spot_img
Home Blog Page 3195

ଲୋକାର୍ପିତ ହେଲା ବିଜେଡି ନୂଆ କାର୍ଯ୍ୟାଳୟ ‘ଶଙ୍ଖ ଭବନ’

ଭୁବନେଶ୍ୱର : ଲୋକାର୍ପିତ ହେଲା ବିଜେଡି କାର୍ଯ୍ୟାଳୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିଛନ୍ତି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ ।

ଭୁବନେଶ୍ବର ୟୁନିଟ୍-୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି । ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସାଜିଛି । ଆଜି ଉଦଘାଟନୀ କାର୍ଯ୍ୟାକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହିଛନ୍ତି ।

୩ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହାଲାରେ ପ୍ରେସ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ଦ୍ବିତୀୟ ମହାଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ ଏକ ଅଡିଟୋରିୟମର ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ ।

ରାଜ୍ୟ ବିହନ ପରୀକ୍ଷାଗାର ପରିସରରେ ନୂତନ ପ୍ରଶାସନିକ ଗୃହ ଓ କୃଷକ ଆବାସ ଉଦଘାଟିତ

ଭୁବନେଶ୍ୱର: ପବିତ୍ର ଅକ୍ଷୟ ତୃତୀୟା ଦିବସ ଅବସରରେ ରାଜ୍ୟ ବିହନ ପରୀକ୍ଷାଗାରର ପରିସରରେ ନୂତନ ପ୍ରଶାସନିକ ଗୃହ ଓ କୃଷକ ଆବାସ ଉଦଘାଟନ ହୋଇଛି ।  କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ ସହ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହି ଗୃହକୁ ଉଦଘାଟନ କରିଛନ୍ତି । ଆଜିଠୁ ଆରମ୍ଭ ହେଉଥିବା ନୂତନ ସେବା ଦ୍ଵାରା କୃଷକ ଅନେକ ସୁବିଧା ପାଇବେ ଏବଂ ପରୀକ୍ଷାଗାରର କ୍ଷମତା ଓ ଦକ୍ଷତା ବଢିବ ବୋଲି କହିଛନ୍ତି ମନ୍ତ୍ରୀ ।

ଉଦଘାଟିତ ହୋଇଥିବା କୃଷକ ଗୃହ ସମ୍ପୂର୍ଣ୍ଣ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ । ଏବେ ବାର୍ଷିକ ହାରାହାରି ୧୪ ହଜାର ବିହନ ନମୁନା ପରୀକ୍ଷା କରାଯିବାର କ୍ଷମତା ରହିଛି ପରୀକ୍ଷାଗାରରେ। ଏହାସହ ପରୀକ୍ଷାଗାରରେ ଏକ ଜିନ୍ ବ୍ୟାଙ୍କ ରହିଛି । ଯେଉଁଥିରେ ରାଜ୍ୟ ମଧ୍ୟରୁ ଧାନ ଓ ଅଣଧାନ ଫସଲର ୧୩୬୧ଟି ଦେଶୀ ବିହନ ସଂଗୃହୀତ ହୋଇଛି । ଏସବୁ ସଂଗୃହୀତ ଜିନ୍ ବ୍ୟବହାର କରି ଭବିଷ୍ୟତ ପାଇଁ ଉନ୍ନତ କିସମର ବିହନ ବାହାର କରାଯାଇ ପାରିବ ବୋଲି କହିଛନ୍ତି କୃଷିମନ୍ତ୍ରୀ।

