spot_img
Home Blog Page 4806

ସ୍ତ୍ରୀ ସରପଞ୍ଚ, ସ୍ୱାମୀଙ୍କ ହାତରେ ପଞ୍ଚାୟତର କ୍ଷମତା

ବଲାଙ୍ଗିର: ସ୍ତ୍ରୀ ସରପଞ୍ଚ ହେଲେ ସ୍ୱାମୀ ହାତରେ ପଞ୍ଚାୟତର ଅସଲ କ୍ଷମତା । ଲାଞ୍ଚ ନେଇ କାମ କରିବାର ଡିଲ୍ କରନ୍ତି ପାୱାରଫୁଲ ସ୍ୱାମୀ । ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ବଲାଙ୍ଗିର ବଙ୍ଗୋମୁଣ୍ଡାରେ ମନରେଗା କାମ ପାଇଁ ଠିକାଦାର ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ସରପଞ୍ଚଙ୍କ ସ୍ୱାମୀ । ଯାହାର ଭିଡିଓ ଏବେ ଭାଇରାଲ ହୋଇଛି । ଲାଞ୍ଚ ଟଙ୍କା ନେଉଥିବା ବ୍ୟକ୍ତି ଜଣକ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ ନେତା ଲକ୍ଷ୍ମୀକାନ୍ତ ବାଗ । ତାଙ୍କ ସ୍ତ୍ରୀ ଲୀଳାବତୀ ବାଗ ଠେମେରା ପଞ୍ଚାୟତର ସରପଞ୍ଚ ।

Sarpanch Wife's Husband Caught While Taking Bribe In Bolangir

ଲକ୍ଷ୍ମୀକାନ୍ତ ମନରେଗା କାମ ପାଇଁ ଠିକାଦାର ଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେଉଛନ୍ତି । ୨୦ହଜାର ଟଙ୍କା କନିଷ୍ଠ ଯନ୍ତ୍ରୀଙ୍କୁ ଦେବାକୁ କହୁଛନ୍ତି । ହେଲେ ଠିକାଦାର କନିଷ୍ଠ ଯନ୍ତ୍ରୀଙ୍କୁ ୧୦ ହଜାର ଟଙ୍କା ଦେଇଥିବା କହୁଛନ୍ତି । ଯାହା ଭାଇରାଲ ଭିଡିଓରେ ସ୍ପଷ୍ଟ ଶୁଣାଯାଉଛି । ଏହାକୁ ନେଇ ବ୍ଲକ ପ୍ରଶାସନ ମଧ୍ୟ ଅଡୁଆରେ ପଡ଼ିଛି । ଜିଲ୍ଲା ପ୍ରଶାସନ ଠେମେରା ପଞ୍ଚାୟତରେ ହୋଇଥିବା ମନରେଗା କାମର ନିରପେକ୍ଷ ତଦନ୍ତ କଲେ ଲକ୍ଷ୍ମୀକାନ୍ତ କରିଥିବା ବଡ଼ ଧରଣର ଦୁର୍ନୀତି ଧରା ପଡ଼ିବ ବୋଲି ଲୋକେ ଦାବି କରୁଛନ୍ତି ।

