spot_img
Home Blog Page 4656

ଫସିଯାଇଛି ମମତା, କାନ୍ଦୁଛନ୍ତି କୁକୁର ଛୁଆ

ନନ୍ଦିଘୋଷ ବ୍ୟୁରୋ: ପାଚେରୀ ଭିତରେ ମାଆ । ପାଚେରୀ ବାହାରେ ମମତାର ରାହା । ଲୁହ ଆଗରେ ବାଧା ଲୁହାବାଡ । ଅସହ୍ୟ ଶୀତରେ ସାତ ରାତି । ମୁଣ୍ଡ ଉପରେ ଖୋଲା ଆକାଶ, ମନ ଭିତରେ ମମତାର ଆଶଙ୍କା । ଖାଦ୍ୟର ସନ୍ଧାନ ଯେ, ବନ୍ଧନରେ ବାଧକ ସାଜିବ ସେ ବା ଜାଣିବ କିପରି । ସେ ବା ମାଆ । ଛୁଆଙ୍କ ପେଟକୁ ଦାନା ଦିଇଟା ଦେବାପାଇଁ ସବୁଦିନେ ଭଳି ବାହାରି ଯାଇଥିଲା । ହେଲେ ସୁଉଚ୍ଚ ପାଚେରୀ ଭିତରେ ଫସିଯାଇଥିଲା ମାଆ କୁକୁରଟି । ନା ସେ ଡାକି ପାରୁଛି, ନା କିଏ ଦେଖିପାରୁଛି । ସ୍ନେହ କାଙ୍ଗାଳୀ ମାଆଟି କେବଳ ଆଉଟ ପାଉଟୁ ହେଉଛି । ଏପଟେ ମାଆକୁ ପାଖରେ ନପାଇ ପାଗଳ ପ୍ରାୟ ହୋଇପଡିଥିଲେ ଛୁଆ କୁକୁର ।

ଏମିତି ଏକ ବ୍ୟାକୁଳତା ପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଥିଲା ଭୁବନେଶ୍ୱରର ପ୍ରେସଛକ ନିକଟରେ । ଖାଦ୍ୟ ଅନେଷ୍ୱଣରେ ଏକ ସୁଉଚ୍ଚ ପାଚେରୀରେ ଆବଦ୍ଧ ପଡିଆ ଭିତରକୁ ଚାଲି ଯାଇଥିଲା ମାଆ କୁକୁରଟି । ବାହାରେ ୪ଟି ଛୁଆ କୁକୁର ରହିଯାଇଥିବାବେଳେ ମାଆ କୁକୁରଟି ସେମାନଙ୍କୁ ଦେଖି ପାରୁଥିଲେ ମଧ୍ୟ ଖାଇବାକୁ ଦେଇପାରୁନଥିଲା । ସେପଟେ ଛୁଆ ଗୁଡା ମଧ୍ୟ ଭୋକ ଉପାସରେ ରୁଗ୍ଣ ହୋଇପଡିଥିବା ଦେଖିବାକୁ ମିଳିଛି । ଶେଷରେ ଖବର ପହଁଚିଥିଲା ଅଗ୍ନିଶମ କର୍ମଚାରୀଙ୍କ ପାଖରେ । ଜଣେ କେହି ବ୍ୟକ୍ତି କୁକୁରଟିର ଏହି ଅବସ୍ଥା ଦେଖି ସୂଚନା ଦେଇଥିଲେ । ଆଉ ଦୀର୍ଘ ସମୟର ଉଦ୍ୟମ ପରେ କୁକୁରଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଅଗ୍ନିଶମ କର୍ମଚାରୀ ।

ସାତ ରାତିର ଭୋକକୁ ଭୁଲି ଲୁହା ଫାଟକର ଫାଙ୍କାରେ ବାହାରିଥିଲା ସ୍ନେହ କାଙ୍ଗାଳୀ ମାଆଟି । ଯମ ଯାତନାର କଷ୍ଟ କିନ୍ତୁ ଅଟକାଇ ପାରିନଥିଲା । ମିଳନର ସେ ମୂହୂର୍ତ୍ତ ଉପସ୍ଥିତ ଲୋକଙ୍କୁ ସ୍ତମ୍ବିଭୁତ କରୁଥିଲା । ବାହାରିବା ମାତ୍ରେ ଛୁଆଙ୍କ ପାଖକୁ ସିଧା ଛୁଟିଥିଲା । ଛୁଆଙ୍କୁ ପାଇବା ମାତ୍ରେ ଚୁମି ଯାଉଥିଲା ମାଆଟି । ଆଉ ମାଆକୁ ଦେଖି କୁନି କୁକୁର ମାନେ ଖୁସିରେ ବିଭୋର ହୋଇପଡୁଥିଲେ । କୋଳରେ ଲୋଟି ପଡୁଥିଲେ । ଅବୁଝା ଭାଷାକୁ ବୁଝିବା ମାଆ ଆଗରେ ପରସୁ ଥିଲେ । ଆଉ କହୁଥିଲେ ମାଆ ଅଛି ଯାହାର, ସବୁ ଅଛି ତାର….

ଓଡ଼ିଶାର ଉଷୁନା ଚାଉଳ ନେବାକୁ ଏଫସିଆଇ କୁନ୍ଥକୁନ୍ଥ

ଭୁବନେଶ୍ବର: ଓଡ଼ିଶାର ବଳକା ଉଷୁନା ଚାଉଳ ନେବାକୁ ଏଫସିଆଇ କୁନ୍ଥକୁନ୍ଥ । ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ବି ଫରକ ପଡ଼ୁନି । ଓଲଟା ଚିଠି ଲେଖି କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ କହିଲେଣି ଉଷୁନା ଚାଉଳ ପରିବର୍ତ୍ତେ ଅରୁଆ ଉତ୍ପାଦନ କରୁ ରାଜ୍ୟ । ଏ ନେଇ ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲେଖିବା ପରେ କେନ୍ଦ୍ର ସରକାରଙ୍କ ବିରୋଧରେ ତେଜିଛି ଅସନ୍ତୋଷ । କେନ୍ଦ୍ର ସରକାର ରାଜ୍ୟ ପ୍ରତି ସାମ୍ବିଧାନିକ ଦାୟିତ୍ବ ଭୁଲି ଗଲେଣି ବୋଲି ବିରୋଧୀ ଅଭିଯୋଗ କରିଥିବାବେଳେ ବିଜେଡି କହିଛି ସଂସଦର ବଜେଟ୍‌ ଅଧିବେଶନରେ ଏ ନେଇ ସ୍ବର ଉଠାଇବ ।

