spot_img
Home Blog Page 5232

ଯାଜପୁରରେ ବଢୁଛି ବିଜେଡି, ପ୍ରଣବଙ୍କ ଉପସ୍ଥିତିରେ ଯୋଗଦେଲେ ଶତାଧିକ କର୍ମୀ

ଯାଜପୁର: ବଢୁଛି ବିଜେଡି ବଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ସଶକ୍ତ ହେଉଛି ବିଜେଡି । ଯାଜପୁରରେ ଆଜି ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ସିମିଳିଆ ପଞ୍ଚାୟତର ବହୁ ଯୁବକ ମହିଳା ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ଯାଜପୁର ବିଧାୟକ ତଥା ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମିଶ୍ରଣ ପର୍ବରେ ଯୋଗଦେଇ କର୍ମୀଙ୍କୁ ଉତ୍ସାହିତ କରିଛନ୍ତି ।

ପଞ୍ଚାୟତରେ ଆଗକୁ କିପରି ଆହୁରି ଉନ୍ନତି ହେବ ଏବଂ ମା ମାନେ ସ୍ବାବଲମ୍ବୀ ହେବେ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ କହିଛନ୍ତି । ।ଆଗାମୀ ଦିନରେ ସ୍ଥାନୀୟ ଅଞ୍ଚଳରେ ଏକ ସେତୁ ନିର୍ମାଣ କରାଯିବ ଯାହା ଫଳରେ ବନ୍ୟା ଦାଉରୁ ଲୋକମାନେ ରକ୍ଷା ପାଇପାରିବେ । ସଠିଆଟିକିରି ଠାରୁ ଯାଜପୁର ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଏହି ସେତୁ ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି ।

ମିଶ୍ରଣ ପର୍ବରେ ଯାଜପୁର ବିଜେଡିର ପୂର୍ବତନ ପୌରାଧକ୍ଷ ଭାବପ୍ରସାଦ ଦାସ, ସ୍ଥାନୀୟ ସରପଞ୍ଚ ପରେସ ବିଶ୍ବାଳଙ୍କ ବରିଷ୍ଠ କର୍ମୀମାନେ ଯୋଗଦେଇଥିଲେ । ଆଗାମୀ ଦିନରେ ଦଳକୁ ମଜଭୁତ କରିବା ସହ ପଞ୍ଚାୟତ ନିର୍ବାଚନରେ କିପରି ନେତୃତ୍ୱ ମାନଙ୍କୁ ଜିତାପଟ କରାଯିବ ସେନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା  । ଅନ୍ୟ ଦଳରୁ ଶତାଧିକ କାର୍ଯ୍ୟକର୍ତ୍ତା ବିଜୁ ଜନତା ଦଳରେ ପ୍ରବେଶ କରିବା ନିହାତି ଦଳକୁ ଶକ୍ତିଶାଳୀ କରିବ ବୋଲି ମତବ୍ୟକ୍ତ କରିଥିଲେ ବରିଷ୍ଠ ନେତା  ।

କୋରାଇ ଓ ବ୍ୟାସନଗରରେ ନିର୍ମାଣ ହେବ ସ୍ମାର୍ଟ କ୍ଲାସ ରୁମ୍

ଯାଜପୁର: କୋରାଇ ବ୍ଲକ ଓ ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ସ୍କୁଲରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀ ପାଇଁ ଭିତ୍ତିଭୂମିର ତଦାରଖ । କୋରାଇ ବିଧାୟକ ଅଶୋକ ବଳ ଓ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଭିତ୍ତିଭୂମିର ତଦାରଖ କରିଛନ୍ତି । ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଅଧିନରେ କୋରାଇ ବ୍ଲକର ୮ ଟି ଓ ବ୍ୟାସନଗର ପୌରାଞ୍ଚଳର ୨ଟି ଉଚ୍ଚ ବିଦ୍ୟାଳୟରେ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ ହେବ ।

