spot_img
Home Blog Page 4328

ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା: ଜଣେ ଗିରଫ, ଆଉ ୪ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ

ହାଇଦ୍ରାବାଦ: ହାଇଦ୍ରାବାଦ ନାବାଳିକା ଗଣଦୁଷ୍କର୍ମ ଘଟଣା । ସାଦୁଦ୍ଦିନ ମଲିକ ନାମକ ଜଣେ ସାବାଳକ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଏହାସହ ଅନ୍ୟ ଜଣେ ସାବାଳକ ଅଭିଯୁକ୍ତ ଓମାର ଖାଁ ଓ ୩ ଜଣ ନାବାଳକ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ । ଗତ ୨୮ ତାରିଖରେ ଏକ ନାଲି ରଙ୍ଗର ମର୍ସିଡିଜ ବେଞ୍ଜ କାରରେ ଜଣେ ୧୭ ବର୍ଷ ବୟସ୍କା ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ନେଇ ଅଭିଯୋଗ ହୋଇଥିଲା । ଏହି ମର୍ସିଡିଜ କାର୍ ଜଣେ ବିଧାୟକଙ୍କର ହୋଇଥିବା କୁହାଯାଇଛି ।

ତେବେ ପୋଲିସ କହିଛି ଏହି ନାରକୀୟ ଘଟଣାରେ ଅନ୍ୟ ଏକ ଇନୋଭା କାର୍ ବି ବ୍ୟବହୃତ ହୋଇଛି । ମର୍ସିଡିଜ କାର୍ ଏକ ବେକରୀ ସପ୍ ଆଗରେ ଠିଆ ହୋଇଥିବା ବେଳେ, ଅଭିଯୁକ୍ତମାନେ ଏକ ଇନୋଭାରେ ଥିଲେ । ଘଟଣାରେ ଓ୍ବାକଅଫ ବୋର୍ଡର ଜଣେ ସଦସ୍ୟଙ୍କ ପୁଅ ତଥା ରାଜ୍ୟ ଗୃହମନ୍ତ୍ରୀଙ୍କ ନାତି ସାମିଲ ଥିବା ଅଭିଯୋଗ ହୋଇଥିବା ବେଳେ, ପୋଲିସ ଏହାକୁ ଖଣ୍ଡନ କରିଛି । ଡିସିପି ଜୋଲ ଡେଭିସ କହିଛନ୍ତି, ଘଟଣାରେ ସମସ୍ତ ୫ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁ ଗୃହମନ୍ତ୍ରୀଙ୍କ ନାତି ସାମିଲ ଥିବା ନେଇ ଯେଉଁ ଅଭିଯୋଗ ହେଉଛି ତାହା ଭିତ୍ତିହୀନ ।

ଗତ ୨୮ ତାରିଖରେ ଏହି ନାବାଳିକାଙ୍କୁ ଘରେ ଛାଡ଼ିଦେବାକୁ କହି ତାଙ୍କୁ ଜଣେ ପୁରୁଷ ବନ୍ଧୁ ଓ ୪ ସାଙ୍ଗ ଏକ କ୍ଲବକୁ ନେଇଥିଲେ । ମାତ୍ର ଜୁବୁଲି ହିଲ୍ସ ନିକଟରେ ପାର୍କିଂ ହୋଇଥିବା କାରରେ ତାଙ୍କୁ ଏହି ବନ୍ଧୁ ଓ ତାଙ୍କର ଅନ୍ୟ ୪ ସାଙ୍ଗ ଗଣଦୁଷ୍କର୍ମ କରିଥିଲେ । ଘଟଣାରେ ଜଣେ ବିଧାୟକଙ୍କ ପୁଅ ସାମିଲ ଅଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ କ୍ଲବକୁ ଅଭିଯୁକ୍ତ ନାବାଳକମାନଙ୍କୁ କିପରି ପ୍ରବେଶ ଅନୁମତି ଦିଆଯାଇଥିଲା ତାହାକୁ ନେଇ ପ୍ରଶ୍ନ ଉଠୁଛି ।

 

 

ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା, ଦୁଇ ନିଯୋଗର ଅସହଯୋଗ ପାଇଁ ନୀତିକାନ୍ତି ବନ୍ଦ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ଅଚଳାବସ୍ଥା । ଜିଦରେ ଅଟଳ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ । ଦୁଇ ନିଯୋଗଙ୍କ ଅସହଯୋଗ ଯୋଗୁଁ ହୋଇପାରୁନି ମଙ୍ଗଳା ଆଳତି । ଆସନ୍ତାକାଲି ଶୀତଳଷଷ୍ଠୀ, ଦେବ ଦମ୍ପତିଙ୍କ ବିବାହ କାର୍ଯ୍ୟ ନେଇ ଲାଗି ରହିଛି ଅନିଶ୍ଚିତତା । ମନ୍ଦିର ଟ୍ରଷ୍ଟ, ପ୍ରଶାସନ ଓ ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ସତ୍ତ୍ୱେ ବାହାରି ପାରୁନି ସମାଧାନର ବାଟ । ଆଜି ପୁଣି ବସିପାରେ ଦୁଇ ନିଯୋଗ କର୍ମକର୍ତ୍ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳଙ୍କ ମଧ୍ୟରେ ଆଲୋଚନା । ନିଯୋଗ କର୍ମକର୍ତ୍ତାଙ୍କୁ ବୁଝାଇବାକୁ ଜାରି ରହିଛି ଉଦ୍ୟମ । ଆଲୋଚନାରୁ କିଛି ନିଷ୍କର୍ଷ ବାହାରିବା ନେଇ ଉଭୟ ପକ୍ଷ ଆଶାବାଦୀ ଅଛନ୍ତି । ସମାଧାନର ବାଟ ନବାହାରିଲେ ଏଥର ଶୀତଳଷଷ୍ଠୀ ବାଧାପ୍ରାପ୍ତ ହେବାର ସମ୍ଭାବନା ରହିଛି ।

ରାଜଧାନୀର ଆତଙ୍କରାଜ, ରିଲସରେ ଫଲୋଅର୍ସ ବଢ଼ିବାରୁ ସଂଘବଦ୍ଧ ଆକ୍ରମଣ

ଭୁବନେଶ୍ୱର: ରାଜଧାନୀର ଆତଙ୍କରାଜ । ରିଲସରେ ଫଲୋଅର୍ସ ବଢ଼ିଲା ବୋଲି ଯୁବକଙ୍କୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ସିସିଟିଭିରେ ପୂରା ଆକ୍ରମଣର ଭିଡିଓ କଏଦ ହୋଇଛି । ରାଜଧାନୀ ଭୁବନେଶ୍ବର ସହିଦନଗରରେ ଦେଖିବାକୁ ମିଳିଛି ଏଭଳି ଏକ ଲୋମହର୍ଷଣକାରୀ ଘଟଣା । ଗତ ମେ ୩୧ ତାରିଖରେ ଏହି ଘଟଣା ଘଟିଥିଲା । ରାତି ୮ଟାରେ ଖଣ୍ଡା, ଭୂଜାଲି ଧରି ୯ ନମ୍ବର ଅଞ୍ଚଳରେ ରହୁଥିବା ଚନ୍ଦନଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣିଥିବା ଦେଖିବାକୁ ମିଳିଥିଲା । ଆକ୍ରମଣରେ ଚନ୍ଦନ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ରିଲ୍ସ ଭିଡିଓ ବଢ଼ିବାକୁ ନେଇ ଚନ୍ଦନଙ୍କୁ ଆକ୍ରମଣ ହୋଇଛି । ଘଟଣା ଦିନ ରାତି ପ୍ରାୟ ୮ଟା ବେଳେ ଚନ୍ଦନ ମହର୍ଷି କଲେଜ ପଛରେ ଥିବା ଏକ ଚା ଦୋକାନରେ ଛିଡ଼ା ହୋଇଥିବା ବେଳେ, କିଛି ଦୁର୍ବୃତ୍ତ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଫିଲ୍ମ ଷ୍ଟାଇଲରେ ଗୋଡାଇ ଗୋଡାଇ ହାଣିଥିଲେ । ଏନେଇ ସହିଦନଗର ଥାନାରେ ଅଭିଯୋଗ ହୋଇଛି । ଏହି ସ୍ଥାନରେ ମଦ ଏବଂ ଡ୍ରଗ୍ସ ନିଶାଖୋର ମାନେ ଆଡ୍ଡା ଜମାଉ ଥିବା ବେଳେ ପାଟ୍ରୋଲିଂ ହେଉନଥିବା ଅଭିଯୋଗ ହୋଇଛି ।