କେନ୍ଦ୍ର-ରାଜ୍ୟ ଅରୁଆ ବନାମ ଉଷୁନା ୱାର । ରାଜ୍ୟକୁ ନାଲିଆଖି । ଚଳିବନି ଉଷୁନା, ପାରୁଛ ଯଦି ଅରୁଆ ଦିଅ । ଉଷୁନା ନକରି ଅରୁଆ କର । ଓଡ଼ିଶା ଚାଷୀଙ୍କୁ ପରିହାସ କରି ଏପରି କହିଛି କେନ୍ଦ୍ର । ଏଫସିଆଇରେ ଯେତିକି ଉଷୁନା ଚାଉଳ ଅଛି ଦେଢରୁ ଦୁଇ ବର୍ଷ ଯିବ । ତେଣୁ କେବଳ ଅରୁଆ ଉତ୍ପାଦନ ପାଇଁ କେନ୍ଦ୍ର ଖାଦ୍ୟ ରାଷ୍ଟ୍ରମନ୍ତ୍ରୀ ସାଧ୍ବୀ ନିରଞ୍ଜନ ଜ୍ୟୋତି ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଚିଠି ଲଖିଛନ୍ତି ।

୨୦୨୧-୨୨ ଖରିଫ ବର୍ଷର ୧୦ ଲକ୍ଷ ଚାଷୀଙ୍କର ୨୪ ଲକ୍ଷ ମେଟ୍ରିକ୍‌ ଟନ୍‌ ଉଷୁନା ଚାଉଳ ବଳକା ରହୁଛି । ଏହାକୁ ଏଫସିଆଇ ଉଠାଉନି । ଏ ନେଇ ଗତବର୍ଷ ଅକ୍ଟୋବର ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ବଳକା ଉଷୁନା ଉଠାଇବାକୁ ଅନୁରୋଧ କରିଥିଲେ । ନିଜେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ବି ସମାନ ପ୍ରସଙ୍ଗ ସଂସଦରେ ଉଠାଇଥିଲେ । ଏବେ କେନ୍ଦ୍ରମନ୍ତ୍ରୀ ଯେପରି ଉତ୍ତର ରଖିଛନ୍ତି ତାକୁ ନେଇ ବିଜେଡି ପୂରା ଖପ୍ପା । କେନ୍ଦ୍ର ସରକାର ଜାଣିଶୁଣି ଅଣ ବିଜେପି ଶାସିତ ରାଜ୍ୟ ସରକାରମାନଙ୍କୁ ହଇରାଣ କରିବା ପାଇଁ ଏପରି ଦୋହରା ନୀତି ଆପଣାଉଛନ୍ତି । ସଂସଦର ଆଗାମୀ ବଜେଟ୍‌ ଅଧିବେଶନରେ ଏ ନେଇ ସ୍ବର ଉଠିବ ବୋଲି କହିଛନ୍ତି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ।

କିଏ ଭୁଲୁଛି ସାମ୍ବିଧାନିକ ଦାୟିତ୍ହ ? ଓଡ଼ିଶା ଓ ତେଲେଙ୍ଗାନାର ୯୦ ପ୍ରତିଶତ ଲୋକ ଉଷୁନା ଚାଉଳ ଖାଇଥାନ୍ତି । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଚାଉଳ ଉତ୍ପାଦନ କରିବ । କିନ୍ତୁ ଚାଉଳ ସଂଗ୍ରହ କରିବା ଦାୟିତ୍ବ କେନ୍ଦ୍ର ସରକାରଙ୍କର । ଓଡ଼ିଶାର ଉଷୁନା ଚାଉଳ ସଂଗ୍ରହ ନ କରି କେନ୍ଦ୍ର ସରକାର ତାଙ୍କ ସାମ୍ବିଧାନିକ ଦାୟିତ୍ବ ଭୁଲି ଯାଉଛନ୍ତି । ଏପରିକି ବହୁ ଦକ୍ଷିଣ ପୂର୍ବ ରାଷ୍ଟ୍ରମାନେ ବି ଉଷୁନା ଚାଉଳ ନେଇଥାନ୍ତି । ଉଷୁନା ଅଧିକ ଥିଲେ ତାକୁ ପଡୋଶୀ ରାଷ୍ଟ୍ରକୁ ବିକି ପାରିବେ । ଫଳରେ କେନ୍ଦ୍ର ଓ ଓଡ଼ିଶା ଚାଷୀ ଭଲ ଅର୍ଥ ପାଇ ଲାଭବାନ ହେବେ । ଯଦି କେନ୍ଦ୍ର ପାରୁନି ତେବେ ପଡ଼ୋଶୀ ରାଷ୍ଟ୍ରମାନଙ୍କ ସହିତ ଚୁକ୍ତି କରିବା ପାଇଁ ଓଡ଼ିଶା ସରକାରଙ୍କୁ କ୍ଷମତା ଦିଅନ୍ତୁ ବୋଲି ପରାମର୍ଶ ଦେଇଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଉଷୁନା ଚାଉଳ ସଂଗ୍ରହ କରିବନି ବୋଲି କେନ୍ଦ୍ରର ନୂଆ ଫନ୍ଦି  । ଏହାକୁ ନେଇ ଆଗାମୀ ଦିନରେ ସରଗରମ ହେବ ରାଜନୀତି । ଅନ୍ୟପଟେ କେନ୍ଦ୍ରର ଏପରି ପାତରଅନ୍ତର ନୀତି ବିରୋଧରେ ଚାଷୀ ଅସନ୍ତୋଷ ବି ଦାନା ବାନ୍ଧୁଛି ।

ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା, ୨୬ ଯାଏଁ ପ୍ରବେଶ ନିଷେଧ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଲାଗି ଆଜିଠାରୁ ବନ୍ଦ ହେଲା ଐତିହାସିକ ଲାଲକିଲ୍ଲା । ଆସନ୍ତା ୨୬ ତାରିଖ ଯାଏ ଲାଲକିଲ୍ଲା ଭିତରକୁ ଯାଇପାରିବେନାହିଁ ସାଧାରଣ ନାଗରିକ ଓ ପର୍ଯ୍ୟଟକ । ନିରାପତ୍ତା କାରଣରୁ ଏହି ପଦକ୍ଷେପ ନେଇଛି ଦିଲ୍ଲୀ ପୋଲିସ । ଦିଲ୍ଲୀର ସାଧାରଣତନ୍ତ୍ର ଦିବସ ପରେଡ ଲାଗି ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି ଏବଂ ଲାଲକିଲ୍ଲାକୁ ସମ୍ପୂର୍ଣ୍ଣ ସୁରକ୍ଷା ବଳୟରେ ରଖାଯାଇଛି ।

ସାଧାରଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ଲାଗି ଆତଙ୍କବାଦୀ ସଂଗଠନ ଉଦ୍ୟମ କରିବା ଆଶଙ୍କା ଥିବାରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ପ୍ରତିବର୍ଷ ସାଧାରଣତନ୍ତ୍ର ଦିବସ ପରେଡ ଉତ୍ସବ ଜାନୁଆରୀ ୨୪ରୁ ଆରମ୍ଭ ହେଉଥିବାବେଳେ ଚଳିତ ବର୍ଷ ଏହା ଜାନୁଆରୀ ୨୩ରୁ ଆରମ୍ଭ ହେଉଛି । ସେପଟେ ସାଧାରଣତନ୍ତ୍ର ଦିବସ ପାଳନ ଲାଗି ଜାରି ରହିଛି ଅଭ୍ୟାସ ପରେଡ । ସଶସ୍ତ୍ର ବାହିନୀ ସମେତ ଅନ୍ୟାନ୍ୟ ବିଭାଗ ଏଥିରେ ସାମିଲ ହୋଇଛନ୍ତି ।

ଗାଙ୍ଗୁଲି କହିଲେ ବିରାଟ ଚାହୁଁଥିଲେ ୱାନ ଡେ କ୍ୟାପଟେନ୍ସି..