ଶିକ୍ଷା ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ବ୍ଲକରେ ସ୍ମାର୍ଟ କ୍ଲାସ ରୁମ୍ ନିର୍ମାଣ କରାଯାଉଛି । ଯାହା ଆଗାମୀ ଦିନରେ ଛାତ୍ରଛାତ୍ରୀମାନଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ । ଆଗାମୀ ଦିନରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ପ୍ରୟାସରତ ।  ବ୍ୟାସନଗର ପୌରାଞ୍ଚଳର ବିଭିନ୍ନ ସ୍କୁଲରେ ନିର୍ମାଣ ହେବାକୁ ଥିବା ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀ ପାଇଁ ଭିତ୍ତିଭୂମିର ତଦାରଖ କରିଛନ୍ତି

ଶିକ୍ଷକଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ ପୋର୍ଟାଲ ସାମ୍ବାଦିକ, ଗିରଫ କଲା ପୋଲିସ

ନବରଙ୍ଗପୁର: ସ୍କୁଲ ଶିକ୍ଷକଙ୍କୁ ଧମକ ସହ ଟଙ୍କା ନେବା ପଡ଼ିଲା ମହଙ୍ଗା । ଗିରଫ ହେଲେ ଦୁଇ ୱେବ୍ ପୋର୍ଟାଲର ସାମ୍ବାଦିକ । ଗିରଫ ଦୁଇ ଜଣ ସାମ୍ବାଦିକ ହେଲେ ଜିତେନ୍ଦ୍ର ଦାଶ ଓ ଶଙ୍କର ପ୍ରସାଦ ତୁରୁକ । ଏହାସହ ଅନ୍ୟ ଜଣେ ଓ୍ବେବ ପୋର୍ଟାଲ ସାମ୍ବାଦିକ ଫେରାର ଥିବା ବେଳେ ପୋଲିସ ଖୋଜୁଛି । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ନାୟକଗୁଡା ସ୍କୁଲର ସହକାରୀ ଶିକ୍ଷକଙ୍କଠୁ ଧମକାଇ ଟଙ୍କା ଆଦେୟ କରିଥିଲେ ୩ ଓ୍ବେବ ପୋର୍ଟାଲର ସାମ୍ବାଦିକ ।

ସୂଚନା ମୁତାବକ ଏହି ସାମ୍ବାଦିକ ୫୦ ହଜାର ଟଙ୍କା ଦାବି କରିଥିବା ବେଳେ ଶିକ୍ଷକଙ୍କ ଠାରୁ ଧମକାଇ ୩୫ ହଜାର ଟଙ୍କା ନେଇଥିଲେ । ଅଭିଯୁକ୍ତଙ୍କ ନାମରେ ଧମକ, ଗାଳି ଗୁଲଜ କରିବା ଏବଂ ଆଟ୍ରୋସିଟି ଭଳି ସଙ୍ଗିନ ଦଫା ଲଗାଇ ତଦନ୍ତ କରୁଛି ପୋଲିସ  । ଦୁଇ ଦିନ ତଳେ ରାଜଧାନୀର ଜଣେ ପୋର୍ଟାଲ ସାମ୍ବାଦିଙ୍କୁ ମଧ୍ୟ ଅଶାଳୀନ ଭାଷା ବ୍ୟବହାର କରିବା, ଲାଞ୍ଚ ମାଗିବା ଆଦି ସଙ୍ଗୀନ ଦଫା ଲଗାଇ ଗିରଫ କରିଛି ମହିଳା ଥାନା ପୋଲିସ  ।