ରାଜ୍ୟର ୨୦ ଜିଲ୍ଲାରୁ ଆଉ ୧୬୦ ଜଣ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି କୋଭିଡ୍ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟର ୨୦ ଜିଲ୍ଲାରୁ ଆଉ ୧୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୨୦ ଜଣ ଅଛନ୍ତି । ୯୪ ଜଣ ସଂକ୍ରମିତ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଲେ ୬୬ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧାରୁ ସର୍ବାଧିକ ୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ୨ ଜଣ, ଭଦ୍ରକରୁ ୨ ଜଣ, କଟକରୁ ୭ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ଜଣେ, ଗଜପତିରୁ ୪ ଜଣ, ଗଞ୍ଜାମରୁ ୨ ଜଣ, ଜଗତସିଂହପୁରରୁ ଜଣେ, ଯାଜପୁରରୁ ୫ ଜଣ, ଝାରସୁଗୁଡ଼ାରୁ ଜଣେ, କେନ୍ଦ୍ରାପଡ଼ାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ଜଣେ, ପୁରୀରୁ ଜଣେ, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୫ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଏବଂ ଷ୍ଟେଟପୁଲରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୧ ହଜାର ୫୭୪କୁ ବୃଦ୍ଧି ପାଇଛି । ଏବେ ୧୯୫୫ଟି ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ୧୦ ଲକ୍ଷ ୪୧ ହଜାର ୧୩୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ଆଜିଠୁ ଜିଲ୍ଲା ବୁଲି ‘ଜୱାଦ’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ବାତ୍ୟା ‘ଜୱାଦ’ ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଓଡ଼ିଶାରେ କେନ୍ଦ୍ରୀୟ ଟିମ୍ । କେନ୍ଦ୍ର ଗୃହ ବିଭାଗର ଯୁଗ୍ମ ସଚିବ ସୌରଭ ରୟଙ୍କ ନେତୃତ୍ୱରେ ୬ ଜଣିଆ ପ୍ରତିନିଧି ଦଳ ଏସଆରସିଙ୍କ ସହ ଆଲୋଚନା କରିଛନ୍ତି । ଆଜିଠୁ ତିନୋଟି ଟିମ୍ ଗଞ୍ଜାମ, ପୁରୀ, ଜଗତସିଂହପୁର, କଟକ, ଯାଜପୁର, କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି କ୍ଷୟକ୍ଷତିର ଅନୁଧ୍ୟାନ କରିବେ । ଗୋଟିଏ ଟିମ୍ ଗଞ୍ଜାମ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରି ପୁରୀ ଫେରିବେ । ଅନ୍ୟ ଏକ ଟିମ୍ ଜଗତସିଂହପୁର ଯିବାକୁ ଥିବାବେଳେ ତୃତୀୟ ଟିମଟି ଯାଜପୁର ଯାଇ କ୍ଷୟକ୍ଷତିର ଅନୁଧ୍ୟାନ କରିବେ ।

 Central Team To Assessment Cyclone Jawad Damage In Six Districts Of Odisha

ଭୁବନେଶ୍ୱର ଫେରିବା ପରେ ରାଜ୍ୟର ଅଧିକାରୀଙ୍କ ସହ ଆଲୋଚନା କରି ୧୩ ତାରିଖରେ ଫେରିଯିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ କରି ୭ଦିନ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ରିପୋର୍ଟ ପ୍ରଦାନ କରିବ ଟିମ୍ । ଏହି ଟିମରେ କୃଷି, ଶକ୍ତି, ଅର୍ଥ, ଜାତୀୟ ରାଜପଥ ଓ ସଡକ ପରିବହନ, ମତ୍ସ୍ୟ ଓ ଗ୍ରାମ୍ୟ ଉନ୍ନୟନ ଭଳି ୬ଟି ବିଭାଗର ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି ।

୬ ରାଜ୍ୟରେ ଟର୍ଣ୍ଣାଡୋ ତାଣ୍ଡବ, ୧୦୦ରୁ ଅଧିକ ଲୋକ ମୃତ

ୱାଂଶିଟନ୍: ପ୍ରକୃତିର ପ୍ରଳୟ ଆଗରେ ଦୁନିଆର ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ଅସହାୟ । ଆମେରିକାରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ଟର୍ଣ୍ଣାଡୋ । ଟର୍ଣ୍ଣାଡୋ ପ୍ରଭାବରେ ଘଣ୍ଟାପ୍ରତି ୩୨୦ କିଲୋମିଟର ବେଗରେ ପବନ ବହିବା ସହ ଆମେରିକାର ୬ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ୧୦୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଧିକ କ୍ଷତିଗ୍ରସ୍ତ ହୋଇଛି କେଣ୍ଟୁକି ରାଜ୍ୟ । କେଣ୍ଟୁକିରେ ଘର ଗୁଡ଼ିକ ଭାଙ୍ଗି ଯାଇଥିବା ବେଳେ ବେଘର ହୋଇ ଯାଇଛନ୍ତି ହଜାର ହଜାର ଲୋକ ।

