ବାରିପଦା: ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ବ ସହାୟକ । ମୟୂରଭଞ୍ଜ ବାରିପଦା ଉପଜିଲ୍ଲାପାଳ କାର୍ଯ୍ୟାଳୟର ରାଜସ୍ବ ସହାୟକ ରାମଚନ୍ଦ୍ର ସେନ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ଛାପା । କୁଳିଆନା ପଢ଼ିଆରିପୁରରେ ଥିବା ୪ ମହଲା କୋଠା, ରଘୁନାଥଗଞ୍ଜରେ ଥିବା ୩ ମହଲା କୋଠାରେ ରେଡ୍ ହୋଇଛି । ଏଠାରେ ଏକ ଫିଜିଓଥେରାପି କ୍ଲିନିକ ମଧ୍ୟ ରହିଛି । ବାରିପଦାସ୍ଥିତ ଅଫିସ ଚାମ୍ବର, ସାମଖୁଣ୍ଟା ତହସିଲ ଅଫିସରେ ଥିବା ପୁଅର ଚାମ୍ବର ଓ ବାରିପଦା ଟାଉନ ତୁଳସୀ ଚଉରାରେ ଥିବା ସମ୍ପର୍କୀୟଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ରାମଚନ୍ଦ୍ର ଦୀର୍ଘ ଦିନ ବାରିପଦା କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବେଳେ ତାଙ୍କ କାର୍ଯ୍ୟକଳାପ ସନ୍ଦେହ ଘେରରେ ରହିଥିଲା ।
ଦର୍ପଦଳନ ରଥ ଅଖରେ ଫାଟ, ରଥର ସାନଉଛୁଳା ଅଖରେ ଫାଟ
ପୁରୀ: ଦର୍ପଦଳନ ରଥ ଅଖରେ ଫାଟ । ପଛୁଆଣି ଅଖ ବା ସାନଉଛୁଳା ଅଖରେ ଫାଟ ଥିବା ଦେଖିବାକୁ ମିଳିଛି । ପୂର୍ବରୁ ଫାଟ ଥିବା ବେଳେ ଏହାକୁ କ୍ଲାମ୍ପ ଦିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏହି ଫାଟ ଅଧିକ ଦିଶୁଛି । ତେଣୁ ଏହାକୁ ବଦଳାଯିବା ଦରକାର ବୋଲି କହିଛନ୍ତି ଦଇତାପତି ସେବାୟତ ।
ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି
ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କର ବନକଲାଗି ନୀତି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଗତକାଲି ତ୍ରୟୋଦଶୀ ତିଥିରେ ଶ୍ରୀଜିଉଙ୍କ ଘଣାଲାଗି ନୀତି ଅନୁଷ୍ଠିତ ହୋଇଥିବାବେଳେ ଆଜି ଚତୁର୍ଦ୍ଦଶୀ ତିଥିରେ ବନକଲାଗି ନୀତି ଅନୁଷ୍ଠିତ ହେବ । ସେହିଭଳି ରଥ ଖଳାରେ ଚିତ୍ରକର ସେବକ ରଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପାର୍ଶ୍ବଦେବଦେବୀ ଲଗାଯିବା ସହ ଅନ୍ୟାନ୍ୟ କାର୍ଯ୍ୟ କରାଯିବ ।
ପଟିଆ ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଠାବ
ଭୁବନେଶ୍ୱର: ପଟିଆ ରେଳ ଷ୍ଟେସନ ନିକଟରେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ଠାବ । ମୃତକଙ୍କ ପିଠିରେ ରହିଛି ଗଭୀର କ୍ଷତ ଚିହ୍ନ । ବ୍ୟକ୍ତି ଜଣଙ୍କୁ କେହି ଧାରୁଆ ଅସ୍ତ୍ରରେ ମାରିଥିବା ସନ୍ଦେହ କରାଯାଉଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ, ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି ପୋଲିସ । ମୃତଦେହକୁ ଉଦ୍ଧାର କରିଛି ପ୍ରଦୀପ ସେବା ଟ୍ରଷ୍ଟ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ମୃତଦେହକୁ ନିଆଯାଇଛି ।
ମିଶନ ଶକ୍ତି ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି: 5T ସଚିବ
କନ୍ଧମାଳ: ମିଶନ ଶକ୍ତିର ଉନ୍ନତିରେ ଓଡ଼ିଶାର ଉନ୍ନତି । ମା’ ସଶକ୍ତ ହେଲେ ସଶକ୍ତ ହେବ ରାଜ୍ୟ । ମହିଳାଙ୍କ ବିକାଶ ପାଇଁ ୨୦୦୧ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଶନ ଶକ୍ତି ଯୋଜନାକୁ ହାତକୁ ନେଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ସାକାର ହୋଇଛି । ମିଶନ ଶକ୍ତି ଆଜି ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଫୁଲବାଣୀର କରୋନେସନ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ 5T ସଚିବ ଭିକେ ପାଣ୍ଡିଆନ କହିଛନ୍ତି । ଏସଏଚଜିକୁ ଏସଏମଇରେ ପରିଣତ କରିବାକୁ ଲକ୍ଷ୍ୟ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମିଶନ ଶକ୍ତିକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଆଗକୁ ଏସଏଚଜି ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଅନେକ ଖୁସି ଖବର ଦେବେ ବୋଲି କହିଛନ୍ତି 5T ସଚିବ ଭିକେ ପାଣ୍ଡିଆନ । ଅନେକ ଏସଏଚଜି ମହିଳା ବିଦେଶ ଗସ୍ତ କରିସାରିଛନ୍ତି । ସମସ୍ତେ ବିଦେଶ ଗସ୍ତ କରି ନୂଆ ଜ୍ଞାନ ଆହରଣ ପାଇଁ ଲକ୍ଷ୍ୟ ରଖିବାକୁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ । ପରେ ବ୍ୟାଙ୍କ ମିତ୍ର ଓ ଏମବିକେ ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ 5T ସଚିବ ।

