spot_img
Home Blog Page 5206

ଆଜି ନିଟ୍, ରାଜ୍ୟର ୧୬ ସହରରେ ପରୀକ୍ଷା କେନ୍ଦ୍ର

ଭୁବନେଶ୍ୱର: ଆଜି ନିଟ୍ ପରୀକ୍ଷା । ୨୦୨୧ ଶିକ୍ଷାବର୍ଷର ମେଡିକାଲ ତଥା ଏମ୍‌ବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ନାମଲେଖା ଲାଗି ଆଜି ନିଟ୍ ବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ ପରୀକ୍ଷା ଅନୁଷ୍ଠିତ ହେବ । କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରେଣୀ ଗୃହରେ କିଭଳି କମ ଛାତ୍ରଛାତ୍ରୀ ବସିବେ ସେ ଦିଗକୁ ଦୃଷ୍ଟି ଦିଆଯାଇଛି । ପରୀକ୍ଷା କେନ୍ଦ୍ର ହେବାକୁ ଥିବା ସହର ସଂଖ୍ୟା ଚଳିତ ବର୍ଷ ବୃଦ୍ଧି କରାଯାଇଛି । ଉଭୟ ଦେଶ ଓ ବିଦେଶର ୨୦୨ଟି ସହରରେ ହୋଇଥିବା ୩୮୬୨ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବା ନେଇ ଏନଟିଏ ପକ୍ଷରୁ ସୂଚନା ଦିଆଯାଇଛି ।

Neet Exam Centre In 16 Town Of Odisha

ଓଡ଼ିଶାର ୧୬ଟି ସହର ଅନୁଗୁଳ, ବାଲେଶ୍ଵର, ବ୍ରହ୍ମପୁର, ଭୁବନେଶ୍ବର, କଟକ, ରାଉରକେଲା, ସମ୍ବଲପୁର, ବଲାଙ୍ଗୀର, ଭବାନିପାଟଣା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ପାରଳାଖେମୁଣ୍ଡି, ଫୁଲବାଣୀ, ରାୟଗଡ଼ା ଓ ପୁରୀ ସହରରେ ନିଟ୍ ପରୀକ୍ଷା କେନ୍ଦ୍ର ଅନୁଷ୍ଠିତ ହେଉଛି । କେବଳ ଭୁବନେଶ୍ୱରରେ ୧୬ଟି ପରୀକ୍ଷା କେନ୍ଦ୍ରରେ ମୋଟ ୧୦ ହଜାର ୯୯୬ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଲିଖିତ ପରୀକ୍ଷା ଦିନ ୨ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟାରେ ସରିବ । ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ ଦିନ ୧୧ଟାରୁ ସାଢେ ଗୋଟେ ମଧ୍ୟରେ ପ୍ରବେଶ କରିବେ ।

Neet Exam Centre In 16 Town Of Odisha

ପରୀକ୍ଷା କେନ୍ଦ୍ରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ଯେପରି ଭିଡ଼ ନ ହୁଏ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟାଇମ୍‌ ସ୍ଲଟ୍‌ ପ୍ରଦାନ କରାଯାଇଛି । ସେହିପରି ସମସ୍ତ ପରୀକ୍ଷାର୍ଥୀଙ୍କୁ ମାସ୍କ ଯୋଗାଇ ଦିଆଯିବ । ପରୀକ୍ଷା କେନ୍ଦ୍ରରେ ପଞ୍ଜୀକରଣ ସ୍ପର୍ଶବିହୀନ ରହିବ । ବିଶୋଧନ ସହ ପରୀକ୍ଷାର୍ଥୀଙ୍କ ବସିବା ସମୟରେ ସାମାଜିକ ଦୂରତାକୁ କଡ଼ାକଡ଼ି ପାଳନ କରିବାକୁ ନିଷ୍ପତ୍ତି ହୋଇଛି । ତେବେ ଛାତ୍ରଛାତ୍ରୀଙ୍କର ଆଡମିଟ୍ ଡାଉନଲୋଡ୍ ହେବାରେ କୌଣସି ଅସୁବିଧା ଦେଖା ଦେଲେ ୦୧୧-୪୦୭୫୯୦୦୦ରେ ଯୋଗାଯୋଗ କରିବାକୁ କୁହାଯାଇଛି ।