Tornadoes Devastated Southeastern US State More Than 100 People Dead

ରିପୋର୍ଟ ଅନୁସାରେ, ମେଫିଲ୍ଡରେ ମହମବତୀ କାରଖାନାକୁ ଉଡ଼ାଉ ଦେଇଛି । ଘୂର୍ଣ୍ଣିଝଡ଼ ସମୟରେ କାରାଖାନାରେ ଶହେରୁ ଅଧିକ କର୍ମଚାରୀ କାମ କରୁଥିଲେ । ଏବେବି ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆମେରିକା ଇତିହାସରେ ଏହା ସବୁଠୁ ପ୍ରଳୟଙ୍କାରୀ ଝଡ଼ ଥିବା କହିଛନ୍ତି ରାଷ୍ଟ୍ରପତି ଜୋ ବାଇଡେନ୍ । କେଣ୍ଟୁକି ଗଭର୍ଣ୍ଣର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି ।

Tornadoes Devastated Southeastern US State More Than 100 People Dead

କେଣ୍ଟୁକି ଗଭର୍ଣ୍ଣର ଏଣ୍ଡି ବେସିୟର ଘୂର୍ଣ୍ଣିଝଡ଼କୁ ସବୁଠୁ ଭୟଙ୍କର କହିଛନ୍ତି । ଏବେବି ରାଜ୍ୟର ଅନେକ ସ୍ଥାନରେ କୋଠାର ଭଂଗ୍ନାଶ ତଳେ ଲୋକେ ଫସି ରହିଛନ୍ତି । ମୃତକଙ୍କ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । କେଣ୍ଟୁକିରେ ୨ ଲକ୍ଷରୁ ଅଧିକ ଲୋକଙ୍କ ଅନ୍ଧାରରେ ଅଛନ୍ତି । ଏବେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏବେ ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବେ ଓମିକ୍ରନ ସଂକ୍ରମିତ, ICMR ଆଣିଲା ନୂଆ ଟେଷ୍ଟିଂ କିଟ୍   

ଦିବୁଗ୍ରଡ଼: ଆସାମ ଦିବୁଗ୍ରଡ଼ ସ୍ଥିତ ଆସିଏମ୍ଆର୍ କୋଭିଡ୍-୧୯ ଟେଷ୍ଟିଂ କିଟ୍ ପ୍ରସ୍ତୁତ କରିଛନ୍ତି । ଏହି କିଟ୍ ଦ୍ୱାରା କରୋନାର ଓମିକ୍ରନ୍ ଭାରିଆଣ୍ଟ ମାତ୍ର ୨ ମିନିଟରେ ଚିହ୍ନଟ ହୋଇ ପାରିବ । ଓମିକ୍ରନର ବଢ଼ୁଥିବା ମାମଲା ଭିତରେ ଏହି କିଟ୍ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ । ସୂଚନା ଅନୁସାରେ, ଡାକ୍ତର ବିଶ୍ୱଜ୍ୟୋତି ବୋରକାକୋଟେଙ୍କ ନେତୃତ୍ୱରେ ଆଇସିଏମ୍ଏର୍ ବୈଜ୍ଞାନିକ ଏହି କିଟ୍ ପ୍ରସ୍ତୁତ କରିଛନ୍ତି ।

