାଜ୍ୟରେ ବି ଜାରି ରହିଛି ମୌସୁମୀ ଜନିତ ବର୍ଷା ।

ପିଜା ରେଷ୍ଟୁରାଣ୍ଟରେ ମିସାଇଲ ଆକ୍ରମଣ, ୩ ନାବାଳକଙ୍କ ସମେତ ୧୧ ମୃତ

କିଭ୍: ପିଜା ରେଷ୍ଟୁରାଣ୍ଟରେ ମିସାଇଲ ଆକ୍ରମଣ । ୩ ନାବାଳକଙ୍କ ସମେତ ୧୧ ମୃତ । ଇଷ୍ଟର୍ଣ୍ଣ ୟୁକ୍ରେନ ସହର କ୍ରାମାଟୋସ୍କରେ ଋଷର ମିସାଇଲ ଆକ୍ରମଣରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଗୁରୁତର ହୋଇଛନ୍ତି । ଋଷରେ ଓ୍ବାଗନରର ବିଦ୍ରୋହ ଥମିବା ପରେ ପୁଣି ଥରେ ୟୁକ୍ରେନ ଉପରେ ଆଟାକ ଜୋରଦାର କରିଛି ଋଷ । ଇଷ୍ଟର୍ଣ୍ଣ ୟୁକ୍ରେନର ଅଧିକାଂଶ ସହରରେ ଏୟାର ଷ୍ଟ୍ରାଇକ ଜାରି ରହିଥିବା ବେଳେ ରେଷ୍ଟୁରାଣ୍ଟରେ ଅଚାନକ ଆକ୍ରମଣ ଯୋଗୁ ୧୧ ଜଣ ସାଧାରଣ ଲୋକଙ୍କର ମୃତ୍ୟୁ ହୋଇଛି । ରେଷ୍ଟୁରାଣ୍ଟ ଉପରେ ଆକ୍ରମଣ ପାଇଁ ଋଷ ସୈନ୍ୟଙ୍କୁ ସହଯୋଗ କରିଥିବା ସନ୍ଦେହରେ ଜଣଙ୍କୁ ଗିରଫ କରାଯାଇଛି । ୧୬ ମାସରୁ ଅଧିକ ସମୟ ଧରି ଜାରି ରହିଛି ଋଷ-ୟୁକ୍ରେନ ଯୁଦ୍ଧ । ଦୁଇ ଦେଶର ଲକ୍ଷାଧିକ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ଧ୍ବସ୍ତ ହୋଇଯାଇଛି ୟୁକ୍ରେନ ।

’ମୁଖ୍ୟମନ୍ତ୍ରୀ ଆମ ଦଳ ଓ ସରକାରର ମୁଖ୍ୟ’: ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ୱର: କେନ୍ଦ୍ରର ଚିଠି ଏକ ସ୍ବାଭାବିକ ପ୍ରକ୍ରିୟା । କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ଏକାଧିକ ଥର ଏମିତି ହୋଇଛି । ଏହା ଶାସନ ବ୍ୟବସ୍ଥାର ଏକ ପ୍ରକ୍ରିୟା । ସେମିତି କିଛି ଗୁରୁତ୍ୱପୂର୍ଣ୍ଣ କଥା ନୁହେଁ ବୋଲି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶବିଶେଷ । ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି, ମୁଁ ବୁଝି ପାରୁନି କେଉଁଟା ଉଲ୍ଲଂଘନ ହେଲା ? ମୁଖ୍ୟମନ୍ତ୍ରୀ ତାଙ୍କ ବାସଭବନକୁ ବି ଅଭିଯୋଗ ପ୍ରକୋଷ୍ଠରେ ପରିଣତ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲୋକଙ୍କ ନିକଟତର ହେଉଛି, ତେବେ ଅସୁବିଧା କ’ଣ ? ସରକାର ଯଦି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି, ଏଥିରେ ଅସ୍ବାଭାବିକତା ବା ଅଗଣତାନ୍ତ୍ରିକ କଥା କେଉଁଠି ରହିଲା ?