ଅଦରକାରୀ କାଗଜର କଳାକୃତି ଦେଉଛି ଲକ୍ଷାଧିକ ଟଙ୍କା, ମାଧ୍ୟମ ସାଜିଛି ୟୁଟ୍ୟୁବ

ଭଦ୍ରକ: ଘରେ ବସି ମାସକୁ ହେଉଛି ଲକ୍ଷେ ଟଙ୍କା ରୋଜଗାର । ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରି ସ୍ବାବଲମ୍ବୀ ହୋଇଛନ୍ତି ଭଦ୍ରକ ଜିଲ୍ଲା ତରାଗୋ ଗାଁର ଅର୍ପିତା ପ୍ରିୟଦର୍ଶିନୀ । ଅଦରକାରୀ କାଗଜରେ ବିଭିନ୍ନ କଳାକୃତି କରି ଏହାର ପ୍ରସ୍ତୁତି ଭିଡିଓ ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ଏଥିରୁ ସେ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ।ଘରେ ବସି ମାସକୁ ଲକ୍ଷେ ଟଙ୍କାର ରୋଜଗାର କରୁଛନ୍ତି ଯୁବତୀ । ସରକାରୀ ଚାକିରି ନୁହେଁ କିମ୍ବା କୌଣସି ବଡ କମ୍ପାନୀ ନୁହେଁ ।

ୟୁଟ୍ୟୁବ ଦେଉଛି ଲକ୍ଷାଧିକ ଟଙ୍କାର ରୋଜଗାର । ବିଭିନ୍ନ କଳାକୃତିର ଭିଡିଓ ୟୁଟ୍ୟୁବରେ ଅପ୍‌ଲୋଡ କରି ରୋଜଗାରକ୍ଷମ ହୋଇଛନ୍ତି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ତରାଗୋ ଗାଁର ଅର୍ପିତା ପ୍ରିୟଦର୍ଶିନୀ । ଅଦରକାରୀ କାଗଜରେ ଦେବାଦେବୀଙ୍କଠୁ ଆରମ୍ଭ କରି ଫଟୋ ଫ୍ରେମ, ଫୁଲଦାନୀ ଏବଂ ଘର ସଜ୍ଜା ସାମଗ୍ରୀର ପ୍ରସ୍ତୁତ ଭିଡିଓ କରି ୟୁଟ୍ୟୁବରେ ଅପଲୋଡ୍ କରୁଛନ୍ତି । ଆଉ ଏହାକୁ ଦର୍ଶକମାନେ ବେଶ୍ ପସନ୍ଦ କରୁଛନ୍ତି । ଘରେ ବସିରହିବା ସମୟରେ ବିଭିନ୍ନ ଅଦରକାରୀ ସାମଗ୍ରୀକୁ ବ୍ୟବହାର କରି ଅନେକ ସୁନ୍ଦର କଳାକୃତି ପ୍ରସ୍ତୁତ କରିଥିଲେ ଅର୍ପିତା ।

ପରେ ୟୁଟ୍ୟୁବରେ କ୍ରାଫ୍ଟ ଗ୍ୟାଲେରୀ ଆକାଉଣ୍ଟ ଖୋଲି ଏହାର ପ୍ରସ୍ତୁତି ଭିଡିଓକୁ ଅପଲୋଡ୍ କରିଥିଲେ । ଅର୍ପିତା ପ୍ରଥମେ ମାସିକକୁ ୪ହଜାର ଟଙ୍କା ରୋଜଗାର କରୁଥିଲେ । ଏବେ ଚ୍ୟାନେଲରେ ଦର୍ଶକ ସଂଖ୍ୟା ବୃଦ୍ଧି ପାଇବାରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର ହେଉଛି । ଯୁବକ ଯୁବତୀଙ୍କ ପାଇଁ ସୋସିଆଲ୍ ମିଡିଆ ଆଣିଛି ନୂଆ ସମ୍ଭାବନା । ଏହାର ସଫଳ ଉପଯୋଗ କରି ଏବେ ସ୍ବାବଲମ୍ବୀ ହେଉଛନ୍ତି ଅନେକ ବେକାର ଯୁବକ ଯୁବତୀ ।