ବୈଜ୍ଞାନିକଙ୍କ ଦାବି ଅନୁସାରେ, ଏହି କିଟ୍ ଜରିଆରେ ଓମିକ୍ରନ୍ ଭାରିଆଣ୍ଟର ଚିହ୍ନଟ ମାତ୍ର ୨ ଘଣ୍ଟାରେ ହୋଇପାରିବ । କୋଲକାତା ସ୍ଥିତ କମ୍ପାନୀ ଜିସିସି ବାୟୋଟେକ୍ ପବ୍ଲିକ ପ୍ରାଇଭେଟ୍ ପାର୍ଟନରସିପରେ ଏହି କିଟର ବିପୁଳ ଉତ୍ପାଦନ କରିବ । କୋଭିଡର ନୂଆ ଓମିକ୍ରନ ଭାରିଆଣ୍ଟର ୩୩ଟି ମାମଲା ଏବେ ଯାଏ ଦେଶରେ ଚିହ୍ନଟ ହୋଇଛି । ତେବେ ପ୍ରାରମ୍ଭିକ ଅଧ୍ୟୟନରୁ କୁହାଯାଉଛି ଡେଲଟା ତୁଳନାରେ ଅଧିକ ଘାତକ ନୁହେଁ ଓମିକ୍ରନ ।

ICMR New Kit To Detect Omicron Variant In 2 Hours

ବର୍ତ୍ତମାନ ବଜାରରେ ମିଳୁଥିବା କିଟରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ପାଇଁ ୩ରୁ ୪ ଦିନ ସମୟ ଲାଗୁଛି । ତେବେ ଆଇସିଏମ୍ଆର୍ ଦିବ୍ରୁଗଡ଼ ଦ୍ୱାରା ବିକଶିତ କିଟ୍ ସୀମିତ ସମୟରେ ଓମିକ୍ରନ ଚିହ୍ନଟରେ ସକ୍ଷମ ହେଲେ ଚିକିତ୍ସା ବିଜ୍ଞାନ ପାଇଁ ବଡ଼ ଉପଲବ୍ଧି ହେବ । ଏପରିକି ଏହା ଦ୍ୱାରା ଓମିକ୍ରନ ସଂକ୍ରମଣକୁ ରୋକି ହେବ ।

ଡାକ୍ତର ବିଶ୍ୱଜ୍ୟୋତି ବୋରକାକୋଟେଙ୍କ କହିବା ଅନୁସାରେ, ଏହି କିଟ୍ ଦ୍ୱାରା ୨ ଘଣ୍ଟାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇପାରିବ । ଓମିକ୍ରନ ଭାଇରସର ଜିନୋମ ସିକ୍ୱେନ୍ସିଂ ପାଇଁ ୪ରୁ ୫ ଦିନ ସମୟ ଲାଗୁଛି । ଏହି କିଟ୍ ୨ ଘଣ୍ଟା ମଧ୍ୟରେ ବିଭିନ୍ନ ମାଧ୍ୟମରେ ଓମିକ୍ରନକୁ ଚିହ୍ନଟ କରିପାରିବ ।

ଆଜି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଗସ୍ତ, ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ

ବ୍ରହ୍ମପୁର: ଆଜି ଗଞ୍ଜାମରେ ଲେଖା ହେବ ସେବା ଆଉ ବିକାଶର ନୂଆ କାହାଣୀ । ସ୍ମାର୍ଟ ସ୍ୱାସ୍ଥ୍ୟସେବା ସହ ଯୋଡ଼ିହେବ ଗଞ୍ଜାମ । ଦିନିକିଆ ଗଞ୍ଜମ ଗସ୍ତରେ ଯାଇ ଜିଲ୍ଲାବାସୀଙ୍କୁ ବିକାଶର ଭେଟି ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଭିନ୍ନ ପ୍ରକଳ୍ପ ଯୋଗେ ୨୨ଶହ କୋଟି ଟଙ୍କାର ଭେଟି ଦେବେ ନବୀନ । ପୁରୁଷୋତ୍ତମପୁରରେ ସକାଳ ୧୦ଟା ୩୦ରେ ପହଞ୍ଚି ମା’ତାରାତାରିଣୀଙ୍କ ଦର୍ଶନ ପାଇଁ ଯିବେ ମୁଖ୍ୟମନ୍ତ୍ରୀ । ପରେ ସଭାସ୍ଥଳରେ ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରିବେ ।

