spot_img
Home Blog Page 3156

ଆରପାରିରେ ବରିଷ୍ଠ ସାମ୍ବାଦିକ ଜଗନମୋହନ ମହାପାତ୍ର

ବ୍ରହ୍ମପୁର: ବରିଷ୍ଠ ସାମ୍ବାଦିକ ତଥା ଦୈନିକ ସକାଳର ଦକ୍ଷିଣ ଓଡ଼ିଶା ସଂସ୍କରଣ ମୁଖ୍ୟ ଡକ୍ଟର ଜଗନମୋହନ ମହାପାତ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତରେ ଜଗନମୋହନ ମହାପାତ୍ରଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା । ଡକ୍ଟର ଜଗନମୋହନ ମହାପାତ୍ର ଦୀର୍ଘ ୩୦ ବର୍ଷ ଧରି ପ୍ରତ୍ୟକ୍ଷ ସାମ୍ବାଦିକତା ସହ ଜଡ଼ିତ ଥିଲେ । ୧୯୯୩ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରୁ ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗରୁ ସ୍ନାତ୍ତକତୋର ପାସ୍ କରିବା ପରେ ସାମ୍ବାଦିକତାକୁ ପେଶା ରୂପେ ଗ୍ରହଣ କରିଥିଲେ । ବ୍ରହ୍ମପୁର ସମେତ ଗଞ୍ଜାମ ଜିଲ୍ଲାର ଜଣେ ଲୋକପ୍ରିୟ ସାମ୍ବାଦିକ ଭାବରେ ସୁନାମ ଅର୍ଜନ କରିଥିଲେ ଶ୍ରୀ ମହାପାତ୍ର । କଳାସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଥିଲେ । ଏହା ବ୍ୟତିତ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଭ୍ରାମ୍ୟମାଣ ଅଧ୍ୟାପକ ଭାବରେ ମଧ୍ୟ ଶିକ୍ଷାଦାନ କରୁଥିଲେ । ବ୍ରହ୍ମପୁରରେ ଆଞ୍ଚଳିକ କେବୁଲ ଟେଲିଭିଜନ ପ୍ରତିଷ୍ଠା କ୍ଷେତ୍ରରେ ସେ ଅଗ୍ରଣୀ ଭୂମିକା ନେଇଥିଲେ । ଗତବର୍ଷ ସ୍ବର୍ଗତ ପ୍ରଫେସର ସୁନୀଲ ବେହେରାଙ୍କ ଅଧିନରେ ଗବେଷଣା କରି ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଥିଲେ । ଜଣେ ମେଳାପୀ, ବନ୍ଧୁବତ୍ସଲ ଓ ପରୋପକାରୀ ବ୍ୟକ୍ତି ଭାବରେ ବେଶ୍ ଜଣାଶୁଣା ଥିଲେ ଡକ୍ଟର ମହାପାତ୍ର ।

ଡକ୍ଟର ଜଗନମୋହନ ମହାପାତ୍ର ନିଜ ଘର ଖଲିକୋଟ ନିକଟସ୍ଥ ବାଲୁଙ୍କେଶ୍ବରପୁର ଶାସନ । ସ୍ବର୍ଗତ ମହାପାତ୍ରଙ୍କ ପିତା ତାରାପ୍ରସାଦ ମହାପାତ୍ର ଗଞ୍ଜାମର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଦାୟିତ୍ୱ ତୁଲାଉଥିଲେ । ବିଶିଷ୍ଟ ଜ୍ୟୋତିଷ ବିଷାରଦ ବାଇକୋଳି ମହାପାତ୍ରଙ୍କ ନାତି ଥିଲେ ଡକ୍ଟର ଜଗନମୋହନ ମହାପାତ୍ର । ତାଙ୍କର ୧୮ ବର୍ଷ ବୟସର କନ୍ୟା ଓ ପତ୍ନୀ ମୃତ୍ୟୁବେଳକୁ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସମଗ୍ର ରାଜ୍ୟର ସାମ୍ବାଦିକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି । ସକାଳ ଓ ନନ୍ଦିଘୋଷ ଟିଭିର ଅଧ୍ୟକ୍ଷ ତଥା ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଡକ୍ଟର ମହାପାତ୍ରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି । ଅମର ଆତ୍ମାର ସଦଗତି କାମନା କରିବା ସହ ତାଙ୍କ ବିୟୋଗ ସାମ୍ବାଦିକତା କ୍ଷେତ୍ରରେ ଅପୁରଣୀୟ କ୍ଷତି ବୋଲି  କହିଛନ୍ତି । ସେହିଭଳି ନନ୍ଦିଘୋଷ ଟିଭିର ମୁଖ୍ୟ ସଂପାଦକ ଶିଶିର ଭଟ୍ଟମିଶ୍ର, ନନ୍ଦିଘୋଷ ଟିଭିର ସିଓଓ ଜବର ସିଂ ପନୱାର, ଦୈନିକ ସକାଳର ସଂପାଦକ ଡକ୍ଟର ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ, ପ୍ରକାଶକ ଅମିତ ମଲ୍ଲିକ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ୍, ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳ ବାରଣ

ପୁରୀ: ସୁନାବେଶ ପାଇଁ ସ୍ୱତନ୍ତ୍ର ଟ୍ରାଫିକ ପ୍ଲାନ୍ । ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଅମିତାଭ ଠାକୁରଙ୍କ ସାମ୍ବାଦିକ ସମ୍ମିଳନୀ । ସୁନାବେଶ ପାଇଁ ପ୍ରସ୍ତୁତ ହୋଇଛି ସ୍ଵତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ । ଟ୍ରାଫିକ ମୋବିଲିଟି ପାଇଁ ଡ୍ରୋନ୍ ମୁତୟନ କରାଯିବ । ଡ୍ରୋନ୍ କ୍ୟାମେରା ଦ୍ବାରା ଟ୍ରାଫିକ ବ୍ୟବସ୍ଥା ପରିଚାଳିତ ହେବ। ମାଳତୀପାଟପୁରରୁ ଡାଇଭର୍ସନ କରାଯିବ । ଭୁବନେଶ୍ବର ପଟୁ ଆସୁଥିବା ଚାରିଚକିଆ ଗାଡ଼ି ସଂସ୍କୃତ ୟୁନିଭର୍ସିଟି ବା ଶ୍ରୀବିହାର ଛକ, ଦୁଇ ଚକିଆ ଗାଡ଼ି ଜଗନ୍ନାଥବଲ୍ଲଭ, ମାଟିତୋଟା, ବ୍ରହ୍ମଗିରି ପଟୁ ଆସୁଥିବା ଚାରିଚକିଆ ଗାଡ଼ି ଯାତ୍ରିକା, ନାଲିପଡ଼ିଆ, କୋଣାର୍କ ପଟୁ ଆସୁଥିବା ଚାରିଚକିଆ ଗାଡ଼ି ତାଳବଣିଆ, ଦୁଇ ଚକିଆ ଗାଡ଼ି ବ୍ଲୁ ଫ୍ଲାଗ ବିଚରେ ପାର୍କିଂ କରିବ । ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୯ ଟି ପାର୍କିଂ ସ୍ଥଳ ଚିହ୍ନଟ ହୋଇଛି।

ସୁନାବେଶରେ କେବଳ ଟ୍ରାଫିକ ଦାୟିତ୍ବରେ ୫୧ ପ୍ଲାଟୁନ ଫୋର୍ସ ରହିବେ । ଟ୍ରାଫିକ୍ ନିୟନ୍ତ୍ରଣରେ ପୋଲିସକୁ ସହାୟତା କରିବେ ସ୍ୱେଚ୍ଛାସେବୀ । ନିର୍ଦ୍ଧାରିତ ରୁଟରେ ଯାତାୟତ କରିବେ, ଯୁକ୍ତିତର୍କ କରିବେନି । ବଡ଼ଦାଣ୍ଡକୁ ସଂଯୋଗ କରୁଥିବା ୧୬ ସାହି ରାସ୍ତା ସିଲ୍ । ବଡ଼ଦାଣ୍ଡକୁ ନୋ ଭେଇକିଲ୍ ଜୋନ୍ ଘୋଷଣା ହୋଇଛି । ମେଡିକାଲ ଛକରୁ ସିଂହଦ୍ୱାର ଯାଏ ଗାଡ଼ି ଚଳାଚଳ ବାରଣ । ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯାଇଛି । ଲୋକମାନେ ଯେମିତି ବେଶୀ ବାଟ ଚାଲିବେନି ତା’ ଉପରେ ନଜର ରହିଛି ବୋଲି କହିଛନ୍ତି ଅମିତାଭ ଠାକୁର ।

ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍

ଜଗତସିଂହପୁର: ଆଜି ଜଗତସିଂହପୁର ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । ପ୍ରଥମ ଦିନର ଗସ୍ତରେ ସେ ପ୍ରଥମେ ବାଲିକୁଦା ବ୍ଲକ୍‌ ଶିଆଳିରେ ପହଞ୍ଚିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍‌ । ଶିଆଳି ବେଳାଭୂମି ସୁରକ୍ଷା ଅନୁଧ୍ୟାନ ପରେ ସଭାସ୍ଥଳକୁ ଯାଇଥିଲେ । ପାଞ୍ଚ ହଜାରରୁ ଅଧିକ ଲୋକ 5T ସଚିବ ଭିକେ ପାଣ୍ଡିଆନଙ୍କୁ ସ୍ୱାଗତ କରିଥିଲେ । ମିଶନ ଶକ୍ତି ମାଆ ଓ ସ୍ଥାନୀୟ ଲୋକ ଫୁଲ ଓ ହୁଳହୁଳି ପକାଇ ସ୍ବାଗତ କରିଥିଲେ । 5T ସଚିବ ସମସ୍ତଙ୍କ ପାଖକୁ ଯାଇ ଅଭିବାଦନ ଗ୍ରହଣ କରିଥିଲେ । ଲୋକଙ୍କଠୁ ମିଳିଥିବା ଅଭିଯୋଗର ସମାଧାନ ନେଇ ପ୍ରତିଶ୍ରୁତି ଦେଇଥିଲେ ।

ମନ୍ଦିର, ମସଜିଦ୍, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଉନ୍ନତି ନେଇ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି 5T ସଚିବ କହିଛନ୍ତି । ଚାଷୀ ଓ ଚାଷକୁ ସରକାର ଗୁରୁତ୍ବ ଦେଉଥିବାରୁ ସେ ସମସ୍ୟାର ସମାଧାନ ହେବ ବୋଲି ଭିକେ ପାଣ୍ଡିଆନ୍‌ କହିଛନ୍ତି । ବାଲିକୁଦା ଓ ଏରସମାର ଘରେ ଘରେ ସୁଦ୍ଧ ପିଇବା ପାଣି ପହଞ୍ଚିବା ପାଇଁ ୮୦୦ କୋଟି ଟଙ୍କା ବ୍ୟୟରେ ମେଗା ପାଇପ ଜଳ ପ୍ରକଳ୍ପ ହେଉଛି । ଯାହା ସେପ୍ଟେମ୍ବରରେ ସରିବ  ବୋଲି କହିଛନ୍ତି ଭିକେ ପାଣ୍ଡିଆନ୍‌ ।

୮ ମହଲାରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ୮ ମହଲାରୁ ଡେଇଁ ବୃଦ୍ଧାଙ୍କ ଆତ୍ମହତ୍ୟା । ୬୩ ବର୍ଷୀୟା ପ୍ରତିମା ପଢିହାରୀଙ୍କ ମୃତ୍ୟୁ । ଭୁବନେଶ୍ବର ଡୁମୁଡୁମା ଫେଜ-୩ ସୁଦର୍ଶନ ଇନକ୍ଲେଭରେ ଅଘଟଣ । ଶରୀର ଅସୁସ୍ଥତା ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଘଟଣା । ବ୍ୟବଚ୍ଛେଦ ପାଇଁ ଏମ୍ସ ହସ୍ପିଟାଲରେ ମୃତଦେହ । ତେବେ ଖଣ୍ଡଗିରି ଥାନା ଏହି ଘଟଣାର ତଦନ୍ତ ଜାରି ରଖିଛି ।

