spot_img
Home Blog Page 5223

ଜାତିସଂଘ ପ୍ରତିବନ୍ଧିତ ଆତଙ୍କବାଦୀ ତାଲିକାରେ ତାଲିବାନର ୫ ମନ୍ତ୍ରୀ

କାବୁଲ: ଶେଷରେ ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । ବନ୍ଧୁକ ମୁନରେ ଆଫଗାନସ୍ତାନକୁ ଅକ୍ତିଆର କରିଥିବା ତାଲିବାନ ସରକାରରେ ହାର୍ଡକୋର କଠୋରପନ୍ଥୀ ତାଲିବାନୀ ନେତାଙ୍କୁ ମନ୍ତ୍ରୀ କରିଛି । ସରକାରର ମୁଲ୍ଲା ମହମ୍ମଦ ହସନ ଅଙ୍ଖୁଦ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଉପ ପ୍ରଧାନମନ୍ତ୍ରୀ ଭାବେ ମୁଲ୍ଲା ଅବ୍ଦୁଲ ଗନି ବରାଦର ନାମ ଘୋଷଣା କରିଛି ତାଲିବାନ ।

ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ନୂଆ ଅନ୍ତରୀଣ ସରକାରର ମନ୍ତ୍ରୀଙ୍କ ନାମ ଘୋଷଣା କରିଥିଲେ । ତାଲିବାନର ପ୍ରତିଷ୍ଠାତା ଅମୀର ମୁଲ୍ଲା ଉମରଙ୍କ ପୁଅ ଓ ସୈନ୍ୟ ଅଭିଯାନର ପ୍ରମୁଖ ମୁଲ୍ଲା ମହମ୍ମଦ ୟାକୁବ ମୁଜାହିଦଙ୍କୁ ଅନ୍ତରୀଣ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ସିରାଜୁଦ୍ଦିନ ହକ୍କାନୀଙ୍କୁ ଦେଶର ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ନିଯୁକ୍ତ କରାଯାଇଛି ।

Taliban New Government Announced In Afghanistan Many Names Still On UN Sanctions List

ତାଲିବାନ ସରକାରରେ ଶୀର୍ଷ ନେତୃତ୍ୱ ନେଉଥିବା ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରକ୍ଷାମନ୍ତ୍ରୀ, ସମେତ ଅନ୍ୟ କିଛି ନେତା ଜାତିସଂଘ ସୁରକ୍ଷା ପରିଷଦର ପ୍ରତିବନ୍ଧିତ ତାଲିକାରେ ଅଛନ୍ତି । ସିରାଜୁଦ୍ଦିନ ହକ୍କାନୀଙ୍କ ଭଳି ନେତାଙ୍କ ମୁଣ୍ଡ ଉପରେ ଆମେରିକା ୫୦ ଲକ୍ଷ ଡଲାର ପୁରସ୍କାର ରଖିଛି । ଗୃହମନ୍ତ୍ରୀ ପଦ ପାଇଥିବା ହକ୍କାନୀଙ୍କୁ ପାକିସ୍ତାନ ଆଇଏସ୍ଆଇର ବହୁତ ଘନିଷ୍ଠ କୁହାଯାଏ ।

ନୂଆ ସରକାର ଖୁବଶୀଘ୍ର ଦାୟିତ୍ୱ ଗ୍ରହଣ କରିବ । ଶପଥ ଗ୍ରହଣ ସମାରୋହକୁ ଋଷ, ଚୀନ, କତାର, ଉଜବେକିସ୍ତାନ ଓ ପାକିସ୍ତାନ ଆଦି ପଡ଼ୋଶୀ ଦେଶ ନେତା ସାମିଲ୍ ହେବାକୁ ତାଲିବାନ ନିମନ୍ତ୍ରଣ ଦେଇଛି ।

ଆନ୍ଧ୍ରକୁ ଚୋରା ବାଲି ଚାଲାଣରେ ପାରଳାଖେମୁଣ୍ଡି ବିଜେପି ବିଧାୟକଙ୍କ ସମ୍ପୃକ୍ତି ଅଭିଯୋଗ

ପାରଳାଖେମୁଣ୍ଡି/ଭୁବନେଶ୍ୱର: ସ୍ୱଚ୍ଛତାର ପାଠପଢ଼ାଉଥିବା ବିଜେପିର ରାଜନେତା କିପରି ଦୁର୍ନୀତିର ଜାଲ ବିଛାଇଛନ୍ତି ତା’ର କଚ୍ଚାଚିଠା ମିଳିଛି । ବିଜେପିର ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ବିରୋଧରେ ଆସିଛି ସାଂଘାତିକ ଅଭିଯୋଗ। ଆଇନକାନୁନକୁ ମୋଡ଼ିମକଚି କିପରି ଆନ୍ଧ୍ର ସହ ବାଲି ଚୋରା ବେପାର କରୁଛନ୍ତି ତା’ର ପର୍ଦ୍ଦାଫାସ ହୋଇଛି । ବଂଶଧାରା ନଦୀଶଯ୍ୟାରୁ ମାଳ ମାଳ ଟ୍ରକ ଓ ଲରିରେ କ୍ୟୁବିକ କ୍ୟୁବିକ ବାଲି ଉଠାଇ ଫେକ ୱାଇ-ଫର୍ମ ଜରିଆରେ ରାଜସ୍ୱ ଠକି ନିଜେ ସାଜିଛନ୍ତି ବାଦଶାହ। ନିଜର ଖାସମଖାସଙ୍କ ସହାୟତାରେ ଚାଲିଛି ଚୋରା ବେପାର।