CM Naveen Patnaik To Distribute BKSY Cards In Ganjam Today

ଜିଲ୍ଲାର ୨୫ ଲକ୍ଷ ପରିବାର ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ । ସ୍ମାର୍ଟକାର୍ଡ ବଣ୍ଟନ ପରେ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବେ । ୫୭୦ କୋଟି ଟଙ୍କା ବ୍ୟୟରେ ହୋଇଥିବା ୬୫୯ଟି ପ୍ରକଳ୍ପର ଉଦଘାଟନ, ୧୫୮୨ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୬୪୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ୧୨୭ କୋଟି ଟଙ୍କାର ନୂଆ ଯୋଜନାର ଶୁଭାରମ୍ଭ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୪୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ବ୍ରିଜ୍, ରାସ୍ତା ଓ ଡ୍ରେନ୍‌ର ଉଦଘାଟନ କରିବେ । ସେହିଭଳି ୨୧୯ କୋଟି ଟଙ୍କାରେ ନିର୍ମିତ ୨୮୯ଟି ସ୍ୱାସ୍ଥ୍ୟ, ଶିକ୍ଷା, ପାନୀୟ ଜଳପ୍ରକଳ୍ପର ଉଦଘାଟନ ହେବ । ୭୬୧ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ୪୩୯ଟି ସ୍ୱାସ୍ଥ୍ୟ, ପାନୀୟଜଳ ଓ ଶିକ୍ଷା ପକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।

ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣଙ୍କୁ ସମ୍ବୋଧତ କରିବେ । ପରେ ହିଞ୍ଜିଳିକାଟୁ ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ୧୦୦ କୋଟି ଟଙ୍କାର ବ୍ୟାଙ୍କ କ୍ରେଡିଟ୍ ଲିଙ୍କେଜ୍ ପ୍ରଦାନ, ମିଶନ ଶକ୍ତି ପକ୍ଷରୁ ବ୍ୟାଟେରୀ ଚାଳିତ ଯାନର ଲୋକାର୍ପଣ, ଗଞ୍ଜାମ ଦର୍ଶନ ବସର ଶୁଭାରମ୍ଭ କରିବେ । ଏହି ଅବସରରେ ହିଞ୍ଜିଳି ନିର୍ବାଚନମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହା ପରେ ମୁଖ୍ୟମନ୍ତ୍ରୀ ହିଞ୍ଜିଳିକାଟୁର ସ୍ମାର୍ଟ କ୍ଲାସ୍ ପରିଦର୍ଶନ କରିବେ ।