ତ୍ରିପୁରାରେ ରଥଯାତ୍ରା ବେଳେ ଅଘଟଣ, ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତ୍ରିପୁରାର କୁମାରଘାଟ ଅଞ୍ଚଳରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବାଥିବାବେଳେ ଅନେକ ଲୋକ ଆହତୁ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ । ଶୋକ ସନ୍ତପ୍ତ ପରିବାରବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

ଟ୍ୟୁସନ୍ ଗଲାବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଡମ୍ଫର, ଛାତ୍ରୀ ମୃତ

ବାଲେଶ୍ୱର: ସାଇକେଲରେ ଟ୍ୟୁସନ୍ ଗଲାବେଳେ ଛାତ୍ରୀଙ୍କ ଉପରେ ଚଢ଼ିଗଲା ଡମ୍ଫର । ଛାତ୍ରୀ ମୃତ, ୨ ଗୁରୁତର । ପ୍ରତିବାଦରେ ଘଟଣାସ୍ଥଳରେ ଚାପା ଉତ୍ତେଜନା । ଟାୟାର ଜାଳି ରାସ୍ତା ଅବରୋଧ କଲେ ଉତ୍ୟକ୍ତ ଲୋକ । ୨ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ । ବାଲେଶ୍ବର ଜିଲ୍ଲା ଭୋଗରାଇ ନହରା ଗାଁର ସୁଶାନ୍ତ ସେଠୀଙ୍କ ଝିଅ ଅନିତା ସେଠୀ ଏବଂ ତାଙ୍କ ସାଙ୍ଗମାନେ ସାଇକେଲରେ ଟ୍ୟୁସନ୍ ଯାଉଥିଲେ । ହଠାତ୍ ଚନ୍ଦନେଶ୍ଵର ଆଡ଼ୁ ଦ୍ରୁତ ଗତିରେ ଆସୁଥିବା ଡମ୍ଫର ନହରା ଛକ ନିକଟରେ ଛାତ୍ରୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଅନିତାଙ୍କ ମୃତ୍ଯ ହୋଇଥିବା ବେଳେ ଅନ୍ଯ ଦୁଇ ଜଣ ସାଙ୍ଗ ସାମାନ୍ଯ ଆହତ ହୋଇଛନ୍ତି । ଉଭୟ ପାର୍ଶ୍ବରେ ଅଟକିଛି ଶହଶହ ଗାଡ଼ି ।

ମାଲକାନଗିରିରେ ମାଓତାଣ୍ଡବ, ପ୍ରଜାକୋଟରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା

ମାଲକାନଗିରି: ଲାଲବାହିନୀଙ୍କ ରକ୍ତପାତ । ପ୍ରଜାକୋଟରେ ଦୁଇ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ । ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର ତାଡ଼ମେଟାଲା ଉପ ସରପଞ୍ଚ ମାଣ୍ଡବି ଗଙ୍ଗା ଏବଂ ଜଣେ ଗାଁ ଲୋକଙ୍କୁ ହତ୍ୟା କଲେ ମାଓବାଦୀ । ୧୫ ଜଣଙ୍କୁ ଅପହରଣ କରି ୧୦ ଦିନ ହେବ ଜଙ୍ଗଲରେ ରଖିବା ପରେ ଆଜି ମାଓବାଦୀଙ୍କ ପ୍ରଜାକୋର୍ଟରେ ଦେଇଛନ୍ତି ଦଣ୍ଡ । ଦକ୍ଷିଣ ବସ୍ତର ମାଓ ସଙ୍ଗଠନ ଏହି ଘଟଣାକୁ ନେଇ ନିଜକୁ ଦାୟୀ କରିଛନ୍ତି ।

