spot_img
Home Blog Page 4331

ସ୍କୁଲ ରୂପାନ୍ତରୀକରଣ ପରେ କେମିତି ଚାଲିଛି ପାଠପଢ଼ା ? ସମୀକ୍ଷା କଲେ 5T ସଚିବ

କେନ୍ଦୁଝର: କେନ୍ଦୁଝର ଗସ୍ତରେ ଅଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5T ସଚିବ ଭିକେ ପାଣ୍ଡିଆନ । କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିବା ପରେ ସ୍କୁଲ ମୁହାଁ ହୋଇଥିଲେ ସଚିବ । ସ୍କୁଲ ରୂପାନ୍ତରଣ ପରେ କେମିତି ଚାଲିଛି ପାଠପଢା, ତା’ର ତଦାରଖ ପାଇଁ ବାସୁଦେବପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ 5T ସଚିବ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ଓ ଜଳ ସମ୍ପଦ ଅତିରିକ୍ତ ସଚିବ ମଧ୍ୟ ସ୍କୁଲ ଗସ୍ତ କରିଥିଲେ । ଇ-କ୍ଲାସରୁମ୍ ଓ ଅତ୍ୟାଧୁନିକ ଲାଇବ୍ରେରୀରେ ପାଠପଢ଼ା ଆଗ୍ରହ ବଢ଼ାଇଛି ।

ସ୍କୁଲ ରୂପାନ୍ତରଣ ନେଇ ପିଲାଙ୍କ ଅନୁଭୂତି ମଧ୍ୟ ଶୁଣିଛନ୍ତି 5T ସଚିବ । ରୂପାନ୍ତିକରଣ କାର୍ଯ୍ୟର ତଦାରଖ କରିବା ସହିତ 5T ସଚିବ ଛାତ୍ରୀମାନଙ୍କ ସହିତ ଖେଳ ପଡ଼ିଆରେ ବାସ୍କେଟ୍ ବଲ୍ ଖେଳିଥିଲେ । ସ୍କୁଲ ବୁଲିବା ସହ ଛାତ୍ରଛାତ୍ରୀଙ୍କ ସହ ଏକାଠି ବସି ମଧ୍ୟାହ୍ନ ଭୋଜନ ଖାଇଥିଲେ । ପ୍ରଥମ ପର୍ଯ୍ୟାୟ ସ୍କୁଲ ରୂପାନ୍ତର ପର୍ବ ଗଞ୍ଜାମ ହିଞ୍ଜିଳିକାଟୁରୁ ଆରମ୍ଭ ହୋଇ ଯାଜପୁରରେ ଶେଷ ହୋଇଥିଲା । ଏଥିରେ ସାରା ରାଜ୍ୟରେ ୧୦୭୮ଟି ସ୍କୁଲର ରୂପାନ୍ତର କାର୍ଯ୍ୟ ଶେଷ ହୋଇଛି ।

କେନ୍ଦୁଝର ଗସ୍ତ ଅବସରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଜଳ ସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗ ଏବଂ 5T ଶାସନ ସଚିବ ଭି.କେ ପାଣ୍ଡିଆନ୍ କାନପୁର ବୃହତ ଜଳ ସେଚନ ଡ୍ୟାମ୍ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିଲେ । ଡ୍ୟାମ ନିର୍ମାଣ କାମ ତ୍ୱରାନ୍ୱିତ ହୋଇଥିବା ବେଳେ ୨୦୨୩ ଡିସେମ୍ବର ସୁଦ୍ଧା ସରିବା ନେଇ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ପ୍ରକଳ୍ପ ଦ୍ୱାରା କେନାଲ୍ ମାଧ୍ୟମରେ ପ୍ରାୟ ୩୦ ହଜାର ହେକ୍ଟର ଏବଂ ପାଇପ୍ ଯୋଗେ ଉଠା ଜଳସେଚନ ଦ୍ୱାରା ପ୍ରାୟ ୧୦ ହଜାର ହେକ୍ଟର ମୋଟ ୪୦ ହେକ୍ଟର ଜମି ଜଳସେଚିତ ହେବ ।