କାଚୁଛି ବର୍ଷା, ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଅଧିକ ଘନୀଭୂତ ହେଉଛି ଲଘୁଚାପ । ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଓ ତତସଂଲଗ୍ନ ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେଉଛି । ଉତ୍ତର-ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ । ଏହା କ୍ରମଶଃ ପଶ୍ଚିମଉତ୍ତର-ପଶ୍ଚିମ ଦିଗକୁ ଗତି କରି ପରବର୍ତ୍ତୀ ୨ ଦିନରେ ଉତ୍ତର ଓଡ଼ିଶା ଏବଂ ଉତ୍ତର ଛତିଶଗଡ଼ ଅତିକ୍ରମ କରିବ । ପ୍ରଭାବରେ ୧୨ ଓ ୧୩ ତାରିଖରେ ଅତି ପ୍ରବଳ ବର୍ଷା ହେବ ।

ଆଜି ଅତି ପ୍ରବଳ ବର୍ଷା ନେଇ ୮ଟି ଜିଲ୍ଲାକୁ ପାଣିପାଗ ବିଭାଗ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିଭଳି ପ୍ରବଳ ବର୍ଷା ନେଇ ଗଞ୍ଜାମ, ବାଲେଶ୍ୱର, ନୟାଗଡ଼, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ମୟୂରଭଞ୍ଜ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

Low Pressure In Bay Of Bengal, Orange Alert To 8 Districts

୧୩ ତାରିଖରେ ଅତି ପ୍ରବଳ ବର୍ଷା ନେଇ ଅନୁଗୁଳ, ଦେବଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗିର ଓ ସୋନପୁର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ତଳିଆ ଅଞ୍ଚଳର ଚାଷ ଜମି ଜଳମଗ୍ନ ହେବା ସହ ମାଟି ରାସ୍ତା କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୂଆପଡ଼ା, କଟକ, ଯାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Low Pressure In Bay Of Bengal, Orange Alert To 8 Districts

୧୪ ତାରିଖରେ ପ୍ରବଳ ବର୍ଷା ନେଇ ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର ଓ କେନ୍ଦୁଝର ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଲଘୁଚାପ ପାଇଁ ୧୨ରୁ ୧୪ ତାରିଖ ଯାଏଁ ସମୁଦ୍ର ଅଶାନ୍ତ ରହିବ । ଗଭୀର ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀ ୧୧ ତାରିଖ ସନ୍ଧ୍ୟା ସୁଦ୍ଧା କୂଳକୁ ଫେରି ଆସିବାକୁ କୁହାଯାଇଛି । ଉତ୍ତର ଓ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ସହ ଉପକୂଳ ଓଡ଼ିଶାରେ ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି ।

ନାଇଟ୍ କର୍ଫ୍ୟୁ ଉଲ୍ଲଂଘନ କରି ଚାଲିଥିଲା ବାର୍

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ କଟକଣା କୋହଳ ହୋଇଥିବା ବେଳେ ରାତ୍ରୀକାଳୀନ କର୍ଫ୍ୟୁ ଜାରି ହୋଇଛି । ରାତି ୧୦ଟା ସୁଦ୍ଧା ଦୋକାନ ବଜାର ବନ୍ଦ ପାଇଁ ରହିଛି ଏସଆରସିଙ୍କ ନିର୍ଦ୍ଦେଶ । ରାତ୍ରୀକାଳୀନ କର୍ଫ୍ୟୁ ବେଳେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ରହିଛି । ହେଲେ କିଛି ବାର୍ ନିୟମ ମାନୁନାହାଁନ୍ତି ।

Mad Mule Bar Sealed By BMC For Night Curfew Violation

ରାଜଧାନୀର ଜନପଥରେ ଥିବା ମ୍ୟାଡ୍ ମୁଲେ ବାରକୁ ବିଏମସ୍ ସିଲ୍ କରିଛି । କୋଭିଡ୍ କଟକଣା ଥିବାବେଳେ ନାଇଟ କର୍ଫ୍ୟୁକୁ ନମାନି ବାର୍ ଖୋଲିଥିଲା । ବିଏମସି ସହକାରୀ କମିଶନର ଲିଲନ ସାହୁଙ୍କ ନେତୃତ୍ୱରେ ଖାରବେଳ ନଗର ଥାନା ପୋଲିସ ପକ୍ଷରୁ ମିଳିତ ଚଢ଼ାଉ ହୋଇଥିଲା । ଅନିର୍ଦ୍ଦିଷ୍ଟ କାଳ ପାଇଁ ବାରକୁ ସିଲ୍ କରାଯାଇଛି ।

