spot_img
Home Blog Page 3196

ସୁସ୍ଥ ହେଲେ ମହାପ୍ରଭୁ, ଆଜି ସମାଚାର ନେଇ ଶ୍ରୀନଅର ଯିବେ ଦଇତାପତି ସେବକ

ପୁରୀ: ସୁସ୍ଥ ହେଲେ ମହାପ୍ରଭୁ । ସ୍ନାନପୂର୍ଣ୍ଣିମା ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଛନ୍ତି । ଦଶମୀରେ ଚକାବିଜେ ଅନୁଷ୍ଠିତ ହୋଇଥିବାବେଳେ ରାଜବୈଦ୍ୟଙ୍କ ପ୍ରସ୍ତୁତ ଦଶମୂଳ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି ମହାବାହୁ । ଶ୍ରୀଜିଉ ସୁସ୍ଥ ହେବାର ସମାଚାର ନେଇ ଆଜି ଦଇତାପତି ସେବକମାନେ ଶ୍ରୀନଅରକୁ ଯାଇ ଗଜପତିଙ୍କୁ ଅବଗତ କରାଇବେ । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ଅଣବସର ସମୟରେ ଶ୍ରୀଅଙ୍ଗରୁ ବାହାରିଥିବା ବିବିଧ ସାମଗ୍ରୀକୁ ପ୍ରସାଦ ରୂପରେ ରାଜନଅରକୁ ବିଜେ କରାଯିବ । ଏହି ବିଜେ ନୀତିକୁ ରାଜପ୍ରସାଦ ବିଜେ କୁହାଯାଏ  । ସକାଳ ଧୂପ ଭୋଗ ମଣ୍ଡପ ପରେ ଏହି ବିଶେଷ ନୀତି ସମ୍ପାଦନ କରାଯିବ ।

 

ତାମିଲନାଡ଼ୁରେ ସିବିଆଇ ବାଟ ବନ୍ଦ, ତଦନ୍ତ କରିବାକୁ ରାଜ୍ୟ ସରକାରଙ୍କ ଅନୁମତି ନେବ ତଦନ୍ତକାରୀ ସଂସ୍ଥା

ଚେନ୍ନାଇ: ତାମିଲନାଡ଼ୁରେ ସିବିଆଇ ତଦନ୍ତ କରିବାକୁ ହେଲେ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡିବ । ନହେଲେ ରାଜ୍ୟରେ ପଶି ତଦନ୍ତ କରିବା ସିବିଆଇ ପାଇଁ ମୁସ୍କିଲ ହେବ । ତଦନ୍ତ ପାଇଁ ସିବିଆଇ ସହ ଥିବା ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଛନ୍ତି ତାମିଲନାଡୁ ସରକାର । ଏହାର ଅର୍ଥ ଏଣିକି ବିନା ଅନୁମତିରେ ସିବିଆଇ ତାମିଲନାଡୁରେ କୌଣସି ପ୍ରକାରର ତଦନ୍ତ କରିପାରିବ ନାହିଁ । ତଦନ୍ତ ପାଇଁ ପ୍ରଥମେ ସିବିଆଇକୁ ତାମିଲନାଡୁ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ରାଜ୍ୟ କିମ୍ବା ରାଜ୍ୟରେ ରହୁଥିବା ଲୋକଙ୍କ ବିରୋଧରେ ସିବିଆଇ ନିଜ ଇଚ୍ଛାରେ ଆଉ ତଦନ୍ତ କରିପାରିବ ନାହିଁ । ପୂର୍ବରୁ ପଶ୍ଚିମବଙ୍ଗ, ଛତିଶଗଡ଼, ତେଲେଙ୍ଗାନା, କେରଳ, ଝାରଖଣ୍ଡ, ମେଘାଳୟ, ମିଜୋରାମ, ପଞ୍ଜାବ ଓ ରାଜସ୍ଥାନ ଭଳି ୯ଟି ରାଜ୍ୟ ମଧ୍ୟ ସିବିଆଇ ସହ ସାଧାରଣ ସହମତି ନିୟମକୁ ପ୍ରତ୍ୟାହାର କରି ନେଇଥିଲେ ।