ସ୍ଥାନୀୟ ବିଧାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଖୋଦ ବିଧାୟକଙ୍କ ନିର୍ବାଚନମଣ୍ଡଳୀ ଲୋକ । ବିଜେପିର ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ । ଏଠି ସାଜିଛନ୍ତି ବାଲି ଚୋରା ବେପାରର ବେତାଜ ବାଦଶାହ । ବିଧାୟକଙ୍କ ବାହୁ ତଳେ ଚାଲିଛି ଆନ୍ଧ୍ରକୁ ବାଲିର ଅନ୍ଧାରୀ ଚାଲାଣ । ବଂଶଧାରାରୁ ମାଳ ମାଳ ଟ୍ରକ ଓ ଲରିରେ ଚାଲିଛି ଦିନରାତି ବାଲି ବୁହା । ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଆନ୍ଧ୍ର ସହ ଚାଲିଛି ବେଫିକର ବେପାର । ଏପରି ଅଭିଯୋଗ କରିଛନ୍ତି ବିଧାୟକଙ୍କ ନିର୍ବାଚନମଣ୍ଡଳୀ କାଶୀନଗର ବ୍ଲକ ବାସିନ୍ଦା । ନଦୀ ପଠାରେ ଲାଗିଛି ମାଳ ମାଳ ଟ୍ରକ ଓ ଲରି । ଜେସିବିରେ ଉଠା ହେଉଛି ବାଲି । ଖାଲି ହେଉଛି ବଂଶଧାରା । ସରକାରଙ୍କ ପକେଟକୁ ଆସୁନି ଟଙ୍କାଟିଏ ।

ବର୍ଷେ କି ଦି ବର୍ଷ ନୁହେଁ, ଦୀର୍ଘ ବର୍ଷରୁ ବିଧାୟକଙ୍କୁ ପ୍ରଚ୍ଛନ୍ନ ହାତ ଥାଇ ବଂଶଧାରା ନଦୀରୁ ବାଲି ଚୋରା ଚାଲାଣ ହେଉଛି । ବଂଶଧାରା ନଦୀର ବାଲିଘାଟ ଇଦୁଡି ୱାନ ଓ ଇଦୁଡି ଟୁ । ବର୍ଷା ଯୋଗୁଁ ଏବେ ବଂଶଧାରା ନଦୀରେ ପାଣି । ପାଣି ଥିବାରୁ ନଦୀରୁ ବାଲି ଉଠାଣ ବନ୍ଦ ରହିଛି । କିନ୍ତୁ ମାସକ ତଳେ ଏହି ଘାଟରୁ ଶହ ଶହ ଲରିରେ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଥିଲା । ଦୁଇଟି ଯାକ ଘାଟର ଟେଣ୍ଡର ନେଇଛନ୍ତି ଏ. ଗୋପାଳରାଓ ଓ ପି. ରାଜାରାଓ । ଏହି ଦୁଇ ବ୍ୟକ୍ତି ବିଧାୟକଙ୍କ ଖାସ ଲୋକ ବୋଲି କୁହାଯାଉଛି । ବାଲି ଚୋରା ଚାଲାଣରେ ବିଧାୟକଙ୍କ ସମ୍ପୂର୍ଣ୍ଣ ସମ୍ପୃକ୍ତି ଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ବିଧାୟକଙ୍କ ଛତ୍ରଛାୟା ତଳେ ଚାଲୁଛି ଏହି ବାଲି ଚୋରା ଚାଲାଣ । ବିଧାୟକ ମହୋଦୟ କେବଳ ମାଫିଆଙ୍କୁ ପ୍ରୋତ୍ସାହିତ କରୁନାହାଁନ୍ତି, ବରଂ ନିଜର କଳାଧନକୁ ମଧ୍ୟ ଏହି କାର୍ଯ୍ୟରେ ଲଗାଇଥିବା ଅଭିଯୋଗ ହେଉଛି ।