କିଏ ହେବ ଗୁଜରାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ? କାଲି ବିଜେପି ବିଧାୟକ ଦଳ ବୈଠକ

ଗାନ୍ଧୀନଗର: ଗୁଜରାଟ ମୁଖ୍ୟମନ୍ତ୍ରୀ ପଦରୁ ବିଜୟ ରୂପାଣୀଙ୍କ ଅଚାନକ ଇସ୍ତଫା ପରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଛି । କାହିଁକି ରୂପାଣି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତା’କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ? ସେନେଇ ଜାରି ନାନା ଆକଳନ । ଏହାରି ଭିତରେ ଆସନ୍ତାକାଲି ରବିବାର ବିଜେପି ବିଧାୟକ ଦଳର ବୈଠକ ବସିବାକୁ ଯାଉଛି । ମୁଖ୍ୟମନ୍ତ୍ରୀ ରେସରେ ନୀତିନ ପଟେଲଙ୍କ ନାଁ ଆଗରେ ଥିବା ଚର୍ଚ୍ଚା ହେଉଛି ।

Gujrat New Chief Minister Nitin Patel In Race

ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକଙ୍କ ନାମ ଆସୁଛି । କେନ୍ଦ୍ରମନ୍ତ୍ରୀ ମନସୁଖ ଭାଇ ମାଣ୍ଡବିୟାଙ୍କ ନାମକୁ ନେଇ ବି ଆଲୋଚନା ହେଉଛି । ମନସୁଖ ଏବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଅଛନ୍ତି । ସେ ଗୁଜରାଟ ବିଜେପିରୁ ରାଜ୍ୟସଭା ସାଂସଦ ଅଛନ୍ତି । ୪୯ ବର୍ଷୀୟ ମନସୁଖ ମାଣ୍ଡବିୟା ୨ ଦଶକ ହେଲା ରାଜନୀତିରେ ସକ୍ରିୟ ଅଛନ୍ତି ।

ନୀତିନ ପଟେଲ କିଏ ?

ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ରେସରେ ନୀତିନ ପଟେଲଙ୍କ ନାଁ ସବୁଠୁ ଆଗରେ ରହିଛି । ନୀତିନ ପଟେଲ ୨୦୧୬ ଅଗଷ୍ଟ ୫ରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୧ରେ ଗୁଜରାଟର ଅର୍ଥମନ୍ତ୍ରୀ ଥିଲେ ନୀତିନ । ଛଅ ଛଅ ଥରର ବିଧାୟକ ହେଉଛନ୍ତି ନୀତିନ ପଟେଲ ।

ମୂର୍ତ୍ତି ଉଚ୍ଚତା ବୃଦ୍ଧି ପାଇଁ ପୁଣି ସରକାରଙ୍କୁ ନିବେଦନ

କଟକ: କଟକ ଦଶହରାରେ ପରମ୍ପରା ମୁତାବକ ବଡ଼ ମୂର୍ତ୍ତି ତିଆରି ଅନୁମତି ପାଇଁ ପୁଣି ଥରେ ରାଜ୍ୟ ସରକାରଙ୍କୁ ନିବେଦନ କରାଯିବ । ଏ ନେଇ ଶାନ୍ତି କମିଟି ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିବା ମହାନଗର ପୂଜାକମିଟି ସମ୍ପାଦକ ଓ କଟକ ସାଂସଦ ସୂଚନା ଦେଇଛନ୍ତି ।

ଓସିଏ ସମ୍ମିଳନୀ କକ୍ଷରେ କଟକର ଶାନ୍ତି କମିଟି ଓ ପୂଜା କମିଟିକୁ ନେଇ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିଥିଲା । ସରକାରଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଦାବି କରିଥିଲେ ଅନେକ ପୂଜା କମିଟି । ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଆଉ ଥରେ ଅନୁରୋଧ କରାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ।

ମୂର୍ତ୍ତିର ଉଚ୍ଚତା ସର୍ବାଧିକ ୪ ଫୁଟ୍ ରଖିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସଂକ୍ରମଣ ମାମଲା ହ୍ରାସ ପାଇଥିବା ବେଳେ ପାର୍ବଣରେ ଭିଡ଼କୁ ଏଡ଼ାଇବାକୁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି ।