ନୂଆଦିଲ୍ଲୀ: ଥମୁନାହିଁ ବିରାଟ ବିବାଦ  । କିଛିଦିନ ହେଲା ଭାରତୀୟ କ୍ରିକେଟ ଟିମରେ ଠିକ ଠାକ ଚାଲୁନାହିଁ  । ଏମିତିକି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ କ୍ୟାପଟେନ ବିରାଟ କୋହଲିଙ୍କ ସମ୍ପର୍କ ବି ଠିକ୍ ନାହିଁ  । ଏହି ବିବାଦକୁ ନେଇ ଦୀର୍ଘଦିନ ଧରି ଚୁପ ରହିଥିବା ଦାଦା, ତେବେ ମୁହଁ ଖୋଲିଛନ୍ତି  । ଡିସେମ୍ବର ୨୦୨୧ରେ କୋହଲିଙ୍କ ଠାରୁ ବିସିସିଆଇ ଦିନିକିଆ ଅଧିନାୟକ ପଦବୀ ଛଡାଇ ନେଇଥିଲା  । ଏହାପରେ 33 ବର୍ଷିୟ କୋହଲି ଟେଷ୍ଟ କ୍ୟାପଟେଂନ୍ସିରୁ ଇସ୍ତଫା ଦେଇଥିଲେ  । କିନ୍ତୁ କ୍ୟାପଟେନ କୋହଲିଙ୍କ ହଠାତ ଏଭଳି ନିଷ୍ପତି ହଇରାଣ କରିଦେଇଥିଲା  ।

କିନ୍ତୁ ଏ ସବୁ ଭିତରେ ଚାଲିଥିବା କନ୍ଦଳ ବେସିଦିନ ଲୁଚି ରହିନଥିଲା  । ସୂଚନା ମୁତବାକ ଗତବର୍ଷ ଡିସେମ୍ବର ମାସରେ କୋହଲିଙ୍କ ଠାରୁ ଅଧିନାୟକ ପଦବୀ ଛଡାଇ ନିଆଯାଇଥିଲା  । ସାଉଥ ଆଫ୍ରିକା ମ୍ୟାଚ ପୂର୍ବରୁ କୋହଲିଙ୍କୁ କାରଣ ଦର୍ଶାଅ ନୋଟିସ ପଠାଇବାକୁ ଚାହୁଁଥିଲେ ଗାଙ୍ଗୁଲି  । ୱାନ ଡେ  ଏବଂ ଟି ଟ୍ୱେଟିଂ ପଦବୀକୁ ନେଇ ସାମ୍ବାଦିକ ସମ୍ମିଳନୀ ଡକାଇଥିଲେ ବିରାଟ କୋହଲି  । ଏବଂ କହିଥିଲେ ଯେବେ ମୁଁ କ୍ୟାପଟେନ୍ସି ଛାଡିବା ନିଷ୍ପତ୍ତି ନେଇଥିଲି, ମୋତେ କେହି ମଧ୍ୟ ରୋକି ନଥିଲେ  । ଫଳରେ ଏଭଳି ପ୍ରତିକ୍ରିୟା କେଉଁଠି ନା କେଉଁଠି ବିସିସିଆଇ ଏବଂ ଗାଙ୍ଗୁଲିଙ୍କ ଛବି ଉପରେ ପ୍ରଭାବ ପକାଇଥିଲା  ।  ପରେ  ଏହି ଘଟଣାକୁ ନେଇ ସୋ କଜ ନୋଟିସ ପଠାଇବାକୁ ପ୍ରସ୍ତୁତ କରିସାରିଥିଲା ବିସିସିଆଇ  ।

ସେପଟେ ଏହି ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ସୌରଭ ଗାଙ୍ଗୁଲି  । କୋହଲି ୱାନ ଡେ ଟିମର କ୍ୟାପେଟନ ପଦବୀରେ ରହିବା ପାଇଁ ଚାହୁଁଥିଲେ  । କିନ୍ତୁ ବିସିସିଆଇ କୋହଲିଙ୍କୁ ଅଧିନାୟକ ପଦବୀରୁ ବିଦା କରିଥିଲା  ।  କରାଯାଇଥିଲା  । ଏବଂ  ବିସିସିଆଇ ସିଲେକ୍ଟର୍ସ କମିଟି କହିଥିଲା ଯେ, ଲିମିଟେଡ ଓଭର୍ସ କ୍ରିକେଟରେ ଦୁଇ ଜଣ କ୍ୟାପଟେନ ରଖିବା ସମ୍ଭବପର ନୁହେଁ  ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି  ।

ନବୀନଙ୍କ ଭୋଟ୍ ମନ୍ତ୍ର, ଲୋକଙ୍କ ନିକଟରେ ପହଞ୍ଚାଅ ସରକାରୀ ସଫଳତା

ଭୁବନେଶ୍ୱର: ଏଥର ବିରୋଧୀଙ୍କ ଅପପ୍ରଚାରକୁ ଦିଆଯିବ ସଠିକ୍ ଜବାବ । ବିରୋଧୀଙ୍କ ମିଛ ପ୍ରଚାରର ସଠିକ ଜବାବ ଦେବାକୁ ଦଳୀୟ ସାଂସଦ, ବିଧାୟକ, ପର୍ଯ୍ୟବେକ୍ଷକ ଏବଂ ଜିଲ୍ଲା ସଭାପତିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ସଫଳତାକୁ ଲୋକଙ୍କ ନିକଟରେ ପହଞ୍ଚାଇ ଆଶୀର୍ବାଦ ଗ୍ରହଣ କରିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ବି ଦେଇଛନ୍ତି ନବୀନ । କହିଛନ୍ତି, ଜଳସେଚନ, ଶିକ୍ଷା ଭିତ୍ତିଭୂମି, ଶିଳ୍ପ, ଜନଜାତିଙ୍କ କଲ୍ୟାଣ ସବୁ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇଛି ଓଡିଶା । ମୋ ସରକାର କାର୍ଯ୍ୟକ୍ରମ, ସରକାରରେ ସାଧାରଣ ଲୋକଙ୍କର ଭାଗିଦାରୀ ଆଣିଛି । ଓଡ଼ିଶାବାସୀ ବିଜେଡିକୁ ଭଲପାଆନ୍ତି ଏବଂ ସବୁ ନିର୍ବାଚନରେ ଆର୍ଶୀବାଦ କରିଆସିଛନ୍ତି ।