ଜାଣନ୍ତୁ ଠକେଇର ତରିକା

ଗୋଟିଏ କ୍ୟୁବିକ ମିଟର ବାଲିକୁ ରୟାଲଟି ବାବଦରେ ୩୫ଟଙ୍କା ଓ ଅତିରିକ୍ତ କର ବାବଦରେ ୧୪୦ ଟଙ୍କା ଏମିତି ମୋଟ ୧୭୫ ଟଙ୍କା ରାଜ୍ୟ ସରକାରଙ୍କୁ ଦେବାକୁ ପଡିଥାଏ । ସମ୍ପୃକ୍ତ ଘାଟରୁ ବାଲି ମାଫିଆମାନେ ୧୪ ଓ ୧୬ ଚକିଆ ଲରିରେ ୩୦ରୁ ୩୫ କ୍ୟୁବିକ ମିଟର ବାଲି ଲୋଡ କରିଥାନ୍ତି । ହିସାବ କହୁଛି, ଏହି ଲରିପୂର୍ଣ୍ଣ ବାଲିର ମୂଲ୍ୟ ୬୦ରୁ ୭୫ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଥାଏ । ତେବେ କେମିତି ହୁଏ ଜାଲିଆତି ? ତହସିଲଦାର ଦେଇଥାନ୍ତି ତିନିକିତା ୱାଇ-ଫର୍ମ । ପ୍ରଥମ ୱାଇ-ଫର୍ମ କପିରେ ୩୫ ସିଏମ ବାଲି ଦେଖାଇ ବାଲି ଟ୍ରକ ଓଡିଶା ସୀମା ଅତିକ୍ରମ କରାଯାଏ । ଗାଡିର ଡ୍ରାଇଭର ଆନ୍ଧ୍ର ଭିତରକୁ ପ୍ରବେଶ କରିବା ନେଇ ବାଲିଘାଟ ମାଲିକଙ୍କୁ ଜଣାଇଦିଏ । ପରେ ପରେ ୱାଇ-ଫର୍ମର ଅନ୍ୟ ଦୁଇଟି ନକଲ କପିରେ ଟ୍ରାକଟରରେ ମାତ୍ର ୩ସିଏମ ବାଲି ଯାଇଛି ବୋଲି ଉଲ୍ଲେଖ କରାଯାଇ ୫,୨୫୦ ଟଙ୍କା ବଦଳରେ ମାତ୍ର ୫୨୫ ଟଙ୍କା ଦେଇ ଗାଡି ପାର କରାଯାଏ । ଏପରି ଦୈନିକ ହଜାର ହଜାର ଟ୍ରକ ଚୋରା ଚାଲାଣ ହୋଇଛି । ଫଳରେ କୋଟି କୋଟି ଟଙ୍କାର ରାଜସ୍ୱ ହରାଇଛନ୍ତି ସରକାର । ମାଲାମାଲ ହୋଇଛନ୍ତି ବାଲି ମାଫିଆ ଓ ବିଧାୟକ ।

‘ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି: ଆତଙ୍କବାଦୀ ଆକ୍ରମଣ ହୋଇନାହିଁ, ୫ଜିଲ୍ଲା ହୋଇଛି ମାଓବାଦୀ ମୁକ୍ତ’

ଭୁବନେଶ୍ୱର: ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ଅଛି । କମିଛି ମାଓ ଉପଦ୍ରବ । ଛାତ୍ର ଅସନ୍ତୋଷ ବି ନାହିଁ । ଆଇନଶୃଙ୍ଖଳା ରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି । ବିଧାନସଭାରେ ମୁଲତବି ପ୍ରସ୍ତାବ ଆଲୋଚନାର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହା କହିଛନ୍ତି । ରେଡ୍‌ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧ ଦଶମିକ ୬ ପ୍ରତିଶତକୁ ବଢ଼ିଛି । ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ବୋଲି ଏହା ଦର୍ଶାଉଥିବା ଶାସକ ଦଳ କହିଛି ।

ନିୟନ୍ତ୍ରଣରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି । ହୋଇନାହିଁ ଆତଙ୍କବାଦୀ ଆକ୍ରମଣ । ୫ ଜିଲ୍ଲା ହୋଇଛି ମାଓମୁକ୍ତ । ବ୍ରାଉନସୁଗାର ଓ ଗଞ୍ଜେଇ ଜବତରେ ମିଳିଛି ବଡ଼ ସଫଳତା । ୨୦୨୧ରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣରେ ଅଛି । ମହିଳାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ସଫଳତାର ସହ କରାଯାଇଛି ମୁକାବିଲା । ରେଡ୍‌ଫ୍ଲାଗ୍ ମାମଲାରେ ଦୋଷୀ ସାବ୍ୟସ୍ତ ହାର ୪୧.୬ ପ୍ରତିଶତକୁ ବୃଦ୍ଧି ପାଇଛି । ଚଳିତବର୍ଷ ୫ ଜିଲ୍ଲା ଅନୁଗୁଳ, ବୌଦ୍ଧ, ଦେବଗଡ଼, ନୟାଗଡ଼ ଓ ସମ୍ବଲପୁର ମାଓମୁକ୍ତ ହୋଇଛି ।