ଅନାବୃଷ୍ଟି ସ୍ଥିତି ନେଇ ସରକାର ସଜାଗ, ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ କୃଷି ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ଅନାବୃଷ୍ଟି ଜନିତ ସ୍ଥିତି ନେଇ ଜରୁରିକାଳୀନ ସମୀକ୍ଷା ବୈଠକ । ଏଥିରେ ଅଧ୍ୟକ୍ଷତା କରି କୃଷିମନ୍ତ୍ରୀ ଡ. ଅରୁଣ ସାହୁ କ୍ଷେତ୍ର ଅଧିକାରୀଙ୍କୁ ଚାଷୀଙ୍କ ସହ ନିୟମିତ ସମ୍ପର୍କ ରଖିବାକୁ ପରାମର୍ଶ ଦେଇଛନ୍ତି । ଏହି ପରିସ୍ଥିତିରେ କେହି ମୁଖ୍ୟ କାର୍ଯ୍ୟାଳୟ ଛାଡ଼ିପାରିବେ ନାହିଁ । ଦରକାର ପଡ଼ିଲେ କ୍ଷେତ୍ରସ୍ଥଳକୁ ଯିବା ପାଇଁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପଞ୍ଚାୟତ ଓ ବ୍ଲକସ୍ତରରେ ନିଜ ଅଞ୍ଚଳର ଜଳନିଧି ଉଠା ଜଳସେଚନ, କ୍ଷେତ ପୋଖରୀ, କ୍ଷୁଦ୍ର ଓ ମଧ୍ୟମ ଜଳସେଚନ ପ୍ରକଳ୍ପର ଡାଟାବେସ୍‌ ପ୍ରସ୍ତୁତ କରାଯିବ ।

ସେଥିମଧ୍ୟରୁ କୋତୋଟି ସଂପୂର୍ଣ୍ଣ, କେଉଁଗୁଡିକ ଅଚଳ, ମରାମତି ଯୋଗ୍ୟ ସେନେଇ ତଥ୍ୟ ଦେଲେ ତ୍ବରିତ ପଦକ୍ଷେପ ନିଆଯିବ । କୌଣସି ଅଧିକାରୀ ମୋବାଇଲ ବନ୍ଦ କରିପାରିବେ ନାହିଁ । ସ୍ଥିତିର ମୁକାବିଲା ପାଇଁ ସପ୍ତାହର ୭ଦିନ ଅଫିସ ଖୋଲା ରହିବ । ଅନାବୃଷ୍ଟି ଓ ମରୁଡ଼ିର ପ୍ରତିକାର ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିଜ ଅଞ୍ଚଳର ଅନାବୃଷ୍ଟି ଓ ଓ ସମ୍ଭାବ୍ୟ ମରୁଡ଼ିର ପ୍ରତିକାର ପାଇଁ ଫସଲ ବିବିଧିକରଣ ଓ ସମନ୍ୱିତ କୃଷି କାର୍ଯ୍ୟକ୍ରମକୁ ଆଖିରେ ରଖି ଜିଲ୍ଲାସ୍ତରରେ ଆପାତକାଳୀନ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି ।

ଏଥିରେ ସ୍ୱଳ୍ପ ମିଆଦି ଓ ମଧ୍ୟମ ମିଆଦି ଯୋଜନା ରହିବ । ଜଳ ଯୋଗାଣ ପାଇଁ ସୁବିଧା ଥିଲେ ଜଳ ସମ୍ପଦ ବିଭାଗ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ପ୍ରତି ଶନିବାର ଅପରାହ୍ନରେ ବ୍ଲକ ଓ ଜିଲ୍ଲାସ୍ତରରେ ସମୀକ୍ଷା ବୈଠକ ହେବ । ଏଥିସହ ପଞ୍ଚାୟତସ୍ତରୀୟ ବୈଠକ ଯଥାରୀତି ଚାଲିବ । ସବୁ ରବିବାର ରାଜ୍ୟର ସବୁ ଅଧିକାରୀଙ୍କ ସହ ସମୀକ୍ଷା କରିବେ କୃଷି ମନ୍ତ୍ରୀ ।