ଯୋଡ଼ା ବ୍ଲକର ବାସୁଦେବପୁର ଠାରେ ବୈତରଣୀ ନଦୀ ଉପରେ ନିର୍ମାଣ ହେଉଥିବା ଏହି ଡ୍ୟାମ୍ ଦ୍ୱାରା ଚମ୍ପୁଆ, ଝୁମ୍ପୁରା, ପାଟଣା, କେନ୍ଦୁଝର ସଦର ଏବଂ ଯୋଡ଼ା ବ୍ଲକର ୨୪୪ଟି ଗାଁର ଚାଷୀ ଉପକୃତ ହେବେ । ୨୦୨୩ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ ଘରକୁ ପାଇପ୍ ଯୋଗେ ଜଳ ଯୋଗାଣ ନେଇ ଲକ୍ଷ୍ୟ ରଖା ଯାଇଛି ।

ବୁର୍ଖା ପିନ୍ଧିଥିବାରୁ ପରୀକ୍ଷା ଦେବାକୁ ମିଳିଲାନି ଅନୁମତି

ବେଙ୍ଗାଲୁରୁ: ବୁର୍ଖା ପିନ୍ଧିଥିଲେ ବୋଲି ଦୁଇ ଛାତ୍ରୀଙ୍କୁ ମିଳିଲାନି ପରୀକ୍ଷା ଦେବାର ଅନୁମତି । ଏହାପରେ ଛାତ୍ରୀ ଦୁଇଜଣ ନିରାଶ ହୋଇ ଫେରି ଯାଇଛନ୍ତି । ଏହି ଘଟଣା ଘଟିଛି କର୍ଣ୍ଣାଟରର ଉଡୁପିରେ । ଦ୍ବାଦଶ ବୋର୍ଡ ପରୀକ୍ଷା ଚାଲିଥିଲାବେଳେ ଦୁଇ ଜଣ ଛାତ୍ରୀ ବୁର୍ଖା ପିନ୍ଧି ପରୀକ୍ଷା ହଲକୁ ଆସିଥିଲେ ।

ଏଠାରେ କ୍ଲାସରୁମରରେ ବୁର୍ଖା ପିନ୍ଧିବାକୁ ନେଇ ବିବାଦ ଉପୁଜିଥିଲା । ହିଜାବକୁ କ୍ଲାସରୁମରେ ଅନୁମତି ଦେବାକୁ ଦାବି କରି ଆଲିୟା ଆସାଦି ଏବଂ ରେସମା କୋର୍ଟର ଦ୍ବାରସ୍ଥ ହୋଇଥିଲେ । ହେଲେ ଏହାକୁ କୋର୍ଟ ଆଗ୍ରାହ୍ୟ କରିଥିଲେ । ଏବେ ସେମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, ୫ ଫେବ୍ରୁଆରିରେ ସ୍କୁଲ କଲେଜରେ ହିଜାବ ପିନ୍ଧିବା ଉପରେ ରୋକ ଲାଗିଥିଲା । ଏହା ପରେ କର୍ଣାଟକର କିଛି ସହରରେ ବିରୋଧ ପ୍ରଦର୍ଶନ ହୋଇଥିଲା । ପରେ ଏହି ମାମଲା ହାଇକୋର୍ଟରେ ଯାଇ ପହଞ୍ଚିଥିଲା । ୧୦ ଫେବ୍ରୁଆରିରେ କୋର୍ଟ ଶିକ୍ଷାନୁଷ୍ଠାନ ମାନଙ୍କରେ ଧାର୍ମିକ ବେଶବୁଷା ଉପରେ ପ୍ରତିବନ୍ଧକ ଲଗାଇ ଦେଇଥିଲେ । ଏହା ପରେ ଶିକ୍ଷାନୁଷ୍ଠାନକୁ ହିଜାବ ପିନ୍ଧି ଆସୁଥିବା ଛାତ୍ରୀ ଏବଂ ଶିକ୍ଷୟିତ୍ରୀଙ୍କ ପ୍ରବେଶ ଉପରେ କଟକଣା ଲଗେଇ ଦିଆଯାଇଥିଲା ।