ପୋଲିସ କାର୍ଯ୍ୟାନୁଷ୍ଠାନରେ ୩ଜଣ ମାଓବାଦୀ ନିହତ ହୋଇଥିବା ବେଳେ ୧୫ ଜଣ ଆତ୍ମସମର୍ପଣ କରିଛନ୍ତି । ୨୦୨୦ରେ ୩୪.୩୨ ଓ ୨୦୨୧ରେ ୨୧.୬୦ କିଲୋ ବାଉନସୁଗାର ଜବତ କରାଯାଇଛି । ୨୦୨୦ରେ ୧୫୪୯ କ୍ୱିଣ୍ଟାଲ ଓ ୨୦୨୧ରେ ୮୦୭ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ୨୦୨୦ରେ ୧୯୩୧ ଓ ୨୦୨୧ରେ ୯୬୧ଟି ସାଇବର ମାମଲା ରୁଜୁ ହୋଇଥିଲା । ୫୧୭ଜଣଙ୍କୁ ଗିରଫ କରାଯାଇଛି । ମାହାଙ୍ଗା ଡବଲ ମର୍ଡର, ଗୁରୁଜୀ ମାନସ ଦାସ ପରି ମାମଲାରେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ । ବିଧାନସଭାରେ ବିରୋଧୀଙ୍କ ମୁଲତବି ପ୍ରସ୍ତାବ ଆଲୋଚନାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି ।

କେବଳ ଏତିକି ନୁହେଁ, ଅପରାଧ ଓ ଜରୁରୀ ସମୟରେ ସେବା ଯୋଗାଇ ଦେବାକୁ ଭୁବନେଶ୍ୱରରେ କମାଣ୍ଡ ସେଣ୍ଟର ପ୍ରତିଷ୍ଠା ହୋଇଛି । ୧୧୨ ନମ୍ବର ଦ୍ୱାରା ପୋଲିସ, ଆମ୍ବୁଲାନ୍ସ, ଅଗ୍ନିଶମ, ମହିଳା ଓ ଶିଶୁ ସହାୟତା ଦିଆଯାଇଛି । ଏଥିଲାଗି ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି ପାଇଛନ୍ତି। ଆଇନଶୃଙ୍ଖଳା ନେଇ ତଥ୍ୟ ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଉତ୍ତର ରଖିବା ପରେ ବି ବିରୋଧୀ ସନ୍ତୁଷ୍ଟ ନୁହନ୍ତି । କୋଭିଡ୍‌ ନିୟମ ଅନୁସାରେ ଶାନ୍ତି ଶୃଙ୍ଖଳାରେ ପୂଜା ଓ ପର୍ବ ପର୍ବାଣୀ ପାଳନ ହୋଇଛି । କୋଭିଡ୍‌ ପରିସ୍ଥିତିକୁ ସଫଳତାର ସହ ମୁବାବିଲା କରିଛି ପୋଲିସ । ଏଥିଲାଗି କାର୍ଯ୍ୟରତ ସମୟରେ ୬୨ ଜଣ ପୋଲିସ ସହିଦ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶା ବିଧାନସଭାରେ ଭାରତୀୟ ହକି ଟିମ୍ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ

ଓଡ଼ିଶା ବିଧାନସଭାରେ ଭାରତୀୟ ହକି ଟିମ୍ ଉଦ୍ଦେଶ୍ୟରେ ଧନ୍ୟବାଦ ପ୍ରସ୍ତାବ ଆଗତ

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ମହିଳା ଓ ପୁରୁଷ ହକି ଦଳର ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବିଧାନସଭାରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଛନ୍ତି କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା । ୪୧ ବର୍ଷ ପରେ ପୁରୁଷ ହକି ଟିମ ଅଲିମ୍ପିକ୍ସରେ ପଦକ ଜିତିଛି । ଏହା ସାରା ବିଶ୍ୱରେ ଦେଶକୁ ସ୍ୱତନ୍ତ୍ର ପରିଚୟ ଦେଇଛି । ସେହିପରି ମହିଳା ହକି ଟିମ ଟୋକିଓରେ ମେଡାଲ ଜିତିନଥିଲେ ମଧ୍ୟ ସଂଘର୍ଷ କରି ସାରା ଦେଶର ହୃଦୟ ଜିତିଛି । ଉଭୟ ଟିମର ଏଭଳି ପ୍ରଦର୍ଶନ ସାରା ଦେଶକୁ ଏକାଠି କରିଛି । ବିଧାନସଭା ତରଫରୁ ଉଭୟ ପୁରୁଷ ଓ ମହିଳା ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଅଧିକ ସଫଳତା କାମନା କରିଛନ୍ତି କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ସମୟରେ ହକିର ବିକାଶ ପାଇଁ ଚେଷ୍ଟା କରିଛନ୍ତି । ଓଡ଼ିଶା ହକି ଟିମର ପ୍ରାୟୋଜକ ରହିଥିଲା । ୨୦୧୮ରେ ହକି ବିଶ୍ୱକପ୍ ଆୟୋଜନ କରିଛି ଓଡ଼ିଶା । ଏହା ରାଜ୍ୟରେ ହକିର ବିକାଶ ଦିଗରେ ଆଉ ଏକ ଉଲ୍ଲେଖନୀୟ ଅବଦାନ । ସେହିଭଳି ୨୦୨୩ରେ ରାଉଲକେଲାରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ ପାଇଁ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି । ତୃଣମୂଳ ସ୍ତରରେ ପ୍ରସ୍ତୁତ ହେଉଛି ହକି ତାଲିମ କେନ୍ଦ୍ର । କଳିଙ୍ଗ ଷ୍ଟାଡିୟମରେ ନିର୍ମାଣ ହୋଇଛି ହାଇ ପରଫର୍ମାନ୍ସ ସେଣ୍ଟର । ଆସନ୍ତା ୧୦ ବର୍ଷ ପାଇଁ ହକି ପ୍ରାୟୋଜକ ରହିବ ଓଡିଶା । ମୁଖ୍ୟମନ୍ତ୍ରୀ ଏହି ଐତିହାସିକ ଘୋଷଣା କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟଳିଲା ସଂକଟ: ସିଂହ ସଫାରୀରୁ ଉଦ୍ଧାର ହେଲେ ପର୍ଯ୍ୟଟକ