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଚାଷୀଙ୍କ ପାଇଁ ଚାଷ ଅନୁକୂଳର ମହାପର୍ବ । ଆଜି କୃଷି ଦିବସ ଅବସରରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପ୍ରଥମେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଯାଇ ସେଠାରେ ଅଖିମୁଠି ଅନୁକୂଳ କରି ରାଜ୍ୟର କୃଷକ ଭାଇ ଭଉଣୀମାନଙ୍କୁ ଶୁଭେଛା ଜଣାଇଥିଲେ। ଏହାପରେ ଲୋକସେବା ଭବନରେ ମିଲେଟ ଶକ୍ତି କାଫେ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ପୁଷ୍ଟିହୀନତା ନିୟନ୍ତ୍ରଣରେ ମାଣ୍ଡିଆ ଓ ଅନ୍ୟାନ୍ୟ ମିଲେଟ୍ ଖାଦ୍ୟଶସ୍ୟର ଗୁରୁତ୍ଵ ଅନୁଭବ କରି ରାଜ୍ୟ ସରକାର ମିଲେଟ୍ ମିଶନ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୪୨ଟି ମିଲେଟ୍ outlet ଖୋଲାଯାଇ ସାରିଲାଣି। କୃଷି ସମୀକ୍ଷା କେନ୍ଦ୍ର ଉଦଘାଟନ କରିଛନ୍ତି ନବୀନ । ରାଜ୍ୟ କୃଷି ଭବନରେ ଏହି କେନ୍ଦ୍ର ଏକ ‘central command and control systi ‘ ଭାବେ କାର୍ଯ୍ୟ କରିବ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତିର ପ୍ରୟୋଗରେ ଏଠାରେ ଏହା କ୍ଷେତ୍ରସ୍ତରରୁ ସୂଚନା ବାସ୍ତବ ସମୟରେ ହାସଲ କରି ନିଷ୍ପତ୍ତି ନେବାରେ ସହାୟତା କରି ପାରିବ। ବିଭିନ୍ନ ଯୋଜନାର ସଫଳ ରୂପାୟନରେ ଏବଂ ଚାଷୀଙ୍କୁ ସହାୟତା କରିବାରେ ଏହି କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।

ରାଜ୍ୟ ସରକାରଙ୍କ ଫାଇଭ-ଟି ଆଭିମୁଖ୍ୟରେ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। କୃଷି ବିଭାଗ ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ ମୁଖ୍ୟ ମନ୍ତ୍ରୀଙ୍କୁ ଏହି କେନ୍ଦ୍ରର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହା ସହିତ ଲୋକସେବା ଭବନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଶିଶୁ ସନ୍ତାନମାନଙ୍କ ପାଇଁ ଏକ creche ‘କଳିକା’ ମଧ୍ୟ ମୁଖ୍ୟମନ୍ତ୍ରୀ ଉଜଘାଟନ କରିଛନ୍ତି। ଏଥିରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୦ ଜଣ ଶିଶୁ ରହିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ, ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ମିଶନ ଶକ୍ତି ସଚିବ ସୁଜାତା କାର୍ତ୍ତିକେୟନ୍ ପାଣ୍ଡିଆନ୍ ଓ ମହିଳା ଓ ଶିଶୁ ବିକାଶ ସଚିବ ଶ୍ରୀମତୀ ଶୁଭା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

ଆଜି ଲୋକାର୍ପିତ ହେବ ବିଜେଡି କାର୍ଯ୍ୟାଳୟ, ଶଙ୍ଖ ଭବନକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ଲୋକାର୍ପିତ ହେବ ବିଜେଡି କାର୍ଯ୍ୟାଳୟ । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ବିଜୁ ଜନତା ଦଳର କାର୍ଯ୍ୟାଳୟ ଶଙ୍ଖ ଭବନର ଉଦଘାଟନ କରିବେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନସେବା, ତ୍ୟାଗ ଓ ସ୍ବାଭିମାନର ପ୍ରତୀକ ସାଜିବ ଶଙ୍ଖ ଭବନ । ଭୁବନେଶ୍ବର ୟୁନିଟ୍ ୬ ସ୍ଥିତ ନବ ନିର୍ମିତ କାର୍ଯ୍ୟାଳୟ ସମ୍ମୁଖରେ ଏକ ବଡ଼ ଶଙ୍ଖ ପ୍ରତିମୂର୍ତ୍ତି ରହିଛି । ଯେଉଁଥିରେ ଚତୁର୍ଦ୍ଦାମୂର୍ତ୍ତି ଶୋଭାପାଉଛନ୍ତି । ସୁଦୃଶ୍ୟ ଅଟ୍ଟାଳିକା କଳା, ସ୍ଥାପତ୍ୟ, ଭାସ୍କର୍ଯ୍ୟର ଅପୂର୍ବ ନିଦର୍ଶନ ସାଜିଛି ।