କେନ୍ଦ୍ର ସରକାର ତଦନ୍ତକାରୀ ସଂସ୍ଥାର ବ୍ୟବହାର ରାଜନୈତିକ ଆକ୍ରୋଶ ରଖି କରୁଥିବାରୁ ରାଜ୍ୟଗୁଡ଼ିକ ଏପରି ପଦକ୍ଷେପ ନେଇଥିବା କହିଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ମନି ଲଣ୍ଡରିଂ ମାମଲାରେ ତାମିଲନାଡୁରେ କ୍ଷମତାସୀନ ଡିଏମକେ ସରକାର ମନ୍ତ୍ରୀ ଥିବା ସେନଥିଲ ବାଲାଜୀଙ୍କୁ ଇଡି ଗିରଫ କରିଥିଲା । ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳିଥିଲା । ଗିରଫଦାରୀ ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଡିଏମକେ ଅଭିଯୋଗ କରିଥିଲା । ବିବାଦ ବଢ଼ୁଥିବା ବେଳେ ତାମିଲନାଡୁ ସରକାର ସିବିଆଇ ତଦନ୍ତକୁ ନେଇ ରହିଥିବା ସାଧାରଣ ସହମତି ବ୍ୟବସ୍ଥାକୁ ପ୍ରତ୍ୟାହାର କରି ନେଇଛନ୍ତି ।

ରାତିରେ ବି ଶୁଆଇ ଦେବନି ତାତି, ଉଷ୍ମ ରାତି ପାଇଁ ବିଭିନ୍ନ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ଦୁଇଦିନ ଅନୁଭୁତ ହେବ ଅସ୍ବାଭାବିକ ପାଗ । ଦିନରେ ସିଭିୟର ହିଟଓ୍ବେଭ୍ ସହିତ ରାତିରେ ହେବ ପ୍ରବଳ ତାତି । ଉଷ୍ମ ରାତି ପାଇଁ ଚେତାବନୀ ଦେଇଛି ପାଣିପାଗ କେନ୍ଦ୍ର । ଏଥିପାଇଁ ସମ୍ବଲପୁର, ବରଗଡ, ବଲାଙ୍ଗୀର, ଝାରସୁଗୁଡା ଏବଂ ସୋନପୁରକୁ ସତର୍କତା ଜାରି ହୋଇଛି । ରାତିରେ ସ୍ବାଭାବିକଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଖରାରୁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ସିଭିୟର ହିଟଓ୍ବେଭ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡରେ ସ୍ବାଭାବିକ ଠାରୁ ୬.୫ ଡିଗ୍ରୀରୁ ଅଧିକ ରହିବ ତାପମାତ୍ରା ।

ଆସନ୍ତାକାଲି ୯ ଜିଲ୍ଲା, ୧୭ ତାରିଖରେ ୧୨ ଏବଂ ୧୮ ତାରିଖରେ ୮ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଏଥିପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କରିଛନ୍ତି ଏସଆରସି । ସେପଟେ ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ହୋଇଛି । ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ ।