ପାର୍ବଣରେ ମୂର୍ତ୍ତି ଉଚ୍ଚତା ନେଇ ବଦଳି ପାରେ ନିୟମ: ଆଲୋଚନା ପାଇଁ ପୂଜା କମିଟିଙ୍କୁ ଆମନ୍ତ୍ରଣ

0

ଭୁବନେଶ୍ୱର: ପାର୍ବଣ ମୂର୍ତ୍ତି ଉଚ୍ଚତା ନେଇ ଆସନ୍ତାକାଲି ହେବ ବୈଠକ । କଟକର ଶାନ୍ତି କମିଟି ଓ ପୂଜା କମିଟି ସଦସ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି । ମୁଖ୍ୟ ଶାସନ ସଚିବ ଓ ଏସଆରସିଙ୍କ ସହ ପୂର୍ବାହ୍ନରେ ସଚିବାଳୟରେ ହେବ ଆଲୋଚନା । ଆଜି ବିଧାନସଭାରେ ଉଠିଥିଲା ଦୁର୍ଗାପୂଜା ପ୍ରସଙ୍ଗ । କଟକ ସହର ସହ ସାରା ରାଜ୍ୟରେ ମୂର୍ତ୍ତି ଉଚ୍ଚତାରେ କଟକଣା ନରଖିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ବିଧାୟକ । ସମସ୍ତଙ୍କୁ ପୂଜା କରିବା ପାଇଁ ସୁଯୋଗ ଦିଆଯାଉ ବୋଲି ଦାବି କରାଯାଇଥିଲା । ଏ ନେଇ ବାଚସ୍ପତି ରୁଲିଂ ଦେବା ପାଇଁ ଗୃହରେ ଦାବି ହୋଇଥିଲା । ବାଚସ୍ପତି ଏହି ପ୍ରସଙ୍ଗରେ ପୁନଃବିଚାର କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଭୁବନେଶ୍ୱର ରେଳ ଷ୍ଟେସନ ବିଶ୍ୱସ୍ତରୀୟ ହେବାରେ ବିଳମ୍ବର କାରଣ ପଛରେ କେନ୍ଦ୍ରର ଅବହେଳା: ମନ୍ତ୍ରୀ ପ୍ରତାପ ଜେନା

 

ଆଫଗାନିସ୍ତାନରେ ତାଲିବାନର ସରକାର ଘୋଷଣା, ମୁଲ୍ଲା ହସନ ଅଙ୍ଖୁଦ ପ୍ରଧାନମନ୍ତ୍ରୀ

କାବୁଲ: ଆଫଗାନିସ୍ତାନରେ ସରକାର ଗଠନ କରିଛି ତାଲିବାନ । ମୁଲ୍ଲା ମହମ୍ମଦ ହସନ ଅଙ୍ଖୁଦ ଆଫଗାନିସ୍ତାନରେ ତାଲିବାନ ସରକାରର ପ୍ରଧାନମନ୍ତ୍ରୀ ହେବେ । ଅନ୍ତରୀଣ ସରକାରରେ ସିରାଜ ହକ୍କାନୀଙ୍କୁ ଆଭ୍ୟନ୍ତରୀଣ ମାମଲାର ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି । ମୁଲ୍ଲା ୟାକୁବଙ୍କୁ ରକ୍ଷା ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।