ଆଜି ଉଦଘାଟନୀ କାର୍ଯ୍ୟାକ୍ରମରେ ମନ୍ତ୍ରୀ, ସାଂସଦ, ବିଧାୟକ ଓ ଦଳର ବରିଷ୍ଠ କର୍ମକର୍ତ୍ତା, ଛାମୁଆ ସଂଗଠନର ନେତୃବୃନ୍ଦ ଓ କର୍ମୀମାନେ ଉପସ୍ଥିତ ରହିବେ । ୩ ମହଲା ବିଶିଷ୍ଟ ଏହି କୋଠାର ପ୍ରଥମ ମହାଲାରେ ପ୍ରେସ୍ ଲାଉଞ୍ଜ ଓ ସମ୍ମିଳନୀ କକ୍ଷ ରହିଛି । ଦେଢ ହଜାର ଲୋକଙ୍କ ବସିବା ଭଳି ଏକ ବଡ଼ ସମ୍ମିଳନୀ କକ୍ଷ ରହିଛି । ଦ୍ବିତୀୟ ମହାଲାରେ ବରିଷ୍ଠ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ କାର୍ଯ୍ୟାଳୟ ଏକ ଅଡିଟୋରିୟମର ବ୍ୟବସ୍ଥା କରାଯାଇଥିବା ବେଳେ ତୃତୀୟ ମହଲାରେ ସଭାପତିଙ୍କ କକ୍ଷ ରହିବ ।

 

ଗଞ୍ଜେଇ ଚୋରା ଚାଲଣ ବେଳେ ଧରିଲା ଅବକାରୀ ବିଭାଗ, ୩ ଗିରଫ

କଳାହାଣ୍ଡି: କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥରେ ଚାଲିଛି ଗଞ୍ଜେଇ କାରବାର । ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଜଣିଆ ରାକେଟକୁ ଗିରଫ କରିଛି ଅବକାରୀ ବିଭାଗ । ୫ ଲକ୍ଷ ଟଙ୍କାର ଗଞ୍ଜେଇ ସହିତ ଗୋଟିଏ କାରକୁ ଜବତ କରାଯାଇଛି । କଳାହାଣ୍ଡି ଜିଲ୍ଲା ରାମପୁର ଥାନା ପଜିବାହାଳୀ ଛକ ନିକଟରେ ଅବକାରୀ ବିଭାଗର ପାଟ୍ରୋଲିଂ ବେଳେ ଏକ କାରରୁ ୨୨ କେଜି ଗଞ୍ଜେଇ ଜବତ ହୋଇଛି ।

ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ଛତିଶଗଡର ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ ମାଫିଆମାନେ ଏହି ଗଞ୍ଜେଇକୁ ମୋହନଗିରିରୁ ଛତିଶଗଡ ରାୟପୁରକୁ ଚାଲାଣ କରୁଥିବା ଜଣାପଡିଛି ।

ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଜି ରଥକାଠ ଅନୁକୂଳ

ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା । ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଅନୁକୂଳ ହେବ ରଥକାମ । ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ରଥଖଳାକୁ ଆଜ୍ଞାମାଳ ବିଜେ କରିବା ପରେ ୩ ଖଣ୍ଡ ଧଉରା କାଠରେ ରଥ ନିର୍ମାଣ ଅନୁକୂଳ କରାଯିବ । ବୈଶାଖ ମାସ ତୃତୀୟା ସତ୍ୟ ଯୁଗର ଉତ୍ପତି ଦିବସ ହୋଇଥିବା ବେଳେ ରାଜଗୁରୁ ଓ ସ୍ରୋତ୍ରୀୟ ବ୍ରାହ୍ମଣଙ୍କ ଦ୍ୱାରା ବନଯାଗ ପଦ୍ଧତିରେ ଅନୁକୂଳ କରାଯିବ ରଥ କାମ । ଏହି ଅବସରରେ ତିନି ରଥର ମୁଖ୍ୟ ମହାରଣା, ଭୋଇ ସର୍ଦାରଙ୍କ ସମେତ, ମୁଖ୍ୟ କମାର, କରତୀ ଓ ରୂପକାର ସେବାୟତମାନଙ୍କୁ ରାଜଗୁରୁ ଶାଢ଼ୀ ବାନ୍ଧିବା ପରେ ଆରମ୍ଭ ହେବ ରଥକାମ ।