କିଛି ଲୋକ କହୁଛନ୍ତି ଯେ ପାୱାର ଡେଲିଗେଟ ହେଉଛି । ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ । ମୁଖ୍ୟମନ୍ତ୍ରୀ ଆମ ଦଳର ବି ମୁଖ୍ୟ । ଦଳର ସଭାପତି ଭାବେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକର୍ତ୍ତାଙ୍କୁ ଦାୟିତ୍ୱ ଦିଅନ୍ତି । କ୍ଷମତା ହସ୍ତାନ୍ତର କରନ୍ତିନି । ଦଳର ସମ୍ବିଧାନ ତାଙ୍କୁ ଯେଉଁ କ୍ଷମତା ଦେଇଛି, ତାକୁ ସେ ହସ୍ତାନ୍ତର କରନ୍ତିନି । ସେମିତି ମୁଖ୍ୟମନ୍ତ୍ରୀ ଶାସନର ବି ମୁଖ୍ୟ । ସେ ସରକାରର ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ବା କର୍ତ୍ତବ୍ୟ ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ । ଏଥିରେ ଅସ୍ବାଭାବିକତା ରହିଲା କେଉଁଠି ? ଯେଉଁମାନଙ୍କ ପାଖରେ ପ୍ରସଙ୍ଗ ନଥାଏ, ସେମାନେ ଏଭଳି କଥାକୁ ପ୍ରସଙ୍ଗ କରନ୍ତି । ବିକାଶ ପ୍ରକ୍ରିୟାରେ କେହି ବି ବାଧା ସୃଷ୍ଟି କରନ୍ତୁ ନାହିଁ । ଯଦି ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଲୋକଙ୍କ ପାଖରେ ପହଞ୍ଚୁଛି, ଲୋକ ଖୁସି ବୋଲି ବିଜେଡିର ବରିଷ୍ଠ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ।

ଆରପାରିରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତରେ ଜଗନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ । ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତୋର ପାସ୍ କରିବା ପରେ ସାମ୍ବାଦିକତାକୁ ପେଶା ରୂପେ ଗ୍ରହଣ କରିଥିଲେ । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ ଶ୍ରୀ ମହାପାତ୍ର । କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଥିଲେ । ଏହା ବ୍ୟତିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭ୍ରାମ୍ୟମାଣ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ । ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । ଗତବର୍ଷ ସ୍ବର୍ଗତ ପ୍ରଫେସର ସୁନୀଲ ବେହେରାଙ୍କ ଅଧିନରେ ଗବେଷଣା କରି ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ଜଣେ ମେଳାପୀ, ବନ୍ଧୁବତ୍ସଲ ଓ ପରୋପକାରୀ ବ୍ୟକ୍ତି ଭାବରେ ବେଶ୍ ଜଣାଶୁଣା ଥିଲେ ଡକ୍ଟର ମହାପାତ୍ର ।

ଡକ୍ଟର ଜଗନମୋହନ ମହାପାତ୍ର ନିଜ ଘର ଖଲିକୋଟ ନିକଟସ୍ଥ ବାଲୁଙ୍କେଶ୍ବରପୁର ଶାସନ । ସ୍ବର୍ଗତ ମହାପାତ୍ରଙ୍କ ପିତା ତାରାପ୍ରସାଦ ମହାପାତ୍ର ଗଞ୍ଜାମର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ । ବିଶିଷ୍ଟ ଜ୍ୟୋତିଷ ବିଷାରଦ ବାଇକୋଳି ମହାପାତ୍ରଙ୍କ ନାତି ଥିଲେ ଡକ୍ଟର ଜଗନମୋହନ ମହାପାତ୍ର । ତାଙ୍କର ୧୮ ବର୍ଷ ବୟସର କନ୍ୟା ଓ ପତ୍ନୀ ମୃତ୍ୟୁବେଳକୁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟର ସାମ୍ବାଦିକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଡକ୍ଟର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୁରଣୀୟ କ୍ଷତି ବୋଲି  କହିଛନ୍ତି । ସେହିଭଳି ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନୱାର, ଦୈନିକ ସକାଳର ସଂପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ୍, ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳ ବାରଣ

ପୁରୀ: ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ୍ । ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ସାମ୍ବାଦିକ ସମ୍ମିଳନୀ । ସୁନାବେଶ ପାଇଁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ । ଟ୍ରାଫିକ ମୋବିଲିଟି ପାଇଁ ଡ୍ରୋନ୍ ମୁତୟନ କରାଯିବ । ଡ୍ରୋନ୍ କ୍ୟାମେରା ଦ୍ବାରା ଟ୍ରାଫିକ ବ୍ୟବସ୍ଥା ପରିଚାଳିତ ହେବ। ମାଳତୀପାଟପୁରରୁ ଡାଇଭର୍ସନ କରାଯିବ । ଭୁବନେଶ୍ବର ପଟୁ ଆସୁଥିବା ଚାରିଚକିଆ ଗାଡ଼ି ସଂସ୍କୃତ ୟୁନିଭର୍ସିଟି ବା ଶ୍ରୀବିହାର ଛକ, ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲ୍ଲଭ, ମାଟିତୋଟା, ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଗାଡ଼ି ଯାତ୍ରିକା, ନାଲିପଡ଼ିଆ, କୋଣାର୍କ ପଟୁ ଆସୁଥିବା ଚାରିଚକିଆ ଗାଡ଼ି ତାଳବଣିଆ, ଦୁଇ ଚକିଆ ଗାଡ଼ି ବ୍ଲୁ ଫ୍ଲାଗ ବିଚରେ ପାର୍କିଂ କରିବ । ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୯ ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି।

ସୁନାବେଶରେ କେବଳ ଟ୍ରାଫିକ ଦାୟିତ୍ବରେ ୫୧ ପ୍ଲାଟୁନ ଫୋର୍ସ ରହିବେ । ଟ୍ରାଫିକ୍ ନିୟନ୍ତ୍ରଣରେ ପୋଲିସକୁ ସହାୟତା କରିବେ ସ୍ୱେଚ୍ଛାସେବୀ । ନିର୍ଦ୍ଧାରିତ ରୁଟରେ ଯାତାୟତ କରିବେ, ଯୁକ୍ତିତର୍କ କରିବେନି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୧୬ ସାହି ରାସ୍ତା ସିଲ୍ । ବଡ଼ଦାଣ୍ଡକୁ ନୋ ଭେଇକିଲ୍ ଜୋନ୍ ଘୋଷଣା ହୋଇଛି । ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳ ବାରଣ । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି । ଲୋକମାନେ ଯେମିତି ବେଶୀ ବାଟ ଚାଲିବେନି ତା’ ଉପରେ ନଜର ରହିଛି ବୋଲି କହିଛନ୍ତି ଅମିତାଭ ଠାକୁର ।

ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ ପରେ ସଭାସ୍ଥଳକୁ ଯାଇଥିଲେ । ପାଞ୍ଚ ହଜାରରୁ ଅଧିକ ଲୋକ 5T ସଚିବ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଲୋକ ଫୁଲ ଓ ହୁଳହୁଳି ପକାଇ ସ୍ବାଗତ କରିଥିଲେ । 5T ସଚିବ ସମସ୍ତଙ୍କ ପାଖକୁ ଯାଇ ଅଭିବାଦନ ଗ୍ରହଣ କରିଥିଲେ । ଲୋକଙ୍କଠୁ ମିଳିଥିବା ଅଭିଯୋଗର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ।

ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଉନ୍ନତି ନେଇ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି 5T ସଚିବ କହିଛନ୍ତି । ଚାଷୀ ଓ ଚାଷକୁ ସରକାର ଗୁରୁତ୍ବ ଦେଉଥିବାରୁ ସେ ସମସ୍ୟାର ସମାଧାନ ହେବ ବୋଲି ଭିକେ ପାଣ୍ଡିଆନ୍‌ କହିଛନ୍ତି । ବାଲିକୁଦା ଓ ଏରସମାର ଘରେ ଘରେ ସୁଦ୍ଧ ପିଇବା ପାଣି ପହଞ୍ଚିବା ପାଇଁ ୮୦୦ କୋଟି ଟଙ୍କା ବ୍ୟୟରେ ମେଗା ପାଇପ ଜଳ ପ୍ରକଳ୍ପ ହେଉଛି । ଯାହା ସେପ୍ଟେମ୍ବରରେ ସରିବ  ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍‌ ।

୮ ମହଲାରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ୮ ମହଲାରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା । ୬୩ ବର୍ଷୀୟା ପ୍ରତିମା ପଢିହାରୀଙ୍କ ମୃତ୍ୟୁ । ଭୁବନେଶ୍ବର ଡୁମୁଡୁମା ଫେଜ-୩ ସୁଦର୍ଶନ ଇନକ୍ଲେଭରେ ଅଘଟଣ । ଶରୀର ଅସୁସ୍ଥତା ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ବ୍ୟବଚ୍ଛେଦ ପାଇଁ ଏମ୍ସ ହସ୍ପିଟାଲରେ ମୃତଦେହ । ତେବେ ଖଣ୍ଡଗିରି ଥାନା ଏହି ଘଟଣାର ତଦନ୍ତ ଜାରି ରଖିଛି ।