ଓଡ଼ିଆ ପୁଅ ସମ୍ଭାଳି ପାରନ୍ତି ସ୍ଥଳସେନା କମାଣ, ସୋସିଆଲ ମିଡ଼ିଆରେ ଏବେଠୁ ଶୁଭେଛା

ନନ୍ଦିଘୋଷ ବ୍ୟୁରୋ: ସୋସିଆଲ ମିଡ଼ିଆରେ ଏବେ ଠୁ ଓଡ଼ିଆ ପୁଅ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦଙ୍କୁ ଭୁରି ଭୁରି ଶୁଭେଛା  । ଆଗାମୀ ସେନାଧ୍ୟକ୍ଷ ନେଇ କେହି କେହି ଶୁଭେଛା ବାର୍ତ୍ତା ଜଣାଇଲେଣି  । ବର୍ତ୍ତମାନ ଚଣ୍ଡୀ ପ୍ରସାଦ ସେନାର ଉପମୁଖ୍ୟ ପଦବୀର୍ ରହିଛନ୍ତି । ଗତ ଜାନୁଆରୀରେ ସେ ଏହି ଦାୟିତ୍ୱ ନେଇଥିଲେ । ସିଡିଏସ ଜେନେରାଲ ବିପିନ ରାଓ୍ୱତଙ୍କ ମୃତ୍ୟୁ ପରେ ତାଙ୍କ ସ୍ଥାନରେ ବର୍ତ୍ତମାନର ସେନାମୁଖ୍ୟ ଏମଏମ ନରଓ୍ୱାଣେଙ୍କୁ ନିଯୁକ୍ତି ଦେବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ନରଓ୍ୱାଣେ ପରବର୍ତ୍ତୀ ସିଡିଏସ ହୁଅନ୍ତି ତେବେ ଚଣ୍ଡୀପ୍ରସାଦ ପରବର୍ତ୍ତୀ ସେନାମୁଖ୍ୟ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ସହ ନର୍ଦର୍ଣ୍ଣ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ଓ୍ବାଇକେ. ଯୋଶୀ ମଧ୍ୟ ସେନାମୁଖ୍ୟ ଦୌଡରେ ଅଛନ୍ତି ।

ଲେଫ୍ଟନାଣ୍ଟ ଜେନେ ରାଲ ମହାନ୍ତି ଓ ଯୋଷୀ ଗୋଟିଏ ବ୍ୟାଚର ହୋଇଥିବାବେଳେ ନରଓ୍ୱାଣେ ପରେ ଦୁହିଁଙ୍କ ରାଙ୍କ ସର୍ବୋଚ୍ଚରେ ରହିଛି । ସେନାଉପମୁଖ୍ୟ ଚଣ୍ଡୀପ୍ରସାଦଙ୍କ ଏଲଏସି ସମ୍ପର୍କରେ ଗଭୀର ଅଭିଜ୍ଞତା ରହିଥିବାବେଳେ ତାଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଲାଗି ଅଧିକ ଦାବିଦାର ମନେ କରାଯାଉଛି । ଚଣ୍ଡୀପ୍ରସାଦ ପରମବୀର ସେବା ସମ୍ମାନ, ଅତିବିଶିଷ୍ଟ ସେବା ସମ୍ମାନ ଆଦି ଉପାଧିରେ ଭୂଷିତ । ସେ ଗତ ଫେବ୍ରୁଆରୀ ୧ରେ ସେନାର ଉପମୁଖ୍ୟ ହୋଇଥିଲେ । ଜଗତସିଂହପୁରରେ ଜନ୍ମିତ ଚଣ୍ଡୀପ୍ରସାଦ ଜାତୀୟ ସ୍ତରରେ ଅନେକ ସମ୍ମାନ ସାଉଁଟିଛନ୍ତି ।

ସାଧାରଣ ଶିକ୍ଷା ଶେଷ କରିବା ପରେ ସେ ଡେରାଡୁନ ରାଷ୍ଟ୍ରୀୟ ଭାରତୀୟ ସାମରିକ କଲେଜରେ ପଢିଥିଲେ । ଏନଡିଏରେ ଶିକ୍ଷା ହାସଲ ପରେ ସେ ଓ୍ବେଲିଂଟନସ୍ଥିତ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜରେ ପଢିଥିଲେ । ସେ ୧୯୮୨ରେ ରାଜପୁତ ରେଜିମେଣ୍ଟର ଦ୍ବିତୀୟ ଲେଫ୍ଟନାଣ୍ଟ ଭାବେ କାର୍ଯ୍ୟ କରିଥିଲେ । ଜାମ୍ମୁ ଓ କାଶ୍ମୀର ଏବଂ ଉତ୍ତରପୂର୍ବାଞ୍ଚଳରେ ସେ ଗୁରୁ ଦାୟିତ୍ବ ସମ୍ଭାଳିଥିଲେ । ପରେ ସେ କଙ୍ଗୋରେ ଜାତିସଂଘ ବ୍ରିଗେଡରେ ସାମିଲ ହୋଇଥିଲେ । ଏହା ସହ ସିଚେଲସରେ ସେ ସରକାରଙ୍କ ସାମରିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ । ବର୍ତ୍ତମାନ ଲେଫ୍ଟନାଣ୍ଟ ଜେନେରାଲଙ୍କୁ ନେଇ ସୋସିଆଲ ମିଡ଼ିଆରେ ଶୁଭେଛା ଛୁଟିବାରେ ଲାଗିଛି  । ଆଗାମୀ ସେନାଧ୍ୟକ୍ଷ ନେଇ ପାରମ୍ପରିକ ଭାବେ କିମ୍ବା ସରକାରୀ ସୁତ୍ରରୁ କୌଣସି ସୂଚନା ପ୍ରଦାନ କରାଯାଇନଥିବାବେଳେ ଖବରକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି  ।