 Naveen Patnaik Speaks With Party Leader Panchayat Poll

ବିରୋଧିଦଳଙ୍କ ପାଖରେ କିଛି ବି ପ୍ରସଙ୍ଗ ନାହିଁ । ସେମାନେ ମିଛ ପ୍ରଚାରକୁ ଅସ୍ତ୍ର କରିବେ । ବିରୋଧିଙ୍କ ମିଛ ପ୍ରଚାରର ସଠିକ ଜବାବ ଦିଅନ୍ତୁ । ସରକାରଙ୍କ ସଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ବହୁଳ ପରିମାଣରେ ଆର୍ଶୀବାଦ ଆଣିବାକୁ ଦଳୀୟ ନେତାଙ୍କୁ ପରାମର୍ଶ ଦୋଇଛନ୍ତି ନବୀନ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟରେ କୋଭିଡ୍‌ର ତୃତୀୟ ଲହର ଚାଲିଛି । ଏଣୁ କୋଭିଡ ନିୟମ ମାନି ପଞ୍ଚାୟତ ନିର୍ବାଚନରେ ସାମିଲ ହେବା ସହ ଦଳୀୟ ପ୍ରାର୍ଥୀଙ୍କ ବିଜୟ ପାଇଁ କାର୍ଯ୍ୟ ଜାରି ରଖନ୍ତୁ । କୋଭିଡ ମୁକାବିଲାରେ ସାରା ଭାରତ ବର୍ଷରେ ଓଡ଼ିଶା ଏକ ନମ୍ବର ରହିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ଲୋକଙ୍କ ମନରେ ଆଶା ଓ ବିଶ୍ୱାସ ସୃଷ୍ଟି କରିଛି ।

 Naveen Patnaik Speaks With Party Leader Panchayat Poll

କୋଭିଡ୍‌ ମହାମାରୀ ସମୟରେ ମିଶନ ଶକ୍ତି ମା’ମାନଙ୍କୁ ପ୍ରାୟ ୧୦ ହଜାର କୋଟି ଟଙ୍କାର ଋଣ ସହାୟତା ବିନା ସୁଧରେ ପ୍ରଦାନ କରାଯାଇଛି । ଲକ୍ଷ ଲକ୍ଷ ଭୂମିହୀନ ଚାଷୀଙ୍କ ପାଇଁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦେଇଛନ୍ତି ବିଜେଡି ସରକାର । ରାସନକାର୍ଡ ଥିବା ସବୁ ପରିବାରକୁ ଆର୍ଥିକ ସହାୟତା, ଗ୍ରାମାଞ୍ଚଳ ପକ୍କାଘର ଯୋଜନାରେ ଘର ମରାମତି ପାଇଁ ସହାୟତା, ଯୋଗ୍ୟ ତାଲିକାଭୁକ୍ତ ଘର ପାଇନଥିବା ପରିବାରଙ୍କୁ ସହାୟତା ଭଳି ଅଗ୍ରଣୀ ପଦକ୍ଷେପମାନ ଗ୍ରହଣ କରି ଅନ୍ୟମାନଙ୍କୁ ବାଟ ଦେଖାଇଛନ୍ତି ସରକାର । ଏହି ସବୁ ଯୋଜନାର ସଫଳତା ବିଷୟରେ ଲୋକଙ୍କୁ ଅବଗତ କରାଇ ମିଛ ପ୍ରଚାର ବିରୋଧରେ କଡ଼ା ଜବାବ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ବୈଠକରେ ଦଳୀୟ ବିଧାୟକ, ପର୍ଯ୍ୟବେକ୍ଷକ, ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ଜିଲ୍ଲା ସଭାପତି ଓ ବରିଷ୍ଠ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।

ରାଜ୍ୟ କ୍ଷମତା କମାଇବାକୁ କେନ୍ଦ୍ରର ଷଡଯନ୍ତ୍ର, ଆଇଏଏସଙ୍କୁ ହାତ ବାରିସୀ କରିବାକୁ ଯୋଜନା

ଭୁବନେଶ୍ବର: ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରି ରାଜ୍ୟର କ୍ଷମତାକୁ ଗୌଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର । କେନ୍ଦ୍ରର ଏଭଳି ଆଭିମୁଖ୍ୟ ବିରୋଧରେ ଉଠିଛି ରାଜନୈତିକ ସ୍ବର l ପୂର୍ବରୁ ରାଜ୍ୟଗୁଡିକୁ ଅନୁଦାନରେ ଟାଳଟୁଳ ନୀତି ଗ୍ରହଣ କରିଥିବା କେନ୍ଦ୍ର ସରକାର ଏବେ ଆଇଏଏସ କ୍ୟାଡ଼ର ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି । ଯାହା ରାଜ୍ୟର କ୍ଷମତାକୁ ସଙ୍କୁଚିତ କରିବ ।

ରାଜ୍ୟର କ୍ଷମତା ଛଡ଼ାଇ ନେବାକୁ କେନ୍ଦ୍ର କରୁଛି ଷଡ଼ଯନ୍ତ୍ର । ସଂଘୀୟ ବ୍ୟବସ୍ଥାକୁ ଅଣଦେଖା । ସଂସ୍କାର ଆଳରେ କ୍ଷମତା ହାସଲ ନିଶା । କେନ୍ଦ୍ରର ଆଭିମୁଖ୍ୟ ନେଇ ଉଠିଲା ପ୍ରତିବାଦର ସ୍ବର । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ କେନ୍ଦ୍ର ସହ ରାଜ୍ୟର କ୍ଷମତା ଓ କାର୍ଯ୍ୟଧାରା ସ୍ଥିର ହୋଇଛି । କିନ୍ତୁ ଏବେ କେନ୍ଦ୍ର ସରକାର ରାଜ୍ୟଗୁଡିକର କ୍ଷମତା ସଙ୍କୁଚିତ କରିବାକୁ ଉଦ୍ୟମ କରିଛନ୍ତି । ରାଜ୍ୟର ହକକୁ ଅଣଦେଖା କରିଥିବା କେନ୍ଦ୍ର, ଏବେ ଆଇଏଏସ କ୍ୟାଡ଼ର ନିୟମରେ ପରିବର୍ତ୍ତନ ନିଷ୍ପତ୍ତି ନେଇ ରାଜ୍ୟଗୁଡିକୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ଏବେ ଆଇଏଏସ ଅଧିକାରୀଙ୍କୁ ଯେକୌଣସି ସମୟରେ ଡେପୁଟେସନରେ ନେଇପାରିବେ । ଏଥିପାଇଁ ଆଇଏଏସ କ୍ୟାଡର ନିୟମ ୧୯୫୪ରେ ସଂଶୋଧନ କରିବାକୁ ଯାଉଛନ୍ତି । ଏହାକୁ ନେଇ ଜୋରଦାର ବିରୋଧ ଆରମ୍ଭ ହେଲାଣି । ରାଜ୍ୟର ଶାସକ ଦଳ ବିଜେଡି କେନ୍ଦ୍ରର ବିଭିନ୍ନ ଆଭିମୁଖ୍ୟକୁ ସମାଲୋଚନା କରିଛି । ସେପଟେ କଂଗ୍ରେସର କହିବା କଥା ଆଇଏଏସ ଅଧିକାରୀଙ୍କୁ ଅଧିନକୁ ନେବା ଠିକ ନୁହେଁ । କେନ୍ଦ୍ର ହୁଅନ୍ତୁ କି ରାଜ୍ୟ ସରକାର ଆଇଏଏସଙ୍କୁ କଣ୍ଢେଇ ଭଳି ଖେଳାଇବା ଠିକ ନୁହେଁ ।