New Taliban Government In Afghanistan Mullah Muhammad Hassan Akhund Will Lead

ମୁଲ୍ଲାହ ହସନ ଅଙ୍ଖୁଦ କ୍ୟାବିନେଟର ମୁଖ୍ୟ ହୋଇଥିବା ବେଳେ ତାଲିବାନ ସରକାରରେ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବେ । ଅବ୍ଦୁଲ ଘନି ବରାଦର ଉପ ପ୍ରଧାନମନ୍ତ୍ରୀ ରହିବେ । ଖୈରଉଲ୍ଲାହ ଖୈରବା ସୂଚନା ମନ୍ତ୍ରୀ ପଦ ପଦ ପାଇଥିବା ବେଳେ ଅବ୍ଦୁଲ ହକିମଙ୍କୁ ନ୍ୟାୟ ମନ୍ତ୍ରଣାଳୟ, ଶେର ଅବ୍ବାସ ଷ୍ଟାନିକଇଜଙ୍କୁ ଉପ ବୈଦେଶିକ ମନ୍ତ୍ରୀ କରାଯାଇଛି । ଜବ୍ବିଉଲ୍ଲାହ ମୁଜାହିଦଙ୍କୁ ସୂଚନା ମନ୍ତ୍ରଣାଳୟରେ ଉପ ମନ୍ତ୍ରୀ କରାଯାଇଛି ।

ଅଗଷ୍ଟ ୧୫ରେ ତାଲିବାନ କାବୁଲ ସହ ସମଗ୍ର ଆଫଗାନିସ୍ତାନକୁ କବଜାକୁ ନେଇଥିଲା । ତାଲିବାନର ଆଫଗାନିସ୍ତାନ କବଜା ପରେ ଅଗଷ୍ଟ ୩୧ ଡେଡଲାଇନ୍ ମଧ୍ୟରେ ଆମେରିକା ସୈନ୍ୟ ପ୍ରତ୍ୟାହାର କରି ନେଇଥିଲା । ପରିବର୍ତ୍ତିତ ସ୍ଥିତିକୁ ଦେଖି ତତ୍କାଳୀନ ରାଷ୍ଟ୍ରପତି ଅଶରଫ ଘନି ମଧ୍ୟ ଆଫଗାନିସ୍ତାନ ଛାଡ଼ି ପଳାଇଥିଲେ ।

ଧର୍ମ ନାଁରେ ରାଜନୀତି ! ପ୍ରତି ଦୁ୍ର୍ଗା ପୂଜା କମିଟିଙ୍କୁ ଏବର୍ଷ ୫୦ ହଜାର ଟଙ୍କା ଦେବେ ମମତା ସରକାର

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଦୁର୍ଗା ପୂଜା କମିଟିଙ୍କୁ ଚଳିତ ବର୍ଷ ୫୦ ହଜାର ଟଙ୍କା ଲେଖାଏଁ ଦେବେ । ଏହି ଘୋଷଣା କରିଛନ୍ତି ମୁଖ୍ୟ ଶାସନ ସଚିବ । ଏହି ନିଷ୍ପତ୍ତି ଦ୍ୱାରା ଲୋକଙ୍କୁ ଧାର୍ମିକ ରୂପରେ ଭୁଲାଇବା ଲାଗି ମମତା ସରକାର ଚେଷ୍ଟା କରୁଥିବା କୁହାଯାଉଛି । ଗତବର୍ଷ ମଧ୍ୟ ମମତା ସରକାର ଦୁର୍ଗା ପୂଜା କମିଟିକୁ ନେଇ ଘୋଷଣା କରିଥିଲେ ।

ଗତବର୍ଷ ମମତା ସରକାର ଦୁର୍ଗା ପୂଜା କମିଟିକୁ ୫୦ ହଜାର ଟଙ୍କା ଅନୁଦାନ ଭାବେ ଦେଇଥିଲେ । ଏଥିସହ ୮୦ ହଜାର ଫେରିୱାଲାଙ୍କୁ ଦୁର୍ଗା ପୂଜା ପୂର୍ବରୁ ୨ ହଜାର ଟଙ୍କା ଦେଇଥିଲେ । ସେତେବେଳେ ବିଧାନସଭା ନିର୍ବାଚନକୁ ନଜରରେ ରଖି ମମତା ସରକାର ନିଷ୍ପତ୍ତି ନେଉଥିବା ଆଲୋଚନା ହୋଇଥିଲା ।

କରୋନାର ବିନାଶକାରୀ ପରିଣାମ, ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ଛାତ୍ରଛାତ୍ରୀ ପଢ଼ାରୁ ବଞ୍ଚିତ

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ଦୀର୍ଘ ଦିନ ଧରି ବନ୍ଦ ରହିଛି ସ୍କୁଲ୍ । ଯାହାର ଭୟାବହ ବିନାଶକାରୀ ପରିଣାମ ସାମ୍ନାକୁ ଆସିଛି । ସର୍ଭେରୁ ଜଣାପଡ଼ିଛି, କରୋନା ପାଇଁ ଦେଶର ଗ୍ରାମାଞ୍ଚଳରେ ୩୭ ପ୍ରତିଶତ ପିଲା ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି । ୪୮ ପ୍ରତିଶତ ପିଲା ଗୋଟିଏ ମଧ୍ୟ ଶବ୍ଦ ପଢ଼ିବାକୁ ଅକ୍ଷମ ।