ପ୍ରକାଶ ପାଇଲା ୱାର୍ଡ଼ ସଂରକ୍ଷଣ ଚିଠା ତାଲିକା

ଭୁବନେଶ୍ୱର: ଆଉ ପାଦେ ଆଗେଇଛି ପୌର ନିର୍ବାଚନ ପ୍ରକ୍ରିୟା । କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମ ପାଇଁ ଓ୍ବାର୍ଡ଼ ସଂରକ୍ଷଣର ଚିଠା ତାଲିକା ପ୍ରକାଶ ପାଇଛି । ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ଏହି ତାଲିକା ଉପରେ ଆପତ୍ତି ଅଭିଯୋଗ ପାଇଁ ୧୦ ଦିନ ସମୟ ଦିଆଯାଇଛି । ପୂର୍ବରୁ ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ସଂରକ୍ଷଣ ଚୁଡ଼ାନ୍ତ ହୋଇଛି ।

ରାଜ୍ୟରେ ଥିବା ୫ଟି ମହାନଗର ମଧ୍ୟରୁ ରାଉରକେଲା ଓ ସମ୍ବଲପୁରକୁ ବାଦ୍ ଦେଇ ୩ଟି ମହାନଗରର ଓ୍ୱାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆଶାୟୀ ଚିନ୍ତାରେ ଅଛନ୍ତି । ହେଲେ ଏହା ଏକ ସ୍ୱାଭାବିକ ପ୍ରକିୟା ବୋଲି ଭୁବନେଶ୍ୱର ପୂର୍ବତନ କର୍ପୋରେଟର ଅମରେଶ ଯେନା କହିଛନ୍ତି । ଅନ୍ୟପକ୍ଷରେ କଟକରେ ଚିଠା ତାଲିକା ଉପରେ ଅଭିଯୋଗ କରିବା ପାଇଁ ସଜବାଜ ଚାଲିଛି । ଡ଼ିସେମ୍ବର ୨୯ ତାରିଖରେ ୩ ମହାନଗର ନିଗମର ଚୁଡ଼ାନ୍ତ ଓ୍ବାର୍ଡ଼ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ।

ସାଧୁ ଯାଦବଙ୍କୁ ଦୁଷ୍ଟ କଂସ ମାମୁ କହିଲେ ଲାଲୁଙ୍କ ଝିଅ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସାନ ପୁଅ ତେଜସ୍ୱୀ ଯାଦବ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେଜସ୍ୱୀ ଖ୍ରୀଷ୍ଟାଆନ ଝିଅ ରଶେଲଙ୍କୁ ବିବାହ କରିଛନ୍ତି । ଯାହାକୁ ନେଇ ତେଜସ୍ୱୀଙ୍କ ଉପରେ ରାଗିଛନ୍ତି ତାଙ୍କ ମାମୁଁ ସାଧୁ ଯାଦବ । କିନ୍ତୁ ତେଜସ୍ୱୀଙ୍କ ଭଉଣୀ ରୋହଣୀ ଆଚାର୍ଯ୍ୟ ତାଙ୍କ ମାମୁଁଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ସେ ସାଧୁ ଯାଦବଙ୍କୁ କଂସ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି ଯଦି ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ କୃଷ୍ଣ ହୁଅନ୍ତୁ ।

