ନୂଆଦିଲ୍ଲୀ: ଯୁଦ୍ଧ ଆରମ୍ଭରୁ ବଢିଲା ଅଶୋଧିତ ତୈଳଦର । ତେଲର ଦାମ୍ ବ୍ୟାରେଲ ପିଛା ୧୦୭ ଡଲାରରେ ପହଞ୍ଚିଛି । ୨୦୧୪ ପରେ ପ୍ରଥମଥର ଲାଗି ଅଶୋଧିତ ତୈଳ ଦର ଏଭଳି ସ୍ତରରେ ପହଂଚିଛି । ଆଗାମୀ ଦିନରେ ବଜାରରେ ତୈଳଦର ଆହୁରି ବଢିବାର ଆଶଙ୍କା ରହିଛି । ଏହା ଭାରତ ପାଇଁ ଚିନ୍ତା ବଢାଇଛି । ଭାରତ ନିଜ ୮୨ ପ୍ରତିଶତ ତେଲ ବାହାରୁ ଆମଦାନୀ କରୁଥିବାରୁ ଏହା ଚିନ୍ତାର କାରଣ ପାଲଟିଛି । ଚଳିତବର୍ଷ ମଧ୍ୟରେ ଅଶୋଧିତ ତୈଳ ଦର ୨୨ ଡଲାର ବୃଦ୍ଧି ଘଟିଛି । ବିଶ୍ୱରେ ଋଷ ହେଉଛି ତୃତୀୟ ବୃହତ ତୈଳ ଆମଦାନୀ ରାଷ୍ଟ୍ର । ତେଣୁ ଯୁଦ୍ଧ ଭିତରେ ଆମଦାନୀ ପ୍ରଭାବିତ ହେବ ବୋଲି ଆଶାଙ୍କା ବୃଦ୍ଧି ପାଇଛି । ସମ୍ଭାବ୍ୟ ତୈଳ ସଙ୍କଟର ମୁକାବିଲା ପାଇଁ ଭାରତ ସରକାର ଖାଲି ଥିବା ତୈଳ ଭଣ୍ଡାର ଗୁଡିକୁ ଭର୍ତ୍ତି କରିବାକୁ ଯୋଜନା କରୁଛନ୍ତି ।
ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଆଇପିଏଲ ମହାସମର, ମୁମ୍ବାଇ ଓ ପୁନେରେ ଖେଳାଯିବ ସମସ୍ତ ମ୍ୟାଚ
ନୂଆଦିଲ୍ଲୀ: ଆଇପିଏଲ ୨୦୨୨ ପାଇଁ ବାଜିଛି ବିଗୁଲ । ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ଆଇପିଏଲର ମହାସମର । ଟାଟା ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେବା ନେଇ ଗଭର୍ନିଙ୍ଗ କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଚଳିତ ଥର ଆଇପିଏଲ ଭାରତରେ କରିବାକୁ ନିଷ୍ପତ୍ତି ନେଇଛି ବିସିଆଇ । ମାର୍ଚ୍ଚ ୨୬ରେ ଆଇପିଏଲ ଆରମ୍ଭ ହେଉଥିବାବେଳେ ମେ’ ୨୯ ତାରିଖରେ ଆଇପିଏଲ ଫାଇନାଲ ମ୍ୟାଚ ଖେଳାଯିବ । ଏନେଇ ଆଇପିଏଲ ଚେୟାରମ୍ୟାନ ବ୍ରିଜେଶ ପଟେଲ ସୂଚନା ଦେଇଛନ୍ତି । ଆଇପିଏଲର ସମସ୍ତ ମ୍ୟାଚ ମୁମ୍ବାଇ ଓ ପୁନେରେ ଖେଳାଯିବ ।
ଚଳିତବର୍ଷ ଆଇପିଏଲରେ ୧୦ ଟିମ୍ ଭାଗ ନେଇଛନ୍ତି । ସେହିପରି ମୁମ୍ବାଇ ଓ ପୁନେର ୪ ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ଚଳିତ ଆଇପିଏଲର ମୁମ୍ବାଇରେ ୫୫ଟି ମ୍ୟାଚ ଖେଳାଯିବାକୁ ଥିବା ବେଳେ ୧୫ଟି ମ୍ୟାଚ ପୁନେରେ ଖେଳାଯିବ । ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ୨୦ଟି ମ୍ୟାଚ ଖେଳାଯିବାକୁ ଥିବାବେଳେ ସିସିଆଇ ଷ୍ଟାଡିୟମରେ ୧୫ଟି ମ୍ୟାଚ ଓ ଡି.ଓ୍ୱାଇ ପାଟିଲ ଷ୍ଟାଡିୟମରେ ୨୦ଟି ଓ ପୁନେରେ ୧୫ଟି ମ୍ୟାଚ ଖେଳାଯିବ ।
ଭିଜିଲାନ୍ସ ଜାଲରେ ASI, ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢ଼ାଉ
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଓଡ଼ିଶା ମୋଟର ଭେଇକିଲ ଡିପାର୍ଟମେଣ୍ଟର ଏଏସଆଇ । ଏଏସଆଇ ହରେକୃଷ୍ଣ ନାୟକଙ୍କ ବାସଭବନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । କଟକ, ପୁରୀ, ଝାରସୁଗୁଡା ଓ ଗଞ୍ଜାମ ଜିଲ୍ଲାରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ । ଚଢ଼ାଉ ବେଳେ ୪ ଲକ୍ଷ ୪୬ ହଜାର ଟଙ୍କା ଜବତ ହୋଇଛି । ଭିଜିଲାନ୍ସର ଏହି ରେଡରେ ୩ ଜଣ ଡିଏସପି, ୧୦ ଇନ୍ସପେକ୍ଟର ଓ ଅନ୍ୟ ଅଫିସର ସାମିଲ ହୋଇଛନ୍ତି ।
କଟକ ଫ୍ରେଣ୍ଡସ କଲୋନୀରେ ଦୁଇ ମହଲା କୋଠା ଓ ପୁରୀ କୃଷ୍ଣପ୍ରସାଦ ମାଲୁଦାରେ ନିର୍ମାଣାଧୀନ ୨ ମହଲା କୋଠା ଠାବ ହୋଇଛି । ସେହିପରି ଝାରସୁଗୁଡା OMVD/RTO ଅଫିସ ଓ ବିଜୁ ନଗର ଭଡା ଘରେ ମଧ୍ୟ ଚଢାଉ କରିଛି ଭିଜିଲାନ୍ସ । ଅନ୍ୟପକ୍ଷରେ ଗଞ୍ଜାମ ଲାଞ୍ଜିପାଲିର ସଂପର୍କୀୟଙ୍କ ଘରେ ଓ ବ୍ରହ୍ମପୁର ରାମନଗରରେ ଥିବା ଏକ ଘରେ ରେଡ ଚାଲିଛି ।