୯ ହଜାର ୟୁକ୍ରେନବାସୀଙ୍କୁ ଗଣ କବର ଦେଇଛନ୍ତି ଋଷ ସୈନ୍ୟ

କିଭ୍: ମାରିୟୁପୋଲରେ ଗଣ କବର । ବନ୍ଦର ସହରରେ ଘମାଘୋଟ ଯୁଦ୍ଧ ପରେ ସାମ୍ନାକୁ ଆସିଛି ଛାତିଥରା ଚିତ୍ର । ସାଟେଲାଇଟ ଇମେଜରେ ଗଣ ଜନସମାଧିର ସତ । ପୋର୍ଟସିଟିରେ ଗଣହତ୍ୟାକାଣ୍ଡ ଲୁଚାଇବା ପାଇଁ ଋଷ ସୈନ୍ୟ ପ୍ରାୟ ୯ ହଜାର ସାଧାରଣ ନାଗରିକଙ୍କୁ ଗଣ କବର ଦେଇଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି । ମାରିୟୁପୋଲରେ ୨ ଶହରୁ ଅଧିକ ଗଣ କବର ଦିଆଯାଇଥିବା ମକ୍ସର ଟେକ୍ନୋଲୋଜି ଜାରି କରିଥିବା ସାଟେଲାଇଟ ଇମେଜରୁ ଜଣାପଡ଼ିଛି ।

ସେପଟେ ମାରିୟୁପୋଲରୁ ୩ଟି ବସରେ ସାଧାରଣ ନାଗରିକଙ୍କୁ ଉଦ୍ଧାର କରାଯାଇ ଜାପୋରିଜାଝିଆ ନିଆଯାଇଛି । ପୁଟିନଙ୍କ କ୍ରିମିଆରୁ ଋଷ ପର୍ଯ୍ୟନ୍ତ ଲ୍ୟାଣ୍ଡ ବ୍ରିଜ ଯୋଜନା ଯୋଗୁ ପୋର୍ଟସିଟିରେ ଆହୁରି ଜୋରଦାର ଆଟାକ ହୋଇପାରେ ବୋଲି ଆଶଙ୍କା କରିଛି ୟୁକ୍ରେନ । ପୁରା ସହରରେ ଏୟାର ଷ୍ଟ୍ରାଇକ ଆଲର୍ଟ ଜାରି କରାଯାଇଛି । ଯୁଦ୍ଧକୁ ୫୮ ଦିନ ହୋଇଥିବା ବେଳେ ଆକ୍ରମଣକୁ ଆହୁରି ଜୋରଦାର କରିଛି ମସ୍କୋ । ଯୁଦ୍ଧ ମୁକାବିଲା ଲାଗି ୟୁକ୍ରେନକୁ ଆହୁରି ଯୁଦ୍ଧାସ୍ତ୍ର ଯୋଗାଇବାକୁ ସାରାବିଶ୍ବକୁ ନିବେଦନ କରିଛନ୍ତି ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ।

ୟୁକ୍ରେନ ଉପରେ ଆକ୍ରମଣ ଯୋଗୁ ବିଶ୍ବର ବିଭିନ୍ନ ରାଷ୍ଟ୍ର ଋଷ ଉପରେ କଡ଼ା ପ୍ରତିବନ୍ଧକ ଲଗାଇଛନ୍ତି । ଏହାର ପ୍ରତି ଜବାବରେ କେତେକ ରାଷ୍ଟ୍ର ଉପରେ କଟକଣା ଜାରି କରିଛି ଋଷ । ଆମେରିକା ଓ କାନାଡ଼ାର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ଋଷ ଗସ୍ତ ଉପରେ କଟକଣା ଲଗାଇଛି ମସ୍କୋ । ଆମେରିକା ଉପରାଷ୍ଟ୍ରପତି କମଲା ହରିଶଙ୍କ ସମେତ କେତେଜଣ ଉଦ୍ୟେଗପତି, ସାମ୍ବାଦିକଙ୍କ ନାଁ ସାମିଲ ରହିଛି ।