ଉପତ୍ୟକାରେ ସକ୍ରିୟ ଆତଙ୍କବାଦୀ, ସପ୍ତାହକରେ ୮ ଜଣଙ୍କୁ ହତ୍ୟା

ଶ୍ରୀନଗର: କାଶ୍ମୀର ଉପତ୍ୟକାରେ ସକ୍ରିୟ ହୋଇଉଠିଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ କରି ଆତଙ୍କ ସୃଷ୍ଟି କରିଛନ୍ତି ଆତଙ୍କୀ । ସପ୍ତାହକ ମଧ୍ୟରେ ୮ ଜଣଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । କାଶ୍ମୀର ପଣ୍ଡିତ ଏବେ କାଶ୍ମୀର ଛାଡ଼ି ଅନ୍ୟତ୍ର ପଳାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ କାଶ୍ମୀର ବିମାନ ବନ୍ଦରରେ ଗତକାଲି ପ୍ରବଳ ଭିଡ଼ ଜମାଇଥିଲେ । ଉପତ୍ୟକାରେ ଟାର୍ଗେଟ କିଲିଂ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ାଇଦେଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦିଲ୍ଲୀରେ ଉଚ୍ଚସ୍ତରୀୟ ବୈଠକରେ ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ।

ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଜାମ୍ମୁ ଓ କାଶ୍ମୀର ପ୍ରଶାସନର ଉଚ୍ଚ ଅଧିକାରୀ ଏବଂ ସୁରକ୍ଷା ଓ ଗୁଇନ୍ଦା ଏଜେନ୍ସୀ ଅଧିକାରୀଙ୍କ ସହ ବୈଠକ କରିଛନ୍ତି ଅମିତ ଶାହ । ଜାମ୍ମୁ ଓ କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଗୁରୁବାର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଓ ଗୁଇନ୍ଦା ଅଧିକାରୀଙ୍କୁ ମଧ୍ୟ ଭେଟିଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ଏପଟେ ସୁରକ୍ଷା ଦାବିରେ ଶ୍ରୀନଗର ଓ ଅନ୍ୟାନ୍ୟ ସ୍ଥାନରେ କାଶ୍ମୀରୀ ପଣ୍ଡିତମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କ୍ୟାମ୍ପରେ ରହୁଥିବା କାଶ୍ମୀରୀ ପଣ୍ଡିତମାନେ ମଧ୍ୟ ଉପତ୍ୟକା ଛାଡ଼ି ଜାମ୍ମୁ ଯିବା ଆରମ୍ଭ କଲେଣି । ଏଭଳି ସ୍ଥିତି ପାଇଁ ସେମାନେ ଉପରାଜ୍ୟପାଳଙ୍କୁ ଦାୟୀ କରିଛନ୍ତି । ବିଭିନ୍ନ ରାଜନୈତିକ ଦଳ କାଶ୍ମୀର ଉପତ୍ୟକାରେ ଟାର୍ଗେଟ କିଲିଂକୁ ନିନ୍ଦା କରିଛନ୍ତି । ଉପତ୍ୟକାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ବିଭିନ୍ନ ଦଳର ନେତା କହିଛନ୍ତି ।

ରେକର୍ଡ ଭାଙ୍ଗୁଛି ତାତି, ୪୫ ଡିଗ୍ରୀ ଛୁଇଁଲାଣି ପାରା

ଭୁବନେଶ୍ୱର:ଜଳୁଛି ଆଭ୍ୟନ୍ତରୀଣ ଓଡ଼ିଶା । ୪୫ ଡିଗ୍ରୀ ଛୁଇଁଲା ଟିଟିଲାଗଡ଼ର ତାପମାତ୍ରା । ୬ଟି ସହରର ତାପମାତ୍ରା ୪୪ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରେକର୍ଡ ହୋଇଛି । ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତିରୁ ମୁକ୍ତି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେପଟେ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଅଧିକାଂଶ ସ୍ଥାନରେ ତାପମାତ୍ରା ୩୯ ଡିଗ୍ରୀ କିମ୍ବା ତାଠାରୁ ତଳକୁ ରହୁଥିବା ବେଳେ ଆର୍ଦ୍ରତା ୭୦ ପ୍ରତିଶତରୁ ଅଧିକ ରହୁଥିବାରୁ ୫୦ ଡିଗ୍ରୀ ତାପମାତ୍ରା ଅନୁଭବ ହେଉଛି ।

ସେପଟେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ଜାରି ରହିବ । ବିଶେଷ କରି ଉପକୂଳ ଏବଂ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ପାଇଁ ୮ଟି ଜିଲ୍ଲା କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ମୟୁରଭଞ୍ଜ ଏବଂ ବାଲେଶ୍ବରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୮ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ପ୍ରଭାବ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଆଜି ଦେବ ଦମ୍ପତିଙ୍କ ବାହାଘର, ମଧ୍ୟରାତ୍ରୀରେ ବରବେଶରେ ବାହାରିବେ ମହାଦେବ

ସମ୍ବଲପୁର: ଦୁଲୁକୁଛି ସମ୍ବଲପୁର । ଆଜି ଦେବ ଦମ୍ପତିଙ୍କ ବାହାଘର । ଝାଡ଼ୁଆପଡ଼ାର ଲୋକନାଥ ବାବା, ବଡ଼ବଜାରର ଶିତଳେଶ୍ବର ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ନନ୍ଦପଡ଼ାର ବମବରାଡ ବାଲୁଙ୍କେଶ୍ବର ବାବାଙ୍କର ହେବ ବିବାହ ଉତ୍ସବ । ମଧ୍ୟରାତ୍ରୀରେ ବରବେଶରେ ବାହାରିବେ ଦେବଦେବ ମହାଦେବ । ବିରାଟ ପଟୁଆରରେ କନ୍ୟା ଘରକୁ ବରବେଶରେ ଯିବେ ବାବା ଭୋଳାନାଥ । ବିବାହ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାର ସାମିଲ ହେବେ ।

ବିବାହ ପରେ ହେବ କନ୍ୟା ବିଦାୟ ପର୍ବ । ବିଶ୍ବାସ ରହିଛି ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କଲେ ସମସ୍ତ ପାପ କ୍ଷୟ ହୋଇଥାଏ । ଏଥିପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଲୋକଙ୍କ ସମାଗମ ହେବ । ବିବାହ ପରେ ବଡ଼ ସିଂହାର ବେଶରେ ଦର୍ଶନ ଦେବେ ବାବା । ଯୁଗଳମୂର୍ତ୍ତିଙ୍କ ନଗର ପରିକ୍ରମା ପରେ ନବ ଦମ୍ପତିଙ୍କ ମନ୍ଦିର ପ୍ରବେଶ ସହ ଶେଷହେବ ଶୀତଳ ଷଷ୍ଠୀ ଯାତ୍ରା । ଏହାପୂର୍ବରୁ ମହାଦେବଙ୍କ ପତରପେଣ୍ଡି ବା ନିର୍ବନ୍ଧ, ମାତା ପାର୍ବତୀଙ୍କ ତେଲ ହଳଦୀ ଓ ବିବାହ ପାଇଁ ନୃସିଂହ ନିଉତା ଶେଥ ହୋଇଥିଲା ।

ସାକାର ହେଉଛି ଛାତ୍ରଛାତ୍ରୀଙ୍କ ସ୍ୱପ୍ନ, ଆଜି ୪୯୨ ରୂପାନ୍ତରିତ ସ୍କୁଲକୁ ଲୋକାର୍ପିତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସାକାର ହେଉଛି ପିଲାଙ୍କ ସ୍ବପ୍ନ । ଚକାଚକ ସ୍କୁଲରେ ବସି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । ସ୍ମାର୍ଟ କ୍ଲାସରୁମ, ପାଠାଗାର, ଇ-ଲାଇବ୍ରେରି ଓ ଆଧୁନିକ ବିଜ୍ଞାନାଗାରକୁ ନେଇ ରୂପାନ୍ତରିତ ହେଉଛି ହାଇସ୍କୁଲ । ପାଠପଢ଼ା ସହିତ କ୍ରୀଡ଼ାର ବିକାଶ ଏବଂ ଛାତ୍ରଛାତ୍ରୀଙ୍କ ସର୍ଜନାତ୍ମକ ପ୍ରତିଭାର ପ୍ରଦର୍ଶନ ଲାଗି ସ୍କୁଲଗୁଡ଼ିକରେ ବିଶେଷ ସୁଯୋଗ ସୃଷ୍ଟି କରାଯାଉଛି । ରାଜ୍ୟରେ କ୍ରମାଗତ ଭାବେ ଚାଲିଛି ସ୍କୁଲ ରୂପାନ୍ତରିକରଣ କାର୍ଯ୍ୟକ୍ରମ ।