ଶନିବାର ତେଜସ୍ୱୀ ଯାଦବଙ୍କ ଭଉଣୀ ରୋହଣୀ ଆଚାର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି କି କଂସ ଆଜି ବି ସମାଜରେ ଅଛନ୍ତି, ଏହି କଥା ସେ ପ୍ରମାଣ କରିଦେଲେ । ଯଦି ସମ୍ପର୍କ ବଜାୟ ରଖିବାକୁ ଚାହୁଁଛନ୍ତି ତେବେ କୃଷ୍ଣ ହୁଅନ୍ତୁ, ଦୁଷ୍ଟ କଂସ ପରି ଅନ୍ୟାୟ କର ନାହଁ ବୋଲି ଟ୍ୱିଟ୍ କରି କହିଛନ୍ତି ରୋହଣୀ ଆଚାର୍ଯ୍ୟ । ତେଜସ୍ୱୀ ଯାଦବ ଓ ରଶେଲ ଡିସେମ୍ବର ୯ରେ ବିବାହ କରିଥିଲେ । ସୂଚନା ଅନୁସାରେ ବିବାହ ପୂର୍ବରୁ ରଶେଲଙ୍କ ନାମ ପରିବର୍ତ୍ତନ କରି ରାଜେଶ୍ୱରୀ ଯାଦବ କରାଯାଇଥିଲା । ଏହି କଥାକୁ ନେଇ ତେଜସ୍ୱୀଙ୍କ ମାମୁଁ ସାଧୁ ଯାଦବ ତୀବ୍ର ପ୍ରତିକ୍ରିୟା ଦେଇଥିଲେ । ଏହା ସମାଜ ପାଇଁ କଳଙ୍କ ବୋଲି କହିଥିଲେ ସାଧୁ ଯାଦବ ।

ଗତ ଶୁକ୍ରବାର ସାଧୁ ଯାଦବ କହିଥିଲେ କି ତେଜସ୍ୱୀ ଯାଦବ ଜଣେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିଥିଲେ । ଯାହା ସମାଜ ପାଇଁ ଏକ କଳଙ୍କ । ଆମ ଯଦୁବଂଶ ସମାଜ ଏହାକୁ ସ୍ୱୀକାର କରେ ନାହିଁ । ତେଜସ୍ୱୀ ତାଙ୍କ ସବୁ ଭଉଣୀଙ୍କ ବିବାହ ଯାଦବ ସମାଜରେ କରିଛନ୍ତି କିନ୍ତୁ ନିଜେ ତେଜସ୍ୱୀ ଏକ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିଛନ୍ତି । ସାଧୁ ଯାଦବ ଆହୁରି କହିଛନ୍ତି କି ତେଜସ୍ୱୀ ଯାଦବ ଲଗାତର ଭାବରେ ଜାତିଗତ ଜନଗଣନା ପାଇଁ ଦାବି କରୁଛନ୍ତି । କିନ୍ତୁ ସେ ଖ୍ରୀଷ୍ଟିଆନ ଝିଅଙ୍କୁ ବିବାହ କରିଛନ୍ତି । ଯଦି ତେଜସ୍ୱୀ ଯାଦବ ଜାତିକୁ ମାନୁ ନାହାନ୍ତି ତେବେ କାହିଁକି ସେ ଜାତିଗତ ଜନଗଣନାର ପ୍ରଶ୍ନ ଉଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାଧୁ ଯାଦବ ।