ଆଜି ସନ୍ଧ୍ୟାରେ ଜଖାଉ ପୋର୍ଟରେ ଲ୍ୟାଣ୍ଡଫଲ କରିବ ବିପର୍ଯ୍ୟୟ, ୧୫୦ କିମି ଛୁଇଁବ ପବନର ବେଗ

ଗାନ୍ଧିନଗର: ଅତି ଭୀଷଣ ରୂପ ନେଇ ଉପକୂଳ ଆଡ଼କୁ ମୁହାଁଉଛି ’ବିପର୍ଯ୍ୟୟ’ । ଅତିଭୀଷଣ ବାତ୍ୟା ପାଇଁ ଆଲର୍ଟରେ ପ୍ରଶାସନ । ସଜାଗ ଉଦ୍ଧାରକାରୀ ଟିମ୍ । ଗୁଜରାଟ ଉପକୂଳରେ ବାତ୍ୟା ମାଡ଼ ସମ୍ଭାବନା ରହିଥିବା ବେଳେ ଷ୍ଟେଟ ଏମର୍ଜେନ୍ସି ଅପରେସନ ସେଣ୍ଟରରେ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ପୋରବନ୍ଦରଠାରୁ ୩୩୦ କିଲୋମିଟର ଓ ଦ୍ବାରକାଠାରୁ ୨୬୦ କିମି ଦୂରରେ ରହିଛି ବାତ୍ୟା । ଆଜି ସନ୍ଧ୍ୟା ସୁଦ୍ଧା ଗୁଜରାଟର ସୌରାଷ୍ଟ୍ର-କଚ୍ଛ ଉପକୂଳ ଓ ଏହାର ଆଖପାଖ ପାକିସ୍ତାନ ଉପକୂଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଲ୍ୟାଣ୍ଡଫଲ ବେଳକୁ ବାତ୍ୟା ସାମାନ୍ୟ ଦୁର୍ବଳ ହୋଇଯାଇଥିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଜଖାଉ ପୋର୍ଟଠାରୁ ପ୍ରାୟ ୨୮୦ କିଲୋମିଟର ଦୂର ପଶ୍ଚିମ-ଉତ୍ତର ପଶ୍ଚିମରେ ରହିଛି ବାତ୍ୟା । ଲ୍ୟାଣ୍ଡଫଲ ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୧୨୫ରୁ ୧୩୫  କିଲୋମିଟର ରହିବ । ଅଧିକରୁ ଅଧିକ ୧୫୦ କିମି ପର୍ଯ୍ୟନ୍ତ ପବନ ବହିବା ସମ୍ଭାବନା ରହିଛି ବୋଲି IMD ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ବିପର୍ଯ୍ୟୟ ପାଇଁ ଏବେ ସମୁଦ୍ର ଭିତରେ ପବନର ବେଗର ଘଣ୍ଟା ପ୍ରତି ୧୪୫ରୁ ୧୫୫ କିମି ରହିଛି । ବାତ୍ୟା ପ୍ରଭାବରେ ପଶ୍ଚିମ ଭାରତର ୮ଟି ରାଜ୍ୟ ପ୍ରଭାବିତ ହେବାକୁ ଥିବା ବେଳେ ଗୁଜରାଟ ପାଇଁ ହାଇଆଲର୍ଟ ଜାରି କରାଯାଇଛି । ଗୁଜରାଟରେ ୧୭ଟି NDRF ଟିମ୍ ମୁତୟନ କରାଯାଇଛି । ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ବେଳେ ଆଜି ସନ୍ଧ୍ୟା ଯାଏଁ ସମୁଦ୍ରରେ ୧୪ରୁ ୧୬ ମିଟର ପର୍ଯ୍ୟନ୍ତ ଜୁଆର ଉଠିବା ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ମହାରାଷ୍ଟ୍ର, କେରଳ ଓ ଗୋଆରେ ବିପର୍ଯ୍ୟୟ ପ୍ରଭାବ ଦେଖାଦେଇଛି । ରାଜସ୍ଥାନର କିଛି ଜିଲ୍ଲାରେ ବି ବାତ୍ୟା ପ୍ରଭାବରେ ବର୍ଷା, ପବନ ହୋଇଛି । କେନ୍ଦ୍ର ଗୃହମନ୍ତ୍ରାଳୟ ଲଗାତାର ସ୍ଥିତି ସମୀକ୍ଷା କରୁଛି । ଗୁଜରାଟରେ ଏନଡିଆରଏଫ, ସେନା, ବାୟୁସେନା, ନୌସେନା, ତଟରକ୍ଷୀ ବାହିନୀ ମୁତୟନ ହୋଇଛନ୍ତି । ୪୫ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

କୋଲକାତା ବିମାନବନ୍ଦରରେ ଅଗ୍ନିକାଣ୍ଡ, ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସୂଚନା

କୋଲକାତା: କୋଲକାତାର ସୁବାଷ ଚନ୍ଦ୍ର ବୋଷ ବିମାନବନ୍ଦରରେ ଅଗ୍ନିକାଣ୍ଡ । ଥ୍ରୀ ଏ ଗେଟରେ ଅଗ୍ନିକାଣ୍ଡ ଘଟିଛି । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ରାତି ୯ଟା ୧୦ରେ ନିଆଁ ଲାଗିଥିବା ବେଳେ ନିଆଁକୁ ଅଧଘଣ୍ଟା ଭିତରେ ଆୟତ୍ତ କରାଯାଇଥିଲା । ପ୍ୟାସେଞ୍ଜରମାନେ ବୋର୍ଡିଂ ପାସ୍‌ ନେଉଥିବା ବେଳେ ନିଆଁ ଲାଗିଥିଲା । ଏଥିରେ କୌଣସି ଯାତ୍ରୀ ଆହତ ହୋଇନାହାନ୍ତି । ପରେ ଚେକ ଇନ୍‌ ପ୍ରୋସେସକୁ ମଧ୍ୟ ବନ୍ଦ କରିଦିଆଯାଇଥିଲା । ନିଆଁ ଲିଭାଯିବା ପରେ ପୂରାଅଞ୍ଚଳ ଧୂଆଁ ମୟ ହୋଇଯାଇଥିଲା ।

ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ୫୦ ଆଦିବାସୀ ପରିବାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀରେ ବିଜେଡିର ମିଶ୍ରଣ ପର୍ବ । ବିଜେପି ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି ୫୦ ଆଦିବାସୀ ପରିବାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶମୂଳକ କାର୍ଯ୍ୟ ଓ ସ୍ବଚ୍ଛ ଶାସନରେ ଅନୁପ୍ରାଣୀତ ହୋଇ ସମସ୍ତେ ବିଜେଡିରେ ମିଶିଥିବା କହିଛନ୍ତି । ପାରମ୍ପରିକ ବାଜା ଓ ଆଦିବାସୀ ନାଚର ତାଳେ ତାଳେ ଅନୁଷ୍ଠିତ ଉତ୍ସବରେ ତୁମ୍ବା, ବୁରାତାଳ ଓ ଆଙ୍କୁଲି ପଂଚାୟତର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ନେତା ରୁପ ଦେଓ ନୂତନ କର୍ମୀଙ୍କୁ ଦଳକୁ ସ୍ବାଗତ କରିଛନ୍ତି । କାର୍ଯ୍ୟକ୍ରମରେ ବ୍ଲକ ବିଜେଡି ସଭାପତି ରାମନାଥ ପାଣିଗ୍ରାହୀ ,ଆରଏମସି ସଭାପତି ସଚ୍ଚିଦାନନ୍ଦ ରାଜଗୁରୁ, ବାପୁଜି ବିଷୋୟୀ ଏବଂ ଜିଲ୍ଲା ପରିଷଦ ସଭ୍ୟା ଯଶୋଦା ଶବର ପ୍ରମୁଖ ଉପସ୍ଥିତ ଥିଲେ ।