ଦ ସ୍କୁଲ୍ ଚିଲଡ୍ରେନ୍ସ ଅନଲାଇନ୍ ଆଣ୍ଡ ଅଫଲାଇନ୍ ଲର୍ଣ୍ଣିଂସ୍ ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ଲୁକଡ୍ ଆଉଟ୍: ଏମରଜେନ୍ସି ରିପୋର୍ଟ ଅନ୍ ସ୍କୁଲ୍ ଏଜୁକେସନ ଶୀର୍ଷକ ସର୍ଭେରେ ଦେଶର ପ୍ରାୟ ୧୪୦୦ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଆଉ ସର୍ଭେରୁ ମିଳିଥିବା ତଥ୍ୟ ସମସ୍ତଙ୍କ ପାଇଁ ସତର୍କ ଘଣ୍ଟି ଭଳି । ଗ୍ରାମାଞ୍ଚଳର ୨୮ ପ୍ରତିଶତ ଶିକ୍ଷାର୍ଥୀ ସର୍ଭେ ବେଳେ ପଢ଼ାପଢ଼ି କରୁଥିବାବେଳେ ୩୭ ପ୍ରତିଶତ ପାଠପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ । ଆଉ ୫୦ ପ୍ରତିଶତ ପିଲା ଗୋଟିଏ ମଧ୍ୟ ବାକ୍ୟ ପଢ଼ିବାକୁ ସକ୍ଷମ ହୋଇ ନଥିଲେ ।

ସର୍ଭେ ଅନୁସାରେ, ସହରାଞ୍ଚଳରେ ୪୭ ପ୍ରତିଶତ ପିଲା ନିୟମିତ ପାଠ ପଢ଼ଥିବା ବେଳେ ୧୯ ପ୍ରତିଶତ ନିୟମିତ ପଢ଼ିବାକୁ ସକ୍ଷମ ନୁହଁନ୍ତି । ସେହିଭଳି ଗୋଟିଏ ଧାଡ଼ି ପଢ଼ିବାରେ ଅକ୍ଷମ ସହରାଞ୍ଚଳରେ ରହୁଥିବା ୪୨ ପ୍ରତିଶତ ଛାତ୍ରଛାତ୍ରୀ । ମହାମାରୀ ପାଇଁ ଦେଢ଼ବର୍ଷ ଧରି ଦେଶରେ ସ୍କୁଲ ବନ୍ଦ ରହିଛି । କୋଭିଡ୍ ସ୍ଥିତିରେ ସୁଧାର ଆସିବା ପରେ କେତେକ ରାଜ୍ୟ ସେପ୍ଟେମ୍ବରରେ ପର୍ଯ୍ୟାୟ ଭିତ୍ତିରେ ଶ୍ରେଣୀଗୃହ ପାଠପଢ଼ା ପୁଣି ଆରମ୍ଭ କରିଛନ୍ତି ।

ରିପୋର୍ଟ ଅନୁସାରେ, ସହରାଞ୍ଚଳରେ ନିୟମିତ ୨୪ ପ୍ରତିଶତ ପିଲା ଅନଲାଇନ୍ କ୍ଲାସ ଆଟେଣ୍ଡ କରୁଥିବା ବେଳେ ଗ୍ରାମାଞ୍ଚଳରେ ଏହା ମାତ୍ର ୮ ପ୍ରତିଶତ । ଦୁର୍ବଳ ଆର୍ଥିକ ସ୍ଥିତି, ନେଟୱର୍କ ସମସ୍ୟା ଏବଂ ସ୍ମାର୍ଟଫୋନ୍ ନଥିବା କାରଣରୁ ଅନଲାଇନ୍ ଶିକ୍ଷାରୁ ପିଲାମାନେ ବଞ୍ଚିତ ହୋଇଛନ୍ତି । ଗ୍ରାମାଞ୍ଚଳରେ ୫୦ ପ୍ରତିଶତ ପରିବାର ପାଖରେ ସ୍ମାର୍ଟଫୋନ୍ ନାହିଁ । ଆଉ ଆଦିବାସୀ ଓ ଦଳିତ ପରିବାର କ୍ଷେତ୍ରରେ ଏହା ଆହୁରି ଚିନ୍ତାଜନକ । ମାତ୍ର ୪ ପ୍ରତିଶତ ଏସସି, ଏସଟି ଛାତ୍ରଛାତ୍ରୀ ନିୟମିତ ଅନଲାଇନରେ ପାଠ ପଢ଼ୁଛନ୍ତି । ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ ଗୋଟିଏ ଧାଡ଼ି ପଢ଼ିବାରେ ସକ୍ଷମ ।

ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ୍ ୨୦୨୧ ପାରିତ: ପୌର ନିର୍ବାଚନ ବାଟ ଫିଟିଲା