ସେହିପରି ପ୍ରଚଣ୍ଡ ରୌଦ୍ରତାପରୁ ଆଶ୍ବସ୍ତି ପାଇଁ ନୌବିହାର କରିବେ ମହାପ୍ରଭୁ । ଆରମ୍ଭ ହେବ ମହାପ୍ରଭୁଙ୍କ ୨୧ ଦିନିଆ ବାହାର ଚନ୍ଦନ ଯାତ୍ରା । ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୁଦେବୀ, ଶ୍ରୀଦେବୀ, ପଞ୍ଚୁ ପାଣ୍ଡଵ ଓ ରାମ କୃଷ୍ଣ ନରେନ୍ଦ୍ର ପୁଷ୍କରିଣୀରେ କରିବେ ନୌକା ବିହାର । ଏଥିପାଇଁ ନରେନ୍ଦ୍ରରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଚିତ୍ରକର ସେବାୟତମାନେ ରଙ୍ଗ କରିବା ସହ ମହାରଣା ସେବାୟତଙ୍କ ଦ୍ବାରା ପ୍ରସ୍ତୁତ ହୋଇ ରହିଛନ୍ତି ନନ୍ଦା ଓ ଭଦ୍ରା । ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନୀତିକାନ୍ତି ପ୍ରସ୍ତୁତ କରାଯାଇଛି । ଅପରାହ୍ନ ୩ଟାରେ ଦ୍ବାଦଶ ଯାତ୍ରା ଓ ନକ୍ଷତ୍ର ବନ୍ଦାପନା, ଅପରାହ୍ନ ୩ଟା ୩୦ରେ ବିମାନକୁ ଦିଅଁ ବିଜେ କରିବେ । ଅପରାହ୍ନ ୪ଟାରେ ରଥ କାମ ପାଇଁ ଆଜ୍ଞାମାଳ ବିଜେ ଓ ବିମାନ ଉଠିବ । ରାତ୍ର ୧୦ ଟାରେ ଚନ୍ଦନ ଠାକୁର ବାହୁଡ଼ା ବିଜେ କରିବେ ।

ଆଜି ପବିତ୍ର ଅକ୍ଷୟ ତୃତୀୟା, ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ପବିତ୍ର ଅକ୍ଷୟ ତୃତୀୟା । ଅନୁକୂଳର ମହାପର୍ବ । ସୁଖ, ସମୃଦ୍ଧି ଓ ସୌଭାଗ୍ୟ ସହିତ ବହୁଳ ଭାବେ ଜଡିତ ଆଜିର ଦିନ । ଅଖିମୁଠି ଅନୁକୂଳ କରିବେ ଚାଷୀ । ନୂଆ ଧାନ ନେଇ କ୍ଷେତରେ ବୁଣି ହଳ କରିବେ ଚାଷୀମାନେ । ଏହି ଅବସରରେ ଭୁବନେଶ୍ବର ଓୟୁଏଟି ପରିସରରେ ରାଜ୍ୟସ୍ତରୀୟ ଉତ୍ସବରେ ଅଖିମୁଠି ଅନୁକୂଳ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କୃଷିର ବିକାଶ ଓ କୃଷକଙ୍କ ଆର୍ଥିକ ମେରୁଦଣ୍ଡକୁ ମଜବୁତ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । କିଛିଦିନ ତଳେ ଚାଷୀଙ୍କୁ ରାଜ୍ୟ ସରକାର କାଳିଆ ଯୋଜନାର ଅର୍ଥ ପ୍ରଦାନ କରିଛନ୍ତି । କାଳିଆ ଯୋଜନାରେ ଚାଷୀଙ୍କୁ ରାଜ୍ୟ ସରକାର ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ଦେଉଛନ୍ତି । ଏଥିରେ ଭୂମିହୀନ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେଉଛନ୍ତି ।