ଗଞ୍ଜାମ ଦିଗପହଣ୍ଡିରେ ଡବଲ ମର୍ଡର, ୨ ଜଣଙ୍କୁ ହତ୍ୟା ପରେ ପୋଡିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମହୁଡ଼ାରେ ଡବଲ ମର୍ଡର । ୨ ଜଣଙ୍କୁ ହତ୍ୟା ପରେ ପୋଡ଼ିଦେଲେ ଦୁର୍ବୃତ୍ତ । ମୃତକ ହେଲେ ଶିବ ଗୌଡ଼ ଏବଂ ଲିଟୁ ଗୌଡ଼ । ରାତି ପ୍ରାୟ ଗୋଟାଏରେ କିଛି ଦୁର୍ବୃତ୍ତ ଆସି ଦୁଇ ଜଣଙ୍କୁ ହତ୍ୟା କରିଛନ୍ତି । ଗାଡ଼ି ସହ ୨ଜଣଙ୍କୁ ପୋଡି ଦେଇଛନ୍ତି ହତ୍ୟାକାରୀ । ପୂର୍ବ ଶତ୍ରୁତାକୁ ନେଇ ହତ୍ୟା ହୋଇଥିବା ସୂଚନା । ଦିଗପହଣ୍ଡି ପୋଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି । ଘଟଣାସ୍ଥଳରେ ଚିକିଟି ଏସଡିପିଓ, ଦିଗପହଣ୍ଡି ଥାନା ଅଧିକାରୀ ପହଞ୍ଚିଛନ୍ତି ।

ବ୍ରାହ୍ମଣୀରେ ବୃଦ୍ଧ ନିଖୋଜ, ଗାଧୋଇବା ବେଳେ ଟାଣିନେଲା କୁମ୍ଭୀର

କେନ୍ଦ୍ରାପଡ଼ା: ବ୍ରାହ୍ମଣୀରେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର । ଗାଧୋଇବା ବେଳେ କୁମ୍ଭୀର ଟାଣିନେଇଥିବା ଅଭିଯୋଗ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ବ୍ଲକ ଘାଗରାଡିଆ ଗାଁର ଘଟଣା । ୫୫ ବର୍ଷୀୟ ଗଙ୍ଗାଧର ତରାଇ ସକାଳୁ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ଏତିକିବେଳେ କୁମ୍ଭୀର ଟାଣି ନେଇଥିବା ଅଭିଯୋଗରେ ଅଗ୍ନିଶମ ବାହିନୀ ଓ ସାଧାରଣ ଲୋକ ଖୋଜାଖୋଜି ଜାରି ରଖିଛନ୍ତି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ କୁମ୍ବୀର ସହ ଦୀର୍ଘ ସମୟ ଧରି ବଞ୍ଚିବାକୁ ଲଢ଼େଇ କରିଥିଲେ ଗଙ୍ଗାଧର । କିଛି ଦିନ ଭିତରେ ୩ ଜଣଙ୍କୁ କୁମ୍ଭୀର ଟାଣିନେବା ଖବର ମିଳିଛି । ହେଲେ ଏହି କୁମ୍ଭୀର ଟାଣି ନେବା ଘଟଣା ପ୍ରଥମ ।

ଆଜି ଇଦ୍, ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠ

ଭୁବନେଶ୍ୱର: ଆଜି ପବିତ୍ର ଇଦ୍ । ଉତ୍ସାହର ସହିତ ଇଦ୍ ଉଲ ଫିତର ପାଳନ କରୁଛନ୍ତି ଦେଶର ମୁସଲମାନ ଭାଇଭଉଣୀ । ମହାଆଡ଼ମ୍ବରରେ ସାମୂହିକ ନମାଜ ପାଠର ବ୍ୟବସ୍ଥା ହୋଇଛି । ସାଙ୍ଗସାଥୀ ଓ ବନ୍ଧୁବାନ୍ଧବଙ୍କୁ ନେଇ ଇଦ୍ ପାଳନ କରୁଛନ୍ତି ମୁସଲମାନ ସମ୍ପ୍ରଦାୟ । ଓଡ଼ିଶାର ଭାଇଚାରାର ସହର କଟକରେ ବିଭିନ୍ନ ସମ୍ପ୍ରଦାୟର ଲୋକ ମିଳିତ ଭାବରେ ଇଦ୍ ପାଳୁଛନ୍ତି । ସହରର ବିଭିନ୍ନ ମସଜିଦରେ ନମାଜ ପାଠ କରାଯିବାର ବ୍ୟବସ୍ଥା ହୋଇଛି । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ପାଳନ କରିବାକୁ କମିଶନରେଟ ପୋଲିସ ଓ ସିଏମସି ପକ୍ଷରୁ ଅନୁରୋଧ କରାଯାଇଛି ।