ଅନ୍ୟପକ୍ଷରେ ରାଜ୍ୟ ବିଜେପି କେନ୍ଦ୍ରର ଏ ନିଷ୍ପତ୍ତିକୁ ସ୍ବାଗତ କରିଛି । ବର୍ତ୍ତମାନର ନିୟମ ଅନୁଯାୟୀ ଆଇଏଏସ ଅଧିକାରୀମାନେ ଡେପୁଟେସନରେ ଯିବା ପୂର୍ବରୁ ରାଜ୍ୟ ଏବଂ ସମ୍ପୃକ୍ତ ଅଧିକାରୀର ସହମତି ଆବଶ୍ୟକତା ରହୁଛି । କିନ୍ତୁ ନିୟମରେ ସଂଶୋଧନ ହେଲେ କେନ୍ଦ୍ରର ନିଷ୍ପତ୍ତି ହିଁ ଫାଇନାଲ ହେବ । ଏହି ନିୟମ ହେଲେ ସବୁ ଶୃଙ୍ଖଳିତ ହେବ ଏବଂ ସଂଘୀୟ ବ୍ୟବସ୍ଥା ଆହୁରୀ ସୁଦୃଢ଼ ହେବ ବୋଲି ବିଜେପି କହିଛି ।

ଏଭଳି ନିୟମକୁ ନେଇ କେନ୍ଦ୍ର, ରାଜ୍ୟ ସରକାରଙ୍କ ମତାମତ ଲୋଡିଥିବା ବେଳେ ରାଜସ୍ଥାନ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟ ଏହାର ବିରୋଧ କରିଛନ୍ତି ।

ଯୁଦ୍ଧ ସ୍ମାରକୀରେ ଜ୍ୟୋତି ବିଲୟ, ବିବାଦ କାହିଁକି ?

ନନ୍ଦିଘୋଷ ବ୍ୟୁରୋ: ଜାତୀୟ ଯୁଦ୍ଧ ସ୍ମାରକୀରେ ବିଲୟ ହୋଇଛି ଅମର ଯବାନ ଜ୍ୟୋତି  । ୧୯୭୨ ମସିହାରୁ ଜଳୁଥିବା ଏହି ଜ୍ୟୋତି ୨୦୨୨ ଜାନୁଆରୀ ୨୧ରୁ ଆଉ ଇଣ୍ଡିଆ ଗେଟରେ ଜଳିବନାହିଁ  । କିନ୍ତୁ ଏହି ଜ୍ୟୋତିକୁ ଇଣ୍ଡିଆ ଗେଟରୁ ସ୍ଥାନାନ୍ତରଣ ନେଇ ଉପୁଜିଛି ବିବାଦ  । କଂଗ୍ରେସ ଠାରୁ ଆରମ୍ଭ କରି ଏନସିପି , କେନ୍ଦ୍ରର ଏହି ନିଷ୍ପତ୍ତିକୁ ବିରୋଧ କରିଛନ୍ତି  । ଅନେକ ସ୍ଥାନରେ କଂଗ୍ରେସ କାର୍ଯ୍ୟକର୍ତ୍ତା ଗୃହମନ୍ତ୍ରୀ ଅମିତ ଶାହଙ୍କ କୁଶପତୁଳିକା ଦାହ କରିଛନ୍ତି  । ସେପଟେ କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ ମଧ୍ୟ କେନ୍ଦ୍ରର ନିଷ୍ପତି ବିରୋଧରେ ଟ୍ୱିଟ କରିଛନ୍ତି  ।  ଏହା ଅତ୍ୟନ୍ତ ଦୁଖଃଦ ଘଟଣା ଯେ, ଅମର ଯବାନଙ୍କ ସମ୍ମାନ ପାଇଁ ଜଳୁଥିବା ଜ୍ୟୋତିକୁ ଲିଭାଇ ଦେଇଛନ୍ତି । କିଛି ଲୋକ ଦେଶପ୍ରେମ ଓ ବଳୀଦାନର ମହତ ବୁଝୁ ନାହାଁନ୍ତି  । ଆମେ ପୁଣି ଥରେ ଦେଶର ସହିଦ ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏହି ଜ୍ୟୋତି ଜଳାଇବା  । କିନ୍ତୁ ବାସ୍ତବରେ ୱାର ମେମୋରିଆଲରେ ବିଲୟ ଘଟିଥିବା ଅମର ଯବାନ ଜ୍ୟୋତିର ଉଦ୍ଦେଶ୍ୟ କଣ ? କାହିଁକି ଗୋଟିଏ ସ୍ଥାନରେ ଜଳିବ ଜ୍ୟୋତି ?

ଅମର ଯବାନ ଜ୍ୟୋତି କଣ ?

ପ୍ରଥମ ବିଶ୍ୱଯୁଦ୍ଧ ବା ଆଙ୍ଗଲୋ ଆଫଗାନ ଯୁଦ୍ଧ ସମୟରେ ବ୍ରିଟିସ ସରକାର ଭାରତୀୟ ଯବାନଙ୍କୁ ନିୟୋଜିତ କରିଥିଲେ  । ଏହି ଯୁଦ୍ଧରେ ୮୪ ହଜାର ଭାରତୀୟ ଯବାନ ସହିଦ ହୋଇଥିଲେ  । ସହିଦ ସୌନିକଙ୍କ ସ୍ମୃତିରେ ବ୍ରିଟିସ ସରକାର ନିର୍ମାଣ କରିଥିଲେ ଇଣ୍ଡିଆ ଗେଟ୍  । ଏବଂ ଶ୍ରଦ୍ଧାଞ୍ଜଳି ମଧ୍ୟ ଜ୍ଞାପନ କରିଆସୁଥିଲେ  । କିନ୍ତୁ ଜାନୁଆରୀ ୨୬, ୧୯୭୨ ମସିହାରେ ଅମର ଯବାନ ଜ୍ୟୋତି ପ୍ରଜ୍ୱଳନ କରାଯାଇଥିଲା  । ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଏଦି ପ୍ରଦୀପ ଲଗାଯାଇଥିଲା  ।   ଇଣ୍ଡିଆ ଗେଟ ନିକଟରେ ଏକ ପିଣ୍ଡି ସ୍ଥାପନା କରାଯାଇଥିଲା  । ଉକ୍ତ ସ୍ଥାନରେ ଏକ ବନ୍ଧୁକ ଉପରେ ଯବାନଙ୍କ ହେଲମେଟ୍ ରହିଛି । ଏହା ଉପରେ ଲିଖିତ ରହିଛି ଅମର ଯବାନ  ।  ଏବଂ ସେବେଠାରୁ ଅହରାତ୍ର ଜଳି ଆସୁଥିଲା ଏହି ଅମର ଯବାନ ଜ୍ୟୋତି  ।

କେଉଁ ସ୍ଥାନକୁ ଗଲା ଅମର ଯବାନ ଜ୍ୟୋତି ?