ସେହିପରି ବଳରାମ ଓ ଅନ୍ୟ ଯୋଜନାରେ ସହାୟତା ଦିଆଯାଉଛି । ବିନାସୁଧରେ ଚାଷୀଙ୍କୁ ୧ ଲକ୍ଷ ଟଙ୍କା ଯାଏ କୃଷିଋଣ ଦିଆଯାଉଛି । ସ୍ଵତନ୍ତ୍ର କୃଷି ବଜେଟ୍ ଆଣିବା ସହ ବିଭିନ୍ନ ଯୋଜନାରେ ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦିଆଯାଉଛି । ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି ।

ଲୋକସେବା ଭବନ ପରିସରରେ ଖୋଲିବ ମିଲେଟ୍ ଶକ୍ତି କାଫେ

ଭୁବନେଶ୍ୱର:  ଆଜିଠୁ ଲୋକସେବା ଭବନ ପରିସରରେ ଖୋଲିବ ମିଲେଟ୍ ଶକ୍ତି କାଫେ । ଅକ୍ଷୟ ତୃତୀୟା ଅବସରରେ ଏହାକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନକୁ ଆସୁଥିବା କର୍ମଚାରୀ ଏବଂ ପରିଦର୍ଶକଙ୍କ ମଧ୍ୟରେ ପୁଷ୍ଟିଶସ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟକୁ ଅଧିକରୁ ଅଧିକ ବ୍ୟାପକ କରିବା ପାଇଁ ଓଡ଼ିଶା ମିଲେଟ ମିଶନ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ସୁନ୍ଦରଗଡ, କେନ୍ଦୁଝର, ପୁରୀ ଗୋଲ୍ଡେନ ବିଚ୍ ଏବଂ କଟକ ବାରବାଟୀ ପ୍ୟାଲେସଠାରେ ମିଲେଟ୍ ଶକ୍ତି କାଫେ ଖୋଲାଯାଇଛି । ଏହାର ଚାହିଦାକୁ ଦୃଷ୍ଟିରେ ରଖି ଏବେ ଲୋକସେବା ଭବନ ପରିସରରେ ଆଉ ଏକ ମିଲେଟ୍ ଶକ୍ତି କାଫେ ସ୍ଥାନ ପାଇବ। ଯେଉଁଠାରେ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଉପଲବ୍ଧ ହେବ । ଏହାଦ୍ବାରା ଏସଏଚଜି ସଦସ୍ୟା ମଧ୍ୟ ଉପକୃତ ହେବେ  । ଅନ୍ୟପଟେ ଆଜି କୃଷି ସମୀକ୍ଷା କେନ୍ଦ୍ରକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଆତ୍ମସମର୍ପଣ କଲା ଅମୃତପାଲ, ପଞ୍ଜାବ ମୋଗା ପୋଲିସ ନିକଟରେ ଆତ୍ମସମର୍ପଣ

ଚଣ୍ଡିଗଡ଼: ସରିଲା ଲୁଚକାଳି ଖେଳ । ଗିରଫ ହେଲା ଓ୍ବାରିସ ପଞ୍ଜାବ ଦେ ମୁଖ୍ୟ ଅମ୍ରିତପାଲ ସିଂ । ପଞ୍ଜାବ ମୋଗା ପୋଲିସ ନିକଟରେ ଆତ୍ମସମର୍ପଣ କରିଛି ପଳାତକ ଅମ୍ରିତପାଲ । ଗିରଫ ପରେ ତାକୁ ଏକ ସ୍ବତନ୍ତ୍ର ବିମାନ ଯୋଗେ ବଠିଣ୍ଡାରୁ ଆସାମର ଡିବ୍ରୁଗଡ଼ ଜେଲକୁ ନିଆଯାଉଛି । ଅଜନାଲା କାଣ୍ଡ ପରଠୁ ୩୬ଦିନ ଧରି ଫେରାର ହୋଇଯାଇଥିଲା ଅମ୍ରିତପାଲ ସିଂ।