ଓଭାଲ ଟେଷ୍ଟରେ ଭାରତର ଦମଦାର ପ୍ରଦର୍ଶନ

ଓଭାଲ: ଲଣ୍ଡନର ଓଭାଲରେ ଇଂଲଣ୍ଡ-ଭାରତ ମଧ୍ୟରେ ଚତୁର୍ଥ ଟେଷ୍ଟ ଖେଳା ଯାଉଛି । ପ୍ରଥମ ଇନିଂସରେ ୧୯୧ ରନ୍ କରିଥିବା ଭାରତ ଦ୍ୱିତୀୟ ଇନିଂସରେ ବଡ଼ ସ୍କୋର୍ କରିବାରେ ସକ୍ଷମ ହୋଇଛି । ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ ଭାରତ ୪୬୬ ରନରେ ଅଲଆଉଟ୍ ହୋଇଛି । ଏଥିସହ ଦଳ ଇଂଲଣ୍ଡ ଆଗରେ ୩୬୮ ରନର ଟାର୍ଗେଟ୍ ରଖିଛି ।

 Eng Vs Ind Oval 4th Test

ଦ୍ୱିତୀୟ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ୧୨୭ ରନ୍ କରିଥିବା ବେଳେ ପୁଜାରା ୬୧ ରନର ପାଳି ଖେଳିଥିଲେ । ଶାର୍ଦ୍ଦୁସଲ ଠାକୁର ୬୦ ରନ କରିଛନ୍ତି । ୩୬୮ ରନର ପିଛା କରି ଘରୋଇ ଦଳ ବ୍ୟାଟିଂ ଆରମ୍ଭ କରିଛି । ଦଳ ପକ୍ଷରୁ ହସିବ ହମିଦ ଓ ରୋରି ବର୍ଣ୍ଣ୍ସ ବ୍ୟାଟିଂ କରୁଛନ୍ତି ।

ପଞ୍ଜଶିରର ୪ ଜିଲ୍ଲା କବଜାକୁ ନେଇଥିବା ନେଇ ତାଲିବାନର ଦାବି

କାବୁଲ: ଆମେରିକା ସେନା ଫେରିବା ସହ ପୂରା ଆଫଗାନିସ୍ତାନକୁ କବଜା କରି ନେଇଛି ତାଲିବାନ । ରାଜଧାନୀ କାବୁଲ ସହ ପୂରା ଦେଶକୁ କାବୁଲ ୨୦ ଦିନରୁ ଅଧିକ ଦିନ ହେଲା ହାତକୁ ନେଇଛି । ତଥାପି ଆଫଗାନିସ୍ତାନର ପଞ୍ଜଶିର ଏବେବି ତାଲିବାନ ଠାରୁ ଦୂରରେ । ପଞ୍ଜଶିରକୁ ହାତେଇବା ଲାଗି ବିରୋଧୀଙ୍କ ସହ ଲଗାତାର ଲଢ଼ୁଛି ତାଲିବାନ । ମିଡିଆ ରିପୋର୍ଟରେ ଅନୁସାରେ, ପଞ୍ଜଶିରର ୪ ଜିଲ୍ଲାକୁ ନିଜ କବଜାକୁ ନେଇ ତାଲିବାନ ଦାବି କରିଛି । ଯାହାକୁ ଅଗ୍ରାହ୍ୟ କରିଛନ୍ତି ବିରୋଧୀ ଦଳ ।