ତାଲିବାନ ସରକାରକୁ ମାନିବନି ଭାରତ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ସରକାରକୁ ମାନ୍ୟତା ଦେବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତ । ତାଲିବାନର ନୂଆ ସରକାରକୁ ଏକ ବ୍ୟବସ୍ଥା ଛଡା ଆଉ କିଛି ମାନିବୁ ନାହିଁ ବୋଲି କହିଛନ୍ତି ବୖେଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର । ତାଲିବାନ ସରକାରରେ ସବୁ ବର୍ଗଙ୍କୁ ସମାନ ଅଧିକାର ମିଳିବା ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି ।

 ଅଷ୍ଟ୍ରେଲିଆ ସହ ଶନିବାର ଦିନ ହୋଇଥିବା ଟୁ-ପ୍ଲସ୍-ଟୁ ମିଟିଂରେ ଦୁଇ ଦେଶର ନେତା ଆଫଗାନିସ୍ତାନରେ ମହିଳା ଓ ଅଳ୍ପସଂଖ୍ୟକଙ୍କ ସ୍ଥିତି ନେଇ ଚିନ୍ତା ପ୍ରକଟ କରିଥିଲେ। ଉକ୍ତ ମିଟିଂରେ ଭାରତ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ସାମିଲ ହୋଇଥିଲେ। ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ବୈଦେଶିକ ମନ୍ତ୍ରୀ ମେରି ପାୟନେ ଓ ପ୍ରତିରକ୍ଷା ମନ୍ତ୍ରୀ ପିଟର ଡ୍ୟୁଟନ୍ ମଧ୍ୟ ସାମିଲ ହୋଇଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, କ୍ୱାଡ୍ ଦେଶ (ଭାରତ, ଅଷ୍ଟ୍ରେଲିଆ, ଆମେରିକା ଓ ଜାପାନର (ଗଠଯୋଡ)  ଦେଶର ଦୃଷ୍ଟିକୋଣ ସ୍ପଷ୍ଟ ଅଛି । ଆମେ କରୋନା ମହାମାରୀ ବିରୋଧରେ ଭ୍ୟାକ୍ସିନେସନ୍, ସପ୍ଲାଇ ଚେନ୍ ଓ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ କ୍ୱାଡକୁ ଏସିଆଇ ନାଟୋ କହିବା ଭୁଲ୍ । କାରଣ ନାଟୋ ଏକ ଶିତଳଯୁଦ୍ଧର ଶବ୍ଦାବଳୀ ।

ବୈଠକରେ ଦୁଇ ଦେଶ ଗୋଟିଏ ମତ ରଖିଛନ୍ତି , ଯେ ଆଫଗାନିସ୍ତାନ ମାଟିରେ ଆତଙ୍କବାଦ ବିସ୍ତାର ହେବା ଉଚିତ୍ ନୁହେଁ । ଏହାକୁ ନେଇ ଭାରତ- ଅଷ୍ଟ୍ରେଲିଆକୁ ସଂଯୁକ୍ତ ରାଷ୍ଟ୍ରର ୨୫୯୩ ବିଲ୍ ଲାଗୁକୁ ରୋକିବା ଉପରେ ଚର୍ଚ୍ଚା କରିଥିବା ଜଣାପଡିଛି ।

ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ସାହସିକତାର ନିଷ୍ପତ୍ତି: ପ୍ରଧାନ ବିଚାରପତି

0

ନୂଆଦିଲ୍ଲୀ: ୧୯୭୫ ମସିହାରେ ଆହ୍ଲାବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏହି ଘଟଣାକୁ ପ୍ରୟାଗରାଜରେ ଆୟୋଜିତ ଏକ ସମାରୋହରେ ଭାରତର ପ୍ରଧାନ ବିଚାରପତି ଏନଭି ରମଣା ଉଠାଇଛନ୍ତି।

ସେ ସମୟରେ ଆହ୍ଲାବାଦ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଜଗମୋହନଲାଲ ସିହ୍ନା ସେହି ନିଷ୍ପତ୍ତିକୁ ପାରିତ କରିଥିଲେ। ଆଉ ଯେଉଁ ନିଷ୍ପତ୍ତି ସାରା ଦୁନିଆକୁ ଦୋହଲାଇ ଦେଇଥିଲା । ତାଙ୍କର ଏଭଳି ନିଷ୍ପତ୍ତି ସତରେ ସାହସିକତା ପୂର୍ଣ୍ଣ ଥିଲା ବୋଲି କହିଛନ୍ତି ରମଣା । ଯାହାର ପରିଣାମ ସ୍ୱରୂପ ଦେଶରେ ଜାରି ହୋଇଥିଲା ଏମରଜେନ୍ସି ।

ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି, ଆହ୍ଲାବାଦ ହାଇକୋର୍ଟର ୧୫୦ ବର୍ଷରୁ ଅଧିକ ଇତିହାସ ରହିଛି । ମୁଁ ଆଶା କରୁଛି ଯେ, ଆପଣ ଏହି ଐତିହାସିକ ବାରର ଅସାଧାରଣ ବିରାସତ, ପରମ୍ପରା ଓ ସଂସ୍କୃତିକୁ ଆଗକୁ ବଢାଇବେ ।

 

ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ରକ୍ତଦାନ ଶିବିରରେ ନିଆରା ଉଦାହରଣ, ଅଙ୍ଗଦାନ ପାଇଁ ୩୦ ଜଣଙ୍କ ସ୍ୱାକ୍ଷର

ଘସିପୁରା: ଓଡ଼ିଶା ମୋ ପରିବାର-ଜୀବନବିନ୍ଦୁ ଆନୁକୂଲ୍ୟରେ ଆଜି କେନ୍ଦୁଝର ଘସିପୁରାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସ୍ୱତନ୍ତ୍ରତା ବହନ କରୁଥିବା ଏହି ଶିବିରରେ ୩୧ ଜଣ ରକ୍ତଦାନ କରିଛନ୍ତି । ୩୦ ଜଣ ସ୍ୱେଚ୍ଛାସେବୀ ମୃତ୍ୟୁ ପରେ ସେମାନଙ୍କର ଅଙ୍ଗଦାନ କରିବେ ବୋଲି କଟକ ବଡ଼ ମେଡିକାଲରୁ ଯାଇଥିବା ମେଡିକାଲ ଟିମଙ୍କ ନିକଟରେ ଆବଶ୍ୟକ ଦସ୍ତାବିଜରେ ସ୍ୱାକ୍ଷର କରିଛନ୍ତି ।

Odisha Mo Parivar Blood Camp In Ghasipura

ସେମାନଙ୍କ ମଧ୍ୟରୁ ୬ ଜଣ ଚକ୍ଷୁଦାନ ପାଇଁ ସ୍ୱାକ୍ଷର କରିଥିବା ବେଳେ ୪ ଜଣ କିଡନୀ ଓ ଚକ୍ଷୁ, ୩ ଜଣ କିଡନୀ, ଚକ୍ଷୁ. ଚର୍ମ ଓ ଲିଭର ଏବଂ ୧୭ ଜଣ ସମ୍ପୂର୍ଣ୍ଣ ଅଙ୍ଗଦାନ କରିବା ପାଇଁ ସ୍ୱାକ୍ଷର କରିଛନ୍ତି । ସେମାନଙ୍କର ଏହି ନିଷ୍ପତ୍ତି ଅନ୍ୟମାନଙ୍କ ପାଇଁ ନିଆରା ଉଦାହରଣ ପାଲଟିଛି । ହେଲ୍ପ ଦି ହ୍ୟୁମାନିଟି ଟାରିଟେବଲ ଟ୍ରଷ୍ଟ ସହଭାଗିତାରେ ଅନୁଷ୍ଠିତ ହୋଇଥିବା ଏହି ଶିବିରକୁ ଓଡ଼ିଶା ମୋ-ପରିବାର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ ସଂଯୋଜନା କରିଥିଲେ ।

ରାଜ୍ୟରେ ୨୫ ଲକ୍ଷ ପ୍ରାପ୍ତ ବୟସ୍କ ମଧୁମେହରେ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦ୍ରୁତଗତିରେ ବଢୁଛି ମଧୁମେହ ରୋଗୀଙ୍କ ସଂଖ୍ୟା । ଦେଶରେ ମଧୁମେହ ରୋଗୀଙ୍କ ସଂଖ୍ୟା ହେଲାଣି ୮ କୋଟି । କୋଭିଡ୍ ମହାମାରୀ ନେଇ ଘରକୁ ଘରେ ସର୍ଭେ ବେଳେ ଏପରି ତଥ୍ୟ ସାମ୍ନାକୁ ଆସିଛି । ରାଜ୍ୟର ମୋଟ ଜନସଂଖ୍ୟାର ଅଢ଼େଇ କୋଟି ହେଉଛନ୍ତି ପ୍ରାପ୍ତ ବୟସ୍କ । ସେମାନଙ୍କ ଭିତରୁ ପ୍ରାୟ ୨୫ ଲକ୍ଷ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଛନ୍ତି ।