ଡିବ୍ରୁଗଡ଼ ଜେଲରେ NIA ଓ IB ଟିମ୍ ଅମ୍ରିତପାଲକୁ ପଚରାଉଚୁରା କରିବ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ତତ୍ତ୍ବାବଧାନରେ ଅମ୍ରିତପାଳକୁ ଧରିବାକୁ ଅପରେସନ ଚଳାଇଥିଲା ପୋଲିସ । ଅପରେସନ ସମ୍ପର୍କରେ ପଞ୍ଜାବ ପୋଲିସ ଲଗାତାର ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଦେଉଥିଲା । ପଳାତକ ଅମୃତପାଲର ଆତ୍ମସମର୍ପଣ ପୂର୍ବର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଅମୃତପାଲ ପ୍ରବଚନ ଦେଉଥିବାର ଦେଖିବାକୁ ମିଲିଛି ।

ଉତ୍ତରପ୍ରଦେଶର ଲଖିମପୁର ଖେରୀ ରାସ୍ତା ଦେଇ ନେପାଳ ଖସିଯାଇଥିବା ଚର୍ଚ୍ଚା ହେଉଥିଲା । ଏଥିପାଇଁ ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତରାଖଣ୍ଡ ପରେ ନେପାଳରେ ମଧ୍ୟ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ୨୦ ମାର୍ଚ୍ଚରେ ଅମୃତପାଳ ହରିୟାଣାରେ ଥିବା ସ୍ପଷ୍ଟ ହୋଇଥିଲା । ପରେ ପରେ ୨୩ ମାର୍ଚ୍ଚରେ ଲଖିମପୁରରେ ମଧ୍ୟ ଅମୃତପାଲ ଟୋପି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହୋଇଥିଲା ।

ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଅମ୍ରିତପାଲ ସରେଣ୍ଡର କରିବା ପରେ ପୋଲିସ ତାକୁ ଗିରଫ କରିଛି । ଅମ୍ରିତପାଲ ସିଂ ଜଣେ ଖଲିସ୍ଥାନୀ ନେତା । ଓ୍ବାରିସ ପଞ୍ଜାବ ଦି ନାମକ ଏକ ସଂଗଠନର ମୁଖିଆ ହେଉଛି ଅମ୍ରିତପାଲ । ଦୀପ ସିନ୍ଧୁଙ୍କ ଅଚାନକ ମୃତ୍ୟୁ ପରେ ୪ ମାର୍ଚ୍ଚ ୨୦୨୨ରେ ପଦ ସମ୍ଭାଳିଥିଲା ଅମ୍ରିତପାଲ । ଅମ୍ରିତପାଲର ଗିରଫଦାରୀ ପରେ ପଞ୍ଜାବରେ ପୋଲିସ ଆଲର୍ଟରେ ରହିଛି । ଗୁଜବ ପ୍ରଚାର ନକରିବାକୁ ଅପିଲ କରାଯାଇଥିବା ବେଳେ ହିଂସା ସୃଷ୍ଟିକାରୀଙ୍କ ଉପରେ କଡ଼ା ନଜର ରଖିଛି ପୋଲିସ । …