ଦିଲ୍ଲୀ ରୋହିଣୀ କୋର୍ଟରେ ପୁଣି ଫାୟାରିଂ

ନୂଆଦିଲ୍ଲୀ: ଦିଲ୍ଲୀ ରୋହିଣୀ କୋର୍ଟରେ ପୁଣି ଫାୟାରିଂ । ଆଇନଜୀବୀ  ଓ କୋର୍ଟ ପରିସରରେ ଥିବା ସୁରକ୍ଷାକର୍ମୀଙ୍କ ମଧ୍ୟରେ କୌଣସି କାରଣରୁ ଯୁକ୍ତିତର୍କ ହେବା ପରେ ଫାୟାରିଂ ହୋଇଛି ।

ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆଇନଜୀବୀ ଆହତ ହୋଇଥିବା ସୂଚନା ମିଳିଛି । କୋର୍ଟ ପରିସରରେ ଫାୟାରିଂକୁ ନେଇ ଆତଙ୍କ ଖେଳିଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ତେବେ ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନାହିଁ ।

ଏଠାରେ ଆମେ କହି ରଖିବାକୁ ଚାହୁଁଛୁ ଯେ, କୋର୍ଟ ପରିସରରେ ଫାୟାରିଂ ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ କୋର୍ଟ ପରିସରରେ ଫାୟାରିଂ ଏବଂ ବମ୍ ବ୍ଲାଷ୍ଟ ଭଳି ଖବର ସାମ୍ନାକୁ ଆସିଥିଲା ।

୨ ଶିଶୁଙ୍କ ଆଗରେ ମା’କୁ ହତ୍ୟା: ସିସିଟିଭିରେ କଏଦ ହେଲା ସବୁ ଦୃଶ୍ୟ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲା ଭଳି  ଘଟଣା ଘଟିଛି । ଦୁଇ ଶିଶୁଙ୍କ ଆଗରେ ମା’କୁ ହାଣି ହତ୍ୟା କରିଛି ଜଣେ ବ୍ୟକ୍ତି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀରେ ଘଟିଛି ଏହି ଘଟଣା । ହତ୍ୟା ପରେ ଅଭିଯୁକ୍ତ ଉକ୍ତ ସ୍ଥାନ ଛାଡ଼ି ଚମ୍ପଟ ମାରିଛି । ଏହି ସବୁ ଘଟଣା ସିସିଟିଭିରେ କଏଦ ହୋଇଛି ।

ସିସିଟିଭିରେ ଦେଖାଯାଉଛି ଯେ, ମହିଳା ଜଣଙ୍କ ନିଜକୁ ରକ୍ଷା କରିବାପାଇଁ ଦୌଡି ଯାଇ ଜଣଙ୍କ ଘରେ ପଶି ଯିବାକୁ ଉଦ୍ୟମ କରୁଛନ୍ତି । ଠିକ୍ ସେହି ସମୟରେ ଅଭିଯୁକ୍ତ ତାଙ୍କ ଉପରେ ଆକ୍ରମଣ କରିଦେଉଛି ।

ମହିଳାଙ୍କ ନାମ ହେଉଛି ଆରତୀ । ସେ ଭାଗମପୁର ଅଞ୍ଚଳରେ ରହୁଥିଲେ । ମହିଳାଙ୍କ ଉପରକୁ ଆକ୍ରମଣ ବେଳେ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ସଠିକ୍ ସମୟରେ ପହଞ୍ଚିଥିଲା । ଏହା ପରେ ଗଭୀର ରୂପେ ଆହତ ହୋଇଥିବା ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।