ଉଦବେଗର କଥା ହେଉଛି, ଅଧିକାଂଶ ଲୋକଙ୍କର ମଧୁମେହ ରୋଗ ଥିଲେ ବି ପରୀକ୍ଷା କରୁନାହାନ୍ତି କି ଡାକ୍ତରଙ୍କ ପାଖକୁ ଯାଉନାହାନ୍ତି । ମଧୁମେହ ରୋଗ ଥିବା ବ୍ୟକ୍ତି ତାଙ୍କ ପିଲାମାନଙ୍କର ବର୍ଷକୁ ଥରେ ପରୀକ୍ଷା କରାଇ ନେବା ଉଚିତ୍ । କୋଭିଡ୍ ମହାମାରୀ ସମୟରେ ଏପରି ଚିହ୍ନଟ ନ ହୋଇଥିବା ମଧୁମେହ ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।

ମଧୁମେହ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ଘରକୁ ଘର ସର୍ଭେ କରାଯିବା ଦରକାର । ଆନ୍ତର୍ଜାତିକ ଡାଇବେଟିସ୍‌‌ ଫେଡେରେସନ୍‌ର ଆକଳନ ଅନୁଯାୟୀ, ୨୦୪୫ ବେଳକୁ ବିଶ୍ୱରେ ମଧୁମେହ ରୋଗୀଙ୍କ ସଂଖ୍ୟା ଜନସଂଖ୍ୟାର ୭୪ ପ୍ରତିଶତରେ ପହଞ୍ଚିବ ବୋଲି ଆକଳନ କରାଯାଇଛି ।

ସମଲେଶ୍ୱରୀ ମନ୍ଦିରରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଶୁଭାରମ୍ଭ, ୪ଟି ଭାଷାରେ ମିଳିବ ସୂଚନା

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଭେଟି । ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ସମସ୍ତଙ୍କୁ ନୂଆଁଖାଇ ଜୁହାର୍ ଜଣାଇଛନ୍ତି ।

Light And Sound System In Samaleswari Temple Inaugurated By CM

ମୁଖ୍ୟମନ୍ତ୍ରୀ କହିଛନ୍ତି- ନୂଆଁଖାଇ କେବଳ ପର୍ବ ନୁହେଁ, ଏହା ଆମର ପରିଚୟ । ପଶ୍ଚିମ ଓଡ଼ିଶାର କଳା, ସାହିତ୍ୟର ପ୍ରାଣ କେନ୍ଦ୍ର ହେଉଛି ସମ୍ବଲପୁର । ସମ୍ବଲପୁରୀ ଭାଷାରେ ମିଠା ଭରି ରହିଛି । ସମ୍ବଲପୁରୀ ନୃତ୍ୟ ଅତି ମନଛୁଆଁ । ସମ୍ବଲପୁରୀ ଓଡ଼ିଶା ନୁହେଁ ସାରା ଦେଶରେ ପ୍ରସିଦ୍ଧ । ମାଆ ସମଲେଶ୍ୱରୀ ପୀଠରେ ଲାଇଟ୍ ଆଣ୍ଡ ସାଉଣ୍ଡ ସିଷ୍ଟମ ଦ୍ୱାରା ପର୍ଯ୍ୟଟକ ଇତିହାସ ବିଷୟରେ ଜାଣିପାରିବେ ।

Light And Sound System In Samaleswari Temple Inaugurated By CM

ସାଢେ ୭ କୋଟି ଟଙ୍କାରେ ସମଲେଶ୍ୱରୀ ମନ୍ଦିରରେ ନିର୍ମିତ ହୋଇଛି ଏହି ଲାଇଟ୍ ଓ ସାଉଣ୍ଡ ସିଷ୍ଟମ୍ । ଏହି ପ୍ରକଳ୍ପ ଜରିଆରେ ୪ ଟି ଭାଷାରେ ମନ୍ଦିରର ଓ ମା’ ସମଲେଇଙ୍କ ଗାଥା ଜାଣିପାରିବେ ଶ୍ରଦ୍ଧାଳୁ । ଓଡ଼ିଆ, ହିନ୍ଦୀ, ଇଂରାଜୀ ସହ ସମ୍ବଲପୁର ଭାଷାରେ ତଥ୍ୟ ମିଳିବ । ଆଜିର କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କ ସହ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଉପସ୍ଥିତ ଥିଲେ ।