ଓଡ଼ିଶା ସ୍କିଲ୍ କନକ୍ଲେଭରେ ବିଶ୍ବ ଦେଖିଲା ଓଡ଼ିଶାର ଦକ୍ଷତା

ଭୁବନେଶ୍ବର: ଏବେ ସଭିଙ୍କ ମୁହଁରେ ଏହି କ୍ୟାଚ ଲାଇନ୍ । ଆଉ ତାହା ହେଲା ସ୍କିଲ ନୁହେଁ, ସ୍କିଲ୍ଡ୍ ଇନ୍ ଓଡ଼ିଶା । ଜମି ଜମା ମ୍ୟାପିଂ ହେଉ କି କୃଷି କ୍ଷେତ୍ର, ଡ୍ରୋନ୍ ଉପଯୋଗ ଦ୍ବାରା ବଞ୍ଚିବ ସମୟ ଓ ଅର୍ଥ । ହାତ ପାଆନ୍ତାରେ ରହିବ ଅପହଞ୍ଚ ଇଲାକା । ବେସିକ୍ ଏଜୁକେସନ୍ ପରେ ବଜାର ଚାହିଦାକୁ ଆଖିରେ ରଖି ସମସ୍ତଙ୍କୁ ଦକ୍ଷତା ଅର୍ଜନ କରିବାକୁ ହେବ । ସମଗ୍ର ବିଶ୍ବକୁ ଓଡ଼ିଶା ଦେଇଛି ଏହି ବାର୍ତ୍ତା । ଏହାସହ ଅଢେଇ ଦିନ ବ୍ୟାପୀ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ସ୍କିଲ୍ କନକ୍ଲେଭ-୨୦୨୩ ସମ୍ପନ୍ନ ହୋଇଛି ।

ଶେଷ ହୋଇଛି  କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଅଢ଼େଇ ଦିନ ବ୍ୟାପୀ ଚାଲିଥିବା ଦକ୍ଷତା ବିକାଶର ମହାକୁମ୍ଭ ଓଡ଼ିଶା ସ୍କିଲ୍ କନକ୍ଲେଭ -୨୦୨୩ । ପ୍ରଥମ ଥର ପାଇଁ ବିଶ୍ବ ଦେଖିଲା ସିଙ୍ଗାପୁର ITEES ଏବଂ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଅପୂର୍ବ ସମନ୍ବୟ । ଏକାସାଙ୍ଗେ ଗାଇଲେ ବନ୍ଦେ ଉତ୍କଳ ଜନନୀ । ପରସ୍ପର ଏକ୍ସଚେଞ୍ଜ୍ କଲେ ଆଇଡିଆ । ପଲିଟେକ୍ନିକ୍, ଆଇଟିଆଇ, ଇଞ୍ଜିନିୟରିଂ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ପାଇଁ ସ୍ବାକ୍ଷରିତ ହୋଇଛି ୨୦ଟି ଏମ୍ଓୟୁ । ରାଜ୍ୟର ବିଭିନ୍ନ ଜିଲ୍ଲାର ବୈଷୟିକ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ଦ୍ବାରା ନୂଆ ଉଦ୍ଭାବନ ଓ ଷ୍ଟାର୍ଟଅପମାନେ କିପରି ଆଗକୁ ବଢ଼ିବେ ସେଥିପାଇଁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍ । ସ୍କିଲ୍ କନକ୍ଲେଭର ଗ୍ରାଣ୍ଡ୍ ସକ୍ସେସ୍ ନେଇ ସମସ୍ତ ଶତମୁଖ ।