ପୁଲିସ୍‌ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି। ସିସିଟିଭିରେ ମହିଳା ଜଣଙ୍କ ଦୁଇ ପିଲାଙ୍କୁ ଧରି ଘରକୁ ଫେରୁଥିବା ବେଳେ ଜଣେ ଯୁବକ ତାଙ୍କ ପିଛା କରିଥିଲା। ଏହା ପରେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ଛୁରୀ ଭୁସିବା ସହ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା।

ମେ’ ମାସରେ ଖରାଛୁଟି କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଆସିଛି: ସମୀର ଦାସ

ଭୁବନେଶ୍ୱର: ବଦଳିପାରେ ଖରାଛୁଟି ନିଷ୍ପତ୍ତି । ମେ’ ବଦଳରେ ଜୁନ୍ ମାସରେ ଖରାଛୁଟିକୁ ନେଇ ଅନେକ ଅଭିଯୋଗ ଆସିଥିବା ବେଳେ ପରିସ୍ଥିତି ଦେଖି ବିଭାଗ ବିଚାର କରିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ବର୍ତ୍ତମାନ କରୋନା ପ୍ରଭାବ ସେଭଳି ନାହିଁ । ଦଶମ ଓ ଦ୍ୱାଦଶ ପରୀକ୍ଷା ପାଇଁ କୌଣସି ଅସୁବିଧା ହେବନି । ସ୍ଵାସ୍ଥ୍ୟ ବିଭାଗ ପରାମର୍ଶ ଅନୁଯାୟୀ ପଦକ୍ଷେପ ନିଆଯାଉଛି ।

ଅନ୍ୟପକ୍ଷରେ ଚଳିତ ସପ୍ତାହରେ ଛାତ୍ରଛାତ୍ରୀଙ୍କୁ ମିଳିବ ସ୍ୱତନ୍ତ୍ର ପୁସ୍ତିକା । ଯେଉଁଥିରେ ଦୁଇ ବର୍ଷର ପୁରୁଣା ପାଠ ରହିବ । ମେ’ରେ ଆରମ୍ଭ ହେବାକୁ ଥିବା ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ଏହି ସ୍ୱତନ୍ତ୍ର ପୁସ୍ତକ ଦେବାର ଉଦ୍ଦେଶ୍ୟ ହେଉଛି ଦୁଇ ବର୍ଷର ପିଲାଙ୍କ ପାଠ ପଢ଼ା କ୍ଷତି ଭରଣା କରିବା । ଏହା କେବଳ ଖରା ଛୁଟି ସମୟରେ ହେବାକୁ ଥିବା କ୍ଲାସରେ ପଢ଼ାଯିବନି । ପୂରା ସେସନରେ ଏହି ପାଠ ପଢ଼ାଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ।

ଚଇତି ପର୍ବରେ ତୁମୁଳକାଣ୍ଡ, ଧାରୁଆ ଅସ୍ତ୍ରରେ ଆକ୍ରମଣ, ୨ ମୃତ

ଜୟପୁର: ଚଇତି ପର୍ବ ଚାଲିଥିବା ବେଳେ ତୁମୁଳକାଣ୍ଡ । ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ । ଧାରୁଆ ଅସ୍ତ୍ରରେ ହୋଇଥିବା ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ଜୟପୁରର ଦାମନଯୋଡ଼ି ଥାନା ସିନ୍ଧିପାର୍‌ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଚଇତି ପର୍ବ ବେଣ୍ଟ ପରେ ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ, କୌଣସି କାରଣରୁ କିଛି ଯୁବକଙ୍କ ମଧ୍ୟରେ ବଚସା ହୋଇଥିଲା । ଦୁର୍ବୃତ୍ତମାନେ ପୂର୍ଣ୍ଣ ନାୟକ ଏବଂ ଦେବେନ୍ଦ୍ର ଦାମୀ ନାମକ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ବେଳେ ସୋମନାଥ ଦାମୀ ନାମକ ବ୍ୟକ୍ତିଙ୍କୁ ବିଶାଖାପାଟଣା ମେଡିକାଲ ସ୍ଥାନାନ୍ତର କରାଯାଇଛି । ଉତ୍ତେଜନାକୁ ଦୃଷ୍ଚିରେ ରଖି ଉକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଏହି ଘଟଣାରେ କିଛି ଲୋକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି ।