ପଞ୍ଜଶିରରେ ୪ ଜିଲ୍ଲା ବନ୍ଦ, ପାରୈନ, ଖିଞ୍ଜ ଓ ଅବଶରକୁ କବଜା କରି ନେଇଥିବା ତାଲିବାନ ଦାବି କରିଛି । ତେବେ ଏହି ଦାବିକୁ ପ୍ରତିପକ୍ଷ ଅଗ୍ରାହ୍ୟ କରି ଦେଇଛନ୍ତି । ବିରୋଧୀଙ୍କ କହିବା ଅନୁସାରେ, ସଂଘର୍ଷ ପରେ ତାଲିବାନ ପଛକୁ ଫେରି ଯାଇଛି । ତାଲିବାନ କହିଛି ୪ ଜିଲ୍ଲା ହାତେଇବା ପରେ ଓନୋବା ଜିଲ୍ଲା କବଜା କରିବାକୁ ସଂଘର୍ଷ ଜାରି ରହିଛି ।

ତାଲିବାନ ପଞ୍ଜଶିରରେ ସମସ୍ତ ପ୍ରକାର ଦୂରସଞ୍ଚାର ସେବାକୁ ବନ୍ଦ କରି ଦେଇଛି । ଫଳରେ ଉଭୟ ପକ୍ଷ କରୁଥିବା ଦାବିକୁ ନେଇ କୌଣସି ପ୍ରକାର ସ୍ପଷ୍ଟ ସୂଚନା ମିଳିପାରୁନାହିଁ । କାବୁଲ ଠାରୁ ଉତ୍ତରରେ ୯୦ ମାଇଲରେ ଦୂରରେ ରହିଛି ପଞ୍ଜଶିର ଘାଟି । ୨୦ ବର୍ଷ ତଳେ ବି ପଞ୍ଜଶିର ଘାଟି ତାଲିବାନ ଶାସନ ଠାରୁ ମୁକ୍ତ ଥିଲା । ତାଲିବାନ ପଞ୍ଜଶିରକୁ କେବେ କବଜା କରିପାରିନାହିଁ ।

ଗୁରୁ ଦିବସରେ ସରକାରଙ୍କ ଉପହାର, ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଗୁରୁ ଦିବସ ଅବସରରେ  ରାଜ୍ୟ ସରକାରଙ୍କ ଉପହାର  ।  ଓଡିଶା ଆଦର୍ଶ ବିଦ୍ୟାଳୟ ପାଇଁ ୪୪୩ ଶିକ୍ଷକଙ୍କୁ ନିଯୁକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାଜ୍ୟର ସବୁ ଅଞ୍ଚଳର ମେଧାବୀ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଏହି ଉଦ୍ଦେଶ୍ୟରେ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଆଦର୍ଶ ବିଦ୍ୟାଳୟ ଜରିଆରେ ଇଂରାଜୀ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳ ଓ ସହରାଂଚଳର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି । ଗୁଣାତ୍ମକ ଶିକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ସାରା ଦେଶରେ ଆଦର୍ଶ ବିଦ୍ୟାଳୟ ରୋଲ ମଡେଲ ହେବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ଜାତୀୟସ୍ତରର ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିବା ପାଇଁ ଏହି ବିଦ୍ୟାଳୟ ଗୁଡିକୁ ସବୁପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି । ପିଲାଙ୍କ ମନରେ ଯେପରି ଆଶା ଓ ଆତ୍ମବିଶ୍ବାସ ବୃଦ୍ଧି ହେବ ଏବଂ ସେମାନେ ସଫଳତା ହାସଲ କରିବେ, ତାହା ଲକ୍ଷ୍ୟ ରହିଛି । ପିଲାମାନଙ୍କୁ ଭବିଷ୍ୟତର ସଫଳତା ପାଇଁ ଠିକ୍‌ ଭାବରେ ଗାଇଡ୍‌ କରିବାକୁ ମୁଖ୍ୟମନ୍ତ୍ରୀ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରତି ଛାତ୍ରଛାତ୍ରୀଙ୍କ ସ୍ବପ୍ନ ସାକାର କରିବା ଆମର ଉଦ୍ୟମ ହେବ । ନୂଆ ଓ ରୂପାନ୍ତରିତ ଓଡଶା ଗଠନରେ ଏହା ବଳିଷ୍ଠ ପଦକ୍ଷେପ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏଦିଗରେ ଶିକ୍ଷକମାନେ ଗୁରୁ ଦାୟିତ୍ୱ ନିର୍ବାହ କରିବାକୁ ଆଗେଇ ଆସିବାକୁ ସେ ଆହ୍ଵାନ ଜଣାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଦର୍ଶ ବିଦ୍ୟାଳୟ ପାଇଁ ଦଶ ସୂତ୍ରୀ ଲକ୍ଷ୍ୟ ଘୋଷଣା କରିଛନ୍ତି । ଏଥିରେ ପିଲାଙ୍କୁ ରକ୍ତଦାନ, ପରିବେଶ ସୁରକ୍ଷା ସହ ସାକ୍ଷରତା ଅଭିଯାନରେ ସାମିଲ କରିବା ଯୋଗ, କ୍ରୀଡା ଓ ସୁସ୍ଥ ଜୀବନଶୈଳୀ ଆଦି ପାଇଁ ଉତ୍ସାହିତ କରିବା ଜାତୀୟ ଅନ୍ତଜାତୀୟ ପ୍ରତିଯୋଗିତାରେ ସଫଳତା ପାଇଁ ପ୍ରସ୍ତୁତ କରିବା ଉପରେ ଗୁରୁତ୍ବ ଦିଆଯିବ । ଏହାସହ ପ୍ରତି ଆଦର୍ଶ ବିଦ୍ୟାଳୟକୁ ଦଶ ବର୍ଷିଆ ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହି ଅବସରରେ ୨୦୨୧ର ଜାତୀୟ ଶିକ୍ଷକ ପୁରସ୍କାର ପାଇଥିବା ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ ।