ଆଗକୁ ଡ୍ରୋନ୍ ଟେକ୍ନୋଲୋଜିର ହେବ ବ୍ୟାପକ ବ୍ୟବହାର । ବେସାମିରକ ଓ ସାମରିକ ଉଦ୍ଦେଶ୍ୟ ଛଡ଼ା ଡ୍ରୋନକୁ ୧୦୦ରୁ ଅଧିକ ପ୍ରକାର କାମରେ ଲଗାଯାଇପାରିବ । ଯାହାକୁ ଗ୍ରହଣ କରିଛନ୍ତି ବିକଶିତ ରାଷ୍ଟ୍ର । ଓଡ଼ିଶା କୃଷି ଓ ଖଣିଜ ସମ୍ପଦ ଭରା ରାଜ୍ୟ ହୋଇଥିବାରୁ ଡ୍ରୋନ୍ ବ୍ୟବହାର ସରକାରଙ୍କୁ ରାଜସ୍ବ ସଂଗ୍ରହ ଓ ନିର୍ଭୁଲ ତଥ୍ୟ ସଂଗ୍ରହ କରିବାରେ ବିଶେଷ ସହାୟକ ହେବ । କନକ୍ଲେଭର ଶେଷ ଦିନରେ ସରକାରଙ୍କ ସବୁ ବିଭାଗର କ୍ଷେତ୍ରୀୟ ସ୍ତରରେ ଡ୍ରୋନ୍ ବ୍ୟବହାର ନେଇ ମତ ପ୍ରକାଶ ପାଇଛି । ଅପହଞ୍ଚ ଅଞ୍ଚଳରେ ଜମି ଜମାର ସଠିକ୍ ମ୍ୟାପିଂ ସହ କୃଷି କାର୍ଯ୍ୟରେ ବହୁଳ ବ୍ୟବହାର ହୋଇପାରିବ ଡ୍ରୋନ୍ । ଗୋଟିଏ ଏକର ଫସଲରେ କୀଟନାଶକ ସିଞ୍ଜନ ପାଇଁ ୭ ମିନିଟ୍ ସମୟ ନେଇ କାମ ସାରିବ ଡ୍ରୋନ । ଡ୍ରୋନ୍ ଟେକ୍ନୋଲୋଜି ପାଇଁ ୪ଟି ପର୍ଯ୍ୟାୟରେ ଦକ୍ଷ ମାନବସମ୍ବଳର ଆବଶ୍ୟକତା ରହିଛି । ଡ୍ରୋନ୍ ମାନ୍ୟୁଫକ୍ଚରିଂ, ଡ୍ରୋନ୍ ଅପରେସନ୍ ବା ପାଇଲଟିଂ, ଡାଟା ଆନାଲିଷ୍ଟ୍ ଓ ମରାମତି ବା ରକ୍ଷଣାବେକ୍ଷଣ । ଆସନ୍ତାଦିନରେ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ଓଡିଶାର ୫ ହଜାର ଛାତ୍ରଛାତ୍ରୀଙ୍କୁ ଡ୍ରୋନ୍ ଜ୍ଞାନକୌଶଳର ପ୍ରଶିକ୍ଷଣ ଦେବ । ଏହାସହିତ ବଲାଙ୍ଗୀର ଓ ଭୁବନେଶ୍ବରରେ ଖୋଲିବ ରିମୋଟ ଅପରେଟେଡ୍ ଡ୍ରୋନ୍ ପାଇଲଟିଂ ଟ୍ରେନିଂ ସେଣ୍ଟର ।

ଓଡ଼ିଶା ପାଲଟିଛି ସ୍କିଲ ହବ୍ । କେବଳ କ୍ଲାସରୁମ୍ ଶିକ୍ଷା ନୁହେଁ, ନିଯୁକ୍ତି ଓ ରୋଜଗାର ପାଇଁ ଯେଉଁ ଦକ୍ଷତା ଦରକାର ଠିକ୍ ସେହିପରି ପ୍ରଶିକ୍ଷଣ ଦିଆଯିବ । ଆଉ ଏଥିରେ ସହାୟତା କରିବେ ଅଟୋମୋବାଇଲ, ଖଣିଜ ଉତ୍ତୋଳନ, ନିର୍ମାଣ, ଜଳ ପରିଚାଳନା, ପୋଷାକ ଓ ଆଇଟି ପରି ୩୭ଟି କ୍ଷେତ୍ରରେ କାମ କରୁଥିବା ସ୍କିଲ୍ କାଉନସିଲ । ଓଡ଼ିଶା ସ୍କିଲ କନକ୍ଲେଭ- ୨୦୨୩ ଦେଶକୁ ଦେଇଛି ନୂଆ ବାର୍ତ୍ତା । ପ୍ରତିବର୍ଷ ଏପରି ଦକ୍ଷତାର ମହାମିଳନ ନେଇ ସ୍କିଲ କନକ୍ଲେଭ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।