ପୁଣି ବଢିଲା ରାହୁଲ ଗାନ୍ଧୀଙ୍କ ଅଡୁଆ, ମାନହାନି ମାମଲାରେ ସମନ କଲେ କର୍ଣ୍ଣାଟକ କୋର୍ଟ

ନୂଆଦିଲ୍ଲୀ: ଏକ ମାନହାନି ମାମଲାରେ ବେଙ୍ଗାଲୁରୁର ଏକ କୋର୍ଟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ଉପମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କୁ ସମନ ଜାରି କରିଛନ୍ତି । IPCର ଧାରା ୪୯୯ ଏବଂ ଧାରା ୫୦୦ ଅନୁଯାୟୀ ଏହି ମାମଲାକୁ ଗ୍ରହଣ କରି ବେଙ୍ଗାଲୁରୁର ଅତିରିକ୍ତ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟଙ୍କ କୋର୍ଟ ଶୁଣାଣି ପାଇଁ ଜୁଲାଇ ୨୭କୁ ଦିନ ଧାର୍ଯ୍ୟ କରିଛନ୍ତି । ଅପରାଧିକ ମାମଲାର ଶୁଣାଣି ପାଇଁ ଏହି ସ୍ୱତନ୍ତ୍ର ଅଦାଲତ ଗଠନ କରାଯାଇଛି । ମେ’ ୯ରେ ରାଜ୍ୟ ବିଜେପିର ସମ୍ପାଦକ ଏସ୍ କେଶବପ୍ରସାଦ ମାନହାନି ମାମଲା ଦାୟର କରିଥିଲେ । କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟିର ବିଜ୍ଞାପନରେ ମିଥ୍ୟା ଅଭିଯୋଗ ଯୋଗୁଁ ବିଜେପିର ଛବି ଖରାପ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କେପିସିସି ପ୍ରମୁଖ ଖବରକାଗଜରେ ଏକ ବିଜ୍ଞାପନ ଦେଇଥିଲା । ଏହି ବିଜ୍ଞାପନରେ ଦାବି କରାଯାଇଥିଲା ଯେ ପୂର୍ବତନ ବିଜେପି ସରକାର ୪୦ ପ୍ରତିଶତ ଦୁର୍ନୀତିରେ ସମ୍ପୃକ୍ତ ଏବଂ ଗତ ଚାରି ବର୍ଷ ମଧ୍ୟରେ ରାଜ୍ୟ ରାଜକୋଷରୁ ୧.୫ ଲକ୍ଷ କୋଟି ଟଙ୍କା ଲୁଟ୍ ହୋଇଛି । ବିଜେପି ନେତା ଏସ୍ କେଶବ ପ୍ରସାଦ ଅଭିଯୋଗରେ କହିଛନ୍ତି ଯେ, କଂଗ୍ରେସର ବିଜ୍ଞାପନରେ ହୋଇଥିବା ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ । କୋର୍ଟ ମାମଲାର ଶୁଣାଣି କରିବା ସହ ସମନ କରିଛନ୍ତି ।

ରାତିରେ ବି ଶୁଆଇ ଦେବନି ପ୍ରବଳ ତାତି, ୪୮ ଘଣ୍ଟା ପର୍ଯ୍ୟନ୍ତ ଉଷ୍ମ ରାତି ପାଇଁ ଚେତାବନୀ

ଭୁବନେଶ୍ୱର: ଦିନରେ ସିଭିୟର ହିଟଓ୍ବେଭ୍ । ରାତିରେ ବି ପ୍ରବଳ ତାତି । ୪୮ ଘଣ୍ଟା ପର୍ଯ୍ୟନ୍ତ ଉଷ୍ମ ରାତି ପାଇଁ ଚେତାବନୀ । ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଏବଂ ସୋନପୁରକୁ ସତର୍କତା ଜାରି । ରାତିରେ ସ୍ବାଭାବିକ ଠାରୁ ୪ରୁ ୫ ଡିଗ୍ରୀ ଉପରେ ରହିବ ପାରଦ । ଅନୁଭୁତ ହେବ ଅସ୍ବାଭାବିକ ପାଗ । ଲଗାତାର ଦୁଇ ସପ୍ତାହରୁ ଅଧିକ ସମୟ ଧରି ରାଜ୍ୟରେ ରାଜ୍ କରୁଛି ତାତି । ସୂର୍ଯ୍ୟ ଉଇଁଲେ ଲାଗୁଛି ଅଘୋଷିତ କର୍ଫ୍ୟୁ । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ନିସ୍ତାର ମିଳିବନି ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୪ ଘଣ୍ଟା ପର୍ଯ୍ୟନ୍ତ ସିଭିୟର ହିଟଓ୍ବେଭ ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ଏବଂ ୩ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଝାରସୁଗୁଡା, ସମ୍ବଲପୁର, ବରଗଡ, ବଲାଙ୍ଗିର, ସୋନପୁର, ବୌଦ୍ଧ, ନୂଆପଡା ଏବଂ ସୁନ୍ଦରଗଡରେ ସ୍ବାଭାବିକ ଠାରୁ ୬.୫ ଡିଗ୍ରୀରୁ ଅଧିକ ରହିବ ତାପମାତ୍ରା । ୧୬ ତାରିଖରେ ୯ ଜିଲ୍ଲା, ୧୭ ତାରିଖରେ ୧୨ ଜିଲ୍ଲା ଏବଂ ୧୮ ତାରିଖରେ ୮ ଜିଲ୍ଲାକୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।