ଭୁବନେଶ୍ୱର: ପୌର ନିର୍ବାଚନ ନେଇ ବାଟ ଫିଟିଲା । ବିଧାନସଭାରେ ମ୍ୟୁନିସିପାଲ ଆଇନ ସଂଶୋଧନ ବିଲ ୨୦୨୧ ପାରିତ ହେବା ପରେ ବାଟ ଫିଟିଛି । ବିଲ ଅନୁଯାୟୀ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ପ୍ରତିଶତ ଭିତରେ ରହିବ । ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ। ଏହି ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଅନୁସୂଚୀତ ଜାତି ଓ ଜନଜାତିଙ୍କୁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ଦେବା ପରେ ଅବଶିଷ୍ଟ ଆସନ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ରଖାଯିବ । ଯାହାକି ୨୭ ପ୍ରତିଶତରୁ ଅଧିକ ହେବନାହିଁ ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୨ଟି ସ୍କୁଲ ବନ୍ଦ

 

ଗଞ୍ଜେଇ ଡେଲିଭରୀ ଅଭିଯୋଗରେ ଫୁଡ୍ ଡେଲିଭରି ବୟ ଗିରଫ : ସ୍ୱିଗିର ସ୍ପଷ୍ଟୀକରଣ,ଆମ ପାଇଁ କାମ କରନ୍ତି ନାହିଁ ଅଭିଯୁକ୍ତ

ରାଜଧାନୀରେ ଗଞ୍ଜେଇ କାରବାରର ନୂଆ ଟ୍ରେଣ୍ଡ । ସ୍ୱିଗି ବୟ  ଗଞ୍ଜେଇ ଡେଲିଭରୀ କରୁଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପ୍ରେମଚନ୍ଦ୍ର ନାୟକଙ୍କୁ ଗଂଜେଇ କାରବାର ଅଭିଯୋଗରେ ଭୁବନେଶ୍ୱର ଅବକାରୀ ମୋବାଇଲ ସ୍କ୍ୱାଡ୍ ଗିରଫ କରିଛି । ପ୍ରେମଚନ୍ଦ୍ର ଠାରୁ ୧୫ କେଜି ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବେ । ପ୍ରେମଚନ୍ଦ୍ର କେବେ ଠାରୁ ଗଞ୍ଜେଇ କାରବାର କରୁଥିଲା ତଦନ୍ତ କରୁଛି ଅବକାରୀ ମୋବାଇଲ ସ୍କାର୍ଡ ।

ଅନ୍ୟପକ୍ଷରେ ସ୍ୱିଗି ପକ୍ଷରୁ କୁହାଯାଇଛି ଯେ, ଅଭିଯୁକ୍ତ ପ୍ରେମଚନ୍ଦ୍ର ନାୟକ ସେମାନଙ୍କ ପାଇଁ କାମ କରନ୍ତି ନାହିଁ । ସ୍ୱିଗି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଆମେ ଆମର ସମସ୍ତ ଦସ୍ତାବିଜ ଯାଞ୍ଚ ପରେ ନିଶ୍ଚିତ ଯେ, ଅଭିଯୁକ୍ତ ଜଣଙ୍କ ସ୍ୱିଗି ଡେଲିଭରି ପାର୍ଟନର ନୁହଁନ୍ତି କିମ୍ବା ଆମ ସହ କୌଣସି ଭାବେ ଜଡ଼ିତ ନୁହଁନ୍ତି । ତଥାପି, ଆମେ ଯାଞ୍ଚ କରୁଛୁ ଯେ, ତାଙ୍କଠାରୁ ମିଳିଥିବା ବ୍ୟାଗ ନକଲି ଅଥବା ବେଆଇନ ଭାବେ ପ୍ରାପ୍ତ କରାଯାଇଛି କି । ସ୍ୱିଗି ଏପରି କାର୍ଯ୍ୟକୁ ତୀବ୍ର ନିନ୍ଦା କରୁଛି ଏବଂ ପୋଲିସ ସହ ସମସ୍ତ ସହଯୋଗ କରୁଛି ।

ପୂର୍ବରୁ ମଧ୍ୟ ଏଭଳି ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣ ହେଉଥିବା ନଜିର ରହିଛି । କୋରିୟରରେ ହେଉଥିଲା ଗଞ୍ଜେଇ ଚାଲାଣ । ଭୁବନେଶ୍ୱର ଲଜିଷ୍ଟିକ୍ ଓ ଟ୍ରାନ୍ସପୋର୍ଟ ସଂସ୍ଥା ମାଧ୍ୟମରେ ହୋଇଥାନ୍ତା ଗଞ୍ଜେଇ ଚାଲାଣ । ଭିଆରଏଲ କୋରିୟର ମାଧ୍ୟମରେ ଗଞ୍ଜେଇ ଭୁବନେଶ୍ଵରରୁ ଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ୨ ଜଣ ମାଫିଆ ଗିରଫ କରିଥିଲା କମିଶନରେଟ୍ ପୋଲିସ । କୋରିୟର ପ୍ୟାକେଟରୁ ୪୫ କେଜିର ଗଞ୍ଜେଇ ଜବତ ହୋଇଥିଲା ।

ଏଥିସହିତ ପଢ଼ନ୍ତୁ: ଜୟପୁରରେ ଜବତ ହେଲା ୧ ଟନ୍ ଗଞ୍ଜେଇ, ୨ଗିରଫ