ଆଜି ଦ୍ବିତୀୟ ପର୍ଯ୍ୟାୟ ରୂପାନ୍ତରଣର ତୃତୀୟ ଦିନରେ ରାଜ୍ୟର ୫ଟି ଜିଲ୍ଲାର ୪୯୨ ହାଇସ୍କୁଲକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦୁଝର ଜିଲ୍ଲାରେ ୧୪୫ ହାଇସ୍କୁଲ, ରାୟଗଡ଼ାରେ ୭୦, ନୂଆପଡ଼ାରେ ୪୫, ଦେବଗଡ଼ରେ ୫୨ ଓ ସୁନ୍ଦରଗଡ଼ରେ ୧୮୦ଟି ହାଇସ୍କୁଲକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।

ପୁରୀରେ 5T ସଚିବ, ମହାପ୍ରଭୁଙ୍କୁ ଦର୍ଶନ ପରେ ବୁଲି ଦେଖିଲେ ପରିକ୍ରମା ପ୍ରକଳ୍ପ

ପୁରୀ: ପୁରୀରେ 5-T ସଚିବ ଭି.କେ ପାଣ୍ଡିଆନ । ଆଜି ସେ ପୁରୀ ଆସି ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କୁ ଦର୍ଶନ ପରେ ପରିକ୍ରମା ପ୍ରକଳ୍ପ କାମକୁ ବୁଲି ଦେଖିବା ସହ ସମୀକ୍ଷା କରିଛନ୍ତି 5T ସଚିବ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଓବିସିସି ଓ ଅନ୍ୟାନ୍ୟ ଅଧିକାରୀ ରହିଥିବା ବେଳେ ପ୍ରକଳ୍ପ ନିର୍ମାଣର ଅଗ୍ରଗତି ସମ୍ପର୍କରେ 5T ସଚିବ ଭି.କେ ପାଣ୍ଡିଆନ ତଦାରଖ କରିଛନ୍ତି । ପ୍ରକଳ୍ପ ଚତୁପାର୍ଶ୍ବକୁ ଆଜି ବୁଲି ଦେଖି ସମୀକ୍ଷା କରିଛନ୍ତି ।

ପୂର୍ବରୁ ମଧ୍ୟ ସେ ବହୁବାର ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିବା ବେଳେ, ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କ ଏହି ଉନ୍ନତି ମୂଳକ ପ୍ରକଳ୍ପ କାର୍ଯ୍ୟ ସୁରୁଖୁରୁରେ ସାରିବା ନେଇ ତୀକ୍ଷ୍ମ ନଜର ରଖିଛନ୍ତି । ତେବେ ଗତକାଲି ସୁପ୍ରିମକୋର୍ଟ ପ୍ରକଳ୍ପ ନିର୍ମାଣକୁ ନେଇ ସୁପ୍ରିମ ରାୟ ପ୍ରକାଶ ପରେ 5T ସଚିବ ଓ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶ୍ରୀମନ୍ଦିର ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ।

ବ୍ରଜରାଜନଗର ବିଜୟ: ବିଜେଡି କାର୍ଯ୍ୟାଳୟରେ ଉତ୍ସବମୁଖର

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ଉତ୍ସବମୁଖର ହୋଇଛି ବିଜେଡି କାର୍ଯ୍ୟାଳୟ । ଦଳୀୟ କର୍ମୀ, ବିଧାୟକ ଓ ନେତା ପାଳନ କରୁଛନ୍ତି ବିଜୟ ଉତ୍ସବ । ବିକାଶ ସହ ଯୋଡ଼ି ହୋଇଛନ୍ତି ବ୍ରଜରାଜନଗରବାସୀ । ମିଛ ରାଜନୀତି ଓ ମିଛ ପ୍ରଚାରକୁ ପ୍ରତ୍ୟାଖ୍ୟାନ କରି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତିଙ୍କୁ ବିପୁଳ ଭୋଟରେ ଜିତାଇଛନ୍ତି ଜନତା। ଭୁବନେଶ୍ବର ବିଜେଡି କାର୍ଯ୍ୟାଳୟରେ ବିଧାୟକ, ସମେତ ନେତା ଓ କର୍ମୀମାନେ ବିଜୟ ଉତ୍ସବ ପାଳନ କରୁଛନ୍ତି ।