୨୦୧୫ ମସିହାରେ କେନ୍ଦ୍ର କ୍ୟାବିନେଟରେ ପ୍ରସ୍ତାବ ପାରିତ ହୁଏ  । ଇଣ୍ଡିଆଗେଟ୍ ନିକଟରେ ହିଁ ଜାତୀୟ ଯୁଦ୍ଧ ସ୍ମାରକୀ ନିର୍ମାଣ ପାଇଁ ଅନୁମତି ମିଳିଥିଲା  । ୨୦୧୯ ମସିହା ଫେବୃଆରୀ ୨୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀ ବା ନ୍ୟାସନାଲ ୱାର ମେମୋରିଆଲକୁ ଉଦଘାଟନ କରିଥିଲେ  । ଦେଶ ସ୍ୱାଧିନତା ପରେ ବିଭିନ୍ନ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଏହା ନିର୍ମାଣ କରାଯାଇଥିଲା  ।  ୪୦ ଏକର ପରିମିତ ସ୍ଥାନରେ ୧୭୬ କୋଟି ଟଙ୍କା ବିନିଯୋଗ କରାଯାଇ ନିର୍ମାଣ କରାଯାଇଛି ଏହି ଭବ୍ୟ ଯୁଦ୍ଧ ସ୍ମାରକୀ  । ୧୯୬୧ ମସିହାରୁ ଏହି ଯୁଦ୍ଧ ସ୍ମାରକୀ ନିର୍ମାଣ ନେଇ ପ୍ରସ୍ତାବ ଆସିଥିବାବେଳେ, ୨୦୧୯ ମସିହାରେ ଏହା ଉଦଘାଟନ ହୋଇଥିଲା  ।

କିନ୍ତୁ ଯୁଦ୍ଧ ସ୍ମାରକୀ ନିର୍ମାଣ କରୁଥିବା ଟିମର ଜଣେ ବରିଷ୍ଠ ଅଧିକାରୀ କହିଥିଲେ, ଯେତେବଳେ ଯୁଦ୍ଧ ସ୍ମାରକୀ ନିର୍ମାଣ କରିବା ନିଷ୍ପତ୍ତି ଚୂଡ଼ାନ୍ତ ହୋଇସାରିଥିଲା  । ସେତେବେଳେ ଦ୍ୱନ୍ଦ ଦେଖାଯାଇଥିଲା  । କାରଣ ସ୍ୱାଧିନତା ଦିବସରେ ପ୍ରଧାନମନ୍ତ୍ରୀ କେଉଁ ସ୍ଥାନରେ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ ? ଜାତୀୟ ଯୁଦ୍ଧ ସ୍ମାରକୀରେ ନାଁ ଅମର ଯବାନ ଜ୍ୟୋତି ସ୍ଥଳରେ ?

 ଯୁଦ୍ଧ ସ୍ମାରକୀରେ କଣ ଅଛି ?

ଜାତୀୟ ଯୁଦ୍ଧ ସ୍ମାରକୀରେ ରହିଛି ୪ଟି ପର୍ଯ୍ୟାୟ  । ଅର୍ଥାତ୍ ୪ଟି ଚକ୍ର । ସର୍ବଶେଷରେ ରହିଛି ଅମର ଚକ୍ର  । ୧୫. ୫ ମିଟର ଉଚ୍ଚତା ବିଶିଷ୍ଟ ଏହି ସ୍ମାରକୀ ସ୍ତମ୍ଭ ପାଖରେ ଜଳୁଅଛି ଅମର ଜ୍ୟୋତି  । ଏହି ଜ୍ୟୋତିରେ ହିଁ ଅମର ଯବାନ ଜ୍ୟୋତିକୁ ବିଲୀନ କରାଯାଇଛି  । ଦ୍ୱିତୀୟ ଶ୍ରେଣୀରେ ରହିଛି ବୀରତା ଚକ୍ର  । ଯେଉଁଠି ଆର୍ମି, ଏୟାରଫୋର୍ସ, ଏବଂ ନାଭିରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତି ରହିଛି  । ତୃତୀୟରେ ରହିଛି ତ୍ୟାଗ ଚକ୍ର  ।  ଯେଉଁଥିରେ ୨୫ ହଜାର ୯ଶହ ଯବାନଙ୍କ ନାମ ରହିଛି  । ଚତୁର୍ଥରେ ରହିଛି ସୁରକ୍ଷା ଚକ୍ର  । ୬୯୫ଟି ଗଛ ଦେଶର ବୀର ଯବୀନଙ୍କ ବୀରତାକୁ ଦର୍ଶାଉଛି  ।

ସେପଟେ ଦେଶରେ ଚାଲିଥିବା ବିରୋଧକୁ ନେଇ ସ୍ପଷ୍ଟି କରଣ ରଖିଛନ୍ତି କେନ୍ଦ୍ର ସରକାର  । ଅମର ଯବାନ ଜ୍ୟୋତି ଲିଭାଇ ଦିଆଯାଇନାହିଁ ବଂର ଏହାକୁ ବିଲୟ କରାଯାଇଛି  । ଅମର ଯବାନ ଜ୍ୟୋତି ସ୍ଥଳରେ ୧୯୭୧ ଯୁଦ୍ଧରେ ସହିଦ ଯବାନଙ୍କ ନାମ ସ୍ଥାନିତ ନଥିଲା  । ଇଣ୍ଡିଆ ଗେଟ ନିକଟରେ ପ୍ରଥମ ବିଶ୍ୱଯୁଦ୍ଧରେ ସହିଦ ଯବାନଙ୍କ ନାମ ରହିଥିଲା  । କିନ୍ତୁ ଜାତୀୟ ଯୁଦ୍ଧ ସ୍ମାରକୀରେ ୧୯୭୧ ଯୁଦ୍ଧ ଠାରୁ ଆରମ୍ଭ କରି ସ୍ୱାଧିନ ଭାରତର ସମସ୍ତ ଯୁଦ୍ଧରେ ସହିଦ ବୀର ଯବାନଙ୍କ ନାମ ସ୍ଥାନିତ ରହିଥିବା ଦର୍ଶାଇଛି କେନ୍ଦ୍ର  ।

 

ନୂଆ ନୁହେଁ କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାରାଜ: ଆଗରୁ ଗାଳି ଦେଇଥିଲେ, ଏଥର ମାରିଲେ