ଟୋକିଓ ପାରା ଅଲମ୍ପିକ, ଉଦଯାପନୀ ଉତ୍ସବରେ ତ୍ରିରଙ୍ଗା ଧରିଲେ ଅବନି ଲେଖରା

ଟୋକିଓ: ଟୋକିଓ ପାରା ଅଲମ୍ପିକର ଉଦଯାପନୀ ଉତ୍ସବରେ ଭାରତର ଧ୍ୱଜା ଧରିଛନ୍ତି ଅବନି ଲେଖରା । ୧୯ ବର୍ଷୀୟା ସୁଟର ଅବନୀ ଲେଖରା ଟୋକିଓରେ ସ୍ୱର୍ଣ୍ଣ ସହ ୨ଟି ପଦକ ଜିତିଛନ୍ତି । ଅବନି SH1 ବର୍ଗରେ ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ଓ ୫୦ ମିଟର ରାଇଫଲ ଥ୍ରୀରେ ବ୍ରୋଞ୍ଜ ପଦକ ଜିତିଛନ୍ତି । ଭାରତ ଚଳିତଥର ୫ ସ୍ୱର୍ଣ୍ଣ ସହ ୧୯ ପଦକ ଜିତିଛି । ଏହା ଏଯାବତ୍ ଭାରତର ସର୍ବଶ୍ରେଷ୍ଠ ପ୍ରଦର୍ଶନ ।

ଉଦଯାପନୀ ଉତ୍ସବରେ ଭାରତର ୧୧ ଖେଳାଳି ଭାଗ ନେଇଛନ୍ତି । ୨୪ ଅଗଷ୍ଟରେ ଉଦଘାଟନୀ ଉତ୍ସବରେ ୫ ଜଣ ଖେଳାଳି ଭାଗ ନେଇଥିଲେ । ୧୯୬୦ ମସିହାରୁ ପାରା ଅଲମ୍ପିକ ଖେଳା ଯାଉଥିବା ବେଳେ ଭାରତ ୧୯୬୮ରୁ ଭାଗ ନେଉଛି । ୧୯୭୬ ଓ ୧୯୮୦ରେ ଭାରତ ପାରା ଅଲମ୍ପିକରେ ଅଂଶଗ୍ରହଣ କରି ନଥିଲା । ଟୋକିଓରେ ଭାରତ ୫ ସ୍ୱର୍ଣ୍ଣ, ୮ ରୌପ୍ୟ ଓ ୬ କାଂସ୍ୟ ସହ ୧୯ଟି ପଦକ ଜିତିଛି ।