ଆସନ୍ତା ୧୮ ରୁ ୨୧ ମଧ୍ୟରେ ଓଡ଼ିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଅଗ୍ରସର ନେଇ ପାଗ ଅନୁକୂଳ ହୋଇଛି । ପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ମୌସୁମୀ ସକ୍ରିୟ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି । ପଶ୍ଚିମବଙ୍ଗର କିଛି ଅଞ୍ଚଳରେ ମୌସୁମୀ ପ୍ରବେଶ କରିଥିବା ବେଳେ ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ଅବଶିଷ୍ଟ ଅଞ୍ଚଳକୁ ଖୁବଶୀଘ୍ର ମୌସୁମୀ ଛୁଇଁବ । ଆରବ ସାଗରରେ ସୃଷ୍ଟି ହୋଇଥିବା ଭୀଷଣ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ ପରେ ଓଡ଼ିଶାକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରିବ । ଏହାସହ ପଶ୍ଚିମା ଉଷ୍ମ ବାୟୁ ପ୍ରବାହ କମିବ । ଫଳରେ ୧୭ ତାରିଖରୁ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ହେବ । ଯାହା ମୌସୁମୀକୁ ବାଟ କଢେଇବ ବୋଲି ଆକଳନ କରାଯାଇଛି ।

ଦିନ ସହ ରାତିରେ ତାତି ବଢିବା ନେଇ ପାଣିପାଗ କେନ୍ଦ୍ରର ଆକଳନ ପରେ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି । ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ସହ ଲୋକଙ୍କୁ ସଚେତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶେଷ କରି ବୟସ୍କ, ଶିଶୁ, ରୋଗୀ ଏବଂ ଗୃହପାଳିତ ପଶୁଙ୍କୁ ଖରା ସଂସ୍ପର୍ଶରେ ନ ଆଣିବାକୁ ପରାମର୍ଶ ଦିଆଯାଇଛି ।