ଦିନେ ବାମପନ୍ଥୀ ଗଡ଼ ଥିବା ବ୍ରଜରାଜନଗରରେ ସିପିଆଇ ପ୍ରାର୍ଥୀ ରମେଶ ତ୍ରିପାଠୀ ମାତ୍ର ୩ ହଜାର ୯୬ଟି ଭୋଟ୍‌ ପାଇଛନ୍ତି । ୭ ଜଣ ସ୍ବାଧୀନ ପ୍ରାର୍ଥୀଙ୍କ ମଧ୍ୟରୁ ଆଦିତ୍ୟ ପ୍ରଧାନ ସର୍ବାଧିକ ୧୮ଶହ ୮୪ ଖଣ୍ଡ ଭୋଟ ପାଇଥିବା ବେଳେ ଏହା ତଳକୁ ନୋଟାରେ ପଡ଼ିଛି ୧୫ ଶହ ୧୧ଖଣ୍ଡ ଭୋଟ । ୨୦୧୯ରେ ବିଜେପିକୁ ୬୮ହଜାରରୁ ଅଧିକ ଭୋଟ ମିଳିଥିବା ବେଳେ ଏଥର ଦଳ ତିନି ନମ୍ବର ସ୍ଥାନକୁ ଖସିଛି । ପରାଜୟକୁ ବିଜେପି ସ୍ବୀକାର କରିଥିବା ବେଳେ ୨ ନମ୍ବର ସ୍ଥାନକୁ ଉଠିଥିବା କଂଗ୍ରେସ ଶିବିର ଉତ୍ସାହିତ ହୋଇଛି ।

ଶ୍ରୀକ୍ଷେତ୍ରରେ ଅଦିନିଆ ଦୀପାବଳି, ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟରେ ଆନନ୍ଦିତ ପୁରୀବାସୀ

ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ବନ୍ଦ କରିବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ମାମଲା ରଦ୍ଦ ହୋଇଯାଇଛି । ସର୍ବୋଚ୍ଚ ଅଦାଲତଙ୍କ ଏହି ଐତିହାସିକ ରାୟକୁ ନେଇ ସବୁଠି ଏବେ ଖୁସିର ମାହୋଲ । ବିଶେଷକରି ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ପୁରୀରେ ଅଦିନିଆ ଦୀପାବଳି ଦେଖିବାକୁ ମିଳିଛି । ପୁରୀ ସହରରେ ପ୍ରାୟ ୨୫ ହଜାର ଦୀପ ପ୍ରଜ୍ବଳନ କରାଯାଇ ରାୟକୁ ସ୍ଵାଗତ କରାଯାଇଛି ।

ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ସମେତ ବିଭିନ୍ନ ସାହିରେ ଏହି ପ୍ରଦୀପ ପ୍ରଜ୍ବଳନ କରାଯାଇଛି । ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ସମେତ ୩୨ଟି ୱାଡର ମହିଳାମାନଙ୍କ ପକ୍ଷରୁ ଏହି ପ୍ରଦୀପ ପ୍ରଜ୍ଜଳନ କରାଯାଇଛି । ପୁରୀରେ ଏହିଭଳି ବିକାଶ କାମ ଜାରି ରହୁ ବୋଲି କହିଛନ୍ତି ପୁରୀବାସୀ । ଶ୍ରୀମନ୍ଦିରର ଶ୍ରୀ ବୃଦ୍ଧି ଦିଗରେ ରାଜ୍ୟ ସରକାରଙ୍କ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ଶେଷ ହେବାକୁ ମଧ୍ୟ ପ୍ରାର୍ଥନା କରିଛନ୍ତି ପୁରୀ ବାସୀ   ।