ଭୁବନେଶ୍ବର: କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ବିରୋଧରେ ଗୁଣ୍ଡାରାଜ ଅଭିଯୋଗ କିଛି ନୂଆ କଥା ନୁହେଁ । ଆଗରୁ ମଧ୍ୟ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିବା ସହ ପତିଆରା ଦେଖାଇବା ଅଭିଯୋଗ ରହିଛି ତାଙ୍କ ବିରୋଧରେ । ଏବେ ପୁଣି ରାଜ୍ୟବାସୀ ଦେଖୁଛନ୍ତି ତାଙ୍କ ଦମନଲୀଳା । ସରକାରୀ ଅଧିକାରୀଙ୍କୁ ଆକ୍ରମଣ କରି ହାତ ଭାଙ୍ଗି ଦେଲେ, ହେଲେ ମାନିଲେନି । ଏହାକୁ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ଚାରିଆଡ଼ୁ ହେଉଛନ୍ତି ମାଲୋଚନା । ଲୋକେ କରୁଛନ୍ତି ଛି ଛି । ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟର ବିଭିନ୍ନ ସରକାରୀ କମର୍ଚାରୀ ସଂଘ ଦାବି କରିଛନ୍ତି ।

ଟୁଡୁଙ୍କ ଆକ୍ରମଣରେ ଗୁରୁତର ଦେବାଶିଷଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଦୁଇ ଅଧିକାରୀଙ୍କ ବୟାନ ପୋଲିସ ରେକର୍ଡ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏପରି ବ୍ୟକ୍ତିଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ଦାବି କରିଛି କର୍ମଚାରୀ ମହାସଂଘ । ଦେବାଶିଷଙ୍କ ପତ୍ନୀ କେନ୍ଦ୍ରମନ୍ତ୍ରୀଙ୍କୁ ପାଗଳର ଆଖ୍ୟା ଦେଇଛନ୍ତି ।

ମୟୂରଭଞ୍ଜ ସାଂସଦଙ୍କ ଲଗାତାର ଦାଦାଗିରିକୁ ସବୁଠି ଭର୍ତ୍ସନା । ପତିଆରା ଦେଖାଇବାକୁ ସରକାରୀ ଅଧିକାରୀଙ୍କୁ ଆକ୍ରମଣ ପଡୁଛି ମହଙ୍ଗା । ଗତକାଲି ଦଳୀୟ କାର୍ଯ୍ୟାଳୟକୁ ଡାକି ଦୁଇ ଯୋଜନା ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଆକ୍ରମଣ କରିବା ଅଭିଯୋଗର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି ପୋଲିସ । କେନ୍ଦ୍ର ମନ୍ତ୍ରୀଙ୍କ ବିରୋଧରେ ଆଇପିସିର ଧାରା ୩୨୩, ୩୨୫, ୩୪୧, ୨୯୪ ଓ ୫୦୬ ଧାରାରେ ବାରିପଦା ଟାଉନ ଥାନାରେ ହୋଇଛି ମାମଲା ରୁଜୁ । ଉଭୟ ଅଧିକାରୀଙ୍କ ବୟାନ ରେକର୍ଡ କରିଛି ମୟୂରଭଞ୍ଜ ପୋଲିସ । ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି ସହକର୍ମୀ ଓ ପରିବାର ଲୋକେ । ଦେବାଶିଷଙ୍କୁ କଟକ ଏସସିବିକୁ ପଠାଯାଇଥିବା ବେଳେ ଅଶ୍ବିନୀଙ୍କୁ ପିଆରଏମ୍ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।

ତେଜୁଛି ମନ୍ତ୍ରୀଙ୍କ ବହିଷ୍କାର ଦାବି

ଏପଟେ କେନ୍ଦ୍ରମନ୍ତ୍ରୀଙ୍କ ଲଗାତାର ଦାଦାଗିରିଙ୍କୁ ନେଇ ତାତିଛନ୍ତି ସାରା ରାଜ୍ୟର କମର୍ଚାରୀ ସଂଘ । ରାଜ୍ୟ କମର୍ଚାରୀ ମହାସଂଘ, ରାଜ୍ୟ ବିଭାଗୀୟ ଦପ୍ତର କମର୍ଚାରୀ ସଂଘ, ରାଜ୍ୟ ଅମଲା ସଂଘ, ଓଏଏସ୍ ସଂଘ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏଭଳି କ୍ରିମିନାଲ ଅଫେନ୍ସ ପାଇଁ ମନ୍ତ୍ରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । କର୍ତ୍ତବ୍ୟରତ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଦଳୀୟ କାର୍ଯ୍ୟାଳୟକୁ ଡାକି ଆକ୍ରମଣ କରିବା କେବେ ବି ଗ୍ରହଣୀୟ ନୁହେଁ । ଏହାଦ୍ବାରା ସରକାରୀ କମର୍ଚାରୀଙ୍କ ମନୋବଳ ଭାଙ୍ଗିବା ସହ ଏହାର ପ୍ରଭାବ ମଧ୍ୟ ସାଧାରଣ ଲୋକଙ୍କ ଉପେର ପଡ଼ିବ ବୋଲି ବିଭିନ୍ନ କମର୍ଚାରୀ ସଂଗଠନର ନେତା କହିଛନ୍ତି । ଏପରିକି ଏଭଳି ଦୁର୍ବ୍ୟବହାର କରୁଥିବା ମନ୍ତ୍ରୀଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବାକୁ ସଂଘ ଦାବି କରିଛି ।

ଗୁଣ୍ଡାରାଜ ମନ୍ତ୍ରୀଙ୍କ ପୁରୁଣା ଅଭ୍ୟାସ

କେନ୍ଦ୍ରମନ୍ତ୍ରୀଙ୍କ ଗୁଣ୍ଡାଗିରି କିଛି ନୂଆ ନୁହେଁ । ଏଇଟା ତାଙ୍କର ପୁରୁଣା ଅଭ୍ୟାସ । ଗତବର୍ଷ ଅକ୍ଟୋବରରେ କେନ୍ଦୁଝରର କାନପୁର ଜଳସେଚନ ପ୍ରକଳ୍ପ ଗସ୍ତ ବେଳେ ମନ୍ତ୍ରୀ ସରକାରୀ ଅଧିକାରୀଙ୍କୁ ଗାଳିଗୁଲଜ କରିଥିବାର ଅଭିଯୋଗ ହୋଇଥିଲା ।

ସରକାରୀ ଅଧିକାରୀଙ୍କୁ ମାରଧର କରିବା ଘଟଣାକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଦୃଢ ନିନ୍ଦା କରିବା ସହ ଏଭଳି ବ୍ୟକ୍ତିକୁ ଦଳ କିଭଳି ପ୍ରାର୍ଥୀ କରିଛି ସେନେଇ ପ୍ରଶ୍ନ ଉଠାଇଛନ୍ତି । ହେଲେ ବିଜେପି ଏହି ମାମଲାରେ ମନ୍ତ୍ରୀଙ୍କ ଗୁଣ୍ଡାଗିରିକୁ ନିନ୍ଦା କରିବା ପରିବର୍ତ୍ତେ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରିଛି ।