Tokyo Paralympic Closing Ceremony Avani Lekhara

ପାରାଅଲମ୍ପିକରେ ପ୍ରଥମ ଥର ଲାଗି ବ୍ୟାଡମିଣ୍ଟନକୁ ସାମିଲ୍ କରାଯାଇଥିଲା । ଭାରତ ପକ୍ଷରୁ ୭ ଜଣ ଖେଳାଳି ବିଭିନ୍ନ ବର୍ଗରେ ଭାଗ ନେଇଥିଲେ । ୪ ଜଣ ଖେଳାଳି ପଦକ ଜିତିଛନ୍ତି । ପ୍ରମୋଦ ଭଗତ ଓ କୃଷ୍ଣା ନାଗର ସ୍ୱର୍ଣ୍ଣ ଜିତିଥିବା ବେଳେ ସୁହାସ ୟଥିରାଜ ରୌପ୍ୟ ଓ ମନୋଜ ସରକାର ବ୍ରୋଞ୍ଜ ଜିତିଛନ୍ତି ।

ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି, ପ୍ରବଳ ବର୍ଷାରେ ଭିଜିବ ଓଡ଼ିଶା

ଭୁବନେଶ୍ୱର:  ସୋମବାରଠୁ ଭିଜିବ ଓଡ଼ିଶା । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରର ପୂର୍ବ ଭାଗରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି । ତାହା ଆସନ୍ତା ୨୪ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଏହାର ପ୍ରଭାବରେ ଆସନ୍ତା ଦୁଇ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷକରି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ ।

ସେପଟେ ଅନେକ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୬ଟି ଜିଲ୍ଲାକୁ ପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ମାଲକାନଗିରି, କୋରାପୁଟ, ରାୟଗଡ଼ା , ପୁରୀ, ଗଜପତି ଓ ଗଞ୍ଜାମକୁ ପ୍ରବଳରୁପ୍ରବଳ ବର୍ଷା ପାଇଁ ସତର୍କତା ଜାରି କରାଯାଇଛି । ସେହିପରି ସୋମବାର ଗଜପତି, ଗଞ୍ଜାମ, କଳାହାଣ୍ଡି, ଜଗତସିଂହପରୁ, ମୟୁରଭଞ୍ଜ ଆଦି ଜିଲ୍ଲାକୁ ମଧ୍ୟ ୟଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଲଘୁଚାପ ଫଳରେ  ଦକ୍ଷିଣ ଓଡ଼ିଶାରେ ମଧ୍ୟ ଏହାର ପ୍ରଭାବ ଜାରି ରହିବ  । ଲଘୁଚାପ ସମୟରେ ପବନର ବେଗ ୪୦ କିଲୋମିଟର ରହିବ । କେତେକ ସ୍ଥାନରେ ଘଡଘଡ଼ି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ରାଜ୍ୟରେ ଏପର୍ଯ୍ୟନ୍ତ ୩୦ପ୍ରତିଶତ କମ୍ ବର୍ଷା ହୋଇଛି । ଆସୁଥିବା ଲଘୁଚାପ ନିଅଣ୍ଟିଆ ବର୍ଷାକୁ ସୁଧାରିବାର ଆଶା କରାଯାଉଛି । ସୋମବାର ଠାରୁ ଲଘୁଚାପ ଫଳରେ ବର୍ଷା ହେବା ନେଇ ଆଶା କରାଯାଉଥିବାବେଳେ ରବିବାର ମଧ୍ୟ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ଅଞ୍ଚଳରେ ବର୍ଷା ହୋଇଛି  ।