ଖୁଲାସା କଲେ ରଣବୀର: ଆଦିତ୍ୟ ଚୋପ୍ରା କହିଥିଲେ ତୁମେ ହ୍ରିତିକ୍ ନୁହଁ…

ମୁମ୍ବାଇ: ଭିନ୍ନ ଭୂମିକାରେ ଷ୍ଟାଇଲିସ ଅଭିନେତା ରଣବୀର ସିଂ । ଦର୍ଶକ ଏବେ ତାଙ୍କୁ ନୂଆ ଲୁକରେ ଦେଖିବେ । କାରଣ ରଣବୀର ତାଙ୍କ ଫ୍ୟାନ ମାନଙ୍କପାଇଁ ଏକ ନୂଆ ଫିଲ୍ମ ନେଇ ଆସିଛନ୍ତି । ଏହାର ନାଁ ହେଉଛି ‘ଜୟେସଭାଇ ଜୋରଦାର୍’ । ଏହି ଫିଲ୍ମରେ ଆାପଣଙ୍କୁ ଗୁଜୁରାଟି ତଡକା ଦେଖିବାକୁ ମିଳିବ ।

ଏବେ କିନ୍ତୁ ରଣବୀର ତାଙ୍କର ଏକ ପୁରୁଣା ଅନୁଭବ ସେୟାର କରିଛନ୍ତି । ସେ ତାଙ୍କର ପ୍ରଥମ ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ବେଳେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା ତାଙ୍କୁ ନେଇ ଏକ କଥା କହଥିଲେ । ଯାହାକୁ କି ରଣବୀର ଏବେ ସେୟାର କରିଛନ୍ତି । ସେ କହିଛନ୍ତି ଯେ, ‘ମୋର ପ୍ରଥମ ଫିଲ୍ମ ରିଲିଜ ପୂର୍ବରୁ ପୋଷ୍ଟର ବିଭିନ୍ନ ଜାଗାରେ ଲାଗିଥିଲା । ମୁଁ ଏକ ଫିଲ୍ମ ଦେଖିବାକୁ ଗଲାବେଳ ଲୋକେ ପୋଷ୍ଟର ଆଗରେ ଠିଆ ହେବାର ଦେଖିଲି । ସେମାନେ କ’ଣ କଥା ହେଉଛନ୍ତି ଜାଣିବାପାଇଁ ମୁଁ ତାଙ୍କ ପାଖକୁ ଯାଇଥିଲି । ସେମାନେ କଥା ହେଉଥିଲେ ଇଏ କିଏ? ଇଏ ତ ହିରୋ ଭଳି ଦେଖାଯାଉନି?’  ଏହା ପରେ ନିର୍ଦ୍ଦେଶକ ଆଦିତ୍ୟ ଚୋପ୍ରା କହିଥିଲେ ‘ତୁମେ ହ୍ରିତିକ୍ ରୋସନ ନୁହଁ, ତେଣୁ ତୁମେ ଅଭିନୟ କର’ ।