ଶ୍ରୀଜଗନ୍ନାଥଙ୍କ ପାଇଁ ସବୁଧାମରୁ ଶ୍ରେଷ୍ଠ ପୁରୁଷୋତ୍ତମ

ପୁରୀ: ସନାତନ ଧର୍ମରେ ଭୁବନେଶ୍ବର ଚକ୍ରକ୍ଷେତ୍ର, କୋଣାର୍କ ପଦ୍ମକ୍ଷେତ୍ର, ଯାଜପୁରର ଗଦାକ୍ଷେତ୍ରଠାରୁ ଶଙ୍ଖକ୍ଷେତ୍ର ଶ୍ରୀକ୍ଷେତ୍ର ସବୁଠୁ ଶ୍ରେଷ୍ଠ | ଜଗତର ନାଥ ଶ୍ରୀଜଗନ୍ନାଥ ଏହି ଦିବ୍ୟଧାମରେ ମାନବୀୟ ଲୀଳାଖେଳା କରନ୍ତି । ଏ କ୍ଷେତ୍ରର ଶ୍ରେଷ୍ଠତ୍ୱ ସମ୍ପର୍କରେ ନୃସିଂହ ପୁରାଣରେ ବର୍ଣ୍ଣନା ରହିଛି । ମୁଖ୍ୟତଃ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁରୁଷ ଶ୍ରେଷ୍ଠ ବୋଲି ବେଦ ଉପନିଷଦରେ ବର୍ଣ୍ଣନା ରହିଥିବା ବେଳେ ଶ୍ରୀକ୍ଷେତ୍ରକୁ ସାକ୍ଷାତ ବୈକୁଣ୍ଠ ସ୍ବରୂପ କ୍ଷେତ୍ର ଶ୍ରୀପୁରୁଷୋତ୍ତମ ବୋଲି ଅଭିହିତ କରାଯାଇଛି । ଶ୍ରୀମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀକ୍ଷେତ୍ରର ଅଧିପତି ଥିଲେ ଶ୍ରୀପୁରୁଷୋତ୍ତମ । ବେଦ ପୂରାଣରେ ଶ୍ରୀଜଗନ୍ନାଥ ହେଉଛନ୍ତି ବ୍ରହ୍ମଦାରୁ | ଯାହାଙ୍କ ଇଙ୍ଗିତରେ ସଚରାଚର ବିଶ୍ବବ୍ରହ୍ମଣ୍ଡ ଆତଯାତ । ସେ ହସ୍ତପଦ ହୀନ ଦେବତା ହୋଇଥିଲେ ସୁଦ୍ଧା, ସର୍ବଦ୍ରଷ୍ଠା, ସର୍ବସ୍ରୋତା, ସର୍ବଜ୍ଞ ଓ ସର୍ବନ୍ତର୍ଯ୍ୟାମୀ ବ୍ରହ୍ମ ପୁରୁଷ । ତେଣୁ ସେ ପୁରୁଷୋତ୍ତମ ହୋଇଥିବାର ଶ୍ରୀକ୍ଷେତ୍ରର ଅନ୍ୟନାମ ପୁରୁଷୋତ୍ତମ କ୍ଷେତ୍ର ।

ଶଙ୍ଖତୁଲ୍ୟ ଶଙ୍ଖକ୍ଷେତ୍ରର ପଶ୍ଚିମ ସୀମାନ୍ତରେ ଶ୍ରୀଲୋକନାଥ, ପୂର୍ବ ସୀମାନ୍ତରେ ଶ୍ରୀବେଲେଶ୍ୱର ମହାଦେବ, ମଧ୍ୟ ଭାଗରେ ମାଉସୀ ମା’ ଏବଂ କେନ୍ଦ୍ର ସ୍ଥଳରେ ରୋହିଣୀ କୁଣ୍ଡ ଓ କଳ୍ପବୃକ୍ଷ ବିରାଜମାନ । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶଙ୍ଖର ନାଭିପ୍ରଦେଶରେ ଭକ୍ତଙ୍କୁ ହାତଠାରି ଡାକୁଥିବା ପ୍ରତୀୟମାନ । ତେଣୁ ଯୁଗେ ଯୁଗେ ଶ୍ରୀକ୍ଷେତ୍ର ବହୁ ସାଧୁ ସନ୍ଥ ମୁନି ଋଷି ଓ ଯୋଗୀ ଶ୍ରେଷ୍ଠଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହୋଇଛି । ଏହି ଠାରେ ହିଁ ସିଦ୍ଧ ଆଉ ବୁଦ୍ଧଙ୍କ ମିଳନ ଭୂମି । ଏହି ପବିତ୍ର ଧାମରେ ଅଦୈତବାଦୀ ଶଙ୍କରାଚାର୍ଯ୍ୟ, ଶ୍ରୀଚୈତନ୍ୟ, ସନ୍ଥ ନାନକ, ଭକ୍ତ ସାଲବେଗ, ସଦଗୁରୁ ନିଗମାନନ୍ଦ, ସନ୍ଥ ତୁଳସୀଦାସ, ଭକ୍ତ କବି ଜୟଦେବଙ୍କ ପରି ବହୁ ଅଲୌକିକ ସାଧୁସନ୍ଥ ଅବସ୍ଥାନ ପୂର୍ବକ ସାଧନ ଭଜନ କରି ବିଶ୍ବବିଖ୍ୟାତ ହୋଇପାରିଛନ୍ତି ।