ଦିନକୁ ଦିନ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡ଼ୁଙ୍କ ପାଇଁ ଅଡ଼ୁଆ ବଢୁଛି । ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ମୁଣ୍ଡ ଉପରେ ପୌର ନିର୍ବାଚନ । ଏପରି ସ୍ଥିତିରେ ମନ୍ତ୍ରୀଙ୍କ ଆଚରଣ ଉଚ୍ଚାରଣ ଦଳ ପାଇଁ ବୁମେରାଂ ହେଉଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ଏହି ଘଟଣାରେ ବାରିପଦା ଟାଉନ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ତଦନ୍ତକୁ ସାମ୍ନା କରିବା ପରିବର୍ତ୍ତେ ଦିଲ୍ଲୀ ପଳାଇ ଥିବା ଜଣାପଡିଛି ।

ବିଜେପି ମାନୁନି ଆଚରଣ ବିଧି: ନିର୍ବାଚନ ଆୟୋଗଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ବିଜେପିର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ । ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ପେଟ୍ରୋଲ ପମ୍ପରେ ଲାଗିଛି କେନ୍ଦ୍ର ଶାସିତ ବିଜେପି ସରକାରଙ୍କ ହୋଡିଂ । ଯାହାକୁ ବର୍ତ୍ତମାନ ସୁଦ୍ଧା ହଟାଯାଇନି । ଏମିତି ଅଭିଯୋଗ ନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଫେରାଦ ହୋଇଛି ବିଜେଡିର ପ୍ରତିନିଧି ଦଳ ।

ଓଡ଼ିଶାରେ ବର୍ତ୍ତମାନ ନିର୍ବାଚନୀ ପବନ । ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ସରିଥିବା ବେଳେ ପ୍ରଚାର ଜୋର ଧରିଛି । ଏମିତି ସ୍ଥିତିରେ ଯେଣେତେଣେ ପ୍ରକାରେ କ୍ଷମତାକୁ ଫେରିବାକୁ ବିଜେପି ବିକଳ । ନିର୍ବାଚନ ଆଚରଣ ବିଧି ମାନିବାକୁ ବି ନାରାଜ । ରାଜ୍ୟର ବିଭିନ୍ନ ପେଟ୍ରୋଲ ପମ୍ପରେ ଲାଗିଥିବା କେନ୍ଦ୍ର ସରକାରଙ୍କ ଯୋଜନାର ହୋଡିଂ, ଏବେ ବି ଝୁଲୁଛି । ଯାହା ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରିଛି ବିଜେଡି । ଏହାସହ ବିଜେଡି ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପ୍ରମାଣ ସ୍ବରୂପ କେନ୍ଦ୍ର ସରକାରଙ୍କ ହୋଡିଂର ଫଟୋ ପ୍ରଦାନ କରିଛନ୍ତି । ଏହା ଉପରେ ନଜର ଦେଇ ଶୀଘ୍ର ଏମିତି ହୋଡିଂ ହଟାଇବାକୁ ଦଳ ପକ୍ଷରୁ ଦାବି କରାଯାଇଛି ।

ଘରକୁ ଫେରୁଛି IPL, ଷ୍ଟାଡିୟମକୁ ଯାଇ ପାରିବେ ତ ଦର୍ଶକ ?

ମୁମ୍ବାଇ: ଭାରତକୁ ଫେରୁଛି ଫଟାଫଟ୍ କ୍ରିକେଟ । କୋଭିଡ୍ ପାଇଁ ଆଇପିଏଲର ୨ଟି ସଂସ୍କରଣ ବିଦେଶରେ ଖେଳାଯାଇଥିବା ବେଳେ ଆଇପିଏଲର ୨୦୨୨ ସଂସ୍କରଣ ଦେଶରେ ଖେଳାଯିବ । ଏନେଇ ସବୁଜ ସଂକେତ ଦେଇଛି ବିସିସିଆଇ । ୨୦୨୦ ମସିହାରେ ମହାମାରୀ କରୋନା ପାଇଁ ଆଇପିଏଲ୍ ୟୁଏଇରେ ଖେଳା ଯାଇଥିଲା । ଏହାଛଡ଼ା ଗତବର୍ଷ ମଧ୍ୟ କରୋନା ପାଇଁ ପ୍ରଥମ ପର୍ଯ୍ୟାୟ ପରେ ଲିଗର ଅନ୍ୟ ମ୍ୟାଚ ୟୁଏଇରେ ଖେଳା ଯାଇଥିଲା ।

ତେବେ ଏବର୍ଷ ଆଇପିଏଲର ସମସ୍ତ ମ୍ୟାଚ୍ ମୁମ୍ବାଇରେ ଖେଳାଯିବ । ଆବଶ୍ୟକ ପଡ଼ିଲେ ମୁମ୍ବାଇର ପଡ଼ୋଶୀ ପୁନେରେ କିଛି ମ୍ୟାଚ୍ ଖେଳା ଯାଇପାରେ । ତେବେ ଆଇପିଏଲ୍ ଭାରତରେ ଖେଳାଯିବାକୁ ଥିବାବେଳେ ଦର୍ଶକଙ୍କୁ ନିରାଶ ହେବାକୁ ପଡ଼ିବ । କାରଣ ବିନା ଦର୍ଶକରେ ଆଇପିଏଲର ସମସ୍ତ ମ୍ୟାଚ୍ ଖେଳାଯିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି ।

ଚଳିତଥର ଆଇପିଏଲ୍ ନିଲାମୀ ପାଇଁ ୧୨୦୦ରୁ ଅଧିକ ଖେଳାଳି ପଞ୍ଜିକରଣ କରିଛନ୍ତି । ଏଥିରେ ୮୯୬ ଜଣ ଭାରତୀୟ ଥିବାବେଳେ ୩୧୮ ବିଦେଶୀ ଖେଳାଳି ରହିଛନ୍ତି । ନିଲାମୀ ଫେବ୍ରୁଆରୀ ୧୨ ଓ ୧୩ ତାରିଖରେ ବେଙ୍ଗଳୁରୁରେ ହେବ । ଖେଳାଳି ନିଲାମୀ ପୂର୍ବରୁ ୧୦ ଟିମ୍ ୩୩ ଖେଳାଳିଙ୍କୁ ଚୟନ କରିଛନ୍ତି । ଏବେର ୮ଟି ଫ୍ରାଞ୍ଚାଇଜ୍ ୨୭ ଖେଳାଳିଙ୍କୁ ଚୟନ କରିଛନ୍ତି । ଆଇପିଏଲର ୨ଟି ନୂଆ ଟିମ୍ ୬ ଜଣ ଖେଳାଳିଙ୍କୁ ବାଛିଛନ୍ତି । ଯେଉଁମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା (ଅହମଦାବାଦ) ଓ କେଏଲ୍ ରାହୁଲ (ଲକ୍ଷ୍ନୌ)ଙ୍କୁ ଅଧିନାୟକ ନିଯୁକ୍ତ କରିଛି । କେଏଲ୍ ରାହୁଲଙ୍କୁ ଲକ୍ଷ୍ନୌ ୧୭ କୋଟି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅହମଦାବାଦ ୧୫ କୋଟି ଦେବ ।