ଏହା ପରେ ନିଜେ ଆଦିତ୍ୟ ହିଁ ତାଙ୍କୁ ବଲିଉଡରେ ଡେବ୍ୟୁ କରାଇଥିଲେ । ନିକଟରେ ତାଙ୍କର ନୂଆ ଫିଲ୍ମ ‘ଜୟେସଭାଇ ଜୋରଦାର୍’ର ଟ୍ରେଲର ରିଲିଜ ହୋଇସାରିଛି । ଏଥିରେ ରଣବୀର ଜଣେ ଗୁଜୁରାଟି ବ୍ୟକ୍ତି ଚରିତ୍ରରେ ନଜର ଆସିବେ । ତାଙ୍କ ବିପକ୍ଷରେ ଅର୍ଜୁନ ରେଡି ଫେମ୍ ଅଭିନେତ୍ରୀ ଶାଲିନୀ ପାଣ୍ଡେଙ୍କୁ ଦେଖିବାକୁ ମିଳିବ । ଏହି ଫିଲ୍ମ ଜରିଆରେ ଶାଲିନୀ ବଲିଉଡରେ ଡେବ୍ୟୁ କରିବେ । ତେବେ ଫିଲ୍ମରେ ରଣବୀରଙ୍କ ବ୍ୟତୀତ ରତ୍ନା ପାଠକ ଓ ବୋମନ ଇରାନୀ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଆସନ୍ତା ମେ ୧୩ରେ ରିଲିଜ ହେବ ।

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ ଓ 5T ସଚିବ, କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ

କେନ୍ଦୁଝର: କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, 5T ସଚିବ ଭି.କେ. ପାଣ୍ଡିଆନ୍ ଓ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । କେନ୍ଦୁଝର ଯୋଡ଼ା ବ୍ଲକ ବାସୁଦେବପୁର ନିକଟ କାନପୁର ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ । ଚିମିଳାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ସେଠାରୁ ସଡ଼କ ପଥରେ ନିର୍ମାଣାଧୀନ କାନପୁର ଡ୍ୟାମ୍ ଅଞ୍ଚଳରେ ପହଞ୍ଚିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍-ଟି ସଚିବ । ୨ ହଜାର ୪୩୮ କୋଟି ଟଙ୍କାର ନିର୍ମାଣାଧୀନ କାନପୁର ଜଳସେଚନ ପ୍ରକଳ୍ପ କାର୍ଯ୍ୟ ଓ ଅନ୍ୟ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ-ଟି ସଚିବ ।

ରାଜଧାନୀରେ ଲୁଟେରାଙ୍କ ରାଜ୍, ସୁନା ଦୋକାନୀଙ୍କଠାରୁ ଲୁଟି ନେଲେ ୬ ଲକ୍ଷ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ରାଜ୍ । ସୁନା ଦୋକାନୀଙ୍କଠାରୁ ଲୁଟ୍ । ରାତିରେ ଦୋକାନ ବନ୍ଦ କରି ସ୍କୁଟିରେ ଯାଉଥିବା ବେଳେ ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା । ୬ ଲକ୍ଷ ଟଙ୍କାର ସୁନା ଗହଣା ଭର୍ତ୍ତି ବ୍ୟାଗ ଲୁଟ୍ ହୋଇଥିବା ଜଣାପଡ଼ିଛି । ଗୋଟିଏ ପଲସରରେ ୩ ଜଣ ଲୁଟେରା ଆସି ସୁନା ଗହଣା ଲୁଟ କରିଥିବା ଅଭିଯୋଗ ହୋଇଛି । ଏନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଛି ତଦନ୍ତ । ଆଖ ପାଖରେ ଲାଗିଥିବା ସିସିଟିଭି ଫୁଟେଜକୁ ବି ଯାଞ୍ଚ କରୁଛି ପୋଲିସ । ଗତବର୍ଷ ମଧ୍ୟ ସୁନା ଦୋକାନ ମାଲିକ ଓମ୍ ପ୍ରକାଶ ସାହୁଙ୍କ ଦୋକାନରୁ କୋଟିଏ ଟଙ୍କାର ସୁନା ଗହଣା ଲୁଟି ଚମ୍ପଟ ମାରିଥିଲେ ଲୁଟେରା । ଆଉ ଗତକାଲି ରାତିରେ ବନ୍ଧୁକ ଦେଖାଇ ସୁନା ଦୋକାନ ମାଲିକଙ୍କଠାରୁ ଲୁଟେରା ଲୁଟି ନେଇଥିଲେ ସୁନା ଗହଣା ।