ପୁରୁଷୋତ୍ତମ କ୍ଷେତ୍ରର ମନୋରମ, ପବିତ୍ର ବାତାବରଣ ଭକ୍ତ ଓ ଭଗବାନଙ୍କୁ ଏକାକାର କରିବାର ମହାନ ପୀଠ ହୋଇଥିବା ବେଳେ ବିଶ୍ୱର ଯେକୌଣସି ଧାର୍ମିକସ୍ଥଳୀଠାରୁ ପରମ ପାବନ ଆଉ ଶ୍ରେଷ୍ଠ ବୋଲି ବିବେଚନା କରାଯାଏ ।

ମାଣ୍ଡିଆ ଦେଉଛି ରୋଜଗାର, ମେସିନରେ ପ୍ରସ୍ତୁତ କରି ସ୍ବାବଲମ୍ବୀ ହେଉଛନ୍ତି SHG ମାଆ

ଜୟପୁର: ମାଣ୍ଡିଆ ଉତ୍ପତ୍ତିସ୍ଥଳ କୋରାପୁଟ ଜିଲ୍ଲା । ଏଠାରେ ପ୍ରାୟ ୭୦ ଭାଗ ମାଣ୍ଡିଆ ଚାଷ କରାଯାଇଥାଏ । ପୂର୍ବରୁ ଆଦିବାସୀଙ୍କ ଏହା ପ୍ରମୁଖ ଖାଦ୍ୟ ଥିଲା । କିନ୍ତୁ ଏବେ ମାଣ୍ଡିଆର ମୂଲ୍ୟ ବୃଦ୍ଧି କରି ଏଥିରେ ବିଭିନ୍ନ ଖାଦ୍ୟ ପ୍ରସ୍ତୁତ କରାଯାଇପାରୁଛି । ମାଣ୍ଡିଆ ଚା’ , ବିସ୍କୁଟ, ମିକ୍ଚର, କୁକିସ୍, ଲଡୁଠାରୁ ଆରମ୍ଭ କରି ଅନେକ ଚଟପଟି ଖାଦ୍ୟ ପ୍ରସ୍ତୁତ କରାଯାଉଛି । ମିଲେଟ ବ୍ୟାଙ୍କ କରି ବିଭିନ୍ନ ଅତ୍ୟାଧୁନିକ ମେସିନ ସାହାଯ୍ୟରେ ଏସବୁ ପ୍ରସ୍ତୁତ କରି ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମକୁ ପଠାଯାଉଛି । ଏଥିପାଇଁ SHG ମାଆମାନଙ୍କୁ ଦିଆଯାଉଛି ତାଲିମ । ଏହାଦ୍ବାରା ମାଆମାନେ ଆତ୍ମନିର୍ଭରଶୀଳ ହେବା ସହ ପରିବାର ପ୍ରତିପୋଷଣରେ ସହାୟତା କରିପାରୁଛନ୍ତି ।

ମିଲେଟ ବ୍ୟାଙ୍କ ପରିଦର୍ଶନ କରି କୃଷି ସଚିବ SHG ମାଆମାନଙ୍କ ସହିତ ଆଲୋଚନା କରିଛନ୍ତି । ଏଥିପାଇଁ ଭୁବନେଶ୍ବରରେ ଅଧିକ ତାଲିମ ଦେବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ଏବେ ବିଶ୍ବ ଦରବାରରେ ମାଣ୍ଡିଆ ସମସ୍ତଙ୍କ ଆଦ୍ରୁତ ହୋଇ ପାରିଛି । ତେଣୁ ଏହାକୁ ଅଧିକରୁ ଅଧିକ ପ୍ରସାର ଦିଗରେ ମିଲେଟ ବ୍ୟାଙ୍କର କାମକୁ ପ୍ରଶଂସା କରିଛନ୍ତି ସଚିବ । କୋରାପୁଟ ମାଣ୍ଡିଆର ଚାହିଦା ଅଧିକ ରହିଥିବାରୁ ମିଲେଟ ବ୍ୟାଙ୍କ ଜରିଆରେ ଅଧିକ ମାଣ୍ଡିଆ ଜାତ ଦ୍ରବ